Unknown

 

 

 

 

 

 

 

 

 

 

 

କୃତ୍ରିମ ଉପଗ୍ରହ

ଡକ୍ଟର ଗୋକୁଳାନନ୍ଦ ମହାପାତ୍ର

 

ପଦେଅଧେ

 

‘‘ପୃଥିବୀ ବାହାରେ ମଣିଷ’’ ପରେ ମୋର ଦ୍ୱିତୀୟ ବୈଜ୍ଞାନିକ ଉପନ୍ୟାସ ହେଉଛି ‘‘କୃତ୍ରିମ ଉପଗ୍ରହ’’ । ଏହି ଅଳ୍ପ କେଇବର୍ଷ ଭିତରେ ଏହାର ପ୍ରଥମ ସଂସ୍କରଣ ସମାପ୍ତ ହୋଇ ଦ୍ୱିତୀୟ ସଂସ୍କରଣ ପ୍ରକାଶିତ ହୋଇଥିବାରୁ ଏହା କମ୍‌ ଉତ୍ସାହିତ କରୁନାହିଁ ।

 

ମହାଶୂନ୍ୟରେ ଆଜି ଯେଉଁ ଏକାଧିକ ‘କୃତ୍ରିମ ଉପଗ୍ରହ’ ପୃଥିବୀ ପରିକ୍ରମଣରେ ବ୍ୟସ୍ତ, ସେହିଭଳି ଏକ କୃତ୍ରିମ ଉପଗ୍ରହକୁ ପ୍ରଧାନ ବିଷୟବସ୍ତୁ ରୂପେ ଗ୍ରହଣକରି ଏହି ଉପନ୍ୟାସଟି ରଚନା କରାଯାଇଛି । ରୁଷୀୟମାନଙ୍କଦ୍ୱାରା ସ୍ଫୁଟ୍‌ନିକ ସୃଷ୍ଟି ହେବାର ବହୁ ପୂର୍ବରୁ ଏହି ଉପନ୍ୟାସଟି ରଚନା କରାଯାଇଥିଲେ ହେଁ ପ୍ରେସ୍‌ ତଥା ପ୍ରକାଶକଙ୍କର ନାନା ଅସୁବିଧା ହେତୁ ଏହାର ପ୍ରଥମ ମୁଦ୍ରଣ ୧୯୫୮ ପୂର୍ବରୁ ବାହାରି ପାରିଲା ନାହିଁ । ଫଳରେ ଉପନ୍ୟାସର କେତେକ କଳ୍ପନା ସେ ସମୟକୁ ବାସ୍ତବରେ ପରିଣତ ହୋଇଯାଇଥିବାରୁ ଗଳ୍ପର ଗୁରୁତ୍ୱ କେତେକାଂଶରେ କ୍ଷୁଣ୍ଣ ହୋଇଥାଇପାରେ । କିନ୍ତୁ ଆଜିର ଦୃଶ୍ୟମାନ ‘‘କୃତ୍ରିମ ଉପଗ୍ରହ’’ ଆମମାନଙ୍କଠାରେ ପୁରୁଣା ହୋଇଯାଇଥିଲେହେଁ, କୃତ୍ରିମ ଉପଗ୍ରହ ସମ୍ୱନ୍ଧୀୟ ଏକ ସୁନେଲି ଭବିଷ୍ୟତ ସ୍ୱପ୍ନର ରୂପରେଖ ପାଠକପାଠିକାମାନଙ୍କୁ ଏକ ନୂଆ ରାଜ୍ୟକୁ ଘେନିଯିବ ।

 

ବିଜ୍ଞାନାଗାରର ଅବରୁଦ୍ଧ କୋଠରି ଭିତରୁ ମୁକ୍ତି ପାଇବା ପରେ କଳ୍ପନାର ସୁନେଲି ସ୍ୱପ୍ନରେ ଭାସିବା ଅସ୍ୱାଭାବିକ ହେଲେହେଁ ବେଳେ ବେଳେ ସେହି ସ୍ୱପ୍ନରେ ବିଭୋର ହେବାକୁ ଇଚ୍ଛାହୁଏ । କାରଣ ବାସ୍ତବତାର ବନ୍ଧନ ଭିତରେ ଆବଦ୍ଧ ହେବା ପାଇଁ ସବୁବେଳେ ଭଲ ଲାଗେ ନାହିଁ । ତେଣୁ ବୈଜ୍ଞାନିକ ଗବେଷଣାର ମଝିରେ ମଝିରେ ଏହି କଳ୍ପନାମୂଳକ ବୈଜ୍ଞାନିକ ଉପନ୍ୟାସ ଲେଖିବାକୁ ଅତ୍ୟଧିକ ଇଚ୍ଛା ହୋଇଥାଏ ।

 

ଭାରତୀୟ ମାତ୍ରେହିଁ ସ୍ୱଭାବତଃ ଶାନ୍ତିପ୍ରିୟ । ସମାଜବାଦ, ସହାବସ୍ଥାନ ନୀତି ଓ ପଞ୍ଚଶୀଳରେ ସେମାନଙ୍କର ଆସ୍ଥା ସର୍ବାଧିକ । ପୃଥିବୀରେ ବିଭିନ୍ନ ରାଜନୈତିକ ମତାବଲମ୍ୱୀ ଦେଶମାନେ ସହାବସ୍ଥାନ ନୀତି ପ୍ରତି ସନ୍ଦିହାନ ଥିଲେହେଁ ଭାରତୀୟମାନଙ୍କର ଆସ୍ଥା ଓ ଆସକ୍ତି ସର୍ବଦା ଜାଗ୍ରତ । ଭିନ୍ନ ଭିନ୍ନ ଦେଶ ମଧ୍ୟରେ ତିକ୍ତ ମନୋଭାବ ସୃଷ୍ଟି ନ କରି ବନ୍ଧୁତା ସୃଷ୍ଟି କରିପାରିଲେ ପୃଥିବୀରେ ଶାନ୍ତିର ଆଶା ଯେ ଅଧିକ ଉଜ୍ଜ୍ୱଳ ହୋଇଉଠିବ ଏବଂ ସହାବସ୍ଥାନ ଦୃଢ଼ ହେବ, ଏହା ପ୍ରତ୍ୟେକ ଭାରତୀୟ ହୃଦୟଙ୍ଗମ କରନ୍ତି ।

 

ଏହି ମହାନ୍‌ ଆନ୍ତର୍ଜାତିକ ସମସ୍ୟାକୁ ସମ୍ମୁଖରେ ରଖି ଏହି ଉପନ୍ୟାସ ରଚନା କରାଯାଇଛି । ବିଭିନ୍ନ ଦେଶର ସ୍ୱାର୍ଥତ୍ୟାଗ ଭିତରଦେଇ କିପରି ଦେଶ ଦେଶ ଭିତରେ ବନ୍ଧୁତା ଅଧିକ ଦୃଢ଼ ହୁଏ ସେହି ଧାରଣାର ମୂଳଦୁଆ ଉପରେ ଠିଆହୋଇଛି ସାରା ଉପନ୍ୟାସଟି ।

 

‘କୃତ୍ରିମ ଉପଗ୍ରହ’ରେ ବୈଜ୍ଞାନିକ କଳ୍ପନା ଇଂରେଜ ତଥା ଆମେରିକାନ୍‌ ଲେଖକମାନଙ୍କ ବୈଜ୍ଞାନିକ ଉପନ୍ୟାସ ଭଳି ଲଗାମଛଡ଼ା ହୋଇନାହିଁ । କାରଣ ଲଗାମଛଡ଼ା କଳ୍ପନାରେ ଗବେଷଣାରତ ବୈଜ୍ଞାନିକ କେବେ ଆନନ୍ଦ ପାଇପାରେନାହିଁ । ବସ୍ତୁତଃ ସେ ମନେକରେ ଯେପରିକି ସେଭଳି କଳ୍ପନାରେ ସେ ମଣିଷସମାଜକୁ କିଛି ଦାନକରିବା ପରିବର୍ତ୍ତରେ କେବଳ ଭଣ୍ଡାଇବାକୁ ଯାଉଛି । ଏଥିପାଇଁ ‘କୃତ୍ରିମ ଉପଗ୍ରହ’ରେ ବୈଜ୍ଞାନିକ କଳ୍ପନାକୁ ସୀମିତ ପରିସର ଭିତରେ ରଖିବାକୁ ବାଧ୍ୟ ହୋଇଛି । ଫଳରେ ବୈଜ୍ଞାନିକ ଉପନ୍ୟାସରେ ଯେଉଁ ରସ ପରିବେଷଣ କରାଯାଇପାରନ୍ତା, ତାହା ସ୍ଥାନେ ସ୍ଥାନେ ହୁଏତ ବାଧାପ୍ରାପ୍ତ ହୋଇଛି ।

 

ଦୋଳମୁଣ୍ଡାଇ

ବିନୀତ

କଟକ

ଗୋକୁଳାନନ୍ଦ ମହାପାତ୍ର

Image

 

ଏକ

 

ହଠାତ୍‌ ଧଇଁସଇଁ ହୋଇ ଇନ୍‌ସପେକ୍‌ଟର ପଷ୍ଟୋଭସ୍କି ନିଜ ଅଫିସ ଭିତରକୁ ପଶିଗଲେ । ଟେବୁଲ୍‌ ଉପରୁ ଫୋନ୍‌ଟାକୁ ଉଠାଇ ନେଇ ଡାକିଲେ ତଳ ପୋଲିସ ଷ୍ଟେସନର ଇନ୍‌ସପେକ୍‌ଟର କ୍ଲୋପୋଭ୍‌ଙ୍କୁ । ଫୋନ୍‌ ଉପରେ ଉଦ୍‌ବେଗ ଓ ଆଶଙ୍କାର ଏକ ତୀବ୍ର ସ୍ରୋତ ଝରିପଡ଼ୁଥାଏ । ଏକ ଆଶୁ ସଙ୍କଟର ଆତଙ୍କରେ ତାଙ୍କ ମୁହଁ କଳା ପଡ଼ିଯାଇଥାଏ । କପାଳ ଉପରେ ଟୋପା ଟୋପା ଝାଳ ତାଙ୍କ ଅସହାୟତାର ସ୍ପଷ୍ଟ ପରିଚୟ ଦେଉଥାଏ ।

 

ଫୋନ୍‌ଟାକୁ ମୁହଁ ପାଖରେ ଧରି ସେ ଏକନିଶ୍ୱାସରେ କହି ଚାଲିଲେ–‘‘ଶୁଣନ୍ତୁ, ଶୁଣନ୍ତୁ ଇନ୍‌ସପେକ୍‌ଟର କ୍ଳୋପୋଭ୍‌ । ଏଠାରେ ବର୍ତ୍ତମାନ ସାଏନ୍‌ସ ଏକାଡ଼େମୀର ଯେଉଁ ଗୁପ୍ତ ଅଧିବେଶନ ବସିଛି, ତାହାର ଗୋପନୀୟତା ରକ୍ଷା କରିବା ପାଇଁ ଆମର ପୋଲିସ ଫୌଜ ଚାରିଆଡ଼େ ଘେରିଥିଲେ ମଧ୍ୟ, ଅଧିବେଶନର ଜଣେ ସଭ୍ୟ ପୂରାପୂରି କଳା ପୋଷାକରେ ଘୋଡ଼ାଇହୋଇ ଆଲୋଚନାକକ୍ଷରୁ କ’ଣ ଗୋଟିଏ ହାତରେ ଧରି ପଳାଇଛନ୍ତି ମାନମନ୍ଦିରର ପଶ୍ଚିମଦ୍ୱାର ଦେଇ । ପଶ୍ଚିମଦ୍ୱାରର ରକ୍ଷୀ ପଳାତକର ପିସ୍ତଲରେ ଆହତ ହୋଇଛି । ଏଠାରେ ଆମର ଯେଉଁ କେତେକ ପୋଲିସ ଥିଲେ, ସେମାନଙ୍କୁ ପଳାତକର ଅନୁସରଣ କରିବା ପାଇଁ ମୁଁ ପଠାଇଦେଇଛି । ଏଇ ମାତ୍ର ଦଶମିନିଟ୍‌ ତଳେ ଏହିସବୁ ଘଟଣା ଘଟିଯାଇଛି ଏଠାରେ । ମୋର ଆଶା, ଇତି ମଧ୍ୟରେ ପଳାତକ ମାନମନ୍ଦିରଠାରୁ ଦୁଇହଜାର ଫୁଟରୁ ଅଧିକ ବାଟ ଆଗେଇ ପାରିନଥିବ । ଆପଣ ଅତିଶୀଘ୍ର ଆମର ସମସ୍ତ ଫୌଜକୁ ପଶ୍ଚିମଦ୍ୱାର ସମେତ ଦକ୍ଷିଣଦ୍ୱାରଠାରୁ ଉତ୍ତରଦ୍ୱାର ପର୍ଯ୍ୟନ୍ତ ଚାରିଆଡ଼କୁ ଖେଳାଇ ଦିଅନ୍ତୁ । ଶୃଙ୍ଗର ତଳକୁ ଯାଇଥିବା ସବୁ ପଥ ଜଗିଦେଲେ ପଳାତକ ବୋଧହୁଏ ଖସିଯାଇ ପାରିବନି ।’’

 

ତଳ ପୋଲିସ ଷ୍ଟେସନରେ ଇନ୍‌ସପେକ୍‌ଟର କ୍ଳୋପୋଭ୍‌ ପଷ୍ଟୋଭସ୍କିଙ୍କର ଏହି ଏକନିଶ୍ୱାସୀ ବକ୍ତବ୍ୟ ଶୁଣି ସ୍ତମ୍ଭୀଭୂତ ହୋଇପଡ଼ିଲେ । ହଠାତ୍‌ ଏ କ’ଣ ହେଲା ସେ ଭାବିପାରିଲେ ନାହିଁ । କେଉଁ ଆଡ଼କୁ ପୋଲିସ ଫୌଜ ପଠାଇବେ ଏବଂ ଶୃଙ୍ଗର ତଳକୁ ଆସିଥିବା କେଉଁ କେଉଁ ପଥଗୁଡ଼ିକୁ ଜଗିବେ, ଭାବି ଠିକ୍‌ କରିବା ତାଙ୍କ ପକ୍ଷରେ ଅସମ୍ଭବ ହୋଇପଡ଼ିଲା । ମନ ଭିତରେ ଖେଳିଗଲା ପ୍ରଶ୍ନ ପରେ ପ୍ରଶ୍ନ-ରାଷ୍ଟ୍ରର ଏତେ ବଡ଼ ଗୁରୁତ୍ୱପୂର୍ଣ୍ଣ ଗୁପ୍ତ ଅଧିବେଶନକୁ କ’ଣ ସେମାନେ ଠିକ୍‌ ଭାବରେ ସମ୍ଭାଳି ପାରିଲେନି ? ପ୍ରାନ୍ତୀୟ ରାଜଧାନୀ ଓ ପ୍ରଦେଶମାନଙ୍କରୁ ଶହ ଶହ ପୋଲିସ କର୍ମଚାରୀ ଆଣି ଏଠାରେ ରୁଣ୍ଡ କରାଯାଇଥିଲା । ତା’ର ଶେଷ ପରିଣତି କ’ଣ ହେଲା ଏଇଆ ? ପଳାତକ ଯଦି ଏପରି ଭାବରେ ଖସିଯାଏ, ତେବେ ଦେଶବାସୀଙ୍କ ଆଗରେ ସେମାନେ ମୁହଁ ଦେଖାଇବେ କିପରି ?

 

କ୍ଳୋପୋଭ୍‌ ଆଉ ଭାବିପାରିଲେନି । ଅଜାଣତରେ ତାଙ୍କ ହାତ କଲିଙ୍ଗ୍‌ ବେଲ୍‌ର ସୁଇଚ୍‌ ଉପରକୁ ଚାଲିଗଲା । ସଙ୍ଗେ ସଙ୍ଗେ ଜଣେ କନ୍‌ଷ୍ଟେବଲ ପଶିଆସି ତାଙ୍କୁ ସଲାମ୍‌ ଦେଲା । କ୍ଳୋପୋଭ୍‌ ତାଙ୍କ ଅଧୀନସ୍ଥ ପୋଲିସ ଅଫିସରମାନଙ୍କୁ ଡାକିବାକୁ ତାହାକୁ ପଠାଇଲେ ।

 

ସେମାନେ ସମସ୍ତେ ପହଞ୍ଚିବା ମାତ୍ରେ କ୍ଳୋପୋଭ୍‌ଙ୍କ ଅଫିସରେ ଆଲୋଚନା ଆରମ୍ଭ ହୋଇଗଲା । ପୋଲିସ ଫୌଜକୁ କେଉଁଆଡ଼କୁ ପଠାଇ କିପରି ଭାବରେ ଜଗିବେ ସେଇ ହେଲା ଆଲୋଚନାର ପ୍ରଧାନ ବିଷୟବସ୍ତୁ । ମଟର, ଜିପ୍‌, ମଟର ସାଇକେଲ, ହେଲିକେପ୍‌ଟର ଆଦିରେ ଚାରିଆଡ଼କୁ ଖେଦିଯାଇ ଶକ୍ତିଶାଳୀ ସର୍ଚ୍ଚଲାଇଟ୍‌ ସାହାଯ୍ୟରେ ବିସ୍ତୃତ ଲାଢ଼ାକିସ୍ଥାନ୍‌ର ସେହି ଜନମାନବଶୂନ୍ୟ ଶୁଷ୍କ ଅଞ୍ଚଳକୁ ଅବରୋଧ କରିପକାଇବା ଶେଷରେ ଠିକ୍‌ ହେଲା ।

 

କାଳବିଳମ୍ୱ ନକରି ପ୍ରଥମ ଦଳକୁ ଶୃଙ୍ଗତଳର ବିଭିନ୍ନ ରାସ୍ତାଘାଟଗୁଡ଼ିକୁ ଜଗିବା ପାଇଁ ପଠାଇଦିଆଗଲା । ସଙ୍ଗେ ସଙ୍ଗେ କାଲାଇକୁମ୍ଭ, ଭାଞ୍ଜ, ଖୁଷନ୍‌, ଖୋରଗ୍‌, ଭାଖାନ୍‌ ଆଦି ସୀମାନ୍ତ ସହରର ପୋଲିସ ଷ୍ଟେସନମାନଙ୍କୁ ଖବର ପଠାଇଦିଆଗଲା ପଳାତକକୁ ଧରିବା ପାଇଁ । ଦକ୍ଷିଣ ଲାଢ଼ାକିସ୍ଥାନ୍‌ର ନାମିର, ଲାଢ଼ାଖ୍‌, ଦରିଆ ଓ ଭାଞ୍ଜ ନଦୀର ଘାଟଗୁଡ଼ିକୁ ଜଗିବାକୁ ନିର୍ଦ୍ଦେଶ ଚାଲିଗଲା ।

 

ରାତି ବାରଟା ବାଜିବାକୁ ପ୍ରାୟ ପନ୍ଦର ମିନିଟ୍‌ ବାକୀ । ପୋଲିସ ବିଭାଗ ଅଧ୍ୟକ୍ଷ ଗୋଟିଏ ଦୁଇଜଣିଆ ଉଡ଼ାଜାହାଜରେ ଆସି ଘଟଣାସ୍ଥଳରେ ପହଞ୍ଚିଗଲେ । ପଳାତକକୁ ଧରିବାର ସମସ୍ତ ଦାୟିତ୍ୱ ସେ ଆସିବା ସଙ୍ଗେ ସଙ୍ଗେ ନିଜ ହାତକୁ ନେଇଗଲେ ।

 

ଉତ୍ତର ଓ ପୂର୍ବଦିଗ ଦୁରୂହ ପାର୍ବତୀୟ ଅଞ୍ଚଳଦ୍ୱାରା ଘେରି ହୋଇ ରହିଥିବାରୁ ସେଆଡ଼କୁ ପଳାତକ ଯିବା ସମ୍ଭବପର ନୁହେଁ । ପୋଲିସ ଅଫିସରମାନଙ୍କ ଆଶଙ୍କା ଯେ, ପଳାତକ ଦକ୍ଷିଣ କିମ୍ୱା ଦକ୍ଷିଣ-ପଶ୍ଚିମ ଦିଗକୁ ପଳାଇଯାଇପାରେ; ତେଣୁ ଏହି ସୀମାକୁ ସାବଧାନତାର ସହିତ ଜଗି ରହିବା ଏକାନ୍ତ ଆବଶ୍ୟକ । ପଶ୍ଚିମର କାଲାଇକୁମ୍ଭଠାରୁ ପୂର୍ବର ଗାଙ୍ଗକୁଲ ପର୍ଯ୍ୟନ୍ତ ବିସ୍ତୃତ ପ୍ରାୟ ଛ’ଶହ ମାଇଲ ଲମ୍ୱ ସୀମାନ୍ତ ଅଞ୍ଚଳକୁ ଖୁବ୍‌ ଭଲଭାବରେ ଜଗିବା ପାଇଁ ଅଧ୍ୟକ୍ଷଙ୍କଠାରୁ ନିର୍ଦ୍ଦେଶ ଚାଲିଗଲା । ରାତି ଭିତରେ ରାଜଧାନୀରୁ ଆହୁରି ଅଧିକ ମଟର, ଜିପ୍‌, ହେଲିକେପ୍‌ଟର ଆଣି ଲଢ଼ାକିସ୍ଥାନ୍‌ର ସେହି ଅଞ୍ଚଳ ଉପରେ ଖୋଳାଇ ଦିଆଗଲା । ଅଧ୍ୟକ୍ଷଙ୍କ ସମେତ ପୋଲିସ ଅଫିସରମାନେ ରାତି ଉଜାଗର ହୋଇ ଫୋନ୍‌ ଓ ବେତାର ରୁମ୍‌ରେ ବସିରହିଲେ ।

 

ପ୍ରତି ପାଞ୍ଚମିନିଟ୍‌ରେ ବିଭିନ୍ନ ପୋଲିସ । ଷ୍ଟେସନ ଓ ଖୋଜୁଥିବା ଭ୍ରାମ୍ୟମାଣ ପୋଲିସଦଳଠାରୁ ଖବର ଆସୁଥାଏ । କିନ୍ତୁ ସବୁଆଡ଼ୁ ‘ନାଁ’ ଛଡ଼ା କେଉଁଠୁ ‘ହଁ’ର ସ୍ୱର ଶୁଣିବାକୁ ମିଳିଲା ନାହିଁ; ସତେ ଯେପରି ବିଧାତାଙ୍କ ସୃଷ୍ଟିରୁ ‘ହଁ’ଗୁଡ଼ାକ କୁଆଡ଼େ ଉଭେଇ ଗଲାଣି । ପୋଲିସ ଅଧ୍ୟକ୍ଷ ହତାଶାରେ ମ୍ରିୟମାଣ ହୋଇପଡ଼ିଲେ । ଓଃ, କି ଘୋର ଲଜ୍ଜାର ବିଷୟ । ଦୀର୍ଘ କୋଡ଼ିଏ ବର୍ଷର ଚାକିରି ଭିତରେ ଅପାରଗତାର କୌଣସି ଛାପ ତାଙ୍କ ଜୀବନ ଉପରେ ପଡ଼ିନଥିଲେ ମଧ୍ୟ, ଉଜ୍ଜ୍ୱଳ ଭବିଷ୍ୟତ ଓ ପଦୋନ୍ନତିର ସୁନେଲି ସ୍ୱପ୍ନ ଏହି କ୍ଷଣିକ ଘଟଣାରେ ତାଙ୍କୁ ପାଣିଫୋଟକା ଭଳି ବୋଧହେଲା ।

 

ମାନମନ୍ଦିର ବାହାରେ ଏ ଘଟଣା ନେଇ ଚାଞ୍ଚଲ୍ୟ ସୃଷ୍ଟି ହେଲା, ମାନମନ୍ଦିର ଭିତରେ ତାହାର କାଣିଚାଏ ବି ନଥିଲା । ପୋଲିସ ଅଫିସରମାନେ ଏଇ ଘଟଣାଟିକୁ ସଭ୍ୟମାନଙ୍କୁ ଜଣାଇ ସେମାନଙ୍କ ଉନ୍ନତ ଚିନ୍ତା ଓ ଆଲୋଚନାରେ ବ୍ୟାଘାତ ସୃଷ୍ଟି କରିବାକୁ ଚାହୁଁ ନଥିଲେ । ତେବେ ଗୋଟିଏ କଥା ସମାନଙ୍କ ମୁଣ୍ଡରେ ସର୍ବଦା ଆଘାତ କରୁଥାଏ ଯେ, ପ୍ରତ୍ୟେକ ସଭ୍ୟଙ୍କୁ ବହୁ ସାବଧାନତାର ସହିତ ପରୀକ୍ଷା କରି ଉପଯୁକ୍ତ ଅନୁମତିପତ୍ର ଓ ଫଟୋ ଦେଖି ବୈଠକ କକ୍ଷ ଭିତରକୁ ଛାଡ଼ିଥିଲେ ମଧ୍ୟ ଏଭଳି ଗୁପ୍ତଚର ସେ ଭିତରକୁ ପଶିଲା କେମିତି ? ଯଦି ପଶିଲା, ତେବେ ଅଧିବେଶନ ସମାପ୍ତ ହେବା ପୂର୍ବରୁ ହଠାତ୍‌ ପଳାଇଲା କାହିଁକି ?

 

ଏହିସବୁ ପ୍ରଶ୍ନ ଯେ ଖାଲି ଉପସ୍ଥିତ ପୋଲିସ୍‌ ଅଫିସରମାନଙ୍କୁ ବିବ୍ରତ କରୁଥିଲା ତାହା ନୁହେଁ; ପୋଲିସ ଅଧ୍ୟକ୍ଷ ମଧ୍ୟ ନିଜେ ଏହି ପ୍ରଶ୍ନର ସମାଧାନରେ ବିବ୍ରତ ହୋଇ ପଡ଼ିଥିଲେ । ଯିଏ ଯେତେ ପ୍ରକାର ବ୍ୟାଖ୍ୟା କଲେ ମଧ୍ୟ ଏହି ପ୍ରଶ୍ନଗୁଡ଼ିକର ଯଥାର୍ଥ ଉତ୍ତର ଖୋଜି ପାଇବା ସମ୍ଭବ ହେଲା ନାହିଁ ।

 

ପୋଲିସ ଅଫିସରମାନଙ୍କର ଏକମାତ୍ର ଆଶ୍ୱାସନା ଯେ, ପ୍ରଥମ ଦିନର ଆଲୋଚନାରେ ସେପରି କୌଣସି ଗୁପ୍ତ ବିଷୟ ଉତ୍‌ଥାପିତ ହୋଇନାହିଁ; କେବଳ ସାତଦିନ ବୈଠକର କାର୍ଯ୍ୟକ୍ରମ ସଭ୍ୟମାନଙ୍କୁ ବାଣ୍ଟିଦିଆଯାଇଛି । ପଳାତକ ଯଦି କୌଣସି ଗୁପ୍ତ ଖବର ନେଇଯାଇଥାଏ, ତେବେ ଆଲୋଚ୍ୟ ବିଷୟଗୁଡ଼ିକ ମଧ୍ୟରୁ ଦୁଇଟି ଅତି ଗୋପନୀୟ ବିଷୟର ସୂଚନା ଛଡ଼ା ଅନ୍ୟ କିଛି ନେଇପାରିନାହିଁ ।

 

ମାତ୍ର ସେ ଯାହାହେଉ, ଆସନ୍ତା କେତେଦିନର କାର୍ଯ୍ୟକ୍ରମରେ ଯେପରି ଏଭଳି ଘଟଣାର ପୁନରାବୃତ୍ତି ନ ହୁଏ, ସେଥିନିମିତ୍ତ ପୋଲିସ ଅଧ୍ୟକ୍ଷ ମାନମନ୍ଦିର ଚାରିପାଖରେ ଆହୁରି କଡ଼ା ପୋଲିସର ବ୍ୟବସ୍ଥା କରି ଅଧିବେଶନର ଶେଷ ପର୍ଯ୍ୟନ୍ତ ନିଜେ ସତର୍କ ହୋଇ ଜଗିରହିଲେ ।

 

ଅଧିବେଶନର ଦ୍ୱିତୀୟ ଦିନ...

 

ନବନିର୍ମିତ ଲେନିନ୍‌ମାନମନ୍ଦିରର ସୁସଜ୍ଜିତ ବକ୍ତୃତା ପ୍ରାଙ୍ଗଣରେ ବିଜ୍ଞାନ ଏକାଡ଼େମୀର ଜ୍ୟୋତିର୍ବିଜ୍ଞାନ ଓ ଜ୍ୟୋତିଃ-ପଦାର୍ଥବିଜ୍ଞାନ ଶାଖାର ଏକ ମିଳିତ ଗୁପ୍ତ ଅଧିବେଶନ ବସିଛି । ଦେଶର ଚତୁର୍ଦ୍ଦିଗରୁ ନିମନ୍ତ୍ରିତ ପ୍ରାୟ ଆଠଶହରୁ ଅଧିକ ବୈଜ୍ଞାନିକ ଏଇ ଅଧିବେଶନରେ ଯୋଗ ଦେଇଛନ୍ତି । ଦ୍ୱିତୀୟ ଦିନର ଅଧିବେଶନରେ ଆଲୋଚନା ପାଇଁ ପ୍ରଧାନ ବିଷୟବସ୍ତୁ ହେଉଛି ଯେ, ୧୯୫୩ ମସିହା ପରଠାରୁ ବିଭିନ୍ନ ଆକାରବିଶିଷ୍ଟ କୃତ୍ରିମ ଉପଗ୍ରହମାନ ପୃଥିବୀପୃଷ୍ଠରୁ ବିଭିନ୍ନ ଉଚ୍ଚତାରେ ପ୍ରତିଷ୍ଠା କରାଯାଇ ଯେଉଁସବୁ କୃତିତ୍ୱ ହାସଲ କରାଯାଇଥିଲା, ତହିଁର ବିବରଣୀ ଓ ସେ ସମ୍ୱନ୍ଧରେ ଆଲୋଚନା । ଏହିସବୁ ଉପଗ୍ରହରେ ବିଭିନ୍ନ ପ୍ରାଣୀମାନଙ୍କୁ ପଠାଇ ଯେଉଁସବୁ ଅଭିଜ୍ଞତା ହାସଲ କରାଯାଇଥିଲା, ତହିଁର ପୂର୍ଣ୍ଣ ବିବରଣୀ ଉପସ୍ଥାପିତ କରିବା କାର୍ଯ୍ୟକ୍ରମରେ ପ୍ରଥମ ସ୍ଥାନ ପାଇଥାଏ ।

 

ଏତଦ୍‌ବ୍ୟତୀତ ୧୯୫୬ ମସିହା ସେପ୍‌ଟେମ୍ୱର ମାସରେ ମଙ୍ଗଳଗ୍ରହ ପୃଥିବୀର ନିକଟତମ ହେଉଥିବାରୁ ତାହା ଉପରେ କିପରି ଭାବରେ ପର୍ଯ୍ୟବେକ୍ଷଣ କରାଯିବା ଦରକାର ଓ ରାଷ୍ଟ୍ରର କେଉଁ କେଉଁ ମାନମନ୍ଦିରରୁ ଏ ଦିଗରେ ଅଧିକ ଦୃଷ୍ଟି ଦିଆଯିବା ଉଚିତ, ସେ ସମ୍ୱନ୍ଧରେ ଉପଯୁକ୍ତ ପନ୍ଥା ସ୍ଥିର କରିବା ଏହି ଅଧିବେଶନର ଅନ୍ୟତମ ଉଦ୍ଦେଶ୍ୟ ଥାଏ ।

 

ଦ୍ୱିତୀୟ ଦିନର ଅଧିବେଶନରେ ସଭାପତିତ୍ୱ କରୁଥାନ୍ତି ବିଜ୍ଞାନ ଏକାଡ଼େମୀର ଜ୍ୟୋତିର୍ବିଜ୍ଞାନ ଶାଖାର ସଭାପତି ଡାକ୍ତର ଆଣ୍ଡ୍ରେଇ ଲେପିନେସ୍କି । ସେଦିନର ବୈଠକରେ ମାନମନ୍ଦିରର ଡିରେକ୍‌ଟର ବୈଜ୍ଞାନିକ ପାଲାଭିନ୍‌ ପ୍ରଥମେ ଠିଆହୋଇ ତାଙ୍କର ଲିଖିତ ବିବରଣୀ ପାଠକଲେ ।

 

‘‘.....୧୯୫୨ ମସିହାର ତୃତୀୟ ଅଧିବେଶନର ନିର୍ଦ୍ଦେଶକ୍ରମେ ଗୋଟିକ ପରେ ଗୋଟିଏ ଯେଉଁ ପାଞ୍ଚଗୋଟି କୃତ୍ରିମ ଉପଗ୍ରହ ଆମର ଏଇ ମାନମନ୍ଦିରରୁ ମହାଶୂନ୍ୟ ଭିତରକୁ ପଠାଯାଇଥିଲା, ତା’ର କୃତକାର୍ଯ୍ୟତା ସମ୍ୱନ୍ଧରେ ମୁଁ ଆପଣମାନଙ୍କୁ ଆଗରୁ କହିସାରିଛି । ସେହି ଅଧିବେଶନରେ ଆପଣମାନେ କୃତ୍ରିମ ଉପଗ୍ରହର ନିର୍ମାଣ ପ୍ରଣାଳୀ ଓ ତାହାକୁ ଶୂନ୍ୟରେ ଅବସ୍ଥାପିତ କରାଯିବା ଆଦି ସମ୍ୱନ୍ଧରେ ପନ୍ଥା ନିର୍ଦ୍ଧାରଣ ପାଇଁ ଯେଉଁ କମିଶନ୍‌ ଗଢ଼ିଥିଲେ, ତାହାର ନିର୍ଦ୍ଦେଶ ଅନୁସାରେ ବିଭିନ୍ନ ବୈଜ୍ଞାନିକ ଓ ଇଞ୍ଜିନିୟରମାନଙ୍କ ସାହଚର୍ଯ୍ୟରେ ଆମର ଏହି ମାନମନ୍ଦିରରେ କୃତ୍ରିମ ଉପଗ୍ରହମାନ ତିଆରି ହୋଇଥିଲା । କମିସନ୍‌ର ନିର୍ଦ୍ଦେଶ ଅନୁଯାୟୀ ଏଥିରେ ରେଡ଼ାର, ବେତାର ଓ ବିଶ୍ୱରଶ୍ମି ପରିମାପକ ଆଦି ବହୁ ଯନ୍ତ୍ର ଖଞ୍ଜାଯାଇଥିଲା । ତ୍ରିସୋପାନ (Three step) ରକେଟ୍‌ଦ୍ୱାରା ଏଗୁଡ଼ିକୁ ପୃଥିବୀପୃଷ୍ଠରୁ ମହାଶୂନ୍ୟ ମଧ୍ୟକୁ ପଠାଯାଇଥିଲା । ଏହି ତିନୋଟି ରକେଟ୍‌ ମଧ୍ୟରୁ ପ୍ରଥମ ରକେଟ୍‌ଟି ଅନ୍ୟ ଦୁଇଟି ରକେଟ୍‌ ସହ କୃତ୍ରିମ ଉପଗ୍ରହକୁ ପୃଥିବୀ ପୃଷ୍ଠରୁ ପଚାଶ ମାଇଲ ଊର୍ଦ୍ଧ୍ୱକୁ ଘେନିଯାଇ ନିଜେ ତଳକୁ ଖସି ଆସିଥିଲା । ତତ୍‌ପରେ ଦ୍ୱିତୀୟ ରକେଟ୍‌ଟି ବିସ୍ଫୋରିତ ହୋଇ କୃତ୍ରିମ ଉପଗ୍ରହକୁ ପୁଣି ଦେଢ଼ଶହ ମାଇଲ ଊର୍ଦ୍ଧ୍ୱକୁ ଘେନିଯାଇ ନିଜେ ତଳକୁ ଖସିଆସିଥିଲା । ତାହାପରେ ତୃତୀୟ ରକେଟ୍‌ଟି ବିସ୍ଫୋରିତ ହୋଇ ଏହି ଉପଗ୍ରହକୁ ଯଥାସ୍ଥାନରେ ପହଞ୍ଚାଇ ଦେଇଥିଲା । ଗତବର୍ଷ ପରୀକ୍ଷିତ ହୋଇଥିବା ଶେଷ ଉପଗ୍ରହଟି ପୃଥିବୀପୃଷ୍ଠରୁ ୧୮୦୦ ମାଇଲ ଊର୍ଦ୍ଧ୍ୱରେ ପହଞ୍ଚି ପୃଥିବୀ ଚାରିପାଖରେ ପରିଭ୍ରମଣ କରିଥିଲା । ଆମେ ଆଗରୁ ଯେଉଁ ହିସାବ କରିଥିଲୁଁ, ଏହା ସେକେଣ୍ଡକୁ ପ୍ରାୟ ପାଞ୍ଚ ମାଇଲ ବେଗରେ ପୃଥିବୀକୁ ପ୍ରଦକ୍ଷିଣ କରିବ, ତାହାହିଁ ଶେଷରେ ହେଲା । ....ଆଜିପର୍ଯ୍ୟନ୍ତ ଏହି ଉପଗ୍ରହଟି ପୃଥିବୀକୁ ପୂର୍ବଭଳି ପ୍ରଦକ୍ଷିଣ କରିବାରେ ଲାଗିଛି-ସେକେଣ୍ଡକୁ ପାଞ୍ଚମାଇଲ ହିସାବରେ । ଅଧିବେଶନ ପରେ ଆପଣମାନଙ୍କୁ ଆମର ଦୂରବୀକ୍ଷଣଯନ୍ତ୍ର-କକ୍ଷକୁ ନେଇ ଆମ ଶେଷ ଉପଗ୍ରହଟି କିପରି ଘୂରୁଛି ଦେଖାଇ ଦିଆଯିବ । ଯଦିଚ ଦୁଇବର୍ଷରୁ କିଛି ଅଧିକ କାଳ ଇତି ମଧ୍ୟରେ ବିତିଗଲାଣି, ତଥାପି ଆମ ଶେଷ ଉପଗ୍ରହ ଭିତରେ କୌଣସି ଯନ୍ତ୍ରପାତି ଏପର୍ଯ୍ୟନ୍ତ ଖରାପ ହୋଇନାହିଁ । ଆମେ ଏହି ଉପଗ୍ରହ ସାହାଯ୍ୟରେ ମହାଶୂନ୍ୟର ବହୁ ନୂତନ ତଥ୍ୟ ଏବେ ସୁଦ୍ଧା ଜାଣିପାରୁଛୁ ।....

 

ଡିରେକ୍‌ଟର ତାଙ୍କର ଏହି ବିବରଣୀ ପଢ଼ିଲାବେଳେ ଉପସ୍ଥିତ ଶ୍ରୋତାମାନଙ୍କ ମଧ୍ୟରେ ଆନନ୍ଦର ଏକ ଉଚ୍ଛ୍ୱସିତ ଲହରୀ ଖେଳିଯାଉଥାଏ । ସଭ୍ୟମାନେ ନିଜ ରାଷ୍ଟ୍ରର ଏହି ବିରାଟ କୃତକାର୍ଯ୍ୟତାରେ ଏକରକମ ପାଗଳ ହେଲାଭଳି ଜଣାଯାଉଥାନ୍ତି । କିଛି ସମୟ ପରେ ଡିରେକ୍‌ଟର ତାଙ୍କର ଅଭିଭାଷଣ ଶେଷ କରନ୍ତେ ତାହା ଉପରେ ଆଲୋଚନା ଆରମ୍ଭ ହେଲା ।

 

ଆଲୋଚନାରେ ସର୍ବପ୍ରଥମ ଭାଗ ନେଇଥିଲେ ରିମେଜ ମାନମନ୍ଦିରର ପରିଚାଳିକା ମିସ୍‌ଇରିନା ଫାଡ଼େୟାଭନା । ସେ ଉଠି କହିଲେ-‘‘ଆମ ଜାତି ପକ୍ଷରେ ଅତି ଗୌରବର ବିଷୟ ହେଉଛି ଯେ, ଆମ ଦେଶର ବୈଜ୍ଞାନିକମାନେ ଗ୍ରହାନ୍ତରକୁ ଯାତ୍ରା କରିବା ସମ୍ୱନ୍ଧେ ସର୍ବପ୍ରଥମ ଧାରଣା ଏଇ ପୃଥିବୀକୁ ଦେଇଯାଇଥିଲେ । ଆଜି ସେଇ ବୈଜ୍ଞାନିକମାନଙ୍କ ଦାୟାଦଗଣ ସର୍ବପ୍ରଥମେ କୃତ୍ରିମ ଉପଗ୍ରହ ସୃଷ୍ଟିକରି ଗ୍ରହାନ୍ତରକୁ ଯିବାପଥ ସୁଗମ କରି ଦେଇଛନ୍ତି । ଆଜି ମୁଁ ଏଇ ଆନନ୍ଦ ଦିବସରେ ଶ୍ରଦ୍ଧାଞ୍ଜଳି ଟେକୁଛି ଆମର ସେହି ଲୋକବରେଣ୍ୟ ବୈଜ୍ଞାନିକ ସିଓଲକୋଭସ୍କିଙ୍କ ଉଦ୍ଦେଶ୍ୟରେ; ଯାହାଙ୍କର ସୁପରିଚିତ ପୁସ୍ତକ The Rocket in Cosmic Space ଆଜକୁ ଅର୍ଦ୍ଧଶତାବ୍ଦୀ ତଳେ ଗ୍ରହାନ୍ତର ଯାତ୍ରା ପାଇଁ ସାରା ବିଜ୍ଞାନୀ ସମାଜର ଆଖି ଖୋଲି ଦେଇଥିଲା । ....ମୁଁ ଆହୁରି ଆଶା କରୁଛି ଯେ, ଆମ ଦେଶ ଏତିକିରେ ସନ୍ତୁଷ୍ଟ ନହୋଇ କାର୍ଯ୍ୟତଃ ଗ୍ରହାନ୍ତର ଅଭିଯାନ କରି ସାରା ପୃଥିବୀକୁ ଚମତ୍କୃତ କରୁ ଓ ଯୁଗଯୁଗର କଳ୍ପନାକୁ ବାସ୍ତବରେ ପରିଣତ କରି ନୂତନ ଇତିହାସ ସୃଷ୍ଟି କରୁ ।’’

 

ସଭ୍ୟମାନଙ୍କର ଘନ ଘନ କରତାଳିରେ ଆଲୋଚନା କକ୍ଷ କମ୍ପି ଉଠିଲା । ମିସ୍‌ ଇରିନାଙ୍କ ପରେ ଇଭ୍‌ ମାନମନ୍ଦିରର ଜ୍ୟୋତିଃ-ପଦାର୍ଥବିଦ୍ୟାବିତ୍‌ ଡକ୍ଟର ଲିଓନୋଭ୍‌ ଠିଆହୋଇ ଆରମ୍ଭ କଲେ-‘‘ଏହିସବୁ କୃତ୍ରିମ ଉପଗ୍ରହର ସଫଳତା ଯେ ଖାଲି ମୋତେ ଆନନ୍ଦିତ କରିଛି ତା ନୁହେଁ, ଆମର ଏଇ ସଫଳତାରେ ସାରା ଦେଶ ଯେ ଗୌରବାନ୍ୱିତ, ଏଥିରେ କାହାରି ତିଳେମାତ୍ର ସନ୍ଦେହ ନାହିଁ । ଆମର ଏଇ ଐତିହାସିକ ସଫଳତା ଆମ ଦେଶକୁ ଏକ ବିଜ୍ଞାନୋନ୍ନତ ଦେଶ ବୋଲି ପୃଥିବୀରେ ପରିଚିତ କରାଇ ସାରିଛି । ଆମେ ଏହି କୃତ୍ରିମ ଉପଗ୍ରହର ସୁବିଧା ନେଇ ଆମର ସାମରିକ ଶକ୍ତିସାମର୍ଥ୍ୟ ଆଶାତୀତ ଭାବରେ ବଢ଼ାଇ ପାରିବା ଏବଂ ଶତ୍ରୁରାଜ୍ୟ ଉପରେ ପୂର୍ବାପେକ୍ଷା ଅଧିକ ଦୃଷ୍ଟିରଖି ପାରିବା । ଭବିଷ୍ୟତରେ ଯଦି କେବେ ଯୁଦ୍ଧବିଗ୍ରହ ଆରମ୍ଭ ହୁଏ, ତେବେ ଆମେ ଖୁବ୍‌ ସୁବିଧାରେ ଏହି କୃତ୍ରିମ ଉପଗ୍ରହ ଉପରୁ ଶତ୍ରୁରାଜ୍ୟ ଉପରେ ପରମାଣୁ ବା ହାଇଡ୍ରୋଜେନ୍‌ବୋମା ନିକ୍ଷେପ କରି, ସେମାନଙ୍କ ରାଜ୍ୟକୁ ଧ୍ୱସ୍ତବିଧ୍ୱସ୍ତ କରିଦେଇ ପାରିବା । ବୋମା ପକାଇବା ପାଇଁ ଆମକୁ ଆଉ ଶତ୍ରୁରାଜ୍ୟ ଉପରକୁ ଉଡ଼ିଯିବାକୁ ପଡ଼ିବନି ବା ଗାଇଡ଼େନ ବାଲିଷ୍ଟିକ୍‌ ମିଜିଲିର ସାହାଯ୍ୟ ନେବାକୁ ପଡ଼ିବ ନାହିଁ । ...ଏହି ଛୋଟ ଉପଗ୍ରହ ପରିବର୍ତ୍ତରେ ମହାଶୂନ୍ୟର ସେହି ସ୍ଥାନରେ ଗୋଟିଏ ମନୁଷ୍ୟ ବାସଯୋଗ୍ୟ ବଡ଼ ଉପଗ୍ରହ ଉଡ଼ାଇ ସେଠାକୁ ରକେଟ୍‌ ସାହାଯ୍ୟରେ ପରମାଣୁବୋମା ଆଦି ବୋହି ନିଆଯାଇପାରେ ଏବଂ ସେଠାରୁ ଭଲ ଭାବରେ ଲକ୍ଷ୍ୟକରି ଶତ୍ରୁରାଜ୍ୟ ଉପରେ ମନଇଚ୍ଛା ବୋମା ବର୍ଷଣ କରାଯାଇପାରେ ।’’

 

ଡାକ୍ତର ଲିଓନୋଭ୍‌ ତାଙ୍କର ବକ୍ତବ୍ୟ ଶେଷ ନ କରୁଣୁ ହଠାତ୍‌ ବକ୍ତୃତା ଗୃହରେ ଏକ ଅସ୍ୱାଭାବିକ ଗୋଳମାଳ ଦେଖାଦେଲା । କିଏ ଜଣେ ଚିତ୍କାର କରି ଉଠିଲା-‘‘ଚୁପ୍‌କର ଲିଓନୋଭ୍‌, ଚୁପ୍‌କର-! ତମର ଏ ଯୁଦ୍ଧଖୋର୍‌ ବକ୍ତବ୍ୟ ଆମେ ଶୁଣିବାକୁ ଚାହୁଁନୁ । ତୁମ ଭଳି, ବୈଜ୍ଞାନିକ ଦେଶ ତଥା ବିଜ୍ଞାନୀ ସମାଜର କଳଙ୍କ । ତୁମେ ଖାଲି ଆମ ରାଷ୍ଟ୍ରର ଶତ୍ରୁ ନୁହଁ, ସାରା ମାନବ ସମାଜର ମଧ୍ୟ ଶତ୍ରୁ ।’’

 

ଲିଓନୋଭ୍‌ଙ୍କ ବକ୍ତୃତାରେ ସଭ୍ୟମାନେ ହଠାତ୍‌ ଏତେ ଉତ୍ତ୍ୟକ୍ତ ହୋଇ ପଡ଼ିଲେ ଓ ସଭାଗୃହରେ ଏତେ ଜୋର୍‌ରେ ବଚସା ଉଠିଲା ଯେ, ସଭାପତି ଲେପିନେସ୍କି ଠିଆହୋଇ ସଭ୍ୟମାନଙ୍କୁ ଶାନ୍ତ ହେବାକୁ ଅନୁରୋଧ କଲେ ।

 

ବୈଜ୍ଞାନିକ ସର୍ଜ୍ଜେଇ ଠିଆହୋଇ ସଭାପତିଙ୍କ ଉଦ୍ଦେଶ୍ୟରେ କହିଲେ-‘‘ଆମେ ଏହି ଗୃହରୁ ଡାକ୍ତର ଲିଓନୋଭ୍‌ଙ୍କ ବହିଷ୍କରଣ ଚାହୁଁ । ଆମ ଦେଶ ପୃଥିବୀରେ ଶାନ୍ତି ପ୍ରତିଷ୍ଠା ଚାହୁଁଥିଲାବେଳେ ଓ ପୃଥିବୀର ଶାନ୍ତି ପ୍ରତିଷ୍ଠା ପାଇଁ ପଞ୍ଚଶୀଳର ମଶାଲ ଧରି ଅନ୍ୟ ଶାନ୍ତିକାମୀ ରାଷ୍ଟ୍ରମାନଙ୍କ ସହିତ ହାତମିଳାଇ ଚାଲିଥିଲାବେଳେ ଲିଓନୋଭ୍‌ଙ୍କ ବତ୍କୃତା ଆମ ଦେଶର ଶାନ୍ତି-ନୀତି ପକ୍ଷରେ ଏକ ଘୋର କଳଙ୍କ । ଏଭଳି ଦୂଷିତ ମନୋଭାବାପନ୍ନ ବୈଜ୍ଞାନିକଙ୍କ ସହିତ ଆମେ ଏହି ଅଧିବେଶନରେ ବସିବାକୁ ଚାହୁଁ ନାହୁଁ । ସେ ଯଦି ତାଙ୍କ ବକ୍ତବ୍ୟକୁ ପ୍ରତ୍ୟାହାର ନ କରନ୍ତି, ତେବେ ଆମେ ଏହି ଅଧିବେଶନକୁ ମୁଲତବୀ ରଖିବାକୁ...ପ୍ରସ୍ତାବ ଆଣିବୁ । ବିଜ୍ଞାନୀ ସମାଜର ଆଦର୍ଶ ହେଉଛି, ପ୍ରକୃତି ଉପରେ ବିଜୟ ହାସଲ କରି ସାରା ମାନବ ସମାଜର କଲ୍ୟାଣ ଦିଗରେ ଏହାକୁ ବିନିଯୋଗ କରିବା । ମାନବ ସମାଜକୁ ଧ୍ୱଂସ କରିବା କୌଣସି ବିଜ୍ଞାନୀ ସମାଜର ଉଦ୍ଦେଶ୍ୟ ନୁହେଁ; ତେଣୁ ଆମ ସମାଜର କୌଣସି ବୈଜ୍ଞାନିକ ମୁଖରେ ଏଭଳି ମାନବଧ୍ୱଂସୀ ବକ୍ତୃତା ଅତି ଅଶୋଭନୀୟ । ଆମେ ପୁଣି ଥରେ ଦାବି କରୁଛୁଁ, ଡକ୍ଟର ଲିଓନୋଭ୍‌ ତାଙ୍କ ବକ୍ତୃତା ପ୍ରତ୍ୟାହାର କରନ୍ତୁ ।’’

 

ଚାରିଆଡ଼ୁ ‘‘ଲିଓନୋଭ୍‌ ପ୍ରତ୍ୟାହାର କର’’ ‘‘ଲିଓନୋଭ୍‌ ପ୍ରତ୍ୟାହାର କର’’ ଚିତ୍କାର ଉଠିଲା ।

 

ସଭାପତି ଲେପିନେସ୍କି ପରିଶେଷରେ ଉଠି ଡକ୍ଟର ଲିଓନୋଭ୍‌ଙ୍କୁ ଅନୁରୋଧ କଲେ ତାଙ୍କ ବକ୍ତବ୍ୟ ପ୍ରତ୍ୟାହାର କରିନେବାପାଇଁ । ଡକ୍ଟର ଲିଓନୋଭ୍‌ ଉଠି ବଡ଼ ଚିନ୍ତିତ ଭାବରେ କହିଲେ-‘‘ମୁଁ ବଡ଼ ଦୁଃଖିତ ଯେ ମୋର ବକ୍ତବ୍ୟ ମାନ୍ୟବର ସଭ୍ୟମାନଙ୍କ ହୃଦୟରେ ଦାରୁଣ ଆଘାତ ଦେଇଛି । ବକ୍ତୃତାଦ୍ୱାରା ମୁଁ ଇଚ୍ଛା କରିନାହିଁ ଯେ ଆମେ ଆମର ଶାନ୍ତି-ନୀତିକୁ ପରିତ୍ୟାଗ କରି ଯୁଦ୍ଧନୀତି ଧରିବା । ମୋର ଉଦ୍ଦେଶ୍ୟ ଥିଲା ମାନ୍ୟବର ସଦସ୍ୟମାନଙ୍କୁ ଚେତାଇ ଦେବା ପାଇଁ ଯେ, ଆମର ସାମରିକ ଶକ୍ତି ଏହାଦ୍ୱାରା କେତେ ବୃଦ୍ଧି ପାଇବ । ସଭ୍ୟମାନେ ଯଦି ମୋ କଥାକୁ ଭୁଲ ବୁଝିଲେ ତେବେ ମୁଁ ନାଚାର । ହେଉ, ମୁଁ ମୋ ବକ୍ତବ୍ୟ ପ୍ରତ୍ୟାହାର କରିନେଉଛି । ଆଶାକରେ ସଭ୍ୟମାନେ ମୋତେ କ୍ଷମାଦେବେ ।’’

 

ଅଧିବେଶନର ଶେଷ ଦିନ....

 

ମନୁଷ୍ୟ-ବାସଯୋଗ୍ୟ କୃତ୍ରିମ ଉପଗ୍ରହ କିପରି ମହାଶୂନ୍ୟ ଭିତରକୁ ପଠାଯିବ, ମହାଶୂନ୍ୟରେ ପୃଥିବୀକୁ ପ୍ରଦକ୍ଷିଣ କରୁଥିବା ସତୁରୀ ଫୁଟ ବ୍ୟାସବିଶିଷ୍ଟ ଶେଷ କୃତ୍ରିମ ଉପଗ୍ରହକୁ ତଳକୁ ଅଣାଯିବ କି ନାହିଁ, ସେ ସମ୍ୱନ୍ଧରେ ତିନିଦିନ ଧରି ତୁମୁଳ ଆଲୋଚନା ଚାଲିଛି । ଏହି ନୂତନ କୃତ୍ରିମ ଉପଗ୍ରହଟି କିଭଳି ଓ କେଉଁ ଆକାରର ହେବା ଦରକାର, ସେ ସମ୍ୱନ୍ଧରେ ତିନିଦିନ ଧରି ଚାଲିଥିବା ଆଲୋଚନା ପ୍ରାୟ ଶେଷ ହେବା ଉପରେ ।

 

ମଣିଷ ଥାଇ କୃତ୍ରିମ ଉପଗ୍ରହର ସୃଷ୍ଟି କରାଯିବା କେତେଦୂର ଫଳପ୍ରଦ ହେବ, ସେ ସମ୍ୱନ୍ଧରେ ସଭ୍ୟମାନେ ବହୁ ଆଲୋଚନା ଓ ସମାଲୋଚନା ପରେ ପ୍ରାୟ ଏକମତ ହେଲେଣି । ଏହା ଆକାରରେ କେତେ ବଡ଼ ହେବ ସେ ସମ୍ୱନ୍ଧରେ ଆଉ ବେଶି ମତପାର୍ଥକ୍ୟ ନାହିଁ । କେବଳ ଏକ କାର୍ଯ୍ୟକାରୀ କମିଶନ ଗଢ଼ି ସେହି କମିଶନ କିପରି ଭାବରେ କାମ କରିବ, ତହିଁର ନିର୍ଦ୍ଦେଶ ଦେଇ ଏହି ବିରାଟ ବୈଜ୍ଞାନିକ ସମ୍ମିଳନୀକୁ ସାଙ୍ଗ କରାଯିବ ।

 

ପରିଶେଷରେ ରିମେଜ ମାନମନ୍ଦିରର ପରିଚାଳିକା ମିସ୍‌ ଇରିନା କାର୍ଯ୍ୟକାରୀ କମିଶନ ଗଠନ ପାଇଁ ନଅଜଣିଆ ସଭ୍ୟବିଶିଷ୍ଟ ଏକ କମିଶନର ପ୍ରସ୍ତାବ ସଭା ଆଗରେ ଉପସ୍ଥାପିତ କଲେ-। ତାଙ୍କ ପ୍ରସ୍ତାବ ଅନୁସାରେ ଏହି କମିଶନର ସଭାପତି ଓ ଆବାହକ ହେବେ ଲେନିନ୍‌ ମାନମନ୍ଦିରର ଡିରେକ୍‌ଟର ପଲାଭିନ୍‌ ଓ ତାଙ୍କ ବ୍ୟତୀତ ଏଥିରେ ରହିବେ ଦୁଇଜଣ ଜ୍ୟୋତିର୍ବିଜ୍ଞାନବିତ୍‌, ଦୁଇଜଣ ରକେଟ୍‌ଯାନ ଇନ୍‌ଜିନିଅର, ଜଣେ ମହାଶୂନ୍ୟବିଶେଷଜ୍ଞ, ଜଣେ ଗାଇଡେଡ୍‌ ଓ ବାଲିଷ୍ଟିକ୍‌ ମିଜିଲି-ବିଶେଷଜ୍ଞ, ଜଣେ ଏରୋନାଟିକାଲ ଇନ୍‌ଜିନିଅର, ଜଣେ ଜୋତିଃ-ପଦାର୍ଥବିଦ୍ୟାବିତ୍‌ ।

 

ମିସ୍‌ ଇରିନାଙ୍କ ପ୍ରସ୍ତାବ ଉପରେ ଆଉ ବିଶେଷ ଆଲୋଚନା ଦରକାର ପଡ଼ିଲାନି । ଏହା ସଙ୍ଗେ ସଙ୍ଗେ ସର୍ବସମ୍ମତିକ୍ରମେ ଗୃହୀତ ହୋଇଗଲା ।

 

ମଣିଷ ରହିବା ଏହି କୃତ୍ରିମ ଉପଗ୍ରହ ଏହି ମାନମନ୍ଦିରରେ ତିଆରି ହୋଇ ଏଠାରୁ ମହାଶୂନ୍ୟକୁ ପଠାଯିବା ସ୍ଥିର ହେଲା । ଏହି ନୂତନ ଅଭିଯାନ ସମ୍ୱନ୍ଧରେ ଅନ୍ୟ କେହି ଯେପରି କିଛି ଆଭାସ ନପାଆନ୍ତି, ସେଥିପ୍ରତି ତୀକ୍ଷ୍‌ଣ ଦୃଷ୍ଟି ଦେବାପାଇଁ କମିଶନ୍‌କୁ ଅନୁରୋଧ କରାଗଲା । ଏହି ମଣିଷ ରହିବା କୃତ୍ରିମ ଉପଗ୍ରହରେ ଯେଉଁମାନେ ଯିବେ, ସେମାନଙ୍କୁ ବାଛିବା କାମ କମିଶନ ଉପରେ ଛାଡ଼ି ଦିଆଗଲା । କୃତ୍ରିମ ଉପଗ୍ରହ ପଠାଇବା ଦିଗରେ ଯାବତୀୟ ଦାୟିତ୍ୱ ତୁଲାଇବା ପାଇଁ ଏହି ଅଧିବେଶନର ସମସ୍ତ ଅଧିକାର ନୂତନ ଗଠିତ କମିଶନ ହାତରେ ନ୍ୟସ୍ତ କରାଗଲା ।

 

ଲେନିନ୍‌ ମାନମନ୍ଦିର ଖାଲି ଯେ ନିଜ ରାଷ୍ଟ୍ରର ଗୌରବ ତା’ ନୁହେଁ, ସାରା ପୃଥିବୀର ମଧ୍ୟ ଗୌରବ । ଆଧୁନିକତା ଓ ବିରାଟତାରେ ଏହା ପୃଥିବୀର ଯେକୌଣସି ମାନମନ୍ଦିରକୁ ଅଚିରେ ପରାସ୍ତ କରିପାରିବ । ରାଷ୍ଟ୍ରର ବୈଜ୍ଞାନିକମାନଙ୍କ ବୁଦ୍ଧିମତ୍ତା, ଗଠନ-ଚାତୁରୀ ଓ ଇଞ୍ଜିନିଅରିଂ କୌଶଳର ପରାକାଷ୍ଠା ମାନମନ୍ଦିରର ପ୍ରତି ସ୍ତରେ ସ୍ତରେ ପ୍ରସ୍ଫୁଟିତ ।

 

ଏହି ମାନମନ୍ଦିରରେ ଅଢ଼େଇଶହ ଇଞ୍ଚ ବ୍ୟାସବିଶିଷ୍ଟ ଯେଉଁ ବିରାଟ ଦୂରବୀକ୍ଷଣଯନ୍ତ୍ର ପ୍ରତିଷ୍ଠା କରାଯାଇଛି, ତାହା ରାଷ୍ଟ୍ରର ଇଞ୍ଜିନିୟରିଂ କୌଶଳର ଏକ ଜ୍ୱଳନ୍ତ ବୈଜ୍ଞାନିକ ପରାକାଷ୍ଠା କହିଲେ ଅତ୍ୟୁକ୍ତି ହେବନାହିଁ । ଆମେରିକାର ମାଉଣ୍ଟ ଉଇଲସନ୍‌ ଓ ପାଲମୋର୍‌ ଉପରେ ଯେଉଁ ସୁବିଖ୍ୟାତ ଏକଶତ ଓ ଦୁଇଶତ ଇଞ୍ଚ ବ୍ୟାସର ଦୂରବୀକ୍ଷଣଯନ୍ତ୍ର ପ୍ରତିଷ୍ଠା କରାଯାଇଛି, ସେ ଦୁଇଟିଠାରୁ ଲେନିନ୍‌ ମାନମନ୍ଦିରର ଏହି ଦୂରବୀକ୍ଷଣଯନ୍ତ୍ର ଯଥେଷ୍ଟ ବଡ଼ ଓ ଶକ୍ତିଶାଳୀ । ଲାଢ଼ାକିସ୍ଥାନ୍‌ ରାଜ୍ୟର ସୁବିଖ୍ୟାତ ଝର-ଉପବୀତଧାରୀ କପର୍ଦ୍ଦିସେବିତ ଆଲେକ୍‌ଜାଣ୍ଡର ଶୃଙ୍ଗରେ ଏହି ବିରାଟ ମାନମନ୍ଦିରଟି ଅବସ୍ଥିତ ।

 

ପୃଥିବୀର ଛାତ ସଦୃଶ ପାମିର ମାଳଭୂମିର ସୁବିସ୍ତୃତ ବକ୍ଷ ଉପରେ ଏହି ପଚିଶ ହଜାର ଫୁଟ ଉଚ୍ଚ ଆଲେକ୍‌ଜାଣ୍ଡାର ଶୃଙ୍ଗ ଉଚ୍ଚତାରେ ସାରା ରାଷ୍ଟ୍ରର ଶତ ଶତ ଶୃଙ୍ଗକୁ ପରାସ୍ତ କରି ଅନ୍ତରୀକ୍ଷକୁ ଭେଦକରି ସଦର୍ପରେ ଠିଆ ହୋଇଛି । ଏହା ଅଦୂରରେ ୫୦ ମାଇଲ ଲମ୍ୱ ଫେଡ଼ଚେଙ୍କୋ ଗ୍ଳେସିୟର ପୃଥିବୀର ବୃହତ୍ତମ ତୁଷାର-ନଦୀ ଭାବରେ ବହିଯାଉଛି ।

 

ଆଲେକ୍‌ଜାଣ୍ଡାର ଶୃଙ୍ଗର ଉତ୍ତର ପାର୍ଶ୍ୱରେ ଧରଣୀର ଚୂଡ଼ାବତ୍‌ ଅସମୋଚ୍ଚ ଶୈଳରେଖା ମଧ୍ୟରେ ପ୍ରକୃତିର ବୀଣା ସପ୍ତତନ୍ତ୍ରୀରେ ନାନା ରାଗିଣୀର ଝଙ୍କାର ତୋଳି ଉପଳ-ବ୍ୟଥିତ-ଗତି ସ୍ରୋତସ୍ୱିନୀ ସୁକ୍‌ସୁ ନଦୀ, ସ୍ୱଚ୍ଛସଲିଳା କିଜୁଲ୍‌ସୁ ତଟିନୀ ସହ ମିଳିତ ହୋଇ ସୁରଖୁକ୍‌ ଓ ଭାକସ୍‌ ନାମରେ ଅନବରତ ବହିଯାଇ ସୁବିଖ୍ୟାତ ବିସ୍ତୁତକାୟା ଖରସ୍ରୋତା ଆମୁଦେରିଆ ସହିତ ମିଳିତ ହୋଇଅଛି । ଏହି ଶୃଙ୍ଗର ଦକ୍ଷିଣ ପାର୍ଶ୍ୱରେ ପ୍ରସନ୍ନ-ସଲିଳା ଫାଞ୍ଜ ନଦୀ ପାର୍ଶ୍ୱବର୍ତ୍ତୀ ରାଷ୍ଟ୍ରର ସୀମାରେଖା ଭାବରେ ଗତିକରି ଖାକସ୍‌ନଦୀ ସହିତ ମିଳିତ ହୋଇ ପରିଶେଷରେ ସେହି ଆମୁଦେରିଆରେ ଝାସ ଦେଇଛି । ସୁବୃହତ୍‌ ଆମୁଦେରିଆର ନିର୍ମଳ ସଲିଳରାଶି ଉପଳ-ବନ୍ଧୁର ବକ୍ଷ ଉପରେ ଫେନମୟ କଳହାସ୍ୟ ତରଙ୍ଗରେ ପ୍ରାଣର ସମସ୍ତ ବାସନା ଭସାଇ ନେଇ, ଅଧୀର ପ୍ରବାହ-ନାଦରେ ତଟଭୂମି ଝଙ୍କାରିତ କରି ଅନବରତ ଧାବମାନ । ଜଳରାଶି କେଉଁଠାରେ ଆବର୍ତ୍ତ ସୃଷ୍ଟି କରି, କେଉଁଠାରେ ବା ପାଷାଣ ଅବରୋଧ ଲଙ୍ଘନ କରି ପ୍ରପାତ ପ୍ରାୟ ସଶବ୍ଦରେ ଝରି ପଡ଼ୁଛି-। ମଧୁର ଝଙ୍କାରିଣୀ ନିର୍ଝରିଣୀ ସମୂହର ଝଙ୍କାର-ନିନାଦ-ମୁଖରିତ ଗିରିକନ୍ଦର ଏହି ଶୈଳମୟ ଭୂମିକୁ ଅନନ୍ତ ସୌନ୍ଦର୍ଯ୍ୟରେ ସୁସଜ୍ଜିତ କରି ରଖିଛି ।

 

ଆଲେକ୍‌ଜାଣ୍ଡାର ଶୃଙ୍ଗ ଗର୍ମ୍ମୋ ଓ ଗର୍ମ୍ମୋବାଦାଖାନ୍‌ ପ୍ରଦେଶର ସୀମାରେଖା ଉପରେ ଅବସ୍ଥିତ ଓ ଅସଂଖ୍ୟ ଦୁର୍ଲଙ୍ଘ୍ୟ ପର୍ବତମାଳାର ପ୍ରାଚୀରଦ୍ୱାରା ପରିବେଷ୍ଟିତ । ଏହାର ଚାରିପାଖରେ ଅନନ୍ତ ନୀଳିମା କୋଳରେ ଶୁଭ୍ର ପରିଚ୍ଛଦରେ ସୁସଜ୍ଜିତ ହୋଇ ପର୍ବତ ଉପରେ ପର୍ବତ, ଶିଖର ଉପରେ ଶିଖର ମସ୍ତକ ଉତ୍ତୋଳନପୂର୍ବକ କେତେ ସହସ୍ର ବର୍ଷ, କେତେ ଯୁଗଯୁଗାନ୍ତରରୁ ଦଣ୍ଡାୟମାନ ତାର ଇୟତ୍ତା ନାହିଁ । ନିଜ ନିଜର ସୁବିସ୍ତୃତ ବକ୍ଷ ଉପରେ ମହାନ୍‌ ସୌନ୍ଦର୍ଯ୍ୟରାଶିର ଅନନ୍ତ ଭଣ୍ଡାର ମୁକ୍ତ କରି କେତେକାଳ ହେଲା ସୌନ୍ଦର୍ଯ୍ୟପିପାସୁ, ପ୍ରକୃତି ଉପାସକ ମାନବପ୍ରାଣକୁ ଯେ ଉନ୍ମତ୍ତ କରିଆସୁଛି ତାର କଳନା ନାହିଁ । ଆଲେକ୍‌ଜାଣ୍ଡାର ଶୃଙ୍ଗର ଶ୍ୱେତ, ପୀତ, ହରିତ୍‌ଶୋଭା ସହିତ ଆକାଶର ଗାଢ଼ ନୀଳିମାର ଅପୂର୍ବ ସମନ୍ୱୟ ଦେଖିଲେ ପ୍ରାଣ ପୁଲକିତ ହୋଇ ଉଠେ ।

 

ପ୍ରକୃତିର ସୌନ୍ଦର୍ଯ୍ୟଭଣ୍ଡାର ଏହି ଆଲେକ୍‌ଜାଣ୍ଡାର ଶୃଙ୍ଗକୁ ଯିବାପାଇଁ ସିଧାସଳଖ କୌଣସି ରେଳପଥ ନାହିଁ । କେନ୍ଦ୍ର ରାଜଧାନୀଆଡ଼ୁ ଏ ଦିଗକୁ ରେଳରେ ଆସିବାକୁ ହେଲେ ଗେଲିନାବାଦ୍‌ପର୍ଯ୍ୟନ୍ତ ଆସି ହୁଏ । ସେଠାରୁ ଏକ ସୁବିସ୍ତୃତ ରାଜପଥ କାଲାଇକୁମ୍ଭ ପର୍ଯ୍ୟନ୍ତ ଯାଇଛି-। କାଲାଇକୁମ୍ଭଠାରୁ ଆଲେକ୍‌ଜାଣ୍ଡାର ଶୃଙ୍ଗ ପ୍ରାୟ ୮୦ ମାଇଲ ଦୂର । ଏକ ଅତି ସୁନ୍ଦର ଜନପଥ ଏହି ପାର୍ବତ ଅଞ୍ଚଳରେ ଘୂରି ଘୂରି କାଲାଇକୁମ୍ଭଠାରୁ ଆଲେକ୍‌ଜାଣ୍ଡର ଶୃଙ୍ଗ ପର୍ଯ୍ୟନ୍ତ ଯାଇଛି । କେନ୍ଦ୍ର ରାଜଧାନୀଆଡ଼ୁ ଆକାଶପଥରେ ଆସିବାକୁ ହେଲେ ସିଧାସଳଖ କାଲାଇକୁମ୍ଭ ପର୍ଯ୍ୟନ୍ତ ଆସି ହୁଏ । ସେଠାରୁ ଏହି ଜନପଥ ଦେଇ ଆଲେକ୍‌ଜାଣ୍ଡାର ଶୃଙ୍ଗରେ ପହଞ୍ଚି ହୁଏ । ଛୋଟ ଛୋଟ ଉଡ଼ାଜାହାଜ ଓହ୍ଲାଇବା ପାଇଁ ମାନମନ୍ଦିର ନିକଟରେ ଘାଟି ଥିଲେ ମଧ୍ୟ ବଡ଼ ବଡ଼ ଯାତ୍ରୀବାହୀ ଜାହାଜ କାଲାଇକୁମ୍ଭଠାରୁ ବେଶି ଦୂର ଯାଇପାରେ ନାହିଁ ।

 

ଏଠାରେ ମାନମନ୍ଦିର ତିଆରି କରିବାର ବିଶେଷତ୍ୱ ହେଉଛି ଯେ, ଏହା ପୃଥିବୀର ଉଚ୍ଚତମ ସ୍ଥାନଭିତରୁ ଗୋଟିଏ । ପାମିର ମାଳଭୂମିର ଉଚ୍ଚତା ଯାହା, ତାହାଠାରୁ ଏହି ଶୃଙ୍ଗର ଉଚ୍ଚତା ଆହୁରି ଅଧିକ । ଏଠାକାର ଜଳବାୟୁ ମାନମନ୍ଦିର ଦୃଷ୍ଟିରୁ ଅତି ଉପଯୁକ୍ତ । ଏହି ସ୍ଥାନଟି ରାଷ୍ଟ୍ରର ଏକଶୁଷ୍କ ଅଞ୍ଚଳ ଭାବରେ ପରିଗଣିତ । ଏଠାରେ ବାର୍ଷିକ ବୃଷ୍ଟିର ପରିମାଣ ହାରାହାରି ଦଶଇଞ୍ଚ । ଗ୍ରୀଷ୍ମଦିନରେ ସାଧାରଣ ଉତ୍ତାପ ୮୮ ଡିଗ୍ରୀରୁ ବେଶି ନୁହେଁ ଓ ଶୀତଦିନେ ଏହା ପ୍ରାୟ ୩୮ ଡିଗ୍ରୀ । ଏହି ଅଞ୍ଚଳଟି ବର୍ଷସାରା ପ୍ରାୟ ଶୁଷ୍କ ରହୁଥିବାରୁ ଆକାଶ ସର୍ବଦା ନିର୍ମଳ ଓ ମାନମନ୍ଦିରର ପର୍ଯ୍ୟବେକ୍ଷଣ କାର୍ଯ୍ୟରେ ବେଶ୍‌ ସହାୟକ ।

 

ଅସ୍ତଗାମୀ ସୂର୍ଯ୍ୟଙ୍କର ହିରଣ୍ମୟ କିରଣ ଯେତେବେଳେ ଏହି ସ୍ଥାନର ଚାରିଆଡ଼େ ବିଞ୍ଚି ହୋଇଯାଏ, ସେତେବେଳେ ନୀଳ, ପୀତ, ଲୋହିତ ବର୍ଣ୍ଣର ଚିତ୍ରମାଧୁରୀ ଏହା ଉପରେ ବାସ କରୁଥିବା ଲୋକଙ୍କୁ ଯେ କେଉଁ ଅଜ୍ଞାତ ରାଜ୍ୟକୁ ଘେନିଯାଏ ତା’ର ଇୟତ୍ତା ନାହିଁ । ବୈଚିତ୍ରପୂର୍ଣ୍ଣ ଦୃଶ୍ୟାବଳୀ ମଧ୍ୟରେ ପରମ ନିର୍ଜ୍ଜନତା ପୁଣି ଏ ସ୍ଥାନର ବିଶେଷତ୍ୱ ।

 

ଏହି ଅଞ୍ଚଳର ଦଶହଜାର ଫୁଟ ଉପରକୁ ତୁଷାରପାତ ହେଉଥିଲେ ମଧ୍ୟ ଏହି ଶୃଙ୍ଗ ଉପରେ ଯେଉଁ ମାନମନ୍ଦିର ପ୍ରତିଷ୍ଠା କରାଯାଇଛି, ତାହା ମଧ୍ୟରେ ତୁଷାରପାତ ତ ଦୂରର କଥା, କେବେ କଣିକାଏ କାକର ବି ପଡ଼େନି । ପରମାଣୁଶକ୍ତିର ଶାନ୍ତିକାଳୀନ ପ୍ରୟୋଗରେ ଏହାର ବାହ୍ୟ ଜଳବାୟୁକୁ ପୂରାପୂରି ନିୟନ୍ତ୍ରଣ କରାଯାଇ ଏହାର ଉତ୍ତାପକୁ ତୁଷାରପାତର ଉତ୍ତାପଠାରୁ ଯଥେଷ୍ଟ ଉପରକୁ ନିଆଯାଇଛି । ମାନମନ୍ଦିରଟି ଯଦିଚ ଶୃଙ୍ଗ ଉପରେ ଅବସ୍ଥିତ, ବାୟୁର ନିମ୍ନଚାପ ମାନମନ୍ଦିରର ବୈଜ୍ଞାନିକମାନଙ୍କ ଜୀବନଯାପନରେ କାଳେ ବାଧା ସୃଷ୍ଟି କରିବ, ସେଥିପାଇଁ ମାନମନ୍ଦିରଟିକୁ ଶୃଙ୍ଗର ସର୍ବୋଚ୍ଚ ସ୍ଥାନରେ ପ୍ରତିଷ୍ଠା ନକରି ଏହାର ମଧ୍ୟ-ଭାଗରେ (ସମୁଦ୍ରପୃଷ୍ଠରୁ ପନ୍ଦର ହଜାର ଫୁଟ ଉଚ୍ଚରେ) ପ୍ରତିଷ୍ଠା କରାଯାଇଛି ।

 

ଏହି ମାନମନ୍ଦିରର ବିଶେଷତ୍ୱ ଯେ କେବଳ ତା’ର ବିରାଟ ଦୂରବୀକ୍ଷଣ ଯନ୍ତ୍ର ପାଇଁ ତା ନୁହେଁ; ତା’ର ବିଶ୍ୱରଶ୍ମି ସମ୍ୱନ୍ଧୀୟ ଗବେଷଣାଗାର, ବିଭିନ୍ନ ଯନ୍ତ୍ରପାତି ଓ ସର୍ବୋପରି କୃତ୍ରିମ ଆକାଶମଣ୍ଡଳ ପାଇଁ ଏହା ସାରା ପୃଥିବୀରେ ପ୍ରସିଦ୍ଧି ଲାଭ କରିଛି । ଏହି ମାନମନ୍ଦିରରେ ସବୁଠାରୁ ଆଶ୍ଚର୍ଯ୍ୟଜନକ ଓ ଦେଖିବାର ବିଷୟ ହେଉଛି ତା’ର କୃତ୍ରିମ ଆକାଶମଣ୍ଡଳ । ମାନମନ୍ଦିରର ଦୁଇଟି ବିରାଟ କକ୍ଷ ଭିତରେ ସାରା ଆକାଶମଣ୍ଡଳ ଦୁଇ ଭାଗରେ ବିଭକ୍ତ ହୋଇ ପ୍ରତ୍ୟେକ କକ୍ଷରେ ଗୋଟିଏ ଗୋଟିଏ ଭାଗ ପ୍ରତିଷ୍ଠା କରାଯାଇଛି । ଏହି କକ୍ଷ ଦୁଇଟିର ଛାତ କୃଷ୍ଣବର୍ଣ୍ଣ ଅର୍ଦ୍ଧଗୋଲାକାର ବିଶିଷ୍ଟ । କକ୍ଷ ଦୁଇଟିର ଭିତର ପୂରାପୂରି ଅନ୍ଧକାର । ଏହାର କୃଷ୍ଣବର୍ଣ୍ଣ ଛାତରେ ସ୍ଥାନେ ସ୍ଥାନେ ଆଲୋକବିନ୍ଦୁ ଦିଆଯାଇ ଆକାଶର ଜ୍ୟୋତିଷ୍କମାନଙ୍କର ଧାରଣା ଦିଆଯାଇଛି ।

 

ପୃଥିବୀର ଗତି ଅନୁସାରେ ଆକାଶରେ ଜ୍ୟୋତିଷ୍କମାନେ ଯେପରି ଗୋଟିଏ ଦିଗରେ ଉଦିତ ହୋଇ ସାରା ଆକାଶମଣ୍ଡଳକୁ ଅତିକ୍ରମ କରି ବିପରୀତ ଦିଗରେ ଅସ୍ତ ହୁଅନ୍ତି, ଏହି କୃତ୍ରିମ ଆକାଶରେ ସେହିଭଳି ଜ୍ୟୋତିଷ୍କଗୁଡ଼ିକ ଯଥାସମୟରେ ଉଦିତ ହୋଇ ଆକାଶମଣ୍ଡଳରେ ଗତିକରି ଠିକ୍‌ ସମୟରେ ବିପରୀତ ଦିଗରେ ଅସ୍ତ ଯାନ୍ତି । ଏହି ଆକାଶମଣ୍ଡଳ ପୁଣି ଏପରି ଯେ, ବର୍ଷର ବିଭିନ୍ନ ସମୟରେ ପ୍ରାକୃତିକ ଆକାଶରେ ଜ୍ୟୋତିଷ୍କମାନଙ୍କର ସ୍ଥାନ ପରିବର୍ତ୍ତିତ ହେଲାଭଳି ଏଥିରେ ମଧ୍ୟ ଜ୍ୟୋତିଷ୍କମାନଙ୍କର ସ୍ଥାନ ଠିକ୍‌ ସେହିଭଳି ଭାବରେ ବଦଳୁଥାଏ । ପ୍ରାକୃତିକ ଆକାଶରେ ଯେଉଁଦିନ ଯେପରି ନକ୍ଷତ୍ର-ବିନ୍ୟାସ, ଏହି କୃତ୍ରିମ ଆକାଶର ନକ୍ଷତ୍ର-ବିନ୍ୟାସ ଠିକ୍‌ ସେହିଭଳି । ଜଣେ ଲୋକକୁ ଯଦି ହଠାତ୍‌ କିଛି ନ ଜଣାଇ ଏହି କୃତ୍ରିମ ଆକାଶମଣ୍ଡଳ ଗୃହକୁ ନେଇ ଛାଡ଼ି ଦିଆଯାଏ ତେବେ ସେ ଆବଦ୍ଧ କୋଠରି ଭିତରେ ଥାଇ ଖୋଲା ଆକାଶମଣ୍ଡଳ ତଳେ ଥିବାଭଳି ଅନୁଭବ କରିବ ।

 

ଏତଦ୍‌ବ୍ୟତୀତ ଯେଉଁ କକ୍ଷରେ ଅଢ଼େଇଶହ ଇଞ୍ଚବିଶିଷ୍ଟ ଦୂରବିକ୍ଷଣଯନ୍ତ୍ର ଅଛି, ସେଇ କକ୍ଷଟି ଉଚ୍ଚତାରେ ଷାଠିଏତାଲା କୋଠାକୁ ବଳିଯିବ । ଏହି କକ୍ଷଟି ଗୋଲାକାର ଓ ଏହା ଏତେ ବୃହତ୍‌ଯେ, କକ୍ଷର ଗୋଟିଏ ପାର୍ଶ୍ୱରେ ଠିଆହୋଇ ଅନ୍ୟ ପାର୍ଶ୍ୱକୁ ଅନାଇଲେ ଅନ୍ୟ ପାର୍ଶ୍ୱର ଲୋକକୁ ଚିହ୍ନିବା ଦୂରୁହ । ପ୍ରାସାଦର ଉପର ଛାତଟି କଟାହୋଇ ସେଠାରେ ଦୂରବିକ୍ଷଣର ଗୋଟିଏ ପାର୍ଶ୍ୱ ରଖାଯାଇ ଅପର ପାର୍ଶ୍ୱଟି ପ୍ରାସାଦର ଚଟାଣ ପର୍ଯ୍ୟନ୍ତ ଲମ୍ୱି ଆସିଛି । ମାନମନ୍ଦିରଟି ଏତେ ବୃହତ୍‌ ଯେ, କାଲାଇକୁମ୍ଭ ଆଡ଼ୁ ଆଲେକ୍‌ଜାଣ୍ଡାର ଶୃଙ୍ଗ ଆଡ଼କୁ ଆସିଲାବେଳେ ଏହା ପ୍ରାୟ ପଚିଶ ମାଇଲ ଦୂରକୁ ସ୍ପଷ୍ଟ ଦିଶେ । ଅନ୍ଧକାର ରାତ୍ରିରେ ଲାଢ଼ାକିସ୍ଥାନର ନିର୍ମଳ ସୁନ୍ଦର କୃଷ୍ଣ ଆକାଶର ଅପୂର୍ବ ଦୃଶ୍ୟ ସହିତ ମାନମନ୍ଦିରର ବିଦ୍ୟୁତ୍‌ଆଲୋକ-ବିଭୂଷିତ ମନୋହର ବେଶ ଦର୍ଶକକୁ ଯେ କେଉଁ କଳ୍ପନାପୁରୀକୁ ଘେନିଯାଏ, ନଦେଖିଲା ଲୋକ ସହଜରେ ଧାରଣା କରିପାରିବ ନାହିଁ ।

 

ଶୈଳ-ସୁନ୍ଦରୀଙ୍କ ଅଙ୍କଗତ ଆନନ୍ଦ ନିକେତନ, ଶ୍ୱେତ, କୃଷ୍ଣ ପ୍ରସ୍ତରରଞ୍ଜିତ ହର୍ମ୍ୟତଳ ଏବଂ ବିଦ୍ୟୁତାଲୋକରେ ଭୂଷିତ ହୋଇ ମନୁଷ୍ୟ ହସ୍ତର କୀର୍ତ୍ତି ପରାକାଷ୍ଠା ସୂଚିତ କରୁଥିଲେ ହେଁ ପର୍ବତଶ୍ରେଣୀର ଗାଢ଼ ନୀଳିମା ମଧ୍ୟରୁ ସରୋବରରେ ଶ୍ୱେତପଦ୍ମ ପ୍ରାୟ ଏହା ଦୂରରୁ ସମସ୍ତଙ୍କ ନୟନ ଆକର୍ଷଣ କରେ । ମାନମନ୍ଦିରଟି ଲାଢ଼ାକିସ୍ଥାନର ଜନମାନବଶୂନ୍ୟ ଅଞ୍ଚଳରେ ପ୍ରତିଷ୍ଠିତ ହୋଇଥିବାରୁ ଏହି ମାନମନ୍ଦିର ନିକଟରେ ଏକ ଛୋଟ ଅଥଚ ଅତି ଆଧୁନିକ ଧରଣର ସହର ପ୍ରତିଷ୍ଠା କରାଯାଇଛି ।

 

ସହରଟି ପାର୍କ, କ୍ଳବ, ସିନେମାଘର, ଦୋକାନ, ବଜାର, ଚିକିତ୍ସାଳୟ ଆଦି ଆଧୁନିକ ସମସ୍ତ ସୁଖ-ସୁବିଧାରେ ଭରପୂର । ସମୁଦ୍ରପୃଷ୍ଠଠାରୁ ଉଚ୍ଚରେ ଥିଲେ ମଧ୍ୟ ଏହି ସହରଟିର ବାହ୍ୟ ଜଳବାୟୁକୁ ନିୟନ୍ତ୍ରଣ କରାଯାଇଥିବାରୁ ଏଠାରେ କେବେ ତୁଷାରପାତ ହୁଏ ନାହିଁ ।

Image

 

ଦୁଇ

 

ଯେଉଁଦିନ ରାଷ୍ଟ୍ରର ନିର୍ବାଚିତ ଶ୍ରେଷ୍ଠ ଇଞ୍ଜିନିୟରମାନଙ୍କ ପ୍ରଗାଢ଼ ଅଧ୍ୟବସାୟ ଓ ବୈଜ୍ଞାନିକ ବୁଦ୍ଧିମତ୍ତାର ଫଳସ୍ୱରୂପ କୃତ୍ରିମ ଉପଗ୍ରହର ତିଆରି ଶେଷ ହେଲା, ସେଦିନ କମିଶନ୍‌ର ବୈଠକରେ ସଭାପତି ପାଲାଭିନ୍‌ ଆନନ୍ଦ ଉଚ୍ଛ୍ୱସିତ ହୋଇ କହିପକାଇଥିଲେ–‘‘ଏଇ କୃତ୍ରିମ ଉପଗ୍ରହକୁ ଦେଖି ମୋର ବି ଏ ବୃଦ୍ଧ ବୟସରେ ଇଚ୍ଛା ହେଉଛି, ମୁଁ ଯୁବକ ପାଲଟିଯାଆନ୍ତି କି, ନିଜେ ଯାଇ ଏହା ସାହାଯ୍ୟରେ ମହାଶୂନ୍ୟ ଭିତରେ ଘୂରି ଆସନ୍ତି । ଯେଉଁମାନେ ପୃଥିବୀକୁ ଯାଇ ଏହି କୃତ୍ରିମ ଉପଗ୍ରହରେ ବାସ କରିବେ, ସେମାନେ ଯେ କି ଅପୂର୍ବ ଅଭିଜ୍ଞତା ଓ ସ୍ୱର୍ଗୀୟ ଆନନ୍ଦ ଉପଭୋଗ କରିବେ ତାହା ମୁଁ ଧାରଣା କରିପାରୁନାହିଁ ।’’

 

କିଛି ସମୟ ରହିଯାଇ ପୁଣି ସେ ଆରମ୍ଭ କଲେ-‘‘ଏହି ଉପଗ୍ରହରେ ଯେଉଁମାନେ ଯିବେ, ସେମାନଙ୍କର ଏକ ତାଲିକା ତିଆରି କରିବା ପୂର୍ବରୁ ଏହି ଦଳର ଡିରେକ୍ଟର ଭାବରେ ଜଣେ ଅତି ସୁଦକ୍ଷ ଓ କର୍ମଠ ବୈଜ୍ଞାନିକ ଆମେ ବାଛିବା ଦରକାର...ବହୁ ଚିନ୍ତା ଓ ଆଲୋଚନା ପରେ ମୁଁ ମନେ ମନେ ସ୍ଥିର କରିଛି ଯେ, କୃତ୍ରିମ ଉପଗ୍ରହର ଡିରେକ୍ଟର ଭାବରେ ମୋର ସହକର୍ମୀ ଓ ଏହି ମାନମନ୍ଦିରର ସହକାରୀ ଡିରେକ୍ଟର ଡକ୍ଟର ଆଲେସ୍କି ମେଡ଼ୋଭସ୍କିଙ୍କୁ ନିଯୁକ୍ତ କଲେ ଖୁବ୍ ଭଲ ହେବ । ସେ ଯୁବକ, ପୁଣି ଅତି କର୍ମଠ । ତାଙ୍କ ଭଳି ସୁଦକ୍ଷ ଓ କର୍ମଠ ବୈଜ୍ଞାନିକ ମୁଁ ଖୁବ୍‌ କମ୍‌ ଦେଖିଛି । ପୁନଶ୍ଚ ଆମ ମାନମନ୍ଦିରରୁ ବିଭିନ୍ନ ଆକାରବିଶିଷ୍ଟ ଯେଉଁ ପରୀକ୍ଷାମୂଳକ ଉପଗ୍ରହମାନ ମହାଶୂନ୍ୟ ଭିତରକୁ ପଠାଯାଇଥିଲା, ସେଥିରେ ତାଙ୍କର ହାତ ସବୁଠାରୁ ଅଧିକ କାମ କରିଥିଲା ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । ସେହି ଉପଗ୍ରହଟିର ଗତିବିଧି ଉପରେ ସବୁଠାରୁ ଅଧିକ ଦୃଷ୍ଟି ଥିଲା ଆଲେସ୍କିଙ୍କର । ଉପଗ୍ରହ ପଠାଯିବାର ପ୍ରଥମ କେତେଦିନ ଭିତରେ ସେ ନଖାଇ ନପିଇ ଯେପରି ଭାବରେ ଏହାକୁ ଘଣ୍ଟା ଘଣ୍ଟା ଧରି ଲକ୍ଷ୍ୟ କରୁଥିଲେ, ସେଥିରୁ କେବଳ ମୋର କାହିଁକି ଯେକୌଣସି ଲୋକର ଧାରଣା ହେବ ଯେ, କୃତ୍ରିମ ଉପଗ୍ରହ ସମ୍ୱନ୍ଧରେ ଆମ ରାଷ୍ଟ୍ରରେ ଯଦି କେହି ବେଶି ଉତ୍ସାହୀ ଥାଏ, ତେବେ ସେ ହେଉଛନ୍ତି ଆମର ଏହି ଯୁବକ ଆଲେସ୍କି । ମାନମନ୍ଦିରର ପରିଚାଳନାଠାରୁ ଆରମ୍ଭ କରି ନୂତନ ନୂତନ ଯନ୍ତ୍ରର ପ୍ରତିଷ୍ଠା ଓ ସେଗୁଡ଼ିକର ପରିଚାଳନା ପର୍ଯ୍ୟନ୍ତ ସବୁଥିରେ ସେ ନିଜର ଆଲୌକିକ ପ୍ରତିଭା ଓ ବୁଦ୍ଧିମତ୍ତାର ପରିଚୟ ଦେଇସାରିଛନ୍ତି । ମୋ ମତରେ ତାଙ୍କ ଭଳି ଉପଯୁକ୍ତ ଲୋକଙ୍କୁ ଏହି କୃତ୍ରିମ ଉପଗ୍ରହର ସମସ୍ତ ଦାୟିତ୍ୱ ଦେଇ ଆମେ ଏଠାରେ ନିଶ୍ଚିନ୍ତହୋଇ ବସିପାରିବା । ପୁନଶ୍ଚ ମେଡ଼ୋଭସ୍କି ଅବିବାହିତ । ଆମ୍ଭମାନଙ୍କ ଭଳି ତାଙ୍କର ସାଂସାରିକ ମମତା ସେତେ ଆସିନାହିଁ । ମୋର ଆଶା, ତାଙ୍କଭଳି ଉତ୍ସାହୀ ଯୁବକଙ୍କୁ ଆମେ ନିଯୁକ୍ତ କରି ବିଜ୍ଞତାର ପରିଚୟ ଦେବା ।’’

 

କମିଶନ୍‌ର ଅନ୍ୟତମ ସଭ୍ୟ ସୁବିଖ୍ୟାତ ରକେଟ୍‌ ଇଞ୍ଜିନିୟର ପଳିତକେଶ ସେପିଲୋଭ୍‌ ଠିଆହୋଇ ପାଲାଭିନ୍‌ଙ୍କ ପ୍ରସ୍ତାବକୁ ଅନୁମୋଦନ କରି କହିଲେ, ‘‘ମୁଁ ଡକ୍ଟର ମେଡ଼ୋଭସ୍କିଙ୍କୁ ଖୁବ୍‌ ଭଲଭାବରେ ଜାଣେ । ତାଙ୍କଭଳି କର୍ତ୍ତବ୍ୟପରାୟଣ, ଏ କନିଷ୍ଠ ବୈଜ୍ଞାନିକ ଆମ ରାଷ୍ଟ୍ରରେ ବିରଳ । ବନ୍ଧୁ ପାଲାଭିନ୍‌ ଯାହା କହୁଛନ୍ତି ତାଙ୍କ ଭଳି ବୈଜ୍ଞାନିକଙ୍କ ହାତରେ ଆମେ କୃତ୍ରିମ ଉପଗ୍ରହର ସମସ୍ତ ଦାୟିତ୍ୱ ଦେଇ ନିଶ୍ଚିନ୍ତ ରହିପାରିବା; ବାସ୍ତବିକ ତା ଠିକ୍‌ । ସେ ଯଦି କୌଣସି ଅସୁବିଧାବଶତଃ ଯିବାକୁ ଅନିଚ୍ଛୁକ ହୁଅନ୍ତି, ଆମେ ବରଂ ସେ ସବୁ ଅସୁବିଧାକୁ ଦୂରକରି ତାଙ୍କୁ ମହାଶୂନ୍ୟ ଭିତରକୁ ପଠାଇବା ଉଚିତ । ଦଳର ଅନ୍ୟ ସଭ୍ୟ ନିର୍ବାଚନ ସମୟରେ ଆମେ ଆଲେସ୍କିଙ୍କୁ ଏହି କମିଶନ୍‌ରେ ନେଇ ତାଙ୍କ ଉପସ୍ଥିତିରେ ତାଙ୍କ ମତାମତ ନେଇ ସଭ୍ୟମାନଙ୍କୁ ବାଛିବା ଉଚିତ । ତା ନକଲେ ଭବିଷ୍ୟତରେ ନାନା ଅସୁବିଧା ଉପୁଜିବାର ଆଶଙ୍କା ଅଛି । ତେଣୁ ମୋ ମତରେ, ଆମେ ସମସ୍ତେ ଏକମତ ହୋଇ ସର୍ବପ୍ରଥମେ ଆଲେସ୍କିଙ୍କୁ କୃତ୍ରିମ ଉପଗ୍ରହର ଡିରେକ୍ଟର ଭାବରେ ନିଯୁକ୍ତି ଦେବା ଓ ପରେ ତାଙ୍କ ଉପସ୍ଥିତିରେ ଦଳର ଅନ୍ୟ ସଭ୍ୟମାନଙ୍କୁ ବାଛିବା ।

 

ଇତିମଧ୍ୟରେ ଆଲେସ୍କି ମେଡ଼ୋଭସ୍କି କୃତ୍ରିମ ଉପଗ୍ରହର ଦଳପତି ଭାବରେ ନିଯୁକ୍ତି ପାଇଯାଇଛନ୍ତି । ମହାଶୂନ୍ୟକୁ ଯାଉଥିବା ଦଳର ଅନ୍ୟାନ୍ୟ ସଭ୍ୟମାନଙ୍କ ବଛାବଛି ପ୍ରାୟ ଶେଷ ହୋଇଯାଇଛି । କୃତ୍ରିମ ଉପଗ୍ରହ ପୃଥିବୀପୃଷ୍ଠରୁ କି ଉପାୟରେ ମହାଶୂନ୍ୟକୁ ଯିବ, ତାହା ସ୍ଥିର ହେବା ଉପରେ । ପୂର୍ବ ଆଲୋଚିତ ତ୍ରି-ସୋପାନ ରକେଟ୍‌ ପଦ୍ଧତି ମଧ୍ୟ ଏଥର ଅବଲମ୍ୱନ କରାଯିବ । କେବଳ ତଫାତ୍‌ ହେଉଛି ଯେ, ଏହି ରକେଟ୍‌ରେ ତରଳ ଅମ୍ଳଜାନ ଓ ଉଦ୍‌ଜାନ ବା ତରଳ ହାଇଡ଼୍ରୋଜେନ୍‌ ଇନ୍ଧନ ବ୍ୟବହୃତ ନ ହୋଇ ଅତି ଶକ୍ତିଶାଳୀ ପରମାଣୁ ଇନ୍ଧନ ବ୍ୟବହୃତ ହେବ ।

 

ପରମାଣୁ-ବିଶେଷଜ୍ଞମାନଙ୍କ ମତରେ ଏହି ରକେଟ୍‌ରେ ପ୍ଳୁଟୋନିୟମ ପରିବର୍ତ୍ତରେ ନୂତନ ମୌଳିକବସ୍ତୁ ଆଇନ୍‌ଷ୍ଟାନିଅମ୍‌ ବ୍ୟବହାର କରି ଏହି ରକେଟ୍‌ ଅଭିଯାନକୁ ଖୁବ୍‌ଶକ୍ତିଶାଳୀ କରିବା ସମ୍ଭବପର । ଗୋଟି ଗୋଟି ହୋଇ ତିନିଗୋଟି ରକେଟ୍‌ ପୂର୍ବଭଳି ଏହି କୃତ୍ରିମ ଉପଗ୍ରହ ସହିତ ସଂଯୁକ୍ତ ହେବା ସ୍ଥିର ହୋଇଅଛି । ପ୍ରଥମ ରକେଟ୍‌ର ବିସ୍ଫୋରଣ ଫଳରେ କୃତ୍ରିମ ଉପଗ୍ରହ ଅନ୍ୟ ଦୁଇଟି ରକେଟ୍‌ ସହ ପୃଥିବୀପୃଷ୍ଠରୁ ଷାଠିଏ ମାଇଲ ଉପରକୁ ଯାଇପାରିବ । ସେଠାରେ ପହଞ୍ଚିବାକ୍ଷଣି ଦ୍ୱିତୀୟ ରକେଟ୍‌ଟି ବିସ୍ଫୋରିତ ହୋଇ ଏହାକୁ ଆଉ ଶହେ ମାଇଲ ଉପରକୁ ଘେନିଯିବ । ସେଠାରେ ଶେଷ ରକେଟ୍‌ଟି ବିସ୍ଫୋରିତ ହେଲେ କୃତ୍ରିମ ଉପଗ୍ରହ ମହାଶୂନ୍ୟର ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚି ସେଠାରେ ସ୍ଥିର ହୋଇ ନ ରହି ପୃଥିବୀ ଚାରିପାଖରେ ଘୂରିବାକୁ ଲାଗିବ । ଏହା ପୃଥିବୀଠାରୁ ୧୮,୦୦୦ ମାଇଲ ଦୂରରେ ରହି ପୃଥିବୀକୁ ପ୍ରତି ନଅଘଣ୍ଟାରେ ଥରେ ଲେଖାଏଁ ଘୂରିଆସିବ ବୋଲି ଗଣନାଦ୍ୱାରା ସ୍ଥିର କରାଯାଇଛି ।

 

ଉପରୋକ୍ତ ଘଟଣାର କିଛିଦିନ ପରେ....

 

କମିଶନ୍‌ର ସଭାପତି ପାଲାଭିନ ଦିନେ ଆଲେସ୍କିଙ୍କୁ ଡାକି କହିଲେ–‘‘ଦେଖ ଆଲେସ୍କି । ଉପଗ୍ରହ ତିଆରି ଦାୟିତ୍ୱରେ ଥିବା ଇଞ୍ଜିନିୟରମାନେ ଉପଗ୍ରହଟିକୁ ତିଆରି କରିସାରି ଏହାକୁ ଆମ ଦାୟିତ୍ୱରେ ଦେଇ ଏଠାରୁ ବିଦାୟ ନେବାକୁ ଚାହୁଛନ୍ତି । ସେମାନେ ଇତିମଧ୍ୟରେ ଉପଗ୍ରହଟିକୁ କାରଖାନାରୁ ନେଇ ମାନମନ୍ଦିରର ପଶ୍ଚିମପାଖ ପଡ଼ିଆରେ ସଜାଇ ରଖିଲେଣି । ଉପଗ୍ରହଟି ଯେପରି ଭାବରେ ରହିବା ଦରକାର ଓ ରକେଟ୍‌ଗୁଡ଼ିକ ଗୋଟିଏ ପରେ ଗୋଟିଏ ଯେପରି ଭାବରେ ଖଞ୍ଜାହେବା ଉଚିତ, ଠିକ୍‌ ସେହିଭଳି ଭାବରେ ସଜାଇ ସେମାନେ ମୋ’ଠାକୁ ଖବର ପଠାଇଛନ୍ତି । ଯେହେତୁ ସେମାନେ କେନ୍ଦ୍ର ଅଞ୍ଚଳଆଡ଼ୁ ଆସିଛନ୍ତି, ସେମାନଙ୍କୁ ଆଉ ବେଶି ଦିନ ଅଟକାଇ ରଖିବା ମୁଁ ଉଚିତ ମନେ କରୁନାହିଁ । ମୁଁ ଭାବୁଛି ଆଜି ଉପରଓଳି ଆମେ ସେମାନଙ୍କଠାରୁ ଦାୟିତ୍ୱ ବୁଝିନେଇ ସେମାନଙ୍କୁ ବିଦାୟ କରିଦେବା । ତୁମେ ଉପଗ୍ରହର ସମସ୍ତ ଦାୟିତ୍ୱ ବହନ କରିଥିବାରୁ ତୁମ ଉପସ୍ଥିତିରେ ଆମେ ଇଞ୍ଜିନିଅର୍‌ମାନଙ୍କଠାରୁ ଉପଗ୍ରହ ସମ୍ୱନ୍ଧୀୟ ଯାବତୀୟ ଦାୟିତ୍ୱ ବୁଝିନେବା ମୁଁ ଠିକ୍‌ ମନେ କରୁଛି । ତୁମେ କଣ କହୁଛ ?

 

‘‘ଆଜି ତିନିଟାବେଳେ କୃତ୍ରିମ ଉପଗ୍ରହଠାକୁ ଯାଇ ସେମାନଙ୍କଠାରୁ ଦାୟିତ୍ୱ ବୁଝିନେଲେ କ୍ଷତି କଅଣ ? ଇଞ୍ଜିନିଅରିଂ ବିଭାଗର ମୁଖ୍ୟ ସିଜୋଭ୍‌ ଓ ରକେଟ୍‌-ବିଶାରଦ କୋଜେଲେସ୍କିଙ୍କୁ ମୁଁ ଆସିବା ପାଇଁ ଖବର ପଠାଇଦେଇଛି । କମିଶନ୍‌ର ଅନ୍ୟ ସଭ୍ୟମାନଙ୍କଠାକୁ ମଧ୍ୟ ଖବର ପଠାଇ ଦିଆସରିଲାଣି । ଠିକ୍‌ବେଳକୁ ସେମାନେ ଆସି ପହଞ୍ଚିଯିବେ ।’’

 

ଏହା କହି ସେ ଚାଲିଯାଉଥିଲେ, ହଠାତ୍‌ ଫେରିପଡ଼ି କହିଲେ, ‘‘ହଁ, ଆଉ ଗୋଟିଏ କଥା ଠିକ୍‌ବେଳେ ମନେପଡ଼ିଚି । ମୁଁ ସେ କଥା ବିଲ୍‌କୁଲ୍‌ ଭୁଲି ଯାଇଥିଲି । ଆମ ସହିତ କୃତ୍ରିମ ଉପଗ୍ରହଠାକୁ ଯିବାପାଇଁ ଲେନାକୁ ବି ଖବର ପଠାଇଦେବ । ଦେଲା–ନେଲା ବେଳେ ଲେନା ରହିବା ଦରକାର; ବଡ଼ ତୀକ୍ଷ୍‌ଣ ଦୃଷ୍ଟି ତା’ର । ଆମେ ଯେଉଁସବୁ ଟିକି-ନିଖି ବିଷୟ ଛାଡ଼ି ଦେଇଯିବା, ସେ ସେଗୁଡ଼ିକୁ ଖୁବ୍‌ ଦକ୍ଷତାର ସହିତ ଧରିପାରେ । ସେଥିପାଇଁ ପରା ମୁଁ ତୁମର ଉପଯୁକ୍ତ ସହକାରୀ ଭାବରେ ତାକୁ ବାଛିଚି । ତାକୁ ଯଦି ତୁମେ ଗୋଟିଏ ପର୍ଯ୍ୟବେକ୍ଷଣାଗାରର ଦାୟିତ୍ୱ ଦେଇପାରିବ, ତେବେ ଦେଖିବ ସେ କେତେ ଦକ୍ଷତାର ସହିତ ସମ୍ଭାଳି ପାରିବ । ଲେନା ସମ୍ୱନ୍ଧରେ ତୁମ ମତ କଣ ଆଲେସ୍କି ? ହେଉ, ଆଜି ଆସିଲାବେଳେ ତାକୁ ଯେପରି ଡାକିବାକୁ ଭୁଲି ନ ଯାଅ ।’’

 

ଯେଉଁ କୃତ୍ରିମ ଉପଗ୍ରହକୁ ତିଆରି କରିବା ପାଇଁ ରାଷ୍ଟ୍ରର ବଛା ବଛା ଇଞ୍ଜିନିୟରମାନେ ମାନମନ୍ଦିରଠାରେ ଏକତ୍ରିତ ହୋଇଥିଲେ-ତାହା ଦେଖିବାକୁ ଆକୃତିରେ ଗୋଲାକାର, ପମ୍ପ ଦିଆହୋଇ ଫୁଲି ଉଠିଥିବା ଗୋଟିଏ ମଟର ଚକର ବ୍ଲାଡ଼ର ଭଳି । ଏହାର ବାହାର ଓ ଭିତରେ ବ୍ୟାସ ଯଥାକ୍ରମେ ଅଢ଼େଇଶହ ଓ ଦୁଇଶହ ଫୁଟ । ପଚିଶ ଫୁଟ ଗୋଲେଇ ଭିତରେ ସାରା ଉପଗ୍ରହଟି ତିଆରି । ଉପଗ୍ରହଟିର ବାହାର ଆବରଣ ଅତି ଉଚ୍ଚ ଗଳନାଙ୍କବିଶିଷ୍ଟ ଏକ କଠିନ ମିଶ୍ର ଧାତୁରୁ ତିଆରି; ଫଳରେ ଏହା ପୃଥିବୀପୃଷ୍ଠରୁ ମହାଶୂନ୍ୟକୁ ଅତି ବେଗରେ ଗଲାବେଳେ ବାୟୁର ଘର୍ଷଣଜନିତ ତାପରେ ଜଳି ନ ଯାଇ ମହାଶୂନ୍ୟ ଭିତରେ ନିଶ୍ଚିନ୍ତରେ ପହଞ୍ଚି ପାରିବ । ପୁଣି କୃତ୍ରିମ ଉପଗ୍ରହଟି ଏପରି ଟାଣ ହୋଇ ତିଆରି ହୋଇଛି ଯେ, ଏହା ମହାଶୂନ୍ୟ ଭିତରେ ଅନେକ ଲୋକଙ୍କୁ ଧରି ନିର୍ବିଘ୍ନରେ ରହିପାରିବ ।

 

କୃତ୍ରିମ ଉପଗ୍ରହର ସାରା ଗୋଲାକାର କକ୍ଷଟି ଉପର ତଳ ହୋଇ ଏପରିଭାବରେ ବିଭକ୍ତି, ଯେପରିକି ଭିତରକୁ ଗଲେ ଏହା ଦୁଇତାଲା ଭଳି ଜଣାପଡ଼େ । ଉପର ତାଲାଟି ତଳ ତାଲାଠାରୁ ଆକାରରେ ବଡ଼ । ଉପର ତାଲାଟି ପୁଣି ଦୁଇ ଅସମାନ ଭାଗରେ ବିଭକ୍ତ । ଯେଉଁ ଅଂଶଟି ଉପଗ୍ରହର ଭିତର ଆଡ଼କୁ ଅଛି, ସେଇ ଅଂଶଟି ସାନ । ଏହି ଅଂଶଟି ଉପଗ୍ରହର ବୃତ୍ତାକାର ବାରଣ୍ଡା । ଏହି ବାରଣ୍ଡାର ଓସାର ହେବ ପ୍ରାୟ ସାଢ଼େ ଛ’ ଫୁଟ । ବାରଣ୍ଡାକୁ ଲାଗି ଉପର ତାଲାର ଯେଉଁ ବଡ଼ ଅଂଶଟି ଅଛି, ତାହା ବିଭିନ୍ନ କକ୍ଷରେ ବିଭକ୍ତ ହୋଇ ପର୍ଯ୍ୟବେକ୍ଷଣାଗାର ଓ ରହିବା କୋଠରି ଆଦିରେ ପରିଣତ ହୋଇଛି ।

 

ତଳ ତାଲାଟି ମୋଟାମୋଟି ଜିନିଷପତ୍ର ରଖି ଗୋଦାମଘର ଭାବରେ ବ୍ୟବହୃତ ହେବାପାଇଁ ତିଆରି । ଉପର ଅଂଶଟିରେ ଦୁଇଟି ପର୍ଯ୍ୟବେକ୍ଷଣାଗାର ପରସ୍ପରର ବିପରୀତ ଦିଗରେ ଅବସ୍ଥିତ । ପ୍ରଥମ ପର୍ଯ୍ୟବେକ୍ଷଣାଗାର ନିକଟକୁ ଲାଗି କୃତ୍ରିମ ଉପଗ୍ରହର ଅଫିସ ଓ ଡିରେକ୍‌ଟରଙ୍କ କକ୍ଷ ଏବଂ ଆର ପାଖକୁ ଉପଗ୍ରହର ବତ୍କୃତା ଗ୍ୟାଲେରୀ । ଗ୍ୟାଲେରୀକୁ ଲାଗି ସଭ୍ୟମାନଙ୍କର ରହିବା କୋଠରି । ପ୍ରତ୍ୟେକ ସଭ୍ୟଙ୍କ ପାଇଁ ଗୋଟିଏ ଗୋଟିଏ ସ୍ୱତନ୍ତ୍ର କୋଠରି ଓ ପ୍ରତ୍ୟେକର ଦୁଆରମୁହଁ ସମ୍ମୁଖସ୍ଥ ସାଢ଼େ ଛ’ ଫୁଟ ଓସାର ବାରଣ୍ଡା ଆଡ଼କୁ । କୋଠରିଗୁଡ଼ିକ ଭିତରକୁ ସୂର୍ଯ୍ୟାଲୋକ ଆସିବାପାଇଁ ନାନାପ୍ରକାର ନୂତନ ଧରଣର ବାୟୁଆବଦ୍ଧ ଝରକା ଦିଆଯାଇଛି । ଧାଡ଼ି ଧାଡ଼ି ହୋଇ ରହିଥିବା କୋଠରିଗୁଡ଼ିକ ପରେ ସଭ୍ୟମାନଙ୍କ ଖେଳାଖେଳି ପାଇଁ କ୍ଳବ୍‌ରୁମ୍‌ । କ୍ଳବ୍‌ରୁମ୍‌ପାଖକୁ ସାଧାରଣ ଗବେଷଣାଗାର ଓ ତା ପାଖକୁ ଉପଗ୍ରହର ଦ୍ୱିତୀୟ ପର୍ଯ୍ୟବେକ୍ଷଣାଗାର । ପର୍ଯ୍ୟବେକ୍ଷଣାଗାର ନିକଟକୁ କଣ୍ଟ୍ରୋଲ ରୁମ୍‌ ଓ ତା ପାଖକୁ ବିଦ୍ୟୁତ୍‌ ଉତ୍ପାଦନ କେନ୍ଦ୍ର ।

 

ଏହା ପରେ ପୁଣି ଆରମ୍ଭ ହୋଇଛି ସଭ୍ୟମାନଙ୍କ ରହିବା କୋଠରି । ଉପଗ୍ରହର ରନ୍ଧନଶାଳା ଓ ଗୋଟାଏ ସୁନ୍ଦର ସନ୍ତରଣ ପୁଷ୍କରିଣୀ ଏହି କୋଠରିଗୁଡ଼ିକ ପରେ ରହିଛି । ଉପର ତାଲାର ଚଟାଣ ପୂରାପୂରି ଇସ୍ପାତ୍‌ରେ ତିଆରି । ମହାଶୂନ୍ୟରେ ମାଧ୍ୟାକର୍ଷଣ ଶକ୍ତିର ଅଭାବ ହେତୁ ଲୋକମାନେ ଏଥିଭିତରେ ସହଜରେ ଚଲାବୁଲା କରିପାରିବା ପାଇଁ ଚଟାଣକୁ ଇସ୍ପାତ୍‌ରେ ତିଆରି କରି ଲୋକମାନଙ୍କୁ ଚୁମ୍ୱକ ହିଲ୍‌ଲଗା ଜୋତା ବ୍ୟବହାର କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

 

ମହାଶୂନ୍ୟର ଅକଥନୀୟ ଶୀତର ପ୍ରଭାବ ଓ ବାୟୁର ଅଭାବରୁ ଏଥିଭିତରର ଅଧିବାସୀମାନଙ୍କୁ ରକ୍ଷା କରିବାପାଇଁ ଉପଗ୍ରହ ଭିତରେ ସାଧାରଣ ବାୟୁ ପୂରାଯାଇ, ଏହାକୁ ବାୟୁତାପ-ନିୟନ୍ତ୍ରିତ କରାଯାଇଛି । ବିରାଟ ବାୟୁତାପ-ନିୟନ୍ତ୍ରିତ ଯନ୍ତ୍ର ବସାଯାଇ ସାରା ଉପଗ୍ରହଟିର ବାୟୁକୁ ପ୍ରତି ମୁହୂର୍ତ୍ତରେ ଶୋଧନ କରାଯାଇ ପୃଥିବୀପୃଷ୍ଠର ବାୟୁ ସହିତ ସମାନ ରଖାଯିବାପାଇଁ ବନ୍ଦୋବସ୍ତ ହୋଇଛି ।

 

ବାୟୁ ଭିତରୁ ପ୍ରତି ମୁହୂର୍ତ୍ତରେ ଯେଉଁ ଅଙ୍ଗାରକାମ୍ଳ ଗ୍ୟାସ୍‌ ବାହାରିବ, ତାକୁ ଭାଙ୍ଗି ସେଥିରୁ ଅମ୍ଳଜାନ ବାହାର କରି ପୁଣି ତାକୁ ଉପଗ୍ରହର ବାୟୁମଣ୍ଡଳକୁ ଫେରାଇ ଦେବା ପାଇଁ ଯେଉଁ ବୈଜ୍ଞାନିକ କୌଶଳମାନ ଖଞ୍ଜାଯାଇଛି, ତାହା ଦେଖିଲେ ଯେକୌଣସି ଲୋକ ବିସ୍ମିତ ନ ହୋଇ ରହି ପାରିବ ନାହିଁ ।

 

ସାରା ଗୋଲାକାର କୃତ୍ରିମ ଉପଗ୍ରହଟି ଛ’ଗୋଟି ପଥଦ୍ୱାରା ତାହାର ବିଭିନ୍ନ ଅଂଶ ସହିତ ସଂଯୁକ୍ତ । ବଳଦଗାଡ଼ି ଚକା ଯେପରି ତାହାର କେନ୍ଦ୍ର ଅଂଶ ସହିତ କେତେକ ସରଳ କାଠଦଣ୍ଡଦ୍ୱାରା ସଂଯୁକ୍ତ ହୋଇଥାଏ, ସେହିଭଳି ଏହି ବୃତ୍ତାକାର ଉପଗ୍ରହଟି ଏହାର କେନ୍ଦ୍ର ସହିତ ଛ’ଗୋଟି ବାୟୁଆବଦ୍ଧ ପଥଦ୍ୱାରା ସଂଯୁକ୍ତ । ଉପଗ୍ରହର କେନ୍ଦ୍ରରେ ଗୋଟିଏ ଗୋଲାକାର ବିରାଟ କକ୍ଷ । କକ୍ଷଟିକୁ ପୁଣି ଛ’ଫୁଟ ଓସାର ଆବଦ୍ଧ ଗୋଲାକାର ବାରଣ୍ଡା ଘେରି ରହିଛି । ତେଣୁ ଉପଗ୍ରହର କୌଣସି ଏକ ଅଂଶରୁ ବିପରୀତ ଅଂଶକୁ ଯିବାକୁ ହେଲେ ଉପଗ୍ରହର ସାଧାରଣ ବାରଣ୍ଡା ଦେଇ କିମ୍ୱା ଏହି ପଥ ଦେଇ କେନ୍ଦ୍ର ବାରଣ୍ଡା ବାଟେ ଯାଇ ଯାଇ ହୁଏ । ଏହି କେନ୍ଦ୍ର କକ୍ଷଟି ଉପଗ୍ରହର ତୃତୀୟ ପର୍ଯ୍ୟବେକ୍ଷଣାଗାରର କାମ କରିବ ବୋଲି ସ୍ଥିର ହୋଇଅଛି ।

 

କୃତ୍ରିମ ଉପଗ୍ରହ ମହାଶୂନ୍ୟରେ ପୃଥିବୀର ଏକ ଉପଗ୍ରହ ଭାବରେ ଭ୍ରମଣ କଲେ, ଏହାର ଅଧିବାସୀମାନଙ୍କୁ ଖାଦ୍ୟ, ବାୟୁ, ଜଳ ଆଦି ଯୋଗାଇବା ପାଇଁ ପୃଥିବୀ ଓ ଉପଗ୍ରହ ଭିତରେ ରୀତିମତ ରକେଟ୍‌ଯାନ ଯା’ ଆସ କରିବ । ଏହି ରକେଟ୍‌ଯାନ ପୃଥିବୀରୁ ପଣ୍ୟଦ୍ରବ ବୋହି ନେଇ ଉପଗ୍ରହର ତଳ ତାଲା ଗୋଦାମଘରେ ଜମା କରିବାପାଇଁ ତଳ ତାଲାରେ ଦୁଇଟି ବଡ଼ ବଡ଼ ଦ୍ୱାର ରଖାଯାଇଛି । ଦ୍ୱାର ଦୁଇଟି ସର୍ବଦା ବନ୍ଦ ରହିବ । କେବଳ ପୃଥିବୀକୁ ଯିବା ଆସିବା ବେଳେ ଖୋଲାହେବ ଓ କାମ ସରିଗଲେ ସଙ୍ଗେ ସଙ୍ଗେ ବନ୍ଦ କରିଦିଆଯିବ । ଉପଗ୍ରହରୁ ମହାଶୂନ୍ୟ ଭିତରକୁ ଯିବା ପାଇଁ ଉପର ତାଲାରୁ ଗୋଟିଏ ଦ୍ୱାର ଓ କେନ୍ଦ୍ର ପର୍ଯ୍ୟବେକ୍ଷଣାଗାରରୁ ଗୋଟିଏ ଦ୍ୱାର ରଖାଯାଇଛି । ଉପଗ୍ରହର ଏହି ଦ୍ୱାରଗୁଡ଼ିକ ଏକ ବିଚିତ୍ର ଧରଣରେ ତିଆରି । ଦ୍ୱାରଗୁଡ଼ିକ ଖୋଲା ହେଲାବେଳେ ଭିତରର ବାୟୁ ଯେପରି ଅଧିକ ପରିମାଣରେ ମହାଶୂନ୍ୟ ଭିତରକୁ ନ ପଳାଏ, ସେଥିପାଇଁ ନାନା ବନ୍ଦୋବସ୍ତ କରାଯାଇଛି ।

 

କୃତ୍ରିମ ଉପଗ୍ରହର ବିଭିନ୍ନ କୋଠରି ଓ କକ୍ଷଗୁଡ଼ିକ ପରସ୍ପର ସହିତ ଟେଲିଫୋନ୍‌ଦ୍ୱାରା ସଂଯୁକ୍ତ ଓ ଗୋଟିଏ ସ୍ୱୟଂକ୍ରିୟ ଟେଲିଫୋନ୍‌ ଏକ୍‌ସଚେଞ୍ଜ ଉପଗ୍ରହ ମଧ୍ୟରେ ପ୍ରତିଷ୍ଠା କରାଯାଇଛି-। ସାରା ଉପଗ୍ରହଟି ବିଭିନ୍ନ ଧରଣର ଅସଂଖ୍ୟ ପ୍ରତିଭାର ଓ ସ୍ୱପ୍ରଭ ବିଦ୍ୟୁତ୍‌ବତି ଦ୍ୱାରା ଆଲୋକିତ ଓ ଏହି ସବୁ ବତିଦ୍ୱାରା ଉପଗ୍ରହଟି ଏଡ଼େ ସୁନ୍ଦର ଓ ମନୋହର ଦିଶେ ଯେ, ନ ଦେଖିଲା ଲୋକକୁ ଭାଷାରେ ବୁଝାଇ ବର୍ଣ୍ଣନା କରି ହେବନି । ପ୍ରତ୍ୟେକ ରହିବା କୋଠରି ଗୋଟିଏ ଗୋଟିଏ ସୁସଜ୍ଜିତ ଗାଧୁଆଘର ସହିତ ସଂଯୁକ୍ତ । କୃତ୍ରିମ ଉପଗ୍ରହ ଭିତରେ ସନ୍ତରଣ କରିବାପାଇଁ ଯେଉଁ ପୁଷ୍କରିଣୀଟି ଅଛି, ତାହା ପୁଣି ବିଚିତ୍ର ଧରଣର । ଏହି ପୁଷ୍କରିଣୀଟି ବେଶ୍‌ ବଡ଼ ଓ ଗଭୀର । ଜଳ ଭିତରେ ନାନା ବର୍ଣ୍ଣର ସ୍ଫଟିକ ଓ ପ୍ରତିପ୍ରଭ ବତି ଦିଆଯାଇ ଆଶାତୀତ ଭାବରେ ସୁନ୍ଦର କରାଯାଇଛି । ସନ୍ତରଣ ପୁଷ୍କରିଣୀର ଜଳକୁ ସର୍ବଦା ଶୋଧନ କରିବା ପାଇଁ ଅଲଟ୍ରାଭାୟୋଲେଟ୍‌ ରଶ୍ମି ଓ ନାନା ରାସାୟନିକ ପଦାର୍ଥର ସାହାଯ୍ୟ ନେବା ପାଇଁ ବନ୍ଦୋବସ୍ତ ହୋଇଛି । ପାରସ୍ୱନିକ ଶବ୍ଦର ସୁବିଧା ନେଇ ଏଥିର ଭାସମାନ ମଇଳାକୁ ଅଲଗା କରିଦେବାର ଅଦ୍ଭୁତ ବନ୍ଦୋବସ୍ତ ଦେଖିଲେ ଇଞ୍ଜିନିୟରମାନଙ୍କର କୌଶଳକୁ ଧନ୍ୟବାଦ ନ ଦେଇ ରହିହେବନି ।

 

ଏହି ସବୁ ଆଧୁନିକ ବୈଜ୍ଞାନିକ ପଦ୍ଧତିର ବନ୍ଦୋବସ୍ତ ହେତୁ ସନ୍ତରଣ ପୁଷ୍କରିଣୀର ଜଳକୁ ଏକାଦିକ୍ରମେ ବହୁ ଦିନଧରି ନ ବଦଳାଇ ବ୍ୟବହାର କରିବା ସମ୍ଭବପର । ସନ୍ତରଣ ପୁଷ୍କରିଣୀର ଜଳ ବେଶି ପୁରୁଣା ହୋଇଗଲେ, ପୁଷ୍କରିଣୀର ସମସ୍ତ ଜଳକୁ ପାତନ କରିନେଇ ନୂତନ ପାତିତ ଜଳଦ୍ୱାରା ପୁଣି ଭର୍ତ୍ତି କରିହେବ ।

 

ଏଥିନିମିତ୍ତ ଉପଗ୍ରହରେ ଯାବତୀୟ ଯନ୍ତ୍ରପାତିର ବନ୍ଦୋବସ୍ତ ହୋଇଛି । ଏହି କାର୍ଯ୍ୟ ପାଇଁ ଯେଉଁ ବିରାଟ ତାପଶକ୍ତି ଦରକାର, ତାହା ସୌରଶକ୍ତିରୁ ଆହରଣ କରାଯିବାପାଇଁ ସ୍ଥିର ହୋଇଅଛି । ମୋଟାମୋଟି କହିବାକୁ ଗଲେ କୃତ୍ରିମ ଉପଗ୍ରହଟି ଏକ ଉନ୍ନତ ଧରଣର ହଷ୍ଟେଲ ସହିତ ଏକ ଗବେଷଣାନୁଷ୍ଠାନ ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ ।

 

ଏହି ଉପଗ୍ରହରେ ବର୍ଷ ବର୍ଷ ଧରି ଚଳିବା ପାଇଁ ଏହାର ଅଧିବାସୀମାନଙ୍କର ଯେପରି କୌଣସି ଅସୁବିଧା ନ ହୁଏ, ସେଥିପାଇଁ ଖୁବ୍‌ ଭଲ ଭାବରେ ଦୃଷ୍ଟି ଦିଆଯାଇ ଏହାକୁ ତିଆରି କରାଯାଇଛି । ପୃଥିବୀପୃଷ୍ଠରୁ ଖାଦ୍ୟ, ପାନୀୟ, ପୋଷାକପତ୍ର, ବାୟୁ ସହିତ ନାନାପ୍ରକାର ଚଳଚ୍ଚିତ୍ର ଫିଲ୍‌ମ ଏହି ଉପଗ୍ରହକୁ ପଠାଯିବା ପାଇଁ ବନ୍ଦୋବସ୍ତ ହୋଇଅଛି । ଏହି ଚଳଚ୍ଚିତ୍ର ଫିଲ୍‌ମଗୁଡ଼ିକୁ ବକ୍ତୃତା ଗ୍ୟାଲେରୀରେ ଦର୍ଶାଇବା ପାଇଁ ଯନ୍ତ୍ରପାତି ଖଞ୍ଜାଯାଇଛି ।

 

ପୃଥିବୀପୃଷ୍ଠରୁ ଏହି ଉପଗ୍ରହ ସହିତ ଟେଲିଭିଜନ୍‌ ସଂଯୋଗ ସ୍ଥାପନ ପାଇଁ ନାନାକଳ୍ପନା-ଜଳ୍ପନା ଚାଲିଛି । ଟେଲିଭିଜନ୍‌ ବାର୍ତ୍ତା ପ୍ରେରଣ ପୃଥିବୀପୃଷ୍ଠରେ ଏତେ ବ୍ୟବଧାନ ଭିତରେ ସମ୍ଭବପର ହେଉ ନ ଥିଲେ ମଧ୍ୟ କେନ୍ଦ୍ର ରାଜଧାନୀର ବିଶିଷ୍ଟ ଟେଲିଭିଜନ୍‌ ବିଶେଷଜ୍ଞ ମାକୋଭେଲସ୍କିଙ୍କ ନବାବିଷ୍କୃତ ପଦ୍ଧତି ଅନୁସାରେ ପୃଥିବୀପୃଷ୍ଠରୁ ୧୮,୦୦୦ ମାଇଲ ଦୂରକୁ ଏହା ପଠାଇବା ବିଶେଷ କିଛି କଷ୍ଟକର ନୁହେଁ ।

 

ଏହି ବ୍ୟବସ୍ଥା ଯଦି ସଫଳ ହୁଏ, ତେବେ କୃତ୍ରିମ ଉପଗ୍ରହର ଅଧିବାସୀମାନେ ମହାଶୂନ୍ୟରେ ବସି କେନ୍ଦ୍ର ରାଜଧାନୀ ଓ ରାଷ୍ଟ୍ରର ବଡ଼ ବଡ଼ ସହରର ବିଭିନ୍ନ ଟେଲିଭିଜନ୍‌ ପ୍ରୋଗ୍ରାମଗୁଡ଼ିକୁ ବେଶ୍‌ ଉପଭୋଗ କରି ପାରିବେ । ଦେଶର ଖେଳ, କୌତୁକ, କ୍ରୀଡ଼ା, ଥିଏଟର, ସିନେମା, ସଭାପତି ଆଦି କୌଣସିଟି ଦେଖିବାରୁ ସେମାନେ ବଞ୍ଚିତ ହେବେନି ।

 

ନବନିର୍ମିତ କୃତ୍ରିମ ଉପଗ୍ରହର ଏହି ସବୁ ସୁବିଧାଗୁଡ଼ିକୁ ଇଞ୍ଜିନିଅର ଓ କମିଶନର ସଭ୍ୟମାନଙ୍କ ସହିତ ବୁଲି ଦେଖୁଁ ଦେଖୁଁ ସଭାପତି ପାଲାଭିନ୍‌ ଆନନ୍ଦରେ ନାଚିଉଠି କହି ପକାଇଲେ–‘‘କୃତ୍ରିମ ଉପଗ୍ରହର ଏଇସବୁ ସୁବିଧା ଦେଖିଲେ, କିଏ ଯେ ସେଥିରେ ଯିବାକୁ ଇଚ୍ଛା ନ କରିବ ମୁଁ ଭାବିପାରୁନି । ଆପଣମାନଙ୍କ ନିର୍ମିତ ଏଇ କୃତ୍ରିମ ଉପଗ୍ରହ ଦେଖି ମୋ ମନ ହେଉଛି, ଆମ୍ଭମାନଙ୍କୁ ଏ ଅଭିଯାନରେ ଯିବାକୁ ସୁବିଧା ମିଳନ୍ତା କି ? ବାସ୍ତବିକ୍‌ ଜୀବନରେ କେଡ଼େ ବଡ଼ ବଡ଼ ଅଭିଜ୍ଞତା ହୋଇଯାଆନ୍ତା ଆମର ? ତୁମେ କ’ଣ ମନେ କରୁଛ ସେପିଲୋଭ ?’’

 

‘‘ଆଉ ସେ କଥା ପଚାର ନାହିଁ ବନ୍ଧୁ । ଆମେ ଯେଉଁ ଦଳ ବାଛିସାରିଛୁଁ, ସେଥିରେ ସଙ୍ଗେ ସଙ୍ଗେ ଆମ ନାମ ଯୋଡ଼ିଦେବାକୁ ମୋର ଭାରି ଇଚ୍ଛା ହେଉଛି ।’’

 

ବୃଦ୍ଧଦ୍ୱୟଙ୍କର ଏତାଦୃଶ ଉତ୍ସାହରେ ଉପଗ୍ରହର ଚିଫ୍‌ଇଞ୍ଜିନିଅର ହସି କହିଲେ, ‘‘ଏପର୍ଯ୍ୟନ୍ତ ବି ଢେର୍‌ ସମୟ ଅଛି ବୈଜ୍ଞାନିକ । ଆପଣମାନେ ଇଚ୍ଛା କଲେ ଏବେ ସୁଦ୍ଧା ଏହି ଅଭିଯାନରେ ଯୋଗ ଦେଇପାରନ୍ତି ।’’

 

‘‘କିନ୍ତୁ ମୋର ବନ୍ଧୁ ପାଲାଭିନ୍‌ରାଜି ହେଲେ ତ ?’’ ସେପିଲୋଭ୍‌ କହିଲେ ।

 

‘‘ଆପଣଙ୍କ ଭଳି ଜଣେ ବୃଦ୍ଧ ଆମ ଦଳରେ ଯେ ନିହାତି ଦରକାର ।’’ ଲେନା ଟିକିଏ ଉଚ୍ଚ ଗଳାରେ କହିଲା ।

 

‘‘କାହିଁକି ଲେନା, ତୁମ ଭଳି ତରୁଣୀମାନଙ୍କୁ ଜଗିବା ପାଇଁ ବୃଦ୍ଧ ଜଣେ ସଙ୍ଗରେ ନ ନେଲେ ତୁମ୍ଭମାନଙ୍କ ସ୍ଥିତି କ’ଣ ସେଠାରେ ଜଟିଳ ହୋଇ ପଡ଼ିବ ? ନ ହେବ ବା କାହିଁକି; ପୁଣି ଏଭଳି ଟୋକା ଯେଉଁ ଦଳର ଦଳପତି ?’’ ଆଲେସ୍କି ଆଡ଼କୁ ଆଙ୍ଗୁଳି ଦେଖାଇ ବୃଦ୍ଧ ସେପିଲୋଭ୍‌ ହସି ହସି କହିଲେ ।

 

ସଭାପତି ପାଲାଭିନ୍‌ ଚିଫ୍‌ଇଞ୍ଜିନିଅର୍‌ଙ୍କ ଆଡ଼କୁ ଅନାଇ କିଞ୍ଚିତ୍‌ ଗମ୍ଭୀର ହୋଇ ପଚାରିଲେ–‘‘ହଁ, ଆଉ ଗୋଟିଏ କଥା, ଇଞ୍ଜିନିଅର୍‌ ସାହେବ । ଏହି କୃତ୍ରିମ ଉପଗ୍ରହରେ ଆମର ଯେଉଁ ମହିଳା ସଭ୍ୟମାନେ ଯିବେ, ସେମାନଙ୍କ ରହିବାପାଇଁ ତ କିଛି ଅଲଗା ବନ୍ଦୋବସ୍ତ ହେଲାଭଳି ମୋତେ ଦିଶୁନି ?’’

 

ବୃଦ୍ଧଙ୍କ ପ୍ରଶ୍ନରେ ଚିଫ୍‌ଇଞ୍ଜିନିଅର୍‌ ହସିଉଠିଲେ-‘‘ଆମ ଦେଶର ନାରୀମାନଙ୍କୁ କଣ ଆପଣ ଏଡ଼େ ଦୁର୍ବଳ ଭାବୁଛନ୍ତି ଡିରେକ୍‌ଟର ସାହେବ, ଯେ କୃତ୍ରିମ ଉପଗ୍ରହରେ ସେମାନେ ପୁରୁଷ ବନ୍ଧୁମାନଙ୍କ ସହ ମିଳିମିଶି ଚଳିପାରିବେନି ? ସେଥିପାଇଁ ପୂରାପୂରି ଅଲଗା ବନ୍ଦୋବସ୍ତ କରିବାକୁ ପଡ଼ିବ ? ଏହି ଉପଗ୍ରହରେ ପ୍ରତ୍ୟେକଙ୍କ ପାଇଁ ତ ଅଲଗା କୋଠରି ଅଛି । ରହିବାର ତ କିଛି ଅସୁବିଧା ହେବନି । ତଥାପି ସେଥିରେ ଯଦି ଅସୁବିଧା ହୁଏ ତେବେ ସେମାନେ ଇସଲାମ୍‌ରାଷ୍ଟ୍ରର ମହିଳାମାନଙ୍କ ଭଳି ବୁରୁଖା ପିନ୍ଧି ଉପଗ୍ରହରେ ଯିବାଆସିବା କରିପାରନ୍ତି ।’’

 

‘‘ତଥାପି ଇଞ୍ଜିନିଅର୍‌ ସାହେବ, ଆପଣଙ୍କର ସେଥିପ୍ରତି ଟିକିଏ ନଜର ଦେବା ଉଚିତ ଥିଲା’’-ପାଲାଭିନ୍‌ କହିଲେ ।

 

‘‘ଆପଣ ଯଦି ତାହା ଚାହାନ୍ତି, ତେବେ ରନ୍ଧନଶାଳା ସନ୍ତରଣ ପୁଷ୍କରିଣୀ ପାଖରେ ଯେଉଁ କେତେଗୋଟି ରହିବା କୋଠରି ଅଛି, ଆପଣଙ୍କ ମହିଳା ସଭ୍ୟମାନେ ସେଥିରେ ରହିପାରନ୍ତି । ପୁରୁଷମାନଙ୍କ ରହିବା କୋଠରି ସେଠାରୁ ତ ଯଥେଷ୍ଟ ଦୂର । ଆପଣମାନେ କାଳେ ବାଛବିଚାର କରିବେ, ସେଥିପାଇଁ ଆମେ ଏ ପାଖରେ କେତେଗୋଟି ରହିବା କୋଠରି ରଖିଚୁଁ । ଆପଣଙ୍କ ଦଳରେ ସ୍ତ୍ରୀ ସଭ୍ୟଙ୍କ ସଂଖ୍ୟା କେତେ କୁହନ୍ତୁ ତ ?’’ ଚିଫ୍‌ଇଞ୍ଜିନିଅର୍‌ ପଚାରିଲେ ।

 

‘‘ଛଅ. ସାତ ଜଣରୁ ବେଶି ନୁହେଁ ।’’

 

‘‘ତା’ ହେଲେ ତ ବେଶ୍‌ ଆମେ ସେଠାରେ ମୋଟ ଆଠଗୋଟି କୋଠରି ରଖିଛୁ ।’’

 

‘‘ଏଥର ଆଉ ତୁମର ଚିନ୍ତା କାହିଁକି ଲେନା ?’’ ଇଞ୍ଜିନିଅର୍‌ ସାହେବ ତ ତୁମ୍ଭମାନଙ୍କ ପାଇଁ ସବୁ ବନ୍ଦୋବସ୍ତ କରି ଦେଇଛନ୍ତି । ପୁଣି ତୁମ ସଂଖ୍ୟା ଛ’କି ସାତ । ଆଉ ଭୟ କାହିଁକି ? ଆଉ ତ ସେଠି ଏ ବୁଢ଼ାର ପ୍ରୟୋଜନ ହେବ ନାହିଁ ?’’ ବୃଦ୍ଧ ସେପିଲୋଭ୍‌ ହସି ହସି ଲେନାଆଡ଼କୁ ଉତ୍ତର ଅପେକ୍ଷାରେ ଅନାଇ କହିଲେ ।

 

ଲେନା ଉତ୍ତର ଦେଇ ନ ପାରି ତା’ର ଲୀଳା-ଚଞ୍ଚଳ ଦୃଷ୍ଟିରେ ବୃଦ୍ଧଙ୍କୁ ଅନାଇ ରହିଲା ।

 

କୃତ୍ରିମ ଉପଗ୍ରହରେ ବୁଲୁ ବୁଲୁ ବୃଦ୍ଧ ପାଲାଭିନ୍‌ଙ୍କୁ ଲକ୍ଷ୍ୟ କରି ଲେନା ପଚାରିଲା–‘‘ଉପଗ୍ରହରେ ତିନିଗୋଟି ପର୍ଯ୍ୟବେକ୍ଷଣାଗାର ଯେ କାହିଁକି କରାଯାଇଛି, ମୁଁ ବୁଝିପାରୁନି-। ଗୋଟିଏ କିମ୍ୱା ଦୁଇଟି ପର୍ଯ୍ୟବେକ୍ଷଣାଗାର ହୋଇଥିଲେ ତ କାମ ବେଶ୍‌ ଚଳିଥାନ୍ତା-?’’

 

ରହସ୍ୟ କରି ବୃଦ୍ଧ ସେପିଲୋଭ୍‌ ଲେନାକୁ ପୁଣି କହିଲେ–‘‘ତୁମେ କ’ଣ ଏତକ ଜାଣିପାରୁନ ଲେନା ? ଓହୋ, ତୁମେ ପରା ବିଜ୍ଞାନ ଏକାଡେମୀର ଦ୍ୱିତୀୟ ଦିନ ଅଧିବେଶନରେ ନ ଥିଲ ? ଇଭ୍‌ମାନମନ୍ଦିରର ଜ୍ୟୋତିଃ-ପଦାର୍ଥବିଦ୍ୟାବିତ୍‌ ଲିଓନୋଭଙ୍କ ବକ୍ତୃତା ଶୁଣିଥିଲେ, ତୁମେ ଆଜି ଏ ପ୍ରଶ୍ନ ପଚାରି ନ ଥାନ୍ତ । ଏ ତିନୋଟି ପର୍ଯ୍ୟବେକ୍ଷଣାଗାର ଭିତରୁ ଗୋଟିଏ ବ୍ୟବହୃତ ହେବ ମହାଶୂନ୍ୟ ଓ ଅନ୍ୟାନ୍ୟ ଗ୍ରହ ନକ୍ଷତ୍ରଆଡ଼େ । ଦ୍ୱିତୀୟଟି ବ୍ୟବହୃତ ହେବ ଆମ ଶତ୍ରୁ ରାଜ୍ୟଗୁଡ଼ିକୁ ପର୍ଯ୍ୟବେକ୍ଷଣ କରିବା ଦିଗରେ ଓ ତୃତୀୟଟି ...’’

 

ବୃଦ୍ଧ ସେପିଲୋଭ୍‌ଙ୍କ ମୁହଁରୁ କଥା ଛଡ଼ାଇ ନେଇ ବୃଦ୍ଧ ପାଲାଭିନ୍‌ କହିଲେ, ‘‘...ମଧ୍ୟ ସେଇ ଶତ୍ରୁ ରାଜ୍ୟଆଡ଼େ । ତେବେ ତୃତୀୟର କେବଳ କାମ ହେବ ଶତ୍ରୁରାଜ୍ୟର ବଡ଼ ବଡ଼ ନୌଘାଟି, ବ୍ୟବସାୟ ଓ ବାଣିଜ୍ୟ କେନ୍ଦ୍ର ଆଦିକୁ ଠାବ କରି ସେମାନଙ୍କର ଦ୍ରାଘିମା ଆକ୍ଷାଂଶ ଆଦି ମାପିବା ।’’

 

ଏତକ କହି ବୃଦ୍ଧ ପାଲାଭିନ୍‌ ବୃଦ୍ଧ ସେପିଲୋଭ୍‌ଙ୍କ କାନ୍ଧରେ ହାତ ରଖି ହସି ହସି ବେଦମ୍‌ ହୋଇଗଲେ । ଦୁଇ ବୃଦ୍ଧଙ୍କ ଏ ହାସ୍ୟରୋଳ ଦେଖି ଅନ୍ୟମାନେ ନହସି ରହି ପାରିଲେ ନାହିଁ ।

 

କିଛି ସମୟପରେ ବୃଦ୍ଧ ପାଲାଭିନ୍‌ ହାସ୍ୟ ସମ୍ୱରଣ ଲେନାକୁ ପଚାରିଲେ, ‘‘ଏଥର ବୁଝିପାରିଲ ଲେନା, ତିନୋଟି ପର୍ଯ୍ୟବେଣାଗାରର ତାତ୍ପର୍ଯ୍ୟ କଅଣ ? ତୁମେ ଏଥିଭିତରୁ କେଉଁ ପର୍ଯ୍ୟବେକ୍ଷଣାଗାରର ଦାୟିତ୍ୱ ନେବାକୁ ଚାହୁଁଛ ମୁଁ ଶୁଣେ ।’’ ବୃଦ୍ଧଙ୍କ ମୁଖରେ ପୁଣି ପୂର୍ବଭଳି ହସ ।

 

ଲେନା ବୃଦ୍ଧଦ୍ୱୟଙ୍କ କଥାରୁ କିଛି ବୁଝିପାରିଲାନି । ବଡ଼ ଅସହାୟ ହୋଇ ଆଲେସ୍କିଙ୍କ ଆଡ଼େ ଅନାଇ ରହିଲା ଏହି ରହସ୍ୟ ସମ୍ୱନ୍ଧରେ କିଛି ଇସାରା ପାଇବା ପାଇଁ । ଆଲେସ୍କି ମଧ୍ୟ ସେ ପର୍ଯ୍ୟନ୍ତ ନିଜର ହାସ୍ୟ ସମ୍ୱରଣ କରି ପାରି ନ ଥିଲେ ।

 

କିଛି ସମୟ ପରେ ପାଲାଭିନ୍‌ ଲେନାଙ୍କଆଡ଼କୁ ଅନାଇ କହିଲେ-‘‘ବୁଝିଲ ଲେନା, କିଛିଦିନ ତଳେ ଆମ ମାନମନ୍ଦିରରେ ଯେଉଁ ଅଧିବେଶନ ବସିଥିଲା, ସେଥିରେ ସଭ୍ୟ ଲିଓନୋଭ୍‌ ପ୍ରସ୍ତାବ କରିଥିଲେ ଯେ, ଆମେ ଏହି କୃତ୍ରିମ ଉପଗ୍ରହ ସାହାଯ୍ୟରେ ଶତ୍ରୁ ରାଜ୍ୟ ଉପରେ ଦୃଷ୍ଟି ରଖି ଯୁଦ୍ଧ ସମୟରେ ଏହି କୃତ୍ରିମ ଉପଗ୍ରହରୁ ତାହା ଉପରେ ଆକ୍ରମଣ ଚଳାଇ ପାରିବା । ସେହି ସଭ୍ୟଙ୍କ ଏଭଳି ବକ୍ତବ୍ୟରେ ସେଦିନ ସଭାରେ ଭାରି ଗଣ୍ଡଗୋଳ ହୋଇଥିଲା ଓ ସେହି ସଭ୍ୟ ତାଙ୍କର ବକ୍ତବ୍ୟକୁ ପ୍ରତ୍ୟାହାର କରିନେବାକୁ ବାଧ୍ୟ ହୋଇଥିଲେ । ସେଇ ସଭ୍ୟଙ୍କ ବକ୍ତବ୍ୟକୁ ରହସ୍ୟ କରି ସେପିଲୋଭ୍‌ ତୁମକୁ ସେପରି କହୁଛନ୍ତି । କୃତ୍ରିମ ଉପଗ୍ରହରେ ତିନୋଟି ପର୍ଯ୍ୟବେକ୍ଷଣାଗାର କରାଯାଇଛି ବହୁ ଚିନ୍ତା ଓ ଆଲୋଚନା ପରେ । କୃତ୍ରିମ ଉପଗ୍ରହରେ ପ୍ରତ୍ୟେକ ପର୍ଯ୍ୟବେକ୍ଷଣାଗାରର ଭିନ୍ନ ଭିନ୍ନ କାର୍ଯ୍ୟ ଅଛି । ତୁମେ ସେ ସମ୍ୱନ୍ଧରେ ଆଲେସ୍କିଙ୍କଠାରୁ ଖୁବ୍‌ଭଲ ଭାବରେ ବୁଝିପାରିବ ।’’

Image

 

ତିନି

 

କେନ୍ଦ୍ର ରାଜଧାନୀର ଭୂଗର୍ଭ-ରେଳପଥ ପୃଥିବୀର ସମସ୍ତ ଭୂଗର୍ଭ ରେଳପଥମାନଙ୍କ ଭିତରେ ସୁନ୍ଦରତମ ବୋଲି ଖ୍ୟାତ । ଅସଂଖ୍ୟ ପ୍ରକାର ବିଦ୍ୟୁତ୍‌ ଆଲୋକର ପ୍ରଭାରେ ଭୂଗର୍ଭର ଅନ୍ଧକାର କେଉଁ ଅଜଣା ରାଜ୍ୟରେ ଯାଇ ଲୁଚିଛି । ବିଦ୍ୟୁତବତିର ମଧୁର ଆଲୋକ ଶଙ୍ଖମଲମଲ କାନ୍ଥକୁ ଉଦ୍‌ଭାସିତ କରୁଛି । ଏ କାନ୍ଥଗୁଡ଼ିକରେ ଖୋଦିତ ଶତ ଶତ ମୂର୍ତ୍ତି ବିଭିନ୍ନ ଅଙ୍ଗଭଙ୍ଗୀ ଓ ରୂପରେ ସହର ଅଧିବାସୀଙ୍କ କଳାଚାତୁରୀର ଜୟଗାନ କରୁଛି । ଠାଏ ଠାଏ ଗତିଶୀଳ ପାହାଚରେ ଯାତ୍ରୀମାନଙ୍କର ଉପର ତଳ ଚଳାଚଳରେ ଭୂମିତଳ ବାୟୁମଣ୍ଡଳ ମୁଖରିତ । ସେଥି ସଙ୍ଗେ ରେଳଗାଡ଼ିଗୁଡ଼ିକର ନିରବିଚ୍ଛିନ୍ନସ୍ରୋତ ଭୂମିତଳ ଷ୍ଟେସନକୁ ଏକ ଅପୂର୍ବ ଶବ୍ଦରେ କୋଳାହଳମୟ କରୁଛି ।

 

ଦୀର୍ଘ ଚାରିବର୍ଷ ପରେ ନିଜ ଜନ୍ମସ୍ଥାନ କେନ୍ଦ୍ର ରାଜଧାନୀକୁ ଫେରି ଆଲେସ୍କିଙ୍କୁ ଏସବୁ କିପରି ନୂଆ ନୂଆ ଲାଗୁଥାଏ; ସତେ ଯେପରି ସେ ଏସବୁ କେବେ ଦେଖି ନ ଥିଲେ । ଏକ ସ୍ୱର୍ଗୀୟ ଆନନ୍ଦରେ ତାଙ୍କ ମନ ନାଚି ଉଠୁଥାଏ । ଅତି ଅସଂଲଗ୍ନ ଭାବରେ ମନେ ପଡ଼ିଯାଉଥାଏ, ଏ ହେଉଛି ସେହି ନଗରୀ; ଯେଉଁଠାରେ ସେ ନିଜର ବାଲ୍ୟଶିକ୍ଷାଠାରୁ ଆରମ୍ଭ କରି ବିଜ୍ଞାନର ଉଚ୍ଚତମ ଡିଗ୍ରୀ ହାସଲ ଓ ଗବେଷଣା ଆଦି ସବୁ କାମ କରି ଜୀବନର ତିରିଶଟି ମଧୁବସନ୍ତ ବିତାଇ ଦେଇଛନ୍ତି । ଏଥି ସଙ୍ଗେ ସଙ୍ଗେ ଅତୀତ ଜୀବନର ଆହୁରି କେତେ ଅଲିଭା ସ୍ମୃତି ମନେ ପଡ଼ିବାରୁ ଆଲେସ୍କିଙ୍କ ମନ ଉଲ୍ଲସିତ ହୋଇ ଉଠୁଥାଏ ।

 

ଆଲେସ୍କି କୃତ୍ରିମ ଉପଗ୍ରହର ଦଳପତି ହୋଇ ମହାଶୂନ୍ୟକୁ ଯିବା ପୂର୍ବରୁ ନିଜ ଜନ୍ମସ୍ଥାନ କେନ୍ଦ୍ର ରାଜଧାନୀକୁ ଆସିଥାନ୍ତି, ନିଜର ପିତାମାତା ଓ ବନ୍ଧୁବାନ୍ଧବମାନଙ୍କୁ ଠାରୁ ବିଦାୟ ନେବାପାଇଁ-। ନିଜର ପ୍ରେୟସୀ ମେରିନା ସହିତ ସାକ୍ଷାତ୍‌ କରି ତା’ଠାରୁ ବିଦାୟ ନେବାପାଇଁ ସେଦିନ ସେ ବାହାରି ପଡ଼ିଥାନ୍ତି ମେରିନାର ଘରଆଡ଼େ । ଭୂମିତଳ ରେଳପଥ ଦେଇ ଗଲେ ମେରିନାର ଘରଠାରେ ଶୀଘ୍ର ପହଞ୍ଚି ହେବ ଭାବି, ସେ ସେଦିନ ବସ୍‌ରେ ନଯାଇ ଷ୍ଟେସନରେ ଆସି ହାଜର । ଇତି ମଧ୍ୟରେ ଏଇ ଷ୍ଟେସନର ଯେଉଁ ସବୁ ଅଭୁତପୂର୍ବ ଉନ୍ନତି ହୋଇଯାଇଛି । ସେସବୁକୁ ଦେଖିବା ତାଙ୍କର ଆଉ ଏକ ଲକ୍ଷ୍ୟ ଥାଏ । ଷ୍ଟେସନ ଭିତରକୁ ଆସିଲାବେଳେ ସେ ଷ୍ଟେସନର ସୁସଜ୍ଜିତ ତୋରଣଦ୍ୱାର ଦେଖି ଚକିତ ହୋଇ ଯାଇଥାନ୍ତି ।

 

ଅଭିପ୍ରେତ ଷ୍ଟେସନକୁ ଯିବାପାଇଁ ଗାଡ଼ି ଆସିବା ଡେରି ଥାଏ । ପ୍ଲାଟଫର୍ମର ମାର୍ବଲ ବେଦୀ ଉପରେ ନ ବସି ସେ ଷ୍ଟେସନର ମାର୍ବଲ କାନ୍ଥରେ ଖୋଦିତ ଅସଂଖ୍ୟ ମୂର୍ତ୍ତି ଓ ଚାରୁକଳାକୁ ବୁଲି ବୁଲି ଦେଖିବାକୁ ଲାଗିଲେ । ବୁଲୁ ବୁଲୁ ଅତର୍କିତ ଭାବରେ ସୁଦୂର ଅତୀତର ଶତ ଲୀନ ସ୍କୃତିରେଖା ମନେପଡ଼ି ଯାଉଥାଏ । ଜୁଆର-ପାଣି ପରି କେତେ ଆଶା, କେତେ ସ୍ୱପ୍ନ, କେତେ ସଙ୍ଗୀତ, କେତେ କବିତା ମନ ଉପରଦେଇ ଯେ ଚାଲିଯାଉ ଥାଏ, ତାର ଇୟତ୍ତା ନାହିଁ ।

 

ପାଖ ଦେଇ କେତେ ଯୁବକ ଯୁବତୀ ମନ ଆନନ୍ଦରେ ନିଜ ନିଜର ବନ୍ଧୁ ସହୋଦରଙ୍କୁ ଘେନି ଷ୍ଟେସନର ଏଆଡ଼େ ସେଆଡ଼େ ଯାଉଥାନ୍ତି । ସେଆଡ଼କୁ ଆଲେସ୍କିଙ୍କର ଦୃଷ୍ଟି ନ ଥାଏ । ସେ ତାଙ୍କର ମନପ୍ରାଣ ଢାଳିଦେଇ ଅଦୂରବର୍ତ୍ତୀ ଉଚ୍ଚ କଳାଚାତୁରୀର ପୂର୍ଣ୍ଣବିକାଶ ନେଇ ମହାତ୍ମା ଲେନିନ୍‌ଙ୍କର ଏକ ମାର୍ବଲ ପ୍ରତିମୂର୍ତ୍ତ ନିକଟରେ ଠିଆହୋଇ ମନେମନେ କଳାକାରର ଅପୂର୍ବ କଳାଚାତୁରୀର ପ୍ରଶଂସାରେ ବ୍ୟସ୍ତ । ହଠାତ୍‌ ଦୁଇ ତିନୋଟି ଝିଅଙ୍କର କୋକିଳ କଣ୍ଠରେ ସେ ଚମକି ପଡ଼ିଲେ । କିଛି ସମୟ ପାଇଁ ସେ ଗତିଶୀଳ ପାହାଚରୁ ଓହ୍ଲାଇ ନିଜ ଆଡ଼କୁ ଆସୁଥିବା ଦୁଇ ତିନୋଟି ଝିଅ ଓ ଦୁଇ ତିନୋଟି ପୁଅଙ୍କର ଏକ ଦଳଆଡ଼କୁ ଅନାଇ ପୁଣି ସେହି ପ୍ରତିମୂର୍ତ୍ତି ଆଡ଼କୁ ଦୃଷ୍ଟି ଫେରାଇ ଆଣିଲେ । ତାଙ୍କ ଆଡ଼କୁ ଆସୁଥିବା ଦଳଟି ତାଙ୍କୁ ଟପି ଗଲାବେଳେ ହଠାତ୍‌ ଦଳ ଭିତରୁ କିଏ ଜଣେ ଝିଅ ସବିସ୍ମୟ ଚିତ୍କାର କରି ତାଙ୍କ ଆଡ଼କୁ ଧାଇଁଆସିଲା-‘‘ଆଲେସ୍କି, ଆଲେସ୍କି, ତୁମେ ଯେ ଏଠାରେ ?’’

 

ନିଜର ନାମ ଉଚ୍ଚାରଣ ଶୁଣି ଆଲେସ୍କି ଚମକିପଡ଼ି ତାଙ୍କ ଆଡ଼କୁ ଦୌଡ଼ିଆସୁଥିବା ଝିଅଟି ପ୍ରତି ଅନାଇଁ ରହିଲେ । ଦେଖିଲେ, ମେରିନା ସେ ଦଳ ଭିତରୁ ବାହାରି ତାଙ୍କ ଆଡ଼କୁ ଦୌଡ଼ିଆସୁଛି ପବନ ବେଗରେ । ମେରିନାକୁ ଦେଖି ଆଲେସ୍କିଙ୍କ ପାଟିରୁ ସ୍ୱତଃ ବାହାରି ପଡ଼ିଲା, ‘‘ମେରିନା, ମେରିନା, ତୁମେ !’’

 

ଏତକ କହି ସେ ଧାଇଁଆସୁଥିବା ମେରିନା ଆଡ଼କୁ ମୁହଁ କରିଛନ୍ତି କି ନାହିଁ, ଦେଖିଲେ ସେ ଆସି ତାଙ୍କ ପାଖାପାଖି ହୋଇଗଲାଣି । ମେରିନାର ଧାବମାନ ଶରୀର କିପରି ହଠାତ୍‌ ଅସ୍ୱାଭାବିକ ଭାବରେ ଦୋହଲି ଗଲାଭଳି ତାଙ୍କୁ ଲାଗିଲା । ମନେ ହେଲା ମେରିନା ସତେ ପଡ଼ିଯିବ କି କଅଣ ? ଆଲେସ୍କି ହାତ ବଢ଼ାଇ ଦେଲେ ମେରିନା ଆଡ଼କୁ । ମାର୍ବଲ ଚଟାଣରେ ହଠାତ୍‌ ହାଇହିଲ୍‌ ଜୋତା ଖସିଗଲାରୁ ମେରିନା କିଞ୍ଚିତ୍‌ ଦୋହଲିଯାଇ ପଡ଼ିଯାଉଥିଲା । ଆଲେସ୍କିଙ୍କ ପ୍ରସାରିତ ବାହୁଯୁଗଳର ତାଙ୍କୁ ସେ ବିପଦରୁ ରକ୍ଷାକରି ନେଲା । ମେରିନାର ପତୋନ୍ନୁଖ ଦୋଳାୟିତ ଶରୀରଟି ରହିଗଲା ଆଲେସ୍କିଙ୍କର ଦୀର୍ଘ ବାହୁଯୁଗଳ ଭିତରେ । ତାହାର ଉନ୍ନତ ବକ୍ଷ ମନକୁ ମନ ଭିଡ଼ ହୋଇଆସିଲା ଆଲେସ୍କିଙ୍କର ସୁବିସ୍ତୃତ ବକ୍ଷସହ ଅତି ଅସ୍ୱାଭାବିକ ଭାବରେ । ବହୁବର୍ଷର ବିଚ୍ଛେଦ ପରେ ଅତୃପ୍ତ ଆତ୍ମା ଦୁଇଟି ପରସ୍ପରକୁ ପାଇ ସତେ ଯେପରି ଆଉ ସବୁ କଥା ଭୁଲିଗଲେ ।

 

ମେରିନାର ଏହିଭଳି ଅସ୍ୱାଭାବିକ ମିଳନରେ ଅଦୂରରେ ଠିଆ ହୋଇଥିବା ବନ୍ଧୁମାନେ ଖିଲ୍‌ଖିଲ୍‌ ହସରେ ଭୂମିତଳେ ଷ୍ଟେସନଟିକୁ କମ୍ପାଇ ଦେଲେ । ଷ୍ଟେସନରେ ଯାଉଥିବା ଅନ୍ୟାନ୍ୟ ଯାତ୍ରୀମାନେ କ୍ଷଣକପାଇଁ ଦୁଇ ବନ୍ଧୁଙ୍କର ଏହି ଅପୂର୍ବ ମିଳନଆଡ଼େ ଦୃଷ୍ଟି ନିବଦ୍ଧ ନକରି ରହି ପାରିଲେ ନାହିଁ ।

 

କିଛି ସମୟ ପରେ ପ୍ରକୃତିସ୍ଥ ହୋଇ ଆଲେସ୍କି ପଚାରିଲେ,‘‘ମେରିନା ! ତୁମେ ଏତେ ଅସାବଧାନ ହୋଇପଡ଼ିଲ କାହିଁକି ?

 

‘‘ତୁମକୁ ଦେଖି–’’

 

‘‘ମୁଁ ନଥିଲେ ତୁମକୁ ଧରିଥାନ୍ତା କିଏ କହିଲ ? ତୁମେ ଏତେବେଳକୁ ଚଟାଣରେ ପଡ଼ି ଲହୁ-ଲୁହାଣ ହୋଇସାରନ୍ତଣି ଯେ ?’’

 

‘‘ବାଃ ରେ, ତୁମେ ନ ଥିଲେ ମୁଁ ଏଆଡ଼କୁ ଦୌଡ଼ିଆସିଥାନ୍ତି କାହିଁକି ?’’

 

‘‘ତା ହେଲେ କ’ଣ ତୁମେ କହୁଛ ଯେ ତୁମର ଏହି ଅକସ୍ମାତ୍‌ପତନ ପାଇଁ ମୁଁ ଦାୟୀ ?’’

 

‘‘ଆଉ ମୋ ପତନ ପାଇଁ ତୁମେ ଦାୟୀ ନୁହଁ, କ’ଣ ମୁଁ ଦାୟୀ ?’’

 

‘‘ବାଃ, ଚାଲି ନ ଜାଣି ରାସ୍ତାର ଦୋଷ । ମୁଁ ତୁମକୁ ରକ୍ଷାକଲି, ପୁଣି ଦୋଷ ମୋର ।’’

 

ଦୁଇବନ୍ଧୁଙ୍କର ଏହି କଥୋପକଥନ ଭିତରେ ମେରିନା ପୂରାପୁରି ଆବଦ୍ଧ ଥାଏ ଆଲେସ୍କିଙ୍କର ବାହୁଯୁଗଳ ଭିତରେ । ମେରିନାର ବକ୍ଷ ପୂର୍ବଭଳି ଭିଡ଼ି ରହିଥାଏ ଆଲେସ୍କିଙ୍କର ବକ୍ଷ ସହିତ । ଆଲେସ୍କିଙ୍କର ପ୍ରଖର ଉଷ୍ମ ଶ୍ୱାସ ମେରିନାର ରକ୍ତ-ଗୋଲାପ ନିନ୍ଦୀ କପୋଳ ଉପରେ ଆଘାତ କରୁଥାଏ, ଅବିକଳ କୂଳରେ ପିଟିହୋଇ ଫେରିଯାଉଥିବା ସମୁଦ୍ରର ଅସଂଖ୍ୟ ବୀଚିମାଳା ଭଳି । ତାର କ୍ଷୀଣ କଟିକୁ ଆବେଷ୍ଟନ କରିଥିବା ଆଲେସ୍କିଙ୍କର ବାହୁଯୁଗଳ ଉପରେ ଆହୁରି ଟିକିଏ ଲଦି ହୋଇପଡ଼ି ମେରିନା ଟିକିଏ ମୁରବିତ୍ୱ କରି କହିଲା-‘‘ଛାଡ଼ ସେକଥା, କୁହ ତ ତୁମେ ଏଠାରେ କାହିଁକି ଓ କିପରି ? କାହିଁ, ତୁମେ ଘରକୁ ଆସିଛ ବୋଲି ମୋତେ ତ ଟିକିଏ ବି ଜଣାଇନାହଁ ?’’ ଶାସନ ବ୍ୟଞ୍ଜକ ସ୍ୱରରେ ଏତକ କହି ମେରିନା ଆଲେସ୍କିଙ୍କଠାରୁ କୈଫିୟତ୍‌ ଦାବି କରି ବସିଲା ।

 

‘‘ତୁମକୁ କ’ଣ ଟିକିଏ ବି ସଂକୋଚ ଲାଗୁନି ମେରିନା ? ତୁମେ ଏଭଳି ଅବସ୍ଥାରେ ଥାଇ ମୋଠାରୁ କୈଫିୟତ୍‌ ତଲବ୍‌ କରୁଚ ? ଇତିମଧ୍ୟରେ ତୁମେ କ’ଣ ସାରା ଦୁନିଆଟାକୁ ଭୁଲିଗଲଣି ? ତୁମେ କେଉଁଠି ଓ କେଉଁ ଅବସ୍ଥାରେ ଥାଇ ମୋତେ ପଚାରୁଚ, ହୃଦୟଙ୍ଗମ କରିପାରୁଚ ମେରିନା ? ତୁମର ବନ୍ଧୁମାନେ ସେଠାରେ ଠିଆହୋଇ ତୁମର ଏହି ଅଭଦ୍ରାମୀ ଦେଖି କ’ଣ ଭାବୁଥିବେ କୁହ ତ-? ଆଉ ଲୋକେ କ’ଣ ଭାବିବେ ତୁମର ଏ ଅବସ୍ଥା ଦେଖି ?’’

 

ଆଲେସ୍କିଙ୍କଠାରୁ ଏଇ କଥା କେତେ ପଦ ଶୁଣି ମେରିନାର ଛାତି ଦାଉଁକିନା ହୋଇଗଲା । ସେ କେଉଁଠି ଠିଆହୋଇ ଆଲେସ୍କିଙ୍କୁ ଏତେ ପଚାରୁଛି; ପ୍ରଥମରୁ ସେଆଡ଼କୁ ଖିଆଲ ନଥିଲେ ହେଁ ଆଲେସ୍କିଙ୍କର ସତର୍କବାଣୀରୁ ସବୁ ମନେପଡ଼ିଗଲା । ଓଃ, ସେ କରୁଛି କ’ଣ-? ତା’ର ବନ୍ଧୁମାନେ ତାକୁ କ’ଣ ଭାବୁଥିବେ ସତେ ? ଏହା ଭାବି ମେରିନା ନିଜକୁ ଆଲେସ୍କିଙ୍କ ବାହୁବନ୍ଧନରୁ ମୁକୁଳାଇ ନେଇ ଗୋଟିଏ ସୁକୁମାରୀ ଝିଅଭଳି ଟିକିଏ ଦୂରେଇଯାଇ ଠିଆହେଲା-। ବିଦ୍ୟୁତର ଏକ ଅପୂର୍ବ ଶିହରଣ ଖେଳିଗଲା ତା’ର ଶରୀର ଗୋଟାଯାକ । ବାସ୍ତବିକ୍‌ ସେ କେଡ଼େ ଅଲାଜୁକୀଟାଏ ? ବନ୍ଧୁମାନେ ତାକୁ ସତେ କେତେ କ’ଣ ଭାବୁ ନଥିବେ । ସେ ନିଜର ଏହି କାମପାଇଁ ଲଜ୍ଜାରେ ଏତେ ମ୍ରିୟମାଣ ହୋଇପଡ଼ିଲା ଯେ ବନ୍ଧୁମାନଙ୍କ ଆଡ଼କୁ ଅନାଇବାକୁ ତା’ର ଆଉ ସାହସ ହେଲାନି ।

 

ଅଦୂରବର୍ତ୍ତୀ ବନ୍ଧୁମାନେ ମେରିନା ନିକଟକୁ ପାଖେଇ ଆସି ସେମାନଙ୍କ ଉତ୍ତାଳ ହସରେ ସ୍ଥାନଟିକୁ ଆହୁରି କମ୍ପାଇ ଦେଲେ । ଦଳଭିତରୁ ସଙ୍ଗିନୀ ଫ୍ଲୋରା ମେରିନା ନିକଟକୁ ଆହୁରି ପାଖେଇ ଆସି ତାହାକୁ ଲକ୍ଷ୍ୟ କରି ହସି ହସି କହିଲା–ଆମକୁ କ’ଣ ଆଲୋକ ବନ୍ଦ କରିଦେଇ ଷ୍ଟେସନଟିକୁ ଅନ୍ଧାର କରି ଦେବାକୁ ପଡ଼ିବ ମେରିନା ? ତୁମେ ସତରେ ପଡ଼ିଯାଉଥିଲ, ନା ବନ୍ଧୁଙ୍କୁ ଦେଖି ପଡ଼ିଯିବାର ଅଭିନୟ କଲ ସଙ୍ଗିନୀ ?’’

 

ଚଞ୍ଚଳ କଟାକ୍ଷପାତ କରି ସଙ୍ଗିନୀ ମେରିଆ ପଚାରିଲା, ‘‘ତୁମେ ଆଜି ପଡ଼ିଯିବାର ଅଭିନୟ କରି ନ ଥିଲେ ଆମେ ଏ ଯୁଗଳ ମିଳନର ଦୃଶ୍ୟ ଦେଖି ନ ଥାନ୍ତୁ ଭଉଣି !’’

 

ସଙ୍ଗିନୀମାନଙ୍କର ଏଭଳି କଡ଼ା ମନ୍ତବ୍ୟରେ ମେରିନା ବଡ଼ ସଙ୍କୁଚିତା ହୋଇପଡ଼ିଲା । ମେରିନା ସେମାନଙ୍କୁ କ’ଣ ଯେ ଉତ୍ତର ଦେବ, ସେମାନଙ୍କ ମୁହଁକୁ ବା କିପରି ଅନାଇବ ଭାବିପାରିଲାନି । ତଳକୁ ମୁହଁପୋତି ଜୋତାର ମୁଣ୍ଡରେ ମାର୍ବଲ ଚଟାଣ ଉପରେ କେବଳ ସାମାନ୍ୟ ଗାର କାଟିବାକୁ ଲାଗିଲା । ମୁହଁଟେକି ବନ୍ଧୁମାନଙ୍କୁ କିଛି କହିବା ପାଇଁ ତା’ର ସାହାସ ହେଲାନି ।

 

ଏହିଭଳି କିଛି ସମୟ କଟିଗଲା ପରେ ମେରିନାର ଯୁବକ ବନ୍ଧୁ ଶାଟ୍ରୋଭ ନିସ୍ତବ୍‌ଧତା ଭଙ୍ଗକରି କହିଲେ,‘‘ତୁମର ଏ ଅସ୍ୱାଭାବିକ ନୀରବତାଦ୍ୱାରା ଘଟଣାଟିକୁ ଆହୁରି ଜଟିଳ କରିନି ମେରିନା ! ଦୁନିଆର ସବୁ ଶିଷ୍ଟାଚାର ଯେ ତୁମେ ଏଭଳିଭାବରେ ଭୁଲିଯିବ, ଆମେ ଆଶା କରି ନଥିଲୁଁ । କେହି କାହାକୁ ନଜାଣି ଆମେ କଣ ଏଠାରେ ଏଭଳି ଭାବରେ ଠିଆ ହୋଇ ରହିଥିବୁ ?’’

 

ଶାଟ୍ରୋଭଙ୍କ କଥାରେ ହଠାତ୍‌ ମେରିନାର ମନେ ପଡ଼ିଗଲା । ହଁ ସତେ ତ; ତାର ନୀରବତା ଘଟଣାକୁ ଆହୁରି ଜଟିଳ କରିପକାଉଛି । ଓଃ, ସେ କେଡ଼େ ଓଲିଟାଏ ସତରେ ! ହଠାତ୍‌ ନୀରବତା ଭଙ୍ଗକରି ଫିସ୍‌ଫିସ୍‌ କରି ହସି ପକାଇଲା ମେରୀନା । ‘‘ଓଃ, ମୁଁ ତୁମମାନଙ୍କୁ ଏପରି ଭାବରେ ଏତେ ସମୟ ଧରି ଠିଆ କରାଇ ବଡ଼ ଦୋଷ କରିଛି । ସେ ଆଲେସ୍କିଙ୍କ ଆଡ଼କୁ ଅଙ୍ଗୁଳି ଦେଖାଇ ତାର ବନ୍ଧୁମାନଙ୍କୁ କହିଲା, ‘‘ଏ ହେଉଛନ୍ତି ମୋର ବନ୍ଧୁ ଆଲେସ୍କି ମେଡ଼ୋଭସ୍କି, ଆମର ସୁବିଖ୍ୟାତ ଲେନିନ୍‌ ମାନମନ୍ଦିରର ସହକାରୀ ଡିରେକ୍ଟର ।’’

 

ସେ ପୁଣି ବନ୍ଧୁମାନଙ୍କ ଆଡ଼କୁ ଲକ୍ଷ୍ୟକରି କହିଲା,‘‘ଏ ହେଉଛି ମୋର ବନ୍ଧୁ ଫ୍ଲୋରା, ସେ ମେରିଆ, ସେ ଶାଟ୍ରୋଭ, ସେ ଜୋରକିନ୍‌ । ଆମେ ସମସ୍ତେ ଅଧ୍ୟାପକ ଲାଗୋଡ଼େଙ୍କୋଙ୍କ ଅଧୀନରେ ଗବେଷଣା କରୁ । ଆମେ ବର୍ତ୍ତମାନ ଗବେଷଣାଗାରରୁ ଫେରୁଛୁଁ; ଏହିଠାରୁ ଅଲଗା ଅଲଗା ହୋଇ ଘରକୁ ଯିବୁ ।’’

 

ମେରିନା ଏତକ ଶେଷ କରିଛି କି ନାହିଁ, ହଠାତ୍‌ ସୋକୋଲନିନି ଷ୍ଟେସନକୁ ଯିବା ପାଇଁ ଟ୍ରେନ ଆସିଗଲା । ତରତର ହୋଇ ମେରିନାର ବନ୍ଧୁମାନେ ତାକୁ ଛାଡ଼ି ଟ୍ରେନ ଧରିବାପାଇଁ ବାହାରିଗଲେ । ଯିବାବେଳେ ମେରିଆ ଆଲେସ୍କିଠାରୁ ବିଦାୟ ନେଇ କହିଲା, ‘‘ଆମେ ଆପଣଙ୍କୁ ଭେଟି ଖୁବ୍‌ଖୁସି ହେଲୁ ଡକ୍ଟର ! ଆପଣ ବୋଧହୁଏ କିଛିଦିନ ପାଇଁ ଏଠାରେ ନିଶ୍ଚୟ ରହୁଛନ୍ତି । ଆପଣ ଯଦି ଦୟାକରି ଆମ ଗବେଷଣାଗାର ଆଡ଼କୁ ଆସନ୍ତି, ତେବେ ଆମେ ଖୁବ୍‌ଖୁସି ହୁଅନ୍ତୁ । ହେଉ, ଯାଉଛୁଁ ଆମେ, କିନ୍ତୁ ଆମ ସୁକୁମାରୀ ବନ୍ଧୁଟି ଆପଣଙ୍କୁ ଲାଗିଲା ।’’ ହସି ହସି ତା’ର ମନମତାଣିଆ ଆଖିକୁ ନଚାଇ ମେରିଆ ଅନ୍ୟ ସଙ୍ଗୀମାନଙ୍କୁ ଧରି ଗାଡ଼ି ଧରିବା ପାଇଁ ଚାଲିଗଲା । ଗଲାବେଳେ ମେରିନା ଆଡ଼କୁ ଅନାଇ କହିଦେଇ ଗଲା-‘‘ଆମେ ଯାଉଛୁ ମେରିନା ତୁ ତୋ ବନ୍ଧୁଙ୍କ ନିକଟରେ ଥା’ । କାଲି ଗବେଷଣାଗାରକୁ ବନ୍ଧୁକୁ ଆଣିବାକୁ ଯେପରି ନ ଭୁଲୁ । ଭୟ କରିବୁ ନାହିଁ ତୁ, ଆମେ ଭାଗ ପଡ଼ିବୁ ନାହିଁ ତୋ ସାଥିରେ ।’’

 

ଗଲାବେଳେ ଫ୍ଲୋରା ମେରିନାକୁ କଣେଇ କଣେଇ ଅନାଇ କ’ଣ କହିବାକୁ ଯାଉଥିଲା, କହି ପାରିଲାନି । ମେରିଆ ତା’ର ହାତ ଟାଣି ନେଇଗଲା । ମେରିନା ଓ ଆଲେସ୍କି ଦୁହେଁ ସେମାନଙ୍କ ଚାଲିଯାଉଥିବା ଗତିପଥ ଆଡ଼କୁ ଅନାଇ ରହିଲେ ।

 

ମେରିନା, ଫ୍ଲୋରା ଓ ମେରିଆ ଆଡ଼କୁ ଅଙ୍ଗୁଳି ଦେଖାଇ କହିଲା,‘‘ଏ ଝିଅ ଦିହେଁ କମ୍‌ଦୁଷ୍ଟ ନୁହନ୍ତି ଆଲେସ୍କି ! ସେମାନେ କଥା କହିଲାବେଳେ ସେମାନଙ୍କ ଆଖି ମୁହଁ କିପରି ଏକ ସଙ୍ଗରେ କଥାବାର୍ତ୍ତା କରେ ଦେଖିଲ ତ ? ଆଜିର ଏଇ ଘଟଣାକୁ ବଢ଼ାଇ ସେମାନେ କାଲି କେତେ ବଡ଼ କରି ଇନ୍‌ଷ୍ଟିଚିଉଟ୍‌ରେ ଯେ ପ୍ରଚାର କରିବେ ତା’ର ଇୟତ୍ତା ନାହିଁ ।’’

 

ଅନ୍ୟମନସ୍କ ଭାବରେ ଆଲେସ୍କି ଉତ୍ତର ଦେଲେ-‘‘ହଁ, ସବୁ ଝିଅଗୁଡ଼ାକ ଏକାଭଳି । କେହି କାହାରିକି ଊଣା ନୁହଁନ୍ତି ।’’

 

ଆଲେସ୍କିଙ୍କର ଉତ୍ତରରେ ମେରିନା ଟିକିଏ ରାଗିଯାଇ କହିଲା–‘‘ହୁଁ ? ଆଉ ପୁରୁଷଗୁଡ଼ାକ ? କାହାରିକୁ କିଛି ନ କହି ସବୁ କାମ ଚୁପ୍‌ଚାପ୍‌ କରି ଯାଉଥିବେ । କୁହ ତ, ତମେ ଘରକୁ ଆସିଚ; ଅଥଚ ମୋତେ ଟିକିଏ ବି ଜଣାଇ ନାହଁ ।’’

 

‘‘ଏଇ ଜଣାଇବାକୁ ତ ଯାଉଛି । ମୁଁ ତ କାଲି ଘରକୁ ଆସିଲି; ଆଜି ତୁମ ଘରକୁ ବାହାରିଛି । ଆଉ ଏ ଭିତରେ ମୋର ଦୋଷ ରହିଗଲା କେଉଁଠି ?’’

 

ଇତି ମଧ୍ୟରେ ମେରିନାର ଘର ଆଡ଼କୁ ଯିବାପାଇଁ ଟ୍ରେନ୍‌ ଆସିଯିବାରୁ ସେମାନେ କାଳବିଳମ୍ୱ ନ କରି ଗାଡ଼ିରେ ଚଢ଼ିଗଲେ ।

 

‘‘ବାପା, ବାପା’’ କହି ମେରିନା ନିଜ ଘର ଭିତରକୁ ପଶିଗଲା । ଆନନ୍ଦରେ ମନ ଏତେ ଉଡ଼ୁଛି ଯେ, ଗୋଡ଼ ଯେପରି ସତେ ତଳେ ଲାଗୁନି ତାର । ଆଲେସ୍କିଙ୍କୁ ପଛରେ ପକାଇ ସେ ପଶିଆସିଲା ପିତାଙ୍କ ବୈଠକଖାନାକୁ ଜଣାଇବା ପାଇଁ । ବୈଠକଖାନାର ଆରପାଖ ଘରୁ ଚାଲିଆସିଲେ ମେରିନାର ମାତା, ହାତରେ ଗର୍କିଙ୍କର ଖଣ୍ଡେ ଉପନ୍ୟାସ ‘ଫୋମାଇଡ଼୍‌ ୟେଭ୍‌’ ଧରି ।

 

‘ମା ମା, ଦେଖିଲୁଣି, ଆମ ଘରକୁ କିଏ ଆସିଛନ୍ତି ?’’ ମା‘ଙ୍କୁ କୁଣ୍ଡାଇ ପକାଇ କହିଲା ମେରିନା । ତାଙ୍କ ହାତରୁ ବହିଟା ଟାଣିପକାଇ, ଟେବୁଲ ଉପରେ ପକାଇ ଦେଇ ମା’ଙ୍କୁ ଧରି ଟାଣିଟାଣି ନେଲା ଦୁଆର ଆଡ଼କୁ । ସେଆଡ଼ୁ ଆଲେସ୍କି ଘର ଭିତରକୁ ପଶି ଆସୁଥିଲେ । ଆଲେସ୍କିଙ୍କୁ ଦେଖି ମେରିନାଙ୍କ ମାତା ଆନନ୍ଦରେ ଉଚ୍ଛ୍ୱାସିତ ହୋଇ ଉଠିଲେ । ‘‘କିଏ ଆଲେସ୍କି, ତୁମେ ବାପ ? ଯା’ ହେଉ, ତୁମ ପାଦ ଏତେ ଦିନେ ଏ ଘରେ ପଡ଼ିଲା । ଏହାଠାରୁ ଆଉ ଅଧିକ ଆନନ୍ଦ କ’ଣ ହୋଇପାରେ ? ଆସ, ଆର ଘରକୁ ଆସ ବାପ !’’-କହୁଁ କହୁଁ ବୃଦ୍ଧା ଆଲେସ୍କିଙ୍କୁ ପାଛୋଟି ନେଲେ ଘର ଭିତରକୁ । ବୈଠକଖାନାର ରବରଦିଆ ସୋଫାରେ ବସାଇ ବୃଦ୍ଧା ଆଲେସ୍କିଙ୍କୁ କେତେ ଜଣ ପଚାରିଲେ । ଆଲେସ୍କିଙ୍କ ବାପା, ମା କିପରି ଅଛନ୍ତି, ସେ ଏତେ ଦିନଧରି ମରୁପ୍ରାନ୍ତରେ କ’ଣ କରୁଥିଲେ; ଘରକୁ କାହିଁକି ଫେରୁ ନଥିଲେ, ନିଜ ଦେହପା ସବୁ ଭଲ ଥିଲା ତ ଆଦି ହେଉଛି ସେସବୁ ପ୍ରଶ୍ନ ଭିତରୁ ଗୋଟିଏ ଗୋଟିଏ । ଆଲେସ୍କିଙ୍କୁ ଦେଖି ବୃଦ୍ଧା ଏତେ ଖୁସି ହୋଇଯାଇଥିଲେ ଯେ, ଆଲେସ୍କିଙ୍କୁ କିପରି ଚର୍ଚ୍ଚା କରାଯିବ, ତାହା ସେ ପୂରାପୂରି ଭୁଲି ଯାଇଥିଲେ-

 

ମା’ଙ୍କୁ ଏପରି ଦେଖି ମେରିନା କହିଲା, ‘‘ତୁ ଖାଲି ତାଙ୍କୁ ପଚାରୁଥିବୁ ନା’ ତାଙ୍କର କିଛି ଚର୍ଚ୍ଚା କରିବୁ ମା ! ସେ ଯେ କେତେବେଳୁ ତାଙ୍କ ଘରୁ ବାହାରି ଆସିଲେଣି । ହଉ ମା, ତୁ କଥା କହୁଥା, ମୁଁ ଚା’ କରି ଆଣେ ।’’

 

ମେରିନା ଚାଲିଗଲା ଘର ଭିତରଆଡ଼େ ଆଲେସ୍କିଙ୍କ ପାଇଁ ଚା’ କରିବାକୁ । କିଛି ସମୟ ପରେ ସେ ଯେତେବେଳେ ଟ୍ରେରେ ଚା’ ଘେନିଆସିଲା, ସେତେବେଳ ପର୍ଯ୍ୟନ୍ତ ବୃଦ୍ଧା ଓ ଆଲେସ୍କିଙ୍କର କଥାବାର୍ତ୍ତା ସରି ନ ଥାଏ । ନିକଟବର୍ତ୍ତୀ ଟେବୁଲ ଉପରେ ଟ୍ରେ’ଟି ଥୋଇଦେଇ ପାଖ ସୋଫାରେ ବସିପଡ଼ିଲା ମେରିନା । କପ୍‌ରେ ଚା’ ଢାଳୁ ଢାଳୁ ପଚାରିଲା, ‘‘ମା, ବାପା ଆଜି କୁଆଡ଼େ ଯାଇଛନ୍ତି କି ? କାହିଁ ଏପର୍ଯ୍ୟନ୍ତ ତ ଆସି ନାହାନ୍ତି । ଆଲେସ୍କି ବାଟରେ ଆସିଲାବେଳେ ଗୋଟାଏ କଥା କହୁଥିଲେ, ମୁଁ ବାପାଙ୍କୁ କୁହନ୍ତି । ତୁ ଜାଣିଲୁଣିନା ମା, ଆଲେସ୍କି ତାଙ୍କ ମାନମନ୍ଦିରରୁ ଆଉ କୁଆଡ଼େ ଚାଲିଯାଉଛନ୍ତି ।’’

 

‘‘ଆଉ କେଉଁ ମାନମନ୍ଦିରକୁ ବଦଳି ହୋଇ ଯାଉଥିବ ।’’

‘‘ସେ ମାନମନ୍ଦିର ଏ ପୃଥିବୀପୃଷ୍ଠରେ ନୁହେଁ ମା ! ଏହି ପୃଥିବୀ ବାହାରେ ଏକ ମାନମନ୍ଦିରକୁ ।’’

‘‘ଏଁ ! ପୃଥିବୀ ବାହାରେ-? କ’ଣ ପୃଥିବୀ ବାହାରେ କୌଣସି ଗ୍ରହ, ଉପଗ୍ରହକୁ-? ତୁ କଣ ଯେ କହୁଚୁ, ମୁଁ କିଛି ବୁଝିପାରୁନି ତୋ’ କଥାରୁ ।’’

‘‘ହଁ ମା, ମୁଁ ସତ କହୁଚି ପରା ! ଗାଡ଼ିରେ ଆସିଲାବେଳେ ସେ ମୋତେ ଏ କଥା କହୁଥିଲେ । ଆମ ପୃଥିବୀ ଚାରିପାଖରେ ଯେପରି ଗୋଟାଏ ପ୍ରାକୃତିକ ଉପଗ୍ରହ ଘୂରୁଛି, ସେହିଭଳି ଏକ କୃତ୍ରିମ ଉପଗ୍ରହ ଆମ ଦେଶରେ ତିଆରି ହେଇଚି । ସେହି ଉପଗ୍ରହଟି ମହାଶୂନ୍ୟରେ ରହି ପୃଥିବୀ ଚାରିପାଖରେ ଘୂରିବ । ସେଥିରେ ପ୍ରାୟ ଷାଠିଏ ସରିକି ଲୋକ ଯିବେ । ସେଥିଭିତରେ ଚଳିବା ପାଇଁ ରହିବା କୋଠରି, କ୍ଲବ...’’

‘‘ଏସବୁ କୌଣସି ଲେଖକଙ୍କର ବୈଜ୍ଞାନିକ ଉପନ୍ୟାସ ପଢ଼ି ସେହି ଗପକୁ ତୋ ମା’କୁ ଶୁଣାଉଛୁ ନା କଅଣ ? ବେଶ୍‌ ବେଶ୍‌-’’

ଏହା କହି ଏତିକିବେଳେ ଘର ଭିତରକୁ ପଶିଆସିଲେ କୋଜେଲେସ୍କି, ମେରିନାର ପିତା । ହଠାତ୍‌ ପିତାଙ୍କୁ ଦେଖି ମେରିନା ଉଠିପଡ଼ିଲା ଓ ବାପା, ବାପା କହି ତାଙ୍କଠାକୁ ଦୌଡ଼ିଗଲା-। ‘‘ବାପା ଦେଖିଲଣି, କିଏ ଆଜି ଆମ ଘରକୁ ଆସିଛନ୍ତି ।’’

‘‘କିଏ, ମା ?’’

ସୋଫାରୁ ଉଠି ଆଲେସ୍କି ନମସ୍କାର କଲେ ବୃଦ୍ଧଙ୍କୁ !

‘‘ଓଃ ଆଲେସ୍କି ! ତୁମେ ଆଜି ଏ ସମୟରେ ବାପା ! ତୁମେ କେବେ ଆସିଲ ଲାଢ଼ାକିସ୍ଥାନରୁ ? ଦେହପା, ସବୁ ଭଲ ଅଛି ତ ? ତୁମ ବାପା କିପରି ଅଛନ୍ତି ? ବହୁଦିନ ହେଲା ମୁଁ ଆଉ ତମ ଘରଆଡ଼େ ଯାଇପାରିନି ପୁଅ !’’

ଆଲେସ୍କି ଧୀର ସ୍ଥିର ଭାବରେ ଉତ୍ତର ଦେଲେ ବୃଦ୍ଧଙ୍କର ପ୍ରଶ୍ନଗୁଡ଼ିକର ।

‘‘ହଉ ହଉ, ବସ ବସ ! କ’ଣ ଏ ପାଗଳୀର ଗପ ତୁମେ ବି ଶୁଣୁଥିଲ ? ମୁଁ ଭାବୁଥିଲି ତୁମ ମାଉସୀ କେବଳ ଶୁଣୁଥିଲେ ବୋଲି । ହଉ ହଉ ଶୁଣ, ମୁଁ ଆସୁଛି ।’’ ବୃଦ୍ଧ ବୈଠକଖାନାରୁ ଘର ଭିତରକୁ ଚାଲିଗଲେ ।

‘‘ଆହୁରି ଶୁଣିଛୁ ମା, ଆଲେସ୍କି ଯାଉଛନ୍ତି ସେହି କୃତ୍ରିମ ଉପଗ୍ରହରେ ଯାଉଥିବା ଲୋକଙ୍କ ଭିତରେ ଦଳପତି ହୋଇ । ମା, କି ସୁନ୍ଦର ସେ ଧାରଣା କହତ ? ମହାଶୂନ୍ୟ ଭିତରେ, ପୃଥିବୀ ଭିତରେ ରହିଲା ଭଳି ରହି ଆଲେସ୍କିଙ୍କର ଯେ କି ଅପୂର୍ବ ଅନୁଭୂତି ହେବ, ମୁଁ ଧାରଣା କରିପାରୁନି । ଓଃ, ମୁଁ ସେ ଦଳ ଭିତରେ ଯାଇପାରନ୍ତି କି ମା ! ମୋତେ ଭାରି ଭଲ ଲାଗନ୍ତା ପ୍ରକୃତରେ । କି ଅଦ୍ଭୁତ ଅନୁଭୂତି ହୁଅନ୍ତା ମୋର !’’

‘‘ଏ ପାଗଳୀ କଣ କହୁଛି, ସତ ନା ପୁଅ ? କିନ୍ତୁ ବାପା, ତମେ ଏତେ ଦୂରକୁ ଯିବ, ପୁଣି ଏ ମହାଶୂନ୍ୟ ଭିତରେ ! କେତେ ବିପଦ-ଆପଦ ଅଛି । ତୁମେ ଏଥିରେ ରାଜି ହେଲ କାହିଁକି ? ତୁମ ବାପା ମା ତୁମକୁ ଛାଡ଼ିବେ କେମିତି ?’’

‘‘କାହିଁକି, କ’ଣ ହୋଇଛି କି ମାଉସୀ ? କିଛି ତ ବିପଦ-ଆପଦର ସମ୍ଭାବନା ନାହିଁ । ଆମେ ଏଠି ଯେପରି ଅଛୁଁ, ସେଠାରେ ଠିକ୍‌ ସେହିପରି ରହିବୁ । ପୃଥିବୀର ସବୁ ଖବରଅନ୍ତର ଏଠି ଯେପରି ପାଉଛୁ, ସେଠି ମଧ୍ୟ ଠିକ୍‌ ସେହିପରି ପାଉଥିବୁ । ଏଠି କ’ଣ ଘଟୁଛି ଆମକୁ ସେ ସବୁ ତ ସଙ୍ଗେ ସଙ୍ଗେ ଜଣାପଡ଼ିଯାଉଥିବ ।’’

ଆଲେସ୍କିଙ୍କ କଥା ସରିଛି କି ନାହିଁ, ମେରିନାର ପିତା ପୋଷାକପତ୍ର ବଦଳାଇ ବୈଠକଖାନା ଭିତରକୁ ପଶି ଆସିଲେ । ମେରିନା ଆଡ଼କୁ ଅନାଇ ପଚାରିଲେ,‘‘ହଁ ମା, ତୁ କେଉଁ ବୈଜ୍ଞାନିକ ଉପନ୍ୟାସରୁ ସେ ଗପ ଶୁଣାଉଥିଲୁଟି ତୋ ମା’କୁ ? ଫଷ୍ଟୋଭସ୍କିଙ୍କ ‘ମଙ୍ଗଳ ଗ୍ରହ ଅଭିମୁଖେ’ ନା ରୁଜନିଗୋଭଙ୍କ ଅନୂଦିତ ‘ପୃଥିବୀ ବାହାରେ ମଣିଷ’ ବହିରୁ ?’’

‘‘ନା ବାପା, କେଉଁଥିରୁ ନୁହେଁ ତ ?’’

‘‘ଆରେ, ତୁ ଯେ କହୁଥିଲୁ, ମହାଶୂନ୍ୟରେ ରହିବା କୋଠରି, ଗାଧୁଆ ଘର, ପର୍ଯ୍ୟବେକ୍ଷଣାଗାର ଆଦି କଥା । ତା ହେଲେ ସେ ସବୁ କେଉଁଥିରୁ ?’’

‘‘ସେ ସବୁ ତ କୌଣସି ବହିରୁ ନୁହେଁ ।’’

‘‘ଆଉ କ’ଣ ସେ ସବୁ ତୋ ମନରୁ ? ବେଶ୍‌ ବେଶ୍‌ ! ବୈଜ୍ଞାନିକ ଗଳ୍ପ ଲେଖା ଦିଗରେ ଚେଷ୍ଟା କର । ଭଲ ଦିଗ ଗୋଟାଏ । ତୁମେମାନେ ବୈଜ୍ଞାନିକ ହୋଇ ଯଦି ସେ ଦିଗରେ ନ ଲେଖ, ତେବେ ବିଜ୍ଞାନ ସମ୍ୱନ୍ଧରେ କିଛି ଜାଣି ନଥିବା ସାଧାରଣ ଔପନ୍ୟାସିକମାନେ କ’ଣ ଲେଖିବେ ସେ ବିଷୟରେ ?’’

‘‘ଆପଣ କ’ଣ ଯେ କହୁଛନ୍ତି, ମୁଁ କିଛି ବୁଝିପାରୁନି ବାପା ! ଆପଣ କ’ଣ ଜାଣିନାହାନ୍ତି ଯେ, ଆମ ଦେଶରୁ ଗୋଟିଏ ଖୁବ୍‌ବଡ଼ କୃତ୍ରିମ ଉପଗ୍ରହ ମହାଶୂନ୍ୟରେ ସୃଷ୍ଟି କରାଯାଉଛି । ସେଥିରେ ପରା ମୁଁ ଯାହା ସବୁ କହୁଥିଲି, ସେ ସବୁ ରହିବ । ବହୁ ବୈଜ୍ଞାନିକ ସେହି ଉପଗ୍ରହରେ ମହାଶୂନ୍ୟ ଭିତରକୁ ନାନାପ୍ରକାର ଗବେଷଣା କରିବା ପାଇଁ ଯିବେ । ଆଲେସ୍କି ସେଇ କୃତ୍ରିମ ଉପଗ୍ରହରେ ଯାଉଥିବା ଗବେଷକମାନଙ୍କର ଦଳପତି ହୋଇ ଯାଉଛନ୍ତି ।’’

‘‘ଏଁ, ସତେ ? ବାଃ, ବାଃ, ବେଶ୍‌, ବେଶ୍‌ ।’’

ସେ ଆଲେସ୍କିଙ୍କ ଆଡ଼କୁ ଅନାଇ କହିଲେ,‘‘କ’ଣ ବାବା ! ପାଗଳୀ ଯା’ କହୁଛି ସତ ? ତା’ ହେଲେ ବଡ଼ ଗୌରବର କଥା ଯେ ତୁମେ ସେଭଳି ଏକ ଐତିହାସିକ ଅଭିଯାନର କର୍ଣ୍ଣଧାର ହୋଇଯିବ । ଆଜି ଦେଶ ଯେ ତୁମକୁ ଏତେ ବଡ଼ ଦାୟିତ୍ୱ ଦେଉଛି, ତମ ପକ୍ଷରେ ଏ କିଛି କମ୍‌ ଗୌରବର କଥା ନୁହେଁ । ହଉ ବାବା, ମୋତେ ଟିକିଏ କହିଲ ତୁମ ଅଭିଯାନ କଥା ।’’

‘‘ଫଷ୍ଟୋଭସ୍କିଙ୍କ ‘ମଙ୍ଗଳଗ୍ରହ ଅଭିମୁଖେ’ ଉପନ୍ୟାସଟି ମୁଁ ଯେଉଁଦିନ ଶେଷ କଲି, ସେହି ଦିନଠାରୁ ମହାଶୂନ୍ୟର ଭ୍ରମଣ ସମ୍ୱନ୍ଧରେ ମୋ ମନରେ ଏକ ଅଲୌକିକ କୌତୁହଳ ଜନ୍ମିଛି । ଯା’ ହେଉ, ଉପନ୍ୟାସ-ରଚୟିତାଙ୍କ କଳ୍ପନା ଯେ ଆଜି ବାସ୍ତବରେ ପରିଣତ ହେବାକୁ ଯାଉଛି, ଏହାଠାରୁ ବଡ଼ ଗୌରବର କଥା ଆଉ କ’ଣ ହେଇପାରେ ? ଏଇଥିପାଇଁ ମୋତେ ଭାରି ଭଲ ଲାଗେ ବୈଜ୍ଞାନିକ ଉପନ୍ୟାସଗୁଡ଼ିକୁ ପଢ଼ିବା ପାଇଁ । ସେମାନଙ୍କ କଳ୍ପନା ଯେ ଦିନେ ବାସ୍ତବରେ ପରିଣତ ହୁଏ, ସେଇ ହେଉଛି ସେମାନଙ୍କ ବାହାଦୂରୀ ଓ ସେଥିପାଇଁ ମୁଁ ସେମାନଙ୍କୁ ସାଧାରଣ ଔପନ୍ୟାସିକମାନଙ୍କଠାରୁ ଢେର୍‌ ଉଚ୍ଚରେ ସ୍ଥାନ ଦିଏ ।’’

ଆଲେସ୍କି ଓ କୋଜେଲେସ୍କିଙ୍କ ମଧ୍ୟରେ ଏହିଭଳି କଥାବାର୍ତ୍ତା ଚାଲିଥିଲାବେଳେ ମେରିନାର ମାତା ଉଠି ଠିଆହେଲେ–‘‘ତୁମେମାନେ ତା’ ହେଲେ ବସି କଥାବାର୍ତ୍ତା କରୁଥାଅ । ମୁଁ ତେଣେ ଯାଏ ଆଲେସ୍କି ପାଇଁ କିଛି ଖାଇବାର ବନ୍ଦୋବସ୍ତ କରେ । ପୁଅ କେତେବେଳୁ ଆସିଲାଣି, ପୁଣି ଏତେ ଦିନ ପରେ ଆସିଛି, ନ ଖାଇ କ’ଣ ଚାଲିଯିବ ?’’

 

‘‘ହଁ ମା, ତୁ ଯା, ଖାଇବାର ବନ୍ଦୋବସ୍ତ କର । ଆମେ ଦୁହେଁ ଖାଇ ଆଜି ଥିଏଟର ଦେଖି ଯିବୁଁ ।’’

 

‘‘କିନ୍ତୁ, କେଉଁ ଥିଏଟରକୁ ?’’ ବୃଦ୍ଧା ହଠାତ୍‌ ଆଶ୍ଚର୍ଯ୍ୟ ହୋଇ ପଚାରିଲେ ।

 

‘‘କାହିଁକି ମା, ଅପେରାକୁ ?’’

 

ବୃଦ୍ଧା ମେରିନାର ଏଭଳି ଉତ୍ତରରେ ହସିଲେ-‘‘ଅପେରାରେ ଟିକେଟ କ’ଣ ଆଉ ଏତେବେଳେ ମିଳିବ ?’’

 

‘‘ମୁଁ ଆଉ କ’ଣ ସେତକ ବନ୍ଦୋବସ୍ତ ନ କରି ବସିଛି ମା । ଟିକେଟ ପରା କିଣା ସରିଛି । ମୁଁ ଗବେଷଣାଗାରରୁ ଯେତେବେଳେ ଆସିଲି, ସଙ୍ଗେ ସଙ୍ଗେ ମୋ ସଙ୍ଗିନୀ ଫେଡ଼ାୟାଭ୍‌ନାକୁ ଫୋନ୍‌ କରି ଦେଇଥିଲି ଦୁଇଟି ଟିକେଟ ପାଇଁ । ସେ ସଙ୍ଗେ ସଙ୍ଗେ ମୋତେ ଫୋନ୍‌ରେ ଜଣାଇ ଦେଇଥିଲା ଯେ, ଅପେରାର ରିଜର୍ଭ ସିଟ୍‌ରୁ ସେ ଆମ ପାଇଁ ଦୁଇଟି ଟିକେଟ କିଣି ରଖିଦେଇଛି ।’’

 

ଖାଇସାରିବା ପରେ ମେରିନା ଚାଲିଗଲା ତା’ର କକ୍ଷକୁ, ଥିଏଟର ଦେଖିଯିବା ପାଇଁ ନିଜକୁ ସଜ୍ଜିତ କରିବା ସକାଶେ ।

 

ଆଲେସ୍କି ଖାଇସାରି ଗୋଟିଏ ସୋଫାରେ ବସି ସନ୍ଧ୍ୟା ଖବରକାଗଜ ଉପରେ ଆଖି ବୁଲାଇଯାଉଥିଲେ । କିଛି ସମୟ ପରେ ହଠାତ୍‌ ଘଡ଼ିକୁ ଅନାଇ ଚମକି ପଡ଼ିଲେ । ଥିଏଟର ଆରମ୍ଭ ହେବାକୁ ପ୍ରାୟ ଅଧ ଘଣ୍ଟାଏ ବାକି । ମେରିନାର ବିଳମ୍ୱ ଦେଖି ଅସ୍ଥିର ହୋଇ ରହିପାରିଲେନି । ଆଉ ଅଳ୍ପ ସମୟ ଭିତରେ କିପରି ଯାଇ ଥିଏଟରରେ ପହଞ୍ଚିବେ, ସେଇ ଚିନ୍ତା ତାଙ୍କୁ ବିବ୍ରତ କରି ପକାଇଲା । ପାଖ ରୁମ୍‌ରେ ସୁନ୍ଦରୀ ମେରିନା ତା’ର ପ୍ରକୃତି ଦତ୍ତ ସୌନ୍ଦର୍ଯ୍ୟ ଉପରେ କୃତ୍ରିମ ରୂପ ପ୍ରସାଧନୀର ଅତ୍ୟାଚାରରେ ବ୍ୟସ୍ତ । ମେରିନାର ରୁମ୍‌କୁ ଇଉଡ଼ିକୋଲନ୍‌ର ସୁମଧୁର ଗନ୍ଧ ବୋହି ଆସୁଥାଏ ଆଲେସ୍କି ବସିଥିବା ବୈଠକଖାନା ଭିତରକୁ–ବାସନ୍ତୀ ସନ୍ଧ୍ୟାରେ ମଳୟନିଳରେ ବୋହିଆସୁଥିବା ରଜନୀଗନ୍ଧାର ଅସରନ୍ତି ସୁବାସ ଭଳି ।

 

ଘଡ଼ିକୁ ଆଉ ଥରେ ଅନାଇ ଆଲେସ୍କି ଅସ୍ଥିର ହୋଇପଡ଼ିଲେ । ଆସନରୁ ଉଠି ରୁମ୍‌ରେ ପଦଚାରଣ କରୁ କରୁ ରୁମ୍‌ ଭିତରକୁ ଅନ୍ୟମନସ୍କ ଭାବରେ ପଶିଗଲେ । ‘‘ହାଁ, ହାଁ, ଆଲେସ୍କି, ଏ କ’ଣ କରୁଛ ? ଆଉ ଟିକିଏ ଅପେକ୍ଷା କର ବାହାରେ । ମୋର କାମ ଶେଷ ହୋଇନି’’–କହିଉଠିଲା ମେରିନା ।

 

କହିବା ସଙ୍ଗେ ସଙ୍ଗେ ସେ ଉଠିପଡ଼ି ନିଜର ଅର୍ଦ୍ଧ-ଉଲଗ୍ନ ଦେହ ଉପରେ ତରତରରେ ସ୍ୱଚ୍ଛ ନାଇଲନ୍‌ର ଖଣ୍ଡିଏ ଆବରଣୀ ପକାଇଦେଲା । କିନ୍ତୁ ଅନ୍ୟମନସ୍କ ଆଲେସ୍କିଙ୍କର ଦୃଷ୍ଟିପଥରୁ ନିଜର ଲଜ୍ଜାକୁ ଘୋଡ଼ାଇବା ପାଇଁ ଚେଷ୍ଟାକରି ମଧ୍ୟ ସେ ଘୋଡ଼ାଇ ପାରିଲାନି ।

 

ମେରିନାକୁ ଏଭଳି ଅସ୍ୱାଭାବିକ ଅବସ୍ଥାରେ ଦେଖି ବଡ଼ ଲଜ୍ଜିତ ହୋଇ ରୁମ୍‌କୁ ଫେରିଆସିଲେ ଆଲେସ୍କି । କ୍ଷଣକ ପାଇଁ ଏକ ଶିହରଣ ଖେଳିଗଲା ତାଙ୍କର ସାରା ଶରୀର ଦେଇ-। କେଉଁ ଏକ ନନ୍ଦନକାନନର ମାଦକତା ସେ ଅନୁଭବ କଲେ ସେ ସାରା ଶରୀରରେ । ତାଙ୍କ ଆଖିଆଗରେ ମେରିନା ଏକ ଅପ୍‌ସରୀର ସୁନେଲି ରୂପ ନେଇ ଦେଖା ଦେଲା । ସେ ମନେ ମନେ ଭାବିବାକୁ ଲାଗିଲେ–ମେରିନା ବାସ୍ତବିକ କେଡ଼େ ସୁନ୍ଦରୀ ? ନାଇଲନ୍‌ର ସେଇ ସ୍ୱଚ୍ଛ ଆବରଣ ତଳେ ବରଫ ଭଳି ଶୁଭ୍ର ସୌନ୍ଦର୍ଯ୍ୟର କି ଅସରନ୍ତି ଭଣ୍ଡାର !

 

ତାଙ୍କୁ ବୋଧ ହେଲା ଆହୁରି ପାତଳୀ ଓ ସୁନ୍ଦରୀ । ସେ ତ କେତେ ଥର ମେରିନାକୁ ଦେଖିଛନ୍ତି, ଏହିଠାରୁ ଢେର୍‌ ପାଖରେ ଓ ନିବିଡ଼ ଭାବରେ । କିନ୍ତୁ କାହିଁ, ସେ ତ ମେରିନାକୁ କେଉଁଦିନ ଏଡ଼େ ସୁନ୍ଦର ଦେଖି ନ ଥିଲେ । ସେ ତ କେବେ ତାଙ୍କ ଆଗରେ ସୌନ୍ଦର୍ଯ୍ୟର ଏଭଳି ଅସରନ୍ତି ଭଣ୍ଡାର ତୋଳି ଠିଆହୋଇ ନ ଥିଲା ।

 

ଆଲେସ୍କି ଏହିଭଳି କେତେ କ’ଣ ଭାବି ଯାଉଥାନ୍ତି, ହଠାତ୍‌ ରୁମ୍‌ ଭିତରୁ ପ୍ରସ୍ତୁତ ହୋଇ ବାହାରିଆସିଲା ରୂପସୀ ମେରିନା ଓ ନିଜର ଭୁବନମୋହିନୀ ବେଶରେ ଆଲେସ୍କିଙ୍କୁ ଚମକାଇଦେଇ ପଚାରିଲା, ‘‘ଆଉ କେତେ ସମୟ ଅଛି ଆଲେସ୍କି ? ଆମେ ଥିଏଟର ଆରମ୍ଭ ପୂର୍ବରୁ ପହଞ୍ଚି ପାରିବା ତ ?’’

 

ଆଲେସ୍କି ମେରିନାର ଏ ଅପରୂପ ସୌନ୍ଦର୍ଯ୍ୟ ଆଗରେ ଏକରକମ ଜଡ଼ ପାଲଟିଯାଇ ମନ୍ତ୍ରମୁଗ୍‌ଧ ଭଳି ମେରିନାକୁ କେବଳ ଚାହିଁ ରହିଲେ । ମେରିନାକୁ ଯେତେ ଦେଖିଲେ ମଧ୍ୟ ଆହୁରି ଦେଖିବାକୁ ମନ ହେଲା । ସେ କ’ଣ ପଚାରୁଛି, ତାକୁ କ’ଣ ଉତ୍ତର ଦେବାକୁ ହେବ, ସେଥିପ୍ରତି ତାଙ୍କର ସତେ ଯେପରି ଖିଆଲ ନାହିଁ । ମେରିନା ଆହୁରି ପାଖେଇ ଆସି କହିଲା, ‘‘ଆସ, ଆସ ଆଲେସ୍କି ! ବହୁତ ଡେରି ହୋଇଗଲାଣି, ବେଳ ହେବନି ବୋଧହୁଏ । ବାପାଙ୍କର କାର୍‌ ନେଇଯିବା ଛଡ଼ା ଅନ୍ୟ ଉପାୟ ନାହିଁ । ତୁମେ ବାହାରକୁ ଚାଲ । ମୁଁ ବାପାଙ୍କୁ କହିଦେଇ ଆସେ ।

 

ମେରିନା ତରତର ହୋଇ ପିତାଙ୍କ କକ୍ଷ ଆଡ଼କୁ ଚାଲିଗଲା ।

 

ସେ କିଛି ସମୟ ପରେ ମା’ଙ୍କୁ କହୁଁ କହୁଁ ବାହାରିଆସିଲା, ‘‘ଆମର ଆଜି ଫେରିବା ଡେରି ହୋଇଯାଇପାରେ ମା ! ତୁ ମୋ ପାଇଁ ଉଜାଗର ହୋଇ ଅପେକ୍ଷା, କରିବୁ ନାହିଁ । ମୁଁ ଆସିଲେ ତୋତେ ଡାକିବି ।’’

 

ମେରିନା ତାହାପରେ ଗ୍ୟାରେଜ୍‌ ଆଡ଼କୁ ଗଲା–ହାତରେ ମଟର ଚାବି । ଚାବିପେନ୍ଥାଟାକୁ ଅଙ୍ଗୁଳିରେ ଘୂରାଉଁ ଘୂରାଉଁ ଅଟକି ଯାଇ ପଚାରିଲା, ‘‘ଆଲେସ୍କି, ତୁମେ ଚଳାଇବ ତ କାର୍‌ ?’’

 

‘‘ଏଁ, ମୁଁ ? ହେଉ, ଗାଡ଼ିଟାକୁ ବାହାର କରିଆଣ, ଦେଖିବା ।’’

 

ମେରିନା ସଙ୍ଗେ ସଙ୍ଗେ ଗ୍ୟାରେଜ୍‌ରୁ ଗାଡ଼ି ବାହାର କରିଆଣିଲା । ଗାଡ଼ି ରାସ୍ତା ଉପରକୁ ଚାଲିଆସିଲାରୁ ଆଲେସ୍କି ଗାଡ଼ି ଚଳାଇବା ପରିବର୍ତ୍ତରେ ଗାଡ଼ିର ବିପରୀତ ପାର୍ଶ୍ୱର ଦୁଆର ଖୋଲି ମେରିନାର ବାମପାର୍ଶ୍ୱରେ ବସିପଡ଼ି ତାକୁ ଅନୁରୋଧ କଲେ ଗାଡ଼ି ଚଳାଇବାପାଇଁ ।

 

‘‘ତୁମେ ଚଳାଅ ମେରିନା ! ମୁଁ ଟିକିଏ ରାଜଧାନୀର ସୌନ୍ଦର୍ଯ୍ୟ ଉପଲବ୍‌ଧି କରେ । ଏଇ କେତେ ଦିନ ଭିତରେ ତୁମର ସୌନ୍ଦର୍ଯ୍ୟ ଓ ଆଧୁନିକତା ଭଳି ରାଜଧାନୀ ସୌନ୍ଦର୍ଯ୍ୟ ଓ ଆଧୁନିକତାରେ ଏତେ ପରିବର୍ତ୍ତନ ଘଟିଛି ଯେ, ସେ ସବୁ କିପରି ନୂଆ ନୂଆ ଲାଗୁଛି ମୋତେ । ସେ ସବୁକୁ ଟିକିଏ ଉପଭୋଗ କରିବାକୁ ମୋତେ ସୁବିଧା ଦିଅ ମେରିନା !’’

 

ଏହା କହି ଆଲେସ୍କି ମଟର ବାହାରକୁ ଅନାଇ ରହିଲେ । ଚଉଡ଼ା ଏରେକି ଷ୍ଟ୍ରୀଟ୍‌ଉପରେ ସୁନ୍ଦର ଚକଚକିଆ ଲିମୋସିନ୍‌ କାର୍‌ ଛୁଟିଚାଲିଲା ତୀରବେଗରେ । ଦୂରରୁ କ୍ରିସସ୍କିପୋଲର ଅପୂର୍ବ ଦୃଶ୍ୟ ସଙ୍ଗେ ଗୋଗଲ ପୁଷ୍ପୋଦ୍ୟାନରୁ ବହିଆସୁଥିବା ସୁଗନ୍ଧଯୁକ୍ତ ପବନ ମଟର ଭିତରକୁ ବେଶ୍‌ ମହକାଇ ଦେଉଥାଏ । ଯାଉଁ ଯାଉଁ କେତେ କୋଣମୁଣ୍ଡରେ ଗାଡ଼ିର ଦିଗ ବଦଳାଇଲା ବେଳକୁ କାର୍‌ ଦୋହଲି ଯାଉଥାଏ । ଏହି ଦୋହଲିଯିବା ଭିତରେ ଆଲେସ୍କି ମେରିନା ଉପରେ ଥରକୁ ଥର ଢଳି ପଡ଼ୁଥାନ୍ତି । ଥିଏଟର ଆରମ୍ଭ ହେବା ପୂର୍ବରୁ କାଳେ ସେମାନେ ପହଞ୍ଚି ପାରିବେନି ଭାବି ମେରିନା ଧୀରେ ଧିୀରେ ମଟରର ବେଗ ବଢ଼ାଇ ଦେଉଥାଏ ।

 

କାର୍‌ର ବେଗ ବଢ଼ିଯିବା ଦେଖି ଆଲେସ୍କି ବିପଦ ଆଶଙ୍କାରେ ଚିନ୍ତିତ ହୋଇପଡ଼ୁଥାନ୍ତି । କିଛି ସମୟ ପରେ ସେ ନିଜକୁ ସମ୍ଭାଳି ନପାରି ଅସ୍ଥିର ହୋଇ କହିପକାଇଲେ–‘‘ମେରିନା, ସାବଧାନ ହୋଇ ଚଳାଅ । ଏତେ ଜୋରରେ ଚଳାଇଲେ ଦୁର୍ଘଟଣା ଘଟାଇବ କେଉଁଠି ତୁମେ ।’’

 

ମେରିନା ଆଲେସ୍କିଙ୍କ କଥା ଶୁଣି ନଶୁଣିଲାଭଳି ପଚାରିଲା, ‘‘ଥିଏଟର ଆରମ୍ଭ ହେବାକୁ ଆଉ କେତେ ମିନିଟ୍‌ ବାକି ଅଛି ଆଲେସ୍କି ?’’

 

‘‘ପାଞ୍ଚମିନିଟ୍‌ ।’’

 

‘‘ଏଁ, ପାଞ୍ଚମିନଟ୍‌ ?’’ ମେରିନା ପୁଣି କାରର ବେଗ ବଢ଼ାଇଦେଲା । ତା’ର ଇଚ୍ଛା ତୃତୀୟ ଘଣ୍ଟି ବାଜିବା ପୂର୍ବରୁ ସେ ଯେପରି ଥିଏଟରର ପ୍ରେକ୍ଷାଳୟ ଭିତରେ ପହଞ୍ଚି ପାରିବ ।

 

ଆଲେସ୍କି କାର୍‌ର ବେଗ ପୁଣି ବଢ଼ିଯିବା ଦେଖି ଆହୁରି ଅସ୍ଥିର ହୋଇ ପଡ଼ିଲେ । ମେରିନା ଆଜି ନେଇ କେଉଁଠି ନା କେଉଁଠି ଯେ ଧକ୍‌କା ଲଗାଇବ, ଏଥିରେ ତାଙ୍କର ଆଉ ସନ୍ଦେହ ରହିଲାନି । ସୁଯୋଗକୁ ସେ ନିର୍ଜ୍ଜନ ରାସ୍ତାରେ ପୋଲିସ ନ ଥିଲେ । ସେମାନେ ଥିଲେ ହୁଏତ ମେରିନାର ଏହି ଉଚ୍ଛୃଙ୍ଖଳ ମଟରଚାଳନାକୁ ବନ୍ଦ କରିପାରିଥାନ୍ତେ ।’’

 

କାଳେ କିଛି ହେବ ଭାବି ଆଲେସ୍କି ମେରିନାର ପାଖକୁ ଆହୁରି ଟିକିଏ ଘୁଞ୍ଚିଯାଇ ବ୍ରେକ୍‌ ଉପରେ ଗୋଡ଼ ରଖି ଷ୍ଟିଅରିଂ ଉପରେ ହାତ ପକାଇଲେ ମେରିନାର ଠିକ୍‌ ପାପୁଲି ଉପରେ । ଦରକାର ପଡ଼ିଲେ ଯେପରି କାର୍‌ଟାକୁ ନିଜ ଆୟତ୍ତାଧୀନକୁ ଘେନି ଆସି ପାରିବେ । ମେରିନାର ମୁହଁ ପାଖରେ ମୁହଁ ଲଗାଇ କହିଲେ, ‘‘ତୁମେ ଏତେ ଜୋର୍‌ରେ କାର୍‌ ଚଳାଉଚ, କେଉଁଠି ଯେପରି ଏକ୍‌ସିଡ଼େଣ୍ଟ ନ କର ମେରିନା !’’

 

‘‘ମେରିନାକୁ ତୃତୀୟ ଶ୍ରେଣୀର ଚାଳକ ବୋଲି ଭାବନି ଆଲେସ୍କି ! କାର ଉପରେ ତାର ଯଥେଷ୍ଟ କଣ୍ଟ୍ରୋଲ ଅଛି । ଏକ୍‌ସିଡେଣ୍ଟ ମେରିନା ପକ୍ଷରେ ସ୍ୱପ୍ନ ଛଡ଼ା ଆଉ କିଛି ହୋଇ ନ ପାରେ-।’’

 

‘‘ହୁଁ ? କିନ୍ତୁ, ତୁମର ଏହି କୋମଳ ଅଙ୍ଗୁଳି, ନରମ ପାପୁଲି ଓ ସର୍ବୋପରି ତୁମର ଏ ଚାରୁ ସ୍ନିଗ୍‌ଧ କଳେବର, ତୁମର ଏ ବିରାଟ ଦାମ୍ଭିକତାର ତ ପରିଚୟ ଦେଉନି ସୁନ୍ଦର ?’’ କହୁଁ କହୁଁ ଆଲେସ୍କି ମେରିନାର ସେହି ଫୁଲପରି କଅଁଳିଆ ପାପୁଲିକୁ ଚାପିଧରି ତା ପାଖକୁ ଆହୁରି ଟିକିଏ ଘୁଞ୍ଚି ଆସିଲେ । ମେରିନା ଟିକିଏ ମୁରବିତ୍ୱ କରି କହିଲା, ‘‘ହାଁ, ହାଁ, ଏ କ’ଣ କରୁଚ ଆଲେସ୍କି ! ଏଥର କିନ୍ତୁ ଏକ୍‌ସିଡ଼େଣ୍ଟ ହେଲେ ମୋ ଦୋଷ ଧରିବନି ।’’ ହାସ୍ୟୋତ୍‌ଫୁଲ୍ଲ ନୟନକୁ ନଚାଇ ନଚାଇ ମେରିନା କହିଲା ।

 

ମେରିନା କାର୍‌ର ବେଗ ଆହୁରି ବଢ଼ାଇଦେଲା । ସୁବିସ୍ତୃତ ଜେରାକିନୀ ଷ୍ଟ୍ରିଟ୍‌ଉପରେ ସେତେବେଳକୁ କାର୍‌ ପବନଭଳି ଛୁଟି ଚାଲିଥାଏ, ସତେ ଯେପରି ମଟର ଚକା ରାସ୍ତା ଉପରେ ନ ପଡ଼ି ସାରା କାର୍‌ଟିକୁ ପବନ ଭିତରେ ଉଡ଼ାଇ ନେଇ ଚାଲିଛି । ଶତଶତ କାର୍‌କୁ ପଛରେ ପକାଇ ମେରିନାର କାର୍‌ ଆଗକୁ ଛୁଟି ଚାଲିଥାଏ । ଏହି ସମୟରେ ହଠାତ୍‌ ଆଲେସ୍କି ଚିତ୍କାର କରି ଉଠିଲେ, ‘‘ହାଁ,ହାଁ, କ’ଣ କରୁଛ ମେରିନା ! ହର୍ଣ୍ଣ ନ ଦେଇ କାର୍‌ଟିକୁ କଟାଇବାକୁ ଚେଷ୍ଟା କରନି ।’’ ଏହା କହୁ କହୁ ଆଲେସ୍କି ହର୍ଣ୍ଣ ଦେବାକୁ ହାତ ବଢ଼ାଇଦେଲେ । ଆଲେସ୍କି ବଢ଼ାଇଥିବା ହାତକୁ ନିଜର ବାମ ହାତରେ ଭିଡ଼ି ଧରି ଉପରକୁ ଝୁଙ୍କିପଡ଼ି ମେରିନା ପାଟିକରି ଉଠିଲା-

 

‘‘ନା, ନା, ଏ କ’ଣ କରୁଛ ତୁମେ ? ରାଜଧାନୀରେ କେହି ହର୍ଣ୍ଣ ବଜାଇ ପାରିବେନି ବୋଲି ଏଇ କେତେ ଦିନତଳେ ଯେଉଁ ନୂଆ ଆଇନ୍‌ପାସ ହୋଇଚି, ତାହା ତୁମେ କ’ଣ ଜାଣିନ ? ହର୍ଣ୍ଣ ଦେଲେ ପୋଲିସ ଏହିକ୍ଷଣି କୁଆଡ଼ୁ ଦୌଡ଼ି ଆସିବ । ତୁମେ ଏତେ ଚିନ୍ତିତ ହୁଅନି ଆଲେସ୍କି ! ମୁଁ ଠିକ୍‌ ଭାବରେ ଗାଡ଼ି ଚଳାଉଛି ।’’

 

ଠିକ୍‌ ତୃତୀୟ ଘଣ୍ଟା ବାଜିବାକୁ ଯାଉଚି ମେରିନା ଓ ଆଲେସ୍କି ଥିଏଟରର ପ୍ରେକ୍ଷାଳୟ ଭିତରକୁ ପଶିଗଲେ । ପ୍ରେକ୍ଷାଳୟର ପ୍ରବେଶଦ୍ୱାରରେ ଜଣେ ଯୁବତୀ ଦୁଇଟି ଟିକେଟ ଧରି ଠିଆ ହୋଇଥିଲା । ଏ ଦୁଇଜଣଙ୍କୁ ବିନା ଟିକେଟରେ ଭିତରକୁ ପଶିଯିବା ଦେଖି ସେ ହସହସ ମୁହଁରେ ସେମାନଙ୍କ ପାଖକୁ ଚାଲିଆସି ପଚାରିଲା, ‘‘ଆପଣ କର ମେରିନା କୋଜେଲେସ୍କି ?’’

 

ମେରିନା ମୁଣ୍ଡ ହଲାଇ ଟିକଟ ଦୁଇଟିକୁ ସେହି ଯୁବତୀଟିଠାରୁ ନେଇ ଭିତରକୁ ପଶିଲା । ଥିଏଟର ଦେଖିବା ପାଇଁ ସେ ଏତେ ବ୍ୟଗ୍ର ହୋଇ ପଡ଼ିଥିଲା ଯେ ଯୁବତୀଟିକୁ ଧନ୍ୟବାଦ ଦେବାକୁ ପୂରାପୂରି ଭୁଲିଯାଇଥିଲା । ମେରିନାକୁ ଏଭଳି ଅଶିଷ୍ଟାଚାରରୁ ରକ୍ଷା କରିବା ପାଇଁ ଆଲେସ୍କି ଯୁବତୀଟିକୁ ଧନ୍ୟବାଦ ଜଣାଇ ମେରିନା ପଛେ ପଛେ ଭିତରକୁ ପଶିଲେ । ଯୁବତୀଟି ହସହସ ମୁହଁରେ ପ୍ରତିନମସ୍କାର ଜଣାଇ ଗ୍ରୀନ୍‌ରୁମ୍‌ ଆଡ଼େ ମୁହାଁଇ ସଙ୍ଗେ ସଙ୍ଗେ ଅଦୃଶ୍ୟ ହୋଇଗଲା ସେହି ଆଲୋକ-ବିଚ୍ଛୁରିତ ପ୍ରଶସ୍ତ ବାରଣ୍ଡା ଭିତରେ ।

 

ମେରିନା ଓ ଆଲେସ୍କି ପ୍ରେକ୍ଷାଳୟ ଭିତରକୁ ପଶିଲାବେଳକୁ ପ୍ରେକ୍ଷାଳୟର ମଳିନ ପଡ଼ିଯାଇଥିବା ଆଲୋକ ଲିଭି ନଥାଏ । ସେମାନେ ଯାଇ ଷ୍ଟେଜ୍‌ଠାରୁ ଅଳ୍ପଦୂରରେ ବସିଲେ । ବସିବା ପୂର୍ବରୁ ମେରିନା ଚାରିଆଡ଼କୁ ଟିକିଏ ଅନାଇ ଦେଇ ଦର୍ଶକମାନଙ୍କୁ ଦେଖିନେଲା । କିଏ କିପରି ପୋଷାକରେ ଆସିଛି, କିଏ କିପରି ବନ୍ଧୁମେଳରେ ବନ୍ଧୁମେଳରେ ବସିଛି ଦେଖିନେଇ ନିଜ ପୋଷାକ ଆଡ଼କୁ ଟିକିଏ ଅନାଇ ଦେଇ ଖୁସି ହୋଇଗଲା । ସେମାନେ ବସିଛନ୍ତି କି ନାହିଁ ହଠାତ୍‌ ପ୍ରେକ୍ଷାଳୟର ଆଲୋକ ଲିଭିଗଲା ଓ ତା ସଙ୍ଗେ ସଙ୍ଗେ ଷ୍ଟେଜ୍‌ର ପରଦା ଘୁଞ୍ଚିଗଲା । ଷ୍ଟେଜ୍‌ ଉପରେ ଏକ ଆକର୍ଷଣୀୟ ଭଙ୍ଗୀରେ ଦଣ୍ଡାୟମାନା ମେରିନାର ସଙ୍ଗିନୀ ବିଖ୍ୟାତ ବେଲେଟ୍‌-ଶିଳ୍ପୀ ମେରିଆ ଫାଡ଼େୟାଭନା । ସଙ୍ଗେ ସଙ୍ଗେ ମେରିନା ଉତ୍ସାହିତ ହୋଇ ଆଲେସ୍କିଙ୍କ ଆଡ଼କୁ ମୁହଁ ବୁଲାଇ ଚୁପ୍‌ଚୁପ୍‌ କରି କହିଲା–

 

Unknown

ଏ ହେଉଛି ମୋର ସେଇ ସଙ୍ଗିନୀ ମେରିଆ ଫାଡ଼େୟାଭନା–ରାଜଧାନୀର ସୁବିଖ୍ୟାତ ବେଲେଟ୍‌ ନର୍ତ୍ତକୀ । ତୁମେ ତା’ର ନୃତ୍ୟ ଦେଖିଲେ ନିଜକୁ ପାସୋରିଯିବ ଆଲେସ୍କି ! ସେ ଏବେ ଆମେରିକା ଭ୍ରମଣରେ ଯାଉଛି ।’’

 

ମେରିନା ଆହୁରି କ’ଣ କହିବାକୁ ଯାଉଥିଲା; କିନ୍ତୁ ପଛରୁ କିଏ ଜଣେ ଦର୍ଶକ ମେରିନାର ଫିସ୍‌ଫିସ୍‌ ଶବ୍ଦରେ ବିରକ୍ତ ହୋଇଉଠିଥିଲେ । ମେରିନା ଚୁପ୍‌ ହୋଇଗଲା ।

 

ଆଲେସ୍କିଙ୍କର ଲାଢ଼ାକିସ୍ଥାନ ଫେରିଯିବା ଦିନ.....

 

ମେରିନାର ପ୍ରାଣ ବିରହରେ କାନ୍ଦି ଉଠୁଥାଏ । ଏଇ କେତେଦିନ ସେ ଯେଉଁ ଆନନ୍ଦରେ କଟାଇ ଦେଇଥିଲା, ଭାବିଲାବେଳକୁ ଆଖିରେ ଲୁହ ରହୁ ନଥାଏ । କେଉଁ ଦିନ ଆଲେସ୍କି ସହିତ ଏକା, କେଉଁ ଦିନ ବା ଆଲେସ୍କି ସହିତ ତା’ ବନ୍ଧୁମାନଙ୍କୁ ଘେନି ରାଜଧାନୀ ବାହାରକୁ ଯାଇ କେତେ ଭୋଜି, କେତେ ବୁଲାବୁଲି କେତେ ମଉଜ ମଜ୍‌ଲିସ୍‌ କରିଛି; ତା ଭାବିଲାବେଳକୁ ମେରିନାର ଦୁର୍ବଳ ଛାତି ଥରିଉଠୁଥାଏ ।

 

ଏଇ କେତେଦିନ ଭିତରେ ସେ ଗବେଷଣାଗାରକୁ ଯାଇଛି ସତ; କିନ୍ତୁ ଗବେଷଣାରେ ସେ ମନ ଲଗାଇପାରିନି । ମନପ୍ରାଣ ତା’ର ଲାଗିଯାଇଛି କେବଳ ଆଲେସ୍କିଠାରେ । ଆଲେସ୍କିକୁ ଖୁସି କରିବା ପାଇଁ ସେ କେତେ ଯେ ଚେଷ୍ଟା କରିଛି ତା’ର କଳନା ନାହିଁ । କିନ୍ତୁ ଆଲେସ୍କିଙ୍କର ଫେରିଯିବା ଦିନ ଯେତିକି ପାଖେଇ ଆସୁଥାଏ, ମେରିନାର ଆନନ୍ଦ ସେତେ କମି ଆସୁଥାଏ । ଦିନଗୁଡ଼ାକ ତାକୁ ଘଣ୍ଟା ମିନିଟ୍‌ ଭଳି ବୋଧ ହେଉଥାଏ । ଆଲେସ୍କି ରାଜଧାନୀର ବିମାନଘାଟିରୁ ସିଧାସଳଖ ଛାଡ଼ିବା ଠିକ୍‌ ହୋଇଥାଏ ।

 

ମେରିନା କିପରି ଯେ ତା’ଙ୍କୁ ବିଦାୟ ଦେବ ଭାବି ପାରୁ ନ ଥାଏ । ଆଲେସ୍କି ପୃଥିବୀ ଛାଡ଼ି ମହାଶୂନ୍ୟକୁ ଯିବେ, ଏହା ତା’କୁ ପ୍ରଥମେ ପ୍ରଥମେ ଗୌରବର ବିଷୟ ବୋଲି ଜଣାପଡ଼ୁଥିଲା, ଏବେ ତା’କୁ ସେପରି ବୋଧ ହେଉନି । ତାକୁ ବୋଧ ହେଉଛି ଆଲେସ୍କି ସତେ ଯେପରି ତା’କୁ ଛାଡ଼ି ଚାଲିଯାଉଛନ୍ତି କେଉଁ ଏକ ଅଜଣା ରାଇଜକୁ–ଯେଉଁ ରାଜ୍ୟରୁ ଫେରିବା ଆଲେସ୍କି ପକ୍ଷରେ ସେତେ ସହଜ ନୁହେଁ । ମେରିନା ଏଇ କଥାକୁ ଯେତେ ଭାବିବାକୁ ଲାଗିଲା, ଆଲେସ୍କିଙ୍କର ବିଦାୟ ପ୍ରତି ମନ ତା’ର ସେତେ ବିଦ୍ରୋହୀ ହୋଇ ଉଠିଲା ।

 

ସକାଳ ଏଗାରଟାରେ ବିମମାନଘାଟିରୁ ଜାହାଜ ଛାଡ଼ିବ । ସେ ସଅଳ ସଅଳ ନିତ୍ୟକର୍ମ ସାରି ପ୍ରସ୍ତୁତ ହେବାକୁ ଲାଗିଲା । ଆଜି ସେ ନିଜକୁ ଏକ ଅପୂର୍ବ ବେଶରେ ସଜାଇ ଦେଇଛି । ଅଜଣା ମନ ଭିତରେ କେତେ ବିଚିତ୍ର ଧାରଣା ଯେ ଖେଳିଯାଉଥାଏ, ସେଗୁଡ଼ିକର ଖିଅ ସେ ଧରିପାରୁ ନ ଥାଏ ।

 

ବେଳେବେଳେ ମେରିନାର ମନକୁ ହଠାତ୍‌ ଖିଆଲ ଆସିଯାଉଥାଏ, ସତେ କ’ଣ ଆଲେସ୍କି ଆଉ ଫେରିଆସିବେନି ସେହି ମହାଶୂନ୍ୟ ଭିତରୁ ? ଏଇ କ’ଣ ତା’ ହେଲେ ଆଲେସ୍କି ସହିତ ଶେଷ ଦେଖା ! ଆଲେସ୍କି ଯେତେବେଳେ ଏଭଳି ବିପଦ ସଂକୁଳ ସ୍ଥାନକୁ ଯାଉଛନ୍ତି, ସାମାନ୍ୟ କିଛି ହେଲେ ତ–! ଆଉ ଭାବିପାରୁ ନ ଥାଏ ମେରିନା ।

 

ପର ମୁହୂର୍ତ୍ତରେ ପୁଣି ମନେପଡ଼ିଯାଉଥାଏ,‘‘ଛି, ସେ କେଡ଼େ ଖରାପ କଥା ଭାବୁଛି ସତେ ? ପୃଥିବୀ ସହିତ କୃତ୍ରିମ ଉପଗ୍ରହର ଯେଉଁ ସଂଯୋଗ ସ୍ଥାପିତ ହେବ, ସେଥିରେ ଆଲେସ୍କିଙ୍କର ଫେରି ନ ଆସିବା ପ୍ରଶ୍ନ କ’ଣ କେବେ ଉଠିପାରେ ?’’ ସକାଳୁ ଉଠିଲାବେଳୁ ମେରିନା ଏହି ଭଳି ଶତ ଶତ ଭାବନା ଭିତରେ ପୂରାପୂରି ଅନ୍ୟମନସ୍କା ହୋଇପଡ଼ିଥାଏ । କେତେବେଳେ ଯେ ସେ କେଉଁ କାମ କରିଯାଉଛି, ଜାଣିପାରୁ ନଥାଏ ।

 

ଦଶଟା ବାଜିବାକୁ ପ୍ରାୟ ପନ୍ଦର ମିନିଟ୍ ବାକି । ଅନ୍ୟମନସ୍କ ଭାବରେ ଘଡ଼ିଟାକୁ ଅନାଇଦେଇ ଚମକି ପଡ଼ିଲା ମେରିନା । ସଙ୍ଗେ ସଙ୍ଗେ ଯାଇ ପିତାଙ୍କ ଗାଡ଼ି ଗ୍ୟାରେଜରୁ ବାହାରକରି ଆଣି ବିମାନଘାଟୀ ଅଭିମୁଖେ ଛାଡ଼ିଦେଲା । ସୁବିସ୍ତୃତ ରାଜପଥ ଉପରେ ସେ ଗାଡ଼ି ଚଳାଇଥାଏ ସତ; କିନ୍ତୁ ମନ ତା’ର ଥାଏ ଆଲେସ୍କିଙ୍କଠାରେ । ‘ମହାଶୂନ୍ୟ ଭିତରେ ଯଦି କୌଣସି ବିପଦ ପହଞ୍ଚେ, ତେବେ ଆଲେସ୍କିଙ୍କୁ ରକ୍ଷା କରିବାକୁ ସେଠି ତ କେହି ନଥିବେ’–ଏହିଭଳି ନାନାଚିନ୍ତାରେ ମେରିନାର ମନ ଆନ୍ଦୋଳିତ ହେଉଥାଏ ।

 

ମନ ଭିତର ଭାବନାର ସ୍ରୋତ ବାଧାବିଘ୍ନ ନ ମାନି ବହିଚାଲିଥାଏ, ଠିକ୍‌ ପ୍ରବଳ ବନ୍ୟାର ଜଳସ୍ରୋତ କୂଳ ଲଘିଂ ଚାଲିଲା ଭଳି । ସମ୍ମୁଖସ୍ଥ ସୁବିସ୍ତୃତ ବିମାନଘାଟୀକୁ ପଡ଼ିଥିବା ରାସ୍ତା ଆଡ଼କୁ ତା’ର ଦୃଷ୍ଟି ନଥାଏ । କେବଳ ଏକ ଅଭ୍ୟାସଜନିତ କାଇଦାରେ ହାତ ପଡ଼ିଥାଏ ଷ୍ଟିଅରିଂ ଉପରେ । ଗାଡ଼ି ଛୁଟି ଚାଲିଥାଏ ବାଧାବିଘ୍ନ ନମାନି ଠିକ୍‌ ମନ ଭିତରର ଭାବନା ଭଳି ।

 

ମଟର ଯାଇ କେତେବେଳୁ ବିମାନଘାଟୀ ଫାଟକଠାରେ ଠିଆହେଲାଣି ଓ ମେରିନା ଅନ୍ୟମନସ୍କ ଭାବରେ କେତେବେଳୁ ଇଞ୍ଜିନ୍‌ ବନ୍ଦ କରିସାରିଲେଣି, ସେଆଡ଼କୁ ତାର ଖିଆଲ ନାହିଁ । ଜନୈକ ପୋଲିସ ଅଫିସର ଆସି ମେରିନାକୁ ଯେତେବେଳେ ଅନୁରୋଧ କଲେ ଗାଡ଼ିଟାକୁ ଷ୍ଟାଣ୍ଡଠାକୁ ପଠାଇଦେଇ ରାସ୍ତା ଛାଡ଼ିଦେବାପାଇଁ, ସେତେବଳକୁ ମେରିନାର ଖିଆଲ-ପଶିଲା ଯେ, ସେ ବିମାନଘାଟୀ ସମ୍ମୁଖରେ ଆସି ପହଞ୍ଚିଗଲାଣି । ପୋଲିସ ଅଫିସରଙ୍କ ଅନୁରୋଧରେ ବଡ଼ ଲଜ୍ଜିତ ହୋଇ ସେ କାର୍‌ଟାକୁ ଷ୍ଟାଣ୍ଡଆଡ଼କୁ ଘେନିଗଲା । ଗାଡ଼ିକୁ ଷ୍ଟାଣ୍ଡରେ ରଖି ସେ ବଡ଼ ତରତର ହୋଇ ଦୌଡ଼ିଲା ଉଡ଼ାଜାହାଜଘାଟୀ ଭିତରକୁ । ଗେଟ୍‌ ପାଖରୁ ଯେତେବେଳ ବୁଝିଲା ଯେ ଲାଢ଼ାକିସ୍ଥାନ ଅଭିମୁଖେ ଛାଡ଼ିବା ଜାହାଜ ଘାଟୀ ଛାଡ଼ିବାକୁ ଆଉ ପନ୍ଦରମିନିଟ୍‌ ବାକି, ଜାହାଜଟି ଚାରି ନମ୍ୱରରେ ଠିଆହୋଇଛି, ସେ ଆଖିପିଛୁଳାକେ ଦୌଡ଼ିଲା ସେ ବିମାନଆଡ଼େ । ବିମାନ ପାଖରେ ଦେଖିଲା ଆଲେସ୍କିଙ୍କର ବୃଦ୍ଧ ପିତାମାତା ଓ ତାହାଙ୍କ ଅନ୍ୟାନ୍ୟ ବନ୍ଧୁବାନ୍ଧବମାନେ ତାଙ୍କୁ ଘେରି ଠିଆ ହୋଇଛନ୍ତି । ବିଷାଦର ଏକ ଗାଢ଼ଛାୟା ସମସ୍ତଙ୍କ ମୁଖମଣ୍ଡଳକୁ ମଳିନ କରି ଘୋଡ଼ାଇ ପକାଇଛି; ଠିକ୍‌ ଯେପରି ପୃଥିବୀର ଛାୟା ପୂର୍ଣ୍ଣଚନ୍ଦ୍ରକୁ ଗ୍ରହଣ ସମୟରେ ଘୋଡ଼ାଇ ପକାଇଥାଏ, ଅଦୂରରୁ ‘ଆଲେସ୍କି’ ‘‘ଆଲେସ୍କି’’ ଡାକି ମେରିନା ଆଲେସ୍କିଙ୍କ ନିକଟକୁ ଦୌଡ଼ିଗଲା । ବିଷାଦର କି ଏକ ମର୍ମନ୍ତୁଦ ମୁହୂର୍ତ୍ତ ! ସମସ୍ତଙ୍କ ମନରେ ଏକ ଦାରୁଣ କୋହ ଉଠୁଥାଏ । ଦୁଃଖରେ କଣ୍ଠ ବାଷ୍ପରୁଦ୍ଧ ହୋଇଯାଉଥାଏ, ଆଖିରେ ଲୁହ ଢଳଢଳ ହୋଇ ପଡ଼ୁଥାଏ । ସେହି କରୁଣ ଦୃଶ୍ୟ ଦେଖିଲେ ମନେ ହେବ, ସତେ ଯେପରି ସେମାନେ ଆସିଛନ୍ତି ଆଲେସ୍କିଙ୍କୁ ବିଦାୟ ଦେବା ପାଇଁ ଲାଢ଼ାକିସ୍ଥାନ ଅଭିମୁଖେ ନୁହେଁ; ମହାଶୂନ୍ୟ ଅଭିମୁଖେ ।

 

ମେରିନା ଯାଇ ଠିଆହେଲା ଆଲେସ୍କିଙ୍କ ବୃଦ୍ଧା ମାତାଙ୍କ ନିକଟରେ । ନିଜ ମନ ଭିତରର ଅତ୍ୟଧିକ ଦୁଃଖକୁ କୌଶଳ ସହକାରେ ଚପାଇ ତାଙ୍କୁ ସାନ୍ତ୍ୱନା ଦେଇ ସେ କହିଲା, ‘‘ତୁମେ ଏତେ ବ୍ୟସ୍ତ ହୁଅନି ମାଉସୀ, ଆଲେସ୍କି ଅଳ୍ପ କେଇ ଦିନ ଭିତରେ ଫେରିଆସିବେ ଯେ ।’’

 

ମେରିନାର ଏହି ପ୍ରବୋଧନାରେ ବୃଦ୍ଧା ନିଜକୁ ସମ୍ଭାଳି ନ ପାରି ଭୋ ଭୋ ହୋଇ କାନ୍ଦିପକାଇଲେ । ତାଙ୍କର ଯେଉଁ ଜମାଟ୍‌ବନ୍ଧା କୋହ ଥିଲା, ତାହା ଏଇ ପଦକ କଥାରେ ଗ୍ରୀଷ୍ମର ପ୍ରଚଣ୍ଡ ତାପରେ ବରଫ ତରଳିଲା ଭଳି ତରଳିଗଲା । ସେ ମେରିନାକୁ କୁଣ୍ଢାଇ ପକାଇ କଇଁ କଇଁ ହୋଇ କାନ୍ଦିବାକୁ ଲାଗିଲେ–‘‘ସତେ କ’ଣ ଆଲେସ୍କି ଆଉ ଫେରିବ ? ପୁଅ କ’ଣ ସତେ ଫେରି ମୋତେ ମା’ ବୋଲି ଡାକିବ ?’’ ବେଳକୁ ବେଳ ତାଙ୍କ କୋହ ଏତେ ଅଧିକ ଜୋର୍‌ରେ ଉଠିଲା ଯେ, ତାଙ୍କୁ ସାନ୍ତ୍ୱନା ଦେବା ମେରିନା ପକ୍ଷରେ ଅସମ୍ଭବ ହୋଇପଡ଼ିଲା ।

 

ବିଦାୟକାଳୀନ ଦୁଃଖରେ ଆଲେସ୍କିଙ୍କର ବାକ୍‌ରୋଧ ହୋଇଯାଇଥାଏ । ବନ୍ଧୁ, ସହୋଦରମାନଙ୍କଠାରୁ ବିଦାୟ ନେବା କେଡ଼େ ଦୁଃଖଦାୟକ; କେଡ଼େ ମର୍ମନ୍ତୁଦ ସେ ଏଥର ଉପଲବ୍‌ଧି କଲେ । ଆଖି ତାଙ୍କର ଶୋକରେ ଛଳଛଳ ହୋଇଆସିଲା । ପିତାମାତାଙ୍କୁ କେଉଁ ଭାଷାରେ ପ୍ରବୋଧ ଦେବେ, ସେ ଭାବି ପାରିଲେନି । ମା’ଙ୍କଠାରୁ ସେ ତ କେତେ ଥର ବିଦାୟ ନେଇଛନ୍ତି; କିନ୍ତୁ କାହିଁ ଆଜି ଭଳି ତ ତାଙ୍କର ହୃଦୟ କେବେ ଏତେ ଅଧିର ହୁଏନି । ତାଙ୍କର ଅଟଳ ଦାମ୍ଭିକତା କାହିଁକି ପାଣିଭଳି ତରଳିଯାଉଛି ଆଜି ? ଏ କ’ଣ ତାଙ୍କର ତା’ହେଲେ ପିତାମାତାଙ୍କଠାରୁ ଶେଷ ବିଦାୟ ? ଆଲେସ୍କି ମା’ଙ୍କଠାରୁ ବିଦାୟ ନେବେ କ’ଣ, ମା’ଙ୍କୁ କୁଣ୍ଡାଇ ପକାଇ ପିଲାଙ୍କଭଳି କଇଁକଇଁ ହୋଇ କାନ୍ଦିବାକୁ ଲାଗିଲେ ।

 

ମାତାପୁତ୍ରଙ୍କର ବିଦାୟକାଳୀନ ଦୃଶ୍ୟ ଦେଖି ସମସ୍ତଙ୍କର ଆଖି ଛଳଛଳ ହୋଇ ଆସିଲା-। ଆଲେସ୍କିଙ୍କ ପିତା ପାଖେଇ ଆସି ଆଲେସ୍କିଙ୍କୁ ଲକ୍ଷ୍ୟକରି କହିଲେ–‘‘ତୁ ବାପ ଯେତେବେଳେ ସେ ଆଡ଼କୁ ଯିବୁ, ମୋତେ ଟିକିଏ ଖବର ଦେବୁ । ମୁଁ ଯାଇ ତୋତେ ଥରେ ଦେଖିଆସିବି ।’’

 

ଇତ୍ୟବସରରେ ଜାହାଜଘାଟୀର ଜନୈକ ଅଫିସର ଆସି ଆଲେସ୍କିଙ୍କୁ ଖବର ଦେଲେ ଉଡ଼ାଜାହାଜ ଭିତରକୁ ଚାଲିଯିବା ପାଇଁ । ଉଡ଼ାଜାହାଜ ଛାଡ଼ିବାର ବେଳ ହୋଇଗଲାଣି, ସଙ୍ଗେ ସଙ୍ଗେ ସିଡ଼ି କାଢିନିଆଯିବ । ମା’ଙ୍କଠାରୁ ଆଶୀର୍ବାଦ ଘେନି ଆଲେସ୍କି ଚାଲିଲେ ମେରିନାଠାରୁ ବିଦାୟ ନେବା ପାଇଁ । ମେରିନାକୁ କ’ଣ କହିବାକୁ ଯାଇ ଆଉ କହିପାରିଲେ ନାହିଁ । ଦୁଃଖରେ ଅଧୀର ହୋଇପଡ଼ି ମେରିନାକୁ କୁଣ୍ଢାଇ ପକାଇଲେ । ଉଭୟେ ଉଭୟଙ୍କୁ ଧରି କାନ୍ଦିବାକୁ ଲାଗିଲେ-। କେବଳ କ୍ରନ୍ଦନରେ ହିଁ ସେମାନଙ୍କ ବିଦାୟବାର୍ତ୍ତା ରୂପାୟିତ ହେଲା । ପାଟିର ଭାଷା ଆଉ ଦରକାର ପଡ଼ିଲାନି । ମେରିନାର ଲୋତକରେ ଆଲେସ୍କିଙ୍କ ବକ୍ଷ ଭିଜିଗଲା । ଏଇ ଦୁଇ ବିଦାୟୀଙ୍କୁ ଦେଖିଲେ କେହି ଆଖରୁ ଲୁହ ନ ଗଡ଼ାଇ ରହିପାରିବନି । କିଛି ସମୟପରେ ଆଲେସ୍କି ମେରିନାକୁ ଛାଡ଼ି ପିତାଙ୍କଠାରୁ ଆଶୀର୍ବାଦ ନେଇ ଉଡ଼ାଜାହାଜ ଭିତରକୁ ଚାଲିଲେ ।

 

ମେରିନାର ଚକ୍ଷୁଦ୍ୱୟ ଲୋତକରେ ଏପରି ଭାବରେ ପୂରିଯାଇଥିଲା ଯେ, ସେ ଜାହାଜ ଭିତରକୁ ଚାଲିଯାଉଥିବା ଆଲେସ୍କିଙ୍କ ଆଡ଼କୁ ଅନାଇଁ କିଛି ଦେଖି ପାରୁ ନ ଥାଏ । ଆଲେସ୍କି ଉଡ଼ାଜାହାଜ ଦୁଆରମୁହଁରେ ଠିଆ ହୋଇ ପୁଣି ଥରେ ପିତାମାତା, ମେରିନା ଓ ବନ୍ଧୁମାନଙ୍କ ଆଡ଼କୁ ଅନାଇ ଉଡ଼ାଜାହାଜ କୋଠରି ଭିତରେ ମିଳାଇଗଲେ ।

Image

 

ପାଞ୍ଚ

 

‘‘ବୁଝିଲ ଆଲେସ୍କି’’–କହୁ କହୁ ମାନମନ୍ଦିରର ଡିରେକ୍‌ଟର ବୃଦ୍ଧ ପାଲାଭିନ୍‌ ଆଲେସ୍କିଙ୍କ ଅଫିସ କକ୍ଷ ଭିତରକୁ ପଶିଆସିଲେ । ‘‘ତୁମେ ଯେତେବେଳେ ଛୁଟିରେ ଯାଇଥିଲ, ସେତେବେଳେ ମୁଁ କ୍ରେଚିଟୋଭ୍‌ଙ୍କଠାରୁ ପତ୍ର ପାଇଲି ଯେ, ସେ ଗେଷ୍ଟ୍ରିକ୍‌ଅଲ୍‌ସର୍‌ରେ ପୀଡ଼ିତ ହୋଇ କେନ୍ଦ୍ର ରାଜଧାନୀର ଏଇ ଡାକ୍ତରଖାନାରେ ଚିକିତ୍ସିତ ହେଉଅଛନ୍ତି । ଚିକିତ୍ସକମାନେ କହନ୍ତି, ତାଙ୍କର ରୋଗ ଏତେ ସାଂଘାତିକ ଯେ, ଅପରେସନ୍‌ବିନା ଭଲ ହେବା ଅସମ୍ଭବ । ସେପରି ଅବସ୍ଥାରେ ସେ କିପରି କୃତ୍ରିମ ଉପଗ୍ରହରେ ଯିବେ ମୋତେ ପଚାରି ପଠାଇଛନ୍ତି । କ୍ରେଚିଟୋଭ୍‌ ବିଶ୍ୱରଶ୍ମି ବିଭାଗର ବିଶେଷଜ୍ଞ ଲେବଦେବ୍‌ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ନା ?’’

 

ସଙ୍ଗେ ସଙ୍ଗେ ଟେବୁଲ ଉପରକୁ ଫାଇଲ ବାହାର କରି କ୍ରେଚିଟୋଭ୍‌ଙ୍କ ଠିକଣା ବାହାର କଲେ ଆଲେସ୍କି । ଫାଇଲ ଉପରେ କିଛି ସମୟ ମୁହଁ ବୁଲାଇ କହିଲେ, ‘‘ହଁ, ସେ ଲେବ୍‌ଦେବ ବିଶ୍ୱବିଦ୍ୟାଳୟର ବିଶ୍ୱରଶ୍ମି ବିଭାଗର ଅଧ୍ୟାପକ ।’’

 

‘‘ତା’ ହେଲେ କ’ଣ କରାଯିବ ବର୍ତ୍ତମାନ ?’’ ବଡ଼ ହତାଶ ହୋଇ ବୃଦ୍ଧ ବସିପଡ଼ିଲେ ଆଲେସ୍କିଙ୍କ ସମ୍ମୁଖସ୍ଥ ଚେୟାରରେ । ‘‘କୃତ୍ରିମ ଉପଗ୍ରହରେ ଜଣେ ସୁଦକ୍ଷ ବିଶ୍ୱରଶ୍ମି-ବିଶେଷଜ୍ଞ ନ ହେଲେ ଚଳିବ କେମିତି ? କମିଶନ୍‌ର ସଭ୍ୟମାନେ ତ ଚାଲିଗଲେଣି । କୃତ୍ରିମ ଉପଗ୍ରହ ଛଡ଼ାଯିବାବେଳକୁ ସେମାନେ ଯାଇ ଆସିବେ । ସେମାନଙ୍କ ମତାମତ ନ ନେଇ ନିର୍ବାଚିତ ସଭ୍ୟମାନଙ୍କ ଭିତରେ ଅଦଳବଦଳ ଆମେ କରିବା କେମିତି ?’’

 

କିଛି ସମୟ ଚିନ୍ତା କରି କହିଲେ, ‘‘ସେମାନଙ୍କ ଆସିବା ପର୍ଯ୍ୟନ୍ତ ତ ଅପେକ୍ଷା କଲେ କିଛି ହୋଇପାରିବନି ଆଲେସ୍କି ! ମୁଁ ଭାବୁଛି ଆମେ କ୍ରେଚିଟୋଭ୍‌ଙ୍କ ପରିବର୍ତ୍ତରେ ଆଉ ଜଣେ ବିଶ୍ୱରଶ୍ମି-ବିଶେଷଜ୍ଞଙ୍କୁ ନେଇନେବା । କିନ୍ତୁ ଜଣେ ସୁଦକ୍ଷ ଲୋକ କିପରି ପାଇବା ସେଇ ହେଉଛି ପ୍ରଶ୍ନ । ତୁମେ କ’ଣ ଭାବୁଚ ଯେ ଆମେ ପୁଣି ଥରେ ବିଶ୍ୱବିଦ୍ୟାଳୟମାନଙ୍କୁ ଲେଖି ଆବେଦନକାରୀମାନଙ୍କଠାରୁ ଆବେଦନ ପତ୍ର ନିମନ୍ତ୍ରଣ କରିବା ?’’

 

‘‘ତା ନକଲେ ଆମେ ସୁଦକ୍ଷ ଲୋକ ପାଇବା କେମିତି ?’’ ଆଲେସ୍କି ଉତ୍ତର ଦେଲେ ।

 

‘‘କମିଶନ୍‌ର ସଭ୍ୟମାନେ ତ ଏଠାରେ ନାହାନ୍ତି । କମିଶନ୍‌ର ବିଶ୍ୱରଶ୍ମି ବିଶାରଦ ମଧ୍ୟ ବର୍ତ୍ତମାନ ବହୁଦୂରରେ । ତେଣୁ ଏପରି ପରିସ୍ଥିତିରେ ଆମେ ଆବେଦନକାରୀମାନଙ୍କ ଭିତରୁ ସୁଦକ୍ଷ ଲୋକ ବାଛିବା କେମିତି ?’’

 

କିଛି ସମୟ ଚିନ୍ତା କରି ସେ କହିଲେ–‘‘କିନ୍ତୁ ମୁଁ ଆଉ ଗୋଟିଏ କଥା ଭାବିଛି ଆଲେସ୍କି-! ଆମେ ବିଭିନ୍ନ ବିଶ୍ୱବିଦ୍ୟାଳୟକୁ ନ ଲେଖି ବା ଆବେଦନପତ୍ର ନିମନ୍ତ୍ରଣ ନ କରି କୌଣସି ବିଶେଷଜ୍ଞଙ୍କ ପାଖକୁ ଲେଖିବା ସୁଦକ୍ଷ ବୈଜ୍ଞାନିକଙ୍କର ଏକ ତାଲିକା ଓ ସୁପାରିଶପତ୍ର ପଠାଇବାପାଇଁ । ସେହି ତାଲିକା ଓ ସୁପାରିଶପତ୍ରକୁ ଦେଖି ଆମେ ଆମ ମନମୁତାବକ ଲୋକ ବାଛିନେବା । ତୁମେ କ’ଣ ଭାବୁଛ ? ଏହା କଲେ କ’ଣ ଭଲ ହେବ ନାହିଁ ?’’

 

ଆଲେସ୍କି କିଛି ସମୟ ଚିନ୍ତା କରି କହିଲେ, ‘‘ଏହାଛଡ଼ା ତ ଆଉ କିଛି ଉପାୟ ମୋ ମୁଣ୍ଡକୁ ପଶୁନି । ଆପଣ ଯାହା ଭାବିଛନ୍ତି ତାହାହିଁ କରିବା ସବୁଠାରୁ ଭଲ ।’’

 

‘‘ମୋର ବନ୍ଧୁ ବିଶ୍ୱବିଖ୍ୟାତ ବୈଜ୍ଞାନିକ ଲୋଗୋଡ଼େଙ୍କୋଙ୍କ ନାମ ହୁଏତ ତୁମେ ଶୁଣିଥିବ । ସେ ବର୍ତ୍ତମାନ କେନ୍ଦ୍ର ରାଜଧାନୀର ନୂତନ ବିଶ୍ୱବିଦ୍ୟାଳୟର ବିଶ୍ୱରଶ୍ମି ଗବେଷଣାଗାରର ଡିରେକ୍‌ଟର । ମୁଁ ତାଙ୍କ ପାଖକୁ ଲେଖୁଛି, ସେ ତାଙ୍କ ଅନୁଷ୍ଠାନର ବୈଜ୍ଞାନିକମାନଙ୍କ ଭିତରୁ ଏକ ତାଲିକା ଓ ସେଥି ସହ ସେମାନଙ୍କ ସୁପାରିଶପତ୍ର ଆମ ପାଖକୁ ପଠାନ୍ତୁ । ଆମେ ସେହି ସୁପାରିଶପତ୍ର ଉପରେ ନିର୍ଭର କରି ସୁଦକ୍ଷ ଲୋକ ବାଛିନେବା । ମୁଁ ପରେ କମିଶନ୍‌ର ସଭ୍ୟମାନଙ୍କୁ ଆମର ଅବସ୍ଥା ବୁଝାଇ ତାହା ମଞ୍ଜୁର କରାଇନେବି । ତୁମେ କ’ଣ ଭାବୁଛ ଆଲେସ୍କି-? ଏହାଛଡ଼ା ଆଉ କୌଣସି ବୈଜ୍ଞାନିକଙ୍କ ପାଖକୁ ଲେଖିବା ତମେ ଉଚିତ ମନେ କରୁଛ-?’’ ଡିରେକ୍ଟର ମତାମତ ପାଇଁ ଆଲେସ୍କିଙ୍କ ଆଡ଼କୁ ଅନାଇ ରହିଲେ ।

 

ଆଲେସ୍କି କିଛି ସମୟ ଚିନ୍ତା କରି କହିଲେ, ‘‘ନାହିଁ, ଏ ବିଭାଗରେ ମୋର ଅନ୍ୟ କୌଣସି ବିଶିଷ୍ଟ ବୈଜ୍ଞାନିକଙ୍କ ସହିତ ପରିଚୟ ନାହିଁ । ମୋ ମତରେ ଲୋଗୋଡ଼େଙ୍କୋଙ୍କ ଭଳି ବିଶିଷ୍ଟ ବୈଜ୍ଞାନିକଙ୍କ ସୁପାରିଶପତ୍ର ଉପରେ ଆମ୍ଭେମାନେ ପୂରାପୂରି ନିର୍ଭର କରିବା ଉଚିତ । ଆପଣ ତାହେଲେ ବୈଜ୍ଞାନିକ ଲୋଗୋଡ଼େଙ୍କୋଙ୍କୁ ଫୋନ୍‌ କରନ୍ତୁ ।’’

 

‘‘ହଁ, ଆଉ ଗୋଟିଏ କଥା’’ କମିଶନ୍‌ର ଚେୟାରମ୍ୟାନ୍‌ ଉଠିବା ପୂର୍ବରୁ ଆଲେସ୍କି କହିଲେ, ‘‘ଟେଲିଭିଜନ୍‌ ବିଶେଷଜ୍ଞ ଡକ୍ଟର ମାକୋଭେଲସ୍କିଙ୍କ ଇଞ୍ଜିନିୟରମାନେ ଏପର୍ଯ୍ୟନ୍ତ କୃତ୍ରିମ ଉପଗ୍ରହରେ ଟେଲିଭିଜନ୍‌ ଫିଟ୍‌ କରି ନାହାନ୍ତି । ସେମାନେ ଏତେ ଡେରି କଲେ ଚଳିବ କେମିତି ? ଆପଣ ସେମାନଙ୍କ ନିକଟରୁ ଗୋଟିଏ ଜରୁରୀ ବାର୍ତ୍ତା ପଠାନ୍ତୁ ଶୀଘ୍ର ଆସିବା ପାଇଁ ।’’

 

‘‘ହଁ, ସେମାନେ ମୋତେ ଇତି ମଧ୍ୟରେ ଦୁଇଥର ଜଣାଇ ସାରିଲେଣି ଆସୁଛନ୍ତି ବୋଲି-। ଭାରତର ପ୍ରଧାନମନ୍ତ୍ରୀ ମି. ଜବାହାରଲାଲ୍‌ ନେହେରୁ ଯେତେବେଳେ ଆମ ଦେଶକୁ ଆସିଥିଲେ ଏହି ଇଞ୍ଜିନିୟରମାନେ ରାଷ୍ଟ୍ରର ବହୁ ସହରରେ ଅସ୍ଥାୟୀ ଟେଲିଭିଜନ୍‌ କେନ୍ଦ୍ର ବସାଇଥିଲେ-। ଶାନ୍ତିର ଦୂତ ପୃଥିବୀର ଏହି ଶ୍ରେଷ୍ଠତମ ଜନନାୟକଙ୍କୁ ଦେଖିବା ପାଇଁ ଆମ ରାଷ୍ଟ୍ରର ସମସ୍ତେ ଏକରକମ ପାଗଳ ହୋଇପଡ଼ିଥିଲେ । ମିଷ୍ଟର୍‌ ନେହେରୁ ଯେଉଁ ଯେଉଁ ସହରକୁ ଯାଉଥିଲେ କେନ୍ଦ୍ର ସରକାରଙ୍କ ଏକ ଜରୁରୀ ଆଦେଶରେ ସେମାନେ ସେହି ସବୁ ସହରରେ ଅସ୍ଥାୟୀ ଟେଲିଭିଜନ୍‌ କେନ୍ଦ୍ର ବସାଇ ତାହାଙ୍କୁ ଲୋକେ ସୁବିଧାରେ ଦେଖିବାପାଇଁ ବନ୍ଦୋବସ୍ତ କରିଥିଲେ । ମିଷ୍ଟର୍‌ ନେହେରୁ ଫେରିଯିବା ପରେ ସେହି ଅସ୍ଥାୟୀ କେନ୍ଦ୍ର ଗୁଡ଼ିକୁ ସ୍ଥାୟୀ କେନ୍ଦ୍ରରେ ପରିଣତ କରିବା ପାଇଁ କେନ୍ଦ୍ର ସରକାର ସ୍ଥିର କରିଥିଲେ । କିନ୍ତୁ ଗତବର୍ଷ କେନ୍ଦ୍ରସରକାର ପୁଣି ମତ ବଦଳାଇ ସେହି ଅସ୍ଥାୟୀ କେନ୍ଦ୍ରଗୁଡ଼ିକୁ ଉଠାଇ ନେବା ପାଇଁ ଆଦେଶ ଦେଲେ । ବୈଜ୍ଞାନିକ ମାକୋଭେଲସ୍କିଙ୍କୁ ନୂତନ ଟେଲିଭିଜନ୍‌ ପଦ୍ଧତି ସବୁ ସହରରେ ପ୍ରତିଷ୍ଠା କରିବାପାଇଁ କେନ୍ଦ୍ର ସରକାର ସେହି ପୁରୁଣା ଯନ୍ତ୍ରପାତିଗୁଡ଼ିକୁ ଉଠାଇ ନେଇଥିବାର ଅନୁମାନ । ସେ ତାଙ୍କର ଶେଷ ଚିଠିରେ ମୋତେ ଜଣାଇଛନ୍ତି ଯେ, ବିଭିନ୍ନ ସହରରୁ ଅସ୍ତାୟୀ ଟେଲିଭିଜନ୍‌ କେନ୍ଦ୍ର ଉଠାଇବା କାମ ସରିଗଲାଣି । ସେ ଏଇ ଅଳ୍ପଦିନ ଭିତରେ ତାଙ୍କର ଯନ୍ତ୍ରପାତି ଓ ଲୋକ ଘେନି ଏଠାରେ ପହଞ୍ଚିଯିବେ ।’’

 

ବୃଦ୍ଧଙ୍କ କଥାରେ ହଠାତ୍‌ ଆଲେସ୍କିଙ୍କର ମନେପଡ଼ିଗଲା, ଭାରତର ସେହି ଜନନାୟକଙ୍କ କଥା । ସେ ବର୍ଷ ମିଷ୍ଟର ନେହୁରୁଙ୍କୁ ଦେଖିବା ପାଇଁ ସେ ଏଠାରୁ ଛୁଟି ନେଇ କେନ୍ଦ୍ର ରାଜଧାନୀକୁ ଦୌଡ଼ିଯାଇଥିଲେ ଓ ମେରିନା ସହିତ ପୃଥିବୀର ଏହି ଶ୍ରେଷ୍ଠ ଶାନ୍ତିକାମୀ ଜନନାୟକଙ୍କୁ ଦେଖିବାପାଇଁ କିପରି ଲୋକମେଳରେ ରାସ୍ତାଧାରରେ ଛିଡ଼ା ହୋଇଥିଲେ, ତାହା ଗୋଟି ଗୋଟି ହୋଇ ତାଙ୍କର ମନେ ପଡ଼ିଗଲା । ସେଦିନ ସେ ଯେତେବେଳେ ଏହି ବିରାଟ ମାନବଙ୍କୁ ଦେଖିଲେ, ତାଙ୍କର ଶାନ୍ତପ୍ରଶାନ୍ତ ବଦନ ତାଙ୍କ ମନରେ ଆଣିଥିଲା ଶାନ୍ତିର ଏକ ସ୍ୱର୍ଗୀୟ ଆନନ୍ଦ । ସେ ମନେ ପକାଇ ଉଲ୍ଲସିତ ହୋଇଉଠିଲେ ଯେ ମିଷ୍ଟର୍‌ ନେହେରୁ କେବଳ କାଗଜ-କଲମରେ ଶାନ୍ତିର ଦୂତ ନୁହନ୍ତି; ତାଙ୍କର ପ୍ରସନ୍ନ ହାସ୍ୟୋଜ୍ୱଳ ମୂଖମଣ୍ଡଳକୁ ଦେଖିଲେ ଯେ କେହି ଲୋକ କହିବ, ସେ ପ୍ରକୃତରେ ବିଶ୍ୱଶାନ୍ତିର ଦୂତ । ଧନ୍ୟ ଭାରତ ! ଧନ୍ୟ ତା’ର ଏହି ଜନନାୟକ !

 

ଟେବୁଲସ୍ଥିତ ଫୋନ୍‌ ହଠାତ୍‌ ବାଜିଉଠିଲା । ଆଲେସ୍କିଙ୍କ ଚିନ୍ତାର ଖିଅ ଛିଡ଼ିଗଲା–ସେ ଫୋନ୍‌ ଧରିଲେ ।

 

‘‘ହଁ, ହଁ, ଡିରେକ୍‌ଟର ପାଲାଭିନ୍‌ ଅଛନ୍ତି । କେଉଁଠାରୁ କହୁଛନ୍ତି ?’’ ଆଲେସ୍କି ବୃଦ୍ଧଙ୍କ ଆଡ଼କୁ ଫୋନ୍‌ ବଢ଼ାଇଦେଇ କହିଲେ, ‘‘ପ୍ରାନ୍ତୀୟ ରାଜଧାନୀରୁ ଆପଣଙ୍କ ସହିତ କଥାବାର୍ତ୍ତା କରିବାକୁ ଚାହୁଁଚନ୍ତି ।’’

 

ପାଲାଭିନ୍‌ ମୁହଁ ପାଖରେ ଫୋନ୍‌ ଲଗାଇ କହିଲେ–‘‘ହଁ, ହଁ, ମୁଁ ପାଲାଭିନ୍‌, ଆପଣ…..-?’’

 

ଟେଲିଫୋନ୍‌ର ଉତ୍ତରରେ ମୁଖ ତାଙ୍କର ଉଜ୍ଜଳ ହୋଇଉଠିଲା । ସେ ଉତ୍ତର କଲେ, ‘‘ହୁଁ , ହୁଁ ଆସନ୍ତୁ, କିଛି ଅସୁବିଧା ହେବନି । ଆମ ମାନମନ୍ଦିର ପର୍ଯ୍ୟନ୍ତ ରାସ୍ତା ଅତି ସୁନ୍ଦର । ଏପରି ରାସ୍ତା ଆପଣଙ୍କ ସହରରେ ବି ନଥିବ । ଆପଣ ଆସିଲେ ଦେଖିବେନି ବଳେ । ହେଉ, ହେଉ, ଆମେ ଆପଣଙ୍କୁ ଅପେକ୍ଷା କରି ବସିଲୁଁ । ଶୀଘ୍ର ଆସନ୍ତୁ; ଧନ୍ୟବାଦ ।’’

 

ଫୋନ୍‌ ଥୋଇ ଦେଉଁ ଦେଉଁ ବୃଦ୍ଧ କହିଲେ, ‘‘ଶୁଣିଲ ଆଲେସ୍କି, ଟେଲିଭିଜନ୍‌ ଇଞ୍ଜିନିଅରମାନେ ଆସିଗଲେ । ଇଞ୍ଜିନିଅରମାନଙ୍କୁ ସଙ୍ଗରେ ଧରି ନିଜେ ଡକ୍‌ଟର ମାକୋଭେଲସ୍କି ଆସୁଚନ୍ତି । ପାଞ୍ଚଟନ୍‌ ଯନ୍ତ୍ରପାତି ଆସୁଛି, ସଙ୍ଗରେ । ସେମାନେ ବର୍ତ୍ତମାନ ପ୍ରାନ୍ତୀୟ ରାଜଧାନୀ ଛାଡ଼ିବେ । ଯା’ ହେଉ ଗୋଟାଏ ବଡ଼ ଚିନ୍ତା ଗଲା ଏଥର । ହେଉ, ତୁମେ କେନ୍ଦ୍ର ରାଜଧାନୀ ପାଇଁ ଗୋଟିଏ କଲ୍‌ ବୁକ୍‌କର । ମୁଁ ଆସୁଛି, ଲୋଗୋଡ଼େଙ୍କୋଙ୍କୁ ଫୋନ୍‌ କରିବି ।’’ ଏହା କହି ବୃଦ୍ଧ ଉଠିଗଲେ ।

 

‘‘ଯାହା ହେଉ, ଏଥର ସେ ଚିନ୍ତା ଗଲା ଆଲେସ୍କି’’–କହୁଁ କହୁଁ ଆନନ୍ଦ ମନରେ ପଶିଆସିଲେ ଡିରେକ୍ଟର ପାଲାଭିନ୍‌, ଆଲେସ୍କିଙ୍କ ଗବେଷଣାଗାର ଭିତରକୁ । ହାତରେ ତାଙ୍କର ଖଣ୍ଡିଏ ଅର୍ଦ୍ଧ-ଖୋଲା ଚିଠି; ମୁଖରେ ତାଙ୍କର ସନ୍ତୋଷତାର ସ୍ପଷ୍ଟ ଚିହ୍ନ ।

 

ଗୋଟିଏ ଇଜିଚେୟାରରେ ଅର୍ଦ୍ଧଶାୟିତ ଅବସ୍ଥାରେ ବସି ଆଲେସ୍କି ବିଶ୍ୱବିଖ୍ୟାତ ବୈଜ୍ଞାନିକ ବେଥେଙ୍କ ନବ ପ୍ରକାଶିତ ଜ୍ୟୋତିଃ-ପଦାର୍ଥବିଦ୍ୟା ସମ୍ୱନ୍ଧୀୟ ଏକ ପୁସ୍ତକ ପଢ଼ୁଥିଲେ । ଡିରେକ୍ଟରଙ୍କୁ ଦେଖି ସେ ହଠାତ୍‌ ଉଠି ବସିଲେ । ତାଙ୍କ ଆଡ଼କୁ ଏକ ଜିଜ୍ଞାସୁ ଦୃଷ୍ଟିରେ ଅନାଇ, ବୃଦ୍ଧ ଆଲେସ୍କିଙ୍କ ସମ୍ମୁଖସ୍ଥ ଏକ ସୋଫାରେ ବସିପଡ଼ି କହିଲେ, ‘‘ବନ୍ଧୁ ଲୋଗୋଡ଼େଙ୍କୋ ଖୁବ୍‌ ଶୀଘ୍ର ମୋ ଅନୁରୋଧ ରକ୍ଷା କରିଛନ୍ତି ଆଲେସ୍କି ! ଏଇ ଦେଖୁଛ, ସେ ତିନୋଟି ନାମ ପଠାଇଛନ୍ତି ଆମଠାକୁ ପ୍ରତ୍ୟେକଙ୍କୁ ସୁପାରିଶ କରି । ତିନିଜଣ ଯାକ ମଧ୍ୟ ଆମ କୃତ୍ରିମ ଉପଗ୍ରହରେ ଯିବାପାଇଁ ଇଛୁକ । ପ୍ରତ୍ୟେକଙ୍କ ପାଇଁ ଅଲଗା ଅଲଗା ସୁପାରିଶପତ୍ର ପଠାଇଛନ୍ତି । ଗବେଷଣା କ୍ଷେତ୍ରରେ ପ୍ରତ୍ୟେକଙ୍କ ପାଇଁ ଅଲଗା ଅଲଗା ସୁପାରିଶପତ୍ର ପଠାଇଛନ୍ତି । ଗବେଷଣା କ୍ଷେତ୍ରରେ ପ୍ରତ୍ୟେକଙ୍କର କୃତିତ୍ୱ କେତେ ତାହା ଏହି ସୁପାରିଶପତ୍ରରୁ ଜଣାପଡ଼ୁଛି । ମୁଁ ଭାବୁଛି, ଏଇ ତିନିଜଣଙ୍କ ଭିତରୁ ଯା’ଙ୍କର ସୁପାରିଶପତ୍ର ସବୁଠାରୁ ଭଲ, ଆମେ ତାଙ୍କୁଇ ଗ୍ରହଣ କରିନେବା ।’’

 

ଆଲେସ୍କି ଉତ୍ସୁକ ହୋଇ ବୃଦ୍ଧଙ୍କ ଆଡ଼କୁ ଅନାଇ ରହିଲେ । ହାତରେ ଧରିଥିବା କାଗଜକୁ ଅନାଇ ବୃଦ୍ଧ କହିଚାଲିଲେ, ‘‘ମୁଁ ଯାହା ଦେଖୁଛି ଏହି ତିନିଜଣଙ୍କ ଭିତରୁ ମିସ୍‌ ମେରିନା କୋଜେଲେସ୍କିଙ୍କର ସୁପାରିଶପତ୍ର ସବୁଠାରୁ ଭଲ । ସେ ଲେଖିଛନ୍ତି ରାଜଧାନୀର ନୂତନ ବିଶ୍ୱବିଦ୍ୟାଳୟରୁ ଡି. ଏସସି. ଉପାଧି ପାଇଁ ମେରିନା ତାଙ୍କର ଏକ ବିରାଟ ସନ୍ଦର୍ଭ ଦେଇଛନ୍ତି ଓ ତାହା ଉଚ୍ଚକୋଟୀର ହୋଇଛି ବୋଲି ବନ୍ଧୁ ଲେଖିଛନ୍ତି । ମୁଁ ଭାବୁଛି, ଆମେ ଏହାଙ୍କୁ ନ ନେଇ ଅନ୍ୟକାହାକୁ ନେଲେ ଅନ୍ୟାୟ ହେବ । କ’ଣ କହୁଛ ଆଲେସ୍କି ?’’

 

ମେରିନାର ନାମ ଶୁଣି ଆଲେସ୍କିଙ୍କର ସାରା ଶରୀରରେ ବିଦ୍ୟୁତ୍‌ର ଏକ ଚମକ ଖେଳିଗଲା । ମନେ ମନେ କହିଲେ, ‘‘ଏଁ ମେରିନା ? ସେ ପୁଣି ଏଇ କୃତ୍ରିମ ଉପଗ୍ରହରେ ଯିବ, ମୋ ସହିତ ? ନା, ନା, ଏହା କଦାପି ହୋଇ ପାରେନା । ଜାଣିଶୁଣି ଏଡ଼େ ବଡ଼ ବିପଦ-ସଂକୁଳ ପରିସ୍ଥିତିକୁ ମୁଁ ନେଇ ପାରେନା ମେରିନାକୁ’’–ଭାବୁଁ ଭାବୁଁ ବଡ଼ ଅସ୍ଥିର ହୋଇପଡ଼ିଲେ ଆଲେସ୍କି ।

 

‘‘ଆଉ ଅନ୍ୟ ଦୁଇଜଣଙ୍କ ନାମ କ’ଣ କହନ୍ତୁ ତ ?’’

 

‘‘ଜଣକ ନାମ ହେଉଛି ମେରିଆ ସେପିଲୋଭ ଓ ଅନ୍ୟ ଜଣକ ନାମ ହେଉଛି ଏ. କେ. ଶାଟ୍ରୋଭ । କିନ୍ତୁ ବିଶ୍ୱରଶ୍ମି ଗବେଷଣାରେ ସେ ଦୁଇଜଣଙ୍କ ଅଭିଜ୍ଞତା ମେରିନାଙ୍କଠାରୁ ଢେର୍‌ କମ୍‌। ମୋ ମତରେ ଆମ୍ଭମାନଙ୍କ ପକ୍ଷରେ ମେରିନାଙ୍କୁ ବାଛିବା ସବୁଠାରୁ ଭଲ ହେବ ।’’

 

‘‘କିନ୍ତୁ ଆମେ ମେରିନାଙ୍କୁ ନ ନେଇ ଶାଟ୍ରୋଭଙ୍କୁ ନେଲେ କ୍ଷତି କଅଣ ?’’

 

‘‘ତା କିପରି ହେବ ? ଶାଟ୍ରୋଭ ଯେ ନିହାତି ଅନଭିଜ୍ଞ; ଏବେ ଗବେଷଣା ଆରମ୍ଭ କରିଛି ମାତ୍ର । ତା’ପରେ ମେରିନାଙ୍କର ଏଡ଼େ ବଡ଼ ସୁପାରିଶପତ୍ରକୁ ଆମେ ଅବହେଳା କରିବା କେଉଁ ସାହସରେ ? ପୁଣି କମିଶନ୍‌ର ସଭ୍ୟମାନଙ୍କ ପାଖରେ ମୁଁ କେଉଁ ଜୋର୍‌ରେ ଏହାଙ୍କୁ ନେବା ପାଇଁ ସୁପାରିଶ କରିବି ? ବୈଜ୍ଞାନିକ ଲୋଗୋଡ଼େଙ୍କୋଙ୍କର ଏତେ ବଡ଼ ସୁପାରିଶପତ୍ର ଆମକୁ ଅଲକ୍ଷିତରେ ଇଙ୍ଗିତ ଦେଉନାହିଁ କି ମେରିନାକୁ ଗ୍ରହଣ କରିବା ପାଇଁ ? ଏଇ ନିଅ, ଦେଖ ସୁପାରିଶପତ୍ରଗୁଡ଼ିକ । ମୋତେ କାଲି ତୁମର ଶେଷ ନିଷ୍ପତ୍ତି ଜଣାଇବ ।’’ ବୃଦ୍ଧ ପାଲାଭିନ୍‌ ଆଲେସ୍କିଙ୍କୁ ସୁପାରିଶପତ୍ରଗୁଡ଼ିକ ଦେଇ କକ୍ଷରୁ ବାହାରିଗଲେ ।

 

କୃତ୍ରିମ ଉପଗ୍ରହ ପୃଥିବୀ ଛାଡ଼ିବା ପାଇଁ ଆଉ ପ୍ରାୟ ଦିନ କୋଡ଼ିଏଟା ବାକି । କମିଶନ୍‌ର ସଭ୍ୟମାନେ ଆସି ମାନମନ୍ଦିରରେ ପହଞ୍ଚିଗଲେଣି । ସାଏନ୍‌ସ ଏକାଡ଼େମୀରେ ସାଧାରଣ ପ୍ରେସିଡ଼େଣ୍ଟ ନିଜେ କୃତ୍ରିମ ଉପଗ୍ରହ ଛାଡ଼ିବା ଦିନ ଏଠାରେ ଉପସ୍ଥିତ ରହିବେ ବୋଲି ଜଣାଇ ଦେଇଛନ୍ତି । ଜ୍ୟୋତିର୍ବିଜ୍ଞାନ ଶାଖାର ପ୍ରାୟ ପ୍ରତ୍ୟେକ ସଭ୍ୟ ଲେନିନ୍‌ ମାନମନ୍ଦିରର ଏହି ଐତିହାସିକ ଅଭିଯାନ ଦେଖିବାକୁ ନିମନ୍ତ୍ରିତ । ଏହି ବିରାଟ ଅଭିଯାନକୁ ଦେଖିବା ପାଇଁ ଏତେ ଲୋକ ଆମନ୍ତ୍ରିତ ହୋଇଥିଲେ ମଧ୍ୟ ଏହାର ଗୋପନୀୟତା ରକ୍ଷା କରିବା ପାଇଁ ଓ ସାଧାରଣ ଲୋକଙ୍କ ଭିତରକୁ ଓ ଦେଶ ବାହାରକୁ ଯେପରି ଏହି ଖବର ଚାଲିନଯାଏ, ସେଥିପ୍ରତି ନାନା କଡ଼ା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଦେଶୀ ବିଦେଶୀ ସମ୍ୱାଦ ସରବରାହ ଅନୁଷ୍ଠାନମାନଙ୍କଠାରୁ ଏହି ଖବର ଖୁବ୍‌ ଦୂରରେ ରଖାଯାଇଛି । ରାଷ୍ଟ୍ରର ବଡ଼ ବଡ଼ ସହରର ବୈଜ୍ଞାନିକମାନେ ଏହିଭଳି ଏକ ଗୁରୁତ୍ୱପୂର୍ଣ୍ଣ ଅଭିଯାନ ସମ୍ୱନ୍ଧରେ ସଚେତନ ଥିଲେ ମଧ୍ୟ ରାଷ୍ଟ୍ରର ବା ରାଷ୍ଟ୍ର ବାହାରର ଜଣେ ସୁଦ୍ଧା ସମ୍ୱାଦଦାତା ଏହାର ଟେର୍‌ ପାଇନଥାନ୍ତି ।

 

ଉପଗ୍ରହରେ ଯାଉଥିବା ବୈଜ୍ଞାନିକଦଳଙ୍କ ମଧ୍ୟରୁ ପ୍ରାୟ ସମସ୍ତେ ଆସିଗଲେଣି । କୃତ୍ରିମ ଉପଗ୍ରହର ବିଶ୍ୱରଶ୍ମି-ବିଷାରଦ ଭାବରେ ମେରିନା ନିଯୁକ୍ତ ପତ୍ର ପାଇଯାଇଛନ୍ତି । ସେ ନଯୁକ୍ତିପତ୍ର ପାଇବା ଦିନଠାରୁ ଆଲେସ୍କି ବଡ଼ ଚିନ୍ତାମଗ୍ନ । ମେରିନା କିପରି ଏହି ଅଭିଯାନରେ ଯିବାପାଇଁ ସମ୍ମତି ଦେଲା, ସେ ସମ୍ୱନ୍ଧରେ ଦିନରାତି ଭାବି ସୁଦ୍ଧା ଶେଷ ସିଦ୍ଧାନ୍ତରେ ପହଞ୍ଚି ପାରୁନଥାନ୍ତି । ମେରିନା ଯେ ନିଶ୍ଚୟ ତାଙ୍କ ବାପା-ମା’ଙ୍କୁ ଲୁଚାଇ ଏଥିରେ ସମ୍ମତି ଦେଇଛି, ଏଥିରେ ତାଙ୍କର ଆଉ ସନ୍ଦେହ ରହିଲା ନାହିଁ । ତାର ବାପା କିମ୍ୱା ମା’ ଏକଥା ଜାଣିଥିଲେ ହୁଏତ ତାକୁ ଏଭଳି ଏକ ବିପଦ ସଂକୁଳ ଅଭିଯାନରେ ଯିବାକୁ ଅନୁମତି ଦେଇ ନଥାନ୍ତେ । ମେରିନାକୁ କିଭଳି ଏହି ଅଭିଯାନରୁ ନିବର୍ତ୍ତାଇବେ, ସେଇ ତାଙ୍କର ଚିନ୍ତା ।

 

ଏ ବିଷୟରେ ଚିନ୍ତା କରୁ କରୁ ହଠାତ୍‌ ଗୋଟାଏ ବୁଦ୍ଧି ତାଙ୍କ ମୁଣ୍ଡରେ ଖେଳିଗଲା । ମେରିନାକୁ ଅଟକାଇବାର ଏକମାତ୍ର ଉପାୟ ହେଉଛି ତାଙ୍କ ପିତାମାତାଙ୍କୁ ଏହି ଅଭିଯାନର ବିପଦ-ଆପଦ କଥା ଜଣାଇଦେବା ଓ ମେରିନାକୁ ଘରୁ ନ ଛାଡ଼ିବା ପାଇଁ ପ୍ରବର୍ତ୍ତାଇବା । ତାଙ୍କ ବାପା ମା’ ଏକଥା ଜାଣିପାରିଲେ ତାକୁ କଦାପି ଘରୁ ଛାଡ଼ିବେନି । ମେରିନା ନ ଆସିଲେ ତା ବଦଳରେ ଆଉ କାହାକୁ ନିଆଯାଇ ପାରିବ । ଏହିଭଳି ଭାବୁ ଭାବୁ ସେ ସଙ୍ଗେ ସଙ୍ଗେ ମେରିନାର ବାପାଙ୍କଠାକୁ ତାର କରିବା ପାଇଁ ଖଣ୍ଡିଏ ଟେଲିଗ୍ରାମ୍‌ ଫର୍ମ ବାହାରକରି ଲେଖିବାକୁ ଆରମ୍ଭ କଲେ । ଲେଖିସାରି ତାର ଅଫିସକୁ ପଠାଇଦେବାକୁ ଯାଉଛନ୍ତି, ହଠାତ୍‌ ଜଣେ ସହକାରୀ ଗୋଟିଏ ଟେଲିଗ୍ରାମ୍‌ ଆଣି ତାଙ୍କ ଟେବୁଲ ଉପରେ ଥୋଇଦେଇ ଗଲା । ଆଲେସ୍କି ଟେଲିଗ୍ରାମ୍‌କୁ ଖୋଲିଦେଇ ଯାହା ଦେଖିଲେ ସେଥିରେ ତାଙ୍କୁ ଚାରିଆଡ଼ ଅନ୍ଧକାର ଦିଶିଲା । ମେରିନା ତାର କରିଛି ଯେ, ସେ ପ୍ରାନ୍ତୀୟ ରାଜଧାନୀରେ ପହଞ୍ଚି ସେଠାରୁ ମଟରଯୋଗେ ଆଲେକ୍‌ଜାଣ୍ଡାର ଶୃଙ୍ଗ ଅଭିମୁଖେ ଆସୁଛି-। ଟେଲିଗ୍ରାମ୍‌ଟିକୁ ପଢ଼ି ଆଲେସ୍କିଙ୍କ ମୁଣ୍ଡ କ’ଣ ହୋଇଗଲା । ଅଜାଣତରେ ତାଙ୍କ ମୁହଁରୁ ବାହାରିପଡ଼ିଲା ‘‘ଓଃ, ତା’ ହେଲେ ମେରିନାକୁ ଆଉ ବନ୍ଦ କରି ହେବନି ।’’

 

‘‘ତୁମେ ଯେ କାହିଁକି ଏତେ ଜିଦ୍‌ଧରୁଛ, ମୁଁ ବୁଝିପାରୁନି ମେରିନା ! ମହାଶୂନ୍ୟରେ ଯେଉଁ ବିପଦ, କେତେବେଳେ କ’ଣ ହେବ କହି ହେବନି । କୌଣସି କାରଣବଣତଃ ଯଦି କୃତ୍ରିମ ଉପଗ୍ରହ ମହାଶୂନ୍ୟରେ କାହା ସହିତ ଧକ୍‌କା ଖାଏ କିମ୍ୱା ବାହାର ଓ ଭିତର ଚାପର ତାରତମ୍ୟ ହେତୁ ଉପଗ୍ରହଟି ଯଦି ଫାଟିଯାଏ, ତେବେ ତୁମର ଅବସ୍ଥା କଅଣ ହେବ ଭାବିପାରୁଛ ତ ? ତୁମକୁ ମୋର ଶେଷ ଅନୁରୋଧ ମେରିନା, ତୁମେ କ୍ଷାନ୍ତ ହୁଅ ଏହି ଅଭିଯାନରୁ । ଏପର୍ଯ୍ୟନ୍ତ ଯଥେଷ୍ଟ ସମୟ ଅଛି । ତୁମେ ରାଜି ହୁଅ, ତେବେ ମୁଁ ଡିରେକ୍ଟରଙ୍କୁ କହି ତୁମର ନିଯୁକ୍ତିପତ୍ର ରଦ୍ଦ କରାଇ ପାରିବି । କୁହ, କୁହ, ମେରିନା ! ତୁମେ ରାଜି ହେବ ମୋ ଅନୁରୋଧରେ ?’’

 

ଆଲେସ୍କିଙ୍କ ବାସଭବନର ବୈଠକଖାନାରେ ମେରିନା ବସିଥାଏ ଆଲେସ୍କିଙ୍କ ସମ୍ମୁଖସ୍ଥ ସୋଫାରେ । ଲାଢ଼ାକିସ୍ଥାନର ନିର୍ମ୍ମଳ ଆକାଶରେ ଶୁକ୍ଳ ଚତୁର୍ଦ୍ଦଶୀ ଚନ୍ଦ୍ରଙ୍କର ରୁପେଲି କିରଣ ଝରିପଡ଼ୁଥାଏ ବୈଠକଖାନାର ବାତାୟନ ଦେଇ । ଆଲେସ୍କିଙ୍କ ଅନୁରୋଧରେ ମେରିନା ହସିଉଠିଲା–‘‘ତୁମେ ମୋତେ ପିଲାଙ୍କଭଳି ଭୁଲାଇବାକୁ ଚେଷ୍ଟା କରନି ଆଲେସ୍କି ! ତୁମେ ଯେଉଁସବୁ କହୁଛ ସେଥିପାଇଁ ମୋର ଟିକିଏ ବି ଭୟ ନାହିଁ । ସେଭଳି ବିପଦ ପଡ଼ିଲେ, ସମସ୍ତଙ୍କର ଯେଉଁ ଦଶା ହେବ, ମୋର ତାହାହିଁ ହେବ ସେଥିପାଇଁ ମୁଁ ପଛାଇବି କାହିଁକି ?’’ ଟିକିଏ ଗମ୍ଭୀର ହୋଇଯାଇ ମେରିନା ପୁଣି ଆରମ୍ଭ କଲା, ‘‘ମୋର ଏକାନ୍ତ ଅନୁରୋଧ ଆଲେସ୍କି, ମୋତେ ଏହି ବିରାଟ ଅନୁଭୂତିଲାଭରୁ ବଞ୍ଚିତ କରିବାକୁ ଚେଷ୍ଟା କରିନି । ମହାଶୂନ୍ୟ ମଧ୍ୟରେ ତୁମ ସହିତ ରହିବାପାଇଁ ମୋର ରହିବାପାଇଁ ମୋର ଯେଉଁ ପ୍ରବଳ ଆଶା, ତା’କୁ ପ୍ରତ୍ୟାଖ୍ୟାନ କରନି ଆଲେସ୍କି-! ମୋତେ ତୁମ ଯିବାକୁ ଅନୁମତି ଦିଅ ।’’

 

‘‘ତୁମ ବାପା ମା’ଙ୍କୁ ତୁମେ ଏ କଥା ଜଣାଇଛ ମେରିନା ?’’

 

‘‘ଜଣାଇଛି, କେବଳ ବାପାଙ୍କୁ, ମା’କୁ ନୁହେଁ ।’’

 

‘‘ମା’ଙ୍କୁ ଜଣାଇଲନି କାହିଁକି ?’’

 

‘‘ବାଃରେ, ମା’କୁ କହିଥିଲେ, ସେ କ’ଣ ଛାଡ଼ିଥାନ୍ତା ମୋତେ ? ମୁଁ ପରା ତା’ର ଗେହ୍ଲା ଝିଅ । ସେ କ’ଣ ମୋତେ ଏ ଅଭିଯାନରେ ଛାଡ଼ିଦେଇ ରହିପାରିବ ?’’ ଟିକିଏ ଗେହ୍ଲେଇ ହୋଇ ଉତ୍ତର ଦେଲା ମେରିନା ।

 

‘‘ତେବେ ମୁଁ ତୁମ ମା’ଙ୍କୁ ଫୋନ୍ କରୁଛି ତୁମର ଏହି ନିଯୁକ୍ତି ନେଇ ।’’ ଏତକ କହି ଆଲେସ୍କି ଫୋନ୍‌ ଧରିଲେ ।

 

ଆଲେସ୍କିଙ୍କୁ ଫୋନ୍‌ଧରିବା ଦେଖି ମେରିନା ସୋଫାରୁ ଉଠିପଡ଼ି ଆଲେସ୍କିଙ୍କ ହାତରୁ ଫୋନ୍‌ ଛଡ଼ାଇବାକୁ ଚେଷ୍ଟା କରୁ କରୁ କହିଲା, ‘‘ମୋ ରାଣ ଆଲେସ୍କି, ମୁଁ ତୁମ ଗୋଡ଼ତଳେ ପଡ଼ୁଛି, ମା’କୁ ଫୋନ୍‌ କରନି । ଜାଣିଲେ ସେ ମୁଣ୍ଡ ପିଟିଦେବ ନିଶ୍ଚେ ।’’

 

ଦୁଇଜଣ ଏଭଳି ଟଣାଓଟରା ଲାଗିଥିବାବେଳେ ହଠାତ୍‌ ବୈଠକଖାନା ଭିତରକୁ ପଶିଆସିଲା ଲେନା । ଲେନାକୁ ଦେଖି ଆଲେସ୍କି ଫୋନ୍‌ଟାକୁ ଯଥାସ୍ଥାନରେ ଥୋଇ ଦେଲେ । ମେରିନା ଚଞ୍ଚଳ ଯାଇ ବସିପଡ଼ିଲା ସୋଫାରେ ଅତି ସରଳ ଝିଅଟିଏ ଭଳି । ବୈଠକଖାନାରେ ମେରିନା ଓ ଆଲେସ୍କିଙ୍କୁ ଏଭଳି ଅବସ୍ଥାରେ ଦେଖି ଲେନା ହଠାତ୍‌ ଚମକି ପଡ଼ିଲା । ତା’ର ମୁଖ ସନ୍ଦେହର ଏକ ଗାଢ଼ ଛାୟାରେ ଘୋଡ଼ାଇ ହୋଇଗଲା ଠିକ୍‌ ଜ୍ୟୋଷ୍ଠ ମାସର ବର୍ଷଣମୁଖୀ କୃଷ୍ଣମେଘ ଆକାଶକୁ ଘୋଡ଼ାଇଲା ଭଳି । ମନ ଭିତରେ ତା’ର ଘୂରିବୁଲିଲା ଶତ ପ୍ରଶ୍ନବାଚକ ଚିହ୍ନ । ମନ ଭିତରର ପ୍ରଶ୍ନଗୁଡ଼ିକ ଚପାଇ ରଖି ଆଲେସ୍କିଙ୍କୁ ଲକ୍ଷ୍ୟକରି ଲେନା କହିଲା, ‘‘କୃତ୍ରିମ ଉପଗ୍ରହ ପାଇଁ ପରମାଣୁ ଇନ୍ଧନ ଆସି ପହଞ୍ଚିଛି ଆମର ଗୁପ୍ତ ପରମାଣୁ ଗବେଷଣା କେନ୍ଦ୍ରରୁ । ଡିରେକ୍ଟର ପଚାରୁଛନ୍ତି, ସେହି ତେଜସ୍କ୍ରିୟ ପଦାର୍ଥ ଆଇନ୍‌ଷ୍ଟାଇନିଅମ୍‌କୁ କ’ଣ ଭୂମିତଳ କୋଠରିକୁ ପଠାଇ ଦିଆଯିବ ?’’

 

ଏତକ କହି ଉତ୍ତର ପାଇଁ ଅପେକ୍ଷା ନ କରି ଲେନା ମେରିନା ଆଡ଼କୁ ଅନାଇ ରହିଲା ! ମାନମନ୍ଦିରରେ କାର୍ଯ୍ୟ କରୁଥିବା ମହିଳାମାନଙ୍କ ଭିତରେ ନିଜେ ସବୁଠାରୁ ଅଧିକ ସୁନ୍ଦରୀ ବୋଲି ତାର ଯେଉଁ ଖ୍ୟାତି ଥିଲା, ତାହା ମେରିନାର ସୌନ୍ଦର୍ଯ୍ୟ ସମ୍ମୁଖରେ ମିଳାଇଯିବାକୁ ବସିଲା । ସେ ମନେ ମନେ ଭାବିଲା, ‘‘ଓଃ, ଏଡ଼େ ସୁନ୍ଦରୀ ଝିଅ ଆମ ରାଷ୍ଟ୍ରରେ ଅଛନ୍ତି ! ସତେ ଯେପରି ସ୍ୱର୍ଗରୁ ଓହ୍ଲାଇଆସିଥିବା ପରୀଟିଏ ! ଫୁଟିଆସୁଥିବା ପଦ୍ମଟି ପରି ଢଳଢଳ ମୁଖମଣ୍ଡଳ, ମୁକ୍ତାନିନ୍ଦୀ ଦନ୍ତପନ୍ତୀ, ଲୋଭନୀୟ ଅରୁଣରକ୍ତିମ ଅଧର । ଯେତେ ଦେଖିଲେ ମଧ୍ୟ ମେରିନାକୁ ଆହୁରି ଦେଖିବାକୁ ତା’ର ମନ ହେଲା । ଭଦ୍ରତା ଓ ଶିଷ୍ଟାଚାରକୁ ଜଳାଞ୍ଜଳି ଦେଇ ସେ ମେରିନାକୁ ଅପଲକ ନେତ୍ରରେ ଅନାଇ ରହିଲା । ଲେନାକୁ ହଠାତ୍‌ ପଶିଆସିବା ଦେଖି ବଡ଼ ଅପ୍ରସ୍ତୁତ ହୋଇପଡ଼ିଥିଲେ ଆଲେସ୍କି । ସେ ଅବସ୍ଥାକୁ ସମ୍ଭାଳି ନେବାପାଇଁ କହିଉଠିଲେ, ‘‘ଓଃ ! ତୁମେ କଣ ଠିଆ ହୋଇଛ ଲେନା ! ତୁମେ ଟିକିଏ ବସ, ମୁଁ ତୁମକୁ ଏହାଙ୍କ ସହିତ ପରିଚିତ କରାଇ ଦିଏ । ତୁମେ ବୋଧହୁଏ, ଏହାଙ୍କୁ ଜାଣିନ ?’’ ଏହା କହି ମେରିନା ଆଡ଼କୁ ଅଙ୍ଗୁଳି ଠାରି ଆଲେସ୍କି କହିଲେ, ‘‘ଏ ହେଉଛନ୍ତି ମୋର ବାଲ୍ୟବନ୍ଧୁ ମେରିନା କୋଜେଲେସ୍କି । କେନ୍ଦ୍ର ରାଜଧାନୀସ୍ଥ ନୂତନ ବିଶ୍ୱବିଦ୍ୟାଳୟର ବିଶ୍ୱରଶ୍ମି ବିଶେଷଜ୍ଞ । ଆମ କୃତ୍ରିମ ଉପଗ୍ରହରେ ବିଶ୍ୱରଶ୍ମି–ବିଶେଷଜ୍ଞ ଭାବରେ ଯୋଗ ଦେଉଛନ୍ତି-।’’

 

ପୁଣି ଲେନା ଆଡ଼କୁ ଅଙ୍ଗୁଳି ଠାରି ମେରିନାକୁ କହିଲେ, ‘‘ଏ ହେଉଛନ୍ତି ଲେନା ପତ୍ରାଭସ୍କି; ଆମ ମାନମନ୍ଦିରର ଜ୍ୟୋତିର୍ବିଜ୍ଞାନବିତ୍‌ । ଏ ମଧ୍ୟ କୃତ୍ରିମ ଉପଗ୍ରହରେ ଯାଉଛନ୍ତି ଜୋତିର୍ବିଜ୍ଞାନବିତ୍‌ ଭାବରେ ।’’

 

ଲେନାକୁ ଦେଖି ମେରିନା ମଧ୍ୟ କିଞ୍ଚିତ୍‌ ଅନ୍ୟମନସ୍କା ହୋଇପଡ଼ିଥିଲା । ‘ବିନା ଅନୁମତିରେ ଏ ତ ବେଶ୍‌ ଭାବରେ ଘର ଭିରରକୁ ପଶି ଆସିପାରୁଛନ୍ତି । ତା’ ହେଲେ କ’ଣ ଏଥିପୂର୍ବରୁ ଏହି ଘର ଭିତରକୁ ଏହାଙ୍କର ଅବାଧ ଗତି ।’–ଏହିଭଳି କେତେ କ’ଣ ଭାବିଯାଉଥିଲା ମେରିନା । ଆଲେସ୍କିଙ୍କ କଥାରେ ସେ ପ୍ରକୃତିସ୍ଥା ହୋଇପଡ଼ିଲା । ଆଲେସ୍କି ଲେନା ସହିତ ପରିଚିତ କରାଇଦେବା ପରେ ମେରିନା ଏକ କୃତ୍ରିମ ହସ ହସି ଲେନାଙ୍କୁ ନମସ୍କାର କଲା । ‘‘ମୁଁ ତୁମକୁ ଭେଟି ଖୁସି ହେଲି ଭଉଣୀ । ତୁମ୍ଭମାନଙ୍କର ସାହାଯ୍ୟ ଓ ସହାନୁଭୂତି ମୋତେ ଏହି ଅଭିଯାନରେ ଯେ ଖୁବ୍‌ ସାହାଯ୍ୟ କରିବ, ଏହା ମୁଁ ଆଶା କରୁଛି ।’’

 

‘‘ଚାଲ, ଟିକିଏ କୃତ୍ରିମ ଉପଗ୍ରହ ଆଡ଼େ ବୁଲି ଆସିବା ଆଲେସ୍କି ! କୃତ୍ରିମ ଉପଗ୍ରହ କେଉଁଠାରେ ଅଛି ଏପର୍ଯ୍ୟନ୍ତ ମୁଁ ଦେଖିନି । ତାହା ଦେଖିବାକୁ ମୋର ଆଜି ଭାରି ଇଚ୍ଛା ହେଉଛି ।’’

 

‘‘କିନ୍ତୁ ବର୍ତ୍ତମାନ ଯେ ସନ୍ଧ୍ୟା ହୋଇଗଲାଣି ମେରିନା ! ସେ ଆଡ଼େ ଆଜି ଯାଇହେବନି ତ । କାଲି ସକାଳେ ଆମେ କୃତ୍ରିମ ଉପଗ୍ରହ ଆଡ଼େ ଯିବା । ଆଜି ଚାଲ, ମୁଁ ତୁମକୁ ମାନମନ୍ଦିର ବୁଲାଇ ଆଣିବି ।’’

 

ମେରିନା ଓ ଆଲେସ୍କି ଚାଲିଲେ ମାନମନ୍ଦିର ଅଭିମୁଖେ ମେରିନାକୁ ମାନମନ୍ଦିରର କୃତ୍ରିମ ଆକାଶମଣ୍ଡଳ କକ୍ଷ ଭିତରକୁ ଘେନିଯାଇ ସେହି ଆକାଶ ତଳେ ଛାଡ଼ିଦେଲେ ଆଲେସ୍କି । ହଠାତ୍‌ ମେରିନା ଚିତ୍କାର କରି ଉଠିଲା, ‘‘ଏ କ’ଣ ଆଲେସ୍କି ! ଆକାଶରୁ ହଠାତ୍‌ ଚନ୍ଦ୍ର ଉଭେଇଗଲା କୁଆଡ଼େ ? ଏ ତ କଅଣ କୃଷ୍ଣପକ୍ଷର ଘନ ଅନ୍ଧକାର ! ଊର୍ଦ୍ଧ୍ୱରେ ଅନନ୍ତ ବିସ୍ତୀର୍ଣ୍ଣ କୋଟି କୋଟି ନକ୍ଷତ୍ରଖଚିତ କୃଷ୍ଣାକାଷ; କିନ୍ତୁ ଏଠାକୁ ଆସିବା ପୂର୍ବରୁ ମୁଁ ତ ନିର୍ମଳ ଆକାଶରେ ରବିରଶ୍ମି–ପ୍ରତିଘାତୀ ପୂର୍ଣ୍ଣମୀ ଚନ୍ଦ୍ର ପୂର୍ଣ୍ଣରୂପରେ ଦେଖି ଆସିଥିଲି । ପୂର୍ଣ୍ଣମୀ ଚନ୍ଦ୍ରର ଆକାଶବକ୍ଷରେ ସେହି ଯେଉଁ ଆଲୋକୋଚ୍ଛ୍ୱାସ, ପର୍ବତମୟ ଅଞ୍ଚଳରେ ଜ୍ୟୋତିଃ ତରଙ୍ଗ ବିଚ୍ଛୁରିତ ଜ୍ୟୋତ୍ସ୍ନାମୟୀ ରଜନୀ, ଅମ୍ଳାନ ସୌନ୍ଦର୍ଯ୍ୟର ସେଇ ଯେଉଁ ସ୍ନିଗ୍‌ଧ ମୋହଜାଲ, କୁଆଡ଼େ ଗଲା ସେ ସବୁ ଆଲେସ୍କି ?’’

 

‘‘କିନ୍ତୁ ତୁମେ କେଉଁଠାରେ ଠିଆହୋଇଛ ଜାଣିପାରୁଛ ମେରିନା ?’’

 

‘‘କାହିଁକି ? ନକ୍ଷତ୍ରଖଚିତ ମୁକ୍ତ ଆକାଶମଣ୍ଡଳ ତଳେ ?’’

 

‘‘କିନ୍ତୁ ମୁଁ ଯଦି ତୁମକୁ କହେ, ତୁମେ ଏକ ରୁଦ୍ଧ କୋଠରି ଭିତରେ ଥାଇ ପ୍ରତାରିତ ହୋଇଛ ?’’

 

‘‘ଅସମ୍ଭବ ! ମୁଁ ମୋର ଚକ୍ଷୁକୁ କେବେ ଅବିଶ୍ୱାସ କରି ପାରେନା ।’’

 

‘‘ତେବେ ମୋତେ କ’ଣ ତୁମେ ଅବିଶ୍ୱାସ କରିପାର ?’’

 

‘‘ନିଶ୍ଚୟ’’–ସେହି ଘନ ଅନ୍ଧକାର ଭିତରେ ତାର ନୟନ ଦୁଇଟିକୁ ନଚାଇ ଉତ୍ତର ଦେଲା ମେରିନା, ‘‘ପୁରୁଷଗୁଡ଼ାକ ଯେ ସବୁବେଳେ ଅବିଶ୍ୱାସର ପାତ୍ର । ଦୁନିଆଁରେ ଏପରି କୌଣସି ସ୍ତ୍ରୀ ନାହିଁ ଯେ କି ତାର ପୁରୁଷବନ୍ଧୁକୁ ଅବିଶ୍ୱାସ ନ କରି ରହିପାରେ ।’’

 

‘‘ହୁଁ, ତୁମେ କେଉଁ ଦିନଠାରୁ ଏପରି କଥା କହିଶିଖିଲଣି ଶୁଣେ ।’’

 

‘‘କାହିଁକି ? ଯେଉଁ ଦିନଠାରୁ ତୁମେ ଏଭଳି ଅସମ୍ଭବ କଥା କହିବା ଆରମ୍ଭ କଲଣି ।’’

 

‘‘ବାଃ, ବେଶ୍‌କଥା କହିଶିଖିଛ ମେରିନା ! ତୁମେ ଖୁବ୍‌ ସହଜରେ ରାଷ୍ଟ୍ରର ଯେକୌଣସି ଷ୍ଟୁଡ଼ିଓରେ ଅଭିନେତ୍ରୀ କାମ ଅତି ସୂଚାରୁରୂପେ ଚଳାଇ ପାରିବ ।’’

 

‘‘କିନ୍ତୁ ତୁମ ଭଳି ଅଭିନେତା ନ ଥିଲେ ନୁହେଁ ।’’

 

ଏହି କଥୋପକଥନବେଳେ ଆଲେସ୍କି ନିକଟବର୍ତ୍ତୀ ଏକ ସୁଇଚ୍‌ ଟିପିଦେଲେ । ହଠାତ୍‌ କକ୍ଷ ଭିତରର କୃଷ୍ଣ ଆକାଶକୁ ହସି ହସି ଡେଇଁ ପଡ଼ିଲା ପୂର୍ଣ୍ଣମୀ ଚନ୍ଦ୍ର । ଚତୁର୍ଦ୍ଦିଗ ଘନୀଭୂତ ଶୁଭ୍ର ଓ ସୁନ୍ଦର ଜ୍ୟୋତ୍ସ୍ନାଲୋକରେ ପୁଣି ହସି ଉଠିଲା ।

 

‘‘ଏ କ’ଣ ହେଲା ଆଲେସ୍କି ? ହଠାତ୍‌ କ’ଣ ଚାରିଆଡ଼ ଜ୍ୟୋତ୍ସ୍ନାର ରୂପେଲି ଆଲୋକରେ ଛାଇ ହୋଇଗଲା ! ଅନ୍ଧକାର ଆକାଶରେ ହଠାତ୍‌ ଚନ୍ଦ୍ର ଆସିଲା କୁଆଡ଼ୁ ? ଏ କ’ଣ ହେଲା ମୁଁ ବୁଝିପାରୁନି । ଏ ଏକ ଐନ୍ଦ୍ରଜାଲିକର ରହସ୍ୟପୁରୀ ନା କଅଣ ?’’ ଏହା କହି ବଡ଼ ବିସ୍ମିତ ହୋଇପଡ଼ିଲା ମେରିନା; କିନ୍ତୁ ପରମୂହୂର୍ତ୍ତରେ ଦୂର ଦିଗ୍‌ବଳୟରେ ଏକ ତୁଷାରମଣ୍ଡିତ ପର୍ବତ ଦେଖି ଉଲ୍ଲସିତ ହୋଇଉଠିଲା । ସେ ଦିଗ୍‌ବଳୟକୁ ଆଲେସ୍କିଙ୍କ ଦୃଷ୍ଟି ଆକର୍ଷଣ କରି କହିଲା, ‘‘ଦିଗ୍‌ବଳୟରେ ସେଇ ଯେଉଁ ପାହାଡ଼ ଓ ତା ଉପରେ ଶୁଭ୍ର ବରଫରେ ଜ୍ୟୋତ୍ସ୍ନାର ପ୍ରତିଫଳନ କେଡ଼େ ସୁନ୍ଦର ଦିଶୁଛି କୁହ ତ ?’’

 

‘‘କିନ୍ତୁ ସେ ଯେ ପ୍ରକୃତରେ ଏକ ପାହାଡ଼ ନୁହେଁ ମେରିନା ! କଳାକାରର ଶିଳ୍ପ ଚାତୁରୀର ଏକ କୃତି ମାତ୍ର । ପୁଣି ମୁଁ ତୁମକୁ ଆଉ ଥରେ ମନେ କରାଇ ଦେଉଛି ମେରିନା, ଆମେ ବର୍ତ୍ତମାନ ଏକ ରୁଦ୍ଧ କୋଠରି ଭିତରେ । ମୁଣ୍ଡ ଉପରେ ତୁମେ ଯେଉଁ ଚନ୍ଦ୍ର ଶୋଭିତ ଆକାଶ ଦେଖୁଛ, ତାହା ଏକ କୃତ୍ରିମ ଆକାଶ । ଏଇ ତାରା, ଚନ୍ଦ୍ର, ଗ୍ରହ, ଦିଗ୍‌ବଳୟ ଚତୁର୍ଦ୍ଦିଗର ଏହି ପାହାଡ଼ ପର୍ବତ, ତୁଷାର ଯାହା ଦେଖୁଛ ସେସବୁ କୃତ୍ରିମ ।’’

 

‘‘ଏଁ, କ’ଣ ତମେ କହୁଛ ?’’ କିନ୍ତୁ ମୁକ୍ତ ଆକାଶତଳେ ଯେଉଁ ଶୀତଳ ପବନ ବହେ ଏଠାରେ ବିତ ସେହି ବହୁଛି । ତୁମେ ଏହେକୁ ରୁଦ୍ଧ କୋଠରି ବୋଲି କହୁଛ କିପରି ?’’

 

‘‘ସେଇ ତ ବୈଜ୍ଞାନିକ ବୁଦ୍ଧିମତ୍ତାର ବାହାଦୁରୀ । ଏଇ ଶୀତଳ ପବନ ବି କୃତ୍ରିମ ।’’

 

‘‘ଏ ବି କୃତ୍ରିମ ଏଠି ତା’ ହେଲେ କ’ଣ ସବୁ କୃତ୍ରିମ ଆଲେସ୍କି ?’’

 

‘‘କିନ୍ତୁ ମୁଁ କୃତ୍ରିମ ? ନୁହେଁ । ତୁମର ଚାରିଆଡ଼ କୃତ୍ରିମତାରେ ପୂରିଥିଲେ ମଧ୍ୟ ମୁଁ କିନ୍ତୁ ପ୍ରାକୃତିକତାର ନିଦର୍ଶନ ।’’

 

ଆଲେସ୍କିଙ୍କର ଏଇ କେଇପଦ କଥାରେ ମେରିନା ଆଖି ଫେରାଇଲା ତାଙ୍କ ଆଡ଼େ । ଶୁଭ୍ର ଜ୍ୟୋତ୍ସ୍ନାର ପ୍ରତିଫଳନରେ ଆଲେସ୍କିଙ୍କର ହସହସ ମୁଖ ଦେଖି ସେ ନିଜକୁ ହଜାଇ ଦେଇଥିଲା ସେହି କୃତ୍ରିମ ଆକାଶତଳେ । ସେ ନିଜକୁ ଏତେ ଦୁର୍ବଳ ମନେ କରୁଥିଲା ଯେ, ଆଲେସ୍କିଙ୍କୁ ଚାହୁଁ ଚାହୁଁ ଢଳିପଡ଼ିଲା ତାଙ୍କ ଉପରକୁ । ତାଙ୍କର ସୁବିସ୍ତୃତ ବକ୍ଷ ଉପରେ ମୁହଁ ଲୁଚାଇ କହିଲା, ‘‘ଏ କୃତ୍ରିମତା ଭିତରୁ ପଳାଇଯିବା ଚାଲ । ଚାରିଆଡ଼ର କୃତ୍ରିମତା ଭିତରେ ରହିଲେ ଆମେ ବି କୃତ୍ରିମ ହୋଇ ପଡ଼ିବା । ଆମର ସମ୍ପର୍କ ବି କୃତ୍ରିମ ହୋଇପଡ଼ିବ ଆଲେସ୍କି !’’

 

ସେତେବେଳକୁ ମେରିନାର କ୍ଷୀଣକଟୀ ଚାରିପାଖରେ ବେଢ଼ି ରହିଥିଲା ଆଲେସ୍କିଙ୍କର ସୁଦୀର୍ଘ ବାହୁଯୁଗଳ । ମେରିନାର ଉନ୍ନତ ବକ୍ଷ ସହିତ ଆଲେସ୍କିଙ୍କର ବକ୍ଷ ନିବିଡ଼ ଭାବରେ ଜଡ଼ିଯାଇଥିଲା । ମେରିନାକୁ ନିଜ ବକ୍ଷ ସହିତ ଆହୁରି ଜୋର୍‌ରେ ଭିଡ଼ିଧରି ଆଲେସ୍କି ପଚାରିଲେ, ‘‘ଏ ବି କ’ଣ କୃତ୍ରିମ ମେରିନା ?’’

 

ମେରିନା ତାର ମୃଣାଳନିନ୍ଦୀ ବାହୁଯୁଗଳକୁ ଆଲେସ୍କିଙ୍କ ଗଳା ଚାରିପାଖରେ ବେଢ଼ାଇଦେଇ ଈଷତ୍‌ ଝୁଲିପଡ଼ି କହିଲା, ‘‘ତୁମ ପ୍ରଶ୍ନର ଉତ୍ତରଦେବା ପୂର୍ବରୁ ମୋତେ ଭାବିବାକୁ ପଡ଼ିବ ଆଲେସ୍କି !’’

 

‘‘କିନ୍ତୁ ତୁମର ଭାବନା, ଭାବନାରେ ହିଁ ଯେପରି ପର୍ଯ୍ୟବସିତ ନ ହୁଏ ମେରିନା !’’

 

ସେତେବେଳକୁ ମେରିନା ପୂରାପୂରି ନିଜକୁ ହଜାଇ ଦେଇଥିଲା ଆଲେସ୍କିଙ୍କର କୋଳ ଭିତରେ । ଆଲେସ୍କିଙ୍କର କୃତ୍ରିମ ଚନ୍ଦ୍ରରଶ୍ମି–ପ୍ରତିଘାତୀ ପ୍ରତିଭା-ପ୍ରଦୀପ୍ତ ବଦନ ମେରିନାର ଦୁର୍ବଳ ହୃଦୟକୁ ଦୋହଲାଇ ଦେଇଥିଲା–ସାରା ଶରୀର ଭିତରେ ବିଦ୍ୟୁତ୍‌ର ଏକ ଅପୂର୍ବ ଶିହରଣ ଖେଳାଇଦେଇ । ସେ ନିଜକୁ ଏତେ ଦୁର୍ବଳ ଅନୁଭବ କରୁଥିଲା ଯେ, ଶରତ୍‌ ସକାଳର ବାସି ଫୁଲପରି ଝଡ଼ି ପଡ଼ିଥିଲା ଆଲେସ୍କିଙ୍କ ଉପରେ । ଆଲେସ୍କିଙ୍କର ଗଳା ଚାରିପାଖରେ ବେଢ଼ି ରହିଥିବା ତା’ର ବାହୁଯୁଗଳ ଧୀରେ ଧୀରେ ଖସି ଆସିଥିଲା ତଳକୁ । ଦୁର୍ବଳ ଚକ୍ଷୁ ତା’ର ମୁଦିହୋଇ ଆସିଥିଲା ମନକୁମନ । ମୁଦ୍ରିତ ନୟନ ଭିତରେ ସେ ଦେଖିଥିଲା ଆଲେସ୍କିଙ୍କ ପ୍ରତିବିମ୍ୱ ଆହୁରି ସୁନ୍ଦର, ଆହୁରି ମନମତାଣିଆ । ଆଲେସ୍କିଙ୍କର ମୂଖମଣ୍ଡଳ ଧୀରେ ଧୀରେ ନଇଁଆସିଲା ମୁଦ୍ରିତନୟନା ମେରିନାର କୁସୁମକୋମଳ କପୋଳ ଆଡ଼େ । କ୍ଷଣକ ପାଇଁ ଦୁଇଟିର ହେଲା ମିଳନ-। ରକ୍ତକମଳର ଛିନ୍ନବିଚ୍ଛିନ୍ନ ପାଖୁଡ଼ା ପରି ମେରିନାର କପୋଳ ଉପରେ ଆଙ୍କି ହୋଇଗଲା ସେହି ସୁମଧୁର ମିଳନର ଚିହ୍ନ । ହଠାତ୍‌ ବାହାରେ କାହାର ଆସିବା ଶବ୍ଦରେ ତରତର ହୋଇ ଆଲେସ୍କି ମୁକୁଳାଇ ଦେଲେ ମେରିନାଙ୍କୁ ନିଜର ବାହୁବନ୍ଧନରୁ ।

 

ଅଦୂରବର୍ତ୍ତୀ ଦ୍ୱାରଦେଇ ପଶିଆସିଲେ ଆଲେସ୍କିଙ୍କ ଆସିଷ୍ଟାଣ୍ଟ । ‘‘ଆପଣଙ୍କୁ କାହିଁକି ଡାକିପଠାଇଛନ୍ତି ଡିରେକ୍ଟର । କମିଶନ୍‌ର ସଭ୍ୟମାନେ ମଧ୍ୟ ଆପଣଙ୍କୁ ଅପେକ୍ଷା କରି ବସିଛନ୍ତି । ଆପଣ ମାନମନ୍ଦିରକୁ ଆସିଛନ୍ତି ଶୁଣି ମୁଁ ଖୋଜି ଖୋଜି ଏଠାକୁ ଚାଲିଆସିଲି । ମିସ୍‌ ମେରିନାଙ୍କୁ ମଧ୍ୟ ଡକାଇ ପଠାଇଛନ୍ତି ସେମାନେ ଆପଣଙ୍କ ସଙ୍ଗେ ।’’

 

ଆଲେକ୍‌ଜାଣ୍ଡାର ଶୃଙ୍ଗରୁ ଆଲେସ୍କିଙ୍କ କାର୍‌ ଛୁଟିଚାଲିଲା ଅଦୂରବର୍ତ୍ତୀ ପୃଥିବୀ ପ୍ରସିଦ୍ଧ ଫେଢ଼ଚେଙ୍କୋ ଗ୍ଲାସିୟର ଅଭିମୁଖେ । ପଚାଶ ମାଇଲ ଲମ୍ୱର ଏହି ବିରାଟ ତୁଷାରନଦୀ ପୃଥିବୀର ବୃହତ୍ତମ ତୁଷାରନଦୀ ଭାବରେ ବହିଯାଉଛି ଏହି ପାର୍ବତୀୟ ଅଞ୍ଚଳରେ । ଏହି ସ୍ରୋତ ଯେଉଁ ସ୍ଥାନରୁ ବାହାରିଛି ସେଠାର ପ୍ରାକୃତିକ ଦୃଶ୍ୟ ଅତ୍ୟନ୍ତ ମନୋରମ । ଚାରିଆଡ଼େ ଅନ୍ତରୀକ୍ଷକୁ ଭେଦକରି ଉଠିଛି ଶତ ଶତ ପର୍ବତଶିଖରୀ । ପୃଥିବୀର ଛାତ ସଦୃଶ ମାଳଭୂମିର ଏହି ସ୍ଥାନରୁ ତିନିଆଡ଼କୁ ଲମ୍ବିଯାଇଛି ତିନୋଟି ବିରାଟ ପର୍ବତ ଶ୍ରେଣୀ । ପୃଥିବୀର ତିନି ବିରାଟ ରାଷ୍ଟ୍ର ସତେ ସତେ ଯେପରି ପବିତ୍ର ସମାଜବାଦର ମୂଳମନ୍ତ୍ର ଜପ କରୁଛନ୍ତି ପୃଥିବୀର ଏହି ଉଚ୍ଚ ମାଳଭୂମି ଉପରେ ଏବଂ ପୃଥିବୀର ତିନି ସମାଜବାଦୀରାଷ୍ଟ୍ର ଏହି ମାଳଭୂମି ଉପରେ ପରସ୍ପର ସହିତ ହାତ ମିଳାଇ ପ୍ରତିଜ୍ଞା କରୁଛନ୍ତି ପୃଥିବୀ ପୃଷ୍ଠରୁ ସାମ୍ରାଜ୍ୟବାଦ, ଶୋଷଣ ଓ ଔପନିବେଶିକବାଦର ବିଲୋପ କରି ନିତ୍ୟ ସୁଖଶାନ୍ତି ପ୍ରତିଷ୍ଠା କରିବେ ଏହି ଧରାପୃଷ୍ଠରେ ।

 

ଆଲେକ୍‌ଜାଣ୍ଡାର ଶୃଙ୍ଗଠାରୁ ଏକ ପାର୍ବତୀୟ ସଡ଼କ ଘୂରି ଘୂରି ଯାଇଛି ଏହି ଗ୍ଲାସିୟର ଆଡ଼େ । ରାସ୍ତା ଦୁଇଧାରରେ ଉଠିଛି ଅଭ୍ରଭେଦୀ ଗିରିଶିଖର ଦର୍ଶକମାନଙ୍କର ଇନ୍ଦ୍ରିୟବୋଧକୁ ସ୍ତମ୍ୱିତ ଓ କମ୍ପିତ କରି । ରାଷ୍ଟ୍ର ସରକାର ଏହି ବରଫ ଆଚ୍ଛାଦିତ ପର୍ବତଶ୍ରେଣୀ ଭିତରେ ପଥର କାଟି ରାସ୍ତା କରିଛନ୍ତି ଏହି ପ୍ରାକୃତିକ ଦୃଶ୍ୟପୂର୍ଣ୍ଣ ସ୍ଥାନଟିକୁ ଜାତି-ଧର୍ମ-ଦେଶ-ନିର୍ବିଶେଷରେ ଦର୍ଶକମାନେ ଉପଭୋଗ କରିବା ପାଇଁ । ମେରିନା ଓ ଆଲେସ୍କି ମଟରର ଦ୍ୱାର ଓ ଝରକାଗୁଡ଼ିକୁ ବନ୍ଦ ନକରି ମନ୍ଥର ଗତିରେ ଏହି ପାର୍ବତୀୟ ପଥରେ ଚାଲିଛନ୍ତି ପ୍ରକୃତିରାଣୀର ସୌନ୍ଦର୍ଯ୍ୟଭରା ରମଣୀୟ ସ୍ଥାନର ଦୃଶ୍ୟ ଦେଖିବା ପାଇଁ । ମଟରର ଚାଳକ ସ୍ୱୟଂ ଆଲେସ୍କି । ବାମପାର୍ଶ୍ୱରେ ରୂପସୀ ମେରିନା, ଉଦ୍ଦାମ ଯୌବନର ତରଙ୍ଗ ଖେଳାଇ ଆଲେସ୍କିଙ୍କର ଦେହକୁ ଦେହ ଲଗାଇ ଉପବିଷ୍ଟା । ଚତୁର୍ଦ୍ଦିଗସ୍ଥ ପାର୍ବତୀୟ ଦୃଶ୍ୟ ଭିତରେ ନିଜକୁ ହଜାଇଦେଇ ଚାରିଆଡ଼କୁ ଅନାଇ ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବାରେ ବ୍ୟସ୍ତ ସେ । ରମଣୀୟ ପ୍ରକୃତିର ଅମୃତ ସେଚନରେ ଅଭିଷିକ୍ତ ହୋଇ ଆନନ୍ଦ ଓ ଶାନ୍ତିପୂର୍ଣ୍ଣ ହୃଦୟରେ ମେରିନା ପୂରାପୂରି ଆତ୍ମବିସ୍ମୃତା । ପ୍ରକୃତିରାଣୀର ଅପାର ମହିମା ଓ ଅସୀମ ଶକ୍ତିର ଅତ୍ୟୁଜ୍ଜଳ ନିଦର୍ଶନରୂପେ କେତେ ସହସ୍ର ବର୍ଷ ହେଲା ଏହି ସୌନ୍ଦର୍ଯ୍ୟ ଧରଣୀବକ୍ଷରେ ଯେ ବିରାଜିତ ଓ ଏହି ଅପାର ସୌନ୍ଦର୍ଯ୍ୟସାଗରରେ ନିଜର ପିପାସାକ୍ଳିଷ୍ଟ ପ୍ରାଣକୁ ବୁଡ଼ାଇଦେଇ ମେରିନାର ଚିତ୍ତ ଯେ କେତେ ଆନନ୍ଦ ହିଲ୍ଲୋଳରେ ତରଙ୍ଗାୟିତ ତାହାକୁ ଲେଖନୀରେ ରୂପଦେବା ଯେକୌଣସି ଲେଖକର ଶକ୍ତିର ବାହାରେ । ଲେନିନ୍‌ ମାନମନ୍ଦିରରୁ କିଛି ବାଟ ଗଲା ପରେ ଆଲେସ୍କି କହିଲେ, ‘‘ଏଥର ତୁମେ ମଟର୍‌ ଚଳାଅ ମେରିନା !’’

 

‘‘ନାଇଁ ଲୋ ବାପ, ମୁଁ ଏ ରାସ୍ତାରେ ଚଳାଇ ପାରିବିନି ମୋଟେ । ଟିକିଏ ଅସାବଧାନ ହେଲେ ଆମର ପତ୍ତା ରହିବନି ଏଠି ।’’

 

‘‘କିନ୍ତୁ ସେଦିନ ରାଜଧାନୀର ରାସ୍ତାରେ ମଟର ଚଳାଇଲାବେଳେ ଯେଉଁ ଦାମ୍ଭିକତା ଦେଖାଇଥିଲ, ସେ ଆଜି କୁଆଡ଼େ ଗଲା ମେରିନା ? ଏଇ ମୁଁ ମଟର ବନ୍ଦ କଲି, ତୁମେ ଚଳାଅ ।’’

 

‘‘ନାଇଁ ନାଇଁ ଆଲେସ୍କି, ମୁଁ ଚଳାଇ ପାରିବିନି ।’’ ଏହା କହି ମେରିନା ଆଲେସ୍କିଙ୍କର ଷ୍ଟିଅରିଂ ଉପରେ ପଡ଼ିଥିବା ହାତ ଉପରେ ନିଜର ହାତ ପକାଇ ତାହାଙ୍କୁ ଅନୁରୋଧ କଲା ମଟର ବନ୍ଦ ନ କରିବା ପାଇଁ ।

 

ଷ୍ଟିଅରିଂ ସହିତ ମେରିନାର ଚମ୍ପକକଳିକାନିନ୍ଦୀ ଅଙ୍ଗୁଳିଗୁଡ଼ିକୁ ଭିଡ଼ିଧରି ଆଲେସ୍କି କହିଲେ, ‘‘ଦେଖୁଛ ମେରିନା, ପ୍ରକୃତିରାଣୀର କି ଅସରନ୍ତି ସୌନ୍ଦର୍ଯ୍ୟଭଣ୍ଡାର ରାଷ୍ଟ୍ରର ଏହି ଅଞ୍ଚଳରେ ଅବହେଳିତ ଭାବରେ ବିଞ୍ଛାଡ଼ି ହୋଇ ପଡ଼ିଛି । ଲୋକାଳୟଶୂନ୍ୟ ବିଜନ ପ୍ରଦେଶରେ ଏଭଳି କେତେ ସୁରମ୍ୟ, କେତେ ବିସ୍ମୟକର, କେତେ କେତେ ଭୟାବହ ଦୃଶ୍ୟ ଅଲକ୍ଷିତରେ ରହିଛି, ଯାହାକୁ ଦେଖିଲେ ଘୋର ବିଷୟାସକ୍ତ ମନୁଷ୍ୟ ମଧ୍ୟ କ୍ଷଣକାଳ ସକାଶେ ନିଜକୁ ହରାଇ ବସେ ଏବଂ ନୀରସ, କଠୋର ହୃଦୟହୀନ ପାଷାଣଠାରୁ ମଧ୍ୟ କବିତ୍ୱର ପ୍ରସ୍ରବଣ ଝରିପଡ଼େ । କିନ୍ତୁ ଏସବୁକୁ ଉପଭୋଗ କରିବାକୁ ଏ ଅଞ୍ଚଳରେ କେହି ଜଣେ ବି ନାହିଁ ।’’

 

‘‘ସେଇ ତ ହେଉଛି ନିୟତିର ବୈଚିତ୍ର୍ୟ ଆଲେସ୍କି ! ଯେଉଁଠି ଉପଭୋଗକାରୀର ପ୍ରାଚୁର୍ଯ୍ୟ, ସେଠି ଉପଭୋଗ୍ୟର ଅଭାବ; ଯେଉଁଠି ଉପଭୋଗ୍ୟର ପ୍ରାଚୁର୍ଯ୍ୟ, ସେଇଠି ଉପଭୋଗକାରୀର ଅଭାବ ।’’

 

ସେତେବେଳକୁ ଆଲେସ୍କିଙ୍କର ବାମହସ୍ତ ମେରିନାର ଗଳା ବେଷ୍ଟନ କରିସାରିଥାଏ । ମେରିନାକୁ ଆହୁରି ଟିକିଏ ପାଖକୁ ଆଉଜାଇ ଆଣି ଆଲେସ୍କି କହିଲେ, ‘‘କିନ୍ତୁ ମଟର ବାହାରର ସୌନ୍ଦର୍ଯ୍ୟ ମଟର ଭିତରର ଅପରୂପ ସୌନ୍ଦର୍ଯ୍ୟ ତୁଳନାରେ କିଛି ନୁହେଁ ।’’ ଏହା କହି ମେରିନାକୁ ଆହୁରି ଟିକିଏ ପାଖକୁ ଆଉଜାଇ ନେଲେ ଆଲେସ୍କି ।

 

‘‘ହାଁ ହାଁ, ଆଲେସ୍କି ! ତେଣେ ସାବଧାନ ହୁଅ । ମଟର ଭିତରେ ତୁମର ଯେପରି କବିତ୍ୱ ଓ ଉଚ୍ଛୃଙ୍ଖଳତା ବାହାରିଲାଣି, ଆମ ଅବସ୍ଥା ଯେପରି ସେହି ଗହ୍ୱର ଭିତରେ ପରିସମାପ୍ତି ନ ପାଏ-?’’ ଟିକିଏ ଦୁଷ୍ଟାମି ଓ ମୁରବିତ୍ୱ କରି ମେରିନା କହିଲା ।

 

‘‘କିନ୍ତୁ, ମୁଁ.... ।’’

 

‘‘ହଁ, କହିବାକୁ ତ ଚାହଁ–ଦେଖ ମେରିନା, ମୁଁ ତୃତୀୟ ଶ୍ରେଣୀର ଚାଳକ ନୁହେଁ । ଏକ୍‌ସିଡ଼େଣ୍ଟ ମୋ ପକ୍ଷରେ ସ୍ୱପ୍ନ–ଏଇୟା ନା ଆଉ କିଛି ?

 

‘‘ତୁମେ ତ ବେଶ୍‌ ମୋ ମନକଥା ଜାଣିପାରୁଛ ମେରିନା !’’

 

‘‘ତା ହୋଇ ନଥିଲେ କୃତ୍ରିମ ଉପଗ୍ରହରେ ଯିବାପାଇଁ ମୁଁ କଅଣ ହଜାର ହଜାର ମାଇଲ ଦୂରରୁ ଏଠାକୁ ଦୌଡ଼ି ଆସିଥାନ୍ତି ।’’

 

‘‘ହୁଁ’’ ମାରି ଆଲେସ୍କି ମେରିନାର ବାମପାଖ କାନ୍ଧକୁ ଈଷତ୍‌ ଚାପିଦେଲେ ଓ ଆହୁରି ଟିକିଏ ନିଜ ଆଡ଼କୁ ଆଉଜାଇ ନେଲେ । ‘‘ଆଉ ଅଳ୍ପ ସମୟପରେ ଆମେ ଏହି ରାସ୍ତାର ଶେଷ ମୁଣ୍ଡରେ ପହଞ୍ଚିଯିବା ମେରିନା ! ସେଠାରୁ ଏହି ପର୍ବତଶ୍ରେଣୀର ଯେଉଁ ସୌନ୍ଦର୍ଯ୍ୟ ଦେଖିବା, ତାହା ଭାଷାରେ ବର୍ଣ୍ଣନା କରି ହେବନି ।’’ ଏହିଭଳି କହୁଁ କହୁଁ ମଟର ଆସି ଯଥାସ୍ଥାନରେ ପହଞ୍ଚିଗଲା । ମଟରକୁ ବନ୍ଦ କରି ଦୁଇ ପାଖରୁ ବାହାରି ପଡ଼ିଲେ ଦୁଇଜଣ । ମଟର ଭିତରୁ ବାହାରି ପଡ଼ି ମେରିନା ଚିତ୍କାର କରି ଉଠିଲା, ‘‘ଏଠାରେ କି ଭୀଷଣ ଶୀତ ହେଉଛି ଆଲେସ୍କି ! ମୋ ରକ୍ତ ଯେପରି ପାଣି ପାଲଟିଯାଉଛି ଏହି ଶୀତରେ ।’’

 

ମଟର ଭିତରୁ ଫର୍‌କୋଟ୍‌ଟା ଆଣି ମେରିନାକୁ ପିନ୍ଧାଇ ଦେଉଁ ଦେଉଁ ତା ଗଳା ଚାରି ପାଖରେ ହାତ ଦୁଇଟିକୁ ବେଢ଼ାଇ ତା ଉପରକୁ ଟିକିଏ ଝୁଙ୍କିପଡ଼ି ମୁହଁ ସହିତ ମୁହଁ ଲଗାଇ କହିଲେ, ‘‘ଏଠାକାର ଶୀତ କଥା ପରା ତୁମେ ଧାରଣା କରି ପାରୁନଥିଲ ମେରିନା ! ଏଥର ତୁମେ ଅନୁଭବ କର ନିଜେ ।’’

 

ଗଳାଦେଇ ନିଜ କାନ୍ଧ ଉପରୁ ଅସ୍ୱାଭାବିକ ଭାବରେ ଛାତି ଉପରକୁ ଝୁଲି ଆସିଥିବା ଆଲେସ୍କିଙ୍କର ହାତ ଦୁଇଟି ସହିତ ନିଜ ହାତକୁ ଛନ୍ଦି ହଲାଉଁ ହଲାଉଁ ମେରିନା ଟିକିଏ ଗେହ୍ଲେଇହୋଇ ଆଲେସ୍କିଙ୍କର କପୋଳ ସହିତ ନିଜର ଲୋଭନୀୟ ଅରୁଣ ରକ୍ତିମ କପୋଳକୁ ଘଷି କହିଲା, ‘‘କିନ୍ତୁ ଏହି ସ୍ଥାନଠାରୁ ଆହୁରି ଉଚ୍ଚରେ ପ୍ରତିଷ୍ଠିତ ହୋଇ ମଧ୍ୟ ମାନମନ୍ଦିରର ଉତ୍ତାପ କାହିଁକି ଏତେ କମ୍‌ ନୁହେଁ ଆଲେସ୍କି ?’’

 

‘‘ତାହା ପରା ଆମ ବିଜ୍ଞାନର ଆଉ ଏକ କୃତିତ୍ୱ । ପରମାଣୁଶକ୍ତି ଦ୍ୱାରା ଛୋଟ ଛୋଟ ସହରର ଜଳବାୟୁକୁ କିପରି ନିୟନ୍ତ୍ରଣ କରାଯାଇପାରିବ, ତାହା ତା’ର ଜ୍ୱଳନ୍ତ ନିଦର୍ଶନ । ଲେନିନ୍‌ ମାନମନ୍ଦିର ଓ ତା’ର ନିକଟବର୍ତ୍ତୀ ସହରର ଜଳବାୟୁକୁ ପୂରାପୂରି ନିୟନ୍ତ୍ରଣ କରାଯାଇଥିବାରୁ ସେଠାରେ ଶୀତର ପ୍ରକୋପ ଆସିବ କୁଆଡ଼ୁ ?’’

 

‘‘ଗ୍ଳାସିୟାର୍‌ ଏଠାରୁ କେତେଦୂର ହେବ ଆଲେସ୍କି ?

 

‘‘ବେଶୀ ବାଟ ନୁହେଁ । ସେହି ମୋଡ଼ର ଆରପାଖକୁ ଘୂରି ଆସିଲେ ଗ୍ଳାସିୟରର ପୂରାପୂରି ସୌନ୍ଦର୍ଯ୍ୟ ଦେଖିପାରିବା ।’’

 

ଆଲେସ୍କି ଓ ମେରିନା ପର୍ବତର ଆରପାଖକୁଯାଇ ଯାହା ଦେଖିଲେ ସେଥିରେ ମେରିନାର ଆଖି ଖୋସି ହୋଇଗଲା । କେନ୍ଦ୍ର ରାଜଧାନୀର ପ୍ରବଳ ତୁଷାରପାତ ସେ ଦେଖିଛି; କିନ୍ତୁ ସେ ଭୀମକାନ୍ତ ଅନ୍ତରୀକ୍ଷଭେଦି ତୁଷାର–ପାହାଡ଼ କେବେ ଦେଖି ନଥିଲା । ଚାରିଆଡ଼େ ଶୁଭ୍ର ତୁଷାରର ଯେଉଁ ଅପୂର୍ବ ଭୀମକାନ୍ତ ସୌନ୍ଦର୍ଯ୍ୟ, ତାହା ସମ୍ମୁଖରେ କେଉଁ ସୌନ୍ଦର୍ଯ୍ୟପୁରୀ ଯେ ସମକକ୍ଷ ହୋଇ ପାରିବ, ସେ ଭାବିପାରିଲାନି । ବାଇନୋକ୍ୟୁଲାର ପଛରେ ଆଖି ରଖି ମେରିନା ଚାରିଆଡ଼କୁ ଅନାଉ ଅନାଉ କହିଲା, ‘‘ଦେଖିଲଣି ଆଲେସ୍କି, କି ସୁନ୍ଦର ଦିଶୁଛି ସେହି ଚିରତୁଷାରମଣ୍ଡିତ ପର୍ବତମାଳା ! ବାଇନୋକ୍ୟୁଲାର ଭିତରେ କି ଅପୂର୍ବ ସୌନ୍ଦର୍ଯ୍ୟ ସତେ ? କି ବିଶାଳ, ବିରାଟ ରୂପ ? କି ଅପାର, କି ମହାନ୍‌ ! ଅତି ଦୂରସ୍ଥିତ ପର୍ବତମାଳା ପ୍ରକୃତି ସମୁଦ୍ରର ବୀଚିମାଳା ପ୍ରାୟ ଘେରିରହିଛନ୍ତି । କେତେକ କୁଜ୍‌ଝଟିକାରେ ଆବୃତ, କେତେକ ସୁସ୍ପଷ୍ଟ ପରିଦୃଶ୍ୟମାନ । ଦୂରସ୍ଥିତ ବୃହତ୍‌ ଗହ୍ୱରମାନ ସାମାନ୍ୟ ପଲ୍ୱଳାକାର ପ୍ରାୟ ବୋଧ ହେଉଅଛି । ପର୍ବତର ଶ୍ୱେତ ତୁଷାର ମସ୍ତକସମୂହ ଉର୍ମିମାଳା ପ୍ରାୟ ସ୍ତରେ ସ୍ତରେ ସଜ୍ଜିତ । ଆଉ ମଧ୍ୟେ ମଧ୍ୟେ ପର୍ବତଗାତ୍ରରେ ଶ୍ୱେତ କୁଜ୍‌ଝଟିକା ଲହରୀ ଘର୍ଷଣରୁ ଉତ୍‌ଥିତ ଶ୍ୱେତ ଫେନପୁଞ୍ଜ ପ୍ରାୟ ଅତୀବସୁନ୍ଦର । କବିର ଲେଖନୀ ଚିତ୍ରକରର ତୂଳିକା ଏଗୁଡ଼ିକର ମହିମା କୀର୍ତ୍ତନ କରି ଶେଷ କରିବା ଦୁରୂହ ଆଲେସ୍କି !’’

 

‘‘ଦେଖି, ଦେଖି, ମେରିନା, କହୁଁ କହୁଁ ମେରିନାର ମୁହଁ ସହିତ ମୁହଁ ଲଗାଇ ବାଇନୋକ୍ୟୁଲାର୍‌ ଭିତର ଦେଇ ଦେଖିବାକୁ ଲାଗିଲେ ଆଲେସ୍କି । ଆଲେସ୍କିଙ୍କର ଉଷ୍ମ ନିଶ୍ୱାସ ସ୍ପର୍ଶ କଲା ମେରିନାର ପଦ୍ମପାଖୁଡ଼ାନିନ୍ଦୀ କୋମଳ କପୋଳ । ଦୁର୍ବଳତାର ଆବେଶ ଖେଳିଯାଉଥିଲା ମେରିନାର ସାରା ଶରୀର ଭିତରେ । ଉଦ୍ଦାମ ଯୌବନର ସରଳ ସୁଲଭ ସ୍ପୃହାରେ ସେ ଭାଙ୍ଗିପଡ଼ୁଥିଲା ବାତକମ୍ପିତ ଉନ୍ମୂଳିତ ତରୁଭଳି । କିନ୍ତୁ ଆଲେସ୍କି ସହିତ ଆହୁରି ଟିକିଏ ଜମାଇବା ପାଇଁ ନିଜର ଦୁର୍ବଳତାକୁ ସମ୍ଭାଳି ନେଇ ମେରିନା କହିଲା, ‘‘ବଡ଼ ଅସାବଧାନ ହୋଇପଡ଼ୁଛ ଆଲେସ୍କି ! ସ୍ଥାନ, କାଳ ବିବେଚନା ନକରି ଏଭଳି ଉଚ୍ଛୃଙ୍ଖଳତା ଦେଖାଇଲେ ଆମ ଅବସ୍ଥା କ’ଣ ହେବ, ଜାଣିଛ ? ଦେଖୁଛ ତ ସେଠି ସେହି ପାତାଳଭେଦୀ ଗହ୍ୱର । ଟିକିଏ ଏପାଖ ସେପାଖ ହୋଇଗଲେ ଆମର ପତ୍ତା ଏଠି ରହିବଟି ଆଉ ?’’

 

ମୁହଁକୁ ଘୂଞ୍ଚାଇ ନେଇ ଆଲେସ୍କି କହିଲେ, ‘‘ତୁମେ ଏପରି ଭାବରେ ଭୁଲ ବୁଝିବାକୁ ଚେଷ୍ଟା କରନି ମେରିନା ! ବାସ୍ତବିକ୍‌ ଏହି ବାଇନୋକ୍ୟୁଲାର୍‌ ଭିତର ଦେଇ ଦେଖିଲେ, ଦୂର ପର୍ବତର ଦୃଶ୍ୟ କି ସୁନ୍ଦର ଦିଶେ ? ପ୍ରକୃତରେ କବିର ପ୍ରାଣ ନେଇ ଏଗୁଡ଼ିକୁ ଉପଲବ୍‌ଧ କରିବା କଥା; ବୈଜ୍ଞାନିକର ପ୍ରାଣ ନେଇ ନୁହେଁ । ଓଃ, କି ସୁନ୍ଦର ସେ ଭୀମକାନ୍ତ ସୌନ୍ଦର୍ଯ୍ୟ ମନ୍ଦାକିନୀ ? ପାହାଡ଼ ପରେ ପାହାଡ଼ଶ୍ରେଣୀ ବିଚଳିତ ସମୁଦ୍ରର ସଂଖ୍ୟାତୀତ ତରଙ୍ଗ ପ୍ରାୟ ପ୍ରକୃତିରାଣୀଙ୍କ କ୍ରୋଡ଼ରେ ବିରାଜିତ । ଧରଣୀର ଚୂଡ଼ାବତ୍‌ ଅସମୋଚ୍ଚ ଶୈଳରେଖା ମଧ୍ୟେ ମଧ୍ୟେ ପ୍ରକୃତିର ବୀଣା ସପ୍ତତନ୍ତ୍ରୀରେ ନାନା ରାଗିଣୀର ଅଶ୍ରୁତ ଝଙ୍କାର ତୋଳି ଉପଳବ୍ୟଥିତ–ଗତି ତୁଷାର ସ୍ରୋତସ୍ୱିନୀ କି ଆନନ୍ଦରେ ବହମାନା । ସେହି ସୌନ୍ଦର୍ଯ୍ୟ ରାଜ୍ୟର ପର୍ବ ତୋରଣରେ ରାଗିଣୀମୟୀ ଏବଂ ସଙ୍ଗୀତସ୍ୱପ୍ନମଗ୍ନା ପ୍ରକୃତିରାଣୀଙ୍କର ଯେତେବେଳେ ଉଷାର କନକମୁକୁଟବିଭା ଫୁଟି ଉଠୁଥିବ ଏବଂ ସନ୍ଧ୍ୟାରେ ଯେତେବେଳେ ନିବିଡ଼ ଆକାଶର ସ୍ତରେ ସ୍ତରେ ବିଭିନ୍ନ ବର୍ଣ୍ଣ ପ୍ରକାଶିତ ହେଉଥିବ, ସେତେବେଳେ ଏ ସ୍ଥାନର ସୌନ୍ଦର୍ଯ୍ୟ କୋଟି ସୌନ୍ଦର୍ଯ୍ୟଭରା ଅମରାବତୀକୁ ଯେ ବଳିଯାଉଥିବ, ତା’ କ’ଣ କେହି କେବେ ଅସ୍ୱୀକାର କରି ପାରିବ ମେରିନା, ଏହି ଦୃଶ୍ୟ ଦେଖିଲେ ?’’

 

ଆଲେସ୍କିଙ୍କର ଏହି କବିଜନସୁଲଭ ବର୍ଣ୍ଣନାରେ ବିହ୍ୱଳା ହୋଇ ବାଇନୋକ୍ୟୁଲାର୍‌ ଭିତର ଦେଇ ମେରିନା ପୁଣି ଅନାଇବାକୁ ଚେଷ୍ଟା କଲା ସେହି ଭୀମ ଭୈରବ ଦୃଶ୍ୟ ଆଡ଼େ ।

 

‘‘ବାସ୍ତବିକ୍‌ ଆଲେସ୍କି, ଏ ଚମତ୍କାର ସୌନ୍ଦର୍ଯ୍ୟ କେବେ ଭୁଲିବାର ନୁହେଁ ।’’

 

‘‘ଉଁ ହୁଁ’’ ଆଲେସ୍କି ମୁଣ୍ଡ ହଲାଇ ମେରିନାର ମନ୍ତବ୍ୟକୁ ଅସ୍ୱୀକାର କଲେ । ‘‘ବାଇନୋକ୍ୟୁଲାର୍‌ର ସମ୍ମୁଖ ଦୃଶ୍ୟଠାରୁ ପଶ୍ଚାତ୍‌ଭାଗର ଦୃଶ୍ୟ ଯେ ଆହୁରି ଢେର୍‌ ମନୋହର ।’’

 

‘‘ଆଁ, ପଶ୍ଚାତ୍‌ଭାଗର ଦୃଶ୍ୟ ?’’ ହଠାତ୍‌ ଚମକିପଡ଼ି ମେରିନା ପଛ ଆଡ଼କୁ ଅନାଇଲା ।

 

‘‘କାହିଁ, ମୋତେ ତ କିଛି ଦିଶୁନି ?’’ ବହୁ ଦୂରକୁ ଅନାଇ ପଚାରିଲା ମେରିନା ।

 

‘‘ଏତେ ଦୂରକୁ ଅନାଇଲେ କ’ଣ ଦେଖି ପାରିବ, ମେରିନା ? ବାଇନୋକ୍ୟୁଲାର୍‌ର ଠିକ୍‌ ପଛରେ ସେ ଭରା ସୌନ୍ଦର୍ଯ୍ୟର ଅସରନ୍ତି ପାହାଡ଼ ।’’

 

ମେରିନା ଆଲେସ୍କିଙ୍କର ଉଦ୍ଦେଶ୍ୟ ବର୍ତ୍ତମାନ ବୁଝିପାରି କହିଲା, ‘‘ହୁଁ, ସତେ ? ତମର ସୌନ୍ଦର୍ଯ୍ୟ ଉପଲବ୍‌ଧି କରିବାର ଜ୍ଞାନ କେଉଁଦିନଠାରୁ ଏପରି ଭାବରେ ବଢ଼ିଗଲାଣି ଶୁଣେ ? ତୁମ ରୁଚିରେ ଏ ଭିତରେ ଯଥେଷ୍ଟ ପରିବର୍ତ୍ତନ ଆସିଲାଣି ନିଶ୍ଚୟ ।’’ ଟିକିଏ ମୁରବିତ୍ୱ କରି ଶାସକବ୍ୟଞ୍ଜକ ସ୍ୱରରେ ମେରିନା କହିଲା, ‘‘ମୋତେ କ’ଣ ସରଳା ଷୋଡ଼ଶୀ କରି ପାଇଲେ ଯେ ଆଲେସ୍କି, ମୁଁ ତୁମର ଏହି ମନନିଆ କଥାଦ୍ୱାରା ତୁମ ଆଡ଼କୁ ଢଳିପଡ଼ିବ ?’’

 

‘‘ଓ ! ବଡ଼ ଦମ୍ଭ ?’’ ମେରିନାର କାନ୍ଧକୁ ଟିକିଏ ଚିପିଦେଲେ ଆଲେସ୍କି କହିଲେ, ‘‘ଢଳି ନ ପଡ଼ିଲେ ମୁଁ ଯଦି ଜୋର୍‌ କରି ତୁମକୁ ଢଳାଇନିଏ ?’’ ଏତକ କହି ନିଜ ଛାତିଆଡ଼କୁ ମେରିନାକୁ ଆଉଜାଉ ନେବାକୁ ଚେଷ୍ଟା କଲେ ।

 

‘‘ହାଁ, ହା, ଏ କଣ କରୁଛ ଆଲେସ୍କି !’’ ଯଥାସାଧ୍ୟ ବାଧା ଦେଇ ଢଳି ନ ପଡ଼ିବାକୁ ଚେଷ୍ଟା କଲା ମେରିନା, ‘‘ଏଭଳି ଟଣାଟଣି ଚାଲିଲେ ତଳର ସେହି ଗହ୍ୱର ଭିତରକୁ ଖସିପଡ଼ିବାକୁ ଆମକୁ ବେଶୀ ସମୟ ଲାଗିବ ନାହିଁ । ଏ ସ୍ଥାନଟି କେଡ଼େ ବିପଦସଂକୁଳ ଉପଲବ୍‌ଧି କରୁଛ ତ ?’’

 

‘‘ହେଉ, ତାହା ହେଲେ ମୁଁ ଛାଡ଼ିଦେଲି ତୁମକୁ ।’’ ଏତକ କହି ଆଲେସ୍କି ମେରିନାର କଟୀ ଚାରି ପାଖରେ ବେଢ଼ିରହିଥିବା ହାତକୁ ମୁକୁଳାଇବାକୁ ଚେଷ୍ଟା କଲେ । କିନ୍ତୁ ପରମୂହୁର୍ତ୍ତରେ ମେରିନା ପୁଣି ଚିତ୍କାର କରି ଆଲେସ୍କିଙ୍କୁ ଜାବୁଡ଼ି ଧରି କହିଉଠିଲା, ‘‘ମୋତେ ଧର, ଧର ଆଲେସ୍କି-! ମୋ ମୁଣ୍ଡ କିପରି ଘୂରାଇ ଦେଉଛି ଏଠି ।’’

 

ଆଲେସ୍କିଙ୍କର ବାହୁବେଷ୍ଟନୀ ପୁଣି କଠିନ ହୋଇଆସିଲା । ମେରିନାର କୁସୁମକୋମଳ ଅଙ୍ଗଲତାକୁ ନିଜ ଶରୀର ସହିତ ଭିଡ଼ି ଧରି ଆଲେସ୍କି ମେରିନାର କପୋଳ ଉପରେ ଆଙ୍କିଦେଲେ ମଧୁର ଚୁମ୍ବନର କେତେଗୋଟି ଚିହ୍ନ । ଚୁମ୍ବନର ମଧୁର ସ୍ପର୍ଶ ଭିତରେ ନିଜକୁ ହଜାଇ ଦେଇ ମେରିନା ବୁଜିଦେଇଥିଲା ତା’ର ଆଖି; ସତେ ଯେପରି ଆଲେସ୍କିଙ୍କର ଉଜ୍ଜ୍ୱଳ ପ୍ରଦୀପ୍ତ ମନମତାଣିଆ ମୁଖକୁ ଅନାଇବାକୁ ତା’ର ସାହସ ନ ଥିଲା । ଲଜ୍ଜାରେ ଓ ଅତ୍ୟଧିକ ଦୁର୍ବଳତାରେ ସେ ମୁଦିତ ନୟନ ଭିତରେ ଦେଖୁଥିଲା କଳ୍ପନାର ଶତ ଆଲେସ୍କି । ଚୁମ୍ବନର ଶତ ଦଂଶନ କରିପକାଇଥିଲା ମେରିନାକୁ କ୍ଷତ–ବିକ୍ଷତ; କିନ୍ତୁ କି ଆନନ୍ଦଦାୟକ ସେ କ୍ଷତ, କି ସୁମଧୁର ସେ ଅମୃତ ସମୟ ।

Image

 

ଛଅ

 

ଲେନିନ୍‌ ମାନମନ୍ଦିର ସରଗରମ୍‌ ହୋଇଉଠିଥାଏ ଆଗନ୍ତୁକମାନଙ୍କର ଆଗମନରେ । କୃତ୍ରିମ ଉପଗ୍ରହରେ ଯିବାପାଇଁ ଷାଠିଏ ଜଣଯାକ ଯାତ୍ରୀ ଆସି ଯଥାସମୟରେ ଉପସ୍ଥିତ । ସାଏନ୍‌ସ ଏକାଡ଼େମୀର ସଭାପତି ଓ ଅନ୍ୟ କର୍ମକର୍ତ୍ତାମାନେ ଆସି ଏହି ଐତିହାସିକ ଗିରିଶୃଙ୍ଗରେ ଏକତ୍ର । ପୋଲିସ ଓ ଗୋଏନ୍ଦା ବିଭାଗ ଅଫିସରମାନଙ୍କ ଦ୍ୱାରା ଚାରିଆଡ଼ ଖୁବ୍‌ ସାବଧନତା ସହକାରେ ସଂରକ୍ଷିତ । ଏହି ଜନମାନଶୂନ୍ୟ ଅଞ୍ଚଳରେ କେହି ଗୁପ୍ତଚର ଯେପରି ଲୁଚିରହି ଏହି ଗୁରୁତ୍ୱପୂର୍ଣ୍ଣ ଅଭିଯାନର ଖବର ଦେଶ ବାହାରକୁ ନେଇ ନ ଯାଏ, ସେଥିପାଇଁ ନାନା କଡ଼ା ବ୍ୟବସ୍ଥା ଅବଲମ୍ବନ କରାଯାଇଥାଏ ।

 

ଆଲେସ୍କିଙ୍କ ପିତା ପୁତ୍ରକୁ ବିଦାୟ ଦେବାପାଇଁ ଏ ବୃଦ୍ଧ ବୟସରେ ହଜାର ହଜାର ମାଇଲ ପଥ ଅତିକ୍ରମ କରି ଏଠାକୁ ଆସିଥାନ୍ତି । କମିଶନ୍‌ର ସଭ୍ୟମାନେ ଏହି ଐତିହାସିକ ଅଭିଯାନ ନେଇ ବ୍ୟସ୍ତ । ଯେତେ ଶୃଙ୍ଖଳିତ ଭାବରେ ଅଭିଯାନର ବହୁ ଆଗରୁ ବିଭିନ୍ନ କାମ ସାରିଥିଲେ ମଧ୍ୟ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ବହୁ ଟିକିନିଖି କାମ ବାକି ରହିଯାଇଥାଏ ।

 

କୃତ୍ରିମ ଉପଗ୍ରହର ଡିରେକ୍‌ଟର ଆଲେସ୍କିଙ୍କୁ ମଧ୍ୟ ଏଇ କେତେ ଦିନ ହେଲା ତର ନାହିଁ-। ଦୁଇଦିନ ହେଲା ପିତା ଆସିଥିଲେ ମଧ୍ୟ କେତେବେଳେ ଘଣ୍ଟାକ ପାଇଁ ତାଙ୍କ ସହିତ ନିରୋଳାରେ ବସି ସୁଖଦୁଃଖ କଥାବାର୍ତ୍ତା କରିବାର ସୁବିଧା ଜୁଟିନି । ପିତାଙ୍କର ହେପାଜତ୍‌ ନେବାର ସବୁ ଭାର ମେରିନା ଉପରେ ଛାଡ଼ିଦେଇ ସେ ଦିନରାତି ଏଆଡ଼େ ସେଆଡ଼େ ଲାଗିପଡ଼ିଥାନ୍ତି । ଉପଗ୍ରହର ବିଭିନ୍ନ କକ୍ଷରେ ଠିକ୍‌ରୂପେ ଜିନିଷପାତି ରହିଲା କି ନାହିଁ, ସେ ବିଷୟରେ ସେ ବଡ଼ ତତ୍ପର । ବିଭିନ୍ନ ବିଭାଗର କର୍ମକର୍ତ୍ତାମାନଙ୍କୁ ନେଇ ସେ କେତେଥର ବୈଠକ କରିସାରିଲେଣି । କମିଶନ୍‌ର ସଭ୍ୟମାନଙ୍କ ଆଗରେ ଉପଗ୍ରହର ସଭ୍ୟମାନଙ୍କୁ ଡକାଇ ପ୍ରତ୍ୟେକଙ୍କର ଦାୟିତ୍ୱ କେତେ ଥର ସେ ବୁଝାଇ ସାରିଲେଣି । ସେମାନେ ଯେପରି ସେମାନଙ୍କର ଦାୟିତ୍ୱ ତୁଲାଇବାରେ ଅବହେଳା ନ କରନ୍ତି, ସେଥିପାଇଁ କଡ଼ା ତାଗିଦ୍‌ ମଧ୍ୟ କରିଦିଆଗଲାଣି ।

 

ଉପଗ୍ରହରେ ଯିବାପାଇଁ ଯେଉଁ ସବୁ ବିଭିନ୍ନ କିସମର ଲୋକ, ଯଥା–ଜ୍ୟୋତିର୍ବିଜ୍ଞାନବିତ୍‌, ଜ୍ୟୋତିଃ ପଦାର୍ଥବିଦ୍ୟାବିତ୍‌, ପଦାର୍ଥବିଦ୍ୟାବିତ୍‌, ବିଶ୍ୱରଶ୍ମିବିଶାରଦ, ପାଗବିଜ୍ଞାନବିତ୍‌, ଇଞ୍ଜିନିଅର, ରକେଟ୍‌ ବିଜ୍ଞାନ–ବିଶାରଦ, ରକେଟ ଇଞ୍ଜିନିଅର, ସୂକ୍ଷ୍ମଯନ୍ତ୍ରବିଶାରଦ, ବେତାରଯନ୍ତ୍ରୀ, ଇଲେକ୍‌ଟ୍ରନିକ୍‌ସ୍‌ବିଶେଷଜ୍ଞ, ବେତାରବାର୍ତ୍ତା ପ୍ରେରକ ଓ ଗ୍ରାହକ ଅଫିସର, ବିଦ୍ୟୁତ୍‍ ଇଞ୍ଜିନିଅର, ପରମାଣୁଶକ୍ତି ବିଶେଷଜ୍ଞ, ସ୍ୱାସ୍ଥ୍ୟବିଭାଗ ଅଫିସର, ଚିକିତ୍ସକ, ରନ୍ଧନଶାଳାରକ୍ଷକ, ଷ୍ଟେନୋଗ୍ରାଫର୍‌ ଆଦି ଅଛନ୍ତି, ସେ ସମସ୍ତଙ୍କୁ ପ୍ରତି ମୁହୂର୍ତ୍ତରେ ସାବଧାନ କରାଇଦେଇ ଓ ଯେଝା ଯେଝା ବିଭାଗର ପ୍ରତ୍ୟେକ ଟିକିନିଖି ଜିନିଷ ଯେପରି ସେମାନେ ଯତ୍ନସହକାରେ ନେଇ ଉପଯୁକ୍ତ ସ୍ଥାନରେ ସାଇତି ରଖନ୍ତି, ସେଥିପ୍ରତି କଡ଼ା ତାଗିଦ୍‌ କରିଦିଆଗଲାଣି । ପ୍ରତ୍ୟେକେ ଯଦି ନିଜ ନିଜର ଦାୟିତ୍ୱ ଖୁବ୍‌ ଦକ୍ଷତାର ସହିତ ତୁଲାଇ ନେଇପାରନ୍ତି, ତେବେ କୃତ୍ରିମ ଉପଗ୍ରହରେ ଚଳିବା ବିଶେଷ କିଛି କଷ୍ଟକର ହେବ ନାହିଁ ।

 

ପୃଥିବୀରେ ଯେଉଁ ସବୁ ଗବେଷଣା ସୁବିଧାନୁସାରେ କରି ହୁଏନି, ସେ ସବୁ ମହାଶୂନ୍ୟରେ ଖୁବ୍‌ ସୁବିଧାରେ ହୋଇପାରିବ ବୋଲି ସଦସ୍ୟମାନଙ୍କୁ ବୁଝାଇ ଦିଆଯାଇଛି । ପୃଥିବୀପୃଷ୍ଠରୁ ଆକାଶମଣ୍ଡଳର ଗ୍ରହନକ୍ଷତ୍ରଙ୍କୁ ପର୍ଯ୍ୟବେକ୍ଷଣ କରିବାରେ ଯେଉଁ ଅସଂଖ୍ୟ ବାଧାବିଘ୍ନ, ତାହା ମହାଶୂନ୍ୟରେ ରହିବ ନାହିଁ । ପୃଥିବୀପୃଷ୍ଠରୁ ଦୂରବୀକ୍ଷଣ ସାହାଯ୍ୟରେ ଜ୍ୟୋତିଷ୍କମାନଙ୍କୁ ଲକ୍ଷ୍ୟ କଲେ, ଦୁଇଶହ ମାଇଲ ମୋଟା ବାୟୁସ୍ତରର ପ୍ରଭାବରୁ ସେଗୁଡ଼ିକ ପରିଷ୍କାର ନ ଦିଶି ମେଘୁଆମେଘୁଆ ଦିଶନ୍ତି; କିନ୍ତୁ ମହାଶୂନ୍ୟରେ ଥାଇ ଲକ୍ଷ୍ୟକଲେ ସେଗୁଡ଼ିକୁ ବେଶ୍‌ ପରିଷ୍କାର ଦେଖିହୁଏ । ପୁନଶ୍ଚ ପୃଥିବୀପୃଷ୍ଠରେ ଥାଇ ବିଶ୍ୱରଶ୍ମି ସମ୍ବନ୍ଧୀୟ ଗବେଷଣା କରିବା କଷ୍ଟସାଧ୍ୟ; ନାନା ବାଧାବିଘ୍ନର ସମ୍ମୁଖୀନ ହେବାକୁ ପଡ଼େ । ପୃଥିବୀପୃଷ୍ଠଠାରୁ ଯେତେ ଉପରକୁ ଯିବ, ବିଶ୍ୱରଶ୍ମି ସମ୍ବନ୍ଧୀୟ ଗବେଷଣା ସେତେ ଫଳପ୍ରଦ ଓ ସହଜସାଧ୍ୟ ହୁଏ । ସେଥିପାଇଁ ଏହି କୃତ୍ରିମ ଉପଗ୍ରହରେ ବିଶ୍ୱରଶ୍ମି ସମ୍ବନ୍ଧରେ ଗବେଷଣା କରିବା ପାଇଁ ସ୍ଥିର ହୋଇଥାଏ । ତେଣୁ ଏଥିଭିତରେ ଗବେଷଣାଗାରରେ ନାନା ଯନ୍ତ୍ରପାତି ଖଞ୍ଜାଯାଇଛି । ଏସବୁ ଛାଡ଼ି ଆହୁରି ବହୁ ତାତ୍ତ୍ୱିକ ଗବେଷଣା ପାଇଁ ନାନା ବନ୍ଦୋବସ୍ତ କରାଯାଇଅଛି ଏହି ଉପଗ୍ରହ ଭିତରେ । ଭବିଷ୍ୟତର ଆନ୍ତର୍ଗ୍ରହ ଭ୍ରମଣରେ ଏହିଭଳି ଉପଗ୍ରହ କେତେଦୂର ସାହାଯ୍ୟକାରୀ ହେବ, ତାହା ପରୀକ୍ଷା କରିବା ଏ ଅଭିଯାନର ଆଉ ଏକ ପ୍ରଧାନ ଉଦ୍ଦେଶ୍ୟ । ରାଷ୍ଟ୍ରର ଚାରିଆଡ଼ ରକେଟ୍‌-ବିଶାରଦମାନେ ଏହି ମାନମନ୍ଦିରଠାରେ ସର୍ବପ୍ରଥମ ପରମାଣୁଚାଳିତ ରକେଟ୍‌ର କାର୍ଯ୍ୟକାରିତା ଲକ୍ଷ୍ୟ କରିବା ପାଇଁ ସମେବତ । ତିନିଷ୍ଟେପ୍‌ ରକେଟ୍‌ ପଦ୍ଧତି ସାହାଯ୍ୟରେ ମହାଶୂନ୍ୟର ଅଠର ହଜାର ମାଇଲ ଉଚ୍ଚରେ ପହଞ୍ଚି ହେବ ବୋଲି ଯେଉଁ ଅଟକଳ କରାଯାଇଛି, ତହିଁର ହେବ ଏହା ଏକ ପରୀକ୍ଷା । ଏଥିପାଇଁ ତିନୋଟି ରକେଟ୍‌ ଗୋଟିକ ପରେ ଗୋଟିଏ ଥୁଆହୋଇ ସର୍ବୋପରି କୃତ୍ରିମ ଉପଗ୍ରହଟିକୁ ରଖାଯାଇଛି । ପରମାଣୁ ବୋମା ଭିତରେ ପ୍ଲୁଟୋନିୟମ ରଖି ଯେପରି ବିସ୍ଫୋରଣ କରାଯାଏ, ସେହିଭଳି ଏହି ରକେଟ୍‌ରେ ପ୍ଲୁଟୋନିୟମ ପରିବର୍ତ୍ତରେ ଆଇନଷ୍ଟାଇନିୟମ୍‌ ରଖି ଆୟତ୍ତାଧୀନ ବିସ୍ଫୋରଣ କରିବା ପାଇଁ ବନ୍ଦୋବସ୍ତ କରାଯାଇଛି । କୃତ୍ରିମ ଉପଗ୍ରହକୁ ବାରମ୍ବାର ଦେଖାଦେଖି କରି ସବୁ ଠିକ୍‌ଠାକ୍‌ ଅଛି ବୋଲି ଜଣାପଡ଼ିବା ପରେ ଦିନେ ଲେନା ଆଲେସ୍କିଙ୍କ ଗୃହକୁ ପଶିଆସିଲା । ସେତେବେଳକୁ ଆଲେସ୍କିଙ୍କ ବୈଠକଖାନାରେ ମେରିନା, ଆଲେସ୍କି ଓ ଆଲେସ୍କିଙ୍କ ପିତା ବସି ଗପସପ ହେଉଥିଲେ । ମେରିନା ଲେନାକୁ ନିକଟସ୍ଥ ସୋଫାରେ ବସିବା ପାଇଁ ଅନୁରୋଧ କଲା । ଲେନା ବସୁ ବସୁ ଆଲେସ୍କିଙ୍କୁ ଲକ୍ଷ୍ୟ କରି ପଚାରିଲା–‘‘କୃତ୍ରିମ ଉପଗ୍ରହର ସନ୍ତରଣ ପୁଷ୍କରିଣୀ କ’ଣ ଆରମ୍ଭରୁ ଜଳପୂର୍ଣ୍ଣ ହେବ ନା ଆମେ ମହାଶୂନ୍ୟରେ ପହଞ୍ଚିଗଲା ପରେ ପୃଥିବୀପୃଷ୍ଠରୁ ଜଳ ଆମଠାକୁ ପଠାଇ ଦିଆଯିବ ?’’

 

ଲେନାଙ୍କର ଏତାଦୃଶ ଉଦ୍‌ବେଗ ଦେଖି ଆଲେସ୍କି ହସିଉଠି କହିଲେ, ‘‘ସନ୍ତରଣ ପୁଷ୍କରିଣୀପାଇଁ ତୁମେ ଏତେ ବ୍ୟସ୍ତ କାହିଁକି ଲେନା ? ସକାଳ ଓ ସନ୍ଧ୍ୟାରେ ତୁମର କ’ଣ ସନ୍ତରଣ ପୁଷ୍କରିଣୀରେ ସ୍ନାନ କରିବାର ଅଭ୍ୟାସ ଅଛି ?’’

 

ଲେନା ଈଷତ୍‌ ଲଜ୍ଜିତା ହୋଇ ଉତ୍ତର ଦେଲା, ‘‘ନଥିଲେ ମଧ୍ୟ ଆମର ସେଇଟା ବୁଝିନେବା କ’ଣ ଉଚିତ ନୁହେଁ ? ମୁଁ ଆଜି କୃତ୍ରିମ ଉପଗ୍ରହ ଭିତରେ ବୁଲିଆସିଲାବେଳେ ଦେଖିଲି, ସବୁ ଠିକ୍‌ଠାକ୍‌ ହୋଇଯାଇଛି । ଜଳରେ ଆମ ଜଳଭଣ୍ଡାର ଭରିଯାଇଛି; ଅଥଚ ସନ୍ତରଣ ପୁଷ୍କରିଣୀଟି ଶୁଷ୍କ । ମୋର ମନେ ହେଲା, ହୁଏତ ଭୁଲରେ ଏତକ ରହିଯାଇଛି । ତେଣୁ ମନେ ପକାଇଦେବା ପାଇଁ ଚାଲିଆସିଲି ଏଠାକୁ ।’’

 

‘‘ମୋର ଠିକ୍‌ ମନେଅଛି ଲେନା !’’ ହସି ହସି ଉତ୍ତର ଦେଲେ ଆଲେସ୍କି–‘‘ଆଜି ରାତ୍ରରେ ଶେଷ ଭାଗରେ ଏହା ପୂର୍ଣ୍ଣହେବା ପାଇଁ ସ୍ଥିର ହୋଇସାରିଛି । ହେଉ, ମନେ କରାଇଦେଲ, ଧନ୍ୟବାଦ । ତୁମ ଭଳି ତୀକ୍ଷ୍‌ଣ ଦୃଷ୍ଟିସଂପନ୍ନା ସହକାରୀ ପାଇ ମୁଁ ଧନ୍ୟ ।’’

 

ଆଲେସ୍କିଙ୍କର ଏହି ଶେଷ କଥାପଦକ ମେରିନାର ହୃଦୟରେ ବଟୁଳି ପରି ଆଘାତ କଲା । କଥାର ମୋଡ଼ ବଦଳାଇ ମେରିନା ଆଡ଼କୁ ଅନାଇ ଲେନା ପଚାରିଲା, ’’ତୁମ ଗବେଷଣାଗାରର ବନ୍ଦୋବସ୍ତ ଠିକ୍‌ରୂପେ ହୋଇଯାଇଛି ମେରିନା ?’’

 

‘‘ମୋ ଗବେଷଣା ଗାର ଠିକ୍‌ ଅଛି । ସବୁ ଯନ୍ତ୍ରପାତିଗୁଡ଼ିକୁ ମୁଁ ନିଜେ ପରୀକ୍ଷା କରି ଦେଖିନେଇଛି ଭଉଣୀ । ତୁମ ପର୍ଯ୍ୟବେକ୍ଷଣାଗାର ଠିକ୍‌ ଅଛି ତ ? ଆଉ ତୁମର ସେହି ବିରାଟ ଦୂରବୀକ୍ଷଣଟି ?’’

 

‘‘ମୁଁ ଆଉ ସେଗୁଡ଼ିକୁ ଭଲ ଭାବରେ ପରୀକ୍ଷା ନ କରି କ’ଣ ବସିଛି ? ମେରିନାକୁ ଉତ୍ତର ଦେଲାବେଳେ ଲେନା ଆଲେସ୍କିଙ୍କ ଆଡ଼କୁ କଣେଇ ଅନାଉ ଥାଏ ।

 

ଆଲେସ୍କିଙ୍କ ପିତା କୃତ୍ରିମ ଉପଗ୍ରହ ସମ୍ଭନ୍ଧୀୟ ଏସବୁ ଆଲୋଚନାକୁ ବେଶ୍‌ ମନଦେଇ ଶୁଣିଯାଉଥିଲେ । ପୁତ୍ର–ବିଚ୍ଛେଦ ଦୁଃଖ ତାଙ୍କ ହୃଦୟର ଅନ୍ତରତମ କୋଣକୁ ଖିନ୍‌ଭିନ୍‌ କରୁଥିଲେ ମଧ୍ୟ ଏହି ବିରାଟ ଅଭିଯାନ ସମ୍ବନ୍ଧରେ ସେ ବଡ଼ କୌତୂହଳୀ ହୋଇପଡ଼ିଥାନ୍ତି । ତାଙ୍କର ସବୁବେଳେ ମନେ ହେଉଥାଏ, ସେ ଥରେ ଯାଇ ଏହି ଦୁର୍ଲ୍ଲଭ ଉପଗ୍ରହଟିକୁ ଦେଖି ଆସି ପାରନ୍ତେ କି, ନୟନ ସାର୍ଥକ ହୁଅନ୍ତା ।

 

ହଠାତ୍‌ ଲେନା ଆଲେସ୍କିଙ୍କ ପିତାଙ୍କ ଆଡ଼କୁ ଦୃଷ୍ଟି ଫେରାଇ ପଚାରିଲା, ‘‘ଆପଣ ନିଶ୍ଚୟ କୃତ୍ରିମ ଉପଗ୍ରହ ଭିତରେ ଥରେ ଯାଇ ବୁଲିସାରିଥିବେ ?’’

 

‘‘ନାଇଁ ଲୋ ଝିଅ, କାହିଁ ମୋତେ କିଏ ଟିକିଏ ସେଠାକୁ ନେଉଛି ? ଦେଖୁଛ, ପୁଅ ତ ସବୁବେଳେ ଏଣେତେଣେ କାମରେ ବ୍ୟସ୍ତ । ପୁଣି ଏ ଝିଅଟି ତ ମୋ ପରି ଏଠାରେ ନୂଆ । ତା’କୁ ସବୁ ଏଠି ନୂଆ ଭଳି ଲାଗୁଛି । ମୋତେ ଆଉ ନେଇଯାଉଛି କିଏ ?’’

 

ପିତାଙ୍କର ଏଭଳି ଖେଦୋକ୍ତି ଶୁଣି ଆଲେସ୍କିଙ୍କର ହଠାତ୍‌ ଚେତନା ଆସିଲା–ସତେ ତ ! ବାପା ଏତେଦିନ ହେଲା ଆସିଲେଣି, ତେବେ କୃତ୍ରିମ ଉପଗ୍ରହ ଦେଖିବାକୁ ଯାଇପାରିନାହାନ୍ତି । ଲେନାକୁ ସମ୍ମୁଖରେ ଦେଖି ହଠାତ୍‌ କହିପକାଇଲେ, ‘‘ଠିକ୍‌ ସମୟରେ ବାପା ମାନେ କରାଇ ଦେଇଛନ୍ତି ଲେନା ! ତୁମେ ଆସିଛ, ଭଲ ହୋଇଛି । ତୁମେ ବାପାଙ୍କୁ ନେଇ ଟିକିଏ କୃତ୍ରିମ ଉପଗ୍ରହ ଓ ମାନମନ୍ଦିର ଆଡ଼େ ବୁଲାଇଆଣ । ଡିରେକ୍‌ଟରଙ୍କର ସହିତ ମୋର ଗୋଟାଏ ଜରୁରୀ କାମ ଅଛି, ମୁଁ ଯାଉଛି । ବାପାଙ୍କୁ ସବୁ ବୁଲାଇ ଆଣିବା ଦାୟିତ୍ୱ ତୁମ ଉପରେ । ମେରିନା ବି ତୁମ ସହିତ ଯାଉ ।’’ ଏହା କହି ଆଲେସ୍କି ଚାଲିଗଲେ ଡିରେକ୍‌ଟରଙ୍କ କୋଠି ଆଡ଼େ ।

 

ଆଲେସ୍କିଙ୍କ ମୁଖରୁ ଲେନା ନିଜର ପ୍ରଶଂସା ଶୁଣି ଗର୍ବରେ ଛାତି ତା’ର ଫୁଲି ଉଠୁଥିଲା, ବିଶେଷତଃ ମେରିନା ଆଗରେ । ଅଲକ୍ଷିତରେ ମେରିନା ପ୍ରତି ତା’ର କେଉଁ ପ୍ରତିଯୋଗୀ ମନୋଭାବ ଥିଲା କେଜାଣି, ସେ ଏହି ପ୍ରଶଂସାରେ ପାଉଥିଲା ପରିତୃପ୍ତି ।

 

କୃତ୍ରିମ ଉପଗ୍ରହ ପୃଥିବୀ ଛାଡ଼ିବା ଦିନ....

 

ଏହି ଦିନଟି ଯେତିକି ପାଖେଇ ଆସୁଥାଏ, ମେରିନାର ହୃଦୟ ଠିକ୍‌ ସେତିକି ପରିମାଣରେ ଉଦ୍‌ବେଳିତ ହେଉଥାଏ । ଯିବା ଦିନ ସକାଳୁ ଉଠି ମେରିନା ଆଲେସ୍କିଙ୍କର ଶୟନକକ୍ଷ ଆଡ଼କୁ ଚାଲିଗଲା । ସେତେବେଳକୁ ଆଲେସ୍କି ଉଠି କେଉଁଆଡ଼େ ଚାଲିଗଲେଣି । ଆଲେସ୍କିଙ୍କ କକ୍ଷରୁ ଫେରି ଆସୁ ଆସୁ ବାରଣ୍ଡାର ଝରକା ଦେଇ ସେ ଦୂର ଦିଗ୍‌ବଳୟକୁ ଅନାଇ ହଠାତ୍‌ ଅଟକିଗଲା । ସେତେବେଳକୁ ପୂର୍ବଦିଗ ଲୋହିତ ହୋଇଉଠିଲାଣି । ନାନା ବର୍ଣ୍ଣର ଘନ ମେଘମାଳା ପଛରୁ ସୂର୍ଯ୍ୟ ଉଙ୍କି ମାରୁଥିଲେ; ଯେପରି ପାତଳ-ପାଟଳ-ପାରଦା ଆଢୁଆଳରେ ନବବିବାହିତା ଲୋହିତାମ୍ବରା ସୁନ୍ଦରୀ ।

 

ଚାହୁଁ ଚାହୁଁ ପୂର୍ବାକାଶ ପରିଶୋଭିତ କରି ପ୍ରଭାତସଞ୍ଚିତ ସ୍ତରବିନ୍ୟସ୍ତ ଲୋହିତାଭ ମେଘରାଶି ପଶ୍ଚାତ୍‌ରୁ ଦିନମଣି ହସି ହସି ଡେଇଁପଡ଼ିଲେ । କି ସୁନ୍ଦର ସେ ଦୃଶ୍ୟ ! ମେରିନା ଏତେଦିନ ଧରି ସେହି ଗିରିଶୃଙ୍ଗରେ ରହିଥିଲେ କ’ଣ ହେବ, କେବେ ସୂର୍ଯ୍ୟଦେବଙ୍କର ଏହି ଉଦୟ ପ୍ରତି ଏତେ ଆକୃଷ୍ଟ ହୋଇ ନଥିଲା । ତେବେ କ’ଣ ଧରା ଛାଡ଼ି ଚାଲିଯାଉଛି ବୋଲି ଏ ତା’ର ଶେଷ ମମତା ? ସେ ପୂର୍ବାକାଶରେ ଏହି ଅପାର୍ଥିବ ସୌନ୍ଦର୍ଯ୍ୟକୁ ଛାଡ଼ି ନପାରି ବାତାୟନ ଦେଇ ସୂର୍ଯ୍ୟ ଉଇଁଆସୁଥିବା ଆକାଶ ଆଡ଼କୁ ଅନାଇ ରହିଲା । କି ମନୋଲୋଭା ସେ ଦୃଶ୍ୟ ! ଦୂରସ୍ଥିତ ଅଗ୍ନିଦାହବତ୍‌ ମେଘମାଳା ପ୍ରଥମେ କିପରି ଧୀରୋଜ୍ଜ୍ୱଳ ବର୍ଣ୍ଣ ଧାରଣ କଲା ଓ କ୍ରମେ କ୍ରମେ ଆଭ୍ୟନ୍ତରୀଣ ଅଗ୍ନିପ୍ରବାହରେ ସେହି ଭାବର ପରିବର୍ତ୍ତନ ହୋଇ କ୍ରମଶଃ ସେଥିରୁ ଧୀରେ ଧୀରେ ସମୁଜ୍ଜ୍ୱଳ ସୁବର୍ଣ୍ଣ ରେଖା ବାହାରିଲା, ସେ ତାହା ଦେଖି ଆତ୍ମବିସ୍ମୃତା ହୋଇପଡ଼ିଲା । ସେହି ରେଖା କିପରି କ୍ରମେ କ୍ରମେ ଉଜ୍ଜ୍ୱଳ ଅଗ୍ନିବର୍ଣ୍ଣରେ ପରିବର୍ତ୍ତିତ ହୋଇ ଜ୍ୟୋତିର୍ମୟ କିରଣରାଶିକୁ ଦୂରଦୂରାନ୍ତର ଆକାଶପ୍ରାନ୍ତରେ ବିଞ୍ଛାଡ଼ି ଦେଇ ସମସ୍ତ ଗଗନମଣ୍ଡଳକୁ ଏକାବେଳକେ ଉଜ୍ଜ୍ୱଳ କରିଦେଲା, ତାହା ଦେଖି ତା’ର ହୃଦୟ ଆନନ୍ଦରେ ପୂରିଉଠିଲା । ପ୍ରତ୍ୟୁଷରୁ ଆଳସ୍ୟର ମୋହ ଛାଡ଼ି ସଂସାର ପ୍ରଲୋଭନକୁ ଅତିକ୍ରମ କରି ମେରିନା ବାତାୟନ ଦ୍ୱାରଠାରେ ଠିଆହୋଇ ପ୍ରକୃତି–ରାଣୀଙ୍କର ଏଇ ସୌନ୍ଦର୍ଯ୍ୟ ଉପଭୋଗ କରିବା ସଙ୍ଗେ ସଙ୍ଗେ କେତେ କ’ଣ ଭାବିଯାଉଥାଏ । ପୃଥିବୀ ଛାଡ଼ି ଏତେ ଦୂରକୁ ଯାଉଛି, କେତେବେଳେ କ’ଣ ହେବ, ଭାବିଲାବେଳକୁ ମୁଣ୍ଡ ତାର କଣ ହୋଇଯାଉଥାଏ । ତା’ କାନ ପାଖରେ ବାରମ୍ବାର ପ୍ରତିଧ୍ୱନି ହେଉଥାଏ, ଆସିବା ଦିନ ଆଲେସ୍କିଙ୍କ ଫେରିଯିବା ପାଇଁ ଅନୁରୋଧଗୁଡ଼ିକ । ପୁଣି ପର ମୁହୂର୍ତ୍ତରେ ମନରେ ସାନ୍ତ୍ୱନା ଆସୁଥାଏ ଯେ ସେ ତ ଏକା ଯାଉନାହିଁ, ତା ସାଙ୍ଗରେ ଯାଉଛନ୍ତି ନିଜର ପ୍ରିୟତମ । ଆଉ ଚିନ୍ତା କେଉଁଥିପାଇଁ ? ବାତାୟନଠାରେ ଠିଆହୋଇ ମେରିନା ଏଇଭଳି କେତେ କ’ଣ ଭାବିଯାଉଥିଲା । ଆଲେସ୍କିଙ୍କ ପିତା ତାଙ୍କ ଶୟନ କକ୍ଷରୁ ଉଠି ତା ପାଖକୁ ଚାଲିଆସି ପଚାରିଲେ, ‘‘କ’ଣ ମା, ତୁ ଯେ ଏଠି ଠିଆ ହୋଇଛୁ ? ଆଲେସ୍କି ନାହିଁ ତା କୋଠରିରେ ? ଏତେ ସକାଳୁ କ’ଣ ସେ କୁଆଡ଼େ ଯାଇସାରିଲାଣି-?’’

 

ହଠାତ୍‌ ମେରିନାର ଚିନ୍ତାର ଖିଅ ଏହି ପ୍ରଶ୍ନ କେତୋଟିରେ ଛିଡ଼ିଗଲା । ସେ କହିଲା, ‘‘ବୋଧହୁଏ, କୌଣସି ଏକ ଜରୁରୀ କାମରେ ବାହାରି ଯାଇଛନ୍ତି । ଆଜି ପରା ଆମର ପୃଥିବୀ ଛାଡ଼ିବା ଦିନ । ଗିରିଶୃଙ୍ଗଟି କିପରି ବହୁ ଆଗନ୍ତୁକଙ୍କ ଆଗମନରେ ମୁଖରିତ ହୋଇଉଠିଛି, ଦେଖୁନାହାନ୍ତି ? ଆଜି ଆମ୍ଭମାନଙ୍କୁ ପୃଥିବୀର ମମତା ଚିରଦିନ ପାଇଁ ଛାଡ଼ିବାକୁ ପଡ଼ିବ । ସାରା ଦେଶର ବିଭିନ୍ନ ଆଡ଼ୁ ବହୁ ବୈଜ୍ଞାନିକ ଏହି ଐତିହାସିକ ଅଭିଯାନ ଦେଖିବାକୁ ରୁଣ୍ଡ ହୋଇଛନ୍ତି । କେତେ ଆଶା ଓ ଆଶଙ୍କା ଭିତରେ ଏହି ଆଗନ୍ତୁକମାନଙ୍କର ଦିନ ଯେ କଟୁଛି, ତା’ର ଇୟତ୍ତା ନାହିଁ-। ଆମ୍ଭମାନଙ୍କୁ ଆଜି ସାୟାହ୍ନରେ କୃତ୍ରିମ ଉପଗ୍ରହକୁ ଯାଇ ଯେଝା ସ୍ଥାନରେ ରହିବାକୁ ପଡ଼ିବ-। ଠିକ୍‌ ସନ୍ଧ୍ୟା ସାଢ଼େ ଆଠଟାରେ ଆମର କୃତ୍ରିମ ଉପଗ୍ରହ ଏହି ପୃଥିବୀପୃଷ୍ଠ ଛାଡ଼ିବ ମହାଶୂନ୍ୟ ଉଦ୍ଦେଶ୍ୟରେ ।

 

ମେରିନାର ଏଇ କଥା କେଇ ପଦରେ ବୃଦ୍ଧଙ୍କର ଆଖି ଛଳ ଛଳ ହୋଇ ଆସିଲା । ଗୋଟିଏ ବୋଲି ପୁଅ, ତାକୁ ଜାଣିଶୁଣି ଏତେ ବଡ଼ ବିପଦମୁହଁକୁ କିପରି ଛାଡ଼ିଦେବେ, ସେଇ ତାଙ୍କର ଚିନ୍ତା । ମହାଶୂନ୍ୟ ଭିତରେ କାଳେ କିଛି ଯଦି–। ଆଉ ଭାବିପାରିଲେ ନାହିଁ । ଦୁଇଟୋପା ଉଷ୍ଣ ଅଶ୍ରୁ ତାଙ୍କ ଆଖିରୁ ଗଡ଼ିପଡ଼ିଲା ରୁକ୍ଷ ଚଟାଣ ଉପରେ ।

 

ବୃଦ୍ଧଙ୍କର ଅଶ୍ରୁ ଦେଖି ମେରିନା ଚଞ୍ଚଳ ହୋଇଉଠିଲା । ନିଜ ହୃଦୟର ଶତ ବେଦନାକୁ ଚାପିରଖି ବୃଦ୍ଧଙ୍କୁ ସାନ୍ତ୍ୱନା ଦେବା ଉଦ୍ଦେଶ୍ୟରେ କହିଲା, ‘‘ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ । ଆମେ ମହାଶୂନ୍ୟରେ ଖୁବ୍‌ ନିରାପଦରେ ପହଞ୍ଚି ଏହି ପୃଥିବୀ ଚାରିପାଖରେ ପରିଭ୍ରମଣ କରିବୁ । ଆମେ ଚାଲିଯିବାପରେ ଆପଣ ତ ଏଠାରେ କିଛିଦିନ ରହୁଛନ୍ତି । ଦୂରବୀକ୍ଷଣରେ ଦେଖିବେନି ଆମେ ପୃଥିବୀକୁ କିପରି ପ୍ରତି ନଅ ଘଣ୍ଟାରେ ଥରେ ଲେଖାଏଁ ଘୂରିଆସିବୁ । ମାନମନ୍ଦିରରେ ଯେଉଁ ଟେଲିଭିଜନ ଗୃହ, କଣ୍ଟ୍ରୋଲ ଓ ବେତାର କକ୍ଷ ପ୍ରତିଷ୍ଠା କରାଯାଇଛି, ସେଠାରୁ ଆପଣ ଆମମାନଙ୍କୁ ଦେଖିପାରିବେ ଓ ପାଖରେ ଠିଆହୋଇ କଥାବାର୍ତ୍ତା କଲାଭଳି କରି ପାରିବେ । ଆମେ କିପରି ଅଛୁ, ଆମର ସୁବିଧା ହେଉଛି କି ନାହିଁ, ଆପଣ ତ ଆମକୁ ପଚାରି ସେଠାରୁ ବୁଝିପାରିବେ । ଆଉ ଆପଣଙ୍କର ଚିନ୍ତା କ’ଣ ? ଆମେ ପୃଥିବୀରୁ ଚାଲିଯିବାର କିଛିଦିନ ଭିତରେ କୃତ୍ରିମ ଉପଗ୍ରହରୁ ପୃଥିବୀକୁ ରୀତିମତ ଯା–ଆସ କରିବା ପାଇଁ ବ୍ୟବସ୍ଥା କରାଯିବ । ଆମ ଦେଶ ଓ କୃତ୍ରିମ ଉପଗ୍ରହ ମଧ୍ୟରେ ରୀତିମତ ଯିବା–ଆସିବା ଚାଲିବ । ଆମର ଯଦି କିଛି ଅସୁବିଧା ହୁଏ କିମ୍ବା ଦେହପା କାହାରି ଖରାପ ହୁଏ, ତେବେ ଆମେ ପୁଣି ପୃଥିବୀକୁ ତ ଫେରିଆସି ପାରିବୁ । ଆପଣ ଘରେ ଥାଇ ଆମଠାକୁ ତାର କଲେ କିମ୍ବା ଆମେ ଆପଣଙ୍କଠାକୁ ତାରବର୍ତ୍ତା ପଠାଇଲେ ତାହା ସୁରୁଖୁରୁ ଭାବରେ ଆମ ଭିତରେ ଯା–ଆସ କରିପାରିବ ଏହି ମାନମନ୍ଦିର ଦେଇ । ଚିଠିପତ୍ର ଓ ଅନ୍ୟାନ୍ୟ ଜିନିଷପତ୍ର ଯା–ଆସ ପାଇଁ ମଧ୍ୟ ବନ୍ଦୋବସ୍ତ ହୋଇଯିବ ଏଥିଭିତରେ । ଆଉ ଆପଣଙ୍କର ଚିନ୍ତା କାହିଁକି ? ଆମେ କେଉଁ ଦୂର ଅଜଣା ରାଜ୍ୟକୁ ଚାଲିଯାଉଛୁଁ ବୋଲି ଆପଣ ଭାବୁଛନ୍ତି କାହିଁକି ?’’

 

କୃତ୍ରିମ ଉପଗ୍ରହ ପୃଥିବୀ ଛାଡ଼ିବାକୁ ଆଉ ଘଣ୍ଟାଏ ବାକି । ଏଥିଭିତରେ ଷାଠିଏ ଜଣଯାକ ଯାତ୍ରୀ ଯେଝା ସ୍ଥାନରେ ଯାଇ ବସିସାରିଲେଣି । କୃତ୍ରିମ ଉପଗ୍ରହଟି ଭୂପୃଷ୍ଠରୁ ପ୍ରାୟ ଦେଢ଼ଶହ ଫୁଟ ଉଚ୍ଚରେ ଥୁଆହୋଇଥାଏ ବଡ଼ ବଡ଼ ଲୌହ ଖମ୍ବ ଉପରେ । ଏହାର ଠିକ୍‌ ତଳକୁ ଅର୍ଥାତ ଉପଗ୍ରହର ଠିକ୍‌ କେନ୍ଦ୍ର ତଳେ ଥୁଆ ହୋଇଥାଏ ତିନୋଟି ବିଶାଳକାୟ ରକେଟ୍‌, ଗୋଟିକ ପରେ ଗୋଟିଏ । ସବାତଳ ରକେଟ୍‌ଟି ଭୂପୃଷ୍ଠଠାରୁ ମୋଟେ ପାଞ୍ଚଫୁଟ ଉପରେ ରହିଥାଏ । କୃତ୍ରିମ ଉପଗ୍ରହକୁ ଉଠିବାପାଇଁ ଅସ୍ଥାୟୀ ବଡ଼ ଲୌହ ସିଡ଼ି ଲାଗିଥାଏ ଭୂପୃଷ୍ଠରୁ । ମାନମନ୍ଦିରର ଯେଉଁ ପଡ଼ିଆରେ ଏହି ବିରାଟ ଉପଗ୍ରହଟି ରଖାଯାଇଥିଲା, ସେହି ପଡ଼ିଆ ଚାରିପାଖରେ କଡ଼ା ପୋଲିସ ପ୍ରହରୀ ଏହା ନିକଟକୁ କୌଣସି ବାହାରର ଲୋକ ନ ଆସିବା ପାଇଁ ଜଗି ରହିଥାନ୍ତି । କୃତ୍ରିମ ଉପଗ୍ରହଠାରୁ ଅଦୂରରେ ବହୁ ଆମନ୍ତ୍ରିତ ବ୍ୟକ୍ତି ବିଭିନ୍ନ ଆସନରେ ଉପବିଷ୍ଟ, ଏହି ବିଚିତ୍ର ଅଭିଯାନ ଦେଖିବାପାଇଁ । ମାନମନ୍ଦିର ଡିରେକ୍‌ଟର ପାଲାଭିନ୍‌ ଏଣେତେଣେ ହୋଇ ବଡ଼ କାର୍ଯ୍ୟବ୍ୟସ୍ତ ଥିଲା ଭଳି ଜଣାପଡ଼ୁଥାନ୍ତି । ଆଲେକ୍‌ଜାଣ୍ଡର ଶୃଙ୍ଗର ଏହି ବିରାଟ ଲୋକକୋଳାହଳ ଦେଖିଲେ ମନେହୁଏ ସତେ ଯେପରି ସେଠାରେ କିଛି ଗୋଟାଏ ବିରାଟ ଉତ୍ସବ ଲାଗିଛି । ଉପଗ୍ରହର ଡାଇରେକ୍‌ଟର ଆଲେସ୍କି ସେ ପର୍ଯ୍ୟନ୍ତ ଉପଗ୍ରହକୁ ଉଠି ନ ଥାନ୍ତି । ଏହାର ଯାତ୍ରୀମାନେ ନିଜ ନିଜ ସ୍ଥାନରେ ବସି ନିଜ ନିଜ ଯନ୍ତ୍ରପାତିଗୁଡ଼ିକ ଠିକ୍‌ଅଛି କି ନାହିଁ, ଶେଷଥର ପାଇଁ ଦେଖିନେବାରେ ବ୍ୟସ୍ତ ।

 

ଆଗରୁ ନିର୍ଦ୍ଦେଶ ଦିଆଯାଇଛି, ପୃଥିବୀ ଛାଡ଼ିବା ଅଧଘଣ୍ଟାଏ ପୂର୍ବରୁ ଏହାର ଅଧିବାସୀମାନେ ବକ୍ତୃତା–ଗୃହକୁ ଯାଇ ସେଠାରୁ ନିର୍ଦ୍ଦେଶ ଦିଆଯାଉଥିବା ଅନୁସାରେ ନିଜ ନିଜର ଆସନରେ ବସି ପୃଥିବୀ ଛାଡ଼ିବା ସମୟକୁ ଅପେକ୍ଷା କରି ରହିବେ । ପୃଥିବୀ ଛାଡ଼ିବା ସମୟରେ ରକେଟ୍‌ର ଭୀମ ଗର୍ଜ୍ଜନ ସଙ୍ଗେ ସଙ୍ଗେ ଶୂନ୍ୟକୁ ଉପଗ୍ରହଟି ଯେଉଁ ବିରାଟ ବେଗରେ ଧାବମାନ ହେବ, ତଦ୍ଦ୍ୱାରା ଏହାର ଅଧିବାସୀମାନଙ୍କର ଯେଉଁ ଶରୀରିକ ପୀଡ଼ା, ହୃଦ୍‌ଯନ୍ତ୍ରର ବୈତାଳିକ ସ୍ପନ୍ଦନ, ମାଂସପେଶୀର ଅସ୍ୱାଭାବିକ କୁଞ୍ଚନ ଓ ସର୍ବୋପରି ନିଃଶ୍ୱାସ–ପ୍ରଶ୍ୱାସର ଅନିୟମିତ ଯା–ଆସ ହେବ, ସେଗୁଡ଼ିକୁ ଯଥାସମ୍ଭବ କମାଇବା ପାଇ ନାନା ବୈଜ୍ଞାନିକ ଉପାୟରେ ଉପଗ୍ରହର ଏହି ବକ୍ତୃତା–ଗୃହଟିକୁ ତିଆରି କରାଯାଇଛି । ଆସନର ବିଭିନ୍ନ ଗଠନ, ଗୃହ ଭିତରେ ବାୟୁର ବିଭିନ୍ନ ଚାପ ଓ ସର୍ବୋପରି ପକ୍ଷର ଶବ୍ଦରୋଧୀ ଶକ୍ତି ସେ ଦିଗରେ ସାହାଯ୍ୟ କରିପାରିବ ବୋଲି ବୈଜ୍ଞାନିକମାନେ ଏଇ ଗୃହଟିକୁ ଯାତ୍ରା ସମୟ ପାଇଁ ନିର୍ଦ୍ଧାରିତ କରିଛନ୍ତି । ମେରିନା ଅନ୍ୟମାନଙ୍କ ଭଳି ନିଜ ଗବେଷଣାଗାର ଓ ଶୟନକକ୍ଷକୁ ଭଲ ଭାବରେ ଦେଖିନେଇ ଶୟନକକ୍ଷର ବାତାୟନ ଦେଇ ବାହାରକୁ ଚାହିଁ ରହିଥାଏ । କେତେବେଳୁଁ ଚକ୍ରବାଳର ଅସ୍ପଷ୍ଟ ରେଖାତଳେ ଅସ୍ତଗାମୀ ତପନଙ୍କର ରକ୍ତିମ ରଶ୍ମି ଉଭେଇଗଲାଣି । ଚରାଚରବ୍ୟାପୀ ଅନ୍ଧକାର କ୍ରୋଡ଼ରେ ସମୁନ୍ନତ ଗିରିଶୃଙ୍ଗସମୂହ ଲୁପ୍ତପ୍ରାୟ; ଊର୍ଦ୍ଧ୍ୱରେ ଅନନ୍ତ ବିସ୍ତୀର୍ଣ୍ଣ କୋଟି ନକ୍ଷତ୍ରଖଚିତ କୃଷ୍ଣାକାଶ–ସ୍ତବ୍‌ଧତାର ଦିଗନ୍ତବ୍ୟାପୀ ମହାସମୁଦ୍ର–ଚତୁର୍ଦ୍ଦିଗର ଶିଖରୀସମୂହରେ ଅନ୍ଧକାରର ସୀମାହୀନ ନୈଶ ନିସ୍ତବ୍‌ଧତା ପୂରିଉଠୁଥାଏ ।

 

ଉପଗ୍ରହ ତଳେ କୋଳାହଳପୂର୍ଣ୍ଣ ବିଦ୍ୟୁତ୍‌ ଆଲୋକ ଉଦ୍‌ଭାସିତ ଶତ ଶତ ଦର୍ଶକ ସେମାନଙ୍କ ଦୃଷ୍ଟି ନିବଦ୍ଧ କରିଥାଆନ୍ତି, ଏହି ସାର୍ଦ୍ଧ ଏକଶତ ଫୁଟ ଉଚ୍ଚରେ ଅବସ୍ଥିତ ବିରାଟ କୃତ୍ରିମ ଉପଗ୍ରହ ଆଡ଼େ । ବାତାୟନ ପଛରେ ଥାଇ ମେରିନା ଲକ୍ଷ୍ୟ କଲା ତଳକୁ । ଆଲେସ୍କି ନିଜ ପିତା, ଡାଇରେକ୍‌ଟର ପାଲାଭିନ୍‌, କମିଶନ୍‌ର ସଭ୍ୟ ଓ ରାଷ୍ଟ୍ରର ବଡ଼ ବଡ଼ ବୈଜ୍ଞାନିକମାନଙ୍କଠାରୁ ବିଦାୟ ନେଇ ଉପଗ୍ରହକୁ ଉଠିଲେ । ଉପଗ୍ରହ ପୃଥିବୀ ଛାଡ଼ିବାର ସମୟ ଲାଉଡ଼୍‌ସ୍ପିକର ସାହାଯ୍ୟରେ ଉପଗ୍ରହର ଅଧିବାସୀମାନଙ୍କୁ ଜଣାଇ ଦିଆଯାଉଥାଏ । ପୃଥିବୀ ଛାଡ଼ିବା ଆଉ ଅଧଘଣ୍ଟାଏ ବାକି ବୋଲି କେତେବେଳୁଁ ଜଣାଇ ଦିଆଗଲାଣି; ଅଥଚ ମେରିନାର ସେ ଆଡ଼କୁ କାନ ନାହିଁ । ସେ ନକ୍ଷତ୍ର–ହାସ୍ୟତରଙ୍ଗ ପ୍ରଭାସିତ ଗଗନକୁ ଅନାଇ ତାହାର ତରଳ ତାରକାଗୁମ୍ଫିତ ଚାକଚକ୍ୟ ଭିତରେ ନିଜକୁ ହଜାଇ ଦେଇ କେତେ କଥା ଭାବିଯାଉଥିଲା । ହଠାତ୍‌ ଲେନା କକ୍ଷ ଭିତରକୁ ପଶିଆସି କହିଲା, ‘‘ଏ କ’ଣ ମେରିନା, ତୁମେ ଯେ ଏପର୍ଯ୍ୟନ୍ତ ବକ୍ତୃତା ଗୃହକୁ ଯାଇନାହଁ ? କେତେବେଳୁଁ ପରା ଯିବାପାଇଁ ଡାକରା ଆସିଗଲାଣି ? ପୃଥିବୀ ଛାଡ଼ିବା ପାଇଁ ଆଉ କୋଡ଼ିଏ ମିନିଟ୍‌ ରହିଲା ଯେ ?’’ ଏହା କହି ମେରିନାକୁ ହଲାଇ ଦେଲା । ମେରିନାର ଚିନ୍ତାର ଖିଅ ହଠାତ୍‌ ଛିଡ଼ିଗଲା । ସେ ପ୍ରକୃତିସ୍ଥା ହୋଇ କହିଲା, ‘‘ଏଁ, ହଁ ହଁ, ଚାଲ ଯିବା ଲେନା । ମୋର ଆଉ ଡେରିନାହିଁ ।’’

 

ଦୁଇଜଣଯାକ ତରତର ହୋଇ ବକ୍ତୃତା ଗୃହ ଆଡ଼କୁ ଚାଲିଲେ । ଉପଗ୍ରହର ସୁବିସ୍ତୃତ ବାରଣ୍ଡାଦେଇ ସେମାନେ ବକ୍ତୃତା ଗୃହକୁ ପଶିଲାବେଳକୁ ଉପଗ୍ରହର ଅନ୍ୟାନ୍ୟ ଅଧିବାସୀମାନେ ଆସି ଯେଝା ସ୍ଥାନରେ ବସିଗଲେଣି । ମେରିନା ଓ ଲେନା ସଙ୍ଗେ ସଙ୍ଗେ ଆସି ପୂର୍ବରୁ ନିର୍ଦ୍ଧିଷ୍ଟ ଥିବା ଚେୟାର୍‌ରେ ବସି ନିଜ ନିଜ ଦେହକୁ ଚେୟାର ସହିତ ବାନ୍ଧିଦେଲେ । ସମସ୍ତେ ଠିକ୍‌ ଭାବରେ ବସିଚନ୍ତି କି ନାହିଁ ଦେଖିବା ପାଇଁ ଡିରେକ୍‌ଟର ଆଲେସ୍କି ଚାଲିଆସି କହିଲେ–‘‘ମୁଁ ଆପଣମାନଙ୍କୁ ଆଗରୁ କହିସାରିଛି ଯେ, ମହାଶୂନ୍ୟକୁ ଯିବା ପୂର୍ବରୁ ଆମକୁ ଯେଉଁସବୁ କଷ୍ଟପ୍ରଦ ପରସ୍ଥିତି ଭିତର ଦେଇ ଯିବାକୁ ପଡ଼ିବ, ସେଥିମଧ୍ୟରୁ ଏହି ପର୍ଯ୍ୟାୟଟି ସବୁଠାରୁ ଅଧିକ କଷ୍ଟକର । ଆମକୁ ବର୍ତ୍ତମାନ ଅଗ୍ନିପରୀକ୍ଷାର ସମ୍ମୁଖୀନ ହେବାକୁ ପଡ଼ିବ । ଏତକ ସମୟ ଭିତରେ ଆମକୁ ଯେଉଁ କଷ୍ଟ ହେବ, ତାହା ଆମ ଜୀବନର ଏକ ବଡ଼ ଘଟଣା ଓ ଅଭିଜ୍ଞତା ହୋଇ ରହିବ । ଆମେରିକା ଓ ଇଂଲଣ୍ଡ ପ୍ରଭୃତି ଦେଶରେ ଏହି ପରୀକ୍ଷା ହେଲାବେଳେ ଯେଉଁସବୁ ଅସୁବିଧା ଓ କଷ୍ଟହୁଏ, ତା’ ଏଠାରେ ହେବନି ବୋଲି ଆମର ଆଶା । ସେଥିନିମିତ୍ତ ବହୁ ବୈଜ୍ଞାନିକ–ଆବିଷ୍କାରକୁ କାର୍ଯ୍ୟରେ ଲଗାଇ ଆମେ ଏହି ବକ୍ତୃତା କକ୍ଷରେ ନାନା ବୈଜ୍ଞାନିକ ସୁବିଧା ଖଞ୍ଜିଛୁ । ତେବେ ବିନା କଷ୍ଟରେ ଯେ ଆମେ ଆକାଶମଣ୍ଡଳକୁ ପାରହୋଇଯିବା, ତା ମଧ୍ୟ ଭାବିବା ଉଚିତ ନୁହେଁ । ମୋର ଆଶା, ଆପଣମାନେ ହତାଶ ନ ହୋଇ ଯଥେଷ୍ଟ ଧୈର୍ଯ୍ୟସହକାରେ ଏହି କଷ୍ଟର ସମ୍ମୁଖୀନ ହେବାକୁ ଚେଷ୍ଟା କରିବେ ।’’

 

ଆଲେସ୍କି କହିସାରି କଣ୍ଟ୍ରୋଲ୍‌ରୁମ୍‌କୁ ଫେରିଯାଉଥିଲେ, ହଠାତ୍‌ ବୁଲିପଡ଼ିଲାବେଳକୁ ଦୃଷ୍ଟି ପଡ଼ିଲା ମେରିନା ଉପରେ । ତାହାକୁ ନିଶ୍ଚେଷ୍ଟ ଓ ନିଷ୍ପ୍ରଭ ଭାବରେ ବସିଥିବାର ଦେଖି କହିଲେ, ‘‘ଏତେବେଳୁଁ ତ୍ରସ୍ତ ହେଲେ ଚଳିବନି ମେରିନା ! ପୃଥିବୀର କୌଣସି ଦେଶ ଏପର୍ଯ୍ୟନ୍ତ ଯାହା କରିବାକୁ ସମର୍ଥ ହୋଇନାହାନ୍ତି, ଆମେ ତାହା କାର୍ଯ୍ୟରେ ପରିଣତ କରିବାକୁ ଯାଉଥିବାରୁ ଆମର ଗର୍ବ ଅନୁଭବ କରିବା କଥା । ତେଣୁ ଏପରି ପରିସ୍ଥିତିରେ ତୁମେ ଉତ୍ସାହର ସହିତ ବିପଦ ଓ କଷ୍ଟକୁ ଅପେକ୍ଷା କରିବା ଉଚିତ ।’’ ପାଖରେ ବସିଥିବା ଲେନା ଆଡ଼କୁ ଅନାଇ କହିଲେ, ‘ଜୀବନରେ ଏକ ଅପୂର୍ବ ଅଭିଜ୍ଞତା ଅର୍ଜ୍ଜନ କର ଲେନା ! ଧୈର୍ଯ୍ୟଚ୍ୟୂତ ହେବନି କେବେ । ମୁଁ ଯାଉଚି; ପରେ ପୁଣି ଆସିବି । ମେରିନା ପ୍ରତି ଟିକିଏ ଦୃଷ୍ଟି ରଖିଥିବ ।’’

 

ଆଲେସ୍କି ବକ୍ତୃତା ଗୃହରୁ ବାହାରିଯାଇଛନ୍ତି କି ନାହିଁ କଣ୍ଟ୍ରୋଲ ରୁମ୍‌ରୁ ପ୍ରତିଧ୍ୱନିତ ହେଲା–ପୃଥିବୀ ଛାଡ଼ିବାର ଆଉ ପନ୍ଦର ମିନିଟ ବାକି । ପୃଥିବୀ ଛାଡ଼ିବା ସମୟ ଯେତେ ପାଖେଇ ଆସୁଥାଏ, ଉପଗ୍ରହ ତଳର କୋଳାହଳ ଠିକ୍‌ ସେତିକି କମିଆସିଲା ଭଳି ଜଣାପଡ଼ୁଥାଏ । ଉପଗ୍ରହ–ଯାନ୍ତ୍ରୀମାନଙ୍କ ହୃଦୟ ଏକପ୍ରକାର ଅଜଣା ଓ ଭୟମିଶା ଆଶଙ୍କାରେ ସେତିକି ଉଦ୍‌ବେଳିତ ହେଉଥାଏ । ବକ୍ତୃତା କକ୍ଷର ନିସ୍ତବ୍‌ଧତା ଆହୁରି ଭୟଭୀତ କରାଉଥାଏ ଏହାର ଯାତ୍ରୀମାନଙ୍କୁ ।

 

ପୃଥିବୀ ଛାଡ଼ିବାକୁ ପ୍ରାୟ ଦଶମିନିଟ୍‌ ବାକି । ମେରିନା ବଡ଼ ଅସ୍ୱସ୍ତି ବୋଧକଲା; ଏପରିକି ହଠାତ୍‌ ତା’ର ବାନ୍ତି କରିବାକୁ ଇଚ୍ଛା ହେଲା । ଅତ୍ୟଧିକ ସ୍ନାୟୁ–ଦୁର୍ବଳତା ଓ ମାନସିକ ଅବସାଦ ଆଶଙ୍କାରୁ ତା’କୁ ଏପରି ବୋଧ ହେଉଥାଏ । ବନ୍ଧା ହୋଇଥିବା ଅବସ୍ଥାରେ ଯେ ଏପଟ ସେପଟ ହୋଇ ଧୀରେ ଧୀରେ; ଲେନା ଆଡ଼କୁ ହାତ ବଢ଼ାଇ ଡାକିବାକୁ ଚେଷ୍ଟାକଲା । ଲେନା ମେରିନାର ଏଭଳି ଅବସ୍ଥା ଦେଖି ପକେଟରୁ ଗୋଟିଏ ଔଷଧ ବଟିକା ବାହାର କରି ମେରିନାକୁ ଖାଇବା ପାଇଁ ଦେଲା, ବାନ୍ତି ବନ୍ଦ ହେବା ଉଦ୍ଦେଶ୍ୟରେ । କିନ୍ତୁ ପରମୁହୂର୍ତ୍ତରେ ସେହି ବଟିକା ଖାଇବାଦ୍ୱାରା ବାନ୍ତିଉଠା ପୁଣି ପ୍ରବଳ ହେବାରୁ ସେ ନିଜକୁ ସମ୍ଭାଳି ନ ପାରି ଲେନାକୁ ଡାକିଲା । ଠିକ୍‌ ଏହି ସମୟରେ କଣ୍ଟ୍ରୋଲରୁମ୍‌ରୁ ପ୍ରତିଧ୍ୱନିତ ହେଲା, ‘‘ପୃଥିବୀ ଛାଡ଼ିବା ଆଉ ପାଞ୍ଚ ମିନିଟ୍‌ ବାକି-।’’ ସମ୍ମୁଖସ୍ଥ କାନ୍ଥ ଘଣ୍ଟାକୁ ଅନାଇ ଲେନା ଦେଖିଲା ଯେ ମେରିନାକୁ ଶୁଆଇ ନ ପକାଇଲେ ତାର ଅବସ୍ଥା ଆହୁରି ସାଙ୍ଘାତିକ ହୋଇଉଠିବ । ଏହାଭାବି ସେ ଆଉ ଗୋଟିଏ ବଟିକା ବାହାର କରି ମେରିନାକୁ ଖାଇବାକୁ ଦେଲା । ବାନ୍ତିର ପ୍ରବଳ ବେଗକୁ ରୋକିବା ପାଇଁ ପ୍ରାଣାତୁରରେ ବଟିକାକୁ ଖାଇଦେଇ ସେ ନିଜ ଜାଗାରେ ପଡ଼ିରହିଲା । ଚାହୁଁ ଚାହୁଁ ଆଖି ତାର ବୁଜି ହୋଇ ଆସିଲା-। ଧୀରେ ଧୀରେ ସେ ଚେୟାର ଉପରେ ଢଳିପଡ଼ିଲା । ମେରିନାକୁ ଅଚେତ ହୋଇ ପଡ଼ିବାର ଦେଖି ତା’ର ମୁହଁ ପାଖରେ ଝୁଲୁଥିବା ଅମ୍ଳଜାନ ମୁଖାଟିକୁ ତା’ ମୁହଁ ଉପରେ ଘୋଡ଼ାଇ ଦେଇ ଓ ହାତ ଗୋଡ଼ ଯଥାସ୍ଥାନରେ ଥୋଇ ଲେନା ନିଜ ସ୍ଥାନରେ ବସିରହିଲା ।

 

ଏହି ସମୟରେ କଣ୍ଟ୍ରୋଲ ରୁମ୍‌ରୁ ଶୁଭିଲା, ‘‘ଆଉ ୫୦ ସେକେଣ୍ଡ ବାକି ।’’ ଲେନା ଲକ୍ଷ୍ୟ କଲା, ତାର ସମ୍ମୁଖସ୍ଥ କାନ୍ଥଘଣ୍ଟାର କେନ୍ଦ୍ର ସେକେଣ୍ଡ କଣ୍ଟା କ୍ଷିପ୍ରଗତିରେ ଦୌଡ଼ିଚାଲିଚି; ସତେ ଯେପରି ଏହି ୫୦ ସେକେଣ୍ଡ ସମୟ ଆଖିପିଛୁଳାକେ ଶେଷ ହୋଇଯିବ । ଏକ ଆଶୁ ଭୟର ଆଶଙ୍କାରେ ବକ୍ତୃତା କକ୍ଷର ସଭ୍ୟମାନେ ମ୍ରିୟମାଣ ହୋଇପଡ଼ଥାନ୍ତି । ଲେନା ଅନ୍ୟ ଆଡ଼କୁ ନ ଅନାଇ ଏକଲୟରେ ଅନାଇ ରହିଥାଏ, ସେହି ବେଗଗାମୀ ସେକେଣ୍ଡ କଣ୍ଟାଆଡ଼େ । ମନେ ହେଉଥାଏ, ସେକେଣ୍ଡ କଣ୍ଟାର ଗତି ଯେପରି ବେଳକୁ ବେଳ ପ୍ରବଳତର ହେଉଛି । ଲେନାର ହୃଦୟର ସ୍ପନ୍ଦନ ମଧ୍ୟ ପ୍ରବଳ ହୋଇଉଠିଥାଏ । ଏହି ସମୟରେ ଲାଉଡ଼୍‌ସ୍ପିକର୍‌ରେ ଶୁଭିଲା, ‘‘ମାତ୍ର ଦଶ ସେକେଣ୍ଡ ବାକି ।’’ କିଛି ସମୟ ପାଇଁ ପୁଣି ସେହି ନିର୍ଜୀବ ଲାଉଡ଼୍‌ସ୍ପିକର୍‌ନୀରବ ହୋଇଗଲା । ଠିକ୍‌ ପରମୁହୂର୍ତ୍ତରେ ଶୁଭିଲା, ‘‘ପାଞ୍ଚ ସେକେଣ୍ଡ, ଚାରି ସେକେଣ୍ଡ, ତିନି ସେକେଣ୍ଡ, ଦୁଇ ସେକେଣ୍ଡ, ଏକ ସେକେଣ୍ଡ, ଜିରୋ ସେକେଣ୍ଡ ।’’

 

ସଙ୍ଗେ ସଙ୍ଗେ ମେଦିନୀକୁ ପ୍ରକମ୍ପିତ କରି ତଳ ରକେଟ୍‌ରେ ହେଲା ବିରାଟ ବିସ୍ଫୋରଣ । ଆୟତ୍ତାଧୀନ ବିସ୍ଫୋରଣର ଘୋର ଘର୍ଘର ଶବ୍ଦରେ ସାରା ଉପଗ୍ରହଟି କମ୍ପିବାକୁ ଆରମ୍ଭ କଲା; ସତେ ଯେପରି ପ୍ରବଳ ଭୂମିକମ୍ପର ପୂର୍ବାଭାସ । ବିସ୍ପୋରଣର ଠିକ୍‌ ପରମୁହୂର୍ତ୍ତରେ କୃତ୍ରିମ ଉପଗ୍ରହ ଅନ୍ୟ ଦୁଇଟି ରକେଟ୍‌କୁ ଧରି ଭୀମ ବେଗରେ ଆକାଶକୁ ଉଠିବାକୁ ଲାଗିଲା । ଗଲାବେଳେ ହଠାତ୍‌ ଶୂନ୍ୟ ବେଗରୁ ଘଣ୍ଟାକୁ ହଜାର ହଜାର ମାଇଲ ବେଗରେ ଗତିକଲାରୁ ଯାନ୍ତ୍ରୀମାନେ ଶରୀର ଉପରେ ଏକପ୍ରକାର ପ୍ରବଳ ଯନ୍ତ୍ରଣା ଅନୁଭବ କରିବାକୁ ଲାଗିଲେ । ବକ୍ତୃତା କକ୍ଷରେ ଆଗରୁ ବିଭିନ୍ନ ବନ୍ଦୋବସ୍ତ କରାଯାଇଥିଲେ ମଧ୍ୟ ଯାନ୍ତ୍ରୀମାନେ ଏହି ଭୀଷଣ ବେଗ ହେତୁ କମ୍ପିବାକୁ ଆରମ୍ଭ କଲେ । ଏକ ପ୍ରକାର ଅସ୍ୱାଭାବିକ ଶିହରଣ ସଙ୍ଗେ ସଙ୍ଗେ ଶରୀର ଉପରେ ବିରାଟ ଚାପା ରହିଲା ଭଳି ସେମାନଙ୍କୁ ଲାଗିଲା; ସତେ ଯେପରି ସେମାନଙ୍କ ଶରୀର ଉପରେ ଏକ ଭାରୀ ପଥର ଲଦା ହୋଇଛି ଓ ଏହି ଭାରୀ ପଦାର୍ଥକୁ ସେମାନେ ସମ୍ଭାଳି ନପାରି ଅଣନିଶ୍ୱାସୀ ହୋଇପଡ଼ୁଛନ୍ତି । ଅସ୍ୱାଭାବିକ ଶ୍ୱାସରୁଦ୍ଧ ହେତୁ ମୁହଁଗୁଡ଼ାକ ବିକ୍ତୃତ ହୋଇ ଆଖିଡୋଳା ଉପରକୁ ଉଠିଗଲା ଭଳି ଦିଶୁଥାଏ । ଶ୍ୱାସରୁଦ୍ଧ ହୋଇ ଜଣାପଡ଼ୁଥାଏ ସତେ ଯେପରି ହୃଦ୍‌ଯନ୍ତ୍ର ଓ ଫୁସ୍‌ଫୁସ୍‌ର କ୍ରିୟା ବନ୍ଦ ହୋଇ ପ୍ରାଣବାୟୁ ସଙ୍ଗେ ସଙ୍ଗେ ବାହାରିଯିବ । ସଭ୍ୟମାନଙ୍କୁ ଯେତେ କଷ୍ଟ ହେଉଥିଲେ ମଧ୍ୟ ପୂର୍ବ ନିର୍ଦ୍ଦେଶ ଅନୁଯାୟୀ ସେମାନେ ନିଶ୍ଚେଷ୍ଟ ହୋଇ ପଡ଼ିରହିଥାନ୍ତି ।

 

ଏହି ଅତ୍ୟଧିକ କଷ୍ଟ ସହି ନପାରି କେତେକଙ୍କ ମୁହଁରୁ ଗରଳ ଓ ଆଖିରୁ ଲୋତକଧାରା ବହିଆସିଲା । କେତେକଙ୍କ ପାଟିରୁ ଝଲକା ଝଲକା ରକ୍ତ ବାହାରି ନିଜ ନିଜ ପୋଷାକପତ୍ରକୁ ରକ୍ତରେ ଭିଜାଇ ଦେଲା । ଲେନା ଏହି ଅଭିଯାନ ସମ୍ୱନ୍ଧରେ ଯେତେ ସାବଧାନ ହୋଇଥିଲେ ମଧ୍ୟ ଯନ୍ତ୍ରଣା ସହ୍ୟ କରି ନପାରି ଅନ୍ୟମାନଙ୍କ ଭଳି ଗଁ ଗଁ ହୋଇ ଉଠିଲା । ତା ପାଟିରୁ ଝଲକାଏ ରକ୍ତ ବାହାରି ପଡ଼ି ତା’ର ଛାତି ଉପରର ସେମିଜକୁ ଭିଜାଇ ପକାଇଲା । ଯଦି କେହି ଏହି ମୃତ୍ୟୁ–ଯନ୍ତ୍ରଣାରୁ ରକ୍ଷା ପାଇଥାଏ, ତେବେ ସେ ହେଉଛି କେବଳ ମେରିନା । ଅମ୍ଳଜାନମୁଖା ଭିତରେ ସେ ନିଶ୍ଚିନ୍ତରେ ଅଚେତ ହୋଇ ପଡ଼ିଥାଏ; ସତେ ଯେପରି ନିଦ୍ରାଦେବୀଙ୍କ ଶାନ୍ତିଦାୟିନୀ କ୍ରୋଡ଼ ପଲଙ୍କରେ ସେ ଆବଦ୍ଧା । ଏହିଭଳି କଷ୍ଟ ଭିତରେ କିଛି ସମୟ ପଡ଼ିରହିବା ପରେ ହଠାତ୍‌ ଶୁଣାଗଲା–

 

‘‘ଆମେମାନେ ବର୍ତ୍ତମାନ ପୃଥିବୀର ବାୟୁମଣ୍ଡଳ ଛାଡ଼ି ମହାଶୂନ୍ୟ ଭିତରକୁ ପଶି ଚାଲିଛୁଁ-। ଆଉ ପ୍ରାୟ ୪୦ ମିନିଟ୍‌ପରେ ମହାଶୂନ୍ୟ ଭିତରେ ଆମର ଲକ୍ଷ୍ୟସ୍ଥଳରେ ପହଞ୍ଚିପାରିବୁଁ । ଆମର ତୃତୀୟ ରକେଟ୍‌ ଇତିମଧ୍ୟରେ ବିସ୍ଫୋରିତ ହୋଇଯାଇଛି । ଆଉ ପ୍ରାୟ ଚାରି ମିନିଟ୍‌ପରେ ଆମର ଏହି କଷ୍ଟ ଧୀରେ ଧୀରେ ଉଭେଇଯିବ ।’’

 

ଏଇ କଥା କେଇପଦ କହୁଥିଲାବେଳେ କଣ୍ଟ୍ରୋଲ ରୁମ୍‌ର ପ୍ରଚାରକ ମଧ୍ୟ ନିଜେ ଯନ୍ତ୍ରଣାରେ ଅଭିଭୂତ ହେଲାଭଳି ଜଣାପଡ଼ୁଥାନ୍ତି । ସ୍ୱରର କର୍କଶତାରୁ ସେ ନିଜ ଉପରେ ଏକ ବିରାଟ ଚାପା ଅନୁଭବ କରୁଥିଲାପରି ବୋଧ ହେଉଥାଏ । ବେଳେବେଳେ କଣ୍ଟ୍ରୋଲ ରୁମ୍‌ରୁ ଗଁ ଗଁ ଶବ୍ଦ ମଧ୍ୟ ଏହି ବକ୍ତୃତା କକ୍ଷରେ ଶୁଣାଯାଉଥାଏ ଲାଉଡ଼୍‌ସ୍ପିକର୍‌ ଦେଇ ।

 

‘‘କ’ଣ ହେଲା ଲେନା, କିପରି ଅଛ ତମେ ? ଅଭିଯାନଟି ବଡ଼ କଷ୍ଟ ଦେଇଥିବ ତୁମକୁ ’’ କହୁ କହୁ ବକ୍ତୃତା କକ୍ଷ ଭିତରକୁ ପଶିଆସିଲେ ଡିରେକ୍‌ଟର ଆଲେସ୍କି । ମୁହଁରେ ତାଙ୍କର କୃତକାର୍ଯ୍ୟତାର ଏକ ଦପଭରା ହସ । ଅଭିଯାନଟିର ଆଶାତୀତ ଭାବରେ କୃତକାର୍ଯ୍ୟତା ତାଙ୍କର ଆନନ୍ଦର ମାତ୍ରା ଶତଗୁଣ ବଢ଼ାଇ ଦେଇଥାଏ । ଲେନା ନିକଟକୁ ପାଖେଇ ଆସି କହିଲେ, ‘‘ଆ, ତୁମ ଛାତି ଉପରେ ଯେ ରକ୍ତ ? କଷ୍ଟ ସମ୍ଭାଳି ପାରିଲନି ବୋଧହୁଏ ।’’

 

ଆଲେସ୍କି ଲେନାର ଚେୟାର ଉପରେ ଝୁଙ୍କି ପଡ଼ି ତାର ଛାତି ଉପରର ରକ୍ତଛାପକୁ ଲକ୍ଷ୍ୟ କରୁ କରୁ କହିଲେ, ‘‘ତୁମକୁ କ’ଣ ଏପର୍ଯ୍ୟନ୍ତ ଦୁର୍ବଳ ଲାଗୁଛି ଲେନା ?’’ ଲେନାର ମୁଣ୍ଡ ହାତ ବୁଲାଇଆଣି ପଚାରିଲେ, ‘‘ଅନ୍ୟମାନେ ସେମାନଙ୍କ କକ୍ଷକୁ କେତେବେଳୁ ଚାଲିଗଲେଣି । ତୁମେ ଯାଇ ନାହଁ ?’’

 

ଆଲେସ୍କିଙ୍କ ମୁହଁକୁ ଅନାଇ ଲେନା ହସିପକାଇଲା ଏକ ଶୁଷ୍କ ହସ । କିନ୍ତୁ କେଜାଣି କାହିଁକି ସେହି ଶୁଷ୍କ ହସରେ ତାର ମୁଖମଣ୍ଡଳ ଦିଶୁଥିଲା ଦ୍ୱିଗୁଣ ସୁନ୍ଦର ଓ ମନମତାଣିଆ । ଛାତି ଉପରର ରକ୍ତର ଛାପ, ପଲକହୀନ ନେତ୍ରରେ ତାର ଦୀପ୍ତିହୀନ ଦୃଷ୍ଟି, ରାଗବିହୀନ ଓଠରେ ତାର ଦୁର୍ବଳତାର ଆବେଶ ଆଲେସ୍କିଙ୍କ ଚକ୍ଷୁରେ ଦିଶୁଥିଲା ଅତୀବ ସୁନ୍ଦର । ସେ ତା’ର ଶୁଷ୍କ ଓଠରେ ଦରବିକଶିତ ହାସ୍ୟରେଖାକୁ ଖେଳାଇ ଉତ୍ତର ଦେଲା, ‘‘ମୋତେ ବିଶେଷ ଦୁର୍ବଳ ଲାଗୁନି ଆଲେସ୍କି-! ତେବେ ମୁଁ ଏଠାରୁ ଯାଇପାରୁନି କେବଳ ତୁମର ଏହି କୋମଳାଙ୍ଗୀ ବନ୍ଧୁଟି ପାଇଁ । ଅଭିଯାନ ଆରମ୍ଭର କଷ୍ଟ କାଳେ ଏହି ସୁକୁମାରୀ ଝିଅଟି ସମ୍ଭାଳି ପାରିବନି, ସେଥିପାଇଁ ମୁଁ ପରା ତା’କୁ ଶୁଆଇ ଦେଇଛି ଅମ୍ଳଜାନର ସେହି ମୁଖା ଭିତରେ ।’’

 

‘‘ଆଃ, ବିଚାରୀଟି କେତେ ବଡ଼ ଅଭିଜ୍ଞତାରୁ ବଞ୍ଚିତ ହେଲା ସତେ ? ଖାଲି ନିଜ ଦୁର୍ବଳତା ପାଇଁ ସିନା । ହେଉ ବିଚାରୀକି ଉଠାଅ ଏଥର’’–ଏହା କହି ଆଲେସ୍କି ନିଜେ ଯାଇ ମେରିନା ମୁହଁରୁ ଅମ୍ଳଜାନମୁଖାଟି ବାହାର କରି ପକାଇଲେ । ଆଖିପତା ଦୁଇଟିକୁ ଅଳ୍ପ ଅଳ୍ପ ଖୋଲି ଦେଖିଲେ ଯେ ମେରିନା ବେଶ୍‌ ନିଶ୍ଚିନ୍ତ ନିଦରେ ଶୋଇଛି । ହୃଦ୍‌ଯନ୍ତ୍ର କି ଫୁସ୍‌ଫୁସ୍‌ କୌଣସି ଖରାପ ହୋଇନି । ଶ୍ୱାସକ୍ରିୟା ବେଶ୍‌ ସାଧାରଣ ଭାବରେ ଚାଳିଛି । ମେରିନାର ସେହି ନିଦ୍ରିତ ଅବସ୍ଥାର ଶାନ୍ତ ମୁଖମଣ୍ଡଳକୁ ଅନାଇଲେ ମନେ ହେବ, ସତେ ଯେପରି ବୃନ୍ତଚ୍ୟୂତ ସଜ ଫୁଲଟିଏ ଅବିକୃତ ଅବସ୍ଥାରେ ପଡ଼ିରହିଛି ସେଠାରେ । ସେହି କୁସୁମ କୋମଳ ସୁଠାମ ଶରୀରରୁ ଉଦ୍ଦାମ ଯୌବନର ଅସରନ୍ତି ଲହରୀମାଳା ବାହାରି ଲେନାର ସୌନ୍ଦର୍ଯ୍ୟ ବେଳାଭୂମିରେ ପିଟିହୋଇ ଲେନାକୁ କରୁଥିଲା ନିଷ୍ପ୍ରଭ ।

 

‘‘ଆଉ ଡେରି କାହିଁକି ଲେନା ? ଉଠାଇବା ଏଥର ।’’–ଏହା କହି ଆଲେସ୍କି ମେରିନାକୁ ଏପଟ ସେପଟ ହଲାଇଦେଲାରୁ ମେରିନା ଧୀରେ ଧୀରେ ଆଖି ମେଲିଲା । ପାଖରେ ଆଲେସ୍କିଙ୍କୁ ଠିଆ ହୋଇଥିବାର ଦେଖି ହଠାତ୍‌ ଉଠି ବସିଲା । ମୁହଁରେ ତା’ର ବିସ୍ମୟର ଚିହ୍ନ । ପାଖରେ ଲେନାକୁ ମଧ୍ୟ ଠିଆ ହୋଇଥିବାର ଦେଖି କହିଲା, ‘‘ଏଁ, ଏପର୍ଯ୍ୟନ୍ତ କ’ଣ ଆମ କୃତ୍ରିମ ଉପଗ୍ରହ ପୃଥିବୀ ଛାଡ଼ିନି ? ମୁଁ ଟିକିଏ ଶୋଇ ପଡ଼ିଲି ଯେ ।’’ ସେ ଲେନା ଆଡ଼କୁ ଅନାଇ ଚିତ୍କାର କରି ଉଠିଲା, ‘ଏଁ , ତୁମ ଛାତି ଉପରେ ଯେ ରକ୍ତ ? କ’ଣ ହେଲା ତୁମର ? ଛାତି ଉପରକୁ ରକ୍ତ ଆସିଲା କେଉଁଠୁ ?’’ ଏହା କହି ମେରିନା ଲେନାର ସେହି ରକ୍ତରଞ୍ଜିତ ଛାତି ଉପରେ ହାତ ବୁଲାଇ ଆଣି କହିଲା, ‘‘ଏଁ , ଏହା ଯେ ଏପର୍ଯ୍ୟନ୍ତ ଓଦା ଅଛି । ତେବେ ବର୍ତ୍ତମାନ କ’ଣ–?’’

 

ମେରିନାକୁ ଏଭଳି ଉତ୍‌କଣ୍ଠିତ ହେବାର ଦେଖି, ମୁଣ୍ଡ ହଲାଇ ଲେନା ଉତ୍ତର ଦେବାକୁ ଚେଷ୍ଟା କଲା–‘‘ହଁ, ମେରିନା, ବର୍ତ୍ତମାନ ଭିଜିଯାଇଛି ।’’

 

ଲେନାର ଉତ୍ତରରେ ମେରିନା ଆହୁରି ଆଶ୍ଚର୍ଯ୍ୟ ହୋଇ ଅନାଇ ରହିଲା । ଏତିକିବେଳେ ଝରକା ଦେଇ ସୂର୍ଯ୍ୟଙ୍କର କିରଣ ବକ୍ତୃତା କକ୍ଷ ଭିତରେ ବିଞ୍ଛାଡ଼ି ହୋଇ ପଡ଼ିଲା, ମଧ୍ୟାହ୍ନ କାଳର ତୀକ୍ଷ୍‌ଣ ସୂର୍ଯ୍ୟକିରଣ ଭଳି କକ୍ଷ ଭିତରେ । ସୂର୍ଯ୍ୟକିରଣ ଦେଖି ମେରିନା ବିସ୍ମୟରେ ଚମକି ଉଠି ପଚାରିଲା, ହଠାତ୍‌ ସକାଳ ହେଲା କିପରି ? ଘଣ୍ଟାଏ ତଳେ ପରା ସନ୍ଧ୍ୟା ହୋଇଥିଲା-?’’ ଏତକ କହି ମେରିନା ଦୌଡ଼ିଗଲା ଝରକା ପାଖକୁ ଆକାଶର ସୂର୍ଯ୍ୟଦେବଙ୍କୁ ଦେଖିବାପାଇଁ-। ସେଠାରେ ସେ ଚିତ୍କାର କରି ଉଠିଲା, ‘‘ଦିନରେ କ’ଣ ତାରାଗୁଡ଼ାକ ଜଳଜଳ ଦିଶୁଛନ୍ତି ? ଆକାଶ ପୁଣି ଏତେ କଳା ଦିଶୁଛି କାହିଁକି ଲେନା ?’’

 

ମେରିନାର ପଛେ ପଛେ ଆଲେସ୍କି ଓ ଲେନା ଚାଲିଲେ ଝରକା ପାଖକୁ । ଝରକା ଦେଇ ସୂର୍ଯ୍ୟଙ୍କର ପ୍ରଖର କିରଣ କକ୍ଷ ଭିତରର ଚଟାଣ ଉପରେ ବିଞ୍ଛାଡ଼ି ହୋଇ ପଡ଼ିଥାଏ । ମେରିନା ପାଖକୁ ଆହୁରି ଟିକିଏ ପାଖେଇ ଯାଇ ଆଲେସ୍କି କହିଲେ, ‘‘ତୁମେ କ’ଣ ଜାଣିପାରୁନ ମେରିନା ତୁମେ ବର୍ତ୍ତମାନ କେଉଁଠାରେ ?’’

 

ମେରିନା କିଛି ବୁଝି ନ ପାରି ଆଲେସ୍କିଙ୍କ ମୁହଁକୁ ବଲବଲ କରି ଅନାଇ ରହିଲା ।

 

‘‘ତୁମେ କ’ଣ ଦେଖିପାରୁନ ଯେ ଆମେ ବର୍ତ୍ତମାନ ଆସି ମହାଶୂନ୍ୟ ଭିତରେ । ତୁମେ ଯେଉଁ କୃଷ୍ଣାକାଶ ଦେଖୁଛ, ଏହା ଆକାଶ ନୁହେଁ, ମହାଶୂନ୍ୟ ।’’

 

‘‘ତା’ ହେଲେ ଆମେ କ’ଣ ପୃଥିବୀ ଛାଡ଼ି ସାରିଲେଣି ? କାହିଁ , ମୁଁ ତ ଜାଣିପାରିଲିନି କିଛି ! ତୁମେ ପରା କହୁଥିଲ ଯେ, ପୃଥିବୀ ଛାଡ଼ିଲାବେଳେ ବିରାଟ ଶବ୍ଦ ହେବ, ଶବ୍ଦରେ କାନ ଅତଡ଼ା ପଡ଼ିଯିବ, ଶ୍ୱାସରୁଦ୍ଧ ହୋଇଯିବ, ନିଜ ଉପରେ ବଡ଼ ପଥର ଲଦା ହେଲାଭଳି କଷ୍ଟ ହେବ । କାହିଁ, ମୋର ତ କିଛି ହେଲାନି ?’’

 

‘‘ତୁମର ନ ହେଲେ କ’ଣ ହେଲା, ଏଇ ଦେଖୁନ ଲେନାର ସେମିଜ କିପରି ରକ୍ତରେ ଭିଜିଯାଇଛି ।’’

 

ଲେନାର ଛାତି ଆଡ଼କୁ ଆଉ ଥରେ ଅନାଇ ମେରିନାର ଦେହ ଶୀତେଇ ଉଠିଲା । ସେ ପୁଣି ଉତ୍‌କଣ୍ଠିତ ହୋଇ ପଚାରିଲା, ‘‘ଏଠାରେ ରକ୍ତ ଆସିଲା କେଉଁଠୁ ଲେନା ?’’

 

ଏହି ସମୟରେ କଣ୍ଟ୍ରୋଲ ରୁମ୍‌ର ସହକାରୀ ଇଞ୍ଜିନିୟର ଆସି ଆଲେସ୍କିଙ୍କୁ ଖବର ଦେଲେ ଯେ କୃତ୍ରିମ ଉପଗ୍ରହ ପୃଥିବୀକୁ ପ୍ରଦକ୍ଷିଣ କରିବାକୁ ଆରମ୍ଭ କଲାଣି । କଣ୍ଟ୍ରୋଲ୍‌ରୁମ୍‌ର ପରିଚାଳକ ଆଲେସ୍କିଙ୍କୁ ଡାକୁଛନ୍ତି । କଣ୍ଟ୍ରୋଲ୍‌ରୁମ୍‌ର ସହକାରୀଙ୍କୁ ଦେଖି ମେରିନାର ଦେହ ମଧ୍ୟ ଶୀତେଇ ଉଠିଲା । ତାଙ୍କ ଦେହ ଉପର ଜମା ଯେ ଖାଲି ରକ୍ତରେ ଭିଜି ଯାଇଥିଲା ତା ନୁହେଁ, ପାଟିରୁ ବାହାରିଥିବା ରକ୍ତ, ଓଠ ଓ ତଳପାଟିରେ ସେପର୍ଯ୍ୟନ୍ତ ଲାଗିରହିଥିଲା ।

 

‘‘ହେଉ ଲେନା, ତୁମେ ମେରିନାକୁ ନେଇ କୋଠରିକୁ ଯାଅ, ମୁଁ କଣ୍ଟ୍ରୋଲ୍ ରୁମ୍‌ରୁ ଆସୁଛି । ଆମ ଉପଗ୍ରହ ବର୍ତ୍ତମାନ ପୃଥିବୀଠାରୁ ଦୂରେଇଯିବା ପରିବର୍ତ୍ତରେ ପୃଥିବୀକୁ ପ୍ରଦକ୍ଷିଣ କରିବାକୁ ଆରମ୍ଭ କଲାଣି । ଆମ ଉପଗ୍ରହର ବର୍ତ୍ତମାନ ପୃଥିବୀଠାରୁ ଦୂରତା ହେଉଛି କେତେ ଜାଣ-? ଅଠର ହଜାର ମାଇଲ ?’’

 

‘‘ଅଠର ହଜାର ମାଇଲ !’’ ଚମକିପଡ଼ିଲା ମେରିନା ।

 

‘‘ଏପରି ଚମକିପଡ଼ୁଛ ଯେ ମେରିନା ? ଦୁଧଖିଆ ପିଲାଙ୍କ ଭଳି ତ ଆସିଲାବେଳେ ଶୋଇ ଶୋଇ ଆସିଲ । ମହାଶୂନ୍ୟକୁ ଆସିବାକୁ ହେଲେ କି କଷ୍ଟ ସହିବାକୁ ହୁଏ ତା’ ଟିକିଏ ଜାଣିପାରିଲନି । ଏଠି ଜଣେ ବୈଜ୍ଞାନିକ ଭଳି କାମ କରିବ ନା ତୁମକୁ ଚାମଚରେ ଦୁଧ ପିଆଇବା ପାଇଁ ଜଣେ ପୁଆତୀର ଦରକାର ପଡ଼ିବ ?’’ ଲେନା ହସି ହସି କହିଲା ।

 

‘‘ବାଃ ମୁଁ କ’ଣ ଆପେ ଆପେ ଶୋଇପଡ଼ିଲି କି ?’’ ବଡ଼ ଲଜ୍ଜିତା ହୋଇ କହିଲା ମେରିନା, ‘ମୋତେ ଶୁଆଇ ପକାଇଲ କାହିଁକି ? ’’

 

‘‘ଆଃ , ଆଃ, କଅଁଳ ପିଲାଟିଏ ପରା । ତା‘କୁ ମାଇପେ ଗାଲ ଥାପୁଡ଼ାଇ ଶୁଆଇ ପକାଇଲେ । ଲାଜ ମାଡ଼ୁନାହିଁ ତୁମକୁ । ’’

 

ଏହା କହି ଲେନା ମେରିନାର ରକ୍ତଗୋଲାପନିନ୍ଦୀ କପୋଳକୁ ଟିପିଦେଇ ବକ୍ତୃତା କକ୍ଷରୁ ହାତଧରି ଟାଣି ନେଇଗଲା ।

 

ଉପଗ୍ରହର ସମସ୍ତେ ଯାଇ ରୁଣ୍ଡ ହୋଇଥାଆନ୍ତି ଟେଲିଭିଜନ୍‌ କକ୍ଷରେ । ମହାଶୂନ୍ୟ ଭିତରେ ଥାଇ ପୃଥିବୀକୁ କିପରି ଦେଖିବେ ସେଇ ହେଉଛି ସମସ୍ତଙ୍କ ଇଚ୍ଛା । ଟେଲିଭିଜନ୍‌ ଯନ୍ତ୍ରଟିକୁ ଏପାଖ ସେପାଖ ଯେତେ ମୋଡ଼ାମୋଡ଼ି କଲେ ମଧ୍ୟ ଟେଲିଭିଜନ୍‌ ପର୍ଦ୍ଦାରେ କିଛି ପଡ଼ୁ ନଥାଏ । ମାନମନ୍ଦିର ସହିତ ରେଡ଼ିଓ ଫୋନ୍‌ରେ କଥାବାର୍ତ୍ତାରୁ ଜଣାପଡ଼ୁଥାଏ ଯେ, ମାନମନ୍ଦିରରୁ ଟେଲିଭିଜନ୍‌ବାର୍ତ୍ତା ପଠାଯାଉଥିଲେ ମଧ୍ୟ ଏଠାରେ କିଛି ପହଞ୍ଚି ପାରୁନାହିଁ । ଉପଗ୍ରହର ଟେଲିଭିଜନ୍‌ଯନ୍ତ୍ର ବିଶେଷଜ୍ଞ ଡକ୍ଟର କୋଡ଼ୋରସ୍କି ନାନା ଆଡ଼ୁ ଚେଷ୍ଟା କରି ପ୍ରାଣାନ୍ତକ ହୋଇ ପଡ଼ିଲେଣି । ଦୋଷ କେଉଁଠି ରହୁଛି ଜାଣି ହେଉନି । ପ୍ରେରଣରେ ଦୋଷ କି ଗ୍ରହଣରେ ଦୋଷ ? ରେଡ଼ିଓ ଫୋନ୍‌ରେ ଏକାଡ଼େମିସିଆନ୍‌ ମେକୋଭେଲସ୍କିଙ୍କ ସହିତ ଆଲୋଚନା କରି ମଧ୍ୟ କୌଣସି ସିଦ୍ଧାନ୍ତରେ ପହଞ୍ଚି ହେଉନି । କୋଡ଼ୋରସ୍କି ଚେଷ୍ଟା କରି କରି ବିରକ୍ତ ହୋଇ ବସିଯାଇଚନ୍ତି । ତଳ ଷ୍ଟେସନ୍‌ରୁ ଏକାଡ଼େମିସିଆନ୍‌ ମେକୋଭେଲସ୍କି ତାଙ୍କୁ କହିଲେ, ‘‘ଦେଖ କୋଡ଼େରସ୍କି, ଆମ ଏଠାରେ ଟେଲିଭିଜ ନ୍‌ପ୍ରେରଣ ଠିକ୍‌ଅଛି । ଟେଲିଭିଜନ୍‌ତରଙ୍ଗ ଆୟନୋସ୍ପିଅର୍‌କୁ ଅତିକ୍ରମ କରି ମହାଶୂନ୍ୟକୁ ଯେ ଯାଉଛି, ଏଥିରେ ମୋର ତିଳେମାତ୍ର ସନ୍ଦେହ ନାହିଁ । ତୁମ ଗ୍ରାହକ ଯନ୍ତ୍ରର କିଛି ଦୋଷ ରହିଯାଇଛି ବୋଲି ମୋର ଅନୁମାନ । ଗ୍ରହକ ଯନ୍ତ୍ରର ୩୮୧ କ/୭ ନମ୍ୱର ରେକ୍‌ଟିଫାୟାର୍‌ଟି ବହଳାଇ ତୁମ ପାଖରେ ଯେଉଁ ଅଧିକା ୩୮୧ ଗ/୭ ନମ୍ୱର ରେକ୍‌ଟିଫାୟାରଟି ଅଛି ସେଇଟାକୁ ଲଗାଇ ଥରେ ଚେଷ୍ଟାକରି ଦେଖିଲ, କ’ଣ ହେଉଛି । ମୋର ଆଶା ଦ୍ୱିତୀୟ ରେକ୍‌ଟିଫାୟାର୍‌ଟି ଭଲ କାମ ଦେବ ।

 

କୋଡ଼ୋରସ୍କି ରେକ୍‌ଟିଫାୟାରଟିକୁ ବଦଳାଇ ଦେଇଛନ୍ତି କି ନାହିଁ, ହଠାତ୍‌ ଟେଲିଭିଜନ୍‌ ପରଦା ଉପରେ ଏକ ଅସ୍ପଷ୍ଟ ଈଷତ୍‌ନୀଳ ଆଲୋକ ଆଭା ଫୁଟି ଉଠିଲା । ପରଦା ଉପରେ ନୀଳ ଆଲୋକକୁ ଦେଖି ଆନନ୍ଦରେ କୋଡ଼ୋରସ୍କି ନାଚିଉଠିଲେ । ଅନ୍ୟ ଯନ୍ତ୍ରଗୁଡ଼ିକୁ ସେ ଏପାଖ ସେପାଖ ମୋଡ଼ାମୋଡ଼ି କରି ଟେଲିଭିଜନ୍‌ ପରଦା ଉପରେ ମାନମନ୍ଦିର ଷ୍ଟେସନ୍‌ସ୍ଥ ଟେଲିଭିଜନ୍‌କକ୍ଷର ପ୍ରତିଛବି ଆଣିପାରିଲେ । ଚାହୁଁ ଚାହୁଁ ମେକୋଭେଲସ୍କିଙ୍କର ହସ ହସ ମୁଖ ପରଦା ଉପରେ ଫୁଟିଉଠିଲା । ତାଙ୍କ ପଛଆଡ଼େ ଠିଆ ହୋଇଥାନ୍ତି ତାଙ୍କର ସହକର୍ମୀ ଇଞ୍ଜିନିଅରମାନେ । ସେ ହସି ହସି ପଚାରିଲେ, ‘‘ଏତ ତୁମେ ମୋତେ ଦେଖି ପାରୁଥିବ କୋଡ଼ୋରସ୍କି । ମୁଁ ଏଠାରେ ତୁମକୁ ଓ ତୁମ ଉପଗ୍ରହର ଟେଲିଭିଜନ୍‌ କକ୍ଷକୁ ବେଶ୍‌ ପରିଷ୍କାର ଦେଖିପାରୁଛି । ଯା’ ହେଉ; ଏତେ ଦିନର ଗବେଷଣା ଆଜି ଫଳପ୍ରଦ ହେଲା, ଏଇ ମୋର ସୌଭାଗ୍ୟ । ତୁମ୍ଭେମାନେ ତ ଏଠାରୁ ଅଠର ଘଣ୍ଟା ହେଲା ଗଲଣି । ତୁମ୍ଭମାନଙ୍କର ସେଠାରେ ଖବର କଅଣ, ସବୁ ଭଲ ତ ?’’

 

‘‘ହଁ, ଆଜ୍ଞା ଆମ୍ଭେମାନେ ସମସ୍ତେ ଏଠାରେ ଭଲ ଅଛୁଁ । ଆମ ଉପଗ୍ରହର ଡିରେକ୍‌ଟର ଡକ୍‌ଟର ଆଲେସ୍କି ଆପଣମାନଙ୍କୁ ଅଭିନନ୍ଦନ ଜଣାଉଛନ୍ତି, ଆପଣଙ୍କର ଏହି ଅପୂର୍ବ କୃତକାର୍ଯ୍ୟତା ନିମିତ୍ତ ।’’

 

କୋଡ଼ୋରସ୍କି ଏତକ କହୁଁ କହୁଁ ଆଲେସ୍କି ଟେଲିଭିଜନ୍‌ ପ୍ରେରକ ଯନ୍ତ୍ର ଉପରେ ନଇଁପଡ଼ିଲେ ଅଭିନନ୍ଦନ ଜଣାଇବାପାଇଁ, ତାଙ୍କର ଏହି ବିରାଟ କୃତିତ୍ୱ ନିମିତ୍ତ । ‘‘ଯାହାହେଉ, ତୁମ୍ଭମାନଙ୍କ ଅଭିନନ୍ଦନ ପାଇ ମୁଁ ଖୁସି ହେଲି ଆଲେସ୍କି ! ମୁଁ ଆଶା କରୁଛି ତୁମ୍ଭେମାନେ ଯେଉଁ ବିରାଟ ଅଭିଯାନରେ ଯାଇଚ, ତାହା ସଫଳତା ଲାଭ କରୁ । ଏଇ ମୋର ତୁମ୍ଭମାନଙ୍କୁ ଏକମାତ୍ର ଆଶୀର୍ବାଦ ।’’ ହଠାତ୍‌ ପଛଆଡ଼କୁ ଅନାଇ କହିଲେ, ‘‘ଆସନ୍ତୁ, ଆସନ୍ତୁ, ଡିରେକ୍ଟର ପାଲାଭିନ୍‌, ଏଇ ଆପଣଙ୍କ ସହକାରୀ ଆଲେସ୍କି ମୋ ସହିତ କଥାବାର୍ତ୍ତା କରୁଛନ୍ତି । ଏଥର ଆପଣ ତାଙ୍କ ସହିତ କଥାବାର୍ତ୍ତା କରନ୍ତୁ ।’’

 

ସଙ୍ଗେ ସଙ୍ଗେ ଉପଗ୍ରହର ଟେଲିଭିଜନ୍‌ ପର୍ଦ୍ଦା ଉପର ପ୍ରତିଛବି ମଳିନ ହୋଇଯାଇ ସେ ସ୍ଥାନର ବୃଦ୍ଧ ପାଲାଭିନ୍‌ଙ୍କ ହସ ହସ ମୁଖ ଫୁଟିଠିଲା । ବୃଦ୍ଧ ଆନନ୍ଦ ଗଦ୍‌ଗଦ୍‌ ହୋଇ କହିପକାଇଲେ–‘‘ବେଶ୍‌ ବେଶ୍‌ ଆଲେସ୍କି, ତୁମ୍ଭେମାନେ ଯେ ନିରାପଦରେ ଯାଇ ସେଠାରେ ପହଞ୍ଚି ପାରିଛ, ସେହି ଆମର ଯଥେଷ୍ଟ । ତୁମ୍ଭମାନଙ୍କର କାହାର କିଛି ଅସୁବିଧା ହୋଇନାହିଁ ତ ? ଲେନା, ମେରିନା ଆଦି କିପରି ଅଛନ୍ତି ? ହଁ, ଅଭିଯାନ ପୂର୍ବରୁ ଆମ୍ଭେମାନେ ଯାହା ଆଶା କରିଥିଲୁ:, ତୁମ୍ଭେମାନେ ଠିକ୍‌ ସେତିକି ଦୂରରେ ପହଞ୍ଚି ପୃଥିବୀ ଚାରି ପାଖରେ ବେଶ୍‌ ପରିଭ୍ରମଣ କରୁଛ । ଏଠାରୁ ଆମର ବିରାଟ ଦୂରବୀକ୍ଷଣ ସାହାଯ୍ୟରେ ଆମେ ତୁମ ଉପଗ୍ରହକୁ ଲକ୍ଷ୍ୟ କରିପାରୁଛୁଁ । ଉପଗ୍ରହଟି ଆମ ଦୂରବୀକ୍ଷଣରେ ଏକ କ୍ଷୀଣ ଆଲୋକବିନ୍ଦୁଠାରୁ ଅଧିକ ବଡ଼ ଦିଶୁନି । ତୁମର ଗତି, ଦୂରତା, ପରିଭ୍ରମଣ କାଳ, ପରିଭ୍ରମଣ ପଥ ଆଦି ଗଣନା କରି ଆମର କୃତ୍ରିମ ଆକାଶରେ ତୁମ ଉପଗ୍ରହର ଏକ ପ୍ରତିରୂପ ପ୍ରତିଷ୍ଠା କରି ସାରିଲୁଣି । ହଁ, ଆଉ ଗୋଟିଏ କଥା ତୁମକୁ କହିବାକୁ ଭୁଲିଯାଉଛି । ତୁମ୍ଭେମାନେ ପ୍ରତି ଛ’ ଘଣ୍ଟାରେ ମହାଶୂନ୍ୟରେ ଯେଉଁ ସବୁ ବିଭିନ୍ନ ପର୍ଯ୍ୟବେକ୍ଷଣ କରିବ, ସେଗୁଡ଼ିକର ଗୋଟିଏ ଗୋଟିଏ ରିପୋର୍ଟ ଆମ ପାଖକୁ ସଙ୍ଗେ ସଙ୍ଗେ ପଠାଇ ଦେଉଥିବ । ଆମେ ସେହି ସବୁ ରିପୋର୍ଟଗୁଡ଼ିକୁ ଦରକାର ଅନୁଯାୟୀ ରାଷ୍ଟ୍ରର ବିଭିନ୍ନ ବିଶେଷଜ୍ଞମାନଙ୍କଠାକୁ ପଠାଇ ଦେଉଥିବୁଁ । ହଁ, ତୁମ ପିତା ତୁମକୁ ଦେଖା କରିବାକୁ ବଡ଼ ବ୍ୟାକୁଳ । ଟେଲିଭିଜନ ଖରାପ ହୋଇଯିବା ଶୁଣି ସେ ବଡ଼ ବ୍ୟସ୍ତ ହୋଇପଡ଼ିଥିଲେ । ମୁଁ ବର୍ତ୍ତମାନ ତାଙ୍କୁ ଡାକି ପଠାଇଛି । ଯାହାହେଉ, ସେ ଏଥର ତୁମକୁ ଦେଖି ଆଶ୍ୱାସନା ପାଇବେ !’’ ପଛକୁ ଅନାଇ କହିଲେ, ‘‘ହେଇ ଆସିଗଲେଣି ତ ତୁମ ପିତା ଆଲେସ୍କି ! ଏଥର ତୁମେ ତାଙ୍କ ସହିତ କଥାବାର୍ତ୍ତା କର ।’’

 

ସଙ୍ଗେ ସଙ୍ଗେ ଟେଲିଭିଜନ୍‌ ପରଦା ଉପରେ ପାଲାଭିନ୍‌ଙ୍କ ମୁଖ ଅପସରି ଯାଇ ତତ୍‌ପରିବର୍ତ୍ତରେ ଆଲେସ୍କିଙ୍କ ପିତାଙ୍କ ମୁଖ ଫୁଟିଉଠିଲା । ବୃଦ୍ଧ ଆନନ୍ଦରେ ଅଧୀର ହୋଇ ଟେଲିଭିଜନ୍‌ ପରଦାକୁ କୁଣ୍ଢାଇ ପକାଇଲେ । ବୃଦ୍ଧ ଆଲେସ୍କିଙ୍କୁ ଆଖି ସାମନାରେ ଦେଖି ଆନନ୍ଦରେ ଏତେ ଗଦ୍‌ଗଦ ହୋଇପଡ଼ିଲେ ଯେ, ତାଙ୍କ ଚକ୍ଷୁରୁ ଦୁଇଧାର ଆନନ୍ଦାଶ୍ରୁ ଗଡ଼ିପଡ଼ିଲା । ବାଷ୍ପ–ଗଦ୍‌ଗଦ କଣ୍ଠରେ କହିଲେ, ‘ଯା’ ହେଉ ବାପା, ତୁ ଯେ ସେଠାରେ ବେଶ୍‌‌ଭଲ ଭାବରେ ଯାଇ ପହଞ୍ଚି ପାରିଛୁ, ମୁଁ ଦେଖି ଖୁସି ହେଲି । ତୋ ମା ଯଦି ଆଜି ଏଠି ଥଆନ୍ତା, ସେ ତୋତେ ଦେଖି କେତେ ଯେ ଖୁସି ହୁଅନ୍ତା, ମୁଁ ଭାବିପାରୁନି । ମୁଁ ଭଗବାନଙ୍କଠାରେ ପ୍ରାର୍ଥନା କରୁଛି, ସେ ତୋତେ ସର୍ବଦା ଘଣ୍ଟ ଘୋଡ଼ାଇ ରଖିଥାନ୍ତୁ । ତୁ ଏହି ବିରାଟ ଅଭିଯାନରେ ନିଜର କର୍ତ୍ତବ୍ୟ ସାଧନ କରି ଦେଶ ତଥା ଜାତିର ସମ୍ମାନ ଟେକି ରଖ, ଏଇ ମୋର ଆଶୀର୍ବାଦ ବାବା । ହଁ, ବାବା ! ମୁଁ କାଲି ଘରକୁ ଫେରିଯାଉଛି । ତୋ ମାଆ ତେଣେ ମୋ ଫେରିବା ବାଟକୁ ଚାହିଁ ବସିଥିବ । ମୋଠାରୁ ତୋର ଶୁଭ ଖବରଟିକକ ଶୁଣିଲେ ତା’ ପିଣ୍ଡରେ ପ୍ରାଣ ପଶିବ ?’’

 

ବୃଦ୍ଧ ଏତକ କହୁଁ କହୁଁ କାନ୍ଦି ପକାଇଲେ । ଟେଲିଭିଜନ୍‌ ପର୍ଦ୍ଦା ଉପରେ ବୃଦ୍ଧଙ୍କୁ ଏପରି କାନ୍ଦିବାର ଦେଖି ଆଲେସ୍କିଙ୍କ ଚକ୍ଷୁ ଛଳଛଳ ହୋଇ ଆସିଲା । କିଛି ସମୟ ପରେ ବୃଦ୍ଧ ନିଜକୁ ସମ୍ଭାଳି ନେଇ ପୁଣି ପଚାରିଲେ, ‘‘ହଁ ବାବା ! ମେରିନାକୁ ମୁଁ ତ ଟିକିଏ ଦେଖି ପାରିଲିନି ଘରକୁ ଫେରିଗଲେ ତା ବାପା-ମା ତ ନିଶ୍ଚେ ମୋତେ ତା କଥା ପଚାରିବେ । ତା’କୁ ଟିକେ ଡାକିଦେଲୁ ବାବା ମୋ ଆଗକୁ । ପାଗଳୀ କିପରି ଅଛି, ମୁଁ ଟିକିଏ ଦେଖେ ।’’

 

ବୃଦ୍ଧ ନିଜ କଥା ଶେଷ କରିଛନ୍ତି କି ନାହିଁ , ଟେଲିଭିଜନ୍‌ ପର୍ଦ୍ଦା ଉପରେ ମେରିନା ହସି ହସି ନମସ୍କାର ଜଣାଇଲା ବୃଦ୍ଧଙ୍କ ଉଦ୍ଦେଶ୍ୟରେ । ବୃଦ୍ଧ ଥତମତ ହୋଇ କହିଲେ ‘‘ତୁ କିପରି ଅଛୁ ଝିଅ, କିଛି ଅସୁବିଧା ହୋଇନାହିଁ ତ ?’’

 

‘‘ନାଇଁ ମଉସା, କିଛି ଅସୁବିଧା ହୋଇନି ଆମର । ଆମେ ଏଠାରେ ବେଶ୍‌ ଭଲ ଅଛୁଁ । ମହାଶୂନ୍ୟରେ ରହିଛୁ ବୋଲି ଆମକୁ ଜଣାପଡ଼ୁନି ମୋଟେ । ଆପଣ ଘରକୁ ଫେରିଗଲେ, ବାପା ମା’ଙ୍କୁ କହିବେ ଆମେ ବେଶ୍‌ ଭଲରେ ଅଛୁଁ । ସେମାନେ ଯଦି ଆମକୁ ଦେଖିବାକୁ କେବେ ଚାହାଁନ୍ତି, ତେବେ କହିଦେବେ ସୁବିଧା ଦେଖି ଲେନିନ୍‌ ମାନମନ୍ଦିରକୁ ଆସିପାରିଲେ ଆମ ସହିତ ଦେଖା ହେବ । ଆପଣମାନେ ଆମଠାକୁ କିଛି ବାର୍ତ୍ତା ପଠାଇବାକୁ ଚାହିଁଲେ ଏହି ମାନମନ୍ଦିରକୁ ପଠାଇଦେଲେ ଆମେ ପାଇ ପାରିବୁଁ । ଆଉ କିଛିଦିନ ପରେ ମାନମନ୍ଦିରରୁ ଆମ ସହିତ ଆହୁରି ଅଧିକ ଯୋଗୁସୂତ୍ର ସ୍ଥାପିତ ହୋଇପାରିବ । ସେତେବେଳେ ପ୍ରତି ସପ୍ତାହରେ ମାନମନ୍ଦିର ଓ କୃତ୍ରିମ ଉପଗ୍ରହ ଭିତରେ ରକେଟ୍‌ଯା–ଆସ କରିବ । ଏହା ଫଳରେ ଚିଠିପତ୍ର ଦିଆନିଆ ସମ୍ଭବପର ହେବ-। ହଁ ମଉସା ! ଦେଖନ୍ତୁ , ଘରକୁ ଫେରିଗଲେ ବାପା, ମା ଓ ମାଉସୀଙ୍କୁ ଏପରି ଭାବରେ ବୁଝାଇ ଦେଲେ, ଯେପରି କି ସେମାନେ ଆମ ପାଇଁ ମୋଟେ ଚିନ୍ତା କରିବେ ନାହିଁ । ଏତିକି କହିଦେବେ ଯେ, ଆମେ ପୃଥିବୀରେ ଯେତିକି ସୁଖରେ ଥା’ନ୍ତୁ ଏଠାରେ ତା’ଠାରୁ ଆହୁରି ଅଧିକ ସୁଖରେ ଅଛୁଁ-।’’

Image

 

ସାତ

 

ଉପଗ୍ରହର ବିଶ୍ୱରଶ୍ମି ଗବେଷଣାରେ ବିଶ୍ୱରଶ୍ମିର ଘନତା ମାପୁ ମାପୁ ମେରିନା କ୍ଲାନ୍ତ ହୋଇ ବସି ପଡ଼ିଲା । ଏକାଦିକ୍ରମେ ଚାରିଘଣ୍ଟା ଧରି ଯନ୍ତ୍ର ପାଖରେ ବସି ବସି ସେ ଏକ ରକମ ମ୍ରିୟମାଣା ହୋଇ ପଡ଼ିଥାଏ । କପାଳ ଉପରେ ଫୁଟିଉଠୁଥିବା ଟୋପା ଟୋପା ଝାଳ ତାର ସେହି କ୍ଲାନ୍ତିର ସ୍ପଷ୍ଟ ପରିଚୟ ଦେଉଥାଏ । ଯନ୍ତ୍ରଟିକୁ ବନ୍ଦ କରିଦେଇ ମେରିନା ଅଦୂରସ୍ଥ ଇଜିଚେୟାରରେ ଯାଇ ବସିପଡ଼ିଲା । ଆଖି ଆଗରେ ତା’ର ନାଚିଉଠିଲା ରାଜଧାନୀରେ ତା’ର ସୁଖମୟ ଜୀବନଯାପନ । ସେ କିପରି ତା’ର ବନ୍ଧୁମାନଙ୍କ ସହିତ ହସଖୁସିରେ ଦିନ କାଟୁଥିଲା, ସେସବୁ ମନେ ପଡ଼ି ତାର ମନକୁ ଅଥୟ କରି ପକାଇଲା । ପର ମୁହୂର୍ତ୍ତରେ ତା’ର ସ୍ମୃତିପଟରେ ଜାଗି ଉଠିଲା, ରାଜଧାନୀର ଆଲେସ୍କିଙ୍କ ସହିତ ସୁଖମୟ ଦିନ କେତୋଟି କଥା । କାହିଁ ସେହି ଅପେରା ଥିଏଟରରେ ଅଭିନୟ ଦେଖା, ପୁଣି ରାଜଧାନୀ ବାହାରେ ଭୋଜି, ଆନନ୍ଦ–କେତେ କଣ ! ଏହି ବିଚ୍ଛିନ୍ନ ଚିନ୍ତାଧାରାଗୁଡ଼ିକ ମେରିନାର ହୃଦୟକୁ ଅସ୍ଥିର କରୁନଥିଲେ ମଧ୍ୟ ଏକ ପ୍ରକାର ଶିହରଣରେ ଚହଲାଇ ଦେଉଥିଲା ।

 

ଭାବୁ ଭାବୁ ଅନ୍ୟମନସ୍କ ଭାବେ ହଠାତ୍‌ ସେ ଉଠିଗଲା ଗବେଷଣାଗାରର ଝରକା ଦେଇ ଲକ୍ଷ୍ୟ କରିବାକୁ ଅନନ୍ତ ମହାଶୂନ୍ୟର ସେହି ଅପରୂପ ସୌନ୍ଦର୍ଯ୍ୟ । ଅତୃପ୍ତ ପ୍ରାଣ ତା’ର ପୁଲକିତ ହୋଇ ଉଠିଲା ମହାଶୂନ୍ୟର ସୌନ୍ଦର୍ଯ୍ୟଭଣ୍ଡାର ଦର୍ଶନରେ । ଓଃ, କି ଅପୂର୍ବ ଏ ଦୃଶ୍ୟ ? ସୂର୍ଯ୍ୟଙ୍କର କିରଣ ମଧ୍ୟାହ୍ନ ମାର୍ତ୍ତଣ୍ଡର ଅଗ୍ନିକଣାବର୍ଷୀ ପ୍ରଦୀପ୍ତ କିରଣଠାରୁ ଅଧିକ ଉତ୍ତପ୍ତ ବୋଧ ହେଉଥିଲେ ମଧ୍ୟ, ମହାଶୂନ୍ୟର ଘନ ଅନ୍ଧକାର ଭିତରେ କୋଟି କୋଟି ନକ୍ଷତ୍ରଙ୍କର ଅବିଚ୍ଛିନ୍ନ ସୌନ୍ଦର୍ଯ୍ୟ ମେରିନା ପ୍ରାଣକୁ ପୁଲକିତ କରୁଥାଏ । ମହାଶୂନ୍ୟ ଭିତରେ ନକ୍ଷତ୍ରଗୁଡ଼ିକ ଦପ୍‌ଦପ୍‌ ନହୋଇ ଗ୍ରହମାନଙ୍କ ଭଳି ସ୍ଥିର ଆଲୋକ ପ୍ରଦାନ କରୁଥାନ୍ତି । ସୂର୍ଯ୍ୟଙ୍କ ସଙ୍ଗେ ସଙ୍ଗେ ଆକାଶରେ ଚନ୍ଦ୍ର ମଧ୍ୟ ବିଦ୍ୟମାନ । କିନ୍ତୁ ଚନ୍ଦ୍ରଙ୍କର ସେହି ଶୋଭାମୟୀ ଜ୍ୟୋସ୍ନା କାହିଁ–ଯାହାର ସୌନ୍ଦର୍ଯ୍ୟ ବର୍ଣ୍ଣନା କରିବାରେ ପୃଥିବୀର ଅଗଣିତ କବି ପାଗଳ ? ପୃଥିବୀ ଭଳି କେବେ ଚନ୍ଦ୍ର-ଜ୍ୟୋସ୍ନାବିଧୌତି ରଜନୀ ଉପଭୋଗ ଏଠାରେ ସ୍ୱପ୍ନମାତ୍ର । ପ୍ରତି ସାତ ଘଣ୍ଟାରେ ପୃଥିବୀକୁ ଥରେ ଲେଖାଏଁ ଘୂରିଆସିଥିବାର ଏହି ଉପଗ୍ରହର ଥରେ ଘୂରିବା ଭିତରେ ପ୍ରାୟ ସାଢ଼େ ତିନିଘଣ୍ଟା ଲେଖାଏଁ ରାତି ହୁଏ । ପୃଥିବୀ ଚାରିପାଖରେ ଘୂରୁ ଘୂରୁ ଯେଉଁ କେତେକ ସମୟ ପାଇଁ ଏହା ପୃଥିବୀର ଛାୟା ଭିତରେ ରହଯାଏ, ସେତିକି ସମୟ ସେଠାରେ ହୁଏ ରାତି । ତା’ରି ଭିତରେ ବେଳେବେଳେ ସେଠାରେ ଚନ୍ଦ୍ରକିରଣ ଦେଖାଗଲେ ମଧ୍ୟ ତାହାର ସେହି ସୌନ୍ଦର୍ଯ୍ୟ ମହାଶୂନ୍ୟରେ ଉପଲବ୍‌ଧି କରି ହୁଏ ନାହିଁ । ପୁନଶ୍ଚ ଉପଗ୍ରହର ବହୁବିଧ ଆଲୋକମାଳା ଭିତରେ ଜ୍ୟୋସ୍ନାର ସେହି କ୍ଷୀଣ ସୌନ୍ଦର୍ଯ୍ୟକୁ ଉପଲବ୍‌ଧି କରିବ ବା କିଏ ?

 

ଝରକା ପାଖରେ ଠିଆହୋଇ ମେରିନା ଏହିଭଳି କେତେ କ’ଣ ଭାବିଯାଉଥିଲା । ହଠାତ୍‌ ଗବେଷଣାଗାର ଭିତରେ ପଶିଆସିଲା ଲେନା । ମୁଖରେ ତାର ଦୀପ୍ତିଭରା ହସ, ଆଖିରେ ତାର ସରଳ ମଧୁର ଚାହାଣି । ମେରିନାକୁ ଦେଖି ଲେନା କହିଲା, ‘‘ଆଜି କେତେ ତାରିଖ ମନେ ଅଛି ମେରିନା ?’’

 

ଲେନାର ପ୍ରଶ୍ନରେ ମେରିନା ହଠାତ୍‌ ଚମକି ଉଠିଲା । ଝରକା ଆଡ଼ୁ ମୁହଁ ବୁଲାଇ ଆଣି ତା’କୁ ବଲବଲ କରି ଅନାଇ ରହିଲା, ‘‘ଆଜି ତାରିଖଟି କ’ଣ ଭୁଲିଗଲଣି ମେରିନା ?’’ମେରିନା କିଛି ବୁଝି ନପାରି ପଚାରିଲା, ‘‘କାହିଁକି ?’’

 

ଅଦୂରସ୍ଥ କାନ୍ଥଘଣ୍ଟାରେ ସଙ୍ଗୀତର ଏକ ଅପୂର୍ବ ମୂର୍ଚ୍ଛନା ଭିତରେ ହଠାତ୍‌ ଶୁଣାଗଲା–‘‘ସେପ୍‌ଟେମ୍ୱର ମାସ ସାତ ତାରିଖ ।’’

 

କାନ୍ଥଘଣ୍ଟା ଲେନା ପ୍ରଶ୍ନର ଉତ୍ତର ଏପରି ଭାବରେ ଦେଇଦେବା ଦେଖି ମେରିନା ହସି ଉଠିଲା ।

 

Unknown

‘‘ମୁଁ ଆଉ କ’ଣ ଉତ୍ତର ଦେବୀ ଭଉଣୀ ? ତୁମ ପ୍ରଶ୍ନର ଉତ୍ତର ସେହି ନିର୍ଜୀବ ବନ୍ଧୁଟି ଦେଇସାରିଛି ।’ ଏହା କହି ମେରିନା ଆହୁରି ଜୋର୍‌ରେ ହସି ଉଠିଲା । ଲେନା କାନ୍ଥଘଣ୍ଟାର ଏଭଳି କାର୍ଯ୍ୟ ଦେଖି ଘଣ୍ଟା ଆଡ଼କୁ ଏକ ତୀବ୍ର କଟାକ୍ଷପାତ କରୁ କରୁ ମେରିନା ଆଡ଼କୁ ଆଖି ଫେରାଇ ନହସି ରହିପାରିଲା ନାହିଁ ।

 

‘‘ହେଉ, ଆଜି ଦିନଟିର ବିଶେଷତ୍ୱ କ’ଣ ମନେ ଅଛି ତୁମର ?’’

 

‘‘ଆଜି ଦିନଟିର ? କାହିଁ, ନାଇଁ ତ–ମୋର କିଛି ମନେ ନାହିଁ ।’’

 

‘‘କାହିଁକି, ସେଦିନ ପରା ମୁଁ ତୁମକୁ କହିଥିଲି, ଆଜି ଦିନଟିର ବିଶେଷତ୍ୱ । ଇତିମଧ୍ୟରେ କ’ଣ ସେ ସବୁ ପାସୋରି ଦେଲଣି ?’’

 

କିଛି ସମୟ ଚିନ୍ତା କରି ମେରିନା ପୁଣି ନିଜର ଅକ୍ଷମତା ପ୍ରକାଶ କଲା ।

 

‘‘ତମର ବଡ଼ ଭୁଲା ମନ ମେରିନା !’’ ଏତକ କହି ଲେନା ମେରିନାର ଆରକ୍ତ କପୋଳ ଉପରେ ସ୍ନେହର ଏକ ମୃଦୁ ଚାପୁଡ଼ା ଲଗାଇ ଦେଇ କହିଲା, ‘‘ଏପରି ହେଲେ ତୁମେ ତୁମ ଜୀବନର ସାଥୀଙ୍କୁ ମଧ୍ୟ ଭୁଲିଯାଇ ପାରିବ ସଙ୍ଗିନି ! ଦିନେ ଯେ ତୁମେ ଏ ଉପଗ୍ରହକୁ ଭୁଲିଯାଇ ପୃଥିବୀରେ ଅଛ ବୋଲି ମନେ କରି କେତେ କଣ କରିପକାଇବ, ଏଥିରେ ମୋର ସନ୍ଦେହ ହୁଏ ।’’

ମେରିନା ଲେନାର ମୁହଁକୁ ସେହିଭଳି ବଲବଲ କରି ଅନାଇ ରହିଥାଏ । ଲେନା ପୁଣି ଆରମ୍ଭ କଲା–‘ଗତ ଅର୍ଦ୍ଧ-ଶତାବ୍ଦୀ ଭିତରେ ଆଜି ଦିନଟି ଆମ ପକ୍ଷରେ ସବୁଠାରୁ ବଡ଼ ଦିନ । ଆଜି ପରା ବୈଜ୍ଞାନିକମାନଙ୍କର ଚିରଈପ୍‌ସିତ ମଙ୍ଗଳଗ୍ରହ ପୃଥିବୀର ନିକଟତମ ହେଉଛି ? ଆଜି ସନ୍ଧ୍ୟା ନ’ଟା ବେଳେ ଏହା ପୃଥିବୀର ସବୁଠାରୁ ନିକଟତମ ହେବ ବୋଲି ସାରା ପୃଥିବୀରେ ଚହଳ ପଡ଼ିଯାଇଛି । ଆମ ରାଷ୍ଟ୍ରଠାରୁ ଆରମ୍ଭ କରି ଆମେରିକା, ଇଂଲଣ୍ଡ, ଫ୍ରାନ୍‌ସ, ଭାରତ ପ୍ରଭୃତି ପୃଥିବୀର ବଡ଼ ବଡ଼ ରାଷ୍ଟ୍ରର ଜ୍ୟୋତିର୍ବିଜ୍ଞାନବିତ୍‌ମାନେ ରାତି ଉଜାଗର ହୋଇ ଏହି ରକ୍ତିମ ଗ୍ରହଟିକୁ ପର୍ଯ୍ୟବେକ୍ଷଣ କରିବା ପାଇଁ ଅପେକ୍ଷା କରି ବସି ରହିଥିବେ । ଆମ ରାଷ୍ଟ୍ରର ଇଭ୍, କିମେଜ୍‌ ଓ ଲେନିନ୍‌ ମାନମନ୍ଦିର ପ୍ରଭୃତିରେ ଯେଉଁ ଉତ୍କଣ୍ଠା ପ୍ରକାଶ ପାଇଥିବ, ତାହା ଆମେ ଧାରଣା କରିପାରିବା ନାହିଁ ମେରିନା ! ଲେନିନ୍‌ ମାନମନ୍ଦିରରୁ ନିର୍ଦ୍ଦେଶ ଆସିଛି, ଆମେ ଏଇ ଉପଗ୍ରହରୁ ମଙ୍ଗଳଗ୍ରହକୁ ଖୁବ୍‌ ସାବଧାନତା ସହିତ ଲକ୍ଷ୍ୟ କରି ଆମର ପର୍ଯ୍ୟବେକ୍ଷଣର ଫଳାଫଳଗୁଡ଼ିକୁ ପୃଥିବୀକୁ ପଠାଇ ଦେବାପାଇଁ । ଆଉ ଚାରିଘଣ୍ଟା ପରେ ଆମ ଉପଗ୍ରହର ତିନୋଟିଯାକ ମାନମନ୍ଦିରରୁ ଏହି ଗ୍ରହଟି ଆଡ଼କୁ ତୀକ୍ଷଣ୍ ଦୃଷ୍ଟି ପଡ଼ିବ ଅତି ଆଗ୍ରହର ସହିତ । କେନ୍ଦ୍ର ପର୍ଯ୍ୟବେକ୍ଷଣାଗାରରେ ମୁଁ, ପ୍ରଥମ ପର୍ଯ୍ୟବେକ୍ଷଣଗାରରେ ସ୍ୱୟଂ ଆଲେସ୍କି, ଦ୍ୱିତୀୟ ପର୍ଯ୍ୟବେକ୍ଷଣାଗାରରେ ଜ୍ୟୋତିର୍ବିଦ୍‌ ବୋଦାନସ୍କି ଓ ଅନ୍ୟମାନେ ଏହି ପର୍ଯ୍ୟବେକ୍ଷଣରେ ବ୍ୟସ୍ତ ରହିବେ ।’’

‘‘ସତେ ?’’ ଅତ୍ୟଧିକ ଆନନ୍ଦିତ ହୋଇ ମେରିନା କହିଲା, ‘‘ମୁଁ ଆଜି ଟିକିଏ ମଙ୍ଗଳଗ୍ରହକୁ ଲକ୍ଷ୍ୟ କରନ୍ତି ଲେନା ! ଦେଖନ୍ତି, ସେହି ରକ୍ତାଭ ଗ୍ରହଟି ବାସ୍ତବିକ୍‌ କିପରି ଦିଶେ । କୁହ ଲେନା, ମୋତେ ଟିକିଏ ଆଜି ସୁଯୋଗ ଦେଇ ପାରିବ ତୁମ ପର୍ଯ୍ୟବେକ୍ଷଣାଗାରରେ ?’’

‘‘ଅତି ସାଧାରଣ ତୁମ ଅନୁରୋଧ ମେରିନା ! ମଙ୍ଗଳଗ୍ରହକୁ ଦେଖିବା ଆଜି ଜ୍ୟୋତିର୍ବିଦ୍‌ପକ୍ଷରେ ଯେତେ ସୌଭାଗ୍ୟ ନୁହେଁ, ତୁମକୁ ପର୍ଯ୍ୟବେକ୍ଷଣାଗାର ଭିତରେ ମଙ୍ଗଳଗ୍ରହକୁ ଦେଖାଇବାକୁ ସୁଯୋଗ ପାଇବା ତା’ଠାରୁ ଆହୁରି ଅଧିକ ସୌଭାଗ୍ୟ । କିନ୍ତୁ–’’ କହୁ କହୁ ହସିପକାଇଲା ଲେନା ।

‘‘ପୁଣି କିନ୍ତୁ କ’ଣ ଲେନା ?’’

‘‘କିନ୍ତୁ କେଉଁ ପର୍ଯ୍ୟବେକ୍ଷଣାଗାରକୁ ଯିବାପାଇଁ ତୁମେ ପସନ୍ଦ କରିବ ତାହା ମୁଁ ଭାବି ଠିକ୍‌କରି ପାରୁନି ।’’

‘‘କାହିଁକି ?’’

ଏହା କହି ପଶିଆସିଲେ ଗବେଷଣାଗାର ଭିତରକୁ ଆଲେସ୍କି ।

‘‘କେନ୍ଦ୍ର ପର୍ଯ୍ୟବେକ୍ଷଣାଗାରକୁ ଯିବାରେ ତ ତୁମର କିଛି ଆପତ୍ତି ଥାଇ ନପାରେ ମେରିନା ! ଯେଉଁଠି ଲେନାଙ୍କ ଭଳି ତୀକ୍ଷ୍‌ଣଦୃଷ୍ଟି ସମ୍ପନ୍ନା ପର୍ଯ୍ୟବେକ୍ଷିକା ଅଛନ୍ତି, ସେଠାରେ ଅନ୍ୟ କୌଣସି ପର୍ଯ୍ୟବେକ୍ଷଣାଗାରର ପ୍ରଶ୍ନ ଉଠିପାରେ କି ? ତୁମେ ଇତସ୍ତତଃ ନ ହୋଇ କହିଦିଅ ମେରିନା, କେନ୍ଦ୍ର ପର୍ଯ୍ୟବେକ୍ଷଣାଗାରକୁ ଯିବାପାଇଁ ତୁମର ଏକାନ୍ତ ଇଚ୍ଛା । ସେଠାରେ ଲେନା ତୁମକୁ ଉପଗ୍ରହର ବୃହତ୍ତମ ଦୂରବୀକ୍ଷଣରେ ମଙ୍ଗଳଗ୍ରହ ଖୁବ୍‌ ଭଲ ଭାବରେ ଦେଖାଇ ପାରିବେ ।’’

‘‘ନା, ନା, ମେରିନା ! ଆଲେସ୍କିଙ୍କ କଥାରେ କେବେ ଭୁଲିବନି ତୁମେ । କେନ୍ଦ୍ର ପର୍ଯ୍ୟବେକ୍ଷଣାଗାରକୁ ନଯାଇ ପ୍ରଥମ ପର୍ଯ୍ୟବେକ୍ଷଣାଗାରକୁ ଗଲେ ତୁମେ ଖାଲି ଦେଖିବନି ମଙ୍ଗଳଗ୍ରହକୁ; ସେଠାରେ ଦେଖିବାକୁ ପାଇବ ବିସ୍ମୟର ଶତ ଅମରାବତୀ, ଚିର ଈପ୍‌ସିତ ନନ୍ଦନକାନନର ଶୁଭ୍ର ପାରିଜାତ, ମନ୍ଦାକିନୀର ମଧୁର କଲ୍ଲୋଳ ସଙ୍ଗେ ମନ୍ଦ ବାୟୁର ମୃଦୁ ହିଲ୍ଲୋଳ–ଯା’ର ସୌନ୍ଦର୍ଯ୍ୟରେ ତୁମେ ଆତ୍ମହରା ହୋଇପଡ଼ିବ । ମଙ୍ଗଳଗ୍ରହର ଦୃଶ୍ୟଠାରୁ ପର୍ଯ୍ୟବେକ୍ଷଣାଗାରର ଦୃଶ୍ୟ ଆହୁରି ଅଧିକ ଲୋଭନୀୟ ହୋଇ ପଡ଼ିବ ସଙ୍ଗିନୀ ।’’

ଆଲେସ୍କି କହିଲେ, ‘‘ବାଃ, ତୁମର ବର୍ଣ୍ଣନା-ଚତୁରୀ ତ ବେଶ୍‌କବି ଜନସୁଲଭ ହୋଇପାରିଛି ଲେନା ! କେଉଁଦିନ ଠାରୁ ତୁମେ ବିଜ୍ଞାନର ପୂଜା ଛାଡ଼ି ସାହିତ୍ୟର ପୂଜାରିଣୀ ହେଲଣି ଶୁଣେ ? ତୁମର ଏଇ ବର୍ଣ୍ଣନା–ଚାତୁରୀରୁ ବେଶ୍‌ ଜଣାପଡ଼ୁଛି, ତୁମେ ବିଜ୍ଞାନରେ ରାଷ୍ଟ୍ରର ଶ୍ରେଷ୍ଠତମ ପୁରସ୍କାର ପାଇବା ପୂର୍ବରୁ ସାହିତ୍ୟରେ ନିଶ୍ଚୟ ପୁରସ୍କାର ପାଇବ ।’’

‘‘ମୁଁ ପୁରସ୍କାର ପାଇବା ପୂର୍ବରୁ ତୁମର ଏଇ ବାନ୍ଧବୀଟି ପାଇପାରିଲେ ମୁଁ ଅଧିକ ଖୁସି ହୁଅନ୍ତି, ଆଲେସ୍କି !’’

‘‘ଓଃ ! କି ବିରାଟ ଉଦାରତା ତୁମର ଲେନା !’’ ମେରିନା ଆଡ଼କୁ ଅନାଇ କହିଲେ–‘‘ହେଉ, ରାଷ୍ଟ୍ରର ଶ୍ରେଷ୍ଠତମ ପୁରସ୍କାର ପାଇବା ପୂର୍ବରୁ ମୋର ଏଇ ପୁରସ୍କାରଟିକୁ ଗ୍ରହଣ କର ।’’

ଏହା କହି ଆଲେସ୍କି ବେତାର ରୁମ୍‌ରୁ ଆଣିଥିବା ତାରବାର୍ତ୍ତାଟିକୁ ମେରିନା ହାତକୁ ବଢ଼ାଇଦେଲେ । ଆଲେସ୍କିଙ୍କ ହାତରେ ଏକ ତାରବାର୍ତ୍ତା ଦେଖି ମେରିନାର ଦେହରେ ହଠାତ୍‌ ଏକ ଶିହରଣ ଖେଳିଗଲା । କାଳେ ଘରୁ କିଛି ଜରୁରୀ ବର୍ତ୍ତା ଆସିଥିବ ଭାବି ତା’ର ଛାତି ଦାଉଁକିନା ହୋଇଗଲା । ସେ ତରତର ହୋଇ ଥରଥର ହାତରେ ତାରବର୍ତ୍ତାଟିକୁ ଖୋଲି ପଢ଼ିବାକୁ ଲାଗିଲା । କେନ୍ଦ୍ର ରାଜଧାନୀସ୍ଥ ନୂତନ ବିଶ୍ୱବିଦ୍ୟାଳୟରେ କୁଳପତି ମେରିନାଙ୍କର ସନ୍ଦର୍ଭ ଉପରେ ପ୍ରଦତ୍ତ ହୋଇଥିବା ଡି.ଏସ.ସି.ଉପାଧି ଓ ସେଥି ସଙ୍ଗେ ବିଶ୍ୱବିଦ୍ୟାଳୟର ଶ୍ରେଷ୍ଠ ଗବେଷକ ଭାବରେ ତାଙ୍କୁ ଯେଉଁ ହୀରକ ପଦକ ଦିଆଯିବ ସେହି ଖବର ଏହି ତାରବାର୍ତ୍ତାରେ ପଠାଇଥିଲେ । ମେରିନା ଏହି ଖବର ପଢ଼ି ବହୁବର୍ଷ ଶ୍ରମର କୃତକାର୍ଯ୍ୟତାରେ ଉଲ୍ଲସିତା ନହୋଇ ରହିପାରିଲା ନାହିଁ । ମୁଖ ତାର ଆନନ୍ଦରେ ଉଜ୍ଜ୍ୱଳ ହୋଇ ଉଠିଲା । ଆଖି ସାମନାରେ ଭାସିଉଠିଲା ଅଧ୍ୟାପକ ଲଗୋଡ଼େଙ୍କୋଙ୍କ ଶାନ୍ତ, ସୌମ୍ୟ ମୂର୍ତ୍ତି । ଆସିବା ଦିନ ମେରିନାକୁ ଆଶୀର୍ବାଦ କରି ସେ ଯାହା କହିଥିଲେ, ତାହା କାନ ପାଖରେ ବାରମ୍ୱାର ପ୍ରତିଧ୍ୱନିତ ହେବାକୁ ଲାଗିଲା ।

ଖବର କ’ଣ ଜାଣିବାପାଇଁ ଲେନା କୌତୂହଳୀ ହୋଇ ମେରିନା ହାତରୁ ତାରାବାର୍ତ୍ତାଟି ନେଇ ପଢ଼ିବାକୁ ଳାଗିଲା । ମେରିନାର ଏହି ଶୁଭ ଖବର ସେ ତାକୁ କୁଣ୍ଢାଇ ପକାଇ କହିଲା, ‘‘ମୁଁ ତୁମକୁ ଅଭିନନ୍ଦନ ଜଣାଉଚି ଭଉଣୀ, ତୁମର ଏହି କୃତକାର୍ଯ୍ୟ ନିମିତ୍ତ । ତେବେ ଅଭିନନ୍ଦନର ପ୍ରତିଦାନରେ ଖାଲି ମୁଁ ନୁହେଁ, ସାରା ଉପଗ୍ରହ ଚାହେଁ ତୁମଠାରୁ ଏକ ଆନନ୍ଦ ଭୋଜି ।’’

‘‘ମେରିନାର ସଫଳତାରେ ଆମେ ତା’ଠାରୁ ଭୋଜି ଦାବି କରିବା ଅସଙ୍ଗତ ହେବ ଲେନା ! ମୁଁ ଭାବୁଛି ମେରିନାର ଏହି କୃତକାର୍ଯ୍ୟତା ପାଇଁ ଆମେ ତାକୁ ଏକ ଭୋଜି ଦେଇ ଅଭିନନ୍ଦନ ଜଣାଇବା ଉଚିତ । ତୁମେ କ’ଣ କହୁଚ ଲେନା ? ଆଜି ସନ୍ଧ୍ୟାରେ... ।’’

‘‘ଉଁ, ହୁଁ, କିନ୍ତୁ ଆଜି ତ କିଛି ହୋଇପାରିବନି ଆଲେସ୍କି ! ଆଜି ସନ୍ଧ୍ୟାରେ ଯେ ଆମର ବିରାଟ ପ୍ରୋଗ୍ରାମ । ଆଜି ଓ କାଲି ଦୁଇଦିନ ଆମକୁ ଖାଇବାକୁ ବି ତର ମିଳିବ ନାହିଁ । ଦିନରାତି ଚବିଶ ଘଣ୍ଟା ଯେ ଆମର କେବଳ ମଙ୍ଗଳଗ୍ରହ ପର୍ଯ୍ୟବେକ୍ଷଣରେ କଟିବ ।’’

 

‘‘ଓଃ, ଓଃ, ଠିକ୍‌ମନେ କରିଦେଇଛ ଲେନା ! ମୋର ତ ସେ କଥା ମୋଟେ ମନେ ନଥିଲା । ତା’ହେଲେ ଭୋଜିଟାକୁ ପରଦିନକୁ ।’’

 

‘‘ହଁ, ପରଦିନକୁ ହେଲେ କିଛି କ୍ଷତି ନାହିଁ । ଚାଲ ଆଲେସ୍କି, ମେରିନାର କୃତକାର୍ଯ୍ୟତା ସମ୍ୱନ୍ଧରେ ଉପଗ୍ରହର ସମସ୍ତଙ୍କୁ ଟିକିଏ ଜଣାଇ ଦେଇ ଆସିବା । ତୁମକୁ ବି ଆମ ସାଙ୍ଗରେ ଯିବାକୁ ପଡ଼ିବ ମେରିନା ।’’

 

ଲେନା ମେରିନାର ହାତ ଧରି ଟାଣି ନେଇଗଲା ।

 

‘‘ଏଥର ତୁମେ ଦେଖିପାରୁଛ ମେରିନା ମଙ୍ଗଳଗ୍ରହକୁ ?’’ ମେରିନାର ଆଖି ଆଗର ଦୂରବୀକ୍ଷଣ ଯନ୍ତ୍ରକୁ ଉପର ତଳ କରୁଁ କରୁଁ ଆଲେସ୍କି ପଚାରିଲେ, ‘‘ଦେଖୁଛ ମଙ୍ଗଳଗ୍ରହ ଏଠାରୁ କି ପରିଷ୍କାର ଦିଶୁଚି । ପୃଥିବୀପୃଷ୍ଠରୁ ଏହି ମଙ୍ଗଳଗ୍ରହକୁ ଅନାଇଲେ, ଏହା ଏତେ ପରିଷ୍କାର ଦିଶେନି । ପୃଥିବୀପୃଷ୍ଠର ଦୁଇ ଶହ ମାଇଲବିଶିଷ୍ଟ ଆକାଶ ମଙ୍ଗଳ ଯୋଗୁ ମଙ୍ଗଳଗ୍ରହ ଅସ୍ପଷ୍ଟ ଓ ମେଘୁଆମେଘୁଆ ଦିଶେ । ଏଠାରେ ବାୟୁମଣ୍ଡଳ ନଥିବାରୁ ମଙ୍ଗଳଗ୍ରହ ଆମକୁ କେତେ ପରିଷ୍କାର ଦିଶୁଛି, ଦେଖିପାରୁଛ ? ଆହୁରି ତୁମେ ଦେଖିପାରୁଛ ମେରିନା ମଙ୍ଗଳ ଗ୍ରହ ପୃଷ୍ଠଦେଶରେ ସେଇ ଯେଉଁସବୁ ଗାର ? ସେଗୁଡ଼ିକୁ ଆଜକୁ ଅର୍ଦ୍ଧଶତାବ୍ଦୀ ତଳେ ଇଟାଲୀୟ ବୈଜ୍ଞାନିକ ସିଆପେରେଲ କେନାଲ ବୋଲି କହିଥିଲେ । ଏହାଙ୍କ ପରେ ଆମେରିକାର ଜ୍ୟୋତିର୍ବିଜ୍ଞାନବିଦ୍‌ ପାର୍ସିଭେଲ୍‌ ଲୋଏଲ୍‌ ସିଆପେରେଲିଙ୍କର ସେଇ ମତକୁ ସମର୍ଥନ କଲେ । କିନ୍ତୁ ଆଧୁନିକ ବିଜ୍ଞାନୀ ସମାଜ ତାହା ସ୍ୱୀକାର କରିବାକୁ ନାରାଜ । ଭଲ ଭାବରେ ନିରୀକ୍ଷଣ କର ମେରିନା, ସେଇ ଗାରଗୁଡ଼ିକ ତୁମକୁ କିପରି ଦିଶୁଚି । ସେଗୁଡ଼ିକ କ’ଣ କେନାଲ ପରି ଦିଶୁନି ତୁମକୁ ?’’

 

ମେରିନା ଆହୁରି ଟିକିଏ ଯତ୍ନସହକାରେ ନିରୀକ୍ଷଣ କଲା ସେହି ରକ୍ତାଭ ଗ୍ରହଟିକୁ–‘‘ବାସ୍ତବିକ ଏଗୁଡ଼ାକ ତ କେନାଲ ଛଡ଼ା ଆଉ କିଛି ହୋଇପାରେ ନା । କିନ୍ତୁ ସେଠାରେ ସେ ଯେଉଁ ଧଳା ଅଂଶଟି ଦିଶୁଛି, ସେଟା କ’ଣ ଆଲେସ୍କି ?’’

 

ଆଲେସ୍କି ଦୂରବିକ୍ଷଣରେ ନିରୀକ୍ଷଣ କରିବାକୁ ଲାଗିଲେ । ଦେଖୁଁ ଦେଖୁଁ ସେ ଚିତ୍କାର କରିଉଠିଲେ, ‘‘ଠିକ୍‌, ଠିକ୍‌ ଦେଖିଛ ମେରିନା ! ବାଃ, ବଡ଼ ଅପୂର୍ବ ଦୃଶ୍ୟଟିଏ ଆବିଷ୍କାର କରିଛ ସତେ । ଏହି ପର୍ଯ୍ୟବେକ୍ଷଣଟି ପାଇଁ ଆଜି ପର୍ଯ୍ୟନ୍ତ ବହୁ ଯୁକ୍ତିତର୍କ ହୋଇଯାଇଛି । ଦଳେ କହୁଛନ୍ତି ଏହି ଧଳା ଅଂଶଟି କିଛି ନୁହେଁ, ଦୃଷ୍ଟିଭ୍ରମ । ଆଉ ଦଳେ କହୁଛନ୍ତି,. ଏହା ହେଉଛି ମଙ୍ଗଳ ଗ୍ରହର ତୁଷାରାଚ୍ଛାଦିତ ମେରୁମଣ୍ଡଳ । ଗୋଟିଏ ଦେଶର ବୈଜ୍ଞାନିକମାନଙ୍କର ରାଜନୈତିକ ଆଦର୍ଶ ଅନ୍ୟ ଦେଶର ବୈଜ୍ଞାନିକମାନଙ୍କଠାରୁ ପୃଥକ୍‌ ହୋଇଥିବାରୁ, ସେମାନଙ୍କର ଆବିଷ୍କାରକୁ ଅନ୍ୟମାନେ ଗହଣ କରିବାକୁ ନାରାଜ । ବୈଜ୍ଞାନିକ ଗବେଷଣାରେ ଯଦି ଏହିଭଳି ସଂକୀର୍ଣ୍ଣ ରାଜନୀତି ପଶେ, ତେବେ ବିଜ୍ଞାନର ଭବିଷ୍ୟତ ଅନ୍ଧକାର ଛଡ଼ା ଆଉ କ’ଣ ହୋଇପାରେ ମେରିନା ? ପ୍ରକୃତ ସତ୍ୟର ଅନ୍ୱେଷଣ ଛାଡ଼ି ବୈଜ୍ଞାନିକମାନେ ଯଦି ଏହି ସଂକୀର୍ଣ୍ଣ ରାଜନୀତିର ଏକ କ୍ରୀଡ଼ା ପୁତ୍ତଳିକା ହୁଅନ୍ତି, ତେବେ ସତ୍ୟ ଯେ ସେମାନଙ୍କଠାରୁ ଦୂରେଇଯିବ ଏହା ସେମାନେ ଭୁଲିଯିବା ଉଚିତ ନୁହେଁ । ତୁମେ ଟିକିଏ ସାହାଯ୍ୟ କରିପାରିବ ମେରିନା । ସେହି ଟେବୁଲ ଉପରେ ଯେଉଁ ଚଳଚ୍ଚିତ୍ର କ୍ୟାମେରାଟି ଥୁଆ ହୋଇଛି, ସେଇଟିକୁ ଆଣି ଏଇ ସ୍ଥାନରେ ଲଗାଇ ଦେଇ ପାରିବ ?’’

 

ମେରିନା ତର ତର ହୋଇ ଦୂରବୀକ୍ଷଣରେ କ୍ୟାମେରାଟିକୁ ଲଗାଇ ଆଲେସ୍କିଙ୍କ ନିର୍ଦ୍ଦେଶ ଅନୁଯାୟୀ ମଙ୍ଗଳଗ୍ରହର ଚଳଚ୍ଚିତ୍ର ଉଠାଇବାକୁ ଲାଗିଲା । ଆଲେସ୍କି ତେଣେ ନିଜର ପର୍ଯ୍ୟବେକ୍ଷଣଗୁଡ଼ିକୁ ତରତର ହୋଇ ଲିପିବଦ୍ଧ କରିବାକୁ ଲାଗିଗଲେ । ମେରିନା ବଡ଼ ଉତ୍ସାହିତ ହୋଇ ଚଳଚ୍ଚିତ୍ର କ୍ୟାମେରାର ଟିକ୍‌ ଟିକ୍‌ ଗତିକୁ ଅନାଇ ରହିଥାଏ । ହଠାତ୍‌ ପର୍ଯ୍ୟବେକ୍ଷଣାଗାରର ଦୁଆରେ ଠକ୍‌ ଠକ୍‌ ହେଲା । ମେରିନା ଯାଇ ଦୁଆର ଖୋଲିଦେଲା ଏବଂ ଡାଇରେକ୍ଟରଙ୍କର ଷ୍ଟେନୋ ମିସ୍‌ ଏଲିନା ପ୍ରବେଶ କଲେ ।

 

‘‘ଏଲିନା, ତୁମେ ହଠାତ୍‌ ଏଆଡ଼େ ?’’ ମେରିନା ପଚାରିଲା ।

 

‘‘ଡାଇରେକ୍ଟରଙ୍କୁ କେନ୍ଦ୍ର ପର୍ଯ୍ୟବେକ୍ଷଣାଗାରର ମିସ୍‌ ଲେନା ଡାକୁଛନ୍ତି । ମଙ୍ଗଳ ଗ୍ରହ ସମ୍ୱନ୍ଧରେ ସେ କ’ଣ ଗୋଟାଏ ଆବିଷ୍କାର କରିଛନ୍ତି, ଯାହାକୁ ପରୀକ୍ଷା କରିବା ପାଇଁ ସେ ଡାଇରେକ୍ଟରଙ୍କ ସାହାଯ୍ୟ ଲୋଡ଼ୁଛନ୍ତି ।’’

 

ଏଲିନାର କଥା ଶୁଣି ଆଲେସ୍କି ଉତ୍ସୁକ ହୋଇପଡ଼ିଲେ । ତାଙ୍କ ମୁହଁରୁ ବାହାରି ପଡ଼ିଲା–‘‘ତାହା ହେଲେ କିଛି ଗୋଟାଏ ନୂଆ କଥା ଲେନା ଆବିଷ୍କାର କରିଥିବ ନିଶ୍ଚୟ କେନ୍ଦ୍ର ପର୍ଯ୍ୟବେକ୍ଷଣାଗାରରେ । ତେବେ ତୁମେ ଏହି ଚଳଚ୍ଚିତ୍ର କ୍ୟାମେରାରେ ମଙ୍ଗଳ ଗ୍ରହର ଛବି ଉଠାଉଥାଅ । ମୁଁ ତେଣେ ଯାଇଁ ଦେଖେଁ ଲେନା କ’ଣ ଆବିଷ୍କାର କଲା । ଚଳଚ୍ଚିତ୍ର ଉଠାଇବା ସଙ୍ଗେ ସଙ୍ଗେ ଦୂରବୀକ୍ଷଣ ଭିତରେ ଅନାଇ ମଙ୍ଗଳ ଗ୍ରହକୁ ଦରକାର ହେଲେ ଫୋକସ୍‌ କରିଥିବ ।’’

 

ଆଲେସ୍କି ବାହାରିଗଲେ କେନ୍ଦ୍ର ପର୍ଯ୍ୟବେକ୍ଷଣାଗାର ଆଡ଼େ । ଆଲେସ୍କିଙ୍କୁ ଏକା ଲେନାଙ୍କ ପର୍ଯ୍ୟବେକ୍ଷଣାଗାରକୁ ଛାଡ଼ିଦେବାକୁ ମନ ହେଉ ନଥିଲେ ମଧ୍ୟ ତାଙ୍କୁ ଅଟକାଇବାକୁ ସାହସ ହେଲା ନାହିଁ ମେରିନାର । ସାରା ଉପଗ୍ରହର ଦାୟିତ୍ୱ ଯେତେବେଳେ ତାଙ୍କ ଉପରେ, ସେ କ’ଣ ବା କହି ତାଙ୍କୁ ଅଟକାଇବ ? କେଉଁଠାରେ କି ପର୍ଯ୍ୟବେକ୍ଷଣ ଚାଲିଛି, ତାକୁ ସେ ନ ଦେଖିବେ ତ ଆଉ କିଏ ଦେଖିବ ? ମେରିନା ଏହିଭଳି କେତେ କ’ଣ ଭାବି ଲେନା ପ୍ରତି ସନ୍ଦେହୀ ହୋଇପଡ଼ିଥିଲେ ମଧ୍ୟ ଅଗତ୍ୟା ବାଧ୍ୟ ହୋଇ ଚୁପ୍‌ ରହିଲା ; କିନ୍ତୁ ମନ ମୋଟେ ବୁଝିଲା ନାହିଁ । ପର ମୁହୂର୍ତ୍ତରେ ମନ ଭିତରେ ଉଠିଲା ଏକ ବିରାଟ ପ୍ରଶ୍ନ–ଝଡ଼–ଆଲେସ୍କି ତା’ ହେଲେ କ’ଣ ଲେନା ପ୍ରତି ଆସକ୍ତ ? ଲେନାକୁ କ’ଣ ସେ ଖୁବ୍ ଭଲ ପାଆନ୍ତି ? ଲେନା ସହିତ ତ ସେ ବେଶ୍‌ ହସ ଖୁସି କଥାବାର୍ତ୍ତା କରିପାରନ୍ତି । ସେ ଦିନ ତ ଦୁଇଜଣଯାକ ବେଶ୍‌ ହସ ଖୁସିରେ ମୋ କୋଠରି ଭିତରକୁ ପଶିଆସିଥିଲେ । ଏହି ସବୁ ଘଟଣାକୁ କେନ୍ଦ୍ର କରି ମେରିନା ଯେତେ ଭାବିବାକୁ ଲାଗିଲା, ଲେନା ଓ ଆଲେସ୍କିଙ୍କ ପ୍ରତି ତା’ର ସନ୍ଦେହ ସେତେ ଦୃଢ଼ୀଭୂତ ହେବାକୁ ଲାଗିଲା ।

 

ଲେନା ଆଲେସ୍କିଙ୍କର ଯେତେବେଳେ ସହକର୍ମୀ, କିଏ ଜାଣେ, ଲେନା ମନ ଭିତରେ ଆଲେସ୍କିଙ୍କୁ ନିଜ ଜୀବନର ସଙ୍ଗୀ ଭାବରେ ନିଷ୍ପତ୍ତି କରିନେଇ ନଥିବ । ମେରିନା ସହିତ ଆଲେସ୍କିଙ୍କର ଯେଉଁ ସମ୍ପର୍କ, ତାକୁ ଲେନା ବା ଜାଣିବ କେମିତି ? ଲେନା ଯେତେବେଳେ ନିଜର ପ୍ରେମଅର୍ଘ୍ୟ ବାଢ଼ିଦେଇଥିବ ଆଲେସ୍କିଙ୍କର ପାଦତଳେ, ଆଲେସ୍କିଙ୍କୁ ନିଜର ଜୀବନସଙ୍ଗୀ ରୂପେ ପାଇବାକୁ ତାଙ୍କଠାରେ ଭିକ୍ଷା ମାଗିଥିବ, ଆଲେସ୍କି କ’ଣ ମେରିନାର ପ୍ରତୀକ୍ଷାରେ ତା’ର ଭିକ୍ଷାକୁ ପ୍ରତ୍ୟାଖ୍ୟାନ କରିଥିବେ ?

 

ଏହିଭଳି କେତେ କଣ ଭାବନା ଭିତରେ ଭାସିଯାଉଥାଏ ମେରିନା । କେତେବେଳୁଁ ଫିଲ୍‌ମ ସରିଯାଇ ଫଟୋଉଠା ମନକୁ ମନ ବନ୍ଦ ହୋଇଗଲାଣି , ତା’ର ଖିଆଲ ନାହିଁ ।

 

ତେଣେ ଆଲେସ୍କି କେନ୍ଦ୍ର ପର୍ଯ୍ୟବେକ୍ଷଣାଗାରକୁ ପଶିଗଲାକ୍ଷଣି ଲେନା ବଡ଼ ଉତ୍ସାହିତ ହୋଇ ଆଲେସ୍କିଙ୍କ ପାଖକୁ ଦୌଡ଼ିଆସିଲା । ଆଲେସ୍କିଙ୍କୁ ଦୂରବୀକ୍ଷଣଠାକୁ ଟାଣି ଟାଣି ନେଇ କହିଲା–‘‘ଦେଖିଲଣି ଆଲେସ୍କି ମଙ୍ଗଳ ଗ୍ରହକୁ । କି ଅପୂର୍ବ ଦୃଶ୍ୟ । ମଙ୍ଗଳ ଗ୍ରହରେ ଉଦ୍ଭିଦଜଗତ୍‌ ନାହିଁ ବୋଲି ଯେଉଁମାନେ କହନ୍ତି, ସେମାନଙ୍କର କେତେ ବଡ଼ ଭୁଲ ହୋଇଛି । ’’ ଏତକ କହି ଲେନା ଆଲେସ୍କିଙ୍କୁ ଦୂରବୀକ୍ଷଣ ଭିତରେ ମଙ୍ଗଳ ଗ୍ରହକୁ ଅନାଇବାକୁ ଅନୁରୋଧ କଲା । ‘‘ଆଜକୁ ଅଢ଼େଇ ବର୍ଷ ତଳେ ସୋଭିଏତ୍‌ ରାଷ୍ଟ୍ରର କିଭ୍‌ ମାନମନ୍ଦିରର ପର୍ଯ୍ୟବେକ୍ଷଣାକାରୀମାନେ ମଙ୍ଗଳଗ୍ରହରେ ଉଦ୍ଭିଦଜଗତ୍‌ ଅଛି ବୋଲି ଯେତେବେଳେ ସର୍ବପ୍ରଥମେ ପ୍ରକାଶ କଲେ, ଆମେରିକାର ବୈଜ୍ଞାନିକମାନେ ପରା ହସି ଉଡ଼ାଇ ଦେଇଥିଲେ ! ଆଜି ଯଦି ଆମେରିକାର ବୈଜ୍ଞାନିକମାନେ ଏହି ମହାଶୂନ୍ୟକୁ ଆସିଥାନ୍ତେ, ତେବେ ସେମାନେ ଦେଖନ୍ତେ, ପ୍ରକୃତରେ କିଏ ଠିକ୍‌ ସେମାନେ କି ଆମେ ?’’

 

ମଙ୍ଗଳ ଗ୍ରହକୁ ଖୁବ୍‌ ସାବଧାନତାର ସହିତ ଲକ୍ଷ୍ୟ କରୁ କରୁ ଆଲେସ୍କି ବିସ୍ମୟରେ କହି ଉଠିଲେ–‘‘ଆହୁରି ଲକ୍ଷ୍ୟ କର ଲେନା, ଏହି ଉଦ୍ଭିଦଜଗତ୍‌ ସହିତ ମଙ୍ଗଳଗ୍ରହର ତୁଷାରାଚ୍ଛାଦିତ ମେରୁକୁ । ଏହି ତୁଷାର ମେରୁଠାରୁ ସିଧାସଳଖ କେନାଲଗୁଡ଼ିକ କିପରି ଗ୍ରହସାରା ଛାଇ ହୋଇଯାଇଛି । ମଙ୍ଗଳ ଗ୍ରହର ଉଦ୍ଭିଦ ଜଗତ୍‌ ଏହି କେନାଲ ପାଖେ ପାଖେ ରହିଛି । ଏଥିରୁ କ’ଣ ତୁମର ମନେ ହେଉନି ଲେନା, ଯେ ମଙ୍ଗଳଗ୍ରହଟି ପୂରାପୂରି ଜଳ ପାଏ ତାର ଏହି ଚିରତୁଷାରାଚ୍ଛାଦିତ ପର୍ବତରୁ ? ସେଥିପାଇଁ ମଙ୍ଗଳ ଗ୍ରହର କୃଷିକ୍ଷେତ୍ରଗୁଡ଼ିକ ରହିଛି ଏହି କେନାଲ ଗୁଡ଼ିକର ଦୁଇ ପାର୍ଶ୍ୱରେ । କିନ୍ତୁ ସେହି ଯେଉଁ ଠାଏ ଠାଏ ବାଦାମୀ ଅଂଶ ଦିଶୁଚି, ସେଗୁଡ଼ିକ କ’ଣ ହୋଇପାରେ ବୋଲି ଭାବୁଛ ଲେନା ? ଏହାକୁ ପାଶ୍ଚାତ୍ୟ ବୈଜ୍ଞାନିକମାନେ କହୁଥିଲେ ଶୁଖିଲା ଟାଙ୍ଗରା ଭୂଇଁ । ଏହି ବାଦାମୀ ରଙ୍ଗରୁ ସେମାନେ କହୁଥିଲେ ସାରା ମଙ୍ଗଳ ଗ୍ରହ କେବଳ ଶୁଷ୍କ ମରୁଭୂମିରେ ପୂର୍ଣ୍ଣ । ସେଠାରେ ଜୀବଜଗତ୍‌ ବା ସଭ୍ୟ ମଣିଷସମାଜ ଅଛି ବୋଲି ସେମାନେ ଫାଙ୍କି ଉଡ଼ାଇ ଦେଉଥିଲେ ।’’

 

ଆଲେସ୍କି ମୁହଁ ଉଠାଇ ଆଣିବା ପରେ ଲେନା ପୁଣି ମୁହଁଦେଇ ଆରକ୍ତ ଗ୍ରହଟିକୁ ଆଉ ଥରେ ଅନାଇବାକୁ ଲାଗିଲା । କ’ଣ ଦେଖିଲା କେଜାଣି କିଛି ସମୟ ପରେ ପୁଣି ପାଟି କରି ଉଠିଲା–‘‘ସେମାନଙ୍କ ପର୍ଯ୍ୟବେକ୍ଷଣ ଓ ଅନୁସିଦ୍ଧାନ୍ତ ନିହାତି ଭୁଲ ଆଲେସ୍କି ! ନିହାତି ଭୁଲ୍‌ ! ସେମାନେ ଯାହାକୁ ଶୁଖିଲା ଟାଙ୍ଗରା ଭୂଇଁ ବୋଲି କହି ମଙ୍ଗଳ ଗ୍ରହକୁ ଏକ ମେରୁ ପ୍ରଦେଶ ବୋଲି ପ୍ରଚାର କରି ସେଠାକାର ଜୀବଜଗତ୍‌କୁ ହସି ଉଡ଼ାଇ ଦେଉଥିଲେ, ତାହା କଦାପି ଟାଙ୍ଗରା ଭୂଇଁ ହୋଇନପାରେ ହେଇ, ଦେଖ ଆଲେସ୍କି, ଏହି ବାଦାମୀବର୍ଣ୍ଣ ଭିତରେ କିପରି କଳା କଳା ଗାରବେଷ୍ଟିତ ଆୟତକ୍ଷେତ୍ର ବର୍ଗକ୍ଷେତ୍ର ଆଦି ଫୁଟିଉଠୁଛି ।’’

 

‘‘ଆଁ, କଳା ଗାରବେଷ୍ଟିତ ଆୟତକ୍ଷେତ୍ର ?’’ ଆଲେସ୍କି ଚମକି ପଡ଼ି କହିଲେ ‘‘କ’ଣ କହୁଚ ତୁମେ ?’’

 

ଲେନା ଦୂରବୀକ୍ଷଣ ଉପରୁ ମୁହଁ ଉଠାଇବା ପୂର୍ବରୁ ସେ ତରତର ହୋଇ ଦୂରବୀକ୍ଷଣଠାକୁ ମୁହଁ ନେଇ ଅନାଇବାକୁ ଚେଷ୍ଟାକଲେ । ଫଳରେ ଅତର୍କିତ ଭାବରେ ଲେନାର ଆରକ୍ତ କପୋଳ ସହିତ ତାଙ୍କ ମୁହଁ ଘଷି ହୋଇଗଲା । କିନ୍ତୁ ସେଥିପ୍ରତି ଆଲେସ୍କି ଭ୍ରୂକ୍ଷେପ ନକରି ଆବିଷ୍କାରର ଉନ୍ମଦନା ଭିତରେ ଦୂରବୀକ୍ଷଣ ଦେଇ ମଙ୍ଗଳ ଗ୍ରହକୁ ଏପଟ ସେପଟ କରି ନିରୀକ୍ଷଣ କରିବାକୁ ଲାଗିଲେ । ନଜର ଏହିଭଳି ଭୁଲ ପାଇଁ ସେ ଆଦୌ ଶୋଚନା କରି ନଥିଲେ ଏବଂ ସେଥିପାଇଁ ଅପର ଜଣକ କଳ୍ପନାର କେତେ ବଡ଼ ସୌଧ ଯେ ତୋଳୁଥିଲା ସେହି ମହାଶୂନ୍ୟ ଭିତରେ, ତାହା ତାଙ୍କୁ ଜଣାଗଲା ନାହିଁ ।

 

ଲେନା ଏହି କ୍ଷଣିକ ଘଟନାରେ ଆକାଶ ପାତାଳ କେତେ କଣ ଭାବିଯିବାକୁ ଲାଗିଲା । ମଙ୍ଗଳ ଗ୍ରହର ଅଦ୍ଭୁତପୂର୍ବ ଆବିଷ୍କାର ସମ୍ମୁଖରେ ଏହି କ୍ଷଣିକ ଘଟଣାଟି ଆହୁରି ବଡ଼ ହୋଇ ଠିଆହେଲା । ମନ ଭିତରେ ଉଠିଲା ଝଡ଼ ପରେ ଝଡ଼ । ଶତ ଶତ ପ୍ରଶ୍ନବାଚକ ଚିହ୍ନ ତା ଆଖିପତା ଉପରେ ଘୂରିବୁଲିଲା–‘‘ଆଲେସ୍କି ତା’ହେଲେ କ’ଣ–?’’ ଆଉ ଭାବିପାରିଲାନି ଲେନା । ବିଦ୍ୟୁତ୍‌ ଶିହରଣ ପ୍ରାୟ ଏକ ଚମକ ଖେଳିଗଲା ତାର ଦେହ ସାରା । ଛାତି ତାର ଦୁର୍ବଳ ହୋଇଆସିଲା ଏହି ଭାବନାରେ ଅସ୍ଥିର ହୋଇ ।

 

ଲେନାର ଏଭଳି ମାନସିକ ପରିବର୍ତ୍ତନ ପ୍ରତି ତିଳେମାତ୍ର ଦୃଷ୍ଟି ନଦେଇ ଆଲେସ୍କି ଆନନ୍ଦରେ ଚିତ୍କାର କରି ଉଠିଲେ–

 

‘‘ଠିକ୍‌ କହୁଥିଲ ଲେନା, ତୁମେ ଠିକ୍‌ କହୁଥିଲ । ବାସ୍ତବିକ୍‌ ଏଗୁଡ଼ାକ ଟାଙ୍ଗରା ଭୂଇଁ ହୋଇପାରେନା । ମୋ ମତରେ ଏଗୁଡ଼ିକ ଏମାନଙ୍କର ବିରାଟ ପ୍ରାସାଦ ଛଡ଼ା ଆଉ କିଛି ହୋଇ ନପାରେ । ଏହି କଳା କଳା ଗାରଗୁଡ଼ିକ ସହରର ରାସ୍ତା ଛଡ଼ା ଆଉ କଣ ବୋଲି ତୁମେ ଭାବୁଛ ? ସବୁଜ ବର୍ଣ୍ଣର କୃଷିକ୍ଷେତ୍ର ଭିତରେ ଏହି ବାଦାମୀ ରଙ୍ଗର କୋଠାବାଡ଼ି ଓ ସେଥି ଭିତରେ କଳା କଳା ଗାରଗୁଡ଼ିକ ସହରର ରାସ୍ତା ଛଡ଼ା ଆଉ କିଛି ନୁହେଁ । କୃଷିକ୍ଷେତ୍ର ଭିତରେ ସହର ଓ ତା’ର କୋଠାବାଡ଼ି ଏବଂ ସହର ଭିତରେ ରାସ୍ତା ଆମକୁ ଏଭଳି ଦିଶିବା ଛଡ଼ା ଆଉ କିପରି ଦିଶିପାରେ ? ଏହି ବାଦାମୀ ରଙ୍ଗ ଭିତରେ ଠାଏ ଠାଏ ଈଷତ୍‌ନୀଳ ରଙ୍ଗର ସ୍ଥାନର ଯେ ସବୁ ଦିଶୁଛି, ସେଗୁଡ଼ିକ ସହର ଭିତରେ ବଡ଼ ବଡ଼ ପୁଷ୍କରିଣୀ ଓ ଜଳଭଣ୍ଡାର । ଏଥର ତୁମେ ଲକ୍ଷ୍ୟ କର ଲେନା, ଏହି ସବୁ ଈଷତ୍‌ ନୀଳ ଅଂଶକୁ ତୁମେ କ’ଣ ବୋଲି କହିବ ?’’

 

କହୁଁ କହୁଁ ଆବିଷ୍କାରର ଉତ୍ତେଜନା ଭିତରେ ଆଲେସ୍କି ଲେନାର କାନ୍ଧ ଉପରକୁ ତାଙ୍କର ସୁଦୀର୍ଘ ବାହୁଟି ବଢ଼ାଇଦେଇ ଲେନାର ମୁହଁକୁ ଦୂରବୀକ୍ଷଣ ନିକଟକୁ ଟାଣି ଆଣିଲେ । ଆବିଷ୍କାରର ତନ୍ମୟତା ତାଙ୍କୁ ଏତେ ପାଗଳ କରି ଦେଇଥିଲା ଯେ ସେହି କ୍ଷଣିକ ପାଇଁ ଆଉ କିଛି ଚିନ୍ତା କରିପାରିଲେ ନାହିଁ ।

 

ଆଲେସ୍କିଙ୍କର ଏଭଳି ବ୍ୟବହାରରେ ଲେନା ବଡ଼ ଦୁର୍ବଳ ହୋଇପଡ଼ିଲା । ଶରୀର ଭିତରେ ଘନ ଘନ ବିଦ୍ୟୁତ୍‌ ସ୍ଫୁଲିଙ୍ଗର ଚମକରେ ସେ ଅସ୍ଥିର ହୋଇ ଉଠିଲା । ମନ ଭିତରେ ଉଠିଲା ବିରାଟ ଝଡ଼ ଓ ଘୂର୍ଣ୍ଣିବାତ୍ୟା । ପ୍ରଶ୍ନ ପରେ ପ୍ରଶ୍ନ, ଅସଂଖ୍ୟ ପ୍ରଶ୍ନ ଉଠି ଅସ୍ଥିର କରି ପକାଇଲା ତାର ମନକୁ । ଆଲେସ୍କି କ’ଣ ତା’ ହେଲେ ତା’ ପ୍ରତି ଆସକ୍ତି ? ସେ ଯେତେ ଭାବିବାକୁ ଲାଗିଲା, ପ୍ରଶ୍ନଟି ଆହୁରି ଜଟିଳ ହୋଇ ମନ ଭିତରେ ଖେଳି ବୁଲିଲା । ଦୂରବୀକ୍ଷଣରେ ଆଖି ରଖି ମଧ୍ୟ ସେ ମଙ୍ଗଳ ଗ୍ରହର କିଛି ଦେଖିପାରିଲା ନାହିଁ ମଙ୍ଗଳ ଗ୍ରହର ସେହି ସବୁଜ ବାଦାମୀଆଦି ରଙ୍ଗ ଉଭେଇଯାଇ ସବୁ କିପରି ଚହଲିଗଲା ଭଳି ତାକୁ ଦିଶିଲା । ସେ ପାଗଳୀ ଭଳି ହଠାତ୍‌ ଦୂରବୀକ୍ଷଣରୁ ମୁହଁ ଉଠାଇ ଆଣି ଆଲେସ୍କିଙ୍କ ବେକ ଚାରିପାଖରେ ନିଜର ମୃଣାଳନିନ୍ଦୀ ବାହୁଯୁଗଳକୁ ବେଢ଼ାଇଦେଇ, ‘‘ଆଲେସ୍କି, ଆଲେସ୍କି, ପ୍ରାଣପ୍ରିୟ ଆଲେସ୍କି’’ କହି ଝୁଲିପଡ଼ିଲା । ମୁଖରେ ତା’ର ଖର ନିଃଶ୍ୱାସ । ହୃଦୟର ସ୍ପନ୍ଦନ ତୀରବେଗରେ ବଢ଼ି ଚାଲିଥାଏ । ଆଲେସ୍କିଙ୍କୁ ନିଜର ଉନ୍ନତ ବକ୍ଷ ସହିତ ଭିଡ଼ିଧରି ତାଙ୍କ କପୋଳ ଉପରେ ଗାଢ଼ ଚୁମ୍ୱନର ଏକାଧିକ ରକ୍ତିମ ଗାର ଟାଣିଦେଲା ।

 

ଲେନାର ହଠାତ୍‌ ଏଭଳି ବ୍ୟବହାରରେ ଆଲେସ୍କି ପ୍ରକୃତିସ୍ଥ ହୋଇପଡ଼ିଲେ । ଲେନା ଯେ ପ୍ରକୃତରେ କ’ଣ ଚାହେଁ ସେ ଭାବି ପାରିଲେ ନାହିଁ । ଲେନା ତ କେବେ ଏଭଳି ବ୍ୟବହାର ତାଙ୍କ ପ୍ରତି ଦେଖାଇ ନାହିଁ । ଆଜି ସେ ହଠାତ୍‌ ଏପରି ଉତ୍ତେଜିତା କାହିଁକି ? ଆବିଷ୍କାରର ଉନ୍ମାଦନାରେ ସେ ଆଜି ଉତ୍ତେଜିତା ନା କ’ଣ ?

 

‘‘ଲେନା, ଲେନା’’ ଡାକି ଆଲେସ୍କି ଲେନାକୁ ପ୍ରକୃତିସ୍ଥ କରିବାକୁ ଚେଷ୍ଟାକଲେ । ସେତେବେଳକୁ ଲେନା ଆଲେସ୍କିଙ୍କୁ ନିଜ ଛାତି ସହିତ ଭିଡ଼ିଧରି ଆଖି ବୁଜି ଦେଇଥିଲା ତାଙ୍କ ବକ୍ଷ ଭିତରେ , ସତେ ଯେପରି ଆଲେସ୍କିଙ୍କର ସ୍ୱର ତା’ର କର୍ଣ୍ଣକୁହର ଭିତରକୁ ପଶି ପାରୁନାହିଁ । ଆଲେସ୍କି ନିଜକୁ ଲେନାର ବନ୍ଧନରୁ ମୁକୁଳାଇବାକୁ ଆହୁରି ଥରେ ଚେଷ୍ଟାକରି ବିଫଳ ହେଲେ । ଲେନାର ବାହୁବନ୍ଧନ ଭିତରେ ରହି ତାହାକୁ ହଲାଇଦେଇ ସେ ହାକିଲେ, ‘‘ଲେନା, ଲେନା, ତୁମେ ହଠାତ୍‌ ଏପରି ହୋଇ ପଡ଼ିଲ ଯେ ।’’

 

ଧୀରେ ଧୀରେ ଲେନା ଆଖି ଖୋଲି କହିଲା–‘‘ଆଲେସ୍କି , ଜୀବନର ଏହି ମୁହୂର୍ତ୍ତଟି କେଡ଼େ ଆନନ୍ଦଦାୟକ କୁହ ତ ? କୁହ, କୁହ ଆଲେସ୍କି !’’–କହୁଁ କହୁଁ ଆଲେସ୍କିଙ୍କୁ ଆହୁରି ଜୋର୍‌ରେ ହଲାଇଦେଲା ଲେନା ।‘‘ ଏହି ମୁହୂର୍ତ୍ତଟିକୁ ମୁଁ କେବେ ଭୁଲି ପାରିବି ନାହିଁ ଆଲେସ୍କି !

 

ମୋ ଜୀବନରେ ଏହି ମୁହୂର୍ତ୍ତଟି ଚିର ଆରାଧ୍ୟ ହୋଇ ରହିବ ପ୍ରିୟତମ ।’’

 

‘‘ଲେନା ! ତୁମେ କ’ଣ ଯେ ଚାହୁଁଛ ମୁଁ ଭାବି ପାରୁନି ।’’

 

‘‘ତୁମେ ଭାବି ପାରିବ ନାହିଁ ଆଲେସ୍କି !’’ ଆଲେସ୍କିଙ୍କର ଉଜ୍ଜ୍ୱଳ ମୁଖକୁ କ୍ଷଣିକ ପାଇଁ ଅନାଇ ପୁଣି ଆଖି ବୁଜି ଦେଲା ଲେନା ।‘ ମୋ ଜୀବନର ସବୁ ମୁଁ ପାଇସାରିଛି । ସାରା ବିଶ୍ୱରେ ମୁଁ ଆଜି ସବୁଠାରୁ ସୁଖୀ । ମଙ୍ଗଳ ଗ୍ରହ ସମ୍ୱନ୍ଧରେ ତୁମର ଏହି ଆବିଷ୍କାର ଯେତେ ଆନନ୍ଦନାୟକ ନୁହେଁ, ମୋର ଏହି ସୁଖମୟ ମୁହୂର୍ତ୍ତଟି ତା’ଠାରୁ ଅଧିକ ସୁଖମୟ ଓ ଆନନ୍ଦଦାୟକ ।’’

 

ସେତେବେଳକୁ ଲେନାର ବାହୁଦ୍ୱୟ ଆଲେସ୍କିଙ୍କର ବେକ ଚାରିପାଖରୁ କଟୀ ଉପରକୁ ଖସି ଆସୁଥିଲା । ଲେନାର ଘନ ଘନ ଚୁମ୍ବନରେ ଆଲେସ୍କିଙ୍କର କପୋଳ ହୋଇଉଠିଥିଲା ଗାଢ଼ ଆରକ୍ତ ।

 

ହଠାତ୍‌ କାହାର ଆସିବା ଶବ୍ଦରେ ଲେନା ପ୍ରକୃତିସ୍ଥା ହୋଇପଡ଼ିଲା । ଆଲେସ୍କିଙ୍କୁ ନିଜ ବାହୁପାଶରୁ ମୁକୁଳାଇ ଦେଇ ନିକଟବର୍ତ୍ତୀ ଇଜି ଚେୟାରରେ ଯାଇ ବସିପଡ଼ିଲା । ପାଦଠାରୁ ମୁଣ୍ଡ ପର୍ଯ୍ୟନ୍ତ ତାର ଝିମ୍‌ଝିମ୍‌ ହୋଇଗଲା । ଶରୀର ତା’ର ଦୁର୍ବଳତାରେ ଅବଶ ହୋଇ ପଡ଼ିଥିଲା । ସେ ଆଖି ବୁଜିଦେଇ ନିଜର ଏହି କ୍ଷଣିକ ଉନ୍ମାଦନା ସମ୍ୱନ୍ଧରେ ଭାବିବାକୁ ଲାଗିଲା । ନିଜକୁ ସେ ଏତେ ଲଜ୍ଜିତା ମନେ କରୁଥିଲା ଯେ, ଉଠିଯାଇ ଦୁଆର ଫିଟାଇବାକୁ ସାହସ ହେଉ ନଥିଲା ।

 

ଆଲେସ୍କି ଲେନାର ବାହୁବନ୍ଧନରୁ ମୁକ୍ତ ହୋଇ କ୍ଷିପ୍ରଗତିରେ ଯାଇ ଦୁଆର ଖୋଲିଦେଲେ । ନିଜର ଲଜ୍ଜିତ ଅବସ୍ଥା ଓ କପୋଳରେ ରକ୍ତରାଗର ଚିହ୍ନ ବଡ଼ ଅଡ଼ୁଆରେ ପକାଉଥିଲା ତାଙ୍କୁ କିଏ ଯଦି ତାଙ୍କ ଏଭଳି ଅବସ୍ଥାରେ ଦେଖେ, ତେବେ ସେ କ’ଣ ମନେ କରିବ ଭାବି ଆଲେସ୍କି ବଡ଼ ଅସ୍ଥିର ହୋଇପଡ଼ିଲେ । ସେ ତରତର ହୋଇ ପକେଟରୁ ରୁମାଲ ବାହାର କରି ନିଜ କପୋଳକୁ ବାରମ୍ୱାର ପୋଛିବାକୁ ଲାଗିଲେ, ଚୁମ୍ୱନର ଲାଲ ଚିହ୍ନକୁ ନିଭାଇ ଦେବାପାଇଁ-। ଅନ୍ୟମାନଙ୍କ କଥା ଆଉ, ମେରିନା ଯଦି ଦେଖେ ସେ କ’ଣ ଭାବିବ ?

 

ଏହିଭଳି କେତେ କ’ଣ ଭାବି ଆଲେସ୍କି ନିଜ କପୋଳକୁ ଭଲଭାବରେ ପୋଛୁଁ ପୋଛୁଁ: ମେରିନା ବାହାର ଆଡ଼ୁ ଦୌଡ଼ିଆସିଲା ଆଲେସ୍କିଙ୍କୁ ଖୋଜି ଖୋଜି । ଚଳଚ୍ଚିତ୍ର ଉଠା କ୍ୟାମେରା ହଠାତ୍‌ କ’ଣ ଖରାପ ହୋଇଯିବାରୁ ସେ ସଜାଡ଼ି ନ ପାରି ଆଲେସ୍କିଙ୍କୁ ଡାକି ଆସିଥିଲା । ଆଲେସ୍କିଙ୍କୁ କେନ୍ଦ୍ର ପର୍ଯ୍ୟବେକ୍ଷଣାଗାରରୁ ବାହାରି ଆସୁଥିବା ଦେଖି ତାଙ୍କ ନିକଟକୁ ଦୌଡ଼ିଆସିଲା ଖବର ଦେବା ପାଇଁ ।

 

‘ଆଲେସ୍କି, ଆଲେସ୍କି’’ ଡାକି ମେରିନା ଯାଇ ଠିଆ ହୋଇପଡ଼ିଲା ଆଲେସ୍କିଙ୍କ ଆଗରେ-। ଗାଲ ପୋଛୁଥିବା ରୁମାଲକୁ ଆଲେସ୍କିଙ୍କ ହାତରୁ ଛଡ଼ାଇ ନେଇ ଗେହ୍ଲେଇ ହୋଇ କହିଲା, ‘‘ତୁମ କ୍ୟାମେରା ହଠାତ୍‌ ଖରାପ ହୋଇଗଲା ଆଲେସ୍କି–ମୁଁ ଫଟୋ ନେଉଁ ନେଉଁ । ମୋ ଦୋଷ ଧରିବ ନାହିଁ, କୁହ ।’’

 

‘‘କାହିଁକି ଧରିବ ନାହିଁ ? ତୁମେ କ୍ୟାମେରା ଖରାପ କଲ ଅଥଚ ତୁମ ଦୋଷ ଧରିବି ନାହିଁ ? ବାଃ ! ତୁମେ ତ ବେଶ୍‌ ସିହାଣିଆ ?’’

 

‘‘ବାଃରେ, ତୁମେ ତ ଆଚ୍ଛା ଲୋକ । ମୋତେ ଫଟୋ ନେବାକୁ କହିଲ କାହିଁକି ତାହାହେଲେ ? ମୁଁ କ’ଣ ଜାଣିଶୁଣି ତୁମ କ୍ୟାମେରାକୁ ଖରାପ କରିଦେଲି ?’’

 

ଏହା କହି ହାତରେ ଧରିଥିବା ରୁମାଲଟାକୁ ଆଲେସ୍କିଙ୍କ ମୁହଁ ଉପରେ ପକାଇଦେଇ ତାଙ୍କ ଗତିପଥକୁ ବନ୍ଦ କରିବାକୁ ଚେଷ୍ଟାକଲା ମେରିନା । ହଠାତ୍‌ ରୁମାଲ ଉପରେ ଲାଲଚିହ୍ନ ଦେଖି ସେ ଚମକି ଉଠିଲା ।’’ ତୁମ ରୁମାଲରେ ରକ୍ତ ନା କ’ଣ ଆଲେସ୍କି ?’’ ଏ କ’ଣ ଲାଗିଛି ଏଥିରେ ?’’ ଏହା କହି ସେ ଆଲେସ୍କିଙ୍କର ରୁମାଲକୁ ନେଇ ଭଲ ଭାବରେ ପରୀକ୍ଷା କରିବାକୁ ଲାଗିଲା ।

 

‘‘ନା, ଏ କିଛି ନୁହେଁ ମେରିନା, କେଉଁଠୁ ନାଲିକାଳି ଲାଗିଯାଇଥିବ ଏଥିରେ ।’’

 

‘‘ନାଲିକାଳି ? କେଉଁଠୁ ଆସିଲା ? ତୁମେ ତ କେନ୍ଦ୍ର ପର୍ଯ୍ୟବେକ୍ଷଣାଗାରକୁ ଯିବା ପୂର୍ବରୁ ରୁମାଲରେ କିଛି ଲାଗିନଥିଲା । ପର୍ଯ୍ୟବେକ୍ଷଣାଗାରରେ ଲାଲକାଳି ତ କେଉଁଠି ନାହିଁ ।’’

 

ଆଲେସ୍କି ମେରିନାକୁ ଭୁଲାଇବା ଉଦ୍ଦେଶ୍ୟରେ କଥାର ପ୍ରସଙ୍ଗ ବଦଳାଇବା ପାଇଁ ଚେଷ୍ଟା କଲେ । କିନ୍ତୁ ମେରିନା ନଛୋଡ଼ବନ୍ଦା । ସେ ରୁମାଲଟିକୁ ଭଲଭାବରେ ପରୀକ୍ଷା କରି ଏହା କ’ଣ ହୋଇପାରେ ଭାବିବାକୁ ଲାଗିଲା । ‘‘ମୁଁ ଏହାକୁ ନେଉଛି ଆଲେସ୍କି, ଷ୍ପେକଟୋସକୋପି ରୁମ୍‌ରେ ପରୀକ୍ଷା କରି ତୁମକୁ କହିଦେବି ଏହି ଲାଲରଙ୍ଗ ଲାଗିଲା କେଉଁଥିରୁ ।’’ ଏହା କହି ମେରିନା ରୁମାଲଟିକୁ ନେଇ ନିଜ ସେମିଜ୍ ତଳେ ଗୁଞ୍ଜି ଦେଲା ।

 

ମେରିନାର ଏଭଳି କାର୍ଯ୍ୟରେ ଆଲେସ୍କିଙ୍କ ମୁହଁ ଶୁଖିଗଲା । ମେରିନା ଯଦି ଜାଣିପାରେ ଯେ ଏହି ଲାଲରଙ୍ଗ ଲେନା ଓଠର ରଙ୍ଗ ଓ ଏହା ତାଙ୍କ ଗାଲରୁ ଏଥିରେ ଲାଗିଛି, ତେବେ ମେରିନା କଅଣ ଭାବିବ ! ମେରିନାର ଅଟଳ ବିଶ୍ୱାସ ଆଉ ତାଙ୍କ ଉପରେ ରହିବଟି ? ଏହା ଆଲେସ୍କିଙ୍କୁ ଅସ୍ଥିର କରି ପକାଇଲା ଅଧିକ ।

Image

 

ଆଠ

 

‘‘ଡିରେକ୍ଟର ଭିତରେ ଅଛନ୍ତି କି ମିସ୍ ଏଲିନା ?’’ କହୁଁ କହୁଁ ଅଫିସ ଭିତରକୁ ପଶିଆସିଲା ମେରିନା । ସ୍ୱରରେ ଚଞ୍ଚଳତାର ଏକ ତୀବ୍ର ଭାବ ଫୁଟିଉଠୁଥିଲା ।

 

ଫାଇଲ୍ ଉପରୁ ମୁହଁ ଉଠାଇ ମେରିନା ଆଡ଼କୁ ଅନାଇଲା ଏଲିନା ।

 

‘‘ଡିରେକ୍ଟରଙ୍କୁ ଦେଖା କରିବା କଅଣ ଆପଣଙ୍କର ନିହାତି ଜରୁରୀ ? ବର୍ତ୍ତମାନ ନ ହେଲେ ଚଳିବନି ?’’

 

ଏଲିନାର ଏଭଳି ପ୍ରଶ୍ନରେ ମେରିନା ଆଶ୍ଚର୍ଯ୍ୟ ହୋଇ ପଡ଼ିଲା–‘‘ଡିରେକ୍ଟରଙ୍କୁ ଦେଖା କରିବା ପାଇଁ ଆଜି ଏତେ ଅନୁମତି ଲୋଡ଼ା କାହିଁକି ? ଭିତରେ ଆଉ କେହି ଅଛନ୍ତି କି ?’’

 

‘‘ନାଁ,–ହଁ, ହଁ, ମିସ୍ ଲେନା ଭିତରେ ଅଛନ୍ତି । ଆଜି ସକାଳେ ଉପଗ୍ରହର ଜ୍ୟୋତିର୍ବିଦମାନଙ୍କର ଏକ ସମ୍ମିଳନୀ ବସିଥିଲା । ମଙ୍ଗଳ ଗ୍ରହର ଯେଉଁସବୁ ପର୍ଯ୍ୟବେକ୍ଷଣ କରାଗଲା ଓ ଚଳଚ୍ଚିତ୍ର ସବୁ ଉଠାଗଲା, ସେ ସବୁର ଆଲୋଚନା ହୋଇ ଏକ ମିଳିତ ବିବରଣୀ ଗ୍ରହଣ କରାଗଲା । ଉପଗ୍ରହର ପର୍ଯ୍ୟବେକ୍ଷଣକୁ ଅନାଇ ବସିଥିବା ଜ୍ୟୋତିର୍ବିଦମାନଙ୍କ ପାଇଁ ସେହି ବିବରଣୀଗୁଡ଼ିକ କିପରି ଭାବରେ ପୃଥିବୀକୁ ପଠାଇ ଦିଆଯିବ ତାହା ଉପରେ ଆଲୋଚନା ହୋଇ ସିଦ୍ଧାନ୍ତ ଗ୍ରହଣ କରାଗଲା । ସମ୍ମିଳନୀ ଶେଷ ହୋଇ ସଭ୍ୟମାନେ ବିଦାୟ ହୋଇଗଲେଣି; କେବଳ ମିସ୍ ଲେନା ଭିତରେ ଅଛନ୍ତି । ବୋଧହୁଏ, ଆଉ କୌଣସି ଏକ ଜରୁରୀ ବିଷୟରେ ଆଲୋଚନା ଚାଲିଛି ।’’

 

‘‘ଓଃ, ତା’ହେଲେ କେବଳ ମିସ୍ ଲେନା ଭିତରେ ଅଛନ୍ତି ?’’ ଏହା କହି ଡିରେକ୍ଟରଙ୍କ ଅଫିସ୍ ଭିତରକୁ ପଶିବାକୁ ଲାଗିଲା ମେରିନା–ଏଲିନାର କଥାପ୍ରତି ଆଉ ଦୃଷ୍ଟି ନ ଦେଇ । କିନ୍ତୁ କିଛି ଦୂର ପଶିଯାଇ ଯାହା ଦେଖିଲା, ସେଥିରେ ତା’ର ତାଳୁଠାରୁ ତଳିପା ପର୍ଯ୍ୟନ୍ତ ଗରମ ହୋଇଗଲା ।

 

ଅଫିସ ଗୃହରୁ ମଧ୍ୟସ୍ଥଳରେ ବସିଛନ୍ତି ଆଲେସ୍କି ତାଙ୍କ ଚେୟାରରେ, ଆଉ ଗୋଟିଏ ପାଖ ଚେୟାରରେ ବସିଥିଲା ଲେନା । ଲେନାର ଆଭରଣବିହୀନ ସରଳ ସୁଗୋଲ ବାହୁଦ୍ୱୟ ଆଲେସ୍କିଙ୍କର ବେକ ଚାରିପାଖରେ ବେଢ଼ିଥିଲା ଏବଂ ଲେନା ଝୁଲି ପଡ଼ିଥିଲା–ଆଲେସ୍କିଙ୍କର ସୁଦୀର୍ଘ ବକ୍ଷ ସହିତ ନିଜର ଲୋଭନୀୟ ବକ୍ଷକୁ ଅସ୍ୱାଭାବିକ ଭାବେ ଜଡ଼ାଇ ଧରି ।

 

ଏହି ଦୃଶ୍ୟ ଦେଖି ମେରିନାର ଦେହ ଗୋଟାସାରା କମ୍ପିବାକୁ ଲାଗିଲା । ଇସ୍ପାତ୍ ଚଟାଣ ସତେ ଯେପରି ତଳକୁ ତଳକୁ ଦବିଯାଇଛି ! ସାରା ଉପଗ୍ରହଟି ଏପଟ ସେପଟ ହୋଇ ସତେ ଯେପରି ଘୂରିବାକୁ ଆରମ୍ଭ କରିଛି, ଅକୂଳ ସମୁଦ୍ରରେ ଘୂର୍ଣ୍ଣିବାତ୍ୟାରେ ନୌକା ଦୋହଲିଲା ଭଳି । ଆଉ ସେହି ଦୃଶ୍ୟ ଦେଖିବାକୁ ଧୈର୍ଯ୍ୟ ରହିଲାନି ତା’ର । ସେ ତରତର ହୋଇ ବାହାରିଆସିଲା ରୁମ୍‌ରୁ । ମୁଣ୍ଡ ତା’ର ଝିମଝିମ୍ ହୋଇ ଉଠିଲା । ଅଣନିଶ୍ୱାସୀ ହୋଇ ସେ ଦୌଡ଼ିଲା ନିଜ କୋଠରି ଆଡ଼କୁ । କୋଠରି ଭିତରକୁ ପଶିଯାଇ ଭିତରୁ ଦୁଆର କିଳିଦେଇ ସେ ପଡ଼ିଗଲା ନିଜର ଶେଯ ଉପରେ । ଆଖିରେ ଲୁହ ଭରିଯାଇଥିବାରୁ ସେ କିଛି ଦେଖି ପାରୁ ନଥିଲା ।

 

ସେତେବେଳକୁ କୃଷ୍ଣ ଆକାଶର ଶତଦୀପ୍ତ ସୂର୍ଯ୍ୟ ଦିଗବଳୟରେ ବୁଡ଼ିଯାଉଥିଲେ । ସୂର୍ଯ୍ୟଙ୍କ ଅନୁପସ୍ଥିତିରେ ଘନ ଅନ୍ଧକାର ଘୋଟିଯିବାକୁ ବସିଥିଲା ସାରା ଉପଗ୍ରହଟିରେ ଯଦିଚ ଏଠି ରାତ୍ରି ତିନିଘଣ୍ଟାରୁ ଅଧିକ ସମୟ ରହେନାହିଁ ଓ ପୃଥିବୀର ଗୋଟାଏ ଦିନ ଭିତରେ ଏଠାରେ ତିନିଥର ଦିନ ଓ ତିନିଥର ରାତି ହୁଏ, ଏଠାରେ ରାତିର ଆଗମନକୁ ପୃଥିବୀଭଳି ବିଶ୍ରାମର ସମୟରୂପେ କେହି ଅଭିନନ୍ଦନ କରିବାକୁ ସୁଯୋଗ ପାଆନ୍ତି ନାହିଁ ।

 

ମେରିନା ନିଜ ବିଛଣାରେ ପଡ଼ି କେତେ କ’ଣ ଆକାଶପାତାଳ ଭାବିବାକୁ ଲାଗିଲା । ଲେନା ଓ ଆଲେସ୍କିଙ୍କର ସେହି ଦୃଶ୍ୟ ଆଖିଆଗରେ ବାରମ୍ବାର ନାଚିଉଠୁଥାଏ ଚଳଚ୍ଚିତ୍ରର ରୂପେଲି ପରଦା ଭଳି । ଲେନାର ସେହି କଥାଗୁଡ଼ିକ କାନ ପାଖରେ ଶୁଭିଯାଉଥାଏ । ଥରକୁଥର ଦୁଇ ଆଖିରୁ ଲୋତକସ୍ରୋତ ଅବିରାମ ଗତିରେ ବହି ଶେଯ, ତକିଆ ଆଦିକୁ କେତେବେଳୁଁ ଓଦା କରି ସାରିଲାଣି, ମେରିନାର ସେ ଆଡ଼କୁ ଖିଆଲ୍ ନାହିଁ । ଭାବନା ପରେ ଭାବନା ଆସି ମନକୁ ଅସ୍ଥିର କରିପକାଉଥାଏ । ସେ ଭାବିବାକୁ ଲାଗିଲା–

 

‘ଏଇଥିପାଇଁ କଣ ଆଲେସ୍କି ମୋତେ ଏ ଉପଗ୍ରହରେ ଆସିବାକୁ ମନା କରୁଥିଲେ ? ଲେନା ଯେତେବେଳେ ଆସୁଛି, ସେତେବେଳେ ମୋ ଆସିବା କାଳେ କିଛି ଗୋଳମାଳ ସୃଷ୍ଟି କରିବ, ଏହି ଭୟରେ ସେ କ’ଣ ମୋତେ ଏତେ ଜିଦ୍ ଧରି ନିବର୍ତ୍ତାଉଥିଲେ ? ଓଃ, ଏଥର ଜଣାପଡ଼ିଲା, ତାଙ୍କର ସେହି ଯୁକ୍ତିଗୁଡ଼ିକ କେଉଁଥିପାଇଁ ଉଦ୍ଦିଷ୍ଟ ଥିଲା ।’

 

ଅଜାଣତରେ ହତାଶର ଏକ ଖର ନିଃଶ୍ୱାସ ବାହାରିପଡ଼ିଲା ତା’ ମୁଖରୁ । ପୁଣି ପର ମୁହର୍ତ୍ତରେ ସେ ଭାବିବାକୁ ଲାଗିଲା–‘ହଁ, ନ ହେବ କାହିଁକି ? ଲେନା ଯେତେବେଳେ ତାଙ୍କର ସହକର୍ମୀ, ଏକା ମାନମନ୍ଦିରରେ କାମ କରନ୍ତି, ସେତେବେଳେ ଉଭୟେ ଉଭୟଙ୍କୁ ଭଲ ପାଇବାରେ କ୍ଷତି କେଉଁଠି ? ପୁଣି ଲେନା ସୁନ୍ଦରୀ, ଅବିବାହିତା, ତା’ର ସେ ହସହସ ମୁଖ ଓ ଢଳଢଳ ଆଖିରେ କିଏ ଝାସ ନ ଦେବ ? ଏଣେ ଆଲେସ୍କି ସୁନ୍ଦର, ବଳିଷ୍ଠ, ଉଚ୍ଚ କର୍ମରେ ନିଯୁକ୍ତ । ଜୀବନରେ ସେ ଭଳି ଲୋକକୁ ସ୍ୱାମୀ ଭାବରେ ପାଇବାକୁ କିଏ ବା ଲାଳାୟିତ ନ ହେବ ? ଲେନା ଯଦି ଏ ଦିଗରେ ଆଗେଇ ପାରିଥାଏ, ତେବେ ସେଥିରେ ଆଶ୍ଚର୍ଯ୍ୟ ହେବାର କ’ଣ ଅଛି ? ଲେନା ତ ଜାଣିନି ଯେ ମୁଁ ଆଲେସ୍କିଙ୍କୁ ଏତେ ଭଲ ପାଏ । ଆମ ଭିତର ସମ୍ପର୍କକୁ ମୁଁ ତ କେବେ ଲେନା ଆଗରେ ପ୍ରକାଶ କରିନି । ତେଣୁ ସେ ପରିସ୍ଥିତିରେ ଲେନାକୁ ଦୋଷ ଦେଇ ଲାଭ କଅଣ ? ଲେନା ଯେତେବେଳେ ତା’ର ପ୍ରେମଅର୍ଘ୍ୟ ଢାଳି ଦେଇଥିବ ଆଲେସ୍କିଙ୍କ ପାଦପଦ୍ମରେ, ଆଲେସ୍କି ପ୍ରତ୍ୟାଖ୍ୟାନ କରିଥିଲେ ସିନା ଲେନା ସେ ପଥରୁ କ୍ଷାନ୍ତ ହୋଇଥାନ୍ତା । ଆଲେସ୍କି ଯଦି ନିଜର ଦୁର୍ବଳତାବଶତଃ ସେତକ କରି ପାରି ନ ଥାନ୍ତି ଏବଂ ଲେନା ଯଦି ସେ ଦିଗରେ ବେଶୀ ଆଗେଇ ଯାଇଥାଏ, ତେବେ ତାକୁ ଦୋଷ ଦେଇ ଲାଭ କଅଣ ? ଏହାକୁ ମୋ ନିଜର ଭାଗ୍ୟଫଳ ବୋଲି ନ ଭାବି ବା କାହିଁକି ? ଲେନା ଓ ଆଲେସ୍କିଙ୍କ ଭିତରେ ଯଦି ଏହି ପ୍ରେମ ଖୁବ୍ ଗାଢ଼ତର ହୋଇ ନ ଥାନ୍ତା, ତେବେ ମୁଁ ଆଜି କ’ଣ ସେମାନଙ୍କୁ ସେଭଳି ଅବସ୍ଥାରେ ଦେଖିବାକୁ ପାଇଥାନ୍ତି ?’

 

ଏହି କଥା ଭାବୁଁ ଭାବୁଁ ପୁଣି ଆଉ ଏକ ପ୍ରଶ୍ନ ମେରିନାର ମନରେ ଉଠିଲା, ‘ଆଲେସ୍କି ଯଦି ଲେନାକୁ ପ୍ରକୃତରେ ଭଲ ପାଉଥାନ୍ତେ ଓ ସେମାନଙ୍କର ଏହି ପ୍ରେମ ଯଦି ଖୁବ୍ ଗାଢ଼ତର ହୋଇଥାନ୍ତା, ତେବେ ଲେନାର ସେଭଳି ଅବସ୍ଥାରେ ଆଲେସ୍କି ତ ତାହାକୁ ଆଲିଙ୍ଗନ କରି ଧରିଥାନ୍ତେ ? କିନ୍ତୁ ତା’ପରିବର୍ତ୍ତରେ ଲେନା କେବଳ ଆଲେସ୍କିଙ୍କ କୋଳରେ ଝୁଲିପଡ଼ିଥିଲା କାହିଁକି-? ଲେନା ସେତେବେଳେ ଯେଉଁ ଦୁର୍ବଳ ଅବସ୍ଥାରେ ଥିଲା, ଆଲେସ୍କିଙ୍କର ତା’ପ୍ରତି ପୂର୍ବରୁ କିଛି ଦୁର୍ବଳତା ଥିଲେ, ସେତ ଆହୁରି ଆଗେଇଯାଇ ପାରିଥାନ୍ତେ ! ତାହେଲେ କ’ଣ ?’

 

ଏଭଳି ଶତ ଶତ ପ୍ରଶ୍ନର ବିରାଟ ଗୋଲକଧନ୍ଦା ଭିତରେ ମେରିନା କୌଣସି ସିଦ୍ଧାନ୍ତରେ ପହଞ୍ଚି ନ ପାରି ପ୍ରଶ୍ନରୂପକ ସାଗରରେ ଥଳକୂଳ ନ ପାଇ ଏପଟ ସେପଟ ହୋଇ ଭାବିବାକୁ ଲାଗିଲା ।

 

ହଠାତ୍ ଦୁଆରେ କାହାର ଠକ୍ ଠକ୍ ଶବ୍ଦରେ ମେରିନାର ଚିନ୍ତାର ଖିଅ ଛିଡ଼ିଗଲା । ସେ ଆଖିରୁ ଲୁହତକ ପୋଛିଦେଇ ଦୁଆର ଖୋଲିଦେଲା । ଦୁଆର ମୁହଁରେ ହସହସ ମୁହଁରେ ଠିଆ ହୋଇଥିଲା ଲେନା । କୋଠରି ଭିତରକୁ ପଶିଆସି କହିଲା–‘‘ମୁଁ ଏଲିନାଠାରୁ ଶୁଣିଲି ତୁମେ ଆଲେସ୍କିଙ୍କୁ ଦେଖାକରିବାକୁ ଯାଇ ଫେରିଆସିଲ ? ମୁଁ ଭିତରେ ଥିଲି ବୋଲି ତୁମର କ’ଣ କିଛି ଅସୁବିଧା ହେଲା ଭଉଣୀ ? କଲିଙ୍ଗ୍ ବେଲ୍ ଚିପିଥିଲେ ତ ମୁଁ ବାହାରି ଆସିଥାନ୍ତି ।’’

 

ମେରିନା ନିଜ ହୃଦୟର ବେଦନାକୁ ଚପାଇ ମୁହଁରେ କୃତ୍ରିମ ହସ ଫୁଟାଇ କହିଲା, ‘‘ନାଇଁ ଭଉଣୀ, ମୁଁ ପଶିଯାଉଥିଲି, ହଠାତ୍ ଦୁଆରମୁହଁ ପାଖରେ ମୋର ମନେ ପଡ଼ିଗଲା ଯେ ମୁଁ ଯେଉଁ ବିଷୟ ସମ୍ବନ୍ଧରେ ଡିରେକ୍ଟରଙ୍କ ସହିତ କଥାବାର୍ତ୍ତା କରିବାକୁ ଯାଉଥିଲି ତତ୍‌ସମ୍ବନ୍ଧୀୟ କାଗଜପତ୍ର ମୋ ରୁମ୍‌ରେ ଛାଡ଼ିଯାଇଛି । ତେଣୁ ଭିତରକୁ ନ ଯାଇ ଦୁଆରୁ ଫେରିଆସିଲି ସେଗୁଡ଼ିକୁ ନେଇଯିବାପାଇଁ । ଆସି ରୁମ୍‌ରେ ପଶିଛି କି ନାହିଁ, ହଠାତ୍ ମୋ ଆଖିଟା କାହିଁକି ଭାରି ଜୋରରେ କୁଣ୍ଡାଇ ହେବାକୁ ଲାଗିଲା । ମୁଁ ତ ସେତିକି ବେଳୁ ବିଛଣାରେ ପଡ଼ିଯାଇଛି ।’’

 

‘‘ମୋର ଆଜି ଠିକ୍ ସେଇ ଅବସ୍ଥା ହେଲା ଭଉଣୀ । ଡିରେକ୍ଟରଙ୍କ ଅଫିସରେ ଆଜି ଆମ ସମ୍ମିଳନୀ ସରିଯିବା ପରେ, ମୁଁ ବାହାରି ଆସୁଥିଲି, ହଠାତ୍ ମୋ ଆଖିରେ କ’ଣ ଗୋଟାଏ ପଡ଼ିଗଲା ଭଳି ଲାଗିଲା । ମୁଁ ଆଉ ବାହାରି ଆସି ନ ପାରି ସେହି ଚେୟାରରେ ବସିପଡ଼ି ଆଖି କୁଣ୍ଡାଇ ହେବାକୁ ଲାଗିଲି । ସେତେବେଳକୁ ଅନ୍ୟାନ୍ୟ ସଭ୍ୟମାନେ ଅଫିସ କକ୍ଷରୁ ବାହାରି ଗଲେଣି । ଆଲେସ୍କି ଦୌଡ଼ି ଆସିଲେ । ସେ ମୋ ଆଖି ପରୀକ୍ଷା କରିବାକୁ ଲାଗିଲେ । ଏପାଖ ସେପାଖ ଓଲଟାଇ ଶେଷରେ ମୋ ଆଖିରେ ଗୋଟାଏ ଆଖିବାଳ ପଡ଼ିଥିବାର ଦେଖି ତାକୁ ବାହାର କରି ଆଣିଲେ । ଓଃ, କି କଷ୍ଟ, କି ମର୍ମନ୍ତୁଦ ସେଇ ମୁହୂର୍ତ୍ତଟିକକ ? ସେ ଯଦି ତାହା ବାହାର କରିଦେଇ ନଥାନ୍ତେ, ତେବେ ମୁଁ ଏତେବେଳକୁ ମରିଯାଇସାରନ୍ତିଣି ଭଉଣୀ ।’’

 

‘‘ଓଃ, ମୁଁ ତୁମକୁ କଣ କହିବାକୁ ଆସି କ’ଣ କହିଯାଉଛି ଜାଣିପାରୁନି । ମୁଁ କାହିଁକି ଆସିଥିଲି, ଜାଣିଛ ମେରିନା ?’’

 

ମେରିନା ଲେନାର କଥା କିଛି ବୁଝି ନ ପାରି କଲବଲ କରି ତା ମୁହଁକୁ ଅନାଇ ରହିଲା ।

 

ଲେନା ମୁଖରେ ଏକ ମନମତାଣିଆ ହସ ଫୁଟାଇ କହିଲା, ‘‘ହଁ, ମୁଁ ଆଜି ଆସିଥିଲି ତୁମକୁ ଜଣାଇ ଦେବାପାଇଁ ଯେ ଆଜି ସନ୍ଧ୍ୟାବେଳେ ବୁଧ ଗ୍ରହକୁ ଲକ୍ଷ୍ୟ କରାଯିବ । ମଙ୍ଗଳ ଗ୍ରହ ଭଳି ଏହି ଗ୍ରହଟି ମଧ୍ୟ ସାରା ପୃଥିବୀର ଦୃଷ୍ଟି ଆକର୍ଷଣ କରିଛି ଏହି କେତେ ଦିନ ଭିତରେ । ସେହି ଗ୍ରହଟିକୁ ପର୍ଯ୍ୟବେକ୍ଷଣ କରିବା ପାଇଁ ଆଜି ତୁମେ ଯିବଟି କେନ୍ଦ୍ର ପର୍ଯ୍ୟବେକ୍ଷଣାଗାରକୁ ?’’

 

ମେରିନା ଲେନା ସହିତ କଥା କହୁଥିଲା ସତ, କିନ୍ତୁ ତା’ ମନ ମୋଟେ ନଥିଲା କଥାରେ-। ତା’ର ମନ ଯାଇ କେଉଁ ଦୂର ମହାଶୂନ୍ୟରେ ଯେ ଘୂରିବୁଲୁଥାଏ, ତା’ର ଇୟତ୍ତା ନ ଥାଏ-। ହଠାତ୍ ସେ ପ୍ରକୃତିସ୍ଥା ହୋଇ କହପକାଇଲା–‘‘ହଁ, ହଁ, ମୁଁ ଯିବି ଲେନା, ମୋତେ ଟିକିଏ ଡାକି ନେଇଯିବ ଆଜି ଭଉଣୀ ।’’

 

‘‘ହେଉ, ମୁଁ ଯାଉଛି ମେରିନା ! ପରେ ଆସିବି ଡାକି ନେବାପାଇଁ । ବୁଧ ଗ୍ରହକୁ ଲକ୍ଷ୍ୟ କରିବାପାଇଁ ଆଜି ସାରା ପୃଥିବୀରେ ବିରାଟ ଉତ୍ସୁକତା ପ୍ରକାଶ ପାଇଛି । ଆମେ ଏହି ଉପଗ୍ରହରେ ସେହି ବୁଧ ଗ୍ରହ ସମ୍ବନ୍ଧରେ ଗବେଷଣା ଚଳାଇବାପାଇଁ ସ୍ଥିର କରିଛୁ । ଆକାଶର ଗ୍ରହ ଓ ନକ୍ଷତ୍ର ଆଦିଙ୍କୁ ପର୍ଯ୍ୟବେକ୍ଷଣ କରିବାପାଇଁ ଆମେ ଯେଉଁ ସୁବିଧା ସ୍ଥାନ ପାଇଛୁଁ, ସେଭଳି ସ୍ଥାନ ପୃଥିବୀରେ ପାଇବା ଅସମ୍ଭବ । ତେଣୁ ଆମ ପର୍ଯ୍ୟବେକ୍ଷଣ ଫଳଦ୍ୱାରା ସାରା ପୃଥିବୀର ବୁଧଗ୍ରହ ଗବେଷଣା ଯେ ସଂପୂର୍ଣ୍ଣରୂପେ ପ୍ରଭାବିତ ହେବ, ଏଥିରେ ତିଳେମାତ୍ର ସନ୍ଦେହ ନାହିଁ । ତୁମେ ଜାଣିନ ମେରିନା, ବର୍ତ୍ତମାନ ପୃଥିବୀ ସାରା ଜ୍ୟୋତିର୍ବିଜ୍ଞାନବିତମାନେ ଏହି ଗ୍ରହଟିକୁ ଲକ୍ଷ୍ୟ କରିବା ପାଇଁ କିପରି ସଜବାଜ ହେଲେଣି । ଆସନ୍ତା ୧୯୫୭ ମସିହା ମେ ମାସ ୬ ତାରିଖ ଦିନ ଏହି ଗ୍ରହଟି ପୃଥିବୀ ଓ ସୂର୍ଯ୍ୟ ମଧ୍ୟରେ ଗତି କରିବ ବୋଲି ବୈଜ୍ଞାନିକମାନଙ୍କ ମଧ୍ୟରେ ତତ୍ପରତା ଟିକିଏବେଶୀ । ବୁଧର ଏହିଭଳି ଗତି ପ୍ରତି ଶହେ ବର୍ଷରେ ପ୍ରାୟ ତେରଥର ହେଉଥିଲେ ମଧ୍ୟ ଏହି ଥରଟିର ବିଶେଷତ୍ୱ ସବୁଠାରୁ ବେଶୀ ବୋଲି ସାରା ପୃଥିବୀରେ ଚାଞ୍ଚଲ୍ୟ ଖେଳିଯାଇଛି । ବୁଧ ଗ୍ରହ ଏକ ଛୋଟ ଗ୍ରହ ଓ ସୂର୍ଯ୍ୟର ନିକଟତମ ହୋଇଥିବାରୁ ଏବଂ ଏହା ସୂର୍ଯ୍ୟ ଚାରିପାଖରେ ୪୮ ଦିନରେ ଥରେ ଲେଖାଏଁ ଘୂରି ଆସୁଥିଲେ ହେଁ ଏହି ଗ୍ରହଟି ସମ୍ବନ୍ଧରେ ଜାଣିବାପାଇଁ ଉତ୍ସୁକତା ପ୍ରକାଶ ପାଇଛି ଆଉ ଏକ କାରଣରୁ । ତୁମେ ଜାଣିଥିବ ମେରିନା, ଏହି ଗ୍ରହଟିର ବିଚିତ୍ରତା ସମ୍ବନ୍ଧରେ । ଏହାର ଗୋଟାଏ ପାଖ ସୂର୍ଯ୍ୟ ଆଡ଼କୁ ଓ ଅନ୍ୟ ପାଖଟି ସର୍ବଦା ସୂର୍ଯ୍ୟଙ୍କର ବିପରୀତ ଦିଗକୁ ରହିଥାଏ । ଫଳରେ ଏହି ଗ୍ରହଟିର ଗୋଟାଏ ପାଖରେ ଚିର ଆଲୋକ ଓ ବିପରୀତ ପାଖରେ ଚିର ଅନ୍ଧାର ବିରାଜୁଥାଏ-। ଏହି ହେତୁରୁ ଯେଉଁ ପାଖରେ ଚିର ଆଲୋକ, ସେହି ପାଖଟି ସବୁଠାରୁ ଅଧିକ ଉତ୍ତପ୍ତ ଓ ବିପରୀତ ପାଖଟି ଅତ୍ୟଧିକ ଥଣ୍ଡା । ଏହି ବିଷୟଟି ବୈଜ୍ଞାନିକମାନଙ୍କ ମନରେ ବେଶ୍ କୌତୁହୂଳ ଉତ୍ପାଦନ କରିଆସିଛି । ବୁଧ ଗ୍ରହରେ ବେଳେବେଳେ ଖୁବ୍ ଝଡ଼ ହେବାର ଦେଖାଯାଏ । ଏହି ଝଡ଼ର କାରଣ, ତାହା ମଧ୍ୟସ୍ଥିତ କେତେକ ଆଗ୍ନେୟଗିରି ବୋଲି ଜଣାଯାଇଥିଲେ ମଧ୍ୟ ବହୁ ଜ୍ୟୋତିର୍ବିଦ୍ ସେଥିରେ ଏକମତ ହୋଇପାରିନାହାନ୍ତି । ଆମ ପର୍ଯ୍ୟବେକ୍ଷଣ ବର୍ତ୍ତମାନ ମୂଳ ଉଦ୍ଦେଶ୍ୟ ହେଉଛି ସେହି କାରଣ ସମ୍ବନ୍ଧରେ ସଠିକ୍ ଭାବରେ ଜାଣିବା । ଏହି ଗ୍ରହଟିର ଜୀବନଗତ ଥିବାର କୌଣସି ପ୍ରମାଣ ମିଳିନଥିବାରୁ ଆମେ କେବଳ ସେତିକି ପର୍ଯ୍ୟବେକ୍ଷଣ କରି ସନ୍ତୁଷ୍ଟ ରହିବୁଁ-। ଆମକୁ ଆଜିଠାରୁ ୧୯୫୭ ମସିହାର ଶେଷ ପର୍ଯ୍ୟନ୍ତ ଏ ଦିଗରେ ଲକ୍ଷ୍ୟ କରିବାକୁ ପଡ଼ିବ-। ଆମେ ଯଦି ସେହି ଝଡ଼ର ସଠିକ୍ କାରଣ ନିର୍ଣ୍ଣୟ କରିପାରୁଁ, ତେବେ ଜ୍ୟୋତିର୍ବିଜ୍ଞାନରେ ଏହା ଏକ ଅତି ବଡ଼ ଆବିଷ୍କାର ବୋଲି ପରିଗଣିତ ହେବ । ହେଉ, ମନେ ରହିଲା ମେରିନା, ନିଶ୍ଚୟ ଆଜି ଯିବ ମୋ ସହିତ ।’’ ଲେନା କୋଠରିରୁ ବାହାରି ଆସିଲା ।

 

କୃତ୍ରିମ ଉପଗ୍ରହରେ ରହିବା ମେରିନା ପକ୍ଷରେ ଏକରକମ ଦୁର୍ବିସହ ହୋଇପଡ଼ିଲା । ଆଲେସ୍କିଙ୍କର କଣ ହୋଇଥାଏ କେଜାଣି, ଏଇ କେତେଦିନ ଧରି ଉପଗ୍ରହରେ ତାଙ୍କର ଦେଖା ମୋଟେ ମିଳୁ ନ ଥାଏ । ଯେତେବେଳେ ଦେଖିଲେ ସେ କୌଣସି ଗୋଟିଏ ପର୍ଯ୍ୟବେକ୍ଷଣାଗାରରେ କିଛି ଏକ ପର୍ଯ୍ୟବେକ୍ଷଣରେ ଲିପ୍ତ; ଯଦି କଦବା କେମିତି କାହା ସହିତ କଥାବାର୍ତ୍ତା କରୁଛନ୍ତି, ତେବେ ସେ ହେଉଛି ସହକର୍ମୀ ଲେନା । ଆଲେସ୍କି କେଉଁ ମୁହୂର୍ତ୍ତରେ କେଉଁଠି ଅଛନ୍ତି ତାହା ଲେନା ବ୍ୟତୀତ ଅନ୍ୟମାନେ କେହି ଜାଣିପାରୁ ନ ଥାନ୍ତି; ଏପରିକି ଡିରେକ୍ଟରଙ୍କ ସେକ୍ରେଟାରୀ ଏଲିନା ବି ନୁହେଁ । ଦିନର ଚବିଶ ଘଣ୍ଟା ଭିତରୁ ଆଲେସ୍କି କେତେବେଳେଳ ଲେନା ସହିତ, କେତେବେଳେ ବା ଏକାକୀ ଘଣ୍ଟା ଘଣ୍ଟା ଧରି ବିଭନ୍ନ ପର୍ଯ୍ୟବେକ୍ଷଣାଗାରରେ କେଉଁ ନିର୍ଜ୍ଜନ ପ୍ରକୋଷ୍ଠରେ ଯେ କଟାଉଥାନ୍ତି, ତାହା ଜାଣିବା ମେରିନା ପକ୍ଷରେ କଷ୍ଟକର ହୋଇ ପଡ଼ିଥାଏ । ଇତି ମଧ୍ୟରେ କେହି ଯଦି ଉପଗ୍ରହରେ ତାଙ୍କୁ ଭେଟିଛି, ତେବେ ତାଙ୍କୁ ବଡ଼ ଚିନ୍ତିତ ଥିଲାଭଳି ସେ ଅନୁଭବ କରିଛି ।

 

କୃତ୍ରିମ ଉପଗ୍ରହରେ ଆଲେସ୍କିଙ୍କ ସହିତ ଏଇ କେତେ ଦିନ ଭିତରେ ଯଦି କେହି ଅଧିକ କଥାବାର୍ତ୍ତା କରିଥାଏ, ତେବେ ସେ ହେଉଛି ଏକା ଲେନା । ଲେନା ସହିତ ଆଲେସ୍କି ବେଶ୍ ଖୋଲାଖୋଲି କଥାବାର୍ତ୍ତା କରନ୍ତି । ଯେତକ ସମୟ ପର୍ଯ୍ୟବେକ୍ଷଣାଗାରର ବାହାରେ ରହନ୍ତି, ସେତିକି ସମୟ ସେ ଲେନା ସହିତ ନାନା ଗୁରୁତର ଆଲାଚନାରେ କଟାଇ ଦିଅନ୍ତି । ଲେନା ଓ ଆଲେସ୍କିଙ୍କର ଏଭଳି ରହସ୍ୟଜନକ ବ୍ୟବହାରରେ ଉପଗ୍ରହର ଅନେକ ଆଶ୍ଚର୍ଯ୍ୟ ହୋଇ ପଡ଼ିଥାନ୍ତି-। କେତେକ ଏହି ରହସ୍ୟଜନକ ବ୍ୟବହାରକୁ ସନ୍ଦେହ ଦୃଷ୍ଟିରେ ଲକ୍ଷ୍ୟ କରିବାକୁ ଛାଡ଼ି ନ ଥାନ୍ତି-

 

ଅନ୍ୟମାନେ ସନ୍ଦେହ କରନ୍ତି ବା ନକରନ୍ତି, ମେରିନା ବଡ଼ ସନ୍ଦେହୀ ହୋଇ ପଡ଼ିଥାଏ ଏ ଦୁହିଁଙ୍କର ଏତାଦୃଶ୍ୟ ରହସ୍ୟଜନକ ବ୍ୟବହାରରେ । ଦିନ ପରେ ଦିନ ସେମାନଙ୍କ ସମ୍ପର୍କରେ ଅତି ଛୋଟ ଛୋଟ ଘଟଣାଗୁଡ଼ିକ ମେରିନା ଆଖି ଆଗରେ ବଡ଼ ଆକାର ଧାରଣ କରି ଠିଆହେଉଥାଏ । କେଉଁଦିନ ପୃଥିବୀ ଓ କୃତ୍ରିମ ଉପଗ୍ରହ ମଧ୍ୟରେ ଯା’ ଆସ ପାଇଁ ପଥ ଉନ୍ମୁକ୍ତ ହେଲା ଓ ସର୍ବପ୍ରଥମେ ରକେଟ୍ ପୃଥିବୀରୁ ଜଳ, ଖାଦ୍ୟ, ପୋଷାକପତ୍ର ଆଦି ଘେନି ଉପଗ୍ରହରେ ପହଞ୍ଚିଲା, ସେଦିନ ଲେନା ଓ ଆଲେସ୍କି ଯେଭଳି ଭାବରେ ନବାଗତ ରକେଟକୁ ସ୍ୱାଗତ କରିଥିଲେ, କେବଳ ମେରିନା କାହିଁକି, ଯେ କେହି ଦେଖିଥିଲେ ମଧ୍ୟ ପ୍ରକାଶ କରିଥାନ୍ତେ ଲେନା ଓ ଆଲେସ୍କିଙ୍କ ମଧ୍ୟରେ ଥିବା ସମ୍ପର୍କର ଘନତା ।

 

ସେଦିନ ଉପଗ୍ରହରେ ଯେତେବେଳେ ଚଳଚ୍ଚିତ୍ର ପ୍ରଦର୍ଶିତ ହେଉଥିଲା, ସମସ୍ତଙ୍କଠାରୁ ବେଶୀ ଖୁସୀ ହୋଇପଡ଼ିଥିଲେ ଲେନା ଓ ଆଲେସ୍କି । ଫିଲ୍ମ ଅଧାଅଧି ସରିବା ପରେ ସେମାନେ ହଠାତ୍ ଆସି ପ୍ରେକ୍ଷାଳୟରେ ପହଞ୍ଚି କମ୍ ଆନନ୍ଦିତ ହୋଇ ନ ଥିଲେ । ତହିଁ ପରଦିନ କ୍ଲବ୍ ରୁମ୍‌ରେ ତୁଷାରଧବଳ ପୋଷାକରେ ଆଚ୍ଛାଦିତ ହୋଇ ଏଲିନା ଯେତେବେଳେ ତାର ଢଳଢଳ ଯୌବନକୁ ଦୋହଲାଇ ବେଲେ ଡାନସ୍ ଦେଉଥିଲା, ସେତେବେଳେ ଲେନା ଓ ଆଲେସ୍କି ପାଖରେ ପାଖରେ ବସି ଆନନ୍ଦରେ କମ୍ ପାଗଳ ହୋଇ ଉଠି ନ ଥିଲେ । ଏହିଭଳି ଉପଗ୍ରହର ଘଟଣାଗୁଡ଼ିକୁ ମନେ ପକାଇ ମେରିନା ଯେତେ ଭାବିବାକୁ ଲାଗିଲା, ଲେନା ଓ ଆଲେସ୍କି ତା ଆଖି ଆଗରେ ଏକ ଅବିଚ୍ଛେଦ୍ୟ ଯୁଗଳ ମିଳନ ରୂପରେ ସେତେ ଠିଆହେବାକୁ ଲାଗିଲେ ।

 

ଏହି ଚିରନ୍ତନ ଭାବନା ଭିତରେ ବେଳେ ବେଳେ ବହୁପ୍ରକାର ଚିନ୍ତା ଆସି ମେରିନାର ମନକୁ ଚହଲାଇ ଦେଇ ଯାଉଥାଏ । ବେଳେବେଳେ ମନକୁ ଆସୁଥାଏ, ‘ଉଭୟେ ଉଭୟଙ୍କୁ ଯେତେବେଳେ ଏତେ ଭଲ ପାଉଛନ୍ତି, ସେତେବେଳେ ସେ କାହିଁକି ସେ ଦୁହିଁଙ୍କ ଭିତରେ ଏକ ପ୍ରାଚୀର ଭଳି ଠିଆ ହେବ ? ବରଂ ତାର ସେଠାରୁ ଅପସରିଯିବା ଉଚିତ୍ । ତେବେ ସେ ଯିବ କୁଆଡ଼େ ? ଉପଗ୍ରହ ସହିତ ପୃଥିବୀର ସଂଯୋଗ ସ୍ଥାପିତ ହୋଇଥିଲେ ମଧ୍ୟ ସେ ଏପର୍ଯ୍ୟନ୍ତ ଏଠାରୁ ପୃଥିବୀକୁ ଫେରିଯିବା ସମ୍ଭବପର ହୋଇ ନଥାଏ । ଆଉ ଅଳ୍ପଦିନ ପରେ ଏହା ସମ୍ଭବପର ହେବାର ଆଶା ଥିଲେ ମଧ୍ୟ ପୃଥିବୀକୁ ଫେରିଯାଇ ଆଉ ଲାଭ କଣ । ସେ କେଉଁ ଆଶାରେ ଯାଇ କାହାକୁ ବା ମୁହଁ ଦେଖାଇବ ?’

 

‘ସେ ଯାହାର ଆଶାରେ ରାଜଧାନୀ ଛାଡ଼ି ଦଉଡ଼ି ଆସିଥିଲା ଏହି ମହାଶୂନ୍ୟକୁ, ସେ ତ ଆଜି ହାତରୁ ଖସିଯାଇଛନ୍ତି । ପୃଥିବୀକୁ ଏହି ଭଗ୍ନ ହୃଦୟ ନେଇ ଯାଇ ଆଉ ଲାଭ କଅଣ ? ଯିଏ ଥିଲେ ତା’ର ସ୍ୱପ୍ନ, ତା’ର କଳ୍ପନା, ତା’ର ମୂର୍ତ୍ତିମନ୍ତ ଦେବତା; ସେ ଯେ ଆଜି ତାଠାରୁ ବହୁ ଦୂରରେ ! ତେବେ ସେ ଆଉ କେଉଁ ଆଶାରେ ଏହି ଉପଗ୍ରହରେ ବଞ୍ଚିରହିବ ? ତା’ର ବରଂ ଜୀବନ ବିସର୍ଜନ କରିଦେବା ଉଚିତ । ଯଦି ସେ ଆରଜନ୍ମରେ ତାଙ୍କର ଉପଯୁକ୍ତା ହୋଇ ତାଙ୍କୁ ସ୍ୱାମୀରୂପେ ପାଇପାରେ ତେବେ ନିଜକୁ ଧନ୍ୟା ମନେ କରିବ ।’ ଏହିପରି ଭାବୁଁ ଭାବୁଁ ମେରିନା ଏକରକମ ପାଗଳ ହୋଇଉଠିଲା । ଏ ଜୀବନ ତେବେ ସେ ଆଉ କାହାପାଇଁ ରଖିବ ? କେଉଁ ଆଶାରେ ବା ସେ ଏଠାରେ ବଞ୍ଚିରହିବ ? ଆଉ ଭାବିପାରିଲାନି ମେରିନା । ଅବାରିତ ଲୋତକ ସ୍ରୋତ ବହିଚାଲିଥାଏ ତାର ଗଣ୍ଡଦେଶ ଭେଦ କରି ଠିକ୍ ପହିଲି ଆଷାଢ଼ର ଘନ ବର୍ଷା ଭଳି ।

 

ଏହି ଘଟଣାର କିଛିଦିନ ପରେ....

 

ଦିନେ ରାତିରେ ମାରିନାର ନିଦ ଚଟ୍ କରି ଭାଙ୍ଗିଗଲା । କ’ଣ ଏକ ଦୁଃସ୍ୱପ୍ନରେ ଆଉ ନିଦ ହେଲାନି । ସେ ଉଠି ବସି ସନ୍ଧ୍ୟାରେ ଲାଇବ୍ରେରୀରୁ ଆଣିଥିବା ମେଟ୍ରୋଭସ୍କିଙ୍କର ଖଣ୍ଡିଏ ଗପ ବହି ପଢ଼ିବାକୁ ଆରମ୍ଭ କଲା । ପଢ଼ାରେ ବି ମନ ଲାଗିଲା ନାହିଁ । ଭାବନା ପରେ ଭାବନା ଆସି ମନକୁ ଅସ୍ଥିର କରି ପକାଇଲା ।

 

କ’ଣ କରିବ ? ଉପଗ୍ରହରେ ତ ସମସ୍ତ ସୁପ୍ତ । ଗୋପନୀୟ ଭାବରେ ଯାଇ ଆଲେସ୍କିଙ୍କୁ କ’ଣ ସବୁ ଖୋଲି କରି ପଚାରିବ ? ସେ ଯେ ବର୍ତ୍ତମାନ ତାଙ୍କ କୋଠରିରେ ଥିବେ, ତାର ବା ସ୍ଥିରତା କ’ଣ ? ଆଲେସ୍କିଙ୍କ କୋଠରୀ ତ ଦୂରରେ । କାଳେ କିଏ ଯଦି ତାକୁ ଦେଖିପକାଏ, ତେବେ ସେ ଭାବିବ କ’ଣ ।

 

ପୁଣି ପରମୁହୂର୍ତ୍ତରେ ଭାବନା ଆସିଲା-‘ନାଇଁ, ତା’ କରି ଲାଭ ନାହିଁ । କେବଳ ଅପବାଦହିଁ ସାର ହେବ । ତେବେ-ତେବେ–?’ ମେରିନାର ମୁଣ୍ଡ ଘୂରିଗଲା । ପର ମୁହୂର୍ତ୍ତରେ ପୁଣି ସେ ଭାବିଲା, ତେବେ ଆଉ ଉପାୟ କଣ ? ଏହାକୁ ମନୋବୃତ୍ତିର ପରିଚାୟକ ବୋଲି କହିବା ଭୀରୁତା ଛଡ଼ା ଆଉ କିଛି ନୁହେଁ ? ଜୀବନର ଆବଶ୍ୟକତା ନେଇ ଯଦି କେହି କେବେ ସନ୍ଦିହାନି ହୋଇପଡ଼େ, ତେବେ ସେଭଳି ଲୋକପକ୍ଷରେ ଆତ୍ମହତ୍ୟା କଲେ କ୍ଷତି କଅଣ ? ଭାବପ୍ରବଣ ହୋଇ, ପ୍ରକୃତ ସମସ୍ୟାକୁ ବିଚାର ନ କରି ଆତ୍ମହତ୍ୟା କରିବା ନିହାତି ଅସାମାଜିକ ହୋଇପାରେ; କିନ୍ତୁ ଯଦି କେହି ନିଜ ଜୀବନର ସମସ୍ୟାକୁ ଖୁବ୍ ଭଲ ଭାବରେ ଆଲୋଚନା, ପୁନରାଲୋଚନା କରି ସମାଧାନର କିଛି ବାଟ ନ ପାଇ ଆତ୍ମହତ୍ୟା କରେ, ତେବେ ଏହାକୁ ବିଜ୍ଞତା ବୋଲି କୁହା ନ ଯିବ କାହିଁକି ?

 

ଭାବୁ ଭାବୁ ହଠାତ୍ ଅସ୍ଥିର ହୋଇପଡ଼ିଲା ମେରିନା । ସେ ପାଗଳଙ୍କ ଭଳି ଉଠିପଡ଼ି କହିବାକୁ ଲାଗିଲା, ‘‘ନା, ନା, ସେ କଦାପି ତା’ କରି ପାରିବ ନାହିଁ ।’’

 

ଏତିକିବେଳେ ମନ ଭିତରେ କିଏ ହସିଉଠିଲା ଭଳି ତାକୁ ବୋଧ ହେଲା । ସେ ଚୁପ୍ ହୋଇ ଖଟ ଉପରେ ବସିପଡ଼ି ଥରିବାକୁ ଲାଗିଲା । ମନ ଭିତରେ ପୁଣି ଉଠିଲା ଅସଂଖ୍ୟ ପ୍ରଶ୍ନର ଝଡ଼–‘ଆତ୍ମହତ୍ୟା କଲେ କ୍ଷତି କେଉଁଠି ? ସେ ଯଦି ଆତ୍ମହତ୍ୟା କରିପାରେ, ତେବେ ଲେନା ଓ ଆଲେସ୍କିଙ୍କର ମିଳନ ତ ଆହୁରି ମଧୁମୟ ହୋଇ ପାରିବ । ନିଜପାଇଁ ଆତ୍ମହତ୍ୟା କରି ନ ପାରିଲେ ମଧ୍ୟ ପ୍ରିୟତମ ଆଲେସ୍କିଙ୍କ ପାଇଁ ଆତ୍ମହତ୍ୟା କରିବା ତାର ଉଚିତ ନୁହେଁ କି ?’ କିନ୍ତୁ ମନରେ ପୁଣି ପ୍ରଶ୍ନ ଉଠିଲା, ଆତ୍ମହତ୍ୟା କରିବ କିପରି ? କୋଠରିର ଝରକାକୁ ଭାଙ୍ଗି ଝରକା ବାଟେ ମହାଶୂନ୍ୟକୁ ଡେଇଁପଡ଼ିଲେ ମୃତ୍ୟୁ ତ ଅନିବାର୍ଯ୍ୟ ? ପୁଣି ପର ମୁହୂର୍ତ୍ତରେ ମନ ଭିତରେ ଉଠିଲା, ଝରକା ଭାଙ୍ଗି ହେବ କିପରି ? ଚାହୁଁ ଚାହୁଁ ଏହି ପ୍ରଶ୍ନର ଉତ୍ତର ପୁଣି ମନ ଭିତରେ ଚେଉଁଉଠିଲା–‘କାହିଁକି, ଝରକାର ବୋଲଟ୍‌ଗୁଡ଼ିକ ଖୋଲି ସେଥିମଧ୍ୟରୁ ଦିଆଯାଇଥିବା ରବର ଓ ଫ୍ଲେନେଲଗୁଡ଼ିକୁ କାଟିପକାଇଲେ ତ ଝରକାଟି ମେଲା ହୋଇଯିବ ।

 

କିନ୍ତୁ ଏଇ ଉତ୍ତର ମେରିନାର ମନକୁ ପାଇଲାନି; ପୁଣି ଆଉ ଏକ ପ୍ରଶ୍ନ ମନ ଭିତରେ ଦେଖାଦେଲା ।

 

‘କିନ୍ତୁ ସେ ଝରକା ଯଦି ଖୋଲିଦିଏ, ତେବେ ସାରା ଉପଗ୍ରହର ବାୟୁତକ ବାହାରି ଯାଇ ମହାଶୂନ୍ୟ ଭିତରେ ମିଳଇଯିବ । ବାୟୁ ଅଭାବରୁ ଉପଗ୍ରହର ସମସ୍ତେ ତ ଧ୍ୱଂସ ପାଇଯିବେ । ଉପଗ୍ରହଟି ଚାହୁଁ ଚାହୁଁ ଲୋପ ପାଇଯିବ । ନା, ନା, ସେ ଏହା କଦାପି କରିପାରିବ ନାହିଁ । ନିଜର ସାମାନ୍ୟ ଦୁର୍ବଳତା ପାଇଁ ନିଜ ରାଷ୍ଟ୍ରର ଏତେ ବଡ଼ ଯୋଜନାକୁ କ’ଣ ସେ ନିଃଶେଷ କରିଦେବ ? ସେ ମରିଗଲେ ମଧ୍ୟ ଚିରଦିନ ପାଇଁ ଏହି ଦୁନାମ ରହିବ ତା’ ନାମରେ । ଦେଶର ଶତ କୋଟି ଟଙ୍କା ଖର୍ଚ୍ଚରେ ଏହି ଯେଉଁ ବିରାଟ ଉପଗ୍ରହଟି ତିଆରି ହୋଇପାରିଛି ସେଇଟି କ’ଣ ତା’ର ଏଇ ସାମାନ୍ୟ ଦୁର୍ବଳତା ପାଇଁ ନଷ୍ଟ ପାଇଯିବ ? ନା, ନା, ତା ହୋଇପାରେନା ।’

 

ପୁଣି ପରମୁହୂର୍ତ୍ତରେ ମନରେ ଆସିଲା–‘ନିଜ କୋଠରୀଟିକୁ ସେ ଯଦି ଉପଗ୍ରହଠାରୁ ଖୁବ୍ ଭଲ ଭାବରେ ବିଚ୍ଛିନ୍ନ କରି କୋଠରିର ଝରକାକୁ ଭାଙ୍ଗି ମହାଶୂନ୍ୟକୁ ଡେଇଁପଡ଼େ, ତେବେ ତା’ର ମୃତ୍ୟୁ ହେବା ସଙ୍ଗେ ସଙ୍ଗେ ଉପଗ୍ରହର ବାୟୁ ନିଷ୍କାସନରେ ତ କୌଣସି ଆଞ୍ଚ ଆସିବ ନାହିଁ । ଯଦିବା କିଛି ସାମାନ୍ୟ ଆଞ୍ଚ ଆସେ, ଉପଗ୍ରହର ବାୟୁ ପୂରାପୂରି ନିଃଶେଷ ହେବା ପୂର୍ବରୁ ଇଞ୍ଜିନିଅରମାନେ ତାହା ଜାଣିପାରିବେ ଓ ସେମାନେ ସଙ୍ଗେ ସଙ୍ଗେ ଆସି ଏହି ଝରକାଟିକୁ ବନ୍ଦ କରିଦେବେ ।’

 

ଏହା ଭାବି ମେରିନା ସଙ୍ଗେ ସଙ୍ଗେ ହାତଘଣ୍ଟାକୁ ଅନାଇଲା । ପୃଥିବୀ ଅନୁସାରେ ଏଠାରେ ଘଣ୍ଟା ଚାଲୁଥିବାରୁ ଉପଗ୍ରହରେ ଦିନ ହୋଇଥିଲେ ମଧ୍ୟ ସକାଳ ହେବାକୁ ଆହୁରି ଦୁଇଘଣ୍ଟା ବାକି ଥାଏ । ସେତେବେଳକୁ ଉପଗ୍ରହରେ ସମସ୍ତେ ଗାଢ଼ ନିଦରେ ନିଦ୍ରିତ । ତେଣୁ ମେରିନା ଆତ୍ମହତ୍ୟା କରିବାକୁ ସ୍ଥିର କଲା । ମୃତ୍ୟୁ ପୂର୍ବରୁ ଆଲେସ୍କିଙ୍କୁ ନ ଜଣାଇ ଏଭଳି ଭାବରେ ମୃତ୍ୟୁକୁ ବରଣ କରିବା ଉଚିତ ହେବନାହିଁ ଭାବି ଆଲେସ୍କିଙ୍କ ପାଖକୁ ଖଣ୍ଡିଏ ଚିଠି ଲେଖି ବସିଲା :

 

ପ୍ରାଣପ୍ରିୟ ଆଲେସ୍କି,

 

ମୋର ଶେଷ ପ୍ରଣାମ ଗ୍ରହଣ କରିବ । କେତେକ କାରଣବଶତଃ ମୁଁ ଆଉ ଏ ଉପଗ୍ରହରେ ରହିବାକୁ ଇଚ୍ଛା କରୁନାହିଁ । ମୁଁ ତୁମକୁ ଏ ସମ୍ପର୍କରେ ବହୁବାର କହିବାକୁ ଇଚ୍ଛା କରିଥିଲେ ମଧ୍ୟ କହିପାରିନାହିଁ । ଏହା ହୁଏତ ମୋର ହୃଦୟର ଦୁର୍ବଳତା ! ତେବେ ଆଜି ମୁଁ ଏ ଉପଗ୍ରହରୁ ବିଦାୟ ନେଇ ଚାଲିଯିବା ପୁର୍ବରୁ ତୁମକୁ ସେତକ ଜଣାଇଦେବା ଉଚିତ ମନେ କରୁଛି ।

 

ପ୍ରିୟ ଆଲେସ୍କି ! ମୋର ଶେଷ ଅନୁରୋଧ, ଲେନିନ୍ ମାନମନ୍ଦିରର କୃତ୍ରିମ ଆକାଶ ତଳେ ଆମେ ଯେଉଁ ପ୍ରତିଜ୍ଞା କରିଥିଲେ, ତା’କୁ ଅନ୍ତତଃ ଏ ଜୀବନ ପାଇଁ ଭୁଲିଯିବ । ମୁଁ ବୈଜ୍ଞାନିକ ହେଲେ ମଧ୍ୟ ଏହି ମୁହୂର୍ତ୍ତଟି ପାଇଁ ପରଜନ୍ମରେ ବିଶ୍ୱାସ ରଖିବାକୁ ବାଧ୍ୟ ହୋଇଛି । ତୁମେ ଏଥିପାଇଁ ମୋତେ ଅନ୍ଧବିଶ୍ୱାସୀ ବୋଲି କହିପାର ଓ ପ୍ରଗତିଶୀଳ ରାଷ୍ଟ୍ରର ନୀତିଦୃଷ୍ଟିରୁ ମୋତେ ଘୃଣା ବି କରିପାର; କିନ୍ତୁ ମୋର ବିଶ୍ୱାସ, ଆମର ପ୍ରେମ ଯଦି ସତ୍ୟ ହୋଇଥାଏ ତେବେ ତୁମକୁ ମୁଁ ଏ ଜନ୍ମରେ ନ ପାଇଲେ ମଧ୍ୟ ପରଜନ୍ମରେ ଜୀବନର ସଙ୍ଗୀରୂପେ ପାଇ ଧନ୍ୟ ହେବି ।

 

ପ୍ରିୟତମ, ଏହି ପ୍ରତିଯୋଗୀତାପୂର୍ଣ୍ଣ ସଂସାରରେ ମୁଁ ନିଜକୁ ଯଥେଷ୍ଟ ଦୁର୍ବଳ ମନେ କରୁଛି । ଅନ୍ୟମାନଙ୍କ ସହ ନିଜକୁ ତୁଳନା କରି ଦେଖୁଛି ଯେ, ମୁଁ ତୁମର ଯଥାର୍ଥ ଅର୍ଦ୍ଧାଙ୍ଗିନୀ ହେବାକୁ ଉପଯୁକ୍ତା ନୁହେଁ ।

 

ତେବେ ବିଦାୟ ନେବା ପୂର୍ବରୁ ମୋର ଶେଷ ଅନୁରୋଧ, ପ୍ରତିଯୋଗିତାରେ ବିଜୟୀ ଲେନାକୁ ନେଇ ତୁମେ ଯେପରି ସୁଖରେ ସଂସାର କର । ମୁଁ ଆରପାରିରେ ଥାଇ ତୁମ ଦୁହିଁଙ୍କର ସୁଖମୟ ଜୀବନ ଦେଖି ନିଜେ ସୁଖୀ ହେବି ।

 

ହଁ; ଉପଗ୍ରହର ଏକ ବିରାଟ କ୍ଷତି କରି ମୁଁ ଚାଲିଯାଉଛି । ତୁମେ ଯେଉଁ ମୁହୂର୍ତ୍ତରେ ଏହି କ୍ଷତିର ଆଭାସ ପାଇବ, ସଙ୍ଗେ ସଙ୍ଗେ ଏହି କୋଠରିକୁ ଆସି ଝରକାଟିକୁ ବନ୍ଦ କରିଦେବ । ଏହାଦ୍ୱାରା ଉପଗ୍ରହର ଯାହା କିଛି କ୍ଷତି ହେବ, ସେଥିପାଇଁ ତୁମେ ପୂର୍ବ ସ୍ନେହ ସ୍ମରଣ କରି ମୋତେ କ୍ଷମା ଦେବ ।

 

ଆଲେସ୍କି, ମୋର ବିଶେଷ ଅନୁରୋଧ, ମୋର ମୃତ ଶରୀରକୁ ମୋର ପିତାମାତାଙ୍କୁ ପାଖକୁ ପଠାଇଦେବାକୁ ଭୁଲିବ ନାହିଁ । ଇତି ।

 

ତୁମର ଅତି ସ୍ନେହର

ମେରିନା

 

ଚିଠିଟି ଲେଖିସାରି ମେରିନା ଥରଥର ହାତରେ ଲଫାଫାରେ ପୂରାଇ ତହିଁ ଉପରେ ଠିକଣା ଲେଖି ଟେବୁଲ ଉପରେ ଥୋଇଲା ଆଲେସ୍କିଙ୍କ ଉଦ୍ଦେଶ୍ୟରେ । ଡ୍ରୟର୍ ଭିତରୁ ସ୍କୃଡ୍ରାଇଭର ଓ ଛୁରୀ ଆଦି ବାହାରକରି ଆଗେ ନିଜ କୋଠରୀକୁ ଭଲ ଭାବରେ ଉପଗ୍ରହର ଅନ୍ୟ ଅଂଶରୁ ବିଚ୍ଛିନ୍ନ କଲା । ସେଥିପାଇଁ ଉପଗ୍ରହରୁ ନିଜ କୋଠରି ଭିତରକୁ ଯେଉଁସବୁ ବାଟ ଥିଲା ସେଗୁଡ଼ିକୁ ଭଲଭାବରେ ବନ୍ଦ କରି କୋଠରି ଝରକାକୁ ଧୀରେ ଧୀରେ ଖୋଲିବାକୁ ଲାଗିଲା । ଖୋଲିଲାବେଳେ ହାତ ତା’ର ଥରୁଥାଏ । ମୋଟେ ଥୟ ହେଉ ନ ଥାଏ । ଚାହୁଁ ଚାହୁଁ ନିଃଶ୍ୱାସ ପ୍ରଶ୍ୱାସ ଖର ହେବାକୁ ଲାଗିଲା । ଗୋଟିକ ପରେ ଗୋଟିଏ ସ୍କୃ ଖୋଲିବା ସଙ୍ଗେ ସଙ୍ଗେ ହୃଦୟର ସ୍ପନ୍ଦନ ଠିକ୍ ସେଇ ରୀତିରେ ବଢ଼ିବାକୁ ଲାଗିଲା । କପାଳରୁ ଝାଳ ବୋହି ଦେହସାରା ଭିଜିଗଲା ।

 

ଶେଷ ସ୍କୃ ଖୋଲିବା ପୂର୍ବରୁ ଝରକାର ବାୟୁରୋଧୀ ରବର ଓ ଫ୍ଲେନେଲ ଆଦିକୁ କାଟି ସେଗୁଡ଼ିକୁ ଅଲଗା କରିଦେଲା । ଶେଷ ସ୍କୃଟି ଖୋଲିଛି କି ନାହିଁ, ହଠାତ୍ ବାୟୁସ୍ରୋତ ସୁ-ସୁ ହୋଇ ଘର ଭିତରୁ ବାହାରକୁ ବହିବାକୁ ଲାଗିଲା । ଚାହୁଁ ଚାହୁଁ ବାହାରର ବାୟୁଶୂନ୍ୟତା ଓ ଭିତରର ବାୟୁପୂର୍ଣ୍ଣତା ଭିତରେ ଏଭଳି ଏକ ସଂଘର୍ଷ ଲାଗିଲା, ଯା’ର ଧକ୍‌କାରେ ମେରିନା ସେହି ଖୋଲୁଥିବା ଝରକା ଉପରେ ପଡ଼ିଗଲା । ନିଜ ଉପରେ ଏକ ବିରାଟ ଘୂର୍ଣ୍ଣିବାତ୍ୟା ବୋହିଯିବାକୁ ଲାଗିଲା । ଝରକା ପାଖରେ ପଡ଼ିଯିବାରୁ ଧୀରେ ଧୀରେ ତା’ର ଶ୍ୱାସରୁଦ୍ଧ ହୋଇ ଆସିଲା । ଆଖି ଆଗରେ ଶତ ଶତ ନିଆଁ ହୁଳା ଛୁଟିଗଲା ଭଳି ବୋଧ ହେଲା । ଛାତି ଭିତରେ ଘୂର୍ଣ୍ଣିବାତ୍ୟାର ପ୍ରଳୟଙ୍କାରୀ ଆଲୋଡ଼ନ ମେରିନାକୁ ବୋଧହେଲା ସତେ ଯେପରି ଏକ ବିରାଟ ଚାପ ତା ଉପରେ ଲଦାହୋଇ ରହିଛି । ଏହି ବିରାଟ ଚାପ ହେତୁ ତାର ଶ୍ୱାସରୁଦ୍ଧ ହୋଇ ତଣ୍ଟି ଶୁଖିଗଲା ଭଳି ବୋଧହେଲା । ଝଲକା ଝଲକା ରକ୍ତ ବାହାରି ଆସି ଝରକାଟିକୁ ଲାଲ ରଙ୍ଗରେ ରଞ୍ଜିତ କରିପକାଇଲା । ଅତ୍ୟଧିକ ଶ୍ୱାସରୁଦ୍ଧ ଓ ନିଜ ଉପରେ ଘୂର୍ଣ୍ଣିବାତ୍ୟାର ପ୍ରବଳ ଚାପ ହେତୁ ମେରିନା ଚାହୁଁ ଚାହୁଁ ଚେତା ହରାଇ ସେହି ଝରକା ଉପରେ ପଡ଼ିରହିଲା । ଜୀବନର ଶେଷ ନିଃଶ୍ୱାସଟିକ ବାହାରିଯିବାକୁ ଆଉ ବେଶି ସମୟ ରହିଲାନି ।

Image

 

ନଅ

 

ଉପଗ୍ରହର ଚିକିତ୍ସାଳୟ । ଦୁଗ୍‌ଧଫେନନିଭ ଶଯ୍ୟାଉପରେ ମେରିନାର ଅର୍ଦ୍ଧମୃତ ଶରୀର । ଶଯ୍ୟା ଚାରିପାଖରେ ଘେରି ବସିଥାନ୍ତି ଉପଗ୍ରହର ଚିକିତ୍ସକ କନଷ୍ଟାଣ୍ଟିନୋଭ୍, ଡିରେକଟର ଆଲେସ୍କି ଓ ଉପଗ୍ରହର ଅନ୍ୟାନ୍ୟ ମୁଖିଆ ମୁଖିଆ ବୈଜ୍ଞାନିକମାନେ । ସମସ୍ତଙ୍କ ମୁଖରେ ଆଶଙ୍କାର ଚିହ୍ନ । ଚିକିତ୍ସକ ମେରିନାର ମୁହଁଉପରେ ଅକସିଜେନମୁଖା ଥୋଇ ଦୁର୍ବଳ ଫୁସ୍‌ଫୁସ୍‌କୁ କୌଣସି ପ୍ରକାରେ ଚାଲୁ ଅବସ୍ଥାରେ ରଖିଥାନ୍ତି । ହୃଦ୍‌ଯନ୍ତ୍ର ଅବସ୍ଥା ଅତୀବ ସାଘାଂତିକ-। ଚିକିତ୍ସକ ମହାଶୂନ୍ୟରେ ଏଭଳି ଦୁର୍ଘଟଣାର ବିଶେଷଜ୍ଞ ଥିଲେ ମଧ୍ୟ ନିଜର ସମସ୍ତ ବିଦ୍ୟାବୁଦ୍ଧି ଖରଚ କରି ସେ ପର୍ଯ୍ୟନ୍ତ ମେରିନାକୁ ଆଶଙ୍କାଶୂନ୍ୟ ଅବସ୍ଥାକୁ ଆଣି ପାରିନଥାନ୍ତି । ସାରା କକ୍ଷଟି ନିସ୍ତବ୍‌ଧ; ସତେ ଯେପରି ସେଠାରେ କେହି ନାହିଁ । ଚିକିତ୍ସକଙ୍କ ମୁଖରେ ଆଶଙ୍କା ଓ ହତାଶାର ସ୍ପଷ୍ଟ ଚିହ୍ନ । ନିସ୍ତବଧ୍‌ତା ଭଙ୍ଗ କରି ଆଲେସ୍କି ପଚାରିଲେ–‘‘ଡାକ୍ତର କନଷ୍ଟାଣ୍ଟିନୋଭ୍ ! ଆପଣ କଣ ଦେଖୁଛନ୍ତି ? ମେରିନା ଫେରିଆସିବ ତ ?’’

 

ଡାକ୍ତର କନ୍‌ଷ୍ଟାଣ୍ଟିନୋଭ୍ ଚୁପ୍; କଣ ବା ଉତ୍ତର ଦେବେ ? ଯେଉଁ ରୋଗୀର ଆରପାରିକୁ ଚାଲିଯିବା ଆଶଙ୍କା ଶତକରା ନବେରୁ ବେଶି ତାକୁ ସେ କିପରି ଏପାରିକୁ ଆଣିପାରିବେ ? ତେବେ ମଣିଷର ଚେଷ୍ଟାର ବ୍ୟତିକ୍ରମ ହେବା ଉଚିତ ନୁହେଁ ଭାବି ସେ ଲାଗିପଡ଼ିଥାନ୍ତି ।

 

ଆଲେସ୍କି ଡାକ୍ତରଙ୍କ ନିକଟକୁ ଉଠିଯାଇ ଅଧୀର ହୋଇ ପଚାରିଲେ, ‘‘କଣ ଦେଖୁଛନ୍ତି ଡାକ୍ତର ? ଆପଣ ଯେ କିଛି କହୁନାହାନ୍ତି ? ଆପଣ ମୋ ଜୀବନ ବିନିମୟରେ ମେରିନାର ଜୀବନକୁ ବଞ୍ଚାନ୍ତୁ !’’ କହୁଁ କହୁଁ ଆଲେସ୍କିଙ୍କ କଣ୍ଠରୋଧ ହୋଇଆସିଲା । ସେ ଆଉ କିଛି କହିପାରିଲେନି । କେବଳ ତାଙ୍କ ଗଣ୍ଡଦେଶ ଦେଇ ବହିଆସିଲା ଲୋତକର ଅବାରିତ ସ୍ରୋତ ।

 

‘‘ଆପଣ ବ୍ୟସ୍ତ ହୁଅନ୍ତୁନି ଡିରେକ୍‌ଟର ? ମୁଁ ମୋର ସମସ୍ତ ଶକ୍ତି ପ୍ରୟୋଗ କରି ମେରିନାକୁ ବଞ୍ଚାଇବାକୁ ଚେଷ୍ଟା କରିବି । ତେବେ ଚବିଶ ଘଣ୍ଟା ନ ଗଲା ପର୍ଯ୍ୟନ୍ତ ମୁଁ କିଛି କହିପାରୁନାହିଁ । ମେରିନାର ସଂଜ୍ଞା ଫେରି ନ ଆସିଲା ପର୍ଯ୍ୟନ୍ତ ମୁଁ ବିଶେଷ ଆଶାନ୍ୱିତ ହୋଇପାରୁନାହିଁ. ଯଥାସାଧ୍ୟ ଚେଷ୍ଟା କରୁଛି ।’’

 

ଆଲେସ୍କି ଖୁବ୍ ସାବଧାନତା ସହକାରେ ମେରିନାର ଚିଠିକୁ ହାତକରି ତାହାର ଆତ୍ମହତ୍ୟା ଚେଷ୍ଟାକୁ ଏକ ଦୁର୍ଘଟଣା ବୋଲି ପ୍ରଚାର କରିଦେଇଥାନ୍ତି; ଏପରିକି ଲେନା ମଧ୍ୟ ଏହି ଦୁର୍ଘଟଣାର ପ୍ରକୃତ ରହସ୍ୟ ଜାଣି ପାରିନଥାଏ । ଆଲେସ୍କି ଓ ତାଙ୍କର ଦୁଇ ଇନଜିୟର ବନ୍ଧୁ ଯେଉଁମାନେ ଉପଗ୍ରହର ବାହାର ପଟୁ ଆସି ଝରକାକୁ ବନ୍ଦ କରିଥିଲେ ଓ ମେରିନାର ଅର୍ଦ୍ଧମୃତ ଶରୀରକୁ ଚିକିତ୍ସାଳୟକୁ ଘେନି ଆସିଥିଲେ, ସେମାନଙ୍କ ବ୍ୟତୀତ ଅନ୍ୟ କେହି ଏ ରହସ୍ୟ ସମ୍ବନ୍ଧରେ କିଛି ଆଭାସ ପାଇପାରି ନ ଥିଲେ ।

 

ଦୁଇଦିନ ପରେ । ମେରିନାର ଚେତା ସେପର୍ଯ୍ୟନ୍ତ ଫେରି ନ ଥାଏ । ଚିକିତ୍ସକ କନଷ୍ଟାଣ୍ଟିନୋଭ୍ ବେତାର ଜରିଆରେ ରାଷ୍ଟ୍ରର ବଡ଼ ବଡ଼ ବିଶେଷଜ୍ଞମାନଙ୍କ ସହିତ ଆଲୋଚନା କରି କରି ଥକିଗଲେଣି । ମେରିନାର ଚେତା ଫେରାଇ ଆଣିବାରେ ଯେ ପର୍ଯ୍ୟନ୍ତ ସେ ସମର୍ଥ ହୋଇ ପାରି ନ ଥାନ୍ତି । ଉପଗ୍ରହରେ ଯେତେପ୍ରକାର ଆଧୁନିକ ସାଜ-ସରଞ୍ଜାମ ଓ ଔଷଧପାତି ଥିଲା, ସେ ସବୁକୁ ବ୍ୟବହାର କରି ସେ ପ୍ରାଣନ୍ତକ ହୋଇପଡ଼ିଲେଣି; ତଥାପି ହୃଦୟ ଓ ଫୁସ୍‌ଫୁସ୍‌ ଅବସ୍ଥାରେ କିଛି ମାତ୍ର ଉନ୍ନତି ହୋଇପାରୁନାହିଁ । ଡାକ୍ତର କନ୍‌ଷ୍ଟାଣ୍ଟିନୋଭ୍ ନଖାଇ ନପିଇ ରୋଗୀ ପାଖରେ ବସିରହିଥାନ୍ତି । ଆଲେସ୍କି ଓ ଲେନା ମଧ୍ୟ ମେରିନାକୁ ଛାଡ଼ି ଯାଇପାରୁ ନ ଥାନ୍ତି ।

 

ରାତି ପ୍ରାୟ ଦୁଇଟା ହେବ । ଶେଯ ଚାରିପାଖରେ ତିନିଜଣଯାକ ମେରିନାର ରକ୍ତହୀନ ଶୁଷ୍କ ମୁଖ ଆଡ଼କୁ ଅନାଇ ବସିଥାନ୍ତି । ଡାକ୍ତର ପ୍ରତି ପାଞ୍ଚମିନିଟରେ ନାଡ଼ିକୁ ପରୀକ୍ଷା କରିବାରେ ବ୍ୟସ୍ତ । ଥରେ ପରୀକ୍ଷା କରୁଁ କରୁଁ ହଠାତ୍ କ’ଣ ଅନୁଭବ କରି ସେ ଚମକି ପଡ଼ିଲେ । ସେ ଆହୁକି ଉତ୍ସୁକ ହୋଇ ମେରିନାର ନାଡ଼ିକୁ ଆହୁରି ଟିକିଏ ଭଲ ଭାବରେ ପରୀକ୍ଷା କଲେ । ଚାହୁଁ ଚାହୁଁ ବିଭିନ୍ନ ଯନ୍ତ୍ର ଦେଇ ମେରିନାର ଗୋଟାସାରା ଦେହକୁ ପରୀକ୍ଷା କରିବାରେ ଲାଗିଗଲେ । ଖୁବ୍ କ୍ଷୀଣ ଭାବରେ ହେଲେ ମଧ୍ୟ ମେରିନାର ନାଡ଼ି ଚାଲିବା ଦେଖି ଡାକ୍ତରଙ୍କ ମନରେ ନୂତନ ଆଶାର ସଞ୍ଚାର ହେଲା ।

 

ସେ ଆନନ୍ଦିତ ହୋଇ କହିପକାଇଲେ, ‘‘ଦେଖନ୍ତୁ ଡିରେକ୍‌ଟର ! ମେରିନାଙ୍କର ନାଡ଼ି ଏଥର ଚାଲିବାକୁ ଆରମ୍ଭ କଲାଣି । ଅବସ୍ଥା ଏଥର ଭଲ ଆଡ଼କୁ ଗତିକରିବ ବୋଲି ଆଶା । ଆମ୍ଭମାନଙ୍କର ଆଶା ନିଶ୍ଚୟ ଫଳବତୀ ହେବ । ଆପଣ ଏଥର ଯାଆନ୍ତୁ ଟିକିଏ ଶୋଇବେ । ମିସ୍ ଲେନା ବି ଯାଆନ୍ତୁ । ମୁଁ ଏଠାରେ ବସିରହିଛି । ଆପଣମାନେ ଆଉ କେତେ ସମୟ ଅପେକ୍ଷା କରିବେ ଏଠି ?’’

 

ଚିକିତ୍ସକଙ୍କର ଏହି ଉକ୍ତିରେ ଆଲେସ୍କିଙ୍କ ମନ ନାଚିଉଠିଲା । ସତେ ତାଙ୍କ ମେରିନା ଫେରିଆସିବ, ଏ କଥା ଭାବି ସେ ଆନନ୍ଦରେ ପାଗଳ ହୋଇ ଉଠିଲେ । ତେଣୁ ଏଭଳି ଅବସ୍ଥାରେ ସେ ମେରିନାକୁ ଛାଡ଼ି ଯାଉଛନ୍ତି ବା କିପରି ? ଚିକିତ୍ସକ ଓ ଆଲେସ୍କିଙ୍କ ଅନୁରୋଧରେ କେବଳ ଲେନାଙ୍କୁ ହିଁ ସେ ସ୍ଥାନ ଛାଡ଼ିବାକୁ ପଡ଼ିଲା ।

 

ରାତି ପାହିବାକୁ ପ୍ରାୟ ଘଣ୍ଟାଏ ବାକି । କକ୍ଷର ଚତୁଃପାର୍ଶ୍ୱ ସୂର୍ଯ୍ୟଦେବଙ୍କ ଉତ୍ତପ୍ତ ଉଜ୍ଜ୍ୱଳ କିରଣର ହାସ୍ୟଚ୍ଛଟାରେ ପୂରିଉଠିଥିଲେ ମଧ୍ୟ ଘଣ୍ଟା ଅନୁଯାୟୀ ରାତି ପାହି ନ ଥିବାରୁ ଉପଗ୍ରହରେ ବିଶେଷ କୋଳାହଳ ନ ଥାଏ । ଆଲେସ୍କି ଓ ଚିକିତ୍ସକ ଇତିମଧ୍ୟରେ ରାତିସାରା ଉଜାଗର ହୋଇ ଚେୟାର ଦୁଇଟିରେ ଟିକିଏ ଢୁଳାଇ ପଡ଼ିଥିଲେ । ହଠାତ୍ ଆଲେସ୍କି ଚମକି ପଡ଼ି ମେରିନାକୁ ଅନାଇଲେ ! ମେରିନାର ମୁଣ୍ଡ ଟିକିଏ ଏପଟ ସେପଟ ହେଉଥିବାର ଦେଖି ସେ ଚିକିତ୍ସକଙ୍କୁ ହଲାଇ ଦେଲେ । ମେରିନାକୁ ସାମାନ୍ୟ ଇତସ୍ତତଃ ହେବା ଦେଖି ଚିକିତ୍ସକ କନଷ୍ଟାଣ୍ଟିନୋଭ୍ ଉଠିପଡ଼ି ବଡ଼ ଆଶାନ୍ୱିତ ହୋଇ ତାହାର ବାହୁରେ ଗୋଟିଏ ଇନ୍‌ଜେକ୍‌ସନ ଫୋଡ଼ିଦେଲେ । ମେରିନା ଇନ୍‌ଜେକ୍‌ସନ କଷ୍ଟରେ ସାମାନ୍ୟ ଚିତ୍କାର କରି ଉଠିଲା । ନିଜର କୃତକାର୍ଯ୍ୟତାରେ ଉତ୍‌ଫୁଲ୍ଲ ହୋଇ ଚିକିତ୍ସକ ଫେରିଆସିବ ଡିରେକଟର, ନିଶ୍ଚୟ ଫେରିଆସିବ । ଆଉ ଭୟ ନାହିଁ ଆମର ।’’

 

କନ୍‌ଷ୍ଟାଣ୍ଟିନୋଭ୍‌ଙ୍କର ଏଇ କଥା କେତେ ପଦରେ ଆଲେସ୍କିଙ୍କ ହୃଦୟ ଆନନ୍ଦର ଉଚ୍ଛ୍ୱାସରେ ନାଚିଉଠିଲା ।

 

‘‘ଓଃ, ପାଣି’’–ନିମ୍ନ ସ୍ୱରରେ ଚିତ୍କାର କଲା ମେରିନା । ଆଲେସ୍କି ଗୋଟାଏ ଗିଲାସରେ ପାଣି ନେଇ ମୁହଁରେ ଦେଲେ ଓ ଉତ୍ସୁକ ନୟନରେ ଅନାଇ ରହିଲେ ମେରିନା ଆଡ଼େ । କିଛି ସମୟ ପରେ ଧୀରେ ଧୀରେ ଆଖି ଖୋଲିଲା ମେରିନା । ପ୍ରଥମେ ତା’ ଆଖିକୁ କିଛି ଦିଶିଲା ନାହିଁ । ସମ୍ମୁଖସ୍ଥ ସବୁ ପଦାର୍ଥ ସତେ ଯେପରି ଘୂରିବାକୁ ଲାଗିଲା ।

 

‘‘ଓଃ, ମୁଁ ବର୍ତ୍ତମାନ କେଉଁଠି ?’’ ଆହୁରି ନିମ୍ନ ସ୍ୱରରେ ପଚାରିଲା ମେରିନା ।

 

କନ୍‌ଷ୍ଟାଣ୍ଟିନୋଭ୍ ଉତ୍ସୁକ ହୋଇ ମେରିନା ଉପରକୁ ଝୁଲିପଡ଼ିଲେ । ମେରିନାର ମୁଣ୍ଡକୁ ଆଉଁସୁ ଆଉଁସୁ କହିଲେ, ‘‘ତୁମେ ଆମ କୃତ୍ରିମ ଉପଗ୍ରହରେ ମେରିନା !’’

 

‘‘ଏଁ, ଉପଗ୍ରହ ? କିଏ ତୁମେ ? ଡାକ୍ତର ? ତୁମେ ଯେ ଏଠାରେ ? କ’ଣ ମୋର ଏପର୍ଯ୍ୟନ୍ତ ମୃତ୍ୟୁ ହୋଇନି ?’’

 

‘‘ନାଇଁ ମେରିନା, ତୁମେ ଯେ ଅଳ୍ପକେ ରକ୍ଷା ପାଇଗଲ ?’’

 

‘‘ଉପଗ୍ରହର କିଛି କ୍ଷତି ହୋଇନାହିଁ ଡାକ୍ତର ?’’

 

‘‘ନାଇଁ, ଉପଗ୍ରହର କିଛି କ୍ଷତି ହୋଇନି ।’’

 

ଏଇ ସମୟରେ ତରତର ହୋଇ ପଶିଆସିୁଥିଲା ଲେନା । ଆଲେସ୍କି ଖୁବ୍ ସାବଧାନତା ସହକାରେ ଇସାରା ଦେଲେ ରୁମ୍‌ ଭିତରକୁ ନ ଆସିବା ପାଇଁ ।

 

‘‘ଏଠାରେ ତ ଆଉ କେହି ନାହାନ୍ତି ଡାକ୍ତର ?’’ ଡାକ୍ତରଙ୍କ ଆଡ଼କୁ ମୁହଁ କରି ପଚାରିଲା ମେରିନା । ଡାକ୍ତର ଈଷତ୍ ହସି ଆଲେସ୍କିଙ୍କ ଆଡ଼କୁ ଅନାଇଲେ । ତାଙ୍କଠାରୁ ଇସାରା ପାଇ କହିଲେ, ‘‘ନାଇଁ, ଏଠାରେ ତ ଆଉ କେହି ନାହାନ୍ତି । ତୁମେ କ’ଣ କିଛି କହିବାକୁ ଚାହୁଁଛ ?’’

 

ମେରିନା ମୁଣ୍ଡ ହଲାଇ କିଛି ପଚାରିବାର ଇଚ୍ଛା ପ୍ରକାଶ କଲା । ଡାକ୍ତର ଶୁଣିବା ଇଚ୍ଛାରେ ମେରିନା ଉପରକୁ ଝୁଲିପଡ଼ିଲେ ।

 

‘‘ଆଲେସ୍କି କେଉଁଠାରେ ଅଛନ୍ତି, କହିପାରିବ ? ଲେନା ବର୍ତ୍ତମାନ କେଉଁଠି ? ସେମାନେ କ’ଣ ମୋ କଥା ଜାଣିପାରିଛନ୍ତି ।’’

 

‘‘ହଁ, ଉପଗ୍ରହରେ ସମସ୍ତେ ତ ଜାଣିପାରିଛନ୍ତି ! ଆଲେସ୍କି ଓ ଲେନାଙ୍କୁ କ’ଣ ଡାକିପଠାଇବି ?’’

 

‘‘ନାଇଁ, ନାଇଁ ଡାକ୍ତର ! କାହାରିକୁ ଡାକିବା ଦରକାର ନାହିଁ । ମୁଁ ସେମାନଙ୍କୁ ସାକ୍ଷାତ୍ କରି ପାରିବି ନାହିଁ ।’’

 

ମେରିନାର ଏଭଳି ଉତ୍ତରରେ ଆଲେସ୍କି ହସିଉଠିଲେ । ମାତ୍ର ନ ଆସିବା ପାଇଁ ଡାକ୍ତର ମୁହଁରେ ଆଙ୍ଗୁଠି ଦେଖାଇ ଇସାରା ଦେଲେ ।

 

ମେରିନା ଯଥେଷ୍ଟ ଭଲ ହୋଇଆସିଲାଣି । ତେବେ ଶାରୀରିକ ଦୁର୍ବଳତା ଯାଇ ନ ଥିବାରୁ ଚିକିତ୍ସକଙ୍କ ନିର୍ଦ୍ଦେଶମତେ ସେ ଶଯ୍ୟାଶାୟୀ । ଶେଯରୁ ଉଠି ଚଲାବୁଲା କରିବା ଏକବାର ମନା । କନଷ୍ଟାଣ୍ଟିନୋଭ୍‌ଙ୍କ ନିର୍ଦ୍ଦେଶ ମାନି ଚଳିବାକୁ ମେରିନାର ମୋଟେ ଇଚ୍ଛା ନ ଥିଲେ ମଧ୍ୟ ବିଛଣାରେ ପଡ଼ିରହିବା ଛଡ଼ା ତାର ଅନ୍ୟ ଉପାୟ ନ ଥିଲା । ସମୟ କଟାଇବା ପାଇଁ ବିଛଣା ଦୁଇପାଖରେ କେତେ ପ୍ରକାର ଉପନ୍ୟାସ ଓ ଗଳ୍ପପୁସ୍ତକ ଥୁଆ ହୋଇଥାଏ । ମେରିନା ବାମପାଖ ବହିଥାକରୁ ଖଣ୍ଡିଏ ଚକଚକିଆ ମଲାଟ ଥିବା ବହି କାଢ଼ିଆଣି ଦେଖିବାକୁ ଲାଗିଲା । ମଲାଟ ଉପରେ ଥିବା ତ୍ରିରଙ୍ଗା ଚିତ୍ରଟିକୁ ଦେଖି ସେ ବଡ଼ ତନ୍ମୟ ହୋଇପଡ଼ିଲା । ପୁସ୍ତକର ମଲାଟ ଉପରେ ଦୁଇଟି ଯାତ୍ରୀ–ଜଣେ ପୁରୁଷ ଓ ଆଉ ଜଣେ ସ୍ତ୍ରୀ । କି ସୁନ୍ଦର ସେମାନଙ୍କର ପ୍ରୀତି-ପ୍ରଫୁଲ୍ଲ-ବଦନ । ଶାନ୍ତି ଓ ତୃପ୍ତିରେ ସେମାନଙ୍କ ମୁଖମଣ୍ଡଳରୁ ଝରିପଡ଼ୁଛି ଆନନ୍ଦର ଅମୃତଧାରା । ଆହା, ଏ ଦୁହେଁ ବାସ୍ତବିକ କେଡ଼େ ସୁଖୀ ନୁହନ୍ତି ? ଅନ୍ୟ କୌଣସି ଗ୍ରହର ଲୋକ ଜଣାପଡ଼ୁଥାନ୍ତି । ଚାହୁଁ ଚାହୁଁ ମେରିନାର ମୁହଁରୁ ଏକ ଦୀର୍ଘ ନିଃଶ୍ୱାସ ବାହାରି ଆସିଲା ସେଇ ଚିତ୍ରକୁ ଅନାଉଁ ଅନାଉଁ । ହଠାତ୍ କାହାର ଉଷ୍ଣ ସ୍ପର୍ଶରେ ମେରିନା ଚମକି ପଡ଼ିଲା । ମୁହଁ ବୁଲାଇ ଦେଖିଲାବେଳକୁ ଆଲେସ୍କି ତା’ ମୁଣ୍ଡ ଉପରେ ବସି ତା ମୁଣ୍ଡରେ ହାତ ବୁଲାଉଛନ୍ତି ।

 

ଆଲେସ୍କିଙ୍କୁ ଦେଖି ମେରିନା ହଠାତ୍ ଗମ୍ଭୀର ହୋଇଗଲା । ଆଲେସ୍କି ତାକୁ କଣ ପଚାରିବେ, ସେ କଣ ଉତ୍ତର ଦେବ ଭାବି ବିଚଳିତ ହୋଇପଡ଼ିଲା । ତା’ର ଏତେ ବଡ଼ ଅପରାଧ ପାଇଁ ଆଲେସ୍କି ତାକୁ କଣ ଯେ କହିବେ, ସେ ଭାବିପାରିଲା ନାହିଁ । ପୁସ୍ତକର ମଲାଟ ଉପରୁ ତା ଚିନ୍ତାସ୍ରୋତ ବାହାରି ଆସି ଘୂରିବୁଲିଲା ବିଭିନ୍ନ ପ୍ରଶ୍ନ-ରାଜ୍ୟ ଭିତରେ । ଅଲକ୍ଷ୍ୟରେ ଦେହ ତାର ଶୀତେଇ ଉଠିଲା ।

 

‘‘ତୁମେ ମୋତେ ଏତେ ଭୁଲ ବୁଝିବ ବୋଲି ମୁଁ ଜାଣି ନଥିଲି ମେରିନା ! ତୁମ ମନର ବେଦନା ମୁଁ ଠିକ୍ ଭାବରେ ଧରିପାରିଥିଲେ ଆଜି ତୁମର ଅବସ୍ଥା ଏପରି ହୋଇ ନଥାନ୍ତା ।’’

 

କହୁଁ କହୁଁ ଆଲେସ୍କିଙ୍କର ଆଖି ଛଳଛଳ ହୋଇଆସିଲା । ବାଷ୍ପରୁଦ୍ଧ କଣ୍ଠରେ ସେ କହିଚାଲିଲେ, ‘‘ଲେନା ସହିତ ତୁମେ ମୋର ଯେଉଁ ସମ୍ପର୍କ ଆଶଙ୍କା କରୁଥିଲି, ସେଇଟା ତୁମର ଭୁଲ ମେରିନା ! ଲେନାକୁ ଦକ୍ଷ ସହକାରୀ ଭାବରେ ମୁଁ ପସନ୍ଦ କରିପାରେ; କିନ୍ତୁ ତୁମ ସ୍ଥାନରେ ତାକୁ ବସାଇବାକୁ ମୁଁ କେବେ ସାହସ କରିପାରେନା । ଲେନା ମୋତେ ଭୁଲ୍ ବୁଝି ବହୁ ଦୂର ଆଗେଇଯାଇଥିଲା ସତ; କିନ୍ତୁ ମୁଁ ତାକୁ ଫେରିଯିବାକୁ ବାଧ୍ୟ କରିଛି । ଏ ହୃଦୟରେ ତୁମ ଛଡ଼ା ଆଉ କାହାରି ସ୍ଥାନ ନାହିଁ । ତୁମକୁ ମୁଁ ବହୁକଷ୍ଟ ଦେଇ ନିଜକୁ ଦୋଷୀ ମଣୁଛି । ମୋତେ କ୍ଷମାକର ମେରିନା ! ମୋତେ ଆଉ ଭୁଲ ବୁଝିବାକୁ ଚେଷ୍ଟା କରନାହିଁ ।’’

 

ଏହା କହି ଲୋତକପୂର୍ଣ୍ଣ ନୟନରେ ଆଲେସ୍କି ମେରିନାର ହାତ ଧରିପକାଇଲେ । ‘‘ହାଁ, ହାଁ, ଏ କଣ କରୁଛ ତୁମେ ?’’ ମେରିନା ବହିଟାକୁ ଫୋପାଡ଼ି ଦେଇ ଉଠି ବସି କହିଲା, ‘‘ତୁମକୁ ଆଜି ମୁଁ ଯେଉଁ କଷ୍ଟ ଦେଇଛି, ସେଥିପାଇଁ ମୋତେ କ୍ଷମା କରିପାରିବ ଆଲେସ୍କି ?’’

 

‘‘ଦୂର୍ ପାଗଳି, ତୁମେ କ’ଣ ଯେ କହୁଛି ମୁଁ ବୁଝିପାରୁନାହିଁ । ତୁମକୁ ମୁଁ ପୁଣି କ୍ଷମା ଦେବି-?’’

 

‘‘ମୁଁ ତ ସାରା ଉପଗ୍ରହକୁ ବିପଦଗ୍ରସ୍ତ କରାଇ ଦେଇଥିଲି । ଏହା ଏକ ବିରାଟ ରାଷ୍ଟ୍ରଦ୍ରୋହ ଅପରାଧ ନୁହେଁ କି ?’’

 

‘‘ହୁଁ, ରାଷ୍ଟ୍ରଦ୍ରୋହ ଅପରାଧ !’’ କୃତ୍ରିମ ଗମ୍ଭୀରତା ଫୁଟାଇ ଆଲେସ୍କି କହିଲେ, ‘‘ହେଉ, ତା’ ହେଲେ ବିଚାର କରାଯିବ ଆଜି ତୁମ ଦୋଷ । ତୁମେ ଯଦି ଦୋଷୀ ସାବ୍ୟସ୍ତ ହୁଅ, ତେବେ ଦଣ୍ଡ ପାଇବାକୁ ପ୍ରସ୍ତୁତ ତ ?’’

 

‘‘କି ଦଣ୍ଡ ଦେବ ମୋତେ ଆଲେସ୍କି ? ମୃତ୍ୟୁଦଣ୍ଡ ? ମୃତ୍ୟୁଦଣ୍ଡ ଯେ ଆମ ରାଷ୍ଟ୍ରରେ କେଉଁ ଦିନରୁ ଉଠିଗଲାଣି ।’’

 

‘‘ମୃତ୍ୟୁଦଣ୍ଡଠାରୁ ଆହୁରି କଠିନ ଦଣ୍ଡ ଯେ ଏଠି ଅଛି ମେରିନା !’’

 

‘‘ଆହୁରି କଠିନ ଦଣ୍ଡ ? ସେ କି ଦଣ୍ଡ ଶୁଣେ ?’’

 

‘‘ବିଚାରାଳୟରେ ସେ ସମ୍ବନ୍ଧରେ ଜାଣିପାରିବ ମେରିନା ।’’ ଏହା କହି ଆଲେସ୍କି ଉଠିପଡ଼ୁଥିଲେ । ହଠାତ୍ ମେରିନା ଆଲେସ୍କିଙ୍କ କୋଟକୁ ଟାଣି ଧରି ଅଟକାଇବାକୁ ଚେଷ୍ଟା କଲା ଏବଂ ତାଙ୍କ କୋଳ ଭିତରେ ମୁଣ୍ଡ ରଖି ଆହୁରି ଟିକିଏ ଗେହ୍ଲେଇ ହୋଇ କହିଲା, ‘‘କଣ ଲେନା ତୁମକୁ ଅପେକ୍ଷା କରୁଛି ? ତୁମେ ଯେ ଆଜି ଏତେ ତରତର ?’’

 

‘‘ଏଁ, ଲେନା ? ଲେନା ହୋଇ ତୁମେ ପାଗଳ ହୋଇଯିବ । ବୋଧହୁଏ ।’’ ଏହା କହି ସେ ମେରିନାର ମୁହଁକୁ ଦୁଇ ହାତୁପାପୁଲି ଭିତରେ ଧରି ହଲାଇଦେଲେ । ମେରିନା ସେହି ହଲାଇବା ଭିତରେ ନିଜକୁ ପୂରାପୂରି ଭୁଲିଯାଇ ଆଖି ବୁଜି ଦେଇଥିଲା; ଅନୁଭବ କରୁଥିଲା ଆଲେସ୍କିଙ୍କର ସେହି ସ୍ନେହ ଭିତରେ ଏକ ଅପୂର୍ବ ସ୍ୱର୍ଗୀୟ ଆନନ୍ଦ ।

 

‘‘ମେରିନା, ଶୁଣିଲଣି, ତୁମ ଦେହ ଖରାପ ହୋଇଛି ବୋଲି ଶୁଣି ତୁମ ବାପା ତୁମକୁ ଦେଖିବାକୁ ଆସିଛନ୍ତି’’–କହୁଁ କହୁଁ ପଶିଆସିଲେ ଆଲେସ୍କି ଚିକିତ୍ସାଳୟର କୋଠରି ଭିତରକୁ ।

 

‘‘ଆଁ, ବାପା ଦେଖିବାକୁ ଆସିଛନ୍ତି ?’’ ଚମକି ପଡ଼ିଲା ମେରିନା, ‘‘କ’ଣ ଏଠାକୁ, ଏ ଉପଗ୍ରହକୁ ?’’

 

‘‘ନା ନା, ସେ କ’ଣ ଏଠାକୁ ଆସିପାରିବେ ? ସେ ତଳ ମାନମନ୍ଦିରକୁ ଆସିଛନ୍ତି । ସେଠାରୁ ତୁମକୁ ଟେଲିଭିଜନ୍‌ ସାହାଯ୍ୟରେ ଦେଖି କଥାବାର୍ତ୍ତା କରିବେ । ତୁମେ କ’ଣ ଟେଲିଭିଜନ୍‌ କକ୍ଷ ପର୍ଯ୍ୟନ୍ତ ଯାଇପାରିବ ?’’

 

‘‘ଯାଇପାରିବି ନାହିଁ କାହିଁକି ? ନିଶ୍ଚୟ ଯାଇପାରିବି ।’’ କହୁ କହୁ ହଠାତ୍ ଖଟ ଉପରୁ ଡେଇଁପଡ଼ିଲା ମେରିନା । ଆଲେସ୍କିଙ୍କୁ ଅପେକ୍ଷା ନକରି ସିଧାସିଧା ସେ ଦୌଡ଼ିଗଲା ଟେଲିଭିଜନ୍‌ କକ୍ଷ ଆଡ଼େ । ଦୁର୍ବଳତା ଯାଇ ନଥିବାରୁ ମେରିନା ଧାଇଁଲାବେଳେ ଟଳମଳ ହେଉଥାଏ; ସତେ ଯେପରି ପଡ଼ିଯିବ କେଉଁଠି । ମେରିନା କାଳେ ପଡ଼ିଯିବ, ଏହି ଭୟରେ ଆଲେସ୍କି ଧାଇଁଲେ ତା ପଛରେ ।

 

ଟେଲିଭିଜନ୍‌ କକ୍ଷରେ ଉପଗ୍ରହର ଅପରେଟର୍‍ ମାନମନ୍ଦିରର ଅପରେଟର ସହିତ କଥାବାର୍ତ୍ତାରେ ଲାଗିଯାଇଥାନ୍ତି । ଉପଗ୍ରହରେ ସେମାନେ କିପରି ଆନନ୍ଦରେ ଦିନ କଟାଉଛନ୍ତି, ମହାଶୂନ୍ୟରେ ସେମାନଙ୍କର କିପରି ସବୁ ଅପୂର୍ବ ଅନୁଭୂତି ହେଉଛି, ଉପଗ୍ରହର ଚାରି ପାଖରେ କିପରି ଶହ ଶହ ଉଲ୍‌କା ଘୂରିବୁଲୁଛନ୍ତି, ସେମାନଙ୍କୁ ଦେଖିଲେ ପ୍ରତି ମୁହୂର୍ତ୍ତରେ କିପରି ସଂଘର୍ଷର ସୂଚନା ମିଳୁଛି ଅଥଚ ଏପର୍ଯ୍ୟନ୍ତ ଗୋଟାଏ ସୁଦ୍ଧା ବି ସଂଘର୍ଷ ହୋଇନି, ସେ ସମ୍ବନ୍ଧରେ ସେ ଏକ ଅନର୍ଗଳ ବକ୍ତୃତା ଦେଇ ଚାଲିଥାନ୍ତି । ଏହି ଉଲ୍‌କାଗୁଡ଼ିକ କିପରି ଛୋଟ ବାଲିଗରଡ଼ାଠାରୁ ଆରମ୍ଭକରି ବଡ଼ ବଡ଼ ପାହାଡ଼ ଆକାରରେ ଅଛନ୍ତି, ସେ ସମ୍ବନ୍ଧରେ ସୂଚାଇବାକୁ ଭୁଲି ନଥାନ୍ତି । ଯେଉଁମାନେ ଏହି ମହାଶୂନ୍ୟକୁ ଆସିନାହାନ୍ତି, ସେମାନେ ଜୀବନରେ କେତେ ବଡ଼ ଅନୁଭୂତିରୁ ଯେ ବଞ୍ଚିତ ହୋଇଛନ୍ତି ତାହା ସେ ସ୍ପଷ୍ଟ ବୁଝାଇ ଦେଉଥାନ୍ତି ।

 

ମାନମନ୍ଦିର ଅପରେଟର ପଚାରିଲେ, ‘‘ତେବେ ତ ଦିନେ ନା ଦିନେ କୃତ୍ରିମ ଉପଗ୍ରହ ସହିତ ଉଲ୍‌କାର ସଂଘର୍ଷ ଫଳରେ ଉପଗ୍ରହ ପୂରାପୂରି ଧ୍ୱଂସ ପାଇଯିବ ଓ ସେଥିସହିତ ତୁମେମାନେ ବି ।"

 

"ନା ନା, ଉଲ୍‌କାଗୁଡିକର ଗତିପଥ ମହାଶୂନ୍ୟରେ ନିର୍ଦ୍ଦିଷ୍ଟ । ସେମାନେ ସେମାନଙ୍କ ଗତିପଥ ଛଡ଼ା ଅନ୍ୟ ଆଡ଼େ ଯାଆନ୍ତି ନାହିଁ । ମହାଶୂନ୍ୟରେ ଆମ ଗତିପଥ ମହାଶୂନ୍ୟରେ ନିର୍ଦ୍ଦିଷ୍ଟ । ସେମାନେ ସେମାନଙ୍କ ଗତିପଥ ଛଡ଼ା ଅନ୍ୟ ଆଡ଼େ ଯାଆନ୍ତି ନାହିଁ । ମହାଶୂନ୍ୟରେ ଆମ ଗତିପଥଠାରୁ ସେମାନଙ୍କ ଗତିପଥ ବହୁ ଦୂର । ତେଣୁ ସେମାନଙ୍କଠାରୁ ଆମ ଉପଗ୍ରହ ଧକ୍‌କା ପାଇବା ଆଶଙ୍କା ଢେର୍ କମ୍ । ବେଳେ ବେଳେ ସେମାନେ ଯଦି ନିଜଗତିପଥରୁ ବିଚ୍ୟୁତ ହୁଅନ୍ତି, ତେବେ ଆମ ସହିତ ବାଧା ପାଇବାର ସମ୍ଭାବନା ଥାଇପାରେ; କିନ୍ତୁ ଆମ ଉପଗ୍ରହରେ ଏଭଳି ଅବସ୍ଥା ଖଞ୍ଜାଯାଇଛି ଯେ, କୌଣସି ଉଲ୍‌କା ଯଦି ନିଜ ଗତିପଥରୁ ବିଚ୍ୟୁତ ହୋଇ ଆମ ଆଡ଼କୁ ଛିଟିକି ଆସେ, ତେବେ ପରମାଣୁବନ୍ଧୁକ ସାହାଯ୍ୟରେ ସେଗୁଡ଼ିକ ଭାଙ୍ଗି ଉଡ଼ାଇ ଦିଆଯାଇ ପାରିବ-। ସେମାନେ ମହାଶୂନ୍ୟ ଭିତରେ ଚୂର୍ଣ୍ଣବିଚୂର୍ଣ୍ଣ ହୋଇ କେଉଁଆଡ଼େ ଉଭେଇଯିବେ । ଉପଗ୍ରହକୁ ସଦାସର୍ବଦା ଜଗିବାପାଇଁ ଏଠାରେ ଅତି ଜଟିଳ ରେଡ଼ାର୍‍ ଯନ୍ତ୍ରମାନ ଖଞ୍ଜାଯାଇଛି । କୌଣସି ଆଡ଼ୁ କୌଣସି ବିପଦ ଉପଗ୍ରହ ଆଡ଼କୁ ଆସିଲେ, ଏହି ରେଡ଼ାର୍ ଯନ୍ତ୍ର ସେଗୁଡ଼ିକ ଜାଣିପାରେ ଓ ତହିଁର ବିହିତ ପ୍ରତିକାର କରିବା ପାଇଁ ଉପଗ୍ରହର ବିଭିନ୍ନ ଅଂଶକୁ ସ୍ୱୟଂକ୍ରିୟ ଭାବରେ ବାର୍ତ୍ତା ଚାଲିଯାଏ ଓ ପରମାଣୁବନ୍ଧୁକ ଠିକ୍ ସେଇ ଆଡ଼କୁ ମୁହଁ କରି ସ୍ୱତଃ ବିସ୍ଫୋରିତ ହୁଏ-। ସବୁଠାରୁ ଆଶ୍ଚର୍ଯ୍ୟ କଥା, ଆମେ ଏଠାକୁ ଆସିବା ଭିତରେ ଏହିଭଳି ଘଟଣା ମୋଟେ ଦୁଇଥର ଘଟିଛି ।’’

 

ଦୁଇଜଣଙ୍କ ଭିତରେ ଏହିଭଳି କଥାବାର୍ତ୍ତା ଚାଲିଥିବା ସମୟରେ ମେରିନା ଟେଲିଭିଜନ୍‌ କକ୍ଷ ଭିତରକୁ ପଶିଆସିଲା । ମେରିନାକୁ ଦେଖି ଅପରେଟର୍ କହିଉଠିଲେ, ‘‘ଆସନ୍ତୁ, ଆସନ୍ତୁ, ଆପଣଙ୍କ ବାପା ଆପଣଙ୍କ ସହିତ କଥାବାର୍ତ୍ତା କରିବାପାଇଁ କେତେ ବେଳୁଁ ଅନାଇ ବସିଛନ୍ତି ।’’ ସଙ୍ଗେ ସଙ୍ଗେ ଉପଗ୍ରହର ଅପରେଟର୍ ମାନମନ୍ଦିରର ଅପରେଟରକୁ ନିର୍ଦ୍ଦେଶ ଦେଲାରୁ ହଠାତ୍ କ୍ଷଣକ ପାଇଁ ଉପଗ୍ରହର ଟେଲିଭିଜନ୍ ପର୍ଦ୍ଦା ଅନ୍ଧାର ହୋଇଗଲା । ଠିକ୍ ପରମୁହୂର୍ତ୍ତରେ ମେରିନାର ପିତାଙ୍କ ଚିତ୍ର ଟେଲିଭିଜନ୍‌ର ନୀଳାଭ ପରଦା ଉପରେ ଫୁଟିଉଠିଲା ।

 

ମେରିନା ‘ବାପା’ ‘ବାପା’ କହି ଟେଲିଭିଜନ୍‌କୁ କୁଣ୍ଡାଇ ପକାଇବାକୁ ହସ୍ତ ପ୍ରସାରିତ କଲା-। ବୃଦ୍ଧ ପିତା ମେରିନାକୁ ଦେଖି କାନ୍ଦି ପକାଇଲେ । ଟୋପା ଟୋପା ଅଶ୍ରୁ ତାଙ୍କ ଗଣ୍ଡଦେଶ ଦେଇ ଖସିପଡ଼ିଲା ରୁକ୍ଷ ଚଟାଣ ଉପରେ । କିଛି ସମୟ ପରେ ସେ ବାଷ୍ପଗଦ୍‌ଗଦ୍ କଣ୍ଠରେ ପଚାରିଲେ, ‘‘ମା’’ ! ତୁ ବଡ଼ ଦୁର୍ବଳ ହୋଇପଡ଼ିଛୁ ମୁଁ ଦେଖୁଛି । ଏଇ ତୋ’ ଆସିବା ପୂର୍ବରୁ ଆଲେସ୍କିଙ୍କ ସହିତ କଥାବାର୍ତ୍ତା ହେଉଥିଲି, ତୁ କିପରି ଭାବରେ ତୋର କୋଠରି ଭିତରେ ଅଚେତ ହୋଇପଡ଼ିଥିଲୁ; ତୋର କୋଠରିର ଝରକା କିପରି ଦୈବକ୍ରମେ ଭାଙ୍ଗିଯାଇ ତୋତେ ମୃତ୍ୟୁମୁଖକୁ ଟାଣିନେଉଥିଲା । ସେ କଥା ଶୁଣି ମୁଁ ବଡ଼ ଦୁଃଖିତ ହୋଇପଡ଼ିଥିଲି । ଆଲେସ୍କି ଓ ତାର ବନ୍ଧୁମାନେ ତୋତେ କିପରି ଉଦ୍ଧାର କଲେ, ସେକଥା ଶୁଣି ମୁଁ ଆଲେସ୍କିଙ୍କୁ ଧନ୍ୟବାଦ ନଦେଇ ରହି ପାରିଲି ନାହିଁ । ତୋର ଯେତେବେଳେ ଚେତା ଆସି ନଥିଲା, ତୋର ଦେହର ଅସୁଖ ନେଇ ଆଲେସ୍କି ମୋ’ଠାକୁ ତାର କରିଥିଲେ । ତୋର ଦେହ ଖରାପ ହେବା କଥା ଶୁଣି ମୁଁ ଆଉ ତୋ ମା’ ବଡ଼ ବ୍ୟସ୍ତ ହୋଇପଡ଼ିଥିଲୁଁ-। ତୋତେ କିପରି ଦେଖିବି, ସେଥିପାଇଁ ଘରୁ ଏଠାକୁ ପଳାଇ ଆସିଲି । ଏଠାରେ ପହଞ୍ଚି ଶୁଣିଲି ଯେ ତୁ ଭଲ ହୋଇଗଲୁଣି । ଭଗବାନ ତୋତେ ଯେ ବଞ୍ଚାଇ ଦେଇଛନ୍ତି, ସେହି ଆମର ଢେର୍-। ଏଥର ଯାଇ ମୁଁ ତୋ’ ମା’କୁ ଏପରି ବୁଝାଇ ଦେବି ଯେ ସେ ତୋ’ ପାଇଁ ଆଉ ବ୍ୟସ୍ତ ହେବନି । ଯା’ ହେଉ ତୋ ସହିତ ଏହି ଯେଉଁ ସାମନାସାମନି ଦେଖାହେଲା, ଏହାଠାରୁ ବଡ଼ ଭାଗ୍ୟ ଆଉ ଆମର କ’ଣ ହୋଇପାରେ ।’’

 

‘‘ବାପା, ଆପଣ ମା’କୁ ଟିକିଏ ସଙ୍ଗରେ ନେଇ ଆସିଲେ ନାହିଁ ? ମା’କୁ ଟିକିଏ ଦେଖିବାକୁ ମନ ହେଉଛି ।’’

 

‘‘ତୁ ଚିନ୍ତା କରନା ମା ! ମୁଁ ତୋ ମା’କୁ ଯାଇ ସବୁ କଥା ବୁଝାଇ ଦେବି । ସେ ଆଉ ବ୍ୟସ୍ତ ହେବନି ତୋ ପାଇଁ । ତୁ ମୋ’ଠାରୁ ଏତେ ଦୂରରେ ଥିଲେ ମଧ୍ୟ ମୁଁ କିପରି ତୋତେ ପାଖରେ ଥିଲା ଭଳି ଦେଖୁଛି, ଏ କଥା ତୋ ମା’କୁ କହିଲେ ସେ ଆନନ୍ଦରେ ନାଚି ଉଠିବ । ସେ ତ ମୋତେ ବଳେ ଅଥୟ କରିବ ପୁଣି ଥରେ ଏଠାକୁ ଆସିବା ପାଇଁ । ଆସନ୍ତା ବର୍ଷ ଏହି ପ୍ରଦେଶର ରାଜଧାନୀରେ ଉଦ୍ଭିଦବିଜ୍ଞାନବିତ୍ ମାନଙ୍କର ଏକ ବଡ଼ ସମ୍ମିଳନୀ ବସୁଛି । ଏହି ସମ୍ମିଳନୀର ଯୋଗଦେବା ପାଇଁ ମୋତେ ଆସିବାକୁ ପଡ଼ିବ । ମୁଁ ଯଦି ଆସେ, ତେବେ ତୋ ମା’କୁ ସଙ୍ଗରେ ନିଶ୍ଚୟ ଘେନି ଆସିବି । ଏଠାକାର ସମ୍ମିଳନୀ ଶେଷ କରି ତୋ ମା’କୁ ଏହି ମାନମନ୍ଦିରକୁ ଆଣି ତୋ ସହିତ ସାକ୍ଷାତ୍ କରାଇଦେବି । ତୁ ଆଉ ବ୍ୟସ୍ତ ହୁଅନା ସେଥିପାଇଁ । ହଁ, ମୁଁ ଯିବାଆଗରୁ ଆଲେସ୍କିଙ୍କୁ କହିଯାଉଛି, ସବୁବେଳେ ସେ ଯେପରି ତୋର ଯତ୍ନ ନେଉଥିବ । ଆଲେସ୍କି ସେଠି ଅଛନ୍ତି ବୋଲି ସିନା ମୁଁ ତୋତେ ଛାଡ଼ିଛି; ନଚେତ୍ ମୁଁ କ’ଣ ତୋତେ ଏତେ ବଡ଼ ବିପଦସଂକୁଳ ସ୍ଥାନକୁ ଛାଡ଼ି ଦେଇଥାନ୍ତି । କିଏ ମା, ତୋ ପଛରେ ଆଲେସ୍କି ନା କିଏ ଠିଆ ହୋଇଛନ୍ତି ଦେଖିଲୁ । ଅନ୍ଧାର ଅନ୍ଧାର ଦିଶୁଛି ତାଙ୍କ ମୁହଁ । କହ ତାଙ୍କୁ, ସେ ଟିକିଏ ମୋ ଆଗକୁ ଆସନ୍ତୁ ।’’

 

ବାପାଙ୍କ ମୁଖରୁ ଏକଥା ଶୁଣି ମେରିନା ପଛଆଡ଼କୁ ଅନାଇଲା । ଆଲେସ୍କିଙ୍କୁ ପଛରେ ଠିଆହୋଇଥିବାର ଦେଖି ନିଜେ ଘୁଞ୍ଚିଯାଇ ଆଲେସ୍କିଙ୍କ ପାଇଁ ବାଟ ଛାଡ଼ିଦେଲା । ଆଲେସ୍କି ସାମନାକୁ ଆସିଲାରୁ ପିତା କହିଲେ, ‘‘ଦେଖ ବାପା ଆଲେସ୍କି, ତୁମ ଭରସାରେ ସିନା ମୁଁ ମେରିନାକୁ ଏଠାରେ ଛାଡ଼ିଛି । ତୁମେ ଯେପରି ତାର ସବୁ ଦାୟିତ୍ୱ ନିଅ, ସେଇ ମୋର ଏକାନ୍ତ ଅନୁରୋଧ । ତାକୁ ତ ତୁମେ ବହୁ ଦିନରୁ ଦେଖିଆସିଛ, ସେ କିପରି ପିଲା । ନିଜ ଘର ଭଳି ଭାବି ଚଳାଇନେଲେ କିଛି ଅସୁବିଧା ହେବନି ତାର । ହଁ, ସେଦିନ ତମ ବାପାଙ୍କ ସହିତ କେନ୍ଦ୍ର ରାଜଧାନୀର ମିଉଜିଅମ୍‌ରେ ଦେଖାହୋଇଥିଲା । ସେ ମୋତେ ଯାହା କହିଥିଲେ, ସେଥିରେ ମୁଁ ପୂରାପୂରି ରାଜି ବାପ ! ତମ ଦୁଇଜଣଙ୍କୁ ଏକତ୍ର ଦେଖିବାର ବାସନା ତୁମ ବାପାଙ୍କର ଯେତିକି, ମୋର ବି ତାଠାରୁ କିଛି କମ୍ ନୁହେଁ । ତୁମେମାନେ କେବେ ଉପଗ୍ରହରୁ ଫେରିବ ସେଇ ଦିନଟିକୁ ଆମେ ଅପେକ୍ଷା କରି ବସିଛୁଁ । ତୁମ ହାତରେ ମୁଁ ମେରିନାକୁ ଦେଇ କିପରି ଶାନ୍ତିରେ ନିଃଶ୍ୱାସ ମାରିବି ସେଇ ମୋର ଚିନ୍ତା । ହେଉ, ଦୟାମୟଙ୍କର ଇଚ୍ଛା ।’’

 

ଅଧ୍ୟାପକ କୋଜେଲେସ୍କିଙ୍କର ଉକ୍ତିରେ ଆଲେସ୍କି ଯେତିକି ଲଜ୍ଜିତ ହେଲେ, ତାଠାରୁ ଅଧିକ ଲଜ୍ଜିତା ହେଲା ମେରିନା ।

 

ପରିଶେଷରେ ବୃଦ୍ଧ କହିଲେ, ‘‘ହେଉ ବାପ, ମୁଁ ଏବେ ଯାଉଛି । ମେରିନା ତୁମକୁ ଲାଗିଲା ।’’ ମେରିନା ଆଡ଼କୁ ଅନାଇ କହିଲେ, ‘‘ଆଉ କ’ଣ କହୁଛୁ ମା ? ମୁଁ ଯାଉଛି, ଆଜି ସନ୍ଧ୍ୟାରେ ଘରକୁ ଫେରିଯିବାପାଇଁ ମୋତେ ଉଡ଼ାଜାହାଜ ଧରିବାକୁ ପଡ଼ିବ ।’’

 

ଟେଲିଭିଜନ୍‌ ପରଦା ଆଲୋକ ଦପ୍ କରି ଲିଭିଗଲା । ମେରିନା ଆଲେସ୍କିଙ୍କ ଆଡ଼କୁ କ୍ଷଣକ ପାଇଁ କଣେଇ କଣେଇ ଅନାଇ ହସି ଝରକାରେ ମହାଶୂନ୍ୟ ଭିତରକୁ ଦୃଷ୍ଟି ଫେରାଇଲା । ଆଲେସ୍କି ମଧ୍ୟ ମେରିନା ଆଡ଼କୁ ଅନାଇ ନହସି ରହିପାରିଲେ ନାହିଁ । ଦୁଇଟି ହସହସ ମୁଖର ଚାରି ଚକ୍ଷୁ ମିଳନରେ କେତେ ଅବ୍ୟକ୍ତ ଭାଷା ଓ ଭାବ ଯେ ରହିଗଲା, ତା’ ବୁଝିଲା ଲୋକକୁ ଇସାରା ଦେବା ବୋଧହୁଏ ବେଶୀ ହୋଇଯିବ । ଦୁଇଜଣଙ୍କର ଏହି ଚକ୍ଷୁ ମିଳନର ଉଦ୍ଦେଶ୍ୟ ବିଚାରା ଅପରେଟର ବୁଝିଲା କି ନାହିଁ, ଦୁହେଁ ଠଉରାଇ ପାରିଲେ ନାହିଁ ।

 

ସେଦିନ ସାରା ଉପଗ୍ରହ ବେଶ୍ ସରଗରମ ହୋଇଉଠିଥାଏ । ଅକ୍ଟୋବର ବିପ୍ଲବ ଦିବସ ଉପଲକ୍ଷେ ଉପଗ୍ରହର ଦୈନନ୍ଦିନ ଗବେଷଣା ପୂରାପୂରି ବନ୍ଦ । ଉପଗ୍ରହରେ ଏହି ଦିନଟି ଆନନ୍ଦ ଉତ୍ସବରେ କଟାଇଦେବା ପାଇଁ ସ୍ଥିର ହୋଇଥାଏ । ତଳ ଲେନିନ୍ ମାନମନ୍ଦିରରେ ମଧ୍ୟ ଏଇ ଦିନଟି ଏକ ଆନନ୍ଦଉତ୍ସବର ଦିନ ବୋଲି ଠିକ୍ ହୋଇଥାଏ । ଲଢ଼ାକିସ୍ଥାନର ବିଖ୍ୟାତ ବେଲେଟ୍ ଶିଳ୍ପୀ ସୁନ୍ଦରୀ ମେରିନୋଭା ଉପଗ୍ରହର ଅଧିବାସୀମାନଙ୍କ ପାଇଁ ଲେନିନ୍ ମାନମନ୍ଦିରରେ ଏକ ବେଲେଟ୍ ଡାନସ୍ ଦେଉଥାନ୍ତି । ମାନମନ୍ଦିରର ଟେଲିଭିଜନ୍‌ ଦ୍ୱାରା ଏହା ଉପଗ୍ରହକୁ ପ୍ରେରିତ ହେବା ପାଇଁ ବନ୍ଦୋବସ୍ତ ହୋଇଥାଏ । ଏହା ସଙ୍ଗେ ସଙ୍ଗେ ସ୍ଥାନୀୟ ସମ୍ମିଳିତ ଗାଉଁଲୀ ଗୀତ, ନୃତ୍ୟ ଓ ତତ୍ ସଙ୍ଗେ ସଙ୍ଗେ; ନାନାପ୍ରକାର ଖେଳ କସରତ୍ ଏବଂ ଏକ୍ରୋବେଟିକସ୍ ଆଦି ଦେଖାହେବାର ବନ୍ଦୋବସ୍ତ ହୋଇଥାଏ । ଉପଗ୍ରହର ଅଧିବାସୀମାନେ କୋଳାହଳମୟ ଦୁନିଆଠାରୁ ଦୂରରେ ରହି କାଳେ ନିର୍ଜ୍ଜନତାର ଅଭିଶାପରେ ଦଗଧ ହେଉଥିବେ ସେଥିପାଇଁ ସେମାନଙ୍କୁ ଆମୋଦପ୍ରମୋଦ ଦେବାପାଇଁ କେନ୍ଦ୍ର ସରକାରଙ୍କର ନିର୍ଦ୍ଦେଶକ୍ରମେ ଏହି ବନ୍ଦୋବସ୍ତ ଲେନିନ୍ ମାନମନ୍ଦିରରେ କରାହୋଇଥାଏ । କେନ୍ଦ୍ର ରାଜଧାନୀର ବିଖ୍ୟାତ ବେଲେରିନା ସୁନ୍ଦରୀ ଫାଡ଼େୟାଭନା ତାଙ୍କର ପୃଥିବୀ ପ୍ରସିଦ୍ଧ ବେଲେଟ୍ ନୃତ୍ୟ ଦେବାପାଇଁ ଲେନିନ୍ ମାନମନ୍ଦିରକୁ ନିମନ୍ତ୍ରିତ ହୋଇ ଆସିଥାନ୍ତି । ଲେନିନ୍ ମାନମନ୍ଦିରର ଏହି ଉତ୍ସବର ଖବର ଓ ପ୍ରୋଗ୍ରାମ୍ ସପ୍ତାହକ ଆଗରୁ ଉପଗ୍ରହକୁ ପଠାଇ ଦିଆଯାଇଥାଏ । ଉପଗ୍ରହର ଅଧିବାସୀମାନେ ଏହି ଖବରରେ ଏକରକମ୍ ପାଗଳ ହୋଇପଡ଼ିଥାନ୍ତି-। ଉତ୍ସବ ଦିନ ସକାଳୁ ପ୍ରତ୍ୟେକେ ନିତ୍ୟକର୍ମ ସାରି ଧୀରେ ଧୀରେ ଲେକ୍‌ଚର୍ ଗୃହରେ ଆସି ହାଜର-। ଟେଲିଭିଜନ୍‌ କକ୍ଷର ଏହି ଟେଲିଭିଜନ୍‌ ଚିତ୍ରକୁ ସମସ୍ତେ ଉପଭୋଗ କଲାଭଳି ବଡ଼ ଆକାରର କରି ସିନେମାଗୃହର ପରଦାଭଳି ବଡ଼ ପରଦା ଉପରେ ପକାଇବା ପାଇଁ ବହୁ ଜଟିଳ ଯାନ୍ତ୍ରିକ ବନ୍ଦୋବସ୍ତ ହୋଇଥାଏ ଏହି ଲେକ୍‌ଚର ଗୃହରେ । ଉପଗ୍ରହ ସାରା ଆନନ୍ଦର କୋଳାହଳ । ନିଜ ଦେଶର ଶିଳ୍ପୀମାନଙ୍କୁ ଏତେ ଦୂରରେ ଥାଇ ଦେଖିବା ଓ ସେମାନଙ୍କର ନାଚ, ଗୀତ ଆଦି ଉପଭୋଗ କରିବା କମ୍ ବଡ଼ ଆନନ୍ଦର କଥା ନୁହେଁ ।

 

ଲେନା, ମେରିନା, ଏଲିନା, ମେରିଆ ଆଦି ସମସ୍ତେ ଭାରି ଖୁସି । ଆନନ୍ଦରେ ସେମାନେ ଏତେ ଅଧିର ସତେ ଯେପରି ସେମାନଙ୍କ ଗୋଡ଼ ଉପଗ୍ରହର ଇସ୍ପାତ୍ ଚଟାଣ ଉପରେ ମୋଟେ ଲାଗୁ ନ ଥାଏ । କୁହୁକ ରାଇଜର ପରୀମାନେ ଆକାଶରେ ଉଡ଼ି ଚଲାବୁଲା କଲାଭଳି ସେମାନେ ଉପଗ୍ରହରେ ଉଡ଼ି ବୁଲିଲା ଭଳି ଅନୁଭବ କରୁଥାନ୍ତି । ସେମାନେ କେତେବେଳୁ ଆସି ଲେକ୍‌ଚର୍ ଗୃହର ସାମନା ବେଞ୍ଚରେ ଆସ୍ଥାନ ଜମାଇ ବସିଗଲେଣି । ମେରିନା ଭାରି ଖୁସି ଯେ ସେ ତା’ର ସଙ୍ଗିନୀ ଫାଡ଼େୟାଭନାକୁ ଦେଖିପାରିବ । ଏଲିନା ଭାରି ଖୁସି ଯେ ସେ ତା’ର ଅତିପ୍ରିୟ ଗାଉଁଲି ନୃତ୍ୟ ଦେଖିପାରିବ । ଲାଢ଼ାକିସ୍ଥାନର ସୁପ୍ରସିଦ୍ଧ ଏକ୍ରୋବେଟିକ୍‌ସ ଦେଖିପାରିବ ବୋଲି ମେରିନାର ଆନନ୍ଦର ସୀମା ନାହିଁ । ପ୍ରଦର୍ଶିନୀ ଆରମ୍ଭ ହେବାକୁ ପ୍ରାୟ ପାଞ୍ଚମିନିଟ୍ ବାକି । ଉପଗ୍ରହର ପ୍ରାୟ ସମସ୍ତେ ଆସି ଲେକ୍‌ଚର ଗୃହରେ ଜମାହୋଇ ଗଲେଣି, କିନ୍ତୁ ଡିରେକଟର ଆଲେସ୍କିଙ୍କର ଦେଖାନାହିଁ । ଆଲେସ୍କି କୁଆଡ଼େ ଗଲେ, ସେ ବିଷୟରେ ଅନ୍ୟମାନେ ଯେତେ ଚିନ୍ତିତ ନ ଥିଲେ, ସବୁଠାରୁ ଅଧିକ ଚିନ୍ତିତା ଥିଲା ମେରିନା । ସେ ଏଆଡ଼କୁ ସେ ଆଡ଼କୁ ଅନାଇ ଆଲେସ୍କିଙ୍କୁ ଖୋଜିବାକୁ ଲାଗିଲା । ମେରିନା ଚାରିଆଡ଼କୁ ଏଭଳି ଉଚ୍ଛନ୍ନ ହୋଇ ଅନାଇବାର ଦେଖି ଲେନା ମୁରୁକି ମୁରୁକି ହସିବାକୁ ଲାଗିଲା । ଲେନାର ହସ ଦେଖି ଡିରେକ୍‌ଟରଙ୍କ ସେକ୍ରେଟାରୀ ଏଲିନା ମଧ୍ୟ କଣେଇ କଣେଇ ହସୁଥାଏ ।

 

ଆଲେସ୍କି ଆସିବା ଯେତିକି ଡେରି ହେଉଥାଏ, ମେରିନା ସେତିକି ଉଚ୍ଛନ୍ନ ହେଉଥାଏ । ସେ ଆଉ ସମ୍ଭାଳି ନପାରି ଡାହାଣ ପାଖରେ ବସିଥାଏ ଏଲିନାକୁ ପଚାରିଲା–‘‘ଡିରେକ୍ଟର ଏତେବେଳଯାଏ କୁଆଡ଼େ ଗଲେ ଏଲିନା ?’’

 

‘‘ମୁଁ ତ ଜାଣିନି, ଆଜି ସକାଳଠାରୁ ମୁଁ ତ ତାଙ୍କୁ ଭେଟିନି ମୋଟେ ।’’

 

ମେରିନା ପୁଣି ଥରେ ଲେକ୍‌ଚର ଗୃହର ଦୁଆର ଆଡ଼କୁ ଅନାଇଲା; ମନେହେଲା ସତେ ଯେପରି ଆଲେସ୍କି ଚାଲିଆସୁଛନ୍ତି ।

 

ମେରିନା କାଳେ ଲେନାକୁ ପଚାରିବ, ସେଥିପାଇଁ ଲେନା ଟିକିଏ ଗମ୍ଭୀର ହୋଇ ବସି ମୁହଁ ଉପରେ ସିଲ୍‌କର ରୁମାଲ ଗୁଞ୍ଜି ଲେକ୍‌ଚର ଗୃହର ରୁପେଲି ପ୍ଲାଷ୍ଟିକ୍‌ସ ପରଦା ଆଡ଼କୁ ଅନାଇ ରହିଥାଏ; ସତେ ଯେପରି ସେ କିଛି ଜାଣେନି ଡିରେକଟରଙ୍କ ବିଷୟରେ ।

 

ଏଲିନାକୁ ଅନାଇ ମେରିନା ପୁଣି ପଚାରିଲା, ‘‘ତୁମେ ତ ଜାଣିନ, ତେବେ କହିଲ, ସେ ବର୍ତ୍ତମାନ କେଉଁଠି ଅଛନ୍ତି ସେକଥା ଏଠାରେ କିଏ କହିପାରିବ ? ସହକାରୀ ଡିରେକ୍‌ଟର ଭିନୋଗ୍ରେଡ଼ୋଭ କ‘ଣ ଜାଣିଥିବେ ?’’

 

‘‘ଉଁ ହୁଁ, ସେ ବି ଜାଣିବେ କୁଆଡ଼ୁ ? ଲେନାଙ୍କ ଛଡ଼ା ଆଉ କେହି ତ କହିପାରିବେ ନାହିଁ ସେ ବର୍ତ୍ତମାନ କେଉଁଠି ଥିବେ ।’’

 

ଏଲିନା ମୁହଁରୁ ଏତକ ଶୁଣି ମେରିନା ଲେନା ଆଡ଼େ ଅନାଇଲା । ଲେନା ନ ଶୁଣିଲା ପରି ସେହି ରୂପେଲି ପରଦା ଆଡ଼କୁ ଅନାଇ ରହିଥାଏ ।

 

ମେରିନା ଲେନାର ଦୃଷ୍ଟି ଆକର୍ଷଣ କରିବା ପାଇଁ ତା’ର ମୁହଁରେ ଗୁଞ୍ଜିଥିବା ସିଲ୍‌କ ରୁମାଲଟିକୁ ଟାଣିଆଣି କହିଲା, ‘‘କେତେ ଅଭିନୟ ଦେଖାଉଛ ଲେନା; ସତେଯେପରି କିଛି ଜାଣିନ-। କେଉଁଠି ଆଲେସ୍କିଙ୍କୁ ଲୁଚାଇଛ କହୁନ ?’’ ଏତକ କହି ଲେନାର ବେକରେ ହାତ ପକାଇ ନିଜ ଆଡ଼କୁ ଟାଣି ଆଣିଲା ।

 

‘‘ମୁଁ କାହିଁକି ଆଲେସ୍କିଙ୍କୁ ଲୁଚାଇବି ! ଯେ ତାଙ୍କୁ ବେଶୀ ଖୋଜୁଛି ସେ ସିନା କେଉଁଠି ଲୁଚାଇଥିବ ? କିଏ ଜାଣେ, ତାଙ୍କୁ କେଉଁଠି ଅପେକ୍ଷା କରିବା ପାଇଁ କହିଆସିଥିବ ।’’

 

‘‘ବାଃ, ଠିକ୍‌ ଚୋର ଧରାପଡ଼ିଛି ଏଥର । ଦେଖିବା ଆଲେସ୍କି କେଉଁଠି ଅପେକ୍ଷା କରିଛନ୍ତି ?’’ ଠିକ୍‌ ଏହି ସମୟରେ ଲେକ୍‌ଚର ଗୃହ ଭିତରକୁ ତରତର ହୋଇ ପଶିଆସିଲେ ଡିରେକ୍‌ଟର ଆଲେସ୍କି । ସେ ଆରମ୍ଭ ହେବାକୁ ପ୍ରାୟ ମିନିଟିଏ ବାକି । ସେ ଆସୁ ଆସୁ ତାଙ୍କୁ ଅପେକ୍ଷା କରିଥିବା ଉପଗ୍ରହର ଅଧିବାସୀମାନଙ୍କୁ ହାତ ଯୋଡ଼ି କ୍ଷମା ମାଗିନେଇ କହିଲେ, ‘‘କ’ଣ କରିବି, ବଡ଼ ଜରୁରୀ କାମରେ ରହିଯାଇଥିଲି । ଆଶା, ଆପଣମାନେ କିଛି ମନେ କରିବେ ନାହିଁ ମୋ ଡେରି ପାଇଁ ।’’ ସଙ୍ଗେ ସଙ୍ଗେ ଘଡ଼ିକୁ ଅନାଇଁ କହିଲେ,, ‘‘ଓଃ, ଆଉ ମିନିଟିଏ ମୋଟେ ବାକି-?’’ ସେ ଦେବେଲିନ୍‌ଙ୍କ ପାଖରେ ଖାଲି ପଡ଼ିଥିବା ଖଣ୍ତିଏ ଚେୟାର ଟାଣି ଆଣି ବସିପଡ଼ିଲେ । ‘‘ଆଉ ତ କେହି ଆସିବା ବାକି ନାହିଁ ?’’ ଲେନା, ମେରିନା ପ୍ରଭୃତିଙ୍କ ଆଡ଼କୁ ଅନାଇଁ କହିଲେ, ‘‘ଓଃ, ମୋର ତା’ ହେଲେ ସବୁଠାରୁ ବେଶୀ ଡେରି ।’’ ମେରିନା ଲେନାକୁ ଖୁଞ୍ଚିଦେଇ କହିଲା, ‘‘ଆଲେସ୍କି ଏତେବେଳଯାଏଁ କେଉଁଠି ଥିଲେ ଲେନା ? କେନ୍ଦ୍ର ପର୍ଯ୍ୟବେକ୍ଷଣାଗାରରେ ।

 

ମେରିନା ଏତକ କହିସାରିଛି କି ନାହିଁ, ହଠାତ୍‌ ରୂପେଲି ପରଦା ଉପରେ ପଡ଼ିଲା ଝିନ୍‌ଝିନ୍‌ ଈଷତ୍‌ନୀଳ ଆଲୋକ । ଲେନିନ୍‌ ମାନମନ୍ଦିରର ଡିରେକ୍‌ଟର ବୃଦ୍ଧ ପାଲାଭିନ୍‌ ହସି ହସି ଏକ କ୍ଷୁଦ୍ର ବକ୍ତୃତା ଦେଇ ଉତ୍ସବଟିକୁ ଉଦ୍‌ଘାଟନ କଲେ । ଉପଗ୍ରହର ଅଧିବାସୀମାନଙ୍କର ସ୍ୱାର୍ଥତ୍ୟାଗ ଓ ଅଦ୍ୟମ ଉତ୍ସାହ ଆଦିକୁ ଅଶେଷ ଧନ୍ୟବାଦ ଦେଇ ସେମାନଙ୍କ ଉଦ୍ଦେଶ୍ୟରେ ଏହି ଅଭିନୟଟି କିପରି କରାଯାଇଛି ତାହା ବୁଝାଇଦେଲେ ଓ କହିଲେ, ‘‘ଉପଗ୍ରହର ଅଧିବାସୀମାନେ ସେମାନଙ୍କର ଏହି ବିରାଟ କାର୍ଯ୍ୟ ପାଇଁ କେବଳ ସେ ନିଜେ ରାଷ୍ଟ୍ରର ଧନ୍ୟବାଦର ପାତ୍ର ଅଟନ୍ତି ତା ନୁହେଁ; ସେମାନଙ୍କର ଅସଂଖ୍ୟ ଆବିଷ୍କାର ନିକଟରେ ସାରା ପୃଥିବୀ ଋଣୀ ।’’

 

ବୃଦ୍ଧ ପାଲାଭିନ୍‌ଙ୍କ ଏହି ଉକ୍ତିରେ କରତାଳି କମ୍ପି ଉଠିଲା ଏକ ସଙ୍ଗରେ ଲେନିନ୍‌ ମାନମନ୍ଦିରରେ ଓ ଉପଗ୍ରହର ବକ୍ତୃତା ପୃହରେ । ଠିକ୍‌ ପରମୂହର୍ତ୍ତରେ ପେଲି ପରଦା ଉପରୁ ବୃଦ୍ଧ ପାଲାଭିନ୍‌ଙ୍କ ଚିତ୍ର ଅପସରି ଯାଇ ତା’ ସ୍ଥାନରେ ଫୁଟିଉଠିଲା ସୁନ୍ଦରୀ ମେରିନୋଭାଙ୍କ ଏକ ଅପୂର୍ବ ଅଙ୍ଗଭଙ୍ଗୀଯୁକ୍ତ ଚିତ୍ର । ଅଙ୍ଗଭଙ୍ଗୀର ସ୍ତରେ ସ୍ତରେ ଫୁଟିଉଠୁଥିଲା ଉକ୍ତୃଷ୍ଟ କଳାଚାତୁରୀ ଓ ସୌନ୍ଦର୍ଯ୍ୟର ଅସରନ୍ତି ସମ୍ଭାର । ଲଢ଼ାକିସ୍ଥାନର ଏହି ସୁନ୍ଦରୀଙ୍କର ଢଳଢଳ ଯୌବନର ରୂପଭଙ୍ଗୀକୁ ଦେଖି ଲେନା ସଳଖ ହୋଇ ଉଠି ବସିଲା । ମେରିନା ଆଡ଼କୁ ଅନାଇ ଲେନା କହିଲା, ‘‘ଆଃ ! ସୌନ୍ଦର୍ଯ୍ୟର କି ଅସରନ୍ତି ଭଣ୍ଡାର ? ସତେ ଯେପରି ସ୍ୱର୍ଗରୁ ଓହ୍ଲାଇ ଆସିଛି ପରୀଟିଏ । କି ସୁନ୍ଦର ଢଳଢଳ ଆଖି, କି ମନତାଣିଆ ଭ୍ରୂଲତା, ଆରକ୍ତ କପୋଳ ଉପରେ ଫୁଟିଉଠୁଛି ମୁରୁକି ହସର କି ଅପୂର୍ବ କୁଞ୍ଚ, ଚମ୍ପକକଳିକାନିନ୍ଦୀ ଅଙ୍ଗୁଳିର କି ଅପୂର୍ବ ଭଙ୍ଗୀ, କି ସୁନ୍ଦର ସରୁ ଗ୍ରୀବା ? ସତେ ଯେପରି ବିଧାତା ଦୁନିଆର ସବୁ ସୁନ୍ଦର ଅଙ୍ଗପ୍ରତ୍ୟଙ୍ଗଗୁଡ଼ିକୁ ଏକାଠି କରିଛନ୍ତି ଏହି ମେରିନୋଭାଠାରେ । କ’ଣ କହୁଛ ମେରିନା ?’’

 

ପ୍ରୋଗ୍ରାମ ପରେ ପ୍ରୋଗ୍ରାମ ଚାଲିଲା ସେହି ରୂପେଲି ପରଦା ଉପରେ । ଘନ ଘନ କରତାଳିରେ ବକ୍ତୃତା ଗୃହ କମ୍ପି ଉଠୁଥାଏ । ଏହି ସବୁ ପ୍ରୋଗ୍ରାମ ଶେଷ ହେବାକୁ ପ୍ରାୟ ତିନିଘଣ୍ଟା ବିତିଗଲା ।

 

ସକାଳ ଓଳିର ପ୍ରୋଗ୍ରାମ ଭଳି ସନ୍ଧ୍ୟା ବେଳର ପ୍ରୋଗ୍ରାମ ମଧ୍ୟ ଖୁବ୍‌ ଭିଡ଼ । ଦିନ ପାଞ୍ଚଟାଠାରୁ କାର୍ଯ୍ୟକ୍ରମ ଆରମ୍ଭ ହେବାର ସ୍ଥିରୀକୃତ ହୋଇଥାଏ । ସର୍ବପ୍ରଥମେ ଏକ ସମ୍ମିଳିତ ଗାନ । ଏଥିରେ ଉପଗ୍ରହର ଅଧିବାସୀମାନେ ଭାଗ ନେବେ । ରାତି ସାଢ଼େ ସାତଟା ସମୟରେ କ୍ଳବ ରୁମ୍‌ରେ ଏକ ବିରାଟ ରାତ୍ରି ଭୋଜନ । ଭୋଜିସଭାରେ କୁମାରୀ ମେରିଆଙ୍କ ନୃତ୍ୟ । ଭୋଜି ପରେ ରାତି ନଅଟା ସମୟରେ ଚଳଚିତ୍ର ପ୍ରଦର୍ଶନୀ ।

 

ରାତ୍ରିଭୋଜନ ପ୍ରାୟ ଶେଷ ହେବାକୁ ଯାଉଥାଏ । ଗୋଟାଏ ଟେବୁଲ ଚାରିପାଖରେ ଘେରିବସିଥାନ୍ତି ମେରିନା, ଆଲେସ୍କି, ଇଞ୍ଜିନିଅର ଛେବିସେଭ୍‌, ପଦାର୍ଥବିଦ୍ୟାବିତ୍‌ ଲ୍ୟାପୁନାଭ ଓ ଲେନା । ଉପଗ୍ରହର ଅନ୍ୟମାନେ ଅନ୍ୟ ଟେବୁଲ ଚାରିପାଖରେ ବସିଥାନ୍ତି । ଅଦୂରରେ ମେରିଆଙ୍କର ଏକ ଭାରତୀୟ ନୃତ୍ୟ ଭୋଜିସଭାକୁ ବେଶ୍‌ ଜମାଇଥାଏ । ଖାଉଁ ଖାଉଁ ମେରିନା ଲେନା ସମ୍ପର୍କରେ ସକାଳର ଏକ ଘଟଣା ଅନ୍ୟମାନଙ୍କ ସମ୍ମୁଖରେ ପ୍ରକାଶ କଲା ।

 

‘‘ସକାଳେ ମେରିନୋଭାଙ୍କର ସରଳ ଓ ସୁନ୍ଦର ଗ୍ରୀବା ଲେନାଙ୍କୁ ଅତ୍ୟଧିକ ଆକର୍ଷଣୀୟ ଲାଗିଥିଲା ଆଲେସ୍କି !’’

 

‘‘ହଁ, ତା’ ହେଲେ ଲେନା ସେହିଭଳି ଏକ ସୁନ୍ଦର ଗ୍ରୀବା ଲାଭ କରିବା ପାଇଁ ଗ୍ରୀବା କସରତ୍‌ କରୁନାହାନ୍ତି ?’’ ଆଲେସ୍କି ହସି ହସି ଉତ୍ତର ଦେଲେ ।

 

‘‘ରାଜଧାନୀରେ ମୋର ଜଣେ ସଙ୍ଗିନୀ ତା’ର ଗ୍ରୀବାକୁ ସୁନ୍ଦର କରିବା ପାଇଁ କିପରି କସରତ୍‌ କରୁଥିଲା, ତାହା ଶୁଣିଲେ ଆପଣମାନଙ୍କୁ ଭାରି କୌତୁକ ଲାଗିବ । ଲେନା ଇଚ୍ଛାକଲେ ସେହି କସରତ କରିପାରନ୍ତି ।’’

 

ତେବେ ତୁମର ବି ଝୁଙ୍କ୍‌ ଏ ଦିଗରେ କିଛି କମ୍‌ ନୁହେଁ । ନିଜର ସୌନ୍ଦର୍ଯ୍ୟକୁ ଅଧିକ ଦିନ ବଜାୟ ରଖିବା ପାଇଁ ଗୁପ୍ତପଥ ଖୋଜିବା କ’ଣ ସବୁ ସ୍ତ୍ରୀଲୋକଙ୍କର ଏକା କାମ ।’’ ଆଲେସ୍କି ପରିହାସ କରି କହିଲେ ।

 

‘‘କାହିଁକି, ମୁଁ ତ କେବେ ସୁନ୍ଦର ଓ ସରଳ ଗ୍ରୀବା ଲାଭ କରିବା ପାଇଁ ଚେଷ୍ଟା କରିନି ।’’

 

‘‘ତୁମେ ଚେଷ୍ଟା କରିଛ କି ନାହିଁ, ତାହା ଆମେ ଜାଣିବୁ କେମିତି ? ତୁମେ ସଙ୍ଗିନୀଙ୍କଠାରୁ ଏହି କସରତ୍‌ର ବିବରଣୀ ବେଶ୍‌ ଆଗ୍ରହର ସହିତ ସଂଗ୍ରହ କରୁଥିବାରୁ ତୁମର ଝୁଙ୍କ୍‌ ତ ଏ ଦିଗରେ କମ୍‌ ଜଣାପଡ଼ୁନି ।’’

 

‘‘ଆପଣ ମେରିନାଙ୍କୁ ଏତେ ଦୋଷୀ କରୁଛନ୍ତି କାହିଁକି ?’’ ଇଞ୍ଜିନିୟର ଛେବିସେଭ୍‌ ଆଲେସ୍କିଙ୍କୁ ବାଧା ଦେଇ କହିଲେ । ‘‘ବୋଧହୁଏ ଆପଣ ଗୋଟିଏ କଥା ଜାଣିନାହାନ୍ତି–ସ୍ତ୍ରୀମାନଙ୍କର ସବୁଠାରୁ ପ୍ରିୟ ଜିନିଷ ହେଲା ଶାରୀରିକ ସୌନ୍ଦର୍ଯ୍ୟ । ଏହି ସୌନ୍ଦର୍ଯ୍ୟ ରକ୍ଷା କରିବା ପାଇଁ ସ୍ତ୍ରୀମାନେ ଯେତେ ବ୍ୟଗ୍ର, ଜଣେ ଗବେଷକ କୌଣସି ଏକ ବିରାଟ ଉଦ୍ଭାବନର ଦ୍ୱାରଦେଶରେ ଠିଆହୋଇ ମଧ୍ୟ ସେତେ ବ୍ୟଗ୍ର ହେବ ନାହିଁ । ସେମାନଙ୍କ ସୌନ୍ଦର୍ଯ୍ୟ ରକ୍ଷା କରିବା ପାଇଁ ସେମାନେ ଜୀବନର ସବୁ କିଛି ବଳିଦେଇ ପାରନ୍ତି । କୌଣସି ସ୍ତ୍ରୀକୁ ଯଦି ଆପଣ ଆଘାତ କରିବାକୁ ଚାହାନ୍ତି, ଆପଣ ତା’ର ସୌନ୍ଦର୍ଯ୍ୟ ପ୍ରତି ଆପେକ୍ଷ କଲେ ସେ ଯେତେ ବ୍ୟଥିତ ହେବ, ତାର ଶରୀର ଉପରେ ଆଘାତ କଲେ ସେତେ ବ୍ୟଥିତ ହେବ ନାହିଁ ।’’

 

ଛେବିସେଭ୍‌ଙ୍କଠାରୁ ଟିକିଏ ଦୂରେଇ ବସିଥିଲା ଲେନା । ସ୍ତ୍ରୀସମାଜ ପ୍ରତି ଛେବିସେଭ୍‌ଙ୍କର ଆପେକ୍ଷ ତା’କୁ ବଡ଼ ବାଧିଲା । ସେ କିପରି ତାଙ୍କୁ ଉପଯୁକ୍ତ ଉତ୍ତର ଦେବ ଚିନ୍ତା କରିବାକୁ ଲାଗିଲା । କିଛି ସମୟ ଚିନ୍ତା କରି କହିଲା, ‘‘ସ୍ତ୍ରୀମାନଙ୍କୁ ଥଟ୍ଟା କରିବାରେ ଆପଣ ବେଶ୍‌ ଆମୋଦ ପାଆନ୍ତି ଡକ୍ଟର ଛେବିସେଭ୍‌ ! କିନ୍ତୁ ଜାଣନ୍ତି କି ସ୍ତ୍ରୀମାନଙ୍କର ସେହି ସୌନ୍ଦର୍ଯ୍ୟ ରକ୍ଷା ମୂଳରେ କିଏ ଅଛନ୍ତି ?’’

 

ଟେବୁଲର ସମସ୍ତେ ଲେନା ଆଡ଼କୁ ଅନାଇଲେ । ଲେନା ପୁଣି କହି ଚାଲିଲା... ‘‘ଆପଣମାନଙ୍କ ଭଳି ସ୍ୱାର୍ଥପର ପୁରୁଷମାନେ କଣ ନାହାନ୍ତି ଏସବୁ ଗୋଳମାଳ ମୂଳରେ ? ଆପଣମାନଙ୍କର ଯେଉଁ ସୌନ୍ଦର୍ଯ୍ୟଲୁଣ୍ଠନ ପ୍ରବୃତ୍ତି, ଭ୍ରମରଭଳି ଗୋଟିଏ ଫୁଲରୁ ଆଉ ଗୋଟିଏ ଫୁଲକୁ ଉଡ଼ିଯିବା ଭଳି ଯେଉଁ ହୀନ ପ୍ରକୃତି ଅଛି, ସେଗୁଡ଼ିକ ହେଉଛି ସମାଜର ସବୁ ଅଶାନ୍ତିର ମୂଳ-। ହୀନ ପ୍ରକୃତିର ଲୋକମାନଙ୍କୁ ସମାଜର ଆବଦ୍ଧ ଗଣ୍ଡି ଭିତରେ ରଖି ସମାଜର ଆଇନ୍‌ଶୃଙ୍ଖଳା ରକ୍ଷା କରିବା ପାଇଁ ସ୍ତ୍ରୀମାନଙ୍କର ତ ଆଉ ଅନ୍ୟ ଉପାୟ ନାହିଁ । ସେମାନେ ତ କେବେ ଚାହିଁବେନି ଯେ ସେମାନଙ୍କର ସ୍ୱାମୀ ସେମାନଙ୍କଠାରୁ ଦୂରେଇଯାଇ ଅନ୍ୟଠାରେ ଆଖିରଖି ଶାନ୍ତି–ଶୃଙ୍ଖଳା ଭାଙ୍ଗୁ । ତେଣୁ ଏଭଳି ସ୍ୱାର୍ଥପର, ସୌନ୍ଦର୍ଯ୍ୟଲୁଣ୍ଠନପ୍ରିୟ ସ୍ୱାମୀକୁ ସମାଜରେ ଅଶାନ୍ତି ନ ଘଟାଇ ଆୟତ୍ତରେ ରଖିବା ପାଇଁ ସ୍ତ୍ରୀମାନଙ୍କ ପାଖରେ ଆଉ କି ଉପାୟ ଥାଇପାରେ ଉକ୍ଟର ଛେବିସେଭ୍‌ ।’’

 

‘‘ମୋଟେ ନୁହେଁ । ସମାଜରେ ଯଦି ଅଶାନ୍ତି ଘଟୁଥାଏ, ତେବେ ସେହି ଅଶାନ୍ତି ମୂଳରେ ରହିଛି ଏଇ ସ୍ତ୍ରୀମାନଙ୍କର ନିଜ ନିଜ ସୌନ୍ଦର୍ଯ୍ୟ ପ୍ରତି ଅତ୍ୟଧିକ ଅନୁରାଗ । ପୁରୁଷମାନଙ୍କ ଯୋଗୁଁ ସମାଜରେ ଯେ ଅଶାନ୍ତି ଘଟେ, ତା ମୁଁ କଦାପି ସ୍ୱୀକାର କରି ନ ପାରେ । ନିଜର ସୌନ୍ଦର୍ଯ୍ୟ ରକ୍ଷା ପାଇଁ ସେମାନେ ଦରକାର ପଡ଼ିଲେ ପତିଙ୍କୁ ପରା ଛାଡ଼ପତ୍ର ଦେଇପାରନ୍ତି ! କୌଣସି ସୁନ୍ଦରୀ ସ୍ତ୍ରୀଙ୍କର ଯଦି କେହି ପ୍ରୀତିଭୋଜନ ହେବାକୁ ଚେଷ୍ଟାକରେ, ତେବେ ସେ ବେଳ ଉଣ୍ଡି ତାଙ୍କର ସୌନ୍ଦର୍ଯ୍ୟକୁ ଖୁବ୍‌ ଉଚ୍ଚକୋଟୀର ବୋଲି ପ୍ରଶଂସା କରିପାରିଲେ ତାକୁ ସେ ସ୍ତ୍ରୀର ଅତି ନିକଟକୁ ଆସିବାକୁ ବେଶୀ ସମୟ ଲାଗିବ ନାହିଁ ।’’

 

ଛେବିସେଭ୍‌ଙ୍କ ଏହି ଉକ୍ତିରରେ ଆଲେସ୍କିଙ୍କ ସମେତ ଟେବୁଲ ଚାରିପାଖରେ ବସିଥିବା ପୁରୁଷମାନେ ତାଳି ମାରି ଛେବିସେଭ୍‌ଙ୍କୁ ଉତ୍ସାହିତ କଲେ । କିନ୍ତୁ ଏଥିରେ ଲେନା ଅତ୍ୟନ୍ତ ନିରୁତ୍ସାହିତା ନ ହୋଇ କି ଭଳି ଉତ୍ତର ଦେବ, ଚିନ୍ତା କରିବାକୁ ଲାଗିଲା । ଲେନାକୁ ରକ୍ଷା କରିବାକୁ ଯାଇ ମେରିନା ପୁଣି କହି ଉଠିଲା–‘‘ଆମ୍ଭେମାନେ ଶୁଣି ଖୁବ୍‌ ଖୁସି ହୁଅନ୍ତୁ ଯଦି ଡକ୍ଟର ଛେବିସେଭ୍‌ ପ୍ରକାଶ କରିପାରନ୍ତି, କୌଣସି ସୁନ୍ଦରୀ ସ୍ତ୍ରୀର ସୌନ୍ଦର୍ଯ୍ୟକୁ ପ୍ରଶଂସା କରି ସେ କେବେ ତାଙ୍କର ପ୍ରୀତିଭୋଜନ ହୋଇପାରିଛନ୍ତି କି ? ନ ହେଲେ ସେ ଏତେ ବଡ଼ ଗବେଷଣାତ୍ମକ ସନ୍ଦର୍ଭ ଏଠାରେ ଉପସ୍ଥାପିତ କରିବାକୁ ସାହସ କରି ପାରି ନ ଥାନ୍ତେ । ମୋର ଆଶଙ୍କା, ବୈଜ୍ଞାନିକ ଛେବିସେଭ୍‌ ସେଭଳି ଚେଷ୍ଟାକରି କୌଣସି ସୁନ୍ଦରୀ ତରୁଣୀ ପାଖରୁ ମଧୁର ଚୁମ୍ବନ ପାଇବା ପରିବର୍ତ୍ତରେ ମଧୁର ପ୍ରହାର ଖାଇନାହାନ୍ତି ତ ?’’

 

ମେରିନାର ଏ କଥାରେ ସମସ୍ତେ ‘ହୋ’ ‘ହୋ’ ହୋଇ ହସି ଉଠିଲେ ।

Image

 

ଦଶ

 

ଦିନେ ସକାଳେ ନ’ଟା ସମୟରେ ଉପଗ୍ରହର ଦ୍ୱିତୀୟ ପର୍ଯ୍ୟବେକ୍ଷଣାଗାରର ଜ୍ୟୋତିର୍ବିଦ୍‌ ଡକ୍ଟର ଭିନୋଗ୍ରେଡ଼ୋଭ ଦୂରବୀକ୍ଷଣ ସାହାଯ୍ୟରେ ମହାଶୂନ୍ୟର ଚାରିଆଡ଼କୁ ଲକ୍ଷ୍ୟ କରୁଁ କରୁଁ ଦୂର ମହାଶୂନ୍ୟ ମଧ୍ୟରେ ହଠାତ୍‌ କ’ଣ ଦେଖି ଚମକି ପଡ଼ିଲେ । ଦୂରବୀକ୍ଷଣକୁ ଆହୁରି ଟିକିଏ ଭଲ ଭାବରେ ଫୋକସ୍‌ କରି ଖୁବ୍‌ ଭଲ ଭାବରେ ନିରୀକ୍ଷଣ କରିବାକୁ ଲାଗିଲେ । ଆପେ ଆପେ ତାଙ୍କ ପାଟିରୁ ବାହାରି ପଡ଼ିଲା, ‘‘ଆଁ, ମହାଶୂନ୍ୟ ମଧ୍ୟରେ ଏ’ଟା ପୁଣି କଅଣ ? ଏ ତ ଉଲ୍‌କା ନୁହେଁ !’’ ଦୂରବୀକ୍ଷଣ କାଚର ଆହୁରି ପାଖକୁ ଆଖି ଲଗାଇ କହିଲେ, ‘‘ଏ ତ ଗୋଟିଏ ବୋଇତ ଭଳି ଜଣାପଡ଼ୁଛି । ଏହା ତ କଦାପି ଉଲ୍‌କା ହୋଇ ନ ପାରେ । ଏହାର ଆକାର ତ ଉଲ୍‌କା ପରି ମୋଟେ ଦିଶୁନି ।’’ ଆଖିକୁ ପୁଣି ଏପାଖ ସେପାଖ କରି କହିଲେ, ‘‘ନାଁ, ଏ ତ ବୋଇତ ଛଡ଼ା ଆଉ କିଛି ହୋଇପାରେନା । ଏହି ନିର୍ଜ୍ଜନ ମହାଶୂନ୍ୟ ଭିତରକୁ ପୁଣି ଏ ମହାଶୂନ୍ୟ ବୋଇତ ଆସିଲା କୁଆଡ଼ୁ ?’’ ଚାହୁଁ ଚାହୁଁ ବୋଇତଟି ଦୂରବୀକ୍ଷଣରେ ଆହୁରି ସ୍ପଷ୍ଟ ଦେଖାଗଲା ଓ ଉପଗ୍ରହ ଆଡ଼କୁ ଆସୁଥିବାର ବୋଧହେଲା ।

 

ଭିନୋଗ୍ରେଡ଼ୋଭ୍‌ ଆହୁରି ଉତ୍ସୁକ ହୋଇ ସେଇ ବୋଇତ ଆଡ଼କୁ ଅନାଇ ରହିଲେ । ଏହି ନବାଗତ ପଦାର୍ଥଟି କଅଣ ହୋଇପାରେ, ସେ ବିଷୟରେ, ସେ ବିଷୟରେ ଭାବି ଅସ୍ଥିର ହୋଇ ପଡ଼ିଲେ । ମନ ତାଙ୍କର ଚଞ୍ଚଳ ହୋଇଉଠିଲା, ହୃଦୟର ସ୍ପନ୍ଦନ କ୍ଷୀପ୍ରବେଗରେ ବୃଦ୍ଧି ପାଇବାକୁ ଲାଗିଲା । ବୋଇତଟି କିଛି ସମୟ ପାଇଁ ଉପଗ୍ରହ ଆଡ଼କୁ ଆସି ପୁଣି ଆଉ ଏକ ଦିଗକୁ ଭାଙ୍ଗି ଗତି କରିବାକୁ ଆରମ୍ଭ କଲା । ଭିନୋଗ୍ରେଡ଼ୋଭ୍‌ ଲକ୍ଷ୍ୟ କଲେ ଯେ ଅନ୍ୟ ଦିଗକୁ ଭାଙ୍ଗିଯାଉଥିବା ଏହି ବୋଇତଟିର ଆଗରେ ଓ ପଛରେ ଲାଲ ରଙ୍ଗର କ’ଣ ଗୋଟିଏ ଅଙ୍କିତ ଚିହ୍ନ ଅଛି । ଚାହୁଁ ଚାହୁଁ ବୋଇତଟି ମହାଶୂନ୍ୟ ମଧ୍ୟରେ ଗତିକରି କେଉଁଆଡ଼େ ମିଳାଇଗଲା; ଆଉ ଦୂରବୀକ୍ଷଣରେ ଦିଶିଲା ନାହିଁ । ସେ ବହୁ ଚେଷ୍ଟାକରି ଦୂରବୀକ୍ଷଣକୁ ଆହୁରି ଫୋକସ୍‌ କଲେ; କିନ୍ତୁ ନିରାଶ ହେବା ଛଡ଼ା ଆଶାର କୌଣସି ଚିହ୍ନ ଦେଖାଗଲା ନାହିଁ ତାଙ୍କୁ । ସେ ଖୁବ୍‌ ସାବଧାନତା ସହକାରେ ଠିକ୍‌ କେଉଁ ସମୟରେ ମହାଶୂନ୍ୟର କେଉଁ ଅଂଶରେ ସେହି ବୋଇତଟିକୁ ଦେଖିଥିଲେ ଓ ବୋଇତଟି କିଭଳି ଭାବରେ ଉପଗ୍ରହ ଆଡ଼କୁ ଅଗ୍ରସର ହୋଇ ଅନ୍ୟ ଦିଗକୁ ଭାଙ୍ଗିଯାଇ ଆକାଶର କେଉଁ ଅଂଶରେ ମିଳାଇଲା, ସେଗୁଡ଼ିକୁ ଲିପିବଦ୍ଧ କରି ଡିରେକ୍ଟର ଆଲେସ୍କିଙ୍କୁ ଜଣାଇଦେବା ପାଇଁ ତରତର ହୋଇ ତାଙ୍କ ଅଫିସ ଆଡ଼କୁ ଚାଲିଆସିଲେ ।

Unknown

 

ଉପଗ୍ରହର ଆଲୋଚନା କକ୍ଷ । ଆଲେସ୍କି ଆଲୋଚନା କରିବାକୁ ଆରମ୍ଭ କରି କହିଲେ–‘‘ଆପଣମାନେ ଜ୍ୟୋତିର୍ବିଦ୍‌ ଭିନୋଗ୍ରେଡ଼ୋଭ୍‌ଙ୍କ ବକ୍ତବ୍ୟ ଶୁଣି ହସିଦେଇ ପାରନ୍ତି । କାରଣ ତାହା ଆପଣମାନଙ୍କୁ ପ୍ରଥମରୁ ନିହାତି ଅସମ୍ଭବ ଜଣାଯାଇପାରେ ।’’ ଉପଗ୍ରହର ଜ୍ୟୋତିର୍ବିଦ୍‌ ବୈଜ୍ଞାନିକ ସମ୍ମିଳନୀରେ ଅନ୍ୟମାନଙ୍କୁ ଲକ୍ଷ୍ୟ କରି ଡିରେକ୍ଟର ଆଲେସ୍କି କହିଲେ, ‘‘କିନ୍ତୁ ଆଜକୁ ଦୁଇମାସ ଧରି ଆପଣମାନେ ଅନୁଭବ କରୁଥିବେ, ଉପଗ୍ରହର କେନ୍ଦ୍ର ପର୍ଯ୍ୟାବେକ୍ଷଣାଗାରରେ ରାତିଦିନ ମୁଁ ଯେ ଅସ୍ୱାଭାବିକ ଭାବେ ବ୍ୟସ୍ତ ରହୁଥିଲି ଓ ମୋର ଏ ଗୋପନୀୟ ପର୍ଯ୍ୟବେକ୍ଷଣ ସମ୍ବନ୍ଧରେ ଆପଣମାନେ କେତେ କ’ଣ ଯେ କଳ୍ପନା-ଜଳ୍ପନା କରାଯାଇଥିଲେ; ଆଜି ମୁଁ ଆପଣମାନଙ୍କ ସମ୍ମୁଖରେ ସେ ସବୁ ଫିଟାଇ କହିବାକୁ ଯାଉଛି । ମୋର ସେହି ପର୍ଯ୍ୟବେକ୍ଷଣ ଭିନୋଗ୍ରେଡ଼ୋଭ୍‌ଙ୍କ ପର୍ଯ୍ୟବେକ୍ଷଣ ବ୍ୟତୀତ ଅନ୍ୟ କିଛି କିଛି ନୁହେଁ । ଆଜି ଜ୍ୟୋତିର୍ବିଦ୍‌ ଭିନୋଗ୍ରେଡ଼ୋଭ୍‌ ଯାହା ଆବିଷ୍କାର କଲେ, ମୁଁ ତା’କୁ ସର୍ବପ୍ରଥମ ଆବିଷ୍କାର କରିଥିଲି ଆଜକୁ ପ୍ରାୟ ଅଢ଼େଇ ମାସ ତଳେ । ମୋର ସେହି ଆବିଷ୍କାର ସମ୍ୱନ୍ଧରେ ମୁଁ ଲେନା ଛଡ଼ା ଅନ୍ୟ କାହାରିଠାରେ ତାହା ପ୍ରକାଶ କରି ନଥିଲି, ଏପରିକି ମାନମନ୍ଦିରର ଡିରେକ୍ଟର ଡକ୍ଟର ପାଲାଭିନ୍‌ଙ୍କୁ ବି ନୁହେଁ । ମୋର ଉଦ୍ଦେଶ୍ୟ ଥିଲା, ମୁଁ ଏହା ସମ୍ବନ୍ଧରେ ସଠିକ୍‌ ବିବରଣୀ ସଂଗ୍ରହ କରି ଓ ଏଗୁଡ଼ିକ କ’ଣ ହୋଇପାରେ, ସେ ସମ୍ବନ୍ଧରେ ସଠିକ୍‌ ପ୍ରମାଣ ସଂଗ୍ରହ କରି ମୁଁ ଦିନେ ଉପଗ୍ରହ ତଥା ସାରା ପୃଥିବୀକୁ ଚମକାଇ ଦେଇଥାନ୍ତି, ମୋର ଏ ଅଭିନବ ଆବିଷ୍କାରଦ୍ୱାରା । କିନ୍ତୁ ମୁଁ ଏ ସମ୍ବନ୍ଧରେ ପ୍ରକାଶ କରିବା ପୂର୍ବରୁ ଜ୍ୟେତିର୍ବିଦ୍‌ ଭିନୋଗ୍ରେଡ଼ୋଭ୍ ପ୍ରକାଶ କରି ଦେଇଥିବାରୁ ମୁଁ ତାଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି । ମୁଁ ଏହି ଦୁଇମାସ ହେଲା ଏହି ଆଶ୍ଚର୍ଯ୍ୟ ଦୃଶ୍ୟ ଉପରେ ରାତିଦିନ ଗବେଷଣା କରି ଯେଉଁ ଫଳ ପାଇଚି ଓ ସେ ସମ୍ବନ୍ଧରେ ମୁଁ ଯେଉଁ ଚଳଚ୍ଚିତ୍ର ଉଠାଇଛି ତାହା ଆପଣମାନଙ୍କ ସମ୍ମୁଖରେ ଉପସ୍ଥାପିତ କରିବାକୁ ଯାଉଛି । ଆପଣମାନେ ଯଦି ରୀତିମତ ପ୍ରତି ଦିନ ଆକାଶର ସେହି ଅଂଶକୁ ନିରୀକ୍ଷଣ କରନ୍ତି, ତେବେ ଦେଖିବେ ପ୍ରତି ଦିନେ ଛଡ଼ା ଦିନେ ଠିକ୍‌ ନ’ଟାବେଳକୁ ଏହି ବୋଇତ କନ୍ୟାରାଶି ଆଡ଼ୁ ବାହାରି ବିଛାରାଶି ଆଡ଼କୁ ଯାଏ । ସେହିଭଳି ଦିନେ ଛଡ଼ା ଦିନେ ବିଛା ରାଶି ଆଡ଼ୁ କନ୍ୟାରାଶି ଆଡ଼କୁ ଠିକ୍‌ ସେହିଭଳି ରୀତିରେ ଫେରିଯାଏ । ତେଣୁ ପ୍ରତି ଛ’ ଦିନରେ ତିନିଦିନ ଏହି ବୋଇତ ଗୋଟିଏ ଆଡ଼କୁ ଓ ଅନ୍ୟ ତିନିଦିନ ଠିକ୍‌ ବିପରୀତ ଦିଗକୁ ଯା ଆସ କରେ । ମୁଁ ଯାହା ଅନୁମାନ କରୁଛି, ଏହା ଆବମ ଉପଗ୍ରହଠାରୁ ପ୍ରାୟ ସାଢ଼େ ତିନି ଲକ୍ଷ ମାଇଲ ଦୂରରେ ଯା–ଆସ କରୁଛି । ମୋର ଯାହା ଅନୁମାନ, ଏହା କୌଣସି ଗ୍ରହରୁ ଅନ୍ୟ ଗ୍ରହକୁ ଯା–ଆସ କରୁଥିବା ମହାଶୂନ୍ୟ ବୋଇତ ଛଡ଼ା ଅନ୍ୟ କିଛି ନୁହେଁ ।’’

 

ଡିରେକ୍‌ଟର ଆଲେସ୍କିଙ୍କ ବକ୍ତବ୍ୟ ଶେଷ ହେବା ପରେ ବୈଜ୍ଞାନିକ ଗୋଲେଭସ୍କି ଉଠି ଠିଆହୋଇ କହିଲେ, ‘ଡିରେକ୍‌ଟର ଆଲେସ୍କି ଓ ଜ୍ୟୋତିର୍ବିତ୍‌ ଭିନୋଗ୍ରେଡ଼ୋଭ୍‌ ମହାଶୂନ୍ୟ ମଧ୍ୟରେ ଯାହା ଆବିଷ୍କାର କରିଛନ୍ତି, ତାହା ଯଦି ସତ ହୋଇଥାଏ ତେବେ ଆମକୁ ନିଶ୍ଚିତ ଭାବେ ଧରିନେବାକୁ ପଡ଼ିବ ଯେ, ଏହି ମହାଶୂନ୍ୟ ମଧ୍ୟରେ ଗୋଟିଏ ଗ୍ରହରୁ ଅନ୍ୟ ଗ୍ରହକୁ ଯିବାପାଇଁ ନିର୍ଦ୍ଦିଷ୍ଟ ପଥ ଓ ବିପରୀତ ଭାବେ ଯା–ଆସ କରୁଥିବା ଯାନ ଅଛି । ଏହି ପର୍ଯ୍ୟବେକ୍ଷଣରୁ ଆମକୁ ଧରିନେବାକୁ ପଡ଼ିବ ଯେ ଅନ୍ତର୍ଗହ ଭ୍ରମଣରେ ଆମେ ଚେଷ୍ଟା କରି ସଫଳ ହେବା ପୂର୍ବରୁ ଏହି ବିଶ୍ୱର ଅନ୍ୟ କୌଣସି ଗ୍ରହର ଅଧିବାସୀମାନେ ଏ ଦିଗରେ କୃତକାର୍ଯ୍ୟ ହୋଇ ସାରିଲେଣି ।’’

 

ଗୋଲେଭସ୍କିଙ୍କ ପରେ ବୈଜ୍ଞାନିକ କୁଜ୍‌ମିନ୍‌ ଠିଆହୋଇ କହିଲେ, ‘‘ଆମେ ଏ ଦିଗରେ ଆଉ ଅଧିକ କାମ କରିବା ପୂର୍ବରୁ ଆମକୁ ଡିରେକ୍‌ଟର ଆଲେସ୍କି ଓ ବୈଜ୍ଞାନିକ ଭିନୋଗ୍ରେଡ଼ୋଭ୍‌ ନିଶ୍ଚିତ ଭାବରେ କହିପାରିବେ କି ସେମାନେ ଯାହା ଦେଖିଛନ୍ତି ତାହା ସେମାନଙ୍କର ଦୃଷ୍ଟିଭ୍ରମ ନୁହେଁ-?’’

 

ହଠାତ୍‌ ମିସ୍‌ ଲେନା ଉଠି ଠିଆହୋଇ ପ୍ରତିବାଦ କହି କହିଲେ, ‘‘ଜ୍ୟୋତିର୍ବିତ୍‌ କୁଜ୍‌ମିନ୍‌ ଯାହା କହୁଛନ୍ତି, ତାହା ନିହାତି ଅସଙ୍ଗତ ଓ ପିଲାଳିଆ । ଡିରେକ୍‌ଟର ଆଲେସ୍କି ଓ ଜ୍ୟୋତିର୍ବିତ୍‌ ଭିନୋଗ୍ରେଡ଼ୋଭ୍‌ ଯାହା ଦେଖିଛନ୍ତି, ତାହାକୁ ଅବିଶ୍ୱାସ କରିବା ଆମର ଉଚିତ ନୁହେଁ । ସେମାନଙ୍କ ପର୍ଯ୍ୟବେକ୍ଷଣକୁ ସତ୍ୟ ବୋଲି ଧରିନେଇ ସେ ଦିଗରେ ଆହୁରି ଅଧିକ ଗବେଷଣା କରିବା ଉଚିତ । ତା’ ନହେଲେ ପ୍ରକୃତପକ୍ଷେ ବିଜ୍ଞାନର ପ୍ରଗତିରେ ନାନା ବାଧା ଉପୁଜିବ ଓ ଉପଯୁକ୍ତ ସତ୍ୟାନୁସନ୍ଧାନରେ ଆମେ ଆଗେଇ ପାରିବା ନାହିଁ । ମୋତେ ବଡ଼ ଆଶ୍ଚର୍ଯ୍ୟ ଲାଗୁଛି, ଜ୍ୟୋତିର୍ବିତ୍‌ କୁଜ୍‌ମିନ୍‌ଙ୍କ ଭଳି ଅଭିଜ୍ଞ ବୈଜ୍ଞାନିକ ଏଭଳି ଅବାନ୍ତର ପ୍ରଶ୍ନ ପଚାରି ପ୍ରକୃତ ସମସ୍ୟାଠାରୁ କିପରି ଦୂରେଇ ଯିବାକୁ ଚାହୁଁଛନ୍ତି । ବୈଜ୍ଞାନିକ କୁଜ୍‌ମିନ୍‌ଙ୍କ ସେହି ପ୍ରଶ୍ନର ଉତ୍ତର ଆପଣମାନେ ଡକ୍ଟର ଆଲେସ୍କିଙ୍କ ଦ୍ୱାରା ଉଠାହୋଇଥିବା ଚଳଚ୍ଚିତ୍ରରୁ ପାଇ ପାରିବେ । ଆପଣମାନେ ଏହି ଚଳଚ୍ଚିତ୍ର ଦେଖି ସାରିଲେ ଅନୁଭବ କରିପାରିବେ କୁଜ୍‌ମିନ୍‌ଙ୍କ ପ୍ରଶ୍ନ କିପରି ଅବାନ୍ତର ! ଆପଣମାନେ ଏହି ଚଳଚ୍ଚିତ୍ରର ଲକ୍ଷ୍ୟ କରନ୍ତୁ ମହାଶୂନ୍ୟ ବୋଇତର ଆକାର ଓ ଗତିବିଧି ଆଦି ।’’

 

ଲେନା ସଙ୍ଗେ ସଙ୍ଗେ ଚଳଚ୍ଚିତ୍ରର ପ୍ରଦର୍ଶନ ଆରମ୍ଭ କରିବା ପାଇଁ ଆଦେଶ ଦେଲେ । ଉପସ୍ଥିତ ବୈଜ୍ଞାନିକମାନେ ମହାଶୂନ୍ୟରେ ସେହି ବୋଇତର ଯା’ ଆସ ଦେଖି ସ୍ତମ୍ଭୀଭୂତ ହୋଇପଡ଼ିଲେ । ନାନା ଆଲୋଚନା ଓ ସମାଲୋଚନା ପରେ ସିନ୍ଧାନ୍ତ ଗୃହୀତ ହେଲା ଯେ, ଉପଗଗ୍ରହର ତିନୋଟିଯାକ ପର୍ଯ୍ୟବେକ୍ଷଣାଗାରରୁ ଏକ ସମୟରେ ମହାଶୂନ୍ୟର ଏହି ଅଂଶ ଉପରେ ଦୃଷ୍ଟି ରଖିବାକୁ ହେବ । କେନ୍ଦ୍ର ପର୍ଯ୍ୟବେକ୍ଷଣାଗାରରେ ମିସ୍‌ ଲେନା, ପ୍ରଥମେ ପର୍ଯ୍ୟବେକ୍ଷଣାଗାରରୁ ଡକ୍ଟର ଭିନୋଗ୍ରେଡ଼ୋଭ୍‌ ଓ ଦ୍ୱିତୀୟ ପର୍ଯ୍ୟବେକ୍ଷଣାଗାରରେ ବୈଜ୍ଞାନିକ କୁରାକେହି ଏ ଦିଗରେ ଗବେଷଣା ଆରମ୍ଭ କରିବେ । ଏହି ତିନୋଟି ପର୍ଯ୍ୟବେକ୍ଷଣାଗାରର ପର୍ଯ୍ୟବେକ୍ଷଣ ଫଳ ପ୍ରତିଦିନ ଡିରେକ୍ଟର ଆଲେସ୍କିଙ୍କୁ ଜଣାଇ ଦିଆଯାଉଥିବ । ପନ୍ଦର ଦିନ ପରେ ପୁଣି ଆଉ ଥରେ ଏହି ସଭା ବସି ପର୍ଯ୍ୟବେକ୍ଷଣ ଫଳଗୁଡ଼ିକୁ ଆଲୋଚନା କରି ପ୍ରକୃତ ସିଦ୍ଧାନ୍ତରେ ପହଞ୍ଚିବାକୁ ଚେଷ୍ଟା କରାଯିବ ।

 

‘‘ଆପଣ ବିଶ୍ୱାସ କରନ୍ତୁ. ଡକ୍ଟର ପାଲାଭିନ୍‌, ମୁଁ ଯାହା କହୁଛି ତାହା ପୂରାପୂରି ସତ । ଗତ ପନ୍ଦରଦିନ ଧରି ଆମ ଉପଗ୍ରହର ପ୍ରାୟ ସମସ୍ତେ ଏହି ଅଲୌକିକ ଦୃଶ୍ୟଟିକୁ ଦେଖି ସେ ସମ୍ବନ୍ଧରେ ଯଥେଷ୍ଟ ଆଲୋଚନା କରି ଏହି ସିଦ୍ଧାନ୍ତରେ ପହଞ୍ଚି ପାରିଛୁ । ଆମର ତିନୋଟିଯାକ ପର୍ଯ୍ୟବେକ୍ଷଣାଗାରରୁ ଆମେ ଏହି ଦୃଶ୍ୟ ସମ୍ବନ୍ଧରେ ଠିକ୍‌ ଏକାପରି ଫଳ ପାଇଁଛୁ । ସେଗୁଡ଼ିକ ଯେ ଗୋଟିଏ ଗ୍ରହରୁ ଅନ୍ୟ ଗୋଟିଏ ଗ୍ରହକୁ ଯିବାପାଇଁ ଅନ୍ତର୍ଗ୍ରହ ଭ୍ରମଣ ବୋଇତ, ଆମର ତହିଁରେ ତିଳେମାତ୍ର ସନ୍ଦେହ ନାହିଁ । ଆମ୍ଭେମାନେ ତେଣୁ ଏଠାରେ ସିଦ୍ଧାନ୍ତ କରି ସାରିଛୁଁ ଯେ ଆମର ଏଠାରେ ଯେଉଁ ଦୁଇଟି ରକେଟ୍‌ଚାଳିତ ମହାଶୂନ୍ୟ ବୋଇତ ଅଛି, ଆମେ ସେହି ବୋଇତ ସାହାଯ୍ୟରେ ଉପରୋକ୍ତ ବୋଇତ ନିକଟକୁ ଯାଇ ସେଗୁଡ଼ିକୁ ଆହୁରି ଭଲ ଭାବରେ ଲକ୍ଷ୍ୟକରି ପୁଣି ଉପଗ୍ରହକୁ ଫେରିଆସିବୁ । ଆପଣଙ୍କର ଅନୁମତି ଓ ଆଶୀର୍ବାଦକୁ ଆମେ ଅପେକ୍ଷା କରିଛୁଁ ଏଠାରେ ।’’

 

ବେତାର ଫୋନ୍‌ରେ ଏଇ କଥା ଶୁଣି ବୃଦ୍ଧ ପାଲାଭିନ୍‌ ଚମକି ଉଠିଲେ । ଉପଗ୍ରହ ତ ଏକେ ପୃଥିବୀଠାରୁ ଏତେ ଦୂର, ସେଠାରୁ ପୁଣି ଆହୁରି ମହାଶୂନ୍ୟ ଭିତରକୁ ଯିବା କେତେ ବିପଜ୍ଜନକ ତାହ ଭାବି ପାଲାଭିନ୍‌ଙ୍କ ଦେହ ଶୀତେଇ ଉଠିଲା । ସେ ଆଲେସ୍କିଙ୍କୁ ଏଡ଼େ ବିପଦ ମୁହଁକୁ କିପରି ଠେଲିଦେବେ ସାହସ କରି ପାରିଲେ ନାହିଁ । କେଉଁ ଭାଷାରେ ସେ ଆଲେସ୍କିଙ୍କୁ ଏଥିରୁ ନିବର୍ତ୍ତାଇବେ ଭାବି ଠିକ୍‌ କରିବା ତାଙ୍କ ପକ୍ଷରେ ଦୂରୁହ ହୋଇ ପଡ଼ିଲା । ସେ ଖଣ୍ଡି ଖଣ୍ଡି ଗଳାରେ ଆଲେସ୍କିଙ୍କୁ କହିଲେ, ‘‘ଦେଖ ଆଲେସ୍କି, ଉପଗ୍ରହରୁ ଆହୁରି ମହାଶୂନ୍ୟ ଭିତରକୁ ଯିବା ଦରକାର ନାହିଁ । ଉପଗ୍ରହଠାରୁ ମହାଶୂନ୍ୟ ଭିତରକୁ ଯେତେ ପାରିବେ ସେତେ ପର୍ଯ୍ୟବେକ୍ଷଣ କର-। ଉପଗ୍ରହ ତ ଏକେ ବିପଦସଂକୁଳ ସ୍ଥାନ; ପୁଣି ସେଠାରୁ ମହାଶୂନ୍ୟ କଥା କହୁଛ, ଏଭଳି ମୁଁ କଦାପି ଅନୁମତି ଦେଇପାରିବି ନାହିଁ । ଉପଗ୍ରହରୁ ତୁମେ ଯେତିକି ପର୍ଯ୍ୟବେକ୍ଷଣ କରିବ, ସେତିକି ଆମର ଯଥେଷ୍ଟ । ତୁମ୍ଭମାନଙ୍କ ଜୀବନକୁ ସଂକଟାପନ୍ନ କରି ଆମେ ମହାଶୂନ୍ୟ ସମ୍ବନ୍ଧରେ ଅଧିକ ଜ୍ଞାନ ଅର୍ଜନ କରିବାକୁ ଚାହୁଁ ନାହିଁ ।’’

 

‘‘ଆପଣ ଭୟ କରନ୍ତୁ ନାହିଁ ଡିରେକ୍ଟର ! ଆମ ସଙ୍ଗରେ ଯେ ମହାଶୂନ୍ୟ–ବୋଇତ–ବିଶେଷଜ୍ଞ ନିଜେ ଯାଉଛନ୍ତି । ବୋଇତର କେଉଠିଁ କିଛି ଖରାପ ହେଲେ ଆମେ କ’ଣ ସଙ୍ଗେ ସଙ୍ଗେ ସଜାଡ଼ି ନେଇ ଫେରିପାରିବୁନି ? ସଙ୍ଗରେ ମଧ୍ୟ ଆମେ ଗୋଟିଏ ବଡ଼ ଦୂରବୀକ୍ଷଣ ନେଇ ଯାଉଛୁଁ-। ବେତାର ସାହାଯ୍ୟରେ ଆମେ ଉପଗ୍ରହ ସହିତ ସର୍ବଦା ସଂଯୋଗ ରଖିଥିବୁଁ । ମହାଶୂନ୍ୟ ମଧ୍ୟରେ କଦବା କେମିତି ଯଦି ଆମର କିଛି ବିପଦ ପହଞ୍ଚେ, ତେବେ ବେତାର ସାହାଯ୍ୟରେ ଉପଗ୍ରହକୁ ଖବର ପଠାଇଲେ ସେମାନେ ଆମକୁ ଯାଇ ବିପଦରୁ ଉଦ୍ଧାର କରି ପାରିବେ ।’’

 

‘‘ନାଇଁ ଆଲେସ୍କି ! ତୁମକୁ ଅନୁମତି ଦେବାପାଇଁ କାହିଁକି ମୋ ମନ କହୁନାହିଁ । ମୋର ସବୁବେଳେ ମନେ ହେଉଛି, ସତେ ଯେପରି ସେହି ମହାଶୂନ୍ୟ ଭିତରେ ଆହୁରି କିଛି ବଡ଼ ବିପଦ ଲୁଚିରହିଛି । ମୋତେ କ୍ଷମାକର ଆଲେସ୍କି ! ମୁଁ ତମର ଅନୁରୋଧ ରକ୍ଷା କରିବାକୁ ଅକ୍ଷମ ।’’

 

ଆପଣ ଆଉ ଥରେ ମୋ ଆନୁରୋଧକୁ ବିଚାର କରି ଦେଖନ୍ତୁ ଡିରେକ୍ଟର ! ଆପଣ ଅଯଥା ଏକ କାଳ୍ପନିକ ଭୟ ଓ ଆଶଙ୍କାରେ ଆମକୁ ନିରୁତ୍ସାହିତ କରନ୍ତୁ ନାହିଁ । କିଏ ଜାଣେ ଆମର ଏହି ନୂତନ ଆବିଷ୍କାର ପୃଥିବୀର ଏକ ବଡ଼ ପୁରୁଣା ମତକୁ ପୂରାପୂରି ବଦଳାଇଦେଇ ପାରିବ । ସେତେବେଳେ ଆମ ବୈଜ୍ଞାନିକମାନଙ୍କର ଯେଉଁ ଗୌରବ ହେବ, ତାହା ଆପଣା ଭାବୁଛନ୍ତି ତ ଡିରେକ୍ଟର ? ମହାଶୂନ୍ୟରେ ସେପରି କୌଣସି ବିପଦ ଆଶଙ୍କା କରନ୍ତୁ ନାହିଁ । ଆମେ ଖୁବ୍‌ ସାବଧାନତା ସହକାରେ ଯାଇ ଫେରିଆସିବୁ । ମୋର ପୁଣି ଅନୁରୋଧ, ‘‘ଆପଣ ଆଉ ଥରେ ମୋ ଅନୁରୋଧକୁ ବିଚାର କରନ୍ତୁ ।’’

 

ଡିରେକ୍ଟର ପାଲାଭିନ୍‌ଙ୍କୁ ବହୁ ବୁଝାସୁଝା କଲାପରେ ସେ ଅତି କଷ୍ଟରେ ରାଜି ହେଲେ; କିନ୍ତୁ ଅନୁମତି ଦେବା ପୂର୍ବରୁ ତାଗିଦ୍‌ କରି କହିଲେ, ‘‘ଗୋଟିଏ କଥା ଆଲେସ୍କି ! ତୁମ୍ଭେମାନେ ଯେତେବେଳେ ମହାଶୂନ୍ୟ ଭିତରକୁ ଯିବ, ତୁମର ବାର୍ତ୍ତା ସବୁବେଳେ ଜଣାଇ ଦେଉଥିବ ଉପଗ୍ରହକୁ-। ସେଠାରୁ ଲେନିନ୍‌ ମାନମନ୍ଦିରକୁ ଯେପରି ସଙ୍ଗେ ସଙ୍ଗେ ଖବର ଆସୁଥିବ, ସେଥିପ୍ରତି ବନ୍ଦୋବସ୍ତ କରିଦେଇ ଯିବ । ଖବରଦାର, ଉପଗ୍ରହଠାରୁ ଅଧିକ ଦୂରକୁ ଯିବାକୁ ଚେଷ୍ଟା କରିବ ନାହିଁ-। ତୁମ୍ଭେମାନେ ବୁଝୁନାହଁ, ମୁଁ କେତେ ବଡ଼ ଦାୟିତ୍ୱ ନିଜ ମୁଣ୍ଡ ଉପରେ ନେଇ କମିଶନ୍‌ର ଅନ୍ୟ ସଭ୍ୟମାନଙ୍କୁ ନ ପଚାରି ତୁମକୁ ଅନୁମତି ଦେଉଛି । ହଁ, ବେଶି ଲୋକ ସଙ୍ଗରେ ନେବ ନାହିଁ-। ୪/୫ ଦିନରୁ ଅଧିକ ସମୟ ମହାଶୂନ୍ୟ ଭିତରେ ରହିବା ପାଇଁ ଭୁଲରେ ଯେମିତି ଚେଷ୍ଟା ନ କର-।’’

 

ଆଲେସ୍କି, ତାଙ୍କ ବନ୍ଧୁ ରକେଟ୍‌ଯାନ–ବିଶାରଦ ଜାରୋଭିନ୍‌, ଅନ୍ୟତମ ଜ୍ୟୋତିର୍ବିତ୍‌ ଷ୍ଟିପାନୋଭ, ଡାକ୍ତର ଜୁଖୋଭସ୍କି ଓ ଅନ୍ୟ ଦୁଇଜଣ ବନ୍ଧୁଙ୍କୁ ଧରି ମହାଶୂନ୍ୟର ସେଇ ଦିଗକୁ ଲକ୍ଷ୍ୟକରି ଏକ ମହାଶୂନ୍ୟ ବୋଇତରେ ବସି ବାହାରିଲେ । ସଙ୍ଗରେ ଯିବାପାଇଁ ମେରିନା ଯେତେ ଜିଦ୍‌କଲେ ମଧ୍ୟ ଆଲେସ୍କି ସାହସ କଲେନି ମେରିନାକୁ ସଙ୍ଗରେ ନେବାକୁ । ଉପଗ୍ରହର ତିନୋଟି ଯାକ ପର୍ଯ୍ୟବେକ୍ଷଣାଳୟର ଜ୍ୟୋତିର୍ବିତ୍‌ମାନଙ୍କୁ ନିର୍ଦ୍ଦେଶ ଦିଆଗଲା ସେମାନେ ଅନ୍ତର୍ଗ୍ରହ ବୋଇତ ବ୍ୟତୀତ ଉପଗ୍ରହର ଏହି ବୋଇତକୁ ମଧ୍ୟ ଲକ୍ଷ୍ୟ କରିବେ । ବେତାର ରୁମ୍‌ ବିଶେଷଜ୍ଞ ଓ ଟେଲିଭିଜନ ପରିଚାଳକଙ୍କୁ ନିର୍ଦ୍ଦେଶ ଦିଆଗଲା, ସେମାନେ ଆଲେସ୍କିଙ୍କ ବୋଇତରୁ ଆସୁଥିବା ବାର୍ତ୍ତାକୁ ରେକର୍ଡ଼ିଂ କରି ରଖୁଥିବେ ଓ ପ୍ରତିଦିନ ସେମାନଙ୍କର ଖବର ଅନ୍ତର ତଳ ଲେନିନ ମାନମନ୍ଦିରକୁ ପଠାଇ ଦେଉଥିବେ । ଆଲେସ୍କି ଫେରିଆସିବା ପର୍ଯ୍ୟନ୍ତ ଉପଗ୍ରହର ଡିରେକ୍ଟର କାମ ତୁଲାଇବେ ଜ୍ୟୋତିର୍ବିଦ୍‌ ଭିନୋଗ୍ରେଡ଼ୋଭ୍‌ । ସମସ୍ତେ ଯେପରି ତାଙ୍କର ଆଦେଶ ମାନି ଚଳନ୍ତି, ସେଥିପାଇଁ କଡ଼ା ନିର୍ଦ୍ଦେଶ ଚାଲିଗଲା ଉପଗ୍ରହର ସମସ୍ତଙ୍କ ପାଖକୁ । ମାନମନ୍ଦିରର ଡିରେକ୍ଟର ପାଲାଭିନ୍‌ ନିଜ ତରଫରୁ ହେଉ ବା କମିଶନ୍‌ ତରଫରୁ ହେଉ ଯେଉଁ ମୁହୂର୍ତ୍ତରେ ଯେଉଁ ଖବର ଜାଣିବାକୁ ଚାହିଁବେ, ତାଙ୍କୁ ସଙ୍ଗେ ସଙ୍ଗେ ଜଣାଇ ଦିଆଯାଉଥିବ । ପ୍ରତିଦିନ ଉପଗ୍ରହର ବିଭିନ୍ନ ବିଭାଗରୁ ଯେଉଁସବୁ ବାର୍ତ୍ତା ଲେନିନ୍‌ ମାନମନ୍ଦିରକୁ ପଠାଯାଉଥିଲା, ତାହା ଯେପରି ନିୟମିତ ଭାବରେ ଯାଏ, ସେଥିପ୍ରତି ସବୁ ସଭ୍ୟଙ୍କୁ ତାଗିଦ୍‌ କରି ଦିଆଗଲା । ଏହିଭଳି ସବୁ ବନ୍ଦୋବସ୍ତ କରି ଆଲେସ୍କି ତାଙ୍କର ବନ୍ଧୁମାନଙ୍କୁ ଧରି ମହାଶୂନ୍ୟ ଅଭିମୁଖେ ବାହାରିଲେ । ଗଲାବେଳେ ମେରିନାକୁ ଖୁବ୍‌ ସାବଧାନ ହୋଇ ଚଳିବାକୁ ଉପଦେଶ ଦେଇ ବିଦାୟ ନେଇଗଲେ । ସେମାନଙ୍କୁ ସଙ୍ଗରେ ପନ୍ଦର ଦିନର ଖାଦ୍ୟ ପାନୀୟ ଆଦି ନେବାକୁ ପଡ଼ିଲା; କାଳେ ଫେରି ଆସୁଁ ଆସୁଁ ସେମାନଙ୍କର ଡେରି ହୋଇ ଯାଇପାରେ ।

 

ଆଲେସ୍କି ଓ ତାଙ୍କର ବନ୍ଧୁମାନଙ୍କର ଉପଗ୍ରହରୁ ମହାଶୂନ୍ୟ ଭିତରକୁ ଯିବା ପ୍ରାୟ ଏଗାରଦିନ ହୋଇଗଲାଣି । ସେମାନେ ଯିବା ପ୍ରଥମ ସାତଦିନ ପର୍ଯ୍ୟନ୍ତ ଉପଗ୍ରହକୁ ସେମାନଙ୍କ ଖବର ଅନ୍ତର ରୀତିମତ ଦେଉଥିଲେ; କିନ୍ତୁ ଅଷ୍ଟମ ଦିନଠାରୁ ସେମାନଙ୍କର କୌଣସି ଖବର ଅନ୍ତର ନାହିଁ । ସେମାନେ ଉପଗ୍ରହରୁ ଚାଲିଯିବାର ପ୍ରଥମ ଦୁଇଦିନ ପର୍ଯ୍ୟନ୍ତ ଉପଗ୍ରହର ଦୂରବୀକ୍ଷଣ ଯନ୍ତ୍ରରେ ଦେଖାଯାଉଥିଲେ; କିନ୍ତୁ ତୃତୀୟ ଦିନଠାରୁ ସେମାନଙ୍କୁ ଦୂରବୀକ୍ଷଣରେ ଠାବ କରିବା ଅସମ୍ଭବ ହୋଇପଡ଼ିଥାଏ । ଦୂରବୀକ୍ଷଣରେ ଅଦୃଶ୍ୟ ହେଲେ କ’ଣ ହେବ, ସେମାନେ ଉପଗ୍ରହ ସହିତ ବେତାର ଯୋଗେ ସଂପର୍କ ରଖିଥାନ୍ତି । ପ୍ରାୟ ପ୍ରତିଦିନ ପ୍ରତି ଦଶ ମିନିଟ୍‌ରେ ସେମାନଙ୍କଠାରୁ ଖବର ଉପଗ୍ରହକୁ ଆସୁଥାଏ; କିନ୍ତୁ ଅଷ୍ଟମ ଦିନଠାରୁ ବେତାରରେ କିଛି ଖବର–ଅନ୍ତର ନାହିଁ । ସେମାନେ କୁଆଡ଼େ ଗଲେ, କେତେ ଦୂର ଗଲେ, ମହାଶୂନ୍ୟରେ କ’ଣ କରୁଛନ୍ତି, ସେ ସମ୍ବନ୍ଧରେ ଖବର ପାଇବା ଅସମ୍ଭବ ହୋଇପଡ଼ିଥାଏ । କାଳେ କିଛି ଅସୁବିଧା ହୋଇଥିବ, ସେଥିପାଇଁ ଉପଗ୍ରହର ଲୋକେ ପ୍ରଥମ ଦୁଇଦିନ ପାଇଁ ବିଶେଷ ଚିନ୍ତିତ ଥିଲେ । କିନ୍ତୁ ଶେଷ ଦୁଇଦିନ ଧରି ଉପଗ୍ରହରେ ସମସ୍ତେ ଚିନ୍ତିତ । କାହାରି ମନରେ ସୁଖ ନାହିଁ, ଉପଗ୍ରହର ତିନୋଟିଯାକ ପର୍ଯ୍ୟବେକ୍ଷଣାଗାରରେ ଅଧିବାସୀମାନେ ଗତ ଦୁଇଦିନ ହେଲା ଧାରଣା ଦେଇଛନ୍ତି-। ଆଲେସ୍କି ଓ ତାଙ୍କର ବନ୍ଧୁମାନଙ୍କ ସମ୍ବନ୍ଧରେ ଜାଣିବା ପାଇଁ ଜ୍ୟୋତିର୍ବିଦ୍‌ମାନେ ସେମାନଙ୍କ ପାରୁପର୍ଯ୍ୟନ୍ତ ଚେଷ୍ଟାକରି ମହାଶୂନ୍ୟର ଚାରିଆଡ଼େ ଖୋଜି ଖୋଜି ପ୍ରାଣାନ୍ତକ ହୋଇପଡ଼ିଲେଣି; କିନ୍ତୁ କେଉଁଠାରୁ ସେମାନଙ୍କର କିଛି ସୂଚନା ମିଳୁନାହିଁ ।

 

ମେରିନା ଏଇ କେତେଦିନ ହେଲା ନଖାଇ ନପିଇ ପ୍ରଥମ ପର୍ଯ୍ୟବେକ୍ଷଣାଗାରରେ ପଡ଼ିରହିଛି । ଡାକ୍ତର ଭିନୋଗ୍ରେଡ଼ୋଭ୍‌ଙ୍କ ଶତ ଅନୁରୋଧ ସତ୍ତ୍ୱେ ସେ ଖାଇବାକୁ ବା ଶୋଇବାକୁ ଯାଇନାହିଁ । କେନ୍ଦ୍ର ପର୍ଯ୍ୟବେକ୍ଷଣାଗାରରେ ଲେନା ମଧ୍ୟ ସେଭଳି ଦିନରାତି ଉଜାଗର ହୋଇ ଦୂରବୀକ୍ଷଣରେ ପର୍ଯ୍ୟବେକ୍ଷଣ କରିବାରେ ବ୍ୟସ୍ତ । ମାନମନ୍ଦିରର ଡିରେକ୍ଟର ପାଲାଭିନ୍‌ ପ୍ରତିଦିନ ଯେତେଥର ଲେଖାଏଁ ପଚାରୁଛନ୍ତି ଆଲେସ୍କି ଆଦିଙ୍କ ସମ୍ବନ୍ଧରେ, ଉପଗ୍ରହର ଅସ୍ଥାୟୀ ଡିରେକ୍ଟର ଭିନୋଗ୍ରେଡ଼ୋଭ୍‌ଙ୍କ ଆଦେଶରେ ତାଙ୍କୁ ମିଥ୍ୟା ଖବର ଦିଆଯାଉଛି । କାରଣ ଭିନୋଗ୍ରେଡ଼ୋଭ୍‌ଙ୍କ ଆଶଙ୍କା ଯେ ସେ ଯଦି ପ୍ରକୃତ ସତ୍ୟ କଥା ପ୍ରକାଶ କରିଦିଅନ୍ତି, ତେବେ ସାରା ରାଷ୍ଟ୍ରର ବୈଜ୍ଞାନିକମାନଙ୍କ ମଧ୍ୟରେ ଏକ ଅସ୍ୱାଭାବିକ ଚାଞ୍ଚଲ୍ୟ ଖେଳିଯିବ । ମହାଶୂନ୍ୟରେ ନିରୁଦ୍ଦେଶ ହେବା ଅର୍ଥ ମୃତ୍ୟୁ ଛଡ଼ା ଆଉ ବା କ’ଣ ହୋଇପାରେ ? ତେଣୁ କିଏ ଜାଣେ ଏହି ଖବର ଯଦି ରାଷ୍ଟ୍ରରେ ଜଣା ପଡ଼ିଯାଏ, ତେବେ କେତେ ସୁଖର ସଂସାର ନିମିଷକ ମଧ୍ୟରେ ଭାଙ୍ଗିପଡ଼ିବ । ଏହିସବୁ ନାନା ବିପଦ ଆଶଙ୍କା କରି ଅସ୍ଥାୟୀ ଡିରେକ୍ଟର ଭିନୋଗ୍ରେଡ଼ୋଭ୍‌ ମିଥ୍ୟାର ଆଶ୍ରୟ ନେବା ଛଡ଼ା ଆଉ କିଛି ବାଟ ପାଇଲେ ନାହିଁ ।

 

ସେ ଯା’ ହେଉ, ଏଇ କେତେଦିନ ହେଲା ପାଲାଭିନ୍‌ଙ୍କୁ ମିଥ୍ୟା କହି ଓ ଉପଗ୍ରହର ଲୋକଙ୍କୁ ନାନାପ୍ରକାର ପ୍ରବୋଧନା ଦେଇ ସମ୍ଭାଳି ଆସିଛନ୍ତି । କିନ୍ତୁ ସେ ଦେଖୁଛନ୍ତି ଯେ, ଆଉ ବେଶୀ ଦିନ ସେମାନଙ୍କୁ ସମ୍ଭାଳିବା ସମ୍ଭବପର ନୁହେଁ । ସେମାନଙ୍କ ଫେରିବା ଦିନ ଯେତେ ଦୂରେଇ ଯାଉଛି, ଉପଗ୍ରହର ଲୋକଙ୍କ ଧୈର୍ଯ୍ୟ ସେତେ ଭାଙ୍ଗି ପଡ଼ିଛି । ଉପଗ୍ରହର ସବୁ ଲୋକଙ୍କୁ ସମ୍ଭାଳିବା ଯେତେ କଷ୍ଟ ନୁହେଁ, ଏକା ମେରିନାକୁ ସମ୍ଭାଳିବା ତା’ ଠାରୁ ଅଧିକ କଷ୍ଟକର । ସେ ଏଇ କେତେଦିନ ହେଲା ନିଜ ଗବେଷଣା ଛାଡ଼ି ପାଗଳିନୀ ଭଳି ଏ ପର୍ଯ୍ୟବେକ୍ଷଣାଗାରରୁ ସେ ପର୍ଯ୍ୟବେକ୍ଷଣାଗାର ହେଉଛି । କାଳେ କିଏ କେଉଁଠି ଆଲେସ୍କିଙ୍କ ଖବର ପାଇଥିବ, ସେଥିପାଇଁ ସେ ବେତାର ରୁମ୍‌ଠାରୁ ଆରମ୍ଭ କରି ସବୁଆଡ଼େ ଘୂରିଆସୁଛି । ତା’ର ଶୁଷ୍କ ରୁକ୍ଷ କେଶ, ଶ୍ରୀହୀନ ରୂପ, ସଜଳ ଆଖି ଓ ସନ୍ଦିଗ୍‌ଧ ମୁଖ ଦେଖିଲେ ଯେ କୌଣସି ଲୋକର ଧୈର୍ଯ୍ୟଚ୍ୟୁତି ଘଟିବ । ରାତି ନାହିଁ, ଦିନ ନାହିଁ, ସେ ନଖାଇ ନପିଇ ଏପଟ ସେପଟ ହେଉଛି । କେତେବେଳେ କ’ଣ ଭାବି ଘଣ୍ଟା ଘଣ୍ଟା ଧରି ବାରଣ୍ଡାରେ ବସି ମହାଶୂନ୍ୟ ଆଡ଼କୁ ଅନାଇ ରହୁଛି । ଯେ ଯେତେ କହିଲେ ମଧ୍ୟ ତା ଖିଆଲକୁ ପଶୁନାହିଁ କିଛି, ସତେ ଯେପରି ସେ ବଧିର ହୋଇଗଲାଣି । ଆଲେସ୍କିଙ୍କ ନିରୁଦ୍ଦେଶ ଦିନଠାରୁ ଉପଗ୍ରହରେ ମେରିନାକୁ ସମ୍ଭାଳିବା ଏକରକମ ଅସମ୍ଭବ ହୋଇପଡ଼ିଥାଏ ।

 

ଏହି ସବୁ ଜଟିଳ ପରିସ୍ଥିତ ଭିତରେ ଭିନୋଗ୍ରେଡ଼ୋଭ୍‌ ଦେଖିଲେ ଯେ ପାଲାଭିନ୍‌ଙ୍କଠାରୁ ଏସବୁ କଥା ଆଉ ବେଶୀ ଦିନ ଲୁଚାଇ ରଖି ହେବ ନାହିଁ । ଆଲେସ୍କି ଓ ତାଙ୍କ ଦଳର ଯଦି କାଳେ କିଛି ହୋଇଥାଏ, ତେବେ ଶେଷରେ ସେ ଅଯଥା ଦୋଷୀ ହେବେ । ଏହି ଉପଗ୍ରହ ଓ ମହାଶୂନ୍ୟ ଭ୍ରମଣର ଦାୟିତ୍ୱ ବର୍ତ୍ତମାନ ଯେତେବେଳେ ତାଙ୍କ ମୁଣ୍ଡରେ, ତାଙ୍କର ସବୁ କଥା ପାଲାଭିନ୍‌ଙ୍କୁ ଖୋଲି ଜଣାଇଦେବା ଉଚିତ । ଭିନୋଗ୍ରେଡ଼ୋଭ୍‌ ବହୁ ଚିନ୍ତା କରି ଶେଷରେ ନିଷ୍ପତ୍ତି କଲେ ଯେ ଆଲେସ୍କି ଓ ତାଙ୍କର ସହକର୍ମୀମାନେ ଯଦି ପନ୍ଦର ଦିନରେ ଫେରି ନ ଆସନ୍ତି, ତେବେ ସେ ବାଧ୍ୟହୋଇ ପାଲାଭିନ୍‌ ଯାହା ନିର୍ଦ୍ଦେଶ ଦେବେ ସେହି ଅନୁସାରେ କାମ ହେବ ।

 

ଆଲେସ୍କି ଓ ତାଙ୍କର ଦଳ ଉପଗ୍ରହରୁ ଯିବା ଷୋଡ଼ଶ ଦିନ । ଏ ପର୍ଯ୍ୟନ୍ତ ସେମାନଙ୍କର କୌଣସି ସନ୍ଧାନ ମିଳିଲା ନାହିଁ । ବିଗତ ନଅ ଦିନ ଧରି ବେତାର ଯନ୍ତ୍ର ପୂରାପୂରି ନୀରବ । ଆଲେସ୍କି ଓ ତାଙ୍କ ଦଳଠାରୁ ସ୍ୱର–ଶବ୍ଦଟିଏ ବି ଆସୁନାହିଁ । ମେରିନା ପାଗଳିନୀଙ୍କ ଭଳି ଉପଗ୍ରହରେ ଘୂରି ଘୂରି କେନ୍ଦ୍ର ପର୍ଯ୍ୟବେକ୍ଷଣାଗାରରେ ଯାଇ ବସିଛି । ଲେନା ନିଜର ପାରୁ ପର୍ଯ୍ୟନ୍ତ ଚେଷ୍ଟାକରି ଦୂରବୀକ୍ଷଣକୁ ମହାଶୂନ୍ୟ ମଧ୍ୟରେ ଘୂରାଇ ଘୂରାଇ ଥକି ପଡ଼ିଲାଣି; କିନ୍ତୁ ସେ ଧୈର୍ଯ୍ୟ ନ ହରାଇ ମହାଶୂନ୍ୟ ମଧ୍ୟରେ ସେହି ବିରାଟ ଦୂରବୀକ୍ଷଣକୁ ଏପଟ ସେପଟ ଘୂରାଉଛି, କାଳେ କିଛି ଖବର ପାଇଯିବ । ମେରିନା ନିକଟବର୍ତ୍ତୀ ସୋଫାରେ ବସି କ’ଣ ଭାବୁଥିଲା, ହଠାତ୍‌ ଦୂରବୀକ୍ଷଣଠାକୁ ଚାଲିଯାଇ ଲେନାକୁ ଅନୁରୋଧ କଲା, ନିଜେ ଦେଖିବା ପାଇଁ ।

 

ମେରିନାର ଏଭଳି ଅନୁରୋଧରେ ଲେନା ଦୂରବୀକ୍ଷଣ ଛାଡ଼ି ଦୂରେଇ ଯାଇ ଠିଆହେଲା-। ଯେଉଁ ଦିନଠାରୁ ଉପଗ୍ରହରେ ରାଷ୍ଟ୍ର ହୋଇଯାଇଛି, ଆଲେସ୍କି ମେରିନାକୁ ବିବାହ କରିବେ, ସେହି ଦିନଠାରୁ ଲେନାର ବ୍ୟବହାର ଆଲେସ୍କି ତଥା ମେରିନା ପ୍ରତି ଯଥେଷ୍ଟ ବଦଳିଯାଇଛି । ସେ ସେଇ ଦିନଠାରୁ ମେରିନାକୁ ନିଜର ସାନ ଭଉଣୀ ଭଳି ଦେଖିଆସିଛି । ଆଲେସ୍କି ସହିତ ଖୁବ୍‌ଭଦ୍ର ବ୍ୟବହାର କରି ଆସିଛି, ନିଜର ଦୂର୍ବଳାତାକୁ ଫିଙ୍ଗିଦେଇ । ମହାଶୂନ୍ୟ ମଧ୍ୟରେ ଆଲେସ୍କିଙ୍କର ଏହି ଅନ୍ତର୍ଦ୍ଧାନ ପାଇଁ ଲେନା ଯେତେ ବ୍ୟଥିତା ନୁହେଁ, ବେଶୀ ବ୍ୟଥିତା ହୋଇଛି–ଏହି ସରଳା ଝିଅଟାର ଅବସ୍ଥା ଲକ୍ଷକରି । ସାରା ଉପଗ୍ରହରୁ ସମସ୍ତଙ୍କ ସମବେଦନା ଭାସିଆସିଛି ମେରିନାର ଏହି ଦୁଃଖ ପାଇଁ । ମେରିନା ପାଗଳିନୀଙ୍କ ଭଳି ଦୂରବୀକ୍ଷଣକୁ ଏପଟ ସେପଟ କରୁଥିବାର ଦେଖି ଲେନା ବାଧା ନ ଦେଇ ତା ଆଡ଼କୁ ଅନାଇ ଭାବିଲା କେତେ କଥା । ଆଖି ତା’ର ଛଳ ଛଳ ହୋଇ ଆସିଲା । ମନ ଭିତରେ ସମବେଦନାର ଶତ ଉକ୍ତି ମୁଣ୍ଡଟେକି ଉଠିଲା, ‘ଆହା, ବିଚାରୀର ଅବସ୍ଥା କ’ଣ ହେଲା । କେତେ ଆହ୍ଲାଦରେ ସେ ଆସିଥିଲା ଉପଗ୍ରହକୁ ରାଷ୍ଟ୍ରର ଏକ ଶ୍ରେଷ୍ଠତମ ଗବେଷଣା ଓ ଅଭିଯାନରେ ଯୋଗଦେବା ପାଇଁ । ପରିଶେଷରେ ଫଳ ହେଲା କଅଣ ?’

 

ଲେନା ଏହିଭଳି ଭାବିଯାଉଛି, ହଠାତ୍‍ ମେରିନା ବୁଲିପଡ଼ି ତାକୁ କୁଣ୍ଢାଇ ପକାଇ କଇଁ କଇଁ ହୋଇ କାନ୍ଦିବାକୁ ଲାଗିଲା । ହଠାତ୍‌ ଟେବୁଲସ୍ଥିତ ଫୋନ୍‌ ବାଜିଉଠିଲାରୁ, ନିଜକୁ ସମ୍ଭାଳି ନେଇ ଲେନା କ୍ରନ୍ଦନରତା ମେରିନାକୁ ନିକଟସ୍ଥ ସୋଫାରେ ବସାଇଦେଇ ଫୋନଠାକୁ ଦୌଡ଼ିଗଲା-। ଫୋନ୍‌ଟାକୁ ନେଇ କାନ ପାଖରେ ଧରି କ’ଣ ଶୁଣିଲା କେଜାଣି ସଙ୍ଗେ ସଙ୍ଗେ ଦୂରବୀକ୍ଷଣ ନିକଟକୁ ଦୌଡ଼ିଗଲା । ସେ ଦୂରବୀକ୍ଷଣରେ ଆଖି ଦେଉ ଦେଉ ଯାହା ଦେଖିଲା, ସେଥିରେ ତା’ର ମଥା ଘୂରିଗଲା । ଉପଗ୍ରହଠାରୁ ବହୁ ଦୂରରେ ମହାଶୂନ୍ୟ ଭିତରେ ଏକ ବିରାଟ ବିସ୍ଫୋରଣଣ ଅବଶେଷ ଦେଖି ତା’ ଦେହ ଶୀତେଇ ଉଠିଲା । ଏହି ଭୟାବହ ଦୃଶ୍ୟରେ ସେ ନିଜକୁ ସମ୍ଭାଳି ପାରିଲା ନାହିଁ । ସେ ଆହୁରି ମନଦେଇ ମହାଶୂନ୍ୟ ଭିତରକୁ ଲକ୍ଷ୍ୟ କଲା । ତା’କୁ ବୋଧହେଲା, ସତେ ଯେପରି ମହାଶୂନ୍ୟରେ ସେହି ଅନ୍ତର୍ଗ୍ରହ ବୋଇତ କୌଣସି କାରଣବଶତଃ ହଠାତ୍‌ ବିସ୍ଫୋରିତ ହୋଇ କେଉଁଆଡ଼େ ଲୀନ ହୋଇଯାଉଛି । ଲେନା ନିଜ ହାତଘଡ଼ିକୁ ଅନାଇ ଦେଖିଲା ନ’ଟା ବାଜିବାକୁ ପନ୍ଦରମିନିଟ ବାକି; ଆଉ ପନ୍ଦରମିନିଟ ପରେ ମହାଶୂନ୍ୟରେ ସେଇ ଅନ୍ତର୍ଗ୍ରହ ବୋଇତ ଦେଖାଯିବା କଥା; ଅଥଚ ବିସ୍ଫୋରଣ ହୋଇଛି ଠିକ୍‌ ସେହି ସ୍ଥାନରେ, ସେହି ସମୟରେ-। ଏକ ଅଜଣା ଭୟରେ ଲେନାର ଛାତି ଥରିବାକୁ ଲାଗିଲା । ଏହି ବିସ୍ଫୋରଣ କଥା ମେରିନାକୁ କହିବି କି ନାହିଁ ଭାବି ଠିକ୍‌ କରି ପାରିଲା ନାହିଁ । କାଳେ ଏହି ବିସ୍ପୋରଣକୁ ମେରିନା ଆଉ କିଛି ଭାବି କେତେ କ’ଣ ଆଶଙ୍କା କରି ଭାଙ୍ଗି ପଡ଼ିବ । ଏହି ବିସ୍ଫୋରଣଟି କ’ଣ ଆହୁରି ଭଲ ଭାବରେ ଜାଣିବା ପାଇଁ ସେ ଦୂରବୀକ୍ଷଣକୁ ଘୂରାଇଲା; କିନ୍ତୁ ନିରାଶ ଛଡ଼ା କେଉଁଠାରୁ ଆଶାର ଟିକିଏ ଆଲୋକ ବି ପାଇଲା ନାହିଁ ।

 

ଲେନା ଏ ଭଳି ଭାବରେ ଦୂରବୀକ୍ଷଣକୁ ଘୂରାଉଥିବାର ଦେଖି ମେରିନା ବଡ଼ ଅସ୍ଥିର ହୋଇପଡ଼ିଲା । ଦୂରବୀକ୍ଷଣରେ ସେ କ’ଣ ଦେଖୁଛି ଜାଣିବା ପାଇଁ ଲେନାକୁ ହଲାଇଦେଇ ଡାକିଲା; କିନ୍ତୁ ଲେନା ବିସ୍ଫୋରଣର କାରଣ ଜାଣିବା ପାଇଁ ମେରିନାକୁ ସେହି ଘରେ ଛାଡ଼ିଦେଇ ଦୌଡ଼ିଲା ଭିନୋଗ୍ରେଡ଼ୋଭ୍‌ଙ୍କ ପର୍ଯ୍ୟବେକ୍ଷଣାଗାର ଆଡ଼େ । ମେରିନା ମଧ୍ୟ ଲେନା ପଛରେ ଦୌଡ଼ିଲା । ଲେନା ଅସ୍ଥାୟୀ ଡିରେକଟ୍‌ରଙ୍କ ପାଖରେ ପହଞ୍ଚିଲାକ୍ଷଣି ଉପଗ୍ରହର ଅନ୍ୟାନ୍ୟ ଜ୍ୟୋତିର୍ବିଦ୍‍ମାନେ ଆସି ପହଞ୍ଚିଗଲେ । ସମସ୍ତଙ୍କ ମନରେ ଗୋଟିଏ ପ୍ରକାର ଆଶଙ୍କା ପଶିଯାଇଛି-। ସେଇ ବିସ୍ଫୋରଣ ସମ୍ବନ୍ଧରେ ଚିନ୍ତା କରି ବୈଜ୍ଞାନିକମାନେ କୌଣସି ନିର୍ଦ୍ଦିଷ୍ଟ ସିଦ୍ଧାନ୍ତରେ ପହଞ୍ଚି ପାରିଲେ ନାହିଁ । ଏହିଘଟଣାର ଆଉ ଏକ ଗୁରୂତ୍ୱ ଯେ ବିସ୍ଫୋରଣ ପରଠାରୁ ମହାଶୂନ୍ୟର ଠିକ୍‌ ସେହି ସ୍ଥାନରେ ଆଉ ଅନ୍ତର୍ଗ୍ରହ ବୋଇତର ଦେଖା ନାହିଁ । ତେଣୁ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଉଠୁଛି ଯେ, ଅନ୍ତର୍ଗ୍ରତ ବୋଇତର ଯାତ୍ରୀମାନେ ତେବେ କ’ଣଆମ ବୋଇତକୁ ଆକ୍ରମଣ କରି ଧ୍ୱଂସ କରିଦେଲେ ଓ ସେମାନଙ୍କ ଗତିପଥକୁ ସଙ୍ଗେ ସଙ୍ଗେ ବଦଳାଇ ନେଲେ ? ଏଇ ଆଶଙ୍କା ଭିତରେ ସମସ୍ତେ ନୀରବ ହୋଇ ବସିରହିଥାନ୍ତି । ନିସ୍ତବ୍‌ଧତା ଭଙ୍ଗକରି ଭିନୋଗ୍ରେଡ଼ୋଭ୍‌ କହିଲେ, ‘‘ମହାଶୂନ୍ୟ ମଧ୍ୟରେ ଆଲେସ୍କି ଓ ତାଙ୍କ ଦଳର ଅସ୍ୱାଭାବିକ ନିରୁଦ୍ଦେଶ ଓ ସେଥି ସଙ୍ଗେ; ସଙ୍ଗେ ଏହି ମହାଶୂନ୍ୟର ବିସ୍ଫୋରଣ ପରସ୍ପର ସହିତ ସମ୍ପୃକ୍ତ ବୋଲି ନିଶ୍ଚିତ ଭାବରେ କହି ନ ପାରିଲେ ମଧ୍ୟ ଏହି ଦୁଇ ଘଟଣା ମଧ୍ୟରେ ଯେ ଘନିଷ୍ଠ ସମ୍ପର୍କ ଅଛି, ଏହା ନିଃସନ୍ଦେହରେ କୁହାଯାଇ ପାରେ । ମୁଁ ଭାବୁଛି ଆଉ କାଳବିଳମ୍ବ ନ କରି ଆମ ମାନମନ୍ଦିରର ଡିରେକଟର ପାଲାଭିନ୍‌ଙ୍କୁ ଏ ସବୁକଥା ଜଣାଇଦେବା । ଆଉ ବେଶୀ ଡେରି କରି ଆମ ଉପରକୁ ଦୋଷର ବୋଝ ଓଟାରି ଆଣିବା ଉଚିତ ନୁହେଁ । ଉପଗ୍ରହର ଏତେଗୁଡ଼ାଏ ଗୁରୁତର ଘଟଣା ପାଲାଭିନ୍‌ଙ୍କୁ ନ ଜଣାଇବା ଅର୍ଥ ଆମ୍ଭମାନଙ୍କ ପକ୍ଷରେ ଏକ ଅକ୍ଷମଣୀୟ ଅପରାଧ ହୋଇପଡ଼ିବ ।’’

 

ଡିରେକଟ୍‌ର ପାଲାଭିନ୍‌ଙ୍କ ସହିତ କଥାବାର୍ତ୍ତା କରି ତାଙ୍କୁ ଜଣେଇଦେବା ପାଇଁ ସେ ବେତାର ରୁମ୍‌ର ଚାଳକଙ୍କୁ ଲାଇନ ଦେବା ପାଇଁ ଡାକିଲେ । ଭିନୋଗ୍ରେଡ଼ୋଭ୍‌ଙ୍କ ମତକୁ ସମର୍ଥନ କରିବା ଛଡ଼ା ଅନ୍ୟ ଉପାୟ ନାହିଁ ଭାବି ଉପସ୍ଥିତ ସଭ୍ୟମାନେ ନୀରବ ରହିଲେ ।

 

ଭିନୋଗ୍ରେଡ଼ୋଭ୍‌ ଫୋନ୍‌ଟାକୁ କାନ ପାଖରେ ଧରି ବେତାର ରୁମ୍‌ଚାଳକଙ୍କୁ ଡାକି ଡାକି ବିରକ୍ତ ହୋଇଗଲେ; କିନ୍ତୁ ଫୋନରେ କୌଣସି ସ୍ୱରଶବ୍ଦ ନ ପାଇ ଫୋନ ଥୋଇଦେଇ କହିଲେ, ‘‘ବେତାର ରୁମ୍‌ରେ ବି କେହି ନାହିଁ । ଯେଉଁଠି ଦିନରାତି ଚବିଶ ଘଣ୍ଟା ଲୋକ ରହିବା କଥା, ସେଠି କେହି ନ ରହିବା ଘୋର ବିପଦର କଥା । ଏ ଅସମୟରେ ହଠାତ ବେତାରୀ ରୁମ୍‌ଚାଳକ କୁଆଡ଼େ ଗଲେ ମୁଁ ବୁଝିପାରୁନି । ବେଳକୁ ବେଳ ଏ ଉପଗ୍ରହରେ ସବୁ କିଛି ରହସ୍ୟଜନକ ବୋଧ ହେଉଛି-।’’

 

ହଠାତ୍‌ ବାହାରେ କାହାର ଏକ ଚିତ୍କାରରେ ସମସ୍ତେ ଚମକି ଉଠିଲେ । ଉପଗ୍ରହର ବାରଣ୍ଡାରେ ଆରପାଖରୁ କିଏ ଜଣେ ଅସ୍ଥାୟୀ ଡିରେକଟରଙ୍କୁ ଡାକି ଡାକି ଆସୁଥିବାର ଦେଖାଗଲା-। ପାଖକୁ ଆସିଲାରୁ ଜଣାପଡ଼ିଲା, ସେ ହେଉଛନ୍ତି ବେତାର ରୁମ୍‌ର ଚାଳକ । ଉପଗ୍ରହର ପୁଣି ଆଉ କ’ଣ ଘଟିଲା ଜାଣିବା ପାଇଁ ବୈଜ୍ଞାନିକମାନେ ସେ ଆଡ଼କୁ ଉତ୍ସୁକ ହୋଇ ଅନାଇ ରହିଲେ ।

 

‘‘ବଡ଼ ବିପଦ ଡକ୍‌ଟର ଭିନୋଗ୍ରେଡ଼ୋଭ୍‌, ବଡ଼ ବିପଦ । ଆପଣ ଏଠି ବସିଛନ୍ତି କଅଣ ! ଆସନ୍ତୁ ବେତାର ରୁମ୍‌କୁ ।’’ ଏତକ କହି ହାଲିଆ ହୋଇ ସେହି ଚଟାଣ ଉପରେ ପଡ଼ିଗଲେ ବେତାର ରୁମ୍‌ର ଚାଳକ ।

 

ବେତାର ରୁମ୍‌ ସମ୍ବନ୍ଧେ ନାନା ଆଶଙ୍କା କରି ଉପସ୍ଥିତ ବୈଜ୍ଞାନିକମାନେ ଦୌଡ଼ିଲେ ବେତାର ରୁମ୍‌ଆଡ଼େ । ମହାଶୂନ୍ୟରୁ ଆଉ କିଛି ବିପଦ ମାଡ଼ିଆସିଲା କି ଉପଗ୍ରହ ଉପରକୁ ? ମହାଶୂନ୍ୟର ବୋଇତଯାତ୍ରୀମାନେ ଉପଗ୍ରହକୁ ଆକ୍ରମଣ କରିଦେଲେ କି ? ଭୟ ଓ ଆଶଙ୍କାରେ ମ୍ରିୟମ୍ରାଣ ହୋଇ ସେମାନେ ଉତ୍କଣ୍ଠିତ ଭାବେ ବେତାର ରୁମ୍‌ ଭିତରକୁ ପଶିଲେ । ମନେ ହେଉଥାଏ, ବେତାର ରୁମ୍‌ରେ ସତେ ଯେପରି କିଏ ମହାଶୂନ୍ୟରୁ ଆସି ଲୁଚିରହିଛି ସେମାନଙ୍କୁ ଆକ୍ରମଣ କରିବା ପାଇଁ । ରୁମ୍‌ ଭିତରକୁ ଧୀରେ ଧୀରେ ପଶି ସେମାନେ ଦେଖିଲେ ବେତାର ରୁମ୍‌ ପୂର୍ବଭଳି ଶୂନ୍ୟ ପଡ଼ିଛି । ଭିନୋଗ୍ରେଡ଼ୋଭ୍‌ କାହାରିକୁ କିଛି ନ କହି ଫୋନଟାକୁ ଧରିପକାଇ ଉଠାଇଲେ । ଫୋନ୍‌ଟା ଉପରେ କାହାର ଗଁ ଗଁ ଶବ୍ଦରେ ହଠାତ୍‌ ଚମକି ପଡ଼ିଲେ । ବେତାର ଫୋନ୍‌ ଭିତରେ ଆଉ କିଛି ଶବ୍ଦ ନାହିଁ, କେବଳ ଗଁ ଗଁ ଶବ୍ଦ ହିଁ ଶୁଭୁଛି । ଭିନୋଗ୍ରେଡ଼ୋଭ୍‌ ବହୁକ୍ଷଣ ଫୋନ୍‌ଧଣି ଆଉ କିଛି ଶୁଣି ନ ପାରି ଆଶ୍ଚର୍ଯ୍ୟ ହୋଇ ଅନ୍ୟାନ୍ୟ ବୈଜ୍ଞାନିକମାନଙ୍କ ଆଡ଼କୁ ଅନାଇ ରହିଲେ । ଲେନା, ମେରିନା ଆଦି ଭୟରେ କଳାକାଠ ପଡ଼ିଗଲେଣି । ଏହି ସମୟରେ ହଠାତ୍‌ ବେତାର ରୁମ୍‌ ଚାଳକ ପଶି ଆସି କହିଲେ, ‘‘ଆଉ ଅପେକ୍ଷା କାହିଁକି, ଡକ୍ଟର ଆଲେସ୍କି ଓ ତାଙ୍କ ଦଳ ଖାଦ୍ୟ ଓ ପାନୀୟ ଅଭାବରୁ ମହାଶୂନ୍ୟ ମଧ୍ୟରେ ବିପଦଗ୍ରସ୍ତ ହୋଇପଡ଼ିଛନ୍ତି । ସେମାନେ ଉପଗ୍ରହକୁ ଫେରିଆସୁଛନ୍ତି ସତ, କିନ୍ତୁ ଖାଦ୍ୟ ଓ ପାନୀୟ ଅଭାବରୁ ସେମାନେ ଏଠାରେ ପହଞ୍ଚିବା ପୂର୍ବରୁ ଶେଷ ପାଇଯିବାର ଆଶଙ୍କା ଅଛି । ଆପଣ କାଳବିଳମ୍ବ ନ କରି ସେମାନଙ୍କୁ ଉଦ୍ଧାର କରିବାର ବ୍ୟବସ୍ଥା କରନ୍ତୁ ।

 

‘‘ଏଁ, ଖାଦ୍ୟ ଓ ପାନୀୟ ଅଭାବରୁ ଆଲେସ୍କି ବିପଦରେ ପଡ଼ିଛନ୍ତି ? ତା ହେଲେ–?’’

 

ଆଉ କିଛି କହି ନ ପାରି ମେରିନା ଅଚେତ ହୋଇ ତଳେ ପଡ଼ିଗଲା । କିଏ ଜାଣେ, ଦୁଇଜଣଙ୍କର ଏହି ଦୃଶ୍ୟରେ ଶେଷ ଯବନିକା ଏକ ସଙ୍ଗରେ ନ ପଡ଼ିବ ?

Image

 

ଏଗାର

 

ମେରିନା ସେ ଦିନ ଖୁସିରେ ଉପଗ୍ରହର ପୁଷ୍କରିଣୀରେ ସନ୍ତରଣ କରୁଥାଏ । ଲାଉଡ଼୍‌ସ୍ପିକରରୁ ବାହାରୁଥିବା ଏକ ଗୀତର ଟିଉନିଂ ସହିତ ମିଳାଇ ସଙ୍ଗୀତର ଏକ ଅପୂର୍ବ ମୂର୍ଚ୍ଛନା ତା’ର ମୁଖରୁ ଝରିପଡ଼ୁଥାଏ ବେଳେବେଳେ । ସନ୍ତରଣ ପୁଷ୍କରିଣୀକୁ ପଶିବା ପୂର୍ବରୁ ମେରିନା ନିକଟସ୍ଥ ସୁଇଚ୍‌ବୋର୍ଡ଼ରେ ତା’ ମନ ମୁତାବକ କେତେକ ଗୀତ ବାଜିବା ପାଇଁ ସୁଇଚ୍‍ ଟିପି ଦେଇ ଆସିଥିଲା ।

 

ମେରିନା ପିନ୍ଧିଥାଏ ଗୋଟିଏ କଳା ରଙ୍ଗର ସନ୍ତରଣ ପୋଷାକ । ଗୋଲାପି ଗୋରାତକ୍‌ତକ୍‌ ଶରୀର ଉପରେ କୃଷ୍ଣବର୍ଣ୍ଣର ଅର୍ଦ୍ଧଆଚ୍ଛାଦିତ ନାଇଲନ୍‌ର ପୋଷାକ ମେରିନାର ଲୁକ୍‌କାୟିତ ସୌନ୍ଦର୍ଯ୍ୟକୁ ଯେପରି ଶତଦୀପ୍ତିରେ ପ୍ରକାଶ କରୁଥାଏ, ତାହା କଳନା କରିବା ଯେ କୌଣସି ସ୍ୱପ୍ନଜୀବୀର କଳ୍ପନାର ବାହାରେ । ସନ୍ତରଣବେଳେ ସ୍ୱଚ୍ଛ ନିର୍ମ୍ମଳ ଜଳ ଉପରକୁ ଫୁଟି ଆସୁଥାଏ ମେରିନାର ଅପରୂପ ସୌନ୍ଦର୍ଯ୍ୟପଦ୍ମ ସନ୍ତରଣ ପୁଷ୍ପରିଣୀର ସମସ୍ତ ସୌନ୍ଦର୍ଯ୍ୟକୁ ଉପହାସ କରି । ପୁଷ୍କରିଣୀର ତଳଅଂଶରୁ ଆସୁଥିବା ସୁନେଲି ରଙ୍ଗର ବିଦ୍ୟୁତ୍‌ ଆଲୋକର ଝଲକରେ ସାରା ପୁଷ୍କରିଣୀଟିର ଜଳ ତରଳ ସ୍ୱର୍ଣ୍ଣ ଆଭାରେ ଝଟକି ଉଠୁଥାଏ । ସନ୍ତରଣଲିପ୍ତା ମେରିନାକୁ ଦେଖିଲେ ମନେ ହେବ, ସତେ ଯେପରି କଳ୍ପନା–ରାଇଜର ସ୍ୱର୍ଣ୍ଣ ପରୀଟିଏ ଉଡ଼ିଆସି ଏହି ମହାଶୂନ୍ୟରେ ନିର୍ଭୟରେ କେଳି କରିବାରେ ବ୍ୟସ୍ତ । ସେ କେତେବେଳେ କ୍ରୀଡ଼ାଚଞ୍ଚଳା ହାସ୍ୟମୟୀ ଗୀତିମୁଖରେ ସ୍ୱର୍ଣ୍ଣ କୋକିଳବିତ୍‌, ପୁଣି କେତେବେଳେ ସୌରଭମୟ ସ୍ଫୁଟନୋନ୍ନୁଖ ପ୍ରସୂନ ଭଳି ଦେଖାଯାଉଥାଏ । ଅନ୍ୟ ଦିନ ଭଳି ଲେନା ଆଦି ସଙ୍ଗିନୀମାନେ କେହି ଆସି ନଥାନ୍ତି । ଆଲେସ୍କି ମହାଶୂନ୍ୟରୁ ଫେରିଆସିଥିବାରେ ମେରିନାର ଯେଉଁ ଅପାର ଆନନ୍ଦ, ତାହାକୁ ମନ ପୂରାଇ ଉପଭୋଗ କରିବା ପାଇଁ ସେ ଚାହୁଁଥାଏ ନିରୋଳାସ୍ଥାନ । ତେଣୁ ସେ କାହାକୁ ନ ଡାକି ଏକା ପଳାଇ ଆସିଥାଏ ଉପଗ୍ରହର ଏହି ସନ୍ତରଣ ପୁଷ୍କରିଣୀକୁ । ହଠାତ ବାହାରେ ଠକ୍‌ଠକ୍ ଶବ୍ଦରେ ମେରିନା ପୁଷ୍କରିଣୀରୁ ଉଠିଯାଇ ଦୁଆର ଖୋଲିଦେଲା । ସାଂଶ୍ଳେଷିକ ପତଳା ଝିଲ୍ ଝିଲ୍ ଆର୍ଦ୍ର ବେଦିଙ୍ଗ ସୁଟ୍‌ ମେରିନାର ସୁକୋମଳ ଶରୀର ଉପରେ ଏପରି ଭାବରେ ଲାଗିଯାଇଥାଏ ଯେ, ତାହାର ଅସରନ୍ତି ସୌନ୍ଦର୍ଯ୍ୟଭଣ୍ଡାର ଉପରକୁ ଦାଉ ଦାଉ ହୋଇ ଫୁଟିଉଠୁଥାଏ । ଦୁଆର ମୁହଁରେ ଆଲେସ୍କିଙ୍କୁ ଠିଆ ହୋଇଥିବାର ଦେଖି ମେରିନା ଲଜ୍ଜାରେ ମ୍ରିୟମ୍ରାଣ ହୋଇପଡ଼ିଲା । କିପରି ସେ ତାର ସଦ୍ୟସ୍ନାତ ପ୍ରସ୍ଫୁଟିତ ଉଲଗ୍ନପ୍ରାୟ ସୌନ୍ଦର୍ଯ୍ୟକୁ ଆଲେସ୍କିଙ୍କ ଦୃଷ୍ଟିପଥରୁ ଘୋଡ଼ାଇ ରଖିବ, ଭାବି ସନ୍ତ୍ରସ୍ତ ହୋଇପଡ଼ିଲା । ନିଜର ପୋଷାକ ପୁଷ୍କରିଣୀର ଆରପାଖରେ ଥିବାର ଦେଖି ସେ ଅନନ୍ୟୋପାୟ ହୋଇ ପୁଣି ଲମ୍ପ ପ୍ରଦାନ କଲା ପୁଷ୍କରିଣୀକୁ । ଇଚ୍ଛା, ସେ ଆରପାରିକୁ ପହରିଁ ପୋଷାକ ପିନ୍ଧିପକାଇ ନିଜର ଅସହାୟ ଅବସ୍ଥାକୁ ସମ୍ଭାଳି ନେବ ।

 

ଆଲେସ୍କି ଏଇ ଯେଉଁ ମୁହୂର୍ତ୍ତକ ପାଇଁ ମେରିନାକୁ ଦେଖିବାର ସୁଯୋଗ ପାଇଲେ, ସେତିକିରେ ତାଙ୍କ ମନଭିତରେ ଏକ ଅପୂର୍ବ ଚମକ ଖେଳିଗଲା । ଆଃ, ମେରିନା ବାସ୍ତବିକ କେଡ଼େ ସୁନ୍ଦରୀ ନୁହେଁ ? ସତେ ଯେପରି ନନ୍ଦନକାନନରେ ଫୁଟିଆସୁଥିବା ପାରିଜାତ କଳିକାଟିଏ । ପ୍ରକୃତିକ ସୌନ୍ଦର୍ଯ୍ୟର ମେରିନା କେଡ଼େ ସୁନ୍ଦର ଦିଶୁନାହିଁ ସତେ ? ସେଦିନ ମେରିନାର ଘରଠାରେ ତାକୁ କୃତ୍ରିମ ରୂପ–ପ୍ରସାଧନୀର ଗୁରୁସମ୍ଭାର ଭିତରେ ଦେଖିଥିଲି; କିନ୍ତୁ ଆଜିକାର ପ୍ରାକୃତିକ ସୌନ୍ଦର୍ଯ୍ୟ ତୁଳନାରେ ସେ ଦିନର କୃତ୍ରିମ ସୌନ୍ଦର୍ଯ୍ୟ ଯେ କିଛି ନୁହେଁ ।

 

ପ୍ରକୃତି ଯାହାକୁ ଏତେ ସୌନ୍ଦର୍ଯ୍ୟ ଦେଇଛି, ସେ ଯେ କାହିଁଙ୍କି କୃତ୍ରିମ ପ୍ରସାଧନୀର ସାହାଯ୍ୟ ନେଇ ପ୍ରକୃତି ଉପରେ ଅତ୍ୟାଚାର ଚଳାଇବାକୁ ସୁଖ ପାଏ; ସେ ଭାବି ଭାବି ଠିକ୍‌ କରି ପାରିଲେ ନାହିଁ । ମେରିନାର ସଦ୍ୟସ୍ନାତ ସୌନ୍ଦର୍ଯ୍ୟ ଦେଖି ସେ ଏତେ ମୋହିତ ହୋଇ ପଡ଼ିଲେ ଯେ, ତାକୁ କ’ଣ କହିବାକୁ ଆସିଥିଲେ, ପୂରାପୂରି ଭୁଲିଗଲେ । ତା’ର ସେହି ସନ୍ତରଣ–ପୋଷାକ ତଳେ ବିଧାତା ଯେଉଁ ସୌନ୍ଦର୍ଯ୍ୟ ଗଢ଼ା ରଖିଥିଲା, ତାକୁ କୃତ୍ରିମ ରେଶମର କୃଷ୍ଣବର୍ଣ୍ଣ ପୋଷାକ ଲୁଚାଇବାକୁ ଚେଷ୍ଟା କରି ମଧ୍ୟ ପାରିନଥିଲା । ସେଇ କଥା ଭାବି ଭାବି ଅନ୍ୟମନସ୍କ ହୋଇ ପଡ଼ିଥିଲେ ଆଲେସ୍କି । ସେ ଉପଗ୍ରହଠାରୁ ଲକ୍ଷ ଲକ୍ଷ ମାଇଲ ଦୂର ମହାଶୂନ୍ୟ ଭିତରେ କେତେ କଥା ଆବିଷ୍କାର କରିଅଛନ୍ତି; କିନ୍ତୁ ନିଜର ପ୍ରିୟ ଓ ଅତି ନିକଟବର୍ତ୍ତୀ ମେରିନାର ଅସରନ୍ତି ପ୍ରାକୃତିକ ଏଇ ସୌନ୍ଦର୍ଯ୍ୟ ଭଣ୍ଡାର କେବ ତ ଆବିଷ୍କାର କରି ନ ଥିଲେ ।

 

କାଳେ କିଏ ଏଭଳି ଅବସ୍ଥାରେ ଦେଖି କ’ଣ ଭାବିବ, ସେଥିପାଇଁ ଆଲେସ୍କି ଦୁଆରଠାରୁ ଟିକିଏ ଦୂରେଇ ଯାଇ ଠିଆହୋଇ ରହିଲେ ମେରିନାକୁ ଅପେକ୍ଷା କରି । ମେରିନା ନିଜର ପୋଷାକ ପିନ୍ଧି ବାହାରି ଆସିଲାବେଳକୁ ତାର ସେଇ ସ୍ନାନ–ସ୍ନିଗ୍‌ଧ ମୁଖମଣ୍ଡଳ ଆହୁରି ସୁନ୍ଦର ଓ ସରସ ହୋଇଉଠିଥାଏ । ଆଲେସ୍କି କହିଲେ, ‘‘ତୁମକୁ ମୁଁ ଉପଗ୍ରହ ସାରା ଖୋଜି ଖୋଜି ଥକିଗଲିଣି ମେରିନା ! ମୁଁ ଭାବିଲି ତୁମେ କୁଆଡ଼େ ଉଭେଇଗଲଣି କି କଅଣ ?’’

 

‘‘ମୁଁ ତ ଆଉ ମହାଶୂନ୍ୟ ଭିତରକୁ ପଳାଇଯାଇ ନିରୁଦ୍ଦେଶ ହୋଇ ଯାଉନି ଯେ ତୁମେ ମୋତେ ନପାଇ ଏତେ ଚିନ୍ତା କରି ବସିଲ । ତୁମେ ମହାଶୂନ୍ୟ ଭିତରକୁ ଯାଇ ଅନ୍ୟମାନଙ୍କୁ ଯେ କେତେ କଷ୍ଟ ଦେଇଛ, ତାହା ଏଠାରେ ପ୍ରତ୍ୟେକେ ଜାଣନ୍ତି । ମୁଁ ଏଠାକୁ ଗାଧୋଇ ଆସି ତୁମକୁ ତ ସେଭଳି କିଛି କଷ୍ଟ ଦେଇନି । ହୁଏତ ତୁମେ ମୋତେ ଖୋଜି ଖୋଜି ଉପଗ୍ରହରେ ତିନି ଚାରିଶହ ଫୁଟ ପଥ ଅତିକ୍ରମ କରିଛ ? ଏଇ, ଏତିକି ତ ?

 

‘‘ମୁଁ ତୁମକୁ କାହିଁକି ଖୋଜୁଥିଲି ଜାଣିଛ ମେରିନା ?’’

 

‘‘ଆଜକୁ ଆଠ ଦଶ ଦିନ ହେବ, କିଛି ରିପୋର୍ଟ ପଠାଇ ନାହିଁ ବୋଲି ହୁଏତ ଖୋଜୁଥିବ ମୋତେ । ବିଶ୍ୱରଶ୍ମି ସମ୍ବନ୍ଧୀୟ ଗବେଷଣା ଉପଗ୍ରହରେ କାହିଁକି ଧିମେଇଗଲା, ସେଥିପାଇଁ ତଳୁ ହୁଏତ ତାଗିଦା ଆସିଥିବ ତୁମ ପାଖକୁ । ତୁମେ ସେହି ତାଗିଦ୍‌ଟା ମୋତେ ଶୁଣାଇ ଦେବାପାଇଁ ଦୌଡ଼ିଆସିଛ ଏଠିକି । ନୁହେଁ ?’’

 

‘‘ଖାଲି ସେତିକି ନୁହେଁ, ଆହୁରି କାମ ଅଛି ତମ ପାଖରେ । ତୁମେ ଏତେ ଦିନ ଯାଏଁ କିପରି କାମ ବନ୍ଦ କରିଦେଲ କୁହ ତ ମେରିନା ?’’

 

‘‘ବାଃ ରେ, ସେଇ କେତେ ଦିନ କ’ଣ ମୋ ମଥା ଠିକ୍‌ ଥିଲା ଯେ ମୁଁ କାମ କରିଥାନ୍ତି । ମନର ଅବସ୍ଥା ଭଲ ଥିଲେ କେହି ଗବେଷଣାରେ ମନୋନିବେଶ କରିପାରେ ? ମୁଁ କାହିଁକି କାମ ନ କଲି ତାହାର ପ୍ରକାରାନ୍ତରେ ତୁମେ ନୁହଁ କି ?’’ କହୁ କହୁ ଫିସ୍‌ ଫିସ୍‌ କରି ହସିଦେଲା ମେରିନା ?

 

ଆଲେସ୍କି ଆହୁରି ଟିକିଏ ଗମ୍ଭୀର ହୋଇଯାଇ କହିଲେ, ‘‘ଦେଖ ମେରିନା, ତୁମେ ମନରେ କ’ଣ ଏଇ ଦମ୍ଭ ନେଇ ରାଷ୍ଟ୍ରର ବଡ଼ ବଡ଼ କାମ କରିବା ପାଇଁ ଏଠାକୁ ଆସିଛ ? ରାଷ୍ଟ୍ରର କେତେ ବଡ଼ ଗୁରୁଦାୟିତ୍ୱ ଯେ ତୁମ ଉପରେ ଅଛି, ଏହାକୁ ଭୁଲିଯାଅନା । ସେଇ ଦାୟିତ୍ୱ ଦୃଷ୍ଟିରୁ ତୁମର ନାରୀସୁଲଭ ଚପଳତା ପ୍ରଦର୍ଶନ କ’ଣ ଉଚିତ ହୋଇପାରେ ? ମୋ ପ୍ରତି ତୁମର ସମ୍ପର୍କ ଯା’ ହେଲେ ମଧ୍ୟ ତୁମର ବିରାଟ କର୍ତ୍ତବ୍ୟକୁ କ’ଣ ହେୟ ମନେକରି ହେଳା କରିପାର ? କର୍ତ୍ତବ୍ୟ ହିଁ କର୍ତ୍ତବ୍ୟ; ତା’ ଆଗରେ ପ୍ରେମ, ସ୍ନେହ, ଦୁଃଖ, ସୁଖ କିଛି ନୁହେଁ ମେରିନା !’’

 

‘‘କ୍ଷମାକର ଆଲେସ୍କି, ମୁଁ ତୁମର ଏଭଳି ଆଦର୍ଶକୁ ସ୍ୱୀକାର କରିପାରେନା । ତୁମେ ଯାହା କହୁଛ, ତାହା ତର୍କକାଳୀନ ଯୁକ୍ତି ଛଡ଼ା ଅନ୍ୟ କିଛି ହୋଇ ନ ପାରେ । ତୁମେ ସେଭଳି ବଡ଼ ବଡ଼ କଥା କହି ବାସ୍ତବତାଠାରୁ ଦୂରେଇ ଯିବାକୁ ଚେଷ୍ଟା କରନାହିଁ । କର୍ତ୍ତବ୍ୟ ବିରାଟ ହୋଇପାରେ; କିନ୍ତୁ ତା’ ଆଗରେ ପ୍ରେମ, ସ୍ନେହ, ମମତାରୁହିଁ କର୍ତ୍ତବ୍ୟର ଜନ୍ମ । ଏଗୁଡ଼ିକଠାରୁ କର୍ତ୍ତବ୍ୟକୁ ଅଲଗା କରାଯାଇ ପାରିବ ନାହିଁ । ଏସବୁର ପ୍ରଭାବ ଯେ କର୍ତ୍ତବ୍ୟ ଉପରେ କିଛି ନାହିଁ, ଏହା କହିବା ବାଚାଳତା ମାତ୍ର । ମଣିଷ ଯଦି କେବେ ନିଜ କର୍ତ୍ତବ୍ୟରେ ଅଟଳ ରହିପାରେ, ତେବେ ତା’ ପଛରେ ଥିବ ନିଶ୍ଚୟ ସେଇ ସ୍ନେହ, ପ୍ରେମ କିମ୍ବା ମମତା । ସେସବୁ କିଛି ନଥିଲେ ମଣିଷ କର୍ତ୍ତବ୍ୟରେ ଅଟଳ ରହିପାରେନା । ପୃଥିବୀର ସବୁ ଦେଶର ଇତିହାସ ଆଲୋଚନା କରି ଦେଖ, ପ୍ରକୃତରେ ମୁଁ ଯାହା କହୁଛି ଠିକ୍‌, କି ତୁମେ ଯାହା କହୁଛ ଠିକ୍‌ । ପ୍ରେମ, ସ୍ନେହ, ମମତା ଆଦି ସ୍ୱର୍ଗୀୟ; କିନ୍ତୁ ତୁମର ଏହି କର୍ତ୍ତବ୍ୟ ପାର୍ଥିବ । ତେଣୁ ଏସବୁଠାରୁ ମୁଁ କର୍ତ୍ତବ୍ୟକୁ କେବ ଉଚ୍ଚ ସ୍ଥାନ ଦେଇପାରେନା । ପ୍ରେମ, ସ୍ନେହ, ମମତା, ଆଦି ମନୁଷ୍ୟତ୍ୱର ପରିଚାୟକ; କର୍ତ୍ତବ୍ୟ ଏକ ଯାନ୍ତ୍ରିକ ଅଭ୍ୟାସ ମାତ୍ର ।’’

 

ମେରିନାର ଯୁକ୍ତିରେ ଆଲେସ୍କି ଏକରକମ ସ୍ତବ୍‌ଧ ହୋଇଗଲେ । ଏ କଥା ଉପରେ ସେ ଆଉ ଯୁକ୍ତି ନକରି କଥାର ମୋଡ଼ ବଦଳାଇ ଆରମ୍ଭ କଲେ, ‘‘ତୁମେ କେଉଁ ଦିନଠାରୁ ପଦାର୍ଥବିଜ୍ଞାନ ଛାଡ଼ି ଦର୍ଶନଶାସ୍ତ୍ରରେ ଗବେଷଣା କଲଣି ଶୁଣେ ?’’

 

‘‘ଯେଉଁଦିନଠାରୁ ତୁମ ଭଳି ଲୋକ ପ୍ରେମ ବା ମମତା ପ୍ରତି ଦୃଷ୍ଟି ନଦେଇ ଏକ ଶୁଷ୍କ କର୍ତ୍ତବ୍ୟ ନାମରେ ନାନା ଅତ୍ୟାଚାର ଚଳାଇ ଚାଲିଯିବା ଆରମ୍ଭ କଲେଣି । ତୁମେ ଯେଉଁ କେତେ ଦିନ ମହାଶୂନ୍ୟ ଭିତରେ ଥିଲ, ସେଇ କେତେ ଦିନ ମୁଁ କେମିତି ବଞ୍ଚିଚି, ଜାଣିଛ ? ସେଥିରେ ପୁଣି ତୁମେ ମୋ’ଠାରୁ କୈଫିୟତ୍‌ ଚାହୁଁଛ–ସେଇ କେତେଦିନ ମୁଁ କାହିଁକି କାମ ନ କଲି ।’’

 

ମେରିନା କାନ୍ଦ କାନ୍ଦ ହୋଇ ପୁଣି କହିଲା, ‘‘ତୁମେ ଅନ୍ୟର ସରଳ ହୃଦୟ ଓ ଦୁର୍ବଳତାକୁ ନେଇ ବେଶ୍‌ ଖେଳିଜାଣିଛ ଆଲେସ୍କି ! ତୁମେ ଏତେଦିନ ମହାଶୂନ୍ୟରେ କିଛି ଖବର–ଅନ୍ତର ନଦେଇ ରହିଗଲ–ଦିନେହେଲେ ଭାବିଥିଲ କି ତୁମର ସମ୍ବାଦ ନପାଇ ମୁଁ କିଭଳି ଭାବରେ ରହିଥିବି ଏଠାରେ । ତୁମେ ଭାବୁଛ, ତୁମେ ନୂତନ ନୂତନ ଆବିଷ୍କାର ଉନ୍ମାଦନାରେ ଉନ୍ମତ୍ତ । କିନ୍ତୁ ତୁମର ସେହି ଉନ୍ନାଦନା କେତେ ଲୋକଙ୍କ ହୃଦୟକୁ ଯେ ଖିନ୍‌ଭିନ୍‌ କରି ଚିରି ପକାଉଥିବ, ତା’ କେବେ ଭାବିଛ ?’’

 

ମେରିନାର ଆଖିରୁ ଲୋତକଧାରା ନିଜ ରୁମାଲରେ ପୋଛିଦେଇ ଆଲେସ୍କି କହିଲେ, ‘‘ମୋର ମସ୍ତବଡ଼ ଭୁଲ ହୋଇଛି ମେରିନା । ମୁଁ ଧାରଣା କରି ନଥିଲି ଯେ, ମୋର ଅନୁପସ୍ଥିତି ତୁମ ମନରେ ଏତେ ବଡ଼ ଦାରୁଣ ଆଘାତ ଲଗାଇ ପାରିବ । ତୁମେ ତ ଜାଣିଛ, କିଭଳି ଏକ ଦୈବୀଦୁର୍ବିପାକ ଯୋଗୁଁ ଆମେ ଏତେ ବିପଦରେ ପଡ଼ିଗଲୁଁ । ମୁଁ ତୁମକୁ କୈଫିୟତ୍‌ ମାଗିଥିବାରୁ ଦୁଃଖିତ ମେରିନା ।’’

 

କ୍ରନ୍ଦନରତା ମେରିନାର ଅଧରକୋଣରେ ହଠାତ୍‌ ଦେଖାଦେଲା ହାସ୍ୟର ଏକ କ୍ଷୀଣରେଖା । ଏକ କୃତ୍ରିମ ବିରାଗ ପ୍ରକାଶ କରି ସେ କହିଲା, ‘‘ହଁ ଖାଲି ଦୁଃଖିତ କହିଦେଲେ କ’ଣ ହୋଇଗଲା ।

 

‘‘ଆଉ ତେବେ ମୋତେ ସେଥିପାଇଁ କି ଦଣ୍ଡ ପାଇବାକୁ ପଡ଼ିବ କୁହ ? ମୁଁ ସେଥିପାଇଁ ପ୍ରସ୍ତୁତ ଅଛି ।’’ ଏତକ କହି ଯାଉ ଯାଉ ଆଲେସ୍କି ଗାଧୁଆଘରର ବାରଣ୍ଡାରେ ହାତଗୋଡ଼ ଯୋଡ଼ି ହସି ହସି ଠିଆ ହୋଇଗଲେ ।

 

‘‘ଥାଉ, ଥାଉ, ତୁମର ଏ ଅଭିନୟ ଏ ମଝି ବାରଣ୍ଡାରେ ! କିଏ ଯଦି ଚାଲିଆସେ, ତେବେ ସେ କ’ଣ ଭାବିବ କୁହ ତ ?’’

 

‘‘ତେବ ଏଥିପାଇଁ କ’ଣ ଆବଦ୍ଧ କୋଠରି ଦରକାର ପଡ଼ିବ ?’’

 

ଆଲେସ୍କିଙ୍କର ଏହି ଉକ୍ତିରେ ଦୁହେଁ ହୋ–ହୋ ହୋଇ ହସିଉଠିଲେ । ହସୁଁ ହସୁଁ ହଠାତ୍‌ ଚମକି ପଡ଼ି ଆଲେସ୍କି କହିଲେ, ‘‘ଓଃ, ମୁଁ ତୁମ ପାଖକୁ ଯେଉଁଥିପାଇଁ ଆସିଥିଲି, ସେ ବିଷୟରେ ତୁମକୁ କିଛି ନ କହି ଅନ୍ୟ କଥାରେ ମାତିଯାଇଛି । ତୁମେ ଜାଣିଛ ମେରିନା, ତୁମ ବାପା ତୁମ ପାଖକୁ ତାର କରିଛନ୍ତି ଯେ, ସେ ଆସନ୍ତା ମାର୍ଚ୍ଚ ମାସରେ ଏଠାକୁ ଆସୁଛନ୍ତି ରାଷ୍ଟ୍ରର ଏକାଡ଼େମୀ ଅଫ୍‌ ଏଗ୍ରିକଲ୍‌ଚର୍‌ରେ ୧୯୫୭ ମସିହାରେ ବାର୍ଷିକ ଅଧିବେଶନରେ ଯୋଗଦେବା ପାଇଁ । ସଙ୍ଗରେ ତୁମ ମା’ ମଧ୍ୟ ଆସୁଛନ୍ତି । ସେମାନେ ଅଧିବେଶନ ଶେଷ କରି ମାନମନ୍ଦିରକୁ ଆସିବେ । ସେଠାରୁ ସେମାନେ ତୁମ ସହିତ ଦେଖା–ସାକ୍ଷାତ୍‌ କରି କଥାବାର୍ତ୍ତା କରିବେ । ତୁମେ ତାଙ୍କର ପରା ଗେହ୍ଲାଝିଅ; ନ ହେଲେ ତୁମର ମା’ ତୁମକୁ ଦେଖିବା ପାଇଁ ହଜାର ହଜାର ମାଇଲ ଅତିକ୍ରମ କରି ଏଠାକୁ ଆସିବାକୁ ମନ କରିଥାନ୍ତେ ?’’

 

‘‘ସତେ ଆଲେସ୍କି, ମା’ ଆସୁଛନ୍ତି ?’’ ଆନନ୍ଦରେ ନାଚି ଉଠିଲା ମେରିନା ।

 

‘‘ଆଉ ଗୋଟିଏ କଥା ଶୁଣିଛ ନା ମେରିନା ?’’ ଆଲେସ୍କି ପଚାରିଲେ ।

 

ମେରିନା ଆଶ୍ଚର୍ଯ୍ୟ ହୋଇ ଆଲେସ୍କିଙ୍କ ମୁହଁକୁ ଚାହିଁ ରହିଥିଲା ।

 

‘‘ଆସନ୍ତା ମେ ମାସଠାରୁ ଆମ ସରକାର ଦୁଇମାସ ପାଇଁ ମୋତେ ଛୁଟି ମଞ୍ଜୁର କରିଛନ୍ତି । ମୁଁ ମେ, ଜୁନ୍‌ ଏ ଦୁଇ ମାସ ଛୁଟିରେ ଯିବି ।’’

 

‘‘କୁଆଡ଼େ ?

 

‘‘ଘରକୁ, ଆଉ କୁଆଡ଼େ ?’’

 

‘‘ଆଉ ମୁଁ ! ମୁଁ ଏଠି ଏକା ରହିବି ?’’

 

‘‘ସେଥିପାଇଁ ମୁଁ କ’ଣ କରିବି ମେରିନା । ତୁମେ ଛୁଟି ଦରଖାସ୍ତ କଲନି ?’’ କୃତ୍ରିମ ଗାମ୍ଭୀର୍ଯ୍ୟ ରକ୍ଷାକରି ଆଲେସ୍କି କହିଲେ ।

 

‘‘ବାଃ ରେ, ମୁଁ ଜାଣିଲ କେମିତି ? ତୁମେ ଛୁଟି ଦରଖାସ୍ତ କରିଛ ବୋଲି ମୋତେ ତ କେବେ କହିନ ? ତା’ ହୋଇଥିଲେ ମୁଁ ବି ଦରଖାସ୍ତ କରିଥାନ୍ତି । ବାସ୍ତବିକ୍‌ ତୁମେ ବଡ଼ ସ୍ୱାର୍ଥପର ଆଲେସ୍କି ! ତୁମେ ଚାଲିଗଲେ, ମୁଁ ଏଠି ଏକୁଟିଆ କିପରି ରହିବି କହିଲ ? ମୁଁ କଦାପି ତୁମକୁ ଛାଡ଼ିବି ନାହିଁ ।’’

 

‘‘ମୋତେ କ’ଣ ବାନ୍ଧିରଖିବ ତା’ ହେଲେ ?’’

 

‘‘ନିଶ୍ଚୟ ।’’

 

‘‘ମୁଁ ଯଦି ତୁମ ପାଇଁ ଛୁଟି ବନ୍ଦୋବସ୍ତ କରିଦିଏ ।’’

 

‘‘କ’ଣ ଠିକ୍‌ ସେଇ ସମୟ ଭିତରେ ?’’

 

‘‘ହଁ, ଠିକ୍‌ ସେହି ସମୟ ଭିତରେ । ତେବେ ନିଶ୍ଚୟ ପୁରସ୍କାର ଦେବ ମୋତେ ?’’

 

ଆଲେସ୍କି ମେରିନାର ଦୁଇ ଆଖି ସାମନାରେ ଉଭୟଙ୍କର ଛୁଟି ମଞ୍ଜୁର ଚିଠିଟି ଟେକି ଧରିଲେ । ମେରିନା ତାହା ପଢ଼ି ଆଶ୍ଚର୍ଯ୍ୟ ହୋଇଗଲା ।

 

‘‘ଆଁ, ମୋର ବି ଛୁଟି ? କିନ୍ତୁ ଛୁଟି ପାଇଁ ମୁଁ ତ ଦରଖାସ୍ତ କରି ନଥିଲି ? ମୋତେ ଛୁଟି ମିଳିଲା କେମିତି ?’’

 

‘‘ଛୁଟିପାଇଁ ମୁଁ ବି ତ ଦରଖାସ୍ତ କରିନଥିଲି ମେରିନା !’’

 

‘‘ତେବେ–ଆମକୁ ଛୁଟି ମିଳିଲା କିପରି ?’’

 

‘‘ତୁମ ବାପା ଓ ମୋ ବାପା ଆମର ଛୁଟିପାଇଁ ଦରଖାସ୍ତ କରିଥିଲେ ? ଲେନିନ୍‌ ମାନମନ୍ଦିରର ଡିରେକ୍ଟର ପାଲାଭିନ୍‌ ଓ କମିଶନର ଅନ୍ୟାନ୍ୟ ସଭ୍ୟମାନେ ଆମ କାମରେ ଖୁବ୍‌ ଖୁସି ହୋଇ ଆମର ଛୁଟିପାଇଁ ସୁପାରିଶ କରିଥିଲେ । ତେଣୁ ଆମକୁ ଏ ଛୁଟି ମିଳିଛି । ମାତ୍ର କାହିଁକି ଏ ଛୁଟି ମିଳିଛି, କହିପାରିବ ମେରିନା ?’’ ପଚାରିଲାବେଳେ ଆଲେସ୍କି କଣେଇ କଣେଇ ହସୁଥାନ୍ତି-

 

ମେରିନା କିଛି ସମୟ ଚିନ୍ତା କରି ହଠାତ୍‌ ଫିସ୍‌ଫିସ୍‌ କରି ହସିଦେଲା । ଛୁଟିର ଉଦ୍ଦେଶ୍ୟ ସେ କ’ଣ ବୁଝିଲା କେଜାଣି, ଆଲେସ୍କିଙ୍କ ପାଖରେ ଠିଆହୋଇ କଥା କହିବାକୁ ଆଉ ତାର ଇଚ୍ଛା ହେଲାନି । ସେ ହଠାତ୍‌ ଆଲେସ୍କିଙ୍କଠାରୁ ବିଦାୟ ନେଇ ଦୌଡ଼ି ଚାଲିଗଲା ତା ନିଜ କୋଠରି ଆଡ଼େ । ସେତେବେଳେ ତା’ର ମନର ଯେଉଁ ଅବସ୍ଥା, ସେହି ଅବସ୍ଥା ଖୋଜୁଥାଏ କେବଳ ନିର୍ଜ୍ଜନ କୋଠରି । ସେ କିପରି ଏକ ନିର୍ଜ୍ଜନ କୋଠରିରେ ପଶି ଭବିଷ୍ୟତର ସୁନେଲି ସ୍ୱପ୍ନ ଦେଖି ଆନନ୍ଦରେ ବିଭୋର ହୋଇଉଠିବ, ସେଇ ଥାଏ ତା’ର ଚିନ୍ତା । ସେ ସୁନେଲି ସ୍ୱପ୍ନରୁ ମିଳିବ କି ଅପୂର୍ବ ଆନନ୍ଦ, କି ଅପୂର୍ବ ପରିତୃପ୍ତି–ତାହା ଭାବି ଭାବି ସେ ପାଗଳ ହୋଇଉଠିଲା ।

 

ବକ୍ତୃତା କକ୍ଷରେ ଡିରେକ୍ଟର ଆଲେସ୍କି ତାଙ୍କର ବକ୍ତୃତା ଦେଇ ଚାଲିଥାନ୍ତି । ଲେନା, ମେରିନା ସମେତ ଉପଗ୍ରହର ବୈଜ୍ଞାନିକମାନେ ସମ୍ମୁଖରେ ଉପବିଷ୍ଟ । ବିରାଟ ରେଡ଼ିଓ ଟ୍ରାନ୍‌ସମିଟର ଯନ୍ତ୍ରଦ୍ୱାରା ସେହି ବକ୍ତୃତା ପଠାଇ ଦିଆଯାଉଥାଏ ଲେନିନ୍‌ ମାନମନ୍ଦିରକୁ । ସେଠାରୁ ଶକ୍ତିଶାଳୀ ପ୍ରକ୍ଷେପକ ଯନ୍ତ୍ର ସାହାଯ୍ୟରେ ରାଷ୍ଟ୍ରର ପ୍ରତ୍ୟେକ ଅଞ୍ଚଳକୁ ଏହି ବକ୍ତୃତା ପଠାଇ ଦିଆଯିବାର ବନ୍ଦୋବସ୍ତ କରାଯାଇଥାଏ । ରାଷ୍ଟ୍ର ବାହାରର କୌଣସି ଦେଶ ଯେପରି ଏହି ଗୁପ୍ତ ବକ୍ତୃତାକୁ ଧରି ନ ପାରେ, ସେଥିପାଇଁ ନାନା ଯାନ୍ତ୍ରିକ ବନ୍ଦୋବସ୍ତ କରାଯାଇଥାଏ ଖୁବ୍‌ ସାବଧାନତା ସହକାରେ ।

 

ଘନ ଘନ କରତାଳିରେ ବକ୍ତୃତା କକ୍ଷ କମ୍ପି ଉଠିଲା । ମହାଶୂନ୍ୟର ଅବସ୍ଥା ଲକ୍ଷ୍ୟ କରି ଚନ୍ଦ୍ରମଣ୍ଡଳକୁ କିପରି ଚଢ଼ାଉ କରିହେବ, ସେ ସମ୍ବନ୍ଧୀୟ ଏକ ସୁବିସ୍ତୃତ ଯୋଜନା ଉପରେ ବକ୍ତୃତା ଦେଉଥାନ୍ତି ଆଲେସ୍କି । ଯେତେବେଳେ ସେ ପ୍ରକାଶ କଲେ ଯେ ତାଙ୍କ ଯୋଜନା ଅନୁଯାୟୀ ଚନ୍ଦ୍ରମଣ୍ଡଳକୁ ଯିବାକୁ ହେଲେ ଏହି ଅଭିଯାନ ଆରମ୍ଭ କରାଯିବ ସେହି ଉପଗ୍ରହରୁ, ସେତେବେଳେ ଉପଗ୍ରହର ସଭ୍ୟମାନେ ଆନନ୍ଦରେ ଉଚ୍ଛ୍ୱସିତ ନ ହୋଇ ରହିପାରିଲେ ନାହିଁ । ଏହି ଉପଗ୍ରହରୁ ଯେଉଁ ସର୍ବପ୍ରଥମ ରକେଟ୍‌ଯାନ ଚନ୍ଦ୍ରମଣ୍ଡଳ ଅଭିମୁଖେ ଯିବ, ତାହା କୌଣସି ମଣିଷଦ୍ୱାରା ଚାଳିତ ନ ହୋଇ ସ୍ୱୟଂକ୍ରିୟ ଆହୋରାତ୍ର ଯାତ୍ରା କଲାପରେ ସେହି ରକେଟଯାନ୍ ପହଞ୍ଚିବ ଚନ୍ଦ୍ରକକ୍ଷରେ ଓ ଚନ୍ଦ୍ରର ମାଧ୍ୟାକର୍ଷଣ ବଳରେ ଏହା ଚନ୍ଦ୍ରର ପୃଷ୍ଠକୁ ଖସିବାକୁ ଆରମ୍ଭ କରିବ ।

 

ବକ୍ତୃତା ଦେଉଁ ଦେଉଁ ଆଲେସ୍କି ପଚାରିଲେ, ‘‘ଏହା କ’ଣ ସେତେବଳେ ଚନ୍ଦ୍ରପୃଷ୍ଠରେ ଖସିପଡ଼ି ନଷ୍ଟ ପାଇଯିବ ?’’ ଉତ୍ତର ପ୍ରତ୍ୟାଶାରେ କିଛି ସମୟ ସ୍ରୋତାଙ୍କ ଆଡ଼କୁ ଅନାଇ ପୁଣି କହିଲେ–‘‘ରକେଟଯାନ ଚନ୍ଦ୍ରମଣ୍ଡଳର ମାଧ୍ୟାକର୍ଷଣ ରେଖା ଭିତରେ ପହଞ୍ଚିଲାକ୍ଷଣି ତାହାର ଯନ୍ତ୍ରଗୁଡ଼ିକ ଦିଗ ବଦଳାଇ ଯାନଟିକୁ ଉପରକୁ ଠେଲିବାକୁ ଚେଷ୍ଟାକରିବା ଫଳରେ ତାହା ଚନ୍ଦ୍ରପୃଷ୍ଠରେ ଭୀମ ବେଗରେ ନ ଖସି ଧୀରେ ଧୀରେ ଅବତରଣ କରିବାକୁ ଚେଷ୍ଟା କରିବ । ଲୋକଶୂନ୍ୟ ରକେଟ୍‌ଯାନର ଏହିସବୁ କାମ ରେଡ଼ାର ଯନ୍ତ୍ର ସାହାଯ୍ୟରେ ଏହି ଉପଗ୍ରହରୁ କରାଯାଇପାରିବ ।

 

‘‘ରକେଟ୍‌ଯାନଟି ଚନ୍ଦ୍ରମଣ୍ଡଳରେ ପହଞ୍ଚିଲାକ୍ଷଣି ସେଥିରୁ ମନକୁମନ ସାଁବାଳୁଆ ପରି ଟ୍ୟାଙ୍କ୍‌ ଗୋଟିଏ ବାହାରି ଚନ୍ଦ୍ରମଣ୍ଡଳରେ ଭ୍ରମଣ କରିବ । ଏହି ଟ୍ୟାଙ୍କ୍‌ଟି କୌଣସି ମାରଣାସ୍ତ୍ର ବା ଯୁଦ୍ଧର ପ୍ରତୀକ ହେବ ନାହିଁ । ବିଜ୍ଞାନର ଏହା ହେବ ଏକ ଶାନ୍ତିପୂର୍ଣ୍ଣ ଆୟୁଧ; ଯାହାକି ପ୍ରକୃତିର ଅସଂଖ୍ୟ ରହସ୍ୟକୁ ଉଦ୍‌ଘାଟନ କରିବାରେ ସାହାଯ୍ୟ କରିବ । ଚନ୍ଦ୍ରମଣ୍ଡଳର ଆଭ୍ୟନ୍ତରୀଣ ଅବସ୍ଥା, ସେଠାକାର ଉତ୍ତାପ, ଉପରିଭାଗର ଶିଳାସ୍ତର ଇତ୍ୟାଦିକୁ ପର୍ଯ୍ୟବେକ୍ଷଣ କରିବାପାଇଁ ଏଥିରେ ବିଭିନ୍ନ ପ୍ରକାର ସ୍ୱୟଂକ୍ରିୟ ଯନ୍ତ୍ରପାତି ଖଞ୍ଜାଯାଇଥିବ । ଏହା ସଙ୍ଗେ ସଂଲଗ୍ନ ଗୋଟିଏ ଖୁଣ୍ଟ ଉପରେ ଟେଲିଭିଜନ୍‌ ଘୂରୁଥିବ। ଉପଗ୍ରହରେ ବସି ଆମର ଟେଲିଭିଜନ୍‌ କକ୍ଷରେ ଆମେ ଟେଲିଭିଜନ୍‌ ପରଦା ଉପରେ ଚନ୍ଦ୍ରପୃଷ୍ଠର ଟିକିନିଖି ଚିତ୍ର ଦେଖିପାରୁଥିବା । ଏହି ଟ୍ୟାଙ୍କ୍‌ର ଗତି ଆମ ରେଡ଼ାର୍‌ଯନ୍ତ୍ରଦ୍ୱାରା ପରିଚାଳିତ ହେବ ।

 

‘‘ଚନ୍ଦ୍ରମଣ୍ଡଳର ପାହାଡ଼ ପର୍ବତ ଉପରେ ଚଢ଼ି ଓହ୍ଲାଇ ଏହି ଟ୍ୟାଙ୍କ୍‌ଟି ଅନବରତ ଗତିକରି ଚାଲିବ । ସେଠାରେ କେଉଁଠି ପ୍ରାନ୍ତର ଅଛି, କେଉଁଠି ଗିରିସଙ୍କଟ ଅଛି, କେଉଁଠି ବିରାଟ ଗହ୍ୱର ଅଛି, ସେସବୁର ଟିକିନିଖି ଖବର ଦେବ ଆମର ଏହି ସ୍ୱୟଂଚାଳିତ ଟ୍ୟାଙ୍କ୍‌ଟି । ଚନ୍ଦ୍ରମଣ୍ଡଳରେ କେଉଁଠି ସୁନା ରୂପା ଆଦି ମୂଲ୍ୟବାନ୍‌ ଧାତୁ ଅଛି, ସେ ଖବର ଦେଇ ନ ପାରିଲେ ମଧ୍ୟ କେଉଁଠାରେ ଇଉରାନିୟମ୍‌, ପ୍ଲେୁଟୋନିୟମ ଆଦି ତେଜସ୍କ୍ରିୟ ଧାତୁ ଅଛି, ତହିଁର ଖବର ଦେଇପାରିବ ଏହି ଟ୍ୟାଙ୍କ୍‌ଟି । ସେଥିପାଇଁ ଆମକୁ ବିଭିନ୍ନ ପ୍ରକାର ବନ୍ଦୋବସ୍ତ କରିବାକୁ ପଡ଼ିବ ।’’

 

‘‘ଚନ୍ଦ୍ରମଣ୍ଡଳକୁ ଚଢ଼ାଉ କରିବା ଦିଗରେ ଏହି ଟ୍ୟାଙ୍କ୍‌ଟି ହେବ ଆମର ଅଗ୍ରଦୂତ । ଆମେ ଏହି ଟ୍ୟାଙ୍କ୍‌ ସାହାଯ୍ୟରେ ଚନ୍ଦ୍ରମଣ୍ଡଳର ସବୁ ଟିକିନିଖି ଖବର ପାଇସାରିଲା ପରେ ଆହୁରି ଅନେକ ରକେଟ୍‌ ଛାଡ଼ିବା ଏହି ଉପଗ୍ରହରୁ । ଟ୍ୟାଙ୍କ୍‌ଟି ଚନ୍ଦ୍ରମଣ୍ଡଳର ଯେଉଁ ଅଂଶରେ ଘୂରାଘୂରି କରୁଥିବ, ଆମର ରକେଟ୍‌ଗୁଡ଼ିକ ଠିକ୍‌ ସେହି ଅଞ୍ଚଳରେ ଓହ୍ଲାଇବ । ତା’ ନ ହେଲେ ଆମର ରକେଟ୍‌ ଗୁଡ଼ିକ କିପରି ଓହ୍ଲାଇଲା, ବା କି ବାଧା-ବିପଦ ପଡ଼ିଲା ତାହା ଆମେ ଜାଣିପାରିବୁ କିପରି ? ଏହି ସବୁ ରକେଟ୍‌ରେ ମଣିଷର ଖାଦ୍ୟ, ବସ୍ତ୍ର, ଜାଳେଣି ଦ୍ରବ୍ୟ ଓ ମଣିଷର ଦରକାରୀ ଯାବତୀୟ ସରଞ୍ଜାମ ଏଠାରୁ ଚନ୍ଦ୍ରମଣ୍ଡଳକୁ ପଠାଯିବ । ଚନ୍ଦ୍ରଲୋକରେ ମଣିଷର ପ୍ରଥମ ବସତି ନିମନ୍ତେ ଯାବତୀୟ ସରଞ୍ଜାମ ଏହି ଉପଗ୍ରହକୁ ଯାଇ ପହଞ୍ଚିସାରିଲା ପରେ, ଆମ ଉପଗ୍ରହରୁ ପ୍ରଥମ ଦଳ ଯାତ୍ରୀଙ୍କୁ ଧରି ରକେଟ୍‌ଯାନ ଚାଲିବ ଚନ୍ଦ୍ରଲୋକ ଅଭିମୁଖରେ । ଆମର ଯାତ୍ରୀମାନେ ସେଠାରେ ଓହ୍ଲାଇବା ପୂର୍ବରୁ ପହଞ୍ଚିଥିବା ଜିନିଷପତ୍ରକୁ ଯୋଗାଡ଼ କରିନେଇ ନିକଟସ୍ଥ ପର୍ବତ କ୍ରୋଡ଼ରେ ସର୍ବପ୍ରଥମ ପ୍ଳାଷ୍ଟିକ୍‌ସ ଗୁହା ତିଆରି କରିବେ । ଏହି ଗୁହାଗୁଡ଼ିକ ଭିତରେ ବାୟୁ ପୁରାଇ ବଞ୍ଚିପାରିଲା ଭଳି ଅବସ୍ଥା ସୃଷ୍ଟି କରାହେବ । ଏହି ଗୁହାଗୁଡ଼ିକ ଯେପରି ଉଲ୍‌କା ଆକ୍ରମଣରୁ ଧ୍ୱସ୍ତବିଧ୍ୱସ୍ତ ହୋଇ ନ ଯାଏ, ସେଥିପାଇଁ ବିଭିନ୍ନ ବନ୍ଦୋବସ୍ତ କରିବାକୁ ପଡ଼ିବ । ଧୀରେ ଧୀରେ ପୃଥିବୀରୁ ଆମ ଉପଗ୍ରହ ଦେଇ ବିଭିନ୍ନ ଯନ୍ତ୍ରପାତି ସାଜ-ସରଞ୍ଜାମ ବୁହାହୋଇ ସେଠାରେ ଏକ ଆଧୁନିକ ଧରଣର ସହର ପ୍ରତିଷ୍ଠା କରାହେବ । ପୃଥିବୀରୁ ଖାଦ୍ୟ, ଜଳ, ବାୟୁ, ପୋଷାକ-ପରିଚ୍ଛଦଆଦି ପଠାହୋଇ ସେହି ସହରର ଅଧିବାସୀମାନଙ୍କୁ ଯୋଗାଇ ଦିଆହେବ । ସେହି ସହରର ଅଧିବାସୀମାନେ ତତ୍‌ପରେ ଚନ୍ଦ୍ରଲୋକରେ ଖୋଜିବୁଲିବେ, କେଉଁଠି କି କି ଧାତୁ ଅଛି, କେଉଁଠି ସୁନା, ରୂପା, ରେଡ଼ିୟମ୍‌ଓ ଅନ୍ୟାନ୍ୟ ତେଜସ୍କ୍ରିୟ ପଦାର୍ଥ ଅଛି କି ନାହିଁ । ଯଦି ଦେଖାଯାଏ ଯେ ସେଠି ଏସବୁ ଧାତୁ ଅଛି, ତେବେ ସେହି ଖଣିଜଦ୍ରବ୍ୟଗୁଡ଼ିକୁ ବାହାର କରି ସେଥିରୁ ବିଭିନ୍ନ ଧାତୁ ନିଷ୍କାସନ ପାଇଁ ନାନାପ୍ରକାର କଳକାରଖାନା ବସାହେବ । ଏହିଭଳି ଧୀରେ ଧୀରେ ଆମେ ଚନ୍ଦ୍ରମଣ୍ଡଳରେ ବସତି ସ୍ଥାପନ କରି ଏହି ଲୋକଶୂନ୍ୟ ଉପଗ୍ରହକୁ ଆମର ଏକ ଉପନିବେଶରେ ପରିଣତ କରିବୁଁ ।’’

 

ଘନ ଘନ କରତାଳିରେ ବକ୍ତୃତା କକ୍ଷ ପୁଣି କମ୍ପି ଉଠିଲା ।

 

ଡିରେକ୍ଟର ଆଲେସ୍କି ଈଷତ୍‌ ହସି କହିଲେ, ‘‘ସେ ଯାହାହେଉ, ମୋର ଏହି ଯୋଜନା ଓ ପ୍ରକୃତ କାର୍ଯ୍ୟ ଭିତରେ ବ୍ୟବଧାନ ଢେର୍‌ ଅଧିକ-ଠିକ୍‌ ଯେପରି ଆକାଶ ଓ ପାତାଳ ଭିତରେ । ଚନ୍ଦ୍ରମଣ୍ଡଳ ଉପରେ ଚଢ଼ାଉ କରିବା କିଛି ପିଲାଖେଳର କଥା ନୁହେଁ । ଏ ଅଭିଯାନ ସଙ୍ଗଠନ କରିବା ପାଇଁ ବୈଜ୍ଞାନିକ, ଇଞ୍ଜିନିଅର୍‌ ଓ ବିଭିନ୍ନ ଉତ୍ପାଦକ ବିଭାଗର କାରିଗରମାନଙ୍କର ସମ୍ମିଳିତ ଉଦ୍ୟମ ଦରକାର । ରକେଟ୍‌ଯାତ୍ରାର ବିବିଧ ସମସ୍ୟା ସମ୍ପର୍କରେ ଆମ ରାଷ୍ଟ୍ରରେ ଯେଉଁ ସବୁ ବିକ୍ଷିପ୍ତ ଗବେଷଣା ଚାଲିଛି, ସେଗୁଡ଼ିକୁ ସମନ୍ୱିତ କରି ଆମର ନିର୍ଣ୍ଣୟଜନିତ ବିବିଧ ସମସ୍ୟା, ରକେଟ୍‌ଇଞ୍ଜିନ୍‌ଗୁଡ଼ିକ କିପରି ଠିକ୍‌ମତେ ଚାଲିବ, ଉଲ୍‌କାଜନିତ ବିପଦକୁ କିପରି ଏଡ଼ାଇ ହେବ, ମହାକାଶ ଯାତ୍ରାବେଳେ ଯାତ୍ରୀ-ଜୀବନ କିପରି ନିରାପଦ ରହିବ ଓ ସର୍ବୋପରି ଚନ୍ଦ୍ରଲୋକକୁ ଯିବାକଥା କହିଲେ ଆଉ ଯେତେ ସମସ୍ୟା ସାଧାରଣତଃ ଦେଖାଦେବ, ସେ ସବୁ ବିଷୟରେ ବିଶେଷ ଅନୁଧ୍ୟାନ କରିବା ଆମ୍ଭମାନଙ୍କର କର୍ତ୍ତବ୍ୟ । ରକେଟ୍‌ କିପରି ନିର୍ଭୁଲଭାବେ ନିର୍ମିତ ହୋଇ, ନିର୍ବିଘ୍ନରେ ମହାକାଶ ପାରହୋଇ ଚନ୍ଦ୍ରଲୋକକୁ ଯିବ, ବୈଜ୍ଞାନିକର ସୃଜନୀ ଶକ୍ତି ପକ୍ଷରେ ଏହା ଏକ ବିଷମ ପରୀକ୍ଷା ।

 

‘‘ପରିଶେଷରେ ମୁଁ ବିଦାୟ ନେବା ପୂର୍ବରୁ ଆମ ରାଷ୍ଟ୍ରର ସୁବିଖ୍ୟାତ ଇନ୍‌ଜିନିୟରିଂ ବିଶେଷଜ୍ଞ ବୈଜ୍ଞାନିକ ଖ୍ଲେବତ୍‌ସେଭ୍‌ଙ୍କୁ ଧନ୍ୟବାଦ ଦେଇ ମୁଁ ମୋର ବକ୍ତବ୍ୟ ଶେଷ କରୁଛି । ଗୋଟିଏ ବିପଦସଂକୁଳ ଅଜ୍ଞାତ ସ୍ଥାନକୁ ପ୍ରଥମେ କୌଣସି ମଣିଷକୁ ନ ପଠାଇ ରେଡ଼ାର ନିୟନ୍ତ୍ରିତ ସ୍ୱୟଂକ୍ରିୟ ଯନ୍ତ୍ରଚାଳିତ ରକେଟ୍‌ ଓ ଅନ୍ୟାନ୍ୟ ଯନ୍ତ୍ରପାତି ପଠାଇବା କଥା ମୁଁ ମୋ ଯୋଜନାରେ ଯାହା ପ୍ରକାଶ କଲି ତାହା ପ୍ରଥମେ ସେହି ମହାତ୍ମା କଳ୍ପନା କରିପାରିଥିଲେ ।

 

‘‘ହଁ, ଆଉ ଗୋଟିଏ କଥା କହିବାକୁ ଭୁଲିଗଲି । ମୁଁ ମୋ ବକ୍ତୃତାରେ କହିଛି ଯେ ଚନ୍ଦ୍ରରେ ପ୍ଲାଷ୍ଟିକ୍‌ସ ଗୃହ କରି ସେହି ଗୃହରେ ବାୟୁ ଭରତି କରି ରହିବା ବ୍ୟବସ୍ଥା ମୂଳରୁ କରିବାକୁ ପଡ଼ିବ । କିନ୍ତୁ ସେଭଳି ଏକ ଅସ୍ଥାୟୀ ବ୍ୟବସ୍ଥାରେ ଚନ୍ଦ୍ରମଣ୍ଡଳରେ ବେଶି ଦିନ ବସବାସ କରିବା ସମ୍ଭବପର ନୁହେଁ । ସେଥିପାଇଁ ଚନ୍ଦ୍ରମଣ୍ଡଳର ଅବସ୍ଥାକୁ ପୃଥିବୀର ଅବସ୍ଥାର ସମକକ୍ଷ କରିବା ପାଇଁ ଆମ ରାଷ୍ଟ୍ରପକ୍ଷରୁ ଚେଷ୍ଟା କରାଯିବ । ଚନ୍ଦ୍ରମଣ୍ଡଳରେ ବାୟୁ କିମ୍ବା ଜଳ ନ ଥିଲେ କ’ଣ ହେବ, ସେଠାକାର ଜମି ଖୁବ୍‌ଉର୍ବର, ଚାଷ କଲେ ଖୁବ୍‌ଭଲ ଫସଲ ହେବା ଆଶା । ଚନ୍ଦ୍ରମଣ୍ଡଳରେ ଯଦି କଳକାରଖାନା, ସହର ଆଦି ବସାଇବାକୁ ହୁଏ, ତେବେ ସେଠାରେ କୃଷି ପାଇଁ ବିହିତ ବ୍ୟବସ୍ଥା କରାଯିବା ଉଚିତ୍ । କୃଷି ପାଇଁ ଦରକାର ଜଳ ଓ ବାୟୁ । ତେଣୁ ପ୍ରଥମତଃ ଚନ୍ଦ୍ରମଣ୍ଡଳରେ କିପରି ଜଳ ଓ ବାୟୁ ସୃଷ୍ଟି କରି ହେବ, ସେଥିପାଇଁ ଆମକୁ ଯଥେଷ୍ଟ ଧ୍ୟାନ ଦେବାକୁ ପଡ଼ିବ ।

 

‘‘ଚନ୍ଦ୍ରମଣ୍ଡଳକୁ ଜଳ ଓ ବାୟୁପୂର୍ଣ୍ଣ କରିବାକୁ ହେଲେ ପୃଥିବୀର ସାହାଯ୍ୟ ନେବା ଛଡ଼ା ଅନ୍ୟ ଉପାୟ ନାହିଁ । ପୃଥିବୀପୃଷ୍ଠସ୍ଥ ସମୁଦ୍ରରୁ ଜଳ ବୋହିନେଇ ଚନ୍ଦ୍ରମଣ୍ଡଳର ଗହ୍ୱରକୁ ଜଳପୂର୍ଣ୍ଣ କରି ଚନ୍ଦ୍ରପୃଷ୍ଠରେ ସମୁଦ୍ର ସୃଷ୍ଟି କରିବା କଳ୍ପନା ଆପାତତଃ ଅସମ୍ଭବ ବୋଧ ହେଉଥିଲେହେଁ, ମଣିଷର ଅସାଧ୍ୟ ନୁହେଁ । ପୃଥିବୀସ୍ଥ ଆକାଶମଣ୍ଡଳର ବାୟୁକୁ ତରଳ କରି ବଡ଼ ବଡ଼ ରକେଟ୍‌ଯାନ ସାହାଯ୍ୟରେ ଚନ୍ଦ୍ରମଣ୍ଡଳକୁ ବୋହିନେଇ ସେଠାରେ ଆକାଶକୁ ବାୟୁପୂର୍ଣ୍ଣ କରିବା ଆଶା ଏବେ ପରିଷ୍କାର ଦିଶିଲାଣି । କିନ୍ତୁ ଗୋଟିଏ କଥା, ଆମ ଆକାଶମଣ୍ଡଳର ବାୟୁକୁ ନେଇ ଆମେ ଯଦି ଚନ୍ଦ୍ରର ଆକାଶମଣ୍ଡଳକୁ ପୂର୍ଣ୍ଣ କରୁଁ, ତେବେ ଆମ ଆକାଶମଣ୍ଡଳର ବାୟୁଚାପ ଯଥେଷ୍ଟ କମି ଆସିବ । କିନ୍ତୁ ଏହା ଆମର ଏଠାକାର ଜୀବନ ଯାପନରେ କୌଣସି ବାଧା ସୃଷ୍ଟି କରିବ ନାହିଁ ବୋଲି ଆଶା । ପୃଥିବୀପୃଷ୍ଠସ୍ଥ ସମୁଦ୍ରରୁ ଜଳ ବୋହିନେଇ ଚନ୍ଦ୍ରମଣ୍ଡଳର ଗହ୍ୱରକୁ ପୂର୍ଣ୍ଣ କଲେ ଆମ ସମୁଦ୍ରପତ୍ତନର ଉଚ୍ଚତା କମିଯିବ; ଫଳରେ ପୃଥିବୀପୃଷ୍ଠରେ ଅଧିକ ଜମି କୃଷିପାଇଁ ମିଳିପାରିବ । ଆମେ ଏହି ଉପାୟ ଦ୍ୱାରା ଚନ୍ଦ୍ରରେ ଯେତେ ଜମି କୃଷି ପାଇଁ ଆବାଦ କରିବୁଁ, ତା’ଠାରୁ କିଛି ଅଧିକ ଜମି ଏହି ପୃଥିବୀରେ ଆମକୁ ମିଳିଯିବ; ଫଳରେ ପୃଥିବୀର ମଣିଷସମାଜ ଅଧିକ ଲାଭବାନ୍‌ ହେବ-

 

‘‘ପୃଥିବୀପୃଷ୍ଠରୁ ଜଳ ଓ ବାୟୁ ଚନ୍ଦ୍ରମଣ୍ଡଳକୁ ନେଲେ, ପୃଥିବୀର ବିଭିନ୍ନ ଦେଶମାନେ ଆପତ୍ତି କରି ପାରନ୍ତି । ପୃଥିବୀର ବହୁ ଦେଶ ଆମର ଉଦ୍ୟମକୁ ବିଫଳ କରିବା ପାଇଁ ଜାତିସଂଘରେ ଆପତ୍ତି ଉଠାଇବା କିଛି ବିଚିତ୍ର ନୁହେଁ । ପୃଥିବୀପୃଷ୍ଠରୁ ଜଳ ଓ ବାୟୁ ନେବା ସମ୍ପର୍କରେ ଆମର ବହୁ ରାଷ୍ଟ୍ର ସହିତ କଳିକଜିଆ, ମନାନ୍ତର ହୋଇପାରେ । ପୁଣି କିଏ କହିପାରିବ, ଏଥିପାଇଁ ଯୁଦ୍ଧ ଡାକରା ନ ପଡ଼ିପାରେ ବୋଲି । କିନ୍ତୁ ଯେଉଁମାନେ ଆମର ଉଦ୍ୟମକୁ ବିଫଳ କରିବାକୁ ଚେଷ୍ଟା କରିବେ, ସେମାନେ ହୃଦୟଙ୍ଗମ କରିବା ଉଚିତ ଯେ, ସେମାନେ ଆମକୁ ବାଧା ଦେବାକୁ ଯାଇ ସାରା ମଣିଷସମାଜର କମ୍‌ ଅପକାର କରୁନାହାନ୍ତି । ସେମାନଙ୍କର ବୁଝିବା ଉଚିତ ଯେ ଆମେ ଯାହା କରୁଛୁଁ ବା କରିବାକୁ ଯାଉଛୁଁ ତାହା କେବଳ ଆମର ସ୍ୱାର୍ଥପାଇଁ ନୁହେଁ; ଏହା ସାରା ମଣିଷସମାଜର ସ୍ୱାର୍ଥପାଇଁ ଉଦ୍ଦିଷ୍ଟ । ଗ୍ରହାନ୍ତର ଅଭିଯାନରେ ସେମାନେ ଆମ ସହିତ ସହଯୋଗ ନ କରି ଯଦି ଆମ ଉଦ୍ୟମକୁ ବିଫଳ କରିବାକୁ ଚେଷ୍ଟା କରନ୍ତି, ତେବେ ସେମାନେ ଯେ କେବଳ ପଛେଇଯିବେ ତା ନୁହେଁ, ମଣିଷସମାଜର ଉନ୍ନତି ପଥରେ ଏକ ପ୍ରଧାନ କଣ୍ଟକ ହୋଇପଡ଼ିବେ ।’’

 

ଘନ ଘନ କରତାଳିରେ ସଭାକକ୍ଷ କମ୍ପି ଉଠିଲା ।

Image

 

ବାର

 

କୃତ୍ରିମ ଉପଗ୍ରହ କ୍ଳବ ରୁମ୍‌ରେ ସମସ୍ତେ ଆନନ୍ଦ ଉତ୍ସବରେ ବ୍ୟସ୍ତ । ଅଦୂରରେ ମେରିଆ ଓ ଜର୍ଜି ଏକ ଦ୍ୱୈତ ନୃତ୍ୟ ଦେଉଥାନ୍ତି । ସମସ୍ତଙ୍କ ଦୃଷ୍ଟି ସେଇ ଦୁଇଜଣଙ୍କର ନୃତ୍ୟ ଓ ଅପୂର୍ବ ଅଙ୍ଗଭଙ୍ଗୀ ଉପରେ ନିବଦ୍ଧ । କ୍ଳବ ରୁମ୍‌ରେ ବେତାରଯନ୍ତ୍ର କେନ୍ଦ୍ର ରାଜଧାନୀସ୍ଥ ରେଡ଼ିଓ ଷ୍ଟେସନର ଏକ ମନମତାଣିଆ ସଙ୍ଗୀତ ପରିବେଷଣ କରି ଚାଲିଥାଏ । ସଙ୍ଗୀତର ତାଳରେ ତାଳ ପକାଇ ସେମାନେ ନାଚିଯାଉଛନ୍ତି ଦୁଇଟି ଅଭ୍ୟସ୍ତ ନର୍ତ୍ତକନର୍ତ୍ତକୀଙ୍କ ଭଳି । କେତେବେଳେ ପରସ୍ପରଠାରୁ ଦୂରେଇ ଯାଇ, କେତେବେଳେ ପାଖେଇ ଆସି, ପୁଣି କେତେବେଳେ ହାତ ଧରାଧରି ହୋଇ, ପୁଣି କେତେବେଳେ ପରସ୍ପରର କୋଳରେ ମୁଣ୍ଡ ଦେଇ ସେମାନେ ଏପରି ଭାବରେ ନାଚିଯାଉଥାନ୍ତି, ଯେପରିକି ଦ୍ୱୈତ ନୃତ୍ୟ ଆଗରେ ରାଷ୍ଟ୍ରର ଶ୍ରେଷ୍ଠ ନର୍ତ୍ତକ-ନର୍ତ୍ତକୀ ମଧ୍ୟ ମୁଣ୍ଡ ନୁଆଇଁବାକୁ ବାଧ୍ୟହେବେ । ଏହିଭଳି ଭାବରେ କ୍ଳବ ରୁମ୍‌ ବେଶ୍‌ ସରଗରମ ହୋଇ ଉଠିଥାଏ । ହଠାତ୍‌ ରେଡ଼ିଓ ବନ୍ଦ ହୋଇଗଲା । ଠିକ୍‌ ପରମୁହୂର୍ତ୍ତରେ ରେଡ଼ିଓ ଷ୍ଟେସନର ଖବରଦାତାଙ୍କ ସ୍ୱର ଶୁଭିଲା-

 

‘‘ଆପଣମାନେ କ୍ଷମା କରିବେ, ଏବେ ଜରୁରୀ ଖବର ଶୁଣାଇବା ପାଇଁ ଆମେ ଏହି ସଙ୍ଗୀତ ପରିବେଷଣ କିଛି ସମୟ ପାଇଁ ବନ୍ଦ କରିବାକୁ ଯାଉଛୁଁ । ଆମ ସରକାର ଅତି ବିଶ୍ୱସ୍ତସୂତ୍ରରୁ ଜାଣିପାରିଛନ୍ତି ଯେ ମାର୍କିନ୍‌ଦେଶ ଆସନ୍ତା ନୂତନ ବର୍ଷର ପ୍ରଥମ ଦିନରେ ସେମାନଙ୍କର ସର୍ବପ୍ରଥମ କୃତ୍ରିମ ଉପଗ୍ରହ ମହାଶୂନ୍ୟରେ ଛାଡ଼ିବ । ସେଥିପାଇଁ ସେମାନେ ୧୯୫୬ ମସିହା ଆରମ୍ଭରୁ ଗୋଟିଏ ‘ସ୍ପେସ୍‌ ସେଟ୍‌ଲାଇଟ୍‌ ପ୍ରୋଜେକ୍ଟ’ ସ୍ଥାପନ କରି ସେହି ପ୍ରୋଜେକ୍‌ଟ ଅଧିନରେ ୧୯୫୬ ମସିହାର ଶେଷ ଆଡ଼କୁ ଏକ ପରୀକ୍ଷାମୂଳକ ରକେଟ୍‌ ଆକାଶ ଭିତରକୁ ଛାଡ଼ିଥିଲେ । ଏହି ରକେଟ୍‌ଟି ଯୁକ୍ତରାଷ୍ଟ୍ରର ଫ୍ଲେରିଡ଼ାସ୍ଥିତ କେପ୍‌କାନାଭେରାଲର ମିଜିଲି ପରୀକ୍ଷା କେନ୍ଦ୍ରରୁ ଛଡ଼ାଯାଇଥିଲା । ଏହା ପୃଥିବୀପୃଷ୍ଠରୁ ୧୨୫ ମାଇଲ ଉପରକୁ ଉଠି କୃତକାର୍ଯ୍ୟ ହୋଇ ପୁଣି ପୃଥିବୀକୁ ଫେରିଆସିଥିଲା । ଏହି ପରୀକ୍ଷାମୂଳକ ଅଭିଯାନରେ କୃତକାର୍ଯ୍ୟ ହୋଇ ସେମାନେ ୧୯୫୭-୫୮ ମସିହା ଭିତରେ ପୃଥିବୀ ଚାରିପାଖରେ ଘୂରିବା ପାଇଁ ଗୋଟିଏ କୃତ୍ରିମ ଉପଗ୍ରହ ଛାଡ଼ିବେ ବୋଲି ସ୍ଥିର କରିଛନ୍ତି । ଏହି ଉପ୍ରହଟିର ଆକାର ଖୁବ୍‌ଛୋଟ ହେବ ଏବଂ ଏହାର ବ୍ୟାସ କୋଡ଼ିଏ ଇଞ୍ଚିରୁ ବେଶି ହେବ ନାହିଁ । ଏହାର ଓଜନ ମହଣକରୁ ସାମାନ୍ୟ କିଛି ବେଶି ହୋଇପାରେ । ଏଥିରେ ବେତାର ଯନ୍ତ୍ରଠାରୁ ଆରମ୍ଭ କରି ବିଶ୍ୱରଶ୍ମିମାପକ ଯନ୍ତ୍ର ପର୍ଯ୍ୟନ୍ତ ଯାବତୀୟ ଯନ୍ତ୍ରପାତି ଖଞ୍ଜାହେବ । ଏହା ରକେଟ୍‌ ସାହାଯ୍ୟରେ ପୃଥିବୀଠାରୁ ଚାରିଶହ ମାଇଲ ଉପରକୁ ଯାଇ ପୃଥିବୀକୁ ପ୍ରଦକ୍ଷିଣ କରିବ ପ୍ରତି ଦେଢ଼ଘଣ୍ଟାରେ ଥରେ ଲେଖାଏଁ । ଏଥିରେ ମଣିଷ ବା ଅନ୍ୟ କୌଣସି ପ୍ରାଣୀ ରହିବେ ନାହିଁ । ଏହାର ବେଗ ହେବ ସେକେଣ୍ଡକୁ ପ୍ରାୟ ପାଞ୍ଚ ମାଇଲ । ଏହି କୃତ୍ରିମ ଉପଗ୍ରହରୁ ଉଚ୍ଚ ଆକାଶର ଆୟନୋସ୍ପିଅର୍‌ ସମ୍ବନ୍ଧରେ ମଧ୍ୟ ନାନା ଗବେଷଣା କରାଯିବ ଓ ମହାଶୂନ୍ୟ ମଧ୍ୟରେ ଷ୍ଟେସନମାନ ପ୍ରତିଷ୍ଠା କରି ଗ୍ରହାନ୍ତରକୁ ଯିବା ପାଇଁ ପଥ ସୁଗମ କରିବା କେତେଦୂର ସମ୍ଭବପର ତାହାର ମଧ୍ୟ ଅନୁସନ୍ଧାନ କରାହେବ । ମାର୍କିନ୍‌ମାନେ ଆହୁରି ପ୍ରକାଶ କରିଛନ୍ତି ଯେ, ସେମାନେ ଯେଉଁ ସବୁ ତଥ୍ୟ ଓ ପର୍ଯ୍ୟବେକ୍ଷଣ ଫଳ ପାଇବେ, ତାହା ଗୁପ୍ତ ନ ରଖି ପୃଥିବୀର ସବୁ ଦେଶକୁ ଜଣାଇଦେବେ ।’’

 

ରେଡ଼ିଓ ଷ୍ଟେସନର ଏହି ଖବରରେ କ୍ଳବ ରୁମ୍‌ ଭିତରେ ଏକ ଅଭୁତପୂର୍ବ ଚାଞ୍ଚଲ୍ୟ ଖେଳିଗଲା । ସମସ୍ତେ ଏହି ଖବର ଶୁଣି ପରସ୍ପରକୁ ଅନାଅନି ହେଲେ । ସଙ୍ଗେ ସଙ୍ଗେ ଲେନା କହିଉଠିଲା, ‘‘ଯାହା ହେଉ ଆମେ ଏଠାରେ ଆଉ ଏକାକୀ ହୋଇ ରହିବାନି । ଆକାଶରେ ଢେର୍‌ଛୋଟ ହେଲେ ମଧ୍ୟ ଏହି ମହାଶୂନ୍ୟରେ ଆମର ଏକ ସଙ୍ଗୀ ମିଳିଯିବ ଏଥର ।’’

 

ଜ୍ୟୋତିର୍ବିତ୍‌ ଭିନୋଗ୍ରେଡ଼ୋଭ୍‌ କହିଲେ, ‘‘ପୃଥିବୀପୃଷ୍ଠରେ ଆମ ରାଷ୍ଟ୍ର ଯୁକ୍ତରାଷ୍ଟ୍ର ସହିତ ବନ୍ଧୁତା ବାନ୍ଧି ନ ପାରିଲେ ମଧ୍ୟ ଏଥର ପୃଥିବୀ ବାହାରେ ଆମ ଉପଗ୍ରହ; ସେହି ଉପଗ୍ରହ ସହିତ ନିଶ୍ଚୟ ବନ୍ଧୁତା ବାନ୍ଧିପାରିବ ।’’

 

ବୈଜ୍ଞାନିକ ଗୋଭେଲ୍‌ କହିଲେ, ‘‘ଯୁକ୍ତରାଷ୍ଟ୍ର ପୃଥିବୀର ସବୁଠାରୁ ଧନଶାଳୀ ରାଷ୍ଟ୍ର ହୋଇ ଶେଷରେ କ’ଣ ଗୋଟାଏ ଫୁଟବଲ ଆକାରର କୃତ୍ରିମ ଉପଗ୍ରହ ଉଡ଼ାଇବାକୁ ଯାଉଛି । ଆଉ ଟିକିଏ କ’ଣ ବଡ଼ କରି ପାରିଲେ ନାହିଁ । ଆଜକୁ ପାଞ୍ଚ ବର୍ଷ ତଳେ ଆମେ ଯେଉଁ ପାଞ୍ଚଫୁଟ ବ୍ୟାସର କୃତ୍ରିମ ଉପଗ୍ରହ ଉଡ଼ାଇଥିଲୁଁ, ଏହା ଅନ୍ତତଃ ସେତିକି ବଡ଼ ହୋଇଥିଲେ ଭଲ ହୋଇଥାନ୍ତା-।’’

 

କୁଜ୍‌ମିନ୍‌ କହିଲେ, ‘‘ଆହେ, ଯୁକ୍ତରାଷ୍ଟ୍ର ଏତେ ବଡ଼ ଧନଶାଳୀ ରାଷ୍ଟ୍ର ହେଲେ କ’ଣ ହେବ, ଧନ ସବୁ ତ ପୁଞ୍ଜିପତିଙ୍କ ହାତରେ ରହିଯାଇଛି; ସରକାରଙ୍କ କୋଷକୁ ଆସୁଥିଲେ ସିନା....’’

 

କୁଜ୍‌ମିନ୍‌ଙ୍କୁ ତାଙ୍କ କଥା ଶେଷ କରିବା ପାଇଁ ନ ଦେଇ ଡିରେକ୍‌ଟର ଆଲେସ୍କି କହିଉଠିଲେ, ‘‘ଆମ୍ଭମାନଙ୍କର ଯୁକ୍ତରାଷ୍ଟ୍ରକୁ ଏଭଳି ଭାବରେ ସମାଲୋଚନା କରି ଲାଭ ନାହିଁ । ସେମାନଙ୍କର ଅର୍ଥନୈତିକ ସଂସ୍ଥା ଆମଠାରୁ ଅଲଗା ହୋଇଥିଲେ ମଧ୍ୟ ଆମର ସେମାନଙ୍କୁ ଏଭଳି ଭାବରେ ନିନ୍ଦା କରିବା ଉଚିତ ହେଉନାହିଁ । ସେମାନେ ଆମର ପଡ଼ୋଶୀ ରାଷ୍ଟ୍ର । ଆମର ରାଜନୈତିକ ତଥା ସାମାଜିକ ମତବାଦ ସେମାନଙ୍କଠାରୁ ପୃଥକ୍‌ ହୋଇଥିଲେ ମଧ୍ୟ ସେମାନଙ୍କ ସହିତ ମିଳିମିଶି ଚଳିବା ପାଇଁ ଆମେ ପ୍ରତିଜ୍ଞାବଦ୍ଧ ହୋଇଥିବାରୁ, ସେମାନଙ୍କୁ ସମାଲୋଚନା କରିବା ଆମ ପକ୍ଷରେ ସ୍ପୃହଣୀୟ ନୁହେଁ । ଆମ ଦେଶ ଭଳି ବିଜ୍ଞାନ, ଶିଳ୍ପ, କଳା, କୃଷି ସବୁଥିରେ ସେମାନେ ଉନ୍ନତ ହୋଇଥିବାରୁ ଆମର ମଧ୍ୟ ସେ ରାଜ୍ୟକୁ ପ୍ରଶଂସା କରିବା କଥା । ତତ୍‌ପରିବର୍ତ୍ତରେ ଆମେ ସେମାନଙ୍କୁ ଏଭଳି ଭାବରେ ସମାଲୋଚନା କଲେ କେବଳ ଆମ ସମ୍ମାନ ହିଁ ଶେଷରେ କ୍ଷୁର୍ଣ୍ଣ ହେବ । କିନ୍ତୁ ମୋତେ ଗୋଟିଏ କଥା ଆଶ୍ଚର୍ଯ୍ୟ ଲାଗୁଛି ଯେ ମାର୍କିନ୍‌ମାନେ କୃତ୍ରିମ ଉପଗ୍ରହ ସୃଷ୍ଟିରେ ଏତେ ପଛେଇଥିଲେହେଁ ସେମାନେ ଏତେ ତରବର ହେବାର କାରଣ କଅଣ ? ତା ହେଲେ ସେମାନେ କ’ଣ ଆମ ମଣିଷ ଥିବା କୃତ୍ରିମ ଉପଗ୍ରହ କଥା.....’’

 

ଆଲେସ୍କିଙ୍କ ମୁହଁରୁ କଥା ଛଡ଼ାଇ ନେଇ ବୈଜ୍ଞାନିକ ଭିନୋଗ୍ରେଡ଼ୋଭ୍‌ କହିଲେ, ‘‘ମୋତେ ଯାହା ବୋଧ ହେଉଛି, ସେମାନେ ଆମର ମଣିଷ ଥିବା କୃତ୍ରିମ ଉପଗ୍ରହର ସଫଳତା ସମ୍ବନ୍ଧରେ ନିଶ୍ଚୟ ଜାଣିପାରିଛନ୍ତି । ସେ ଦିନ ଲେନିନ୍‌ ମାନମନ୍ଦିରର ଅଧିବେଶନରେ....’’ କ’ଣ କହିବାକୁ ଯାଉଥିଲେ, ହଠାତ୍‌ ରହିଯାଇ ଆଉ କିଛି କହିଲେ ନାହିଁ । କିଛି ସମୟ ପରେ ପୁଣି ଆରମ୍ଭ କଲେ, ‘‘ଅନ୍ତର୍ଗ୍ରହ ଭ୍ରମଣରେ ଆମେ କାଳେ ସେମାନଙ୍କ ଅପେକ୍ଷା ଆଗେଇଯିବୁଁ, ସେଇ ଭୟରେ ସେମାନେ ଏତେ ତରତର ହେବା ସ୍ୱାଭାବିକ । ଆପଣ ତ ଜାଣିଚନ୍ତି, ସେମାନଙ୍କ ଦେଶରେ ଚନ୍ଦ୍ରମଣ୍ଡଳର ଜମି କିପରି ନିଲାମ ହେଉଥିଲା । ସେମାନଙ୍କ ଭୟ ଆମେ ଯଦି ସର୍ବପ୍ରଥମେ ଚନ୍ଦ୍ରମଣ୍ଡଳରେ ପହଞ୍ଚିଯାଉଁ, ତେବେ ଚନ୍ଦ୍ରମଣ୍ଡଳ ଆମ ଅଧିକୃତ ଅଞ୍ଚଳ ହୋଇଯିବ ଓ ସେଠାରେ ଯାହା କିଛି ତେଜସ୍କ୍ରିୟ ଓ ମୂଲ୍ୟବାନ୍‌ ଧାତୁ ରହିଛି, ସେ ସବୁ ଆମର ହୋଇଯିବ । ଆନ୍ତର୍ଜାତିକ କ୍ଷେତ୍ରରେ ଆଜିକାଲି କୌଣସି ଦେଶର ଶକ୍ତି ଓ ସଭ୍ୟତା, ତା’ର ତେଜସ୍କ୍ରିୟ ଧାତୁ ବ୍ୟବହାର କରିବା ପରିମାଣରୁ କଳନା କରାଯାଉଥିବାରୁ ଚନ୍ଦ୍ରମଣ୍ଡଳର ସମସ୍ତ ତେଜସ୍କ୍ରିୟ ପଦାର୍ଥ ଆମର ହୋଇଗଲେ, ପୃଥିବୀରେ ସେମାନଙ୍କ ପ୍ରତିପତ୍ତି ଉପରେ ବିରାଟ ଆଞ୍ଚ ଆସିବା ଭୟରେ ସେମାନେ ଏଭଳି ତରବର ହେବା ସ୍ୱାଭାବିକ ।’’

 

‘‘ଆନ୍ତର୍ଜାତିକ କ୍ଷେତ୍ରରେ କ’ଣ ଆମର ପ୍ରତିପତ୍ତି ବଢ଼ିନି ଯେ ଏହି ଚନ୍ଦ୍ରମଣ୍ଡଳ ଅଧିକାର କରି ପକାଇଲେ ତାହା ବଢ଼ିଯିବ ? ସମାଜବାଦ ପ୍ରତି ଲୋକମାନଙ୍କର ଯେଉଁ ବିତୃଷ୍ଣା ଥିଲା, ତାହା କିପରି ଦିନକୁଦିନ ଉଭେଇ ଯାଉଛି ଦେଖୁନାହାନ୍ତି ? ପୁଞ୍ଜିବାଦ ବା ଧନତନ୍ତ୍ରବାଦକୁ ପରାସ୍ତ କରି ସମାଜବାଦ କିପରି ଆଗେଇଯାଉଛି, ତାହା କ’ଣ ସୂଚାଉ ନାହିଁ ଆନ୍ତର୍ଜାତିକ କ୍ଷେତ୍ରରେ ଆମର ପ୍ରତିପତ୍ତି ?’’ ବଡ଼ ଉତ୍ତେଜିତ ହୋଇ ବୈଜ୍ଞାନିକ ରୁଜ୍‌ନିଖୋଭ୍‌ କହିଲେ ।

 

‘‘ମୁଁ ଭାବୁଛି’’ ଆଲେସ୍କି କହିଲେ, ‘‘ମାର୍କିନ୍‌ମାନେ ଯେଉଁଦିନ ସେମାନଙ୍କ ସର୍ବପ୍ରଥମ କୃତ୍ରିମ ଉପଗ୍ରହ ମହାଶୂନ୍ୟରେ ଉଡ଼ାଇବେ ଆମେ ଏହି ଉପଗ୍ରହରେ ଥାଇ ସେମାନଙ୍କ ଉପଗ୍ରହକୁ ଖୁବ୍‌ ଭଲ ଭାବରେ ଲକ୍ଷ୍ୟ କରିବା । କ’ଣ କହୁଛ ଡକ୍ଟର ଭିନୋଗ୍ରେଡ଼ୋଭ ?

 

ସମସ୍ତେ ଏକ ସ୍ୱରରେ କହିଉଠିଲେ, ‘‘ନିଶ୍ଚୟ, ନିଶ୍ଚୟ, ଏଥିରେ ଆଉ ସନ୍ଦେହ ଅଛି ? ଆନ୍ତର୍ଜାତିକ ପ୍ରତିଯୋଗିତାରେ ଆମେ ଯେପରି ସେମାନଙ୍କୁ ଟପିଯାଇଛୁ, ଏହି ଅନ୍ତର୍ଗହ ପ୍ରତିଯୋଗିତାରେ ସେହିପରି ଆଗେଇଯିବା ଉଚିତ । ଅନ୍ତର୍ଗହ ଭ୍ରମଣରେ ସେମାନେ ଆମର ଏକମାତ୍ର ପ୍ରତିଯୋଗୀ ହେଉଥିବାରୁ ସେମାନେ ଏ ଦିଗରେ କେତେ ଆଗଉଛନ୍ତି ସେଥିପ୍ରତି ଆମର ଯଥେଷ୍ଟ ଦୃଷ୍ଟି ଦେବା ଉଚିତ ।’’

 

ଜାନୁୟାରୀ ମାସ ୧ ତାରିଖ, ନୂତନ ବର୍ଷର ପ୍ରଥମ ଦିନ । ଉପଗ୍ରହ ପ୍ରାୟ ସମସ୍ତେ ପ୍ରତ୍ୟୁଷରୁ ନିଜ ନିଜ ପ୍ରାତଃକର୍ମ ଶେଷ କରିବାରେ ବ୍ୟସ୍ତ । ଦିନ ନ’ଟା ସମୟରେ ମାର୍କିନ୍‌ଉପଗ୍ରହ କେପ୍‌କାନାଭେରାଲ ସୈନ୍ୟଛାଉଣୀରୁ ମହାଶୂନ୍ୟକୁ ଛଡ଼ାଯିବା କଥା । ଉପଗ୍ରହର ତିନୋଟି ପର୍ଯ୍ୟବେକ୍ଷଣାଗାରରୁ ଉପଗ୍ରହ ଲୋକେ ଭାଗ ଭାଗ ହୋଇ ଏହି ଅଭିଯାନଟିକୁ ଲକ୍ଷ୍ୟ କରିବାପାଇଁ ସ୍ଥିର କରାଯାଇଥାଏ । ମେରିନା, ଆଲେସ୍କି, ଜୁଖୋଭସ୍କି, ମେରିଆ ଆଦି ଲେନାଙ୍କ କେନ୍ଦ୍ର ପର୍ଯ୍ୟବେକ୍ଷଣାଗାରରେ ଏକତ୍ର ହେଲେ । କେନ୍ଦ୍ର ପର୍ଯ୍ୟବେକ୍ଷଣାଗାରର ଦୂରବୀକ୍ଷଣ ପରିଚାଳନା କରୁଥାନ୍ତି ସ୍ୱୟଂ ଲେନା । କିନ୍ତୁ ଗୋଟିଏ ବଡ଼ ଅସୁବିଧା ହୋଇଥାଏ ଯେ, ଏହି ଉପଗ୍ରହ ଯେତେବେଳେ ଠିକ୍‌ ଆମେରିକା ଉପରେ ଦୂର ଆକାଶରେ ଗତି କରିବା କଥା, ଠିକ୍‌ ତା’ର ଅଧଘଣ୍ଟାଏ ପରେ ଆମେରିକାର ଉପଗ୍ରହ କେପ୍‌କାନାଭେରାଲରୁ ଛଡ଼ାଯିବ । ତେଣୁ ମାର୍କିନ୍‌ ଉପଗ୍ରହ ଠିକ୍‌ ଯେତିକିବେଳେ ମହାଶୂନ୍ୟ ଛାଡ଼ିବ, ସେମାନେ ତାକୁ ସିଧାସଳଖ ଦେଖି ପାରିବେ ନାହିଁ । ପୃଥିବୀ ଛାଡ଼ିବାର କିଛି ସମୟ ପରେ ସେମାତେ ଏହାକୁ ଆକାଶରେ ଦେଖିବାକୁ ପାଇବେ ।

 

ଲେନା ଦୂରବୀକ୍ଷଣକୁ ପୃଥିବୀପୃଷ୍ଠ ଉପରେ ଫୋକ୍‌ସ କରି ବୁଲାଉଥିବାବେଳେ ଆଲେସ୍କି ଲେନାକୁ ପଚାରିଲେ, ‘‘ବର୍ତ୍ତମାନ ଆମେ ପୃଥିବୀର ଠିକ୍‌ କେଉଁ ରାଜ୍ୟ ଉପରେ ଉଡ଼ିଯାଉଛୁଁ, ଲେନା ? ତୁମେ ଠିକ୍‌ ତଳକୁ ଲକ୍ଷ୍ୟ କରି କହିଲ ।’’

 

ସମ୍ମୁଖସ୍ଥ ମାନଚିତ୍ର ଓ ହାତରେ ବନ୍ଧା ହୋଇଥିବା ଘଣ୍ଟାକୁ ଅନାଇ ଲେନା ଉତ୍ତର ଦେଲା, ‘‘ଆମେ ବର୍ତ୍ତମାନ ପ୍ରଶାନ୍ତ ମହାସାଗର ଉପରେ । ଚାରିଆଡ଼େ କେବଳ ନୀଳ ଜଳ ଛଡ଼ା ମୋ ଆଖିକୁ ତ ଆଉ କିଛି ଦିଶୁନାହିଁ ।’’

 

‘‘ତା’ ହେଲେ ତ ଆମେ ଆଉ ଅଳ୍ପ ସମୟ ଭିତରେ ଆମେରିକା ଉପରେ ପହଞ୍ଚି ପାରିବା ?’’

 

ଲେନା ଧୀରେ ଧୀରେ ଦୂରବୀକ୍ଷଣକୁ ବୁଲାଇ ଯାଉଛି, ହଠାତ୍‌ କ’ଣ ଦେଖି ଚିତ୍କାର କରିଉଠିଲା-‘‘ଆଁ, ପ୍ରଶାନ୍ତ ମହାସାଗରରେ କ’ଣ ଏକ ବିରାଟ ବିସ୍ଫୋରଣ ? ଓଃ କି ବିରାଟ ସେ ବିସ୍ଫୋରଣ ! ସତେ ଯେପରି ପୃଥିବୀପୃଷ୍ଠରେ ଖଣ୍ଡେ ଅଂଶ ଛିଡ଼ିଆସିଛି ଆକାଶକୁ । ମେଘ ଓ ଜଳପଟଳ ଆକାଶର ବହୁ ଉଚ୍ଚ ପର୍ଯ୍ୟନ୍ତ ଉଠିଆସିଛି ।’’

 

ଲେନାର ଏ ଚିତ୍କାର ଶୁଣି ଆଲେସ୍କି ଚମକି ଉଠିଲେ-‘‘ପ୍ରଶାନ୍ତ ମହାସାଗରରେ ବିସ୍ଫୋରଣ ? ଦେଖି, ଦେଖି, ଲେନା ।’’

 

ଆଲେସ୍କି ଉଠିଗଲେ ବସିଥିବା ଚେୟାରରୁ । ଆଲେସ୍କି ଦୂରବୀକ୍ଷଣ ନିକଟରେ ପହଞ୍ଚୁ ପହଞ୍ଚୁ ଲେନା ଦୂରବୀକ୍ଷଣ ଛାଡ଼ି ଠିଆହେଲା । ଆଲେସ୍କି ଦୂରବୀକ୍ଷଣରେ ନିରୀକ୍ଷଣ କରି ପ୍ରଶାନ୍ତ ମହାସାଗରର ବିସ୍ଫୋରଣକୁ ଦେଖିବାରେ ଲାଗିଗଲେ । ଲେନା ଅତୀତର କେତେ ଅଲିଭା ସ୍ମୃତିକୁ ମନେ ପକାଇ କେତେ କଥା ଭାବିଯାଉଥାଏ-ଏହି ସେହି ଦୂରବୀକ୍ଷଣ, ଏହି ସେହି ପର୍ଯ୍ୟବେକ୍ଷଣାଗାର, ଯେଉଁଠି ସେ ସେଦିନ ତା’ର ଉଚ୍ଛ୍ୱସିତ ଯୌନବନକୁ ଆଲେସ୍କିଙ୍କର ପାଦପଦ୍ମରେ ସମର୍ପି ଦେବାପାଇଁ ପ୍ରାର୍ଥନା କରିଥିଲା । ଆଲେସ୍କିଙ୍କ ପାଖକୁ ଲାଗିଲାଗି ଏକ ଦୂରବୀକ୍ଷଣ ଭିତରେ ମଙ୍ଗଳ ଗ୍ରହକୁ ଅନାଉଁ ଅନାଉଁ ସେ ନିଜକୁ ସମ୍ଭାଳି ନପାରି ବର୍ଷା ଋତୁର ଉଛୁଳା ନଦୀକୂଳ ଲଙ୍ଘିଲା ଭଳି ସେ ନିଜର ମାନମର୍ଯ୍ୟାଦାକୁ ଜଳାଞ୍ଜଳି ଦେଇ ଆଲେସ୍କିଙ୍କୁ ଭିନିଧରିଥିଲା ତା’ର ବକ୍ଷ ସହିତ । ତା’ର ବକ୍ଷ ଉପରେ ସେଦିନ ବହିଯାଇଥିଲା ଶତଝଡ଼ର ଉନ୍ମାଦନାପୂର୍ଣ୍ଣ ପ୍ରଳୟଙ୍କରୀ ଘୂର୍ଣ୍ଣବାତ୍ୟା । ତା’ର ଖର ଉଷ୍ଣ ନିଃଶ୍ୱାସରେ ଆଲେସ୍କି ହୋଇପଡ଼ିଥିଲେ ବିବ୍ରତ । ସେ ଆଲେସ୍କିଙ୍କ କପୋଳ ଉପରେ ଟାଣିଦେଇଥିଲା ଗାଢ଼ ଚୁମ୍ବନ ଅସଂଖ୍ୟ ରକ୍ତିମ ଚିହ୍ନ । ଆଜି ସେଇ ପର୍ଯ୍ୟବେକ୍ଷଣାଗାର ଅଛି, ସେଇ ଦୂରବୀକ୍ଷଣ ଅଛି, ଆଲେସ୍କି ଅଛନ୍ତି, ସେ ବି ଅଛି; କିନ୍ତୁ ବଦଳିଯାଇଛି ଘଟଣାର ଚକ୍ର । ଆଲେସ୍କି ତା’ଠାରୁ ଦୂରେଇ ଯାଇଛନ୍ତି, ବହୁଦୂରକୁ ।’’

 

ଆଲକ୍ଷିତରେ ଏକ ଦୀର୍ଘ ନିଃଶ୍ୱାସ ବାହାରି ଆସିଲା ଲେନାର ଗଭୀର ହୃଦୟରୁ । ଆଖି ତା’ର ଛଳଛଳ ହୋଇଆସିଲା ।

 

‘‘ଏ ହେଉଛି ଆମେରିକାର ଉଦ୍‌ଜାନବୋମାର ବିସ୍ଫୋରଣ ପରୀକ୍ଷା ଲେନା ?’’ ଆଲେସ୍କି ଚିତ୍କାର କରି ଉଠିଲେ, ‘‘ତା’ ନହୋଇଥିଲେ ବିସ୍ଫୋରଣ ଏଡ଼େ ବିରାଟ ରୂପ ଧାରଣ କରିନଥାନ୍ତା । ଧନ୍ୟ ଆମେରିକା ! ଏଆଡ଼େ କୃତ୍ରିମ ଉପଗ୍ରହ ଉଡ଼ାଇବାର ପ୍ରଚେଷ୍ଟା, ତେଣେ ମାନବବିଧ୍ୱଂସୀ ଉଦ୍‌ଜାନବୋମାର ବିସ୍ଫୋରଣ ପରୀକ୍ଷା ! ଗୋଟିଏ ଅନ୍ତର୍ଗ୍ରହ ଭ୍ରମଣ ଦେଇ ମହାଶାନ୍ତିର ପ୍ରତୀକ; ଅନ୍ୟଟି ନିର୍ମମ ଧ୍ୱଂସଲୀଳାର ଅଗ୍ରଦୂତ । ଆଜି ଏ ଶୁଭଦିବସରେ ଏଭଳି ଅଶୁଭସୂଚକ ମାରଣାସ୍ତ୍ର ପରୀକ୍ଷାରୁ ଆମେରିକା ବିରତ ହେବା ଉଚିତ ଥିଲା ।’’

 

ମାନଚିତ୍ର ତଥା ନିଜ ହାତଘଡ଼ିକୁ ଅନାଇ ଲେନା କହିଲା, ‘‘ଆମକୁ ଅଳ୍ପ ସମୟ ପରେ ଆମେରିକା ଉପରେ ଗତି କରିବାକୁ ପଡ଼ିବ ଆଲେସ୍କି ! ଆଉ କିଛି ସମୟ ପରେ ତୁମେ ଆମେରିକାର ପଶ୍ଚିମ ଉପକୂଳ ଦେଖିପାରିବ ।’’

 

ଆଲେସ୍କି ଦୂରବୀକ୍ଷଣରେ ନିରୀକ୍ଷଣ କରୁ କରୁ ହଠାତ୍‌ ଦୂର ଦିଗ୍‌ବଳୟରେ ସମୁଦ୍ର ଉପକୂଳ ଦେଖି ଚିତ୍କାର କରି ଉଠିଲେ, ‘‘ଦେଖ, ଦେଖ, ଲେନା ! ଏଇ ସମୁଦ୍ର ଉପକୂଳ ଦିଶିଲାଣି-।’’

 

ଆଲେସ୍କି ‘ଲେନା, ଲେନା’ ବୋଲି ଯେତେଥର ସମ୍ବୋଧନ କରୁଥାନ୍ତି, ମେରିନାର ଦେହ କେଜାଣି କାହିଁକି ସେତେଥର ଶିହରି ଉଠୁଥାଏ ।

 

ଆଲେସ୍କିଙ୍କ ଡାକରେ ଲେନା ଈଷତ୍‌ ହସି କହିଲା, ‘‘ମୁଁ ତ ବର୍ତ୍ତମାନ ତୁମକୁ ସେଇ କଥା କହୁଥିଲି ? ଏଇ ଦେଖୁନାହିଁ’’ କାନ୍ଥରେ ଥିବା ମାନଚିତ୍ରକୁ ଦେଖାଇ, ‘‘ଆମେ ପରା ଏଇ କଳାଗାର ପଡ଼ିଥିବା ପଥଉପରେ ବର୍ତ୍ତମାନ ଯାଉଥାଉଁ । ଆମେ ଏହିକ୍ଷଣି ଆମେରିକାରେ ଏହି ଊପକୂଳରେ ପହଞ୍ଚି ଭିତରକୁ ଯିବା ଏହି ଗାର ଉପରେ ଦେଇ । ଆମେ ଯଦିଚ ଠିକ୍‌ କେପ୍‌କାନାଭେରାଲ ଉପରେ ଉଡ଼ିଯିବା ନାହିଁ, ତଥାପି କିଛି ସମୟ ଭିତରେ ଏହା ଆମର ଦୃଷ୍ଟିଗୋଚର ହେବ ।’’

 

‘‘କିନ୍ତୁ ଆଉ ଥରେ ହିସାବ କରି ଦେଖିଲ ଲେନା, ଆମେ କେପ୍‌କାନାଭେରାଲ ପାଖଦେଇ ଗଲାବେଳକୁ ସେମାନଙ୍କର ଉପଗ୍ରହ କ’ଣ ପୃଥିବୀ ଛାଡ଼ି ନ ଥିବ ?’’

 

ଲେନା ଘଡ଼ି ଓ ମାନଚିତ୍ରକୁ ପୁଣି ଥରେ ଅନାଇ ହିସାବ କରି କହିଲା, ‘‘ନାଇଁ, ଆମେ ତାହାର ପାଖ ଦେଇ ଯିବାର ଅଧଘଣ୍ଟାଏ ପରେ ସେମାନଙ୍କର କୃତ୍ରିମ ଉପଗ୍ରହ ପୃଥିବୀପୃଷ୍ଠରୁ ଛଡ଼ାଯିବ । ଆମେ ଆମେରିକା ଛାଡ଼ି ଆଟଲାଣ୍ଟିକ୍‌ ମହାସାଗର ମଧ୍ୟରେ ପହଞ୍ଚିଲା ବେଳକୁ ତାହା ଆକାଶକୁ ଉଠିବ ।’’

 

‘‘ତାହାହେଲେ, ଆମେ ତ ଏହାକୁ ପୃଥିବୀପୃଷ୍ଠରୁ ଉଠିଲାବେଳେ ଠିକ୍‌ସିଧାସଳଖ ଦେଖିପାରିବାନି ? ମେରିନା ପଚାରିଲା ।

 

‘‘ନା, ସେମାନଙ୍କ ଉପଗ୍ରହ ପୃଥିବୀପୃଷ୍ଠ ଛାଡ଼ି ଆକାଶକୁ ଉଠିଲେ କେବଳ ଆମେ ତାକୁ ଦେଖିପାରିବା ।’’ ଲେନା ଉତ୍ତର ଦେଲା ।

 

‘‘ଲକ୍ଷ୍ୟକର ଲେନା, ଆମେ ମାଉଣ୍ଟ ଉଇଲ୍‌ସନ୍‌ ପାଖଦେଇ ଉଡ଼ିଯାଉଛୁଁ । ହେଇ ଦେଖ, ସେଠି ମାଉଣ୍ଟ ଉଇଲ୍‌ସନ୍‌ର ବିରାଟ ପର୍ଯ୍ୟବେକ୍ଷଣାଗାର କିପରି ଏକ ତୁଷାର ବିନ୍ଦୁ ପରି ଦିଶୁଛି ।’’

 

ଆଲେସ୍କି ଲେନାକୁ ଯେତିକି ନିକଟକୁ ଡାକୁଥାନ୍ତି, ସେ ସେତିକି ଦୂରେଇ ଯାଉଥାଏ । ଲେନାର ଏପରି ବ୍ୟବହାର ମେରିନାକୁ ଆଶ୍ଚର୍ଯ୍ୟ ଲାଗୁଥାଏ । ଲେନାର ଏଭଳି ବ୍ୟବହାର ଦେଖି ସେ ମନେ ମନେ ଭାବିବାକୁ ଲାଗିଲା, ‘‘ସତେ କଣ ଏ ଦୁହେଁ କେହି କାହାପ୍ରତି ଆଉ ଆକୃଷ୍ଟ ନୁହନ୍ତି-?’’

 

ଆଶ୍ୱସ୍ତିରେ ନିଃଶ୍ୱାସ ମାରି ମେରିନା ଲେନା ଆଡ଼କୁ ଅନାଇ ମନେ ମନେ କହିଲା, ‘‘ଓଃ, ଏହାରି ପାଇଁ ତ ଦିନେ ମୁଁ ଆତ୍ମହତ୍ୟା କରିବାକୁ ଯାଉଥିଲି । ଲେନା ସମ୍ବନ୍ଧରେ ମୁଁ ଯେତେଦୂର ଭାବିଯାଇଥିଲି, ସେ ବାସ୍ତବିକ୍‌ ତାହା ନୁହେଁ । ସେ ତ ମୋ କଳ୍ପନା-ଜଳ୍ପନାଠାରୁ ଢେର୍‌ ଉଚ୍ଚରେ । ମୁଁ କି ଭୁଲ କରିଥିଲି ପ୍ରକୃତରେ ଲେନାକୁ ଏପରି ଭାବି ।’’

 

ଏତିକିବେଳେ ଲେନା କହିଲା, ‘‘ଆଉ ପାଞ୍ଚମିନିଟ୍‌ ମୋଟେ ରହିଲା ଆଲେସ୍କି ! ଆମେ ଦୂର ଦିଗ୍‌ବଳୟରେ ସେମାନଙ୍କ ଉପଗ୍ରହକୁ ଉପରକୁ ଉଠିବା ଦେଖିପାରିବା ।’’

 

‘ପାଞ୍ଚ ମିନିଟ୍‌’ ଏ କଥା ଶୁଣି ପର୍ଯ୍ୟବେକ୍ଷଣାଗାରରେ ରୁଣ୍ଡ ହୋଇଥିବା ବୈଜ୍ଞାନିକମାନଙ୍କ ଭିତରେ ଅଦ୍ଭୂତପୂର୍ବ ଚାଞ୍ଚଲ୍ୟ ଖେଳିଗଲା । ସମସ୍ତେ ଆହୁରି ଉତ୍ସୁକ ହୋଇ ଅନାଇ ରହିଲେ ଦୂରବୀକ୍ଷଣ ଆଡ଼େ । ମାର୍କିନ୍‌ଦେଶର ଏହି ରକେଟ୍‌ ଅଭିଯାନକୁ ଉପଗ୍ରହକୁ ସମସ୍ତେ ଦେଖିପାରିବା ପାଇଁ ଲେନା ସଙ୍ଗେ ସଙ୍ଗେ ଦୂରବୀକ୍ଷଣକୁ ଆଉ ଏକ ଯନ୍ତ୍ର ସହିତ ଯୋଡ଼ିଦେଲା; ଫଳରେ ଦୂରବୀକ୍ଷଣ ଭିତରେ ଦିଶୁଥିବା ପୃଥିବୀର ଚିତ୍ର ବର୍ଦ୍ଧିତ ଓ ପ୍ରତିଫଳିତ ହୋଇ ଅଦୂରବର୍ତ୍ତୀ ଏକ ବିଶାଳ କେଥୋଡ଼-ରେ ପରଦା ଉପରେ ପଡ଼ିଲା । ଆଲେସ୍କି ଆଉ ଦୂରବୀକ୍ଷଣଠାରେ ଠିଆ ନ ହୋଇ ଫେରିଆସି ମେରିନା ପାଖରେ ନିଜ ଚେୟାରରେ ବସିଲେ । କେଥୋଡ଼-ରେ ପରଦା ଉପରେ ଦୃଶ୍ୟପରେ ଦୃଶ୍ୟ ପଡ଼ିଯାଉଥାଏ, ସତେ ଯେପରି ଦର୍ଶକମାନେ ଉଡ଼ାଜାହାଜରେ ବସି ସେହି ସ୍ଥାନ ଉପରେ ଉଡ଼ିଯାଉଛନ୍ତି । ଲେନା ଦୂରବୀକ୍ଷଣ ନିକଟରେ ଠିଆହୋଇ ଯନ୍ତ୍ରକୁ ନିୟନ୍ତ୍ରିତ କରୁଥାଏ ଓ କେଥୋଡ଼-ରେ ପରଦା ଉପରେ ପ୍ରତିଚ୍ଛବି ଯେପରି ସ୍ପଷ୍ଟ ଭାବରେ ପଡ଼େ, ସେଥିପ୍ରତି ଦୃଷ୍ଟି ରଖିଥାଏ ।

 

ଠିକ୍‌ ନ’ଟା ବାଜିଲା ବେଳକୁ ଘଡ଼ିକୁ ଅନାଇ ଲେନା ଚିତ୍କାର କରି ଉଠିଲା, ‘‘ଏଇ ଦେଖନ୍ତୁ, ଦୂର ଦିଗ୍‌ବଳୟରେ ହେଲା ମାର୍କିନ୍‌ ଉପଗ୍ରହର ରକେଟ୍‌ ବିସ୍ଫୋରଣ । ବର୍ତ୍ତମାନ ସେମାନଙ୍କ କୃତ୍ରିମ ଉପଗ୍ରହ ମହାଶୂନ୍ୟ ଅଭିମୁଖେ ଧାବମାନ ହେଉଛି ।’’ ଲେନା ଏତକ କହିଛି କି ନାହିଁ, ହଠାତ୍‌ ଦୂର ଦିଗ୍‌ବଳୟରେ ଦେଖାଦେଲା ଏକ ପ୍ରଳୟଙ୍କରୀ ବିସ୍ଫୋରଣ । ସେଥି ସଙ୍ଗେ ସଙ୍ଗେ ଏକ ରକେଟ୍‌ ଉପରକୁ ଉଠିବାକୁ ଲାଗିଲା ବିଦ୍ୟୁତ୍‌ବେଗରେ । କିଛି ସମୟ ପରେ ସେହି ରକେଟ୍‌ ଦେହରେ ହେଲା ଆଉ ଏକ ବିସ୍ଫୋରଣ ଏବଂ ପ୍ରଥମ ରକେଟ୍‌ ଦେହରୁ ଆଉ ଗୋଟିଏ ରକେଟ୍‌ ବାହାରି ଉପରକୁ ଉଠିଲା ଓ ପ୍ରଥମ ରକେଟ୍‌ଟି ଖସିଗଲା । ଏହିଭଳି ତିନିଗୋଟି ରକେଟ୍‌ର ପର ପର ବିସ୍ଫୋରଣ ଫଳରେ ଗୋଟିଏ ବଡ଼ ଅଙ୍ଗୁର ଆକାରର ଧଳା ଗୋଲାକାର ବସ୍ତୁ ପୃଥିବୀଠାରୁ ଚାରିଶହ ମାଇଲ ଦୂରରେ ପୃଥିବୀକୁ ପରିଭ୍ରମଣ କରିବାକୁ ଆରମ୍ଭ କଲା । ବିସ୍ଫୋରଣର ପରେ ପରେ ଲେନା ଦୂରବୀକ୍ଷଣଟି ଆଉ ପୃଥିବୀପୃଷ୍ଠରେ ନିବଦ୍ଧ ନ କରାଇ, ସେଠାରୁ ଚାରିଶହ ମାଇଲ ଉଚ୍ଚ ମହାଶୂନ୍ୟ ଭିତରକୁ ଲକ୍ଷ୍ୟ କଲା । ବିସ୍ଫୋରଣର ପରେ ପରେ ଲେନା ଦୂରବୀକ୍ଷଣଟି ଆଉ ପୃଥିବୀପୃଷ୍ଠରେ ନିବଦ୍ଧ ନ କରାଇ, ସେଠାରୁ ଚାରିଶହ ମାଇଲ ଉଚ୍ଚ ମହାଶୂନ୍ୟ ଭିତରକୁ ଲକ୍ଷ୍ୟ କଲା, ଠିକ୍‌ ଯେପରି ମାର୍କିନ୍‌ ଉପଗ୍ରହଟି ପରିଷ୍କାର ଦିଶିବ । ନକ୍ଷତ୍ରଖଚିତ କୃଷ୍ଣାକାଶର ଘନ ଅନ୍ଧକାର ଭିତରେ ଏକ ଆଲୋକ ବିନ୍ଦୁ ପ୍ରତି ଦେଢ଼ ଘଣ୍ଟାରେ ଗତି କରି ପୃଥିବୀକୁ ପ୍ରଦକ୍ଷିଣ କରିବା ଦେଖି ଉପଗ୍ରହର ଅଧିବାସୀଙ୍କ ଭିତରେ ଅପୂର୍ବ ଆନନ୍ଦର ଢେଉ ଖେଳିଗଲା ।

 

ଏହି ଦୃଶ୍ୟ ହଠାତ୍‌ ଆଲେସ୍କିଙ୍କ ମୁହଁରୁ ବାହାରିପଡ଼ିଲା, ‘‘ଯା’ ହେଉ, ଯୁକ୍ତରାଷ୍ଟ୍ର ଏତେ ଦିନେ ତା’ର ବୈଜ୍ଞାନିକ ବୁଦ୍ଧିମତ୍ତାର ଉପଯୁକ୍ତ ପରିଚୟ ଦେଲା । ଦେଶଟି ଯଦି ସମାଜବାଦୀ ଗଣତାନ୍ତ୍ରିକ ରାଷ୍ଟ୍ରରେ ପରିଣତ ହୁଅନ୍ତା, ତେବେ ଏହା ଏତେ କ୍ଷିପ୍ରଗତିରେ ଆଗେଇଯାନ୍ତା ଯେ, ଆମେ କଣ, କୌଣସି ଦେଶ ତାହା ସହିତ ପାଦମିଳାଇ ଆଗେଇ ପାରନ୍ତା ନାହିଁ । ଓଃ, ପ୍ରାକୃତିକ ସମ୍ପଦଦୃଷ୍ଟିରୁ ଦେଶଟି କେଡ଼େ ଭାଗ୍ୟବାନ୍‌ ସତେ ? ପୁଞ୍ଜିବାଦର ଚାପରେ ସେ ସମ୍ପଦ ଛାରଖାର ହୋଇଯାଉଛି ସିନା ।’’

 

ରାତି ପ୍ରାୟ ଦୁଇଟା ହେବ । ଉପଗ୍ରହରେ ଯଦିଚ ଦିନର ଝଲକ ପୂରାପୂରି ପଡ଼ିଥାଏ ଓ ଦିନ ଭଳି ସୂର୍ଯ୍ୟକିରଣ ବିକିରୀତ ହେଉଥାଏ, ତଥାପି ଉପଗ୍ରହର ଘଡ଼ିରେ ରାତ୍ରି ଦୁଇଟାର ନିର୍ଦ୍ଦେଶ-। ସୂର୍ଯ୍ୟଙ୍କର ଉତ୍ତପ୍ତ କିରଣରେ ଉପଗ୍ରହଟି ଉଦ୍ଭାସିତ । ଉପଗ୍ରହର ଅଧିବାସୀମାନେ ନିଜ ଅଭ୍ୟାସରେ ବ୍ୟତିକ୍ରମ ନ ଘଟଇବା ପାଇଁ ରାଷ୍ଟ୍ରର ଷ୍ଟାଣ୍ଡାର୍ଡ଼ ସମୟ ଅନୁସାରେ ନିଜର ଘଡ଼ିଗୁଡ଼ିକୁ ଚଳାଇଥାନ୍ତି ଓ ସେହି ଅନୁସାରେ ସ୍ନାନ, ଆହାର, ଶୟନ ଆଦି କରୁଥାନ୍ତି । ତେଣୁ ସୂର୍ଯ୍ୟ ମହାଶୂନ୍ୟରେ ବିରାଜୁଥିଲେ ମଧ୍ୟ ଉପଗ୍ରହର ସମସ୍ତ ଗାଢ଼ ନିଦ୍ରାରେ ସୁପ୍ତ । ଚାରିଆଡ଼େ ଶୂନ୍‌ଶାନ୍‌ ନିସ୍ତବ୍‌ଧ । ଉପଗ୍ରହର ବେତାର ରୁମ୍‌ପରିଚାଳକ କ’ଣ ଏକ ଜରୁରୀ ଖବର ନେଇ ଦୌଡ଼ୁଥାନ୍ତି ଡିରେକ୍‌ଟର ଆଲେସ୍କିଙ୍କ କକ୍ଷଆଡ଼େ । ବାରଣ୍ଡା ଦେଇ ଯାଉଁ ଯାଉଁ ତାଙ୍କ ଆଖି ପଡ଼ିଗଲା ମେରିନାଙ୍କ ଉପରେ । ନିଜ କୋଠରି ଆଗରେ ଠିଆହୋଇ ମହାଶୂନ୍ୟ ମଧ୍ୟକୁ ଅନାଇ କ’ଣ ଭାବିବାରେ ବ୍ୟସ୍ତ ସେ । ମେରିନାକୁ ଏ ଅସମୟରେ ଜାଗିରଥିବା ଦେଖି ବେତାରଚାଳକ ପଚାରିଲେ, ‘‘ଆପଣ ଯେ ଏତେବେଳେ ଜାଗ୍ରତ ଅଛନ୍ତି, ମିସ୍‌ ମେରିନା ?’’

 

‘‘ହଁ, ହଠାତ୍‌ ନିଦ ଭାଙ୍ଗିଗଲା ଗୋଲେଭ୍‌! ଆଉ ନିଦ ହେଲାନାହିଁ । ତେଣୁ ଏହି ବାରଣ୍ଡାରେ ଏପଟ ସେପଟ ହେଉଛି । ଅପେକ୍ଷା କରିଛି ଅନ୍ୟମାନଙ୍କ ଉଠିବା ପର୍ଯ୍ୟନ୍ତ । କିନ୍ତୁ ତୁମେ ଯେ ଏ ଅସମୟରେ ଏଆଡ଼େ ?’’

 

‘‘ଡିରେକ୍‌ଟରଙ୍କ ପାଖକୁ ଯାଉଛି, ଏକ ଜରୁରୀ ଖବର ନେଇ ।’’

 

‘‘ଜରୁରୀ ଖବର ?’’ ଚମକି ପଡ଼ିଲା ମେରିନା, ‘‘ଖବର କାହାଠାରୁ ଆସିଛି ।’’

 

‘‘କମିଶନ୍‌ର ଚେୟାରମେନ୍‌ ପାଲାଭିନ୍‌ଙ୍କଠାରୁ । ସେ ଡିରେକ୍ଟରଙ୍କ ସହିତ କ’ଣ ଏକ ଜରୁରୀ ଆଲୋଚନା କରିବା ପାଇଁ ଡାକିଛନ୍ତି ।’’

 

‘‘ହେଉ, ମୁଁ ବି ତୁମ ସଙ୍ଗରେ ଯିବି ।’’ ଏହା କହି ମେରିନା ଗୋଲେଭ୍‌ଙ୍କୁ ପଛରେ ପକାଇ ଆଲେସ୍କିଙ୍କ କୋଠରି ଆଡ଼େ ମୁହାଁଇଲା । ମେରିନା ଆଲେସ୍କିଙ୍କ ରୁମ୍‌ର ଦ୍ୱାରରେ କଲିଙ୍ଗ୍‌ ବେଲ୍‌ଟିପିଲା । ଦୁଇ ଚାରିଥର ଟିପିଲା ପରେ ଆଖି ମଳି ମଳି ଦ୍ୱାର ଖୋଲିଲେ ଆଲେସ୍କି । ମେରିନାକୁ ଦୁଆରମୁହଁରେ ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇ ପଚାରିଲେ, ‘‘ତୁମେ ଯେ ଏ ଅସମୟରେ ହଠାତ୍‌ ମେରିନା ?’’

 

ମେରିନା କିଛି ଉତ୍ତର ନ ଦେଇ ରୁମ୍‌ଭିତରକୁ ସିଧାସଳଖ ପଶିଯାଇ ସଙ୍ଗେ ସଙ୍ଗେ ଆଲେସ୍କିଙ୍କର ଖଟ ଉପରେ ଅସ୍ୱାଭାବିକ ଭାବରେ ପଡ଼ିଗଲା । ମେରିନାର ଏଭଳି ବ୍ୟବହାରରେ ଆଲେସ୍କି ବିବ୍ରତ ନ ହୋଇ ରହି ପାରିଲେ ନାହିଁ । ସେ କିଞ୍ଚିତ୍‌ ବିରକ୍ତ ହୋଇ କହିଉଠିଲେ, ‘‘କ’ଣ ମୋଠାରେ କିଛି କାମ ଅଛି ମେରିନା ? ତୁମେ ଏ ଅସମୟରେ ହଠାତ୍‌ ମୋ କୋଠରିରେ ଆସି ହାଜର କାହିଁକି ?’’

 

‘‘ଖାଲି ସେତିକି ନୁହେଁ, ତୁମ ବିଛଣାରେ ଆସି ଶୋଇ ସାରିଲିଣି । ସେଥିସଙ୍ଗେ ମୋର ଏ ଦରଦଭରା ସ୍ୱର, ବ୍ୟଥାଭରା ନିଃଶ୍ୱାସ, ଛାତି ଭିତରେ ମର୍ମ୍ମନ୍ତୁଦ ଯନ୍ତ୍ରଣା ତୁମକୁ କ’ଣ କିଛି ଆଭାସ ଦେଉନି ପ୍ରିୟତମ !’’

 

ମେରିନାର ଏଭଳି ବ୍ୟବହାରରେ ଆଲେସ୍କି ଆହୁରି ବିବ୍ରତ ହୋଇ ପଡ଼ିଲେ । ସେ ଚିନ୍ତା କରିବାକୁ ଲାଗିଲେ, ମେରିନାର ଆଜି ହଠାତ୍‌ ଏଭଳି ପରିବର୍ତ୍ତନ କାହିଁକି ?

 

ମେରିନା ସଙ୍ଗେ ସଙ୍ଗେ ବିଛଣାରୁ ଉଠିପଡ଼ି ହସି ହସି କହିଲା, ‘‘ମୋ ପାଇଁ ଏତେ ବ୍ୟସ୍ତ ହୋଇପଡ଼ି ନାହିଁ ଆଲେସ୍କି ! ମୋତେ ଏ ରାତିଅଧରେ ତୁମ କୋଠରି ଭିତରେ ଏକାକୀ ଦେଖି ଭୟ ପାଇଗଲଣି ବୋଧହୁଏ ? ଦେଖିଲ, ତୁମ ଦୁଆରମୁହଁରେ ତୁମକୁ କିଏ ଅପେକ୍ଷା କରି ଠିଆ ହୋଇଛନ୍ତି ।’’

 

ଆଲେସ୍କି ବାହାରକୁ ଯାଇ, ଗୋଲେଭ୍‌ଙ୍କୁ ଦୁଆରମୁହଁରେ ଠିଆ ହୋଇଥିବାର ଦେଖି ପଚାରିଲେ, ‘‘କିଏ ଗୋଲେଭ୍‌, ତୁମେ ହଠାତ୍‌ ଏ ସମୟରେ ? କ’ଣ କିଛି ଜରୁରୀ ବାର୍ତ୍ତା ଅଛି ?’’

 

‘‘ହଁ, କମିଶନ୍‌ର ଚେୟାରମେନ୍‌ ପାଲାଭିନ୍‌ ଡାକୁଛନ୍ତି ଆପଣଙ୍କୁ ।’’

 

‘‘ଏଁ, ମୋତେ, ଏ ରାତି ଦୁଇଟା ବେଳେ ?’’ ଆଲେସ୍କି ବିସ୍ମିତ ହୋଇ ସିଧା ସିଧା ଚାଲିଲେ ବେତାର ରୁମ୍‌ଆଡ଼େ । ମେରିନା ବି ଚାଲିଲା ତାଙ୍କ ପଛେ ପଛେ ।

 

ବେତାର ରୁମ୍‌କୁ ପଶିଯାଇ ଆଲେସ୍କି ଫୋନ୍‌ ଧରିଲେ, ‘‘ହଁ, ହଁ, ମୁଁ ଆଲେସ୍କି । ଆଜ୍ଞା, ନମସ୍କାର । ଆପଣ ଏ ସମୟରେ ହଠାତ୍‌ ମୋତେ...?’’

 

‘‘ତୁମେ ଜାଣିଛ ମାର୍କିନ୍‌ମାନେ ଆଜି ସକାଳୁ ସେମାନଙ୍କର ସର୍ବପ୍ରଥମ କୃତ୍ରିମ ଉପଗ୍ରହ ମହାଶୂନ୍ୟକୁ ଛାଡ଼ିଛନ୍ତି ?’’

 

‘‘ହଁ, ଆଜ୍ଞା, ଜାଣିଛୁଁ କ’ଣ, ଆମେ ପରା ଏଠାରୁ ତାହା ଲକ୍ଷ୍ୟ କରୁଥିଲୁ ।’’

 

‘‘କିନ୍ତୁ ଗୋଟାଏ କଥା ଜାଣିଛ ଆଲେସ୍କି ? ସେମାନଙ୍କର ସେହି ଉପଗ୍ରହ ମହାଶୂନ୍ୟକୁ ଯିବା ସଙ୍ଗେ ସଙ୍ଗେ ବିଲ୍‌କୁଲ୍‌ ଅକାମୀ ହୋଇଯାଇଛି । ତାହାର ଭିତର ଯନ୍ତ୍ରପାତି କ’ଣ ହୋଇଛି କେଜାଣି, ବେତାର ଖବର ଆଦି କିଛି ଆସୁନାହିଁ । ସେମାନେ ଆଜି ଦିନସାରା ବହୁ ଚେଷ୍ଟାକରି ସେମାନଙ୍କ ଉପଗ୍ରହରୁ କିଛି ଖବର ପାଇପାରି ନାହାନ୍ତି ବୋଲି ଆମେ ବିଶ୍ୱସ୍ତ ସୂତ୍ରରୁ ଜାଣିପାରିଛୁଁ-। ଆମ ରାଷ୍ଟ୍ରର ବଡ଼ ବଡ଼ ବୈଜ୍ଞାନିକମାନଙ୍କ ମଧ୍ୟରେ ଏହି ନେଇ ଏକ ବିରାଟ ଚହଳ ପଡ଼ିଯାଇଛି । ସାଏନ୍‌ସ ଏକାଡ଼େମୀର ଚେୟାରମ୍ୟାନ୍‌ ମୋତେ ଏ ରାତିଅଧରେ ଫୋନ୍‌ରେ ଅନୁରୋଧ କରିଛନ୍ତି ଏହି ଖବର କେତେଦୂର ସତ୍ୟ ତାହା ପରୀକ୍ଷା କରି ଆମ ଉପଗ୍ରହର ବୈଜ୍ଞାନିକମାନଙ୍କ ସହିତ ଏ ସମ୍ବନ୍ଧରେ ଆଲୋଚନା ଚଳାଇବା ପାଇଁ । ମହାଶୂନ୍ୟ ମଧ୍ୟରେ ଅଧିବାସୀମାନଙ୍କ ସହ ଆମର ବିରାଟ ଉପଗ୍ରହ ବେଶ୍‌ନିରାପଦରେ ବୁଲୁଥିଲାବେଳେ ସେମାନଙ୍କର ବାରଇଞ୍ଚ ବ୍ୟାସବିଶିଷ୍ଟ ଉପଗ୍ରହ ଖରାପ ହୋଇଯିବାରେ ଆମର ବୈଜ୍ଞାନିକମାନେ ବିସ୍ମୟ ପ୍ରକାଶ କରୁଛନ୍ତି-। ତୁମ୍ଭେମାନେ ସେହି ଉପଗ୍ରହକୁ ଖୁବ୍‌ ଭଲ ଭାବରେ ଲକ୍ଷ୍ୟକରି କାଲି ସନ୍ଧ୍ୟା ସୁଦ୍ଧା ତହିଁର ରିପୋର୍ଟ ଆମଠାକୁ ପଠାଇଦେବ ବୋଲି ମୋର ଅନୁରୋଧ ।’’

 

କ୍ଲବ୍‌ରୁମ୍‌ରେ ସମସ୍ତେ ଏକ ଭୋଜିରେ ବ୍ୟସ୍ତ । ବିଭିନ୍ନ ଟେବୁଲ ଚାରିପାଖରେ ଉପଗ୍ରହର ସଦସ୍ୟମାନେ ଉପବିଷ୍ଟ । ଖିଆପିଆ ଭିତରେ କେନ୍ଦ୍ର ରାଜଧାନୀର ରେଡ଼ିଓ ଷ୍ଟେସନ ଏକ ସୁମଧୁର ସଙ୍ଗୀତ ପରିବେଷଣ କରୁଥାଏ । ଅନ୍ୟମାନେ ଯେତେ ଖୁସିରେ ଏ ଭୋଜିରେ ଭାଗ ନେଇଥାନ୍ତି, ଆଲେସ୍କିଙ୍କର କିନ୍ତୁ ତା’ ନଥାଏ । ବେଳେବେଳେ ଚିନ୍ତିତ ଓ ଅନ୍ୟମନସ୍କ ହେଲାଭଳି ଜଣାପଡ଼ୁଥାନ୍ତି । ମାର୍କିନ୍‌ ଉପଗ୍ରହ ଖରାପ ହୋଇଯିବା କଥା ଆଲେସ୍କି, ମେରିନା ଓ ଲେନା ବ୍ୟତୀତ ଅନ୍ୟମାନେ ପ୍ରାୟ କେହି ଜାଣି ନଥାନ୍ତି । ହଠାତ୍‌ ରେଡ଼ିଓର ସଙ୍ଗୀତ ପରିବେଷଣ ବନ୍ଦ ହୋଇଗଲା । ଠିକ୍‌ ପରମୁହୂର୍ତ୍ତରେ ରେଡ଼ିଓ ଷ୍ଟେସନର ସେହି ଖବରଦାତାଙ୍କର ପରିଚିତ ସ୍ୱର ଶୁଭିଲା, ‘‘କ୍ଷମା କରିବେ, ଶ୍ରୋତାବର୍ଗ, ଏକ ଜରୁରୀ ଘଟଣା ଯୋଗୁଁ ଆମେ ଏହି ସଙ୍ଗୀତ ପରିବେଷଣ କିଛି ସମୟ ପାଇଁ ବନ୍ଦ କଲୁଁ । ଆପଣମାନେ ଶୁଣି ଆଶ୍ଚର୍ଯ୍ୟ ହେବେ ଯେ ମାର୍କିନ୍‌ମାନେ ଏହି ନୂତନ ବର୍ଷର ପ୍ରଥମ ଦିନରେ ଯେଉଁ କୃତ୍ରିମ ଉପଗ୍ରହ ମହାଶୂନ୍ୟ ଭିତରକୁ ପଠାଇଥିଲେ, ତାହା ଖରାପ ହୋଇଯିବାରୁ ସେମାନେ ତା’କୁ ନଷ୍ଟକରି ଦେବାପାଇଁ ସ୍ଥିର କରିଛନ୍ତି । ତତ୍‌ପରିବର୍ତ୍ତରେ ସେମାନେ ତିନିଫୁଟ୍‌ ବ୍ୟାସବିଶିଷ୍ଟ ଆଉ ଗୋଟିଏ କୃତ୍ରିମ ଉପଗ୍ରହ ଜୁଲାଇ ମାସ ବେଳକୁ ମହାଶୂନ୍ୟକୁ ଛାଡ଼ିବାପାଇଁ ଠିକ୍‌ କରିଛନ୍ତି । ଏହି ପରୀକ୍ଷା ଅକୃତକାର୍ଯ୍ୟ ହେବାଦ୍ୱାରା ଯୁକ୍ତରାଷ୍ଟ୍ରକୁ ୬୫୦୦ କୋଟି ଡଲାର କ୍ଷତି ସହିବାକୁ ପଡ଼ିଛି । ମହାଶୂନ୍ୟକୁ ଯାଇ ଉପଗ୍ରହଟିକୁ ସଜାଡ଼ିବାର ମଧ୍ୟ ଆଉ କୌଣସି ଉପାୟ ନାହିଁ । ଉପଗ୍ରହରେ ସନ୍ନିବିଷ୍ଟ ଥିବା ବିଶ୍ୱରଶ୍ମି ମାପକ, ମହାଶୂନ୍ୟର ତାପ ପରିମାପକ, ଆଲୋକ ଘନତା ମାପକ, ମ୍ୟାଗ୍‌ନେଟୋ ଶକ୍ତି ପରିମାପକ ପ୍ରଭୃତି ବହୁ ଯନ୍ତ୍ରପାତି ମଧ୍ୟ ଏଥି ସଙ୍ଗେ ସଙ୍ଗେ ଅକାମି ହୋଇପଡ଼ିଛି । ଏତେ ବଡ଼ ବ୍ୟୟସାଧ୍ୟ ପରୀକ୍ଷା ଏପରି ଭାବରେ ଅକୃତକାର୍ଯ୍ୟ ହେବ ବୋଲି ସେମାନେ ସ୍ୱପ୍ନରେ ସୁଦ୍ଧା ଭାବି ନ ଥିଲେ । ସେମାନେ ଶେଷ ନିଷ୍ପତ୍ତି କରିସାରିଛନ୍ତି, ଆଜିଠାରୁ ସାତଦିନ ଭିତରେ ଯଦି ଏହି ଉପଗ୍ରହଟି ମନକୁ ମନ କାମ ନ କରେ, ତେବେ ସେମାନେ ଏହାକୁ ନଷ୍ଟ କରିଦେବେ । ମାର୍କିନ୍‌ମାନଙ୍କର ଏତାଦୃଶ ଅକୃତକାର୍ଯ୍ୟତା ଆମ ଦେଶର ବିଜ୍ଞାନୀମହଲରେ ବିସ୍ମୟ ସଞ୍ଚାର କରିଛି ।’’

 

ରେଡ଼ିଓ ଷ୍ଟେସନର ଏହି ଖବରରେ ସାରା କ୍ଳବ୍‌ରୁମ୍‌ରେ ଚାଞ୍ଚଲ୍ୟ ଖେଳିଗଲା ।

 

‘‘ବେଶ୍‌ ଭଲ ହୋଇଛି । ସେମାନଙ୍କୁ ଠିକ୍‌ ସେଇଆ ଦରକାର ।’’ କେତେ ଜଣ ଫୁସ୍‌ଫାସ୍‌ ହୋଇ କହିଉଠିଲେ ।

 

‘‘ଛି, ଛି, ଆମର ଏପରି କହିବା ଠିକ୍‌ ନୁହେଁ । ସେମାନଙ୍କ ଦୁଖଃରେ ଆମର ସମବେଦନା ପ୍ରକାଶ କରିବା ଉଚିତ । ଯଦି ଆଜି ଆମର ଖରାପ ହୋଇଥାନ୍ତା ?’’ ଆଲେସ୍କି କହିଲେ ।

 

‘‘ସେମାନେ ଖୁସିରେ ନାଚିଥାନ୍ତେ’’–ଜଣେ କେହି କହିଲେ ।

 

‘‘କିନ୍ତୁ ଆମେ ତା କରିବା ନାହିଁ । ଆମକୁ ସବୁବେଳେ ଭାବିବାକୁ ପଡ଼ିବ ଯେ, ଆମେ ସମସ୍ତେ ହେଉଛୁ ଗୋଟାଏ ଗ୍ରହର ଅଧିବାସୀ, ନିଜ ନିଜର ଭାଇ ଭଳି । ଆମେ ଯେତେବେଳେ ପୃଥିବୀରୁ ବାହାରର ବିଶାଳ ପ୍ରକୃତି ବିରୁଦ୍ଧରେ ଲଢ଼ାଇ କରି ତାହାକୁ ଜୟ କରିବାକୁ ଯାଉଛୁ, ସେତେବେଳେ ଆମେ ପରସ୍ପରକୁ ସାହାଯ୍ୟ ଓ ଉତ୍ସାହ ଦେବା ଉଚିତ ନୁହେଁ କି ? ସେମାନଙ୍କର ଅକୃତକାର୍ଯ୍ୟତାରେ ହସି ଆମେ ସେମାନଙ୍କୁ ପରିହାସ କରିବା କ’ଣ ଉଚିତ ହେବ ? ପୃଥିବୀ ଭିତରେ ଥିଲାବେଳେ ଆମ ଭିତରେ ନାନା ମନାନ୍ତର, ବାଦବିବାଦ ଥିଲେ ମଧ୍ୟ ପୃଥିବୀ ବାହାରକୁ ବାହାରିଲାବେଳେ ଆମେ କଳିକଜିଆରେ ରତ ନ ହୋଇ ବାହାରକୁ ମିଳିମିଶି ବାହାରିଲା ଭଳି ଏକାଠି ହୋଇ ବାହାରିବା ଉଚିତ । ଭାଇମାନେ, ଆମକୁ ସର୍ବପ୍ରଥମେ ଧରି ନେବାକୁ ହେବ, ମାର୍କିନ୍‌ ହେଉ, ଭାରତୀୟ ହେଉ, ରୁଷୀୟ ହେଉ, ଇଂରେଜ ହେଉ, ଫରାସୀ ହେଉ, ଚୀନ ହେଉ, ଆମେ ସମସ୍ତେ ହେଉଛୁ ଗୋଟିଏ ଗ୍ରହର ଅଧିବାସୀ । ଆମ ଭିତରେ ଯେତେ ବାଦବିବାଦ ଥିଲେ ମଧ୍ୟ ତାହା ପୃଥିବୀ ବାହାରକୁ ଗଲାବେଳେ ପ୍ରକାଶ ପାଇବା ଉଚିତ ନୁହେଁ । ଆମକୁ ଭାବିନେବାକୁ ପଡ଼ିବ ଯେ, ଆମେ ଏଠାରେ କେବଳ ଆମ ଦେଶର ପ୍ରତିନିଧି ନୋହୁଁ, ଆମେ ଏଠାରେ ହେଉଛୁଁ ସାରା ପୃଥିବୀର ମଣିଷ ସମାଜର ପ୍ରତିନିଧି । ତେଣୁ ଏଭଳି ପରିସ୍ଥିତିରେ ଆମର ଜଣେ ଭାଇର ଅକୃତକାର୍ଯ୍ୟତାରେ ହସିବା ଉଚିତ ହେଇପାରିବ କି ?’’ ଭାବ ଗଦ୍‌ଗଦ୍‌ ହୋଇ କହିଗଲେ ଡିରେକ୍‌ଟର ଆଲେସ୍କି ।

Image

 

ତେର

 

‘‘ମୁଁ କ’ଣ କହୁଛି, ଆପଣମାନେ ଏଥର ବୁଝିପାରିଲେ ବୋଧହୁଏ ?’’ ବକ୍ତୃତା ଗୃହରେ ବଡ଼ ଉତ୍ତେଜିତ ହୋଇ କହିଯାଉଥିଲେ ଆଲେସ୍କି । ‘‘ମାର୍କିନ୍‌ମାନଙ୍କ ଉପଗ୍ରହକୁ ଯାଇ ତାହାକୁ ସଜାଡ଼ି ଦେଲେ କ୍ଷତି କଅଣ ? ପୃଥିବୀ ତଥା ମଣିଷ ସମାଜ ଦୃଷ୍ଟିରୁ ସେମାନେ ତ ଆମ ଭାଇ । ପୃଥିବୀର ସୀମିତ ପରିସର ଭିତରେ ଥିଲାବେଳେ ବିଭିନ୍ନ ବିଷୟ ଓ ସମସ୍ୟା ନେଇ ଆମେ ଆମ ଭିତରେ କଳିକଜିଆ କରୁଥାଇଁ; କିନ୍ତୁ ପୃଥିବୀ ବାହାରର ଏହି ଅନନ୍ତ ଅସୀମ ମହାଶୂନ୍ୟକୁ ଅନାଇଲେ ସେହି ମତଦ୍ୱୈଧତା ଅତି କ୍ଷୁଦ୍ର ସଂକୀର୍ଣ୍ଣ ବୋଧ ହେଉନାହିଁ କି ? ମନେକର ପୃଥିବୀ ବାହାରୁ ଅନ୍ୟ କୌଣସି ଗ୍ରହରୁ ଯଦି କେହି ଆସି ପୃଥିବୀ ତଥା ମଣିଷ ସମାଜକୁ ଆକ୍ରମଣ କରେ, ତେବେ ଆମେ କ’ଣ ସେତେବେଳେ ଏକାଠି ହେବା ନାହିଁ ? ସେତେବେଳେ ପୁଞ୍ଜିବାଦ, ସାମ୍ୟବାଦ ଆଦି ବିଭିନ୍ନ ସଂକୀର୍ଣ୍ଣ ରାଜନୈତିକ ଓ ଅର୍ଥନୈତିକ ମତବାଦ ଗୋଟିଏ ଦେଶକୁ ଅନ୍ୟ ଦେଶଠାରୁ କ’ଣ ପୃଥକ୍‌କରି ରଖି ପାରିବ ? ଆପଣମାନେ ଭାବନ୍ତୁ, ଯଦି ଅନ୍ୟ ଗ୍ରହରୁ ଦଳ ପରେ ଦଳ ଶତ୍ରୁ ଆସି ପୃଥିବୀକୁ ଆକ୍ରମଣ କରନ୍ତି, ତେବେ ଆମର ଯେଉଁସବୁ ପରମାଣୁବୋମା, ହାଇଡ଼୍ରୋଜେନ ବୋମା ଆଦି ମାରଣାସ୍ତ୍ର ଅଛି, ଯେଉଁଗୁଡ଼ିକ ଆମେ ବେଳ ପଡ଼ିଲେ ଆମ ନିଜ ନିଜ ଭିତରେ ପ୍ରୟୋଗ କରି ପୃଥିବୀପୃଷ୍ଠରୁ ଆପେ ଆପେ ନିଶ୍ଚିହ୍ନ ହୋଇ ଯାଆନ୍ତୁ; ସେଗୁଡ଼ିକ ତ ଦେଶ, ଜାତି ଓ ବାଦ ନିର୍ବିଶେଷରେ ପୁଣି ପୃଥିବୀର ସେହି ସାଧାରଣ ଶତ୍ରୁ ବିରୁଦ୍ଧରେ ପ୍ରୟୋଗ କରାଯିବ-। ଅନ୍ୟ କୌଣସି ଗ୍ରହର ଅଧିବାସୀମାନେ ଯଦି ଆସି ପୃଥିବୀରେ ସାମ୍ରାଜ୍ୟ ବିସ୍ତାର ପାଇଁ ହଠାତ୍‌ କୌଣସି ଦେଶ ଉପରେ ଆକ୍ରମଣ ଚଳାଇଦିଅନ୍ତି ଓ ନିଜ ପରାକ୍ରମରେ ତାକୁ ଧ୍ୱସ୍ତବିଧ୍ୱସ୍ତ କରିଦେବାକୁ ବସନ୍ତି, ତେବେ ଆମେ ସେତେବେଳେ ସେହି ଦେଶ ସହିତ ମିଳିତ ହୋଇ ସେଇ ଶତ୍ରୁମାନଙ୍କ ବିରୁଦ୍ଧରେ ଲଢ଼ିବା ନାହିଁ କି ? ଆମେ ଥାଉଁ ଥାଉଁ କ’ଣ ଦେଖିବା ଯେ ପୃଥିବୀ ବାହାରର ଶତ୍ରୁ ଆସି ଆମ ଭାଇମାନଙ୍କୁ ଛାରଖାର କରି ଦେଇଯିବ ? ଅନ୍ୟ ଦେଶ କଥା ଛାଡ଼; ମନେକର କେହି ପୃଥିବୀ ବାହାରୁ ଆସି ଆମ ଦେଶକୁ ଆକ୍ରମଣ କଲା ଓ ଆମକୁ ପରାସ୍ତ କରି ଦେଶକୁ ଛାରଖାର କରି ଦେବାପାଇଁ ବସିଲା; ଆପଣମାନେ କ’ଣ ଭାବୁଛନ୍ତି ଯେ ଆମ ପୃଥିବୀର ଅନ୍ୟ ଦେଶର ଭାଇମାନେ ଆମ ଦେଶ ଛାରଖାର ହେବା ଦେଖୁଥିବେ ? ସାମାନ୍ୟ ଏକ ରାଜନୈତିକ ମତବାଦର କୃତ୍ରିମ ଦ୍ୱାହି ଦେଇ ଆମେମାନେ ପରସ୍ପର ଭିତରେ ବିଭେଦର ଏତେ ବିରାଟ ପ୍ରାଚୀର ଠିଆକରାଇବା ଉଚିତ କି ? ଆମେ ଏକାପରି ମଣିଷ ହୋଇ ସାମାନ୍ୟ ଏକ ସଂକୀର୍ଣ୍ଣ ରାଜନୈତିକ ମତଭେଦ ଆମକୁ କ’ଣ ବିଚ୍ଛିନ୍ନ କରି ରଖିବ ? ଅଥଚ ଆମେ ଏହାର ପ୍ରତିରୋଧ କରିବା ନାହିଁ ? ଏହା କ’ଣ ଆମର ଶ୍ରେଷ୍ଠ ଶିକ୍ଷା ଓ ସଭ୍ୟତାର ନିଦର୍ଶନ ?’’

 

କିଛି ସମୟପରେ ଆଲେସ୍କି ପୁଣି ଥରେ କହିଲେ, ‘‘ମାର୍କିନ୍‌ମାନେ ଆମପ୍ରତି ଯେଉଁ ମନୋଭାବ ପୋଷଣ କଲେ ମଧ୍ୟ, ଆନ୍ତର୍ଜାତିକ କ୍ଷେତ୍ରରେ ସେମାନେ ଆମ ବିରୁଦ୍ଧରେ ଯେତେ କହିଲେ ମଧ୍ୟ ମୋର ବିବେକ କହୁଛି ଏଭଳି ଏକ ମୁହୂର୍ତ୍ତରେ ଆମର ସେମାନଙ୍କୁ ସାହାଯ୍ୟ କରିବା ଏକାନ୍ତ ଉଚିତ । ସେମାନଙ୍କ ଏହି ଉପଗ୍ରହଟି କାର୍ଯ୍ୟକାରୀ ନ ହେବାରୁ ସେମାନଙ୍କୁ କେତେ ଧନ ଓ ସମ୍ମାନ କ୍ଷତି ସହିବାକୁ ପଡ଼ିଛି ଓ ସେମାନଙ୍କ ଗବେଷଣା କେତେ ପଛେଇ ଯାଉଛି ତାହା ଆମର ଅନୁମାନ କରିବା ଉଚିତ । ତେଣୁ ଏହି ସବୁ ପରିସ୍ଥିତିରୁ ମୁଁ ଭାବୁଛି, ସେ ଦେଶ ଆମର ଯେତେ ଶତ୍ରୁତା ଆଚରଣ କଲେ ମଧ୍ୟ ଆମେ ଯାଇ ସେମାନଙ୍କ ଉପଗ୍ରହଟିକୁ ସଜାଡ଼ିଦେଲେ ସାରା ପୃଥିବୀ ଜାଣନ୍ତା ଆମର ହୃଦୟ କେମିତି ? ସେମାନେ ଆମର ଶତ୍ରୁ ହେଲେ ମଧ୍ୟ ଆମେ ଯେ ସେମାନଙ୍କ ବିପଦ ସମୟରେ ସାହାଯ୍ୟ କରିଛୁଁ, ଏହା ସାରା ବିଶ୍ୱରେ ଶତଗୁଣରେ ପ୍ରତିଧ୍ୱନିତ ହୁଅନ୍ତା । ଆମେ ଯେ ଏକ ସ୍ୱାର୍ଥନ୍ୱେଷୀ ଜାତି ନୋହୁଁ, ତାହା ତ ପୃଥିବୀ ସ୍ୱୀକାର କରନ୍ତା ।’’

 

ଆଲେସ୍କିଙ୍କର ଏହି ବକ୍ତବ୍ୟ ପରେ ସଭାସ୍ଥଳ ପୁଣି ନୀରବ ହୋଇଗଲା । ଆଉ କୌଣସି ସଭ୍ୟ ଭିନ୍ନ ଯୁକ୍ତି ବାଢ଼ିବା ପାଇଁ ପ୍ରବୃତ୍ତି ଦେଖାଇଲେ ନାହିଁ । ଆଲେସ୍କିଙ୍କର ପ୍ରସ୍ତାବକୁ ସେମାନେ ଗ୍ରହଣ କରିବେ କି ପ୍ରସ୍ତାବଟିକୁ ଆଗ୍ରାହ୍ୟ କରିବେ, ଠିକ୍‌ କରି ନ ପାରି ଚୁପ୍‌ରହିଲେ ।

 

ଆଲେସ୍କି ପୁଣି କହିଲେ, ‘‘ମୋ ପ୍ରସ୍ତାବଟି ବୋଧହୁଏ ଆପଣମାନଙ୍କ ମନକୁ ପାଇଲା ନାହିଁ । ମୁଁ ପୁଣି ଥରେ ଅନୁରୋଧ କରୁଛି ଆପଣମାନେ ଏହା ଉପରେ ଆହୁରି ଅଧିକ ଚିନ୍ତା କରନ୍ତୁ-। କାଲି ପୁଣି ଏହା ଉପରେ ଆଲୋଚନା କରାଯିବ ।’’

 

ଆଲେସ୍କି ଗିରଫ ହେବା ଖବର କୃତ୍ରିମ ଉପଗ୍ରହରେ ବିଦ୍ୟୁତ୍‌ ଭଳି ଖେଳିଗଲା । ଯିଏ ଯେଉଁଠାରେ ଥିଲେ ଏହି ଆକସ୍ମିକ ଖବରରେ ବିସ୍ମିତ ହୋଇ ବସିପଡ଼ିଲେ । ସେ ଗିରଫ ହେବା ପାଇଁ କିଏ ଆଦେଶ ଦେଲା ଏବଂ ଏହା ପଛରେ କାହାର ହାତ ଅଛି ଭାବି କେହି ଠିକ୍‌ କରିପାରିଲେ ନାହିଁ । ଆଲେସ୍କିଙ୍କ ଭଳି ଏତେବଡ଼ ସୁଯୋଗ୍ୟ ଡିରେକ୍ଟର ଓ ବୈଜ୍ଞାନିକଙ୍କୁ ଗିରଫ କରିବା ଦ୍ୱାରା ତାଙ୍କ ବ୍ୟକ୍ତିତ୍ୱ ପ୍ରତି ଯେ ଘୋର ଅନ୍ୟାୟ କରାଯାଇଛି, ତାହା ଭାବି ଉପଗ୍ରହର ସଦସ୍ୟମାନେ ବିଚଳିତ ହୋଇପଡ଼ିଲେ । ଲେନା ଓ ମେରିନା ଏହି ଖବରରେ ତ୍ରସ୍ତ ହୋଇପଡ଼ିଥାନ୍ତି-

 

ଆଲେସ୍କିଙ୍କୁ ଡିରେକ୍ଟର ପଦରୁ ସାମୟିକ ବିତାଡ଼ିତ କରି ଭିନ୍‌ଗ୍ରେଡ଼ୋଭ୍‌ଙ୍କୁ ଉପଗ୍ରହର ନୂତନ ଡିରେକ୍ଟର ପଦରେ ନିଯୁକ୍ତ କରାଯାଇଥାଏ । ଆଲେସ୍କି ଉପଗ୍ରହର ଅଧିବାସୀମାନଙ୍କ ସମ୍ମୁଖରେ ମାର୍କିନ୍‌ଦେଶକୁ ସାହାଯ୍ୟ ଓ ସମର୍ଥନ କରି ଯେଉଁ ସବୁ ବକ୍ତୃତା ଦେଇଥିଲେ, ସେହି ବକ୍ତୃତାର ନକଲ ମଗାଇ ପଠାଇଥାନ୍ତି କେନ୍ଦ୍ର ଗୋଏନ୍ଦା ବିଭାଗ । ଏହି ବକ୍ତୃତାରୁ ଆଲେସ୍କି ଦୋଷୀ କି ନିର୍ଦ୍ଦୋଷ, ସେ ଏକ ଉଚ୍ଚ ଆଦର୍ଶ ନେଇ ସେଭଳି ମତ ପ୍ରକାଶ କରିଛନ୍ତି କି କୌଣସି ଅଭିସନ୍ଧିମୂଳକ ମନୋବୃତ୍ତି ନେଇ ଆମେରିକାକୁ ସାହାଯ୍ୟ କରିବା ଉଦ୍ଦେଶ୍ୟରେ ସେପରି କହିଛନ୍ତି, ତାହା ବିଚାର କରିବାପାଇଁ କେନ୍ଦ୍ର ରାଜଧାନୀରେ ଏକ ବିଚାରକ ଦଳ ନିଯୁକ୍ତ ହୋଇଥାନ୍ତି । କେନ୍ଦ୍ର ରାଜଧାନୀରେ ଥାଇ ବିଚାରକମାନେ ଉପଗ୍ରହରୁ ସାକ୍ଷ୍ୟ ଗ୍ରହଣ କରି ବିଚାର କରି ସ୍ଥିର ହୋଇଥାଏ-

ବିଚାରର ଶେଷ ଦିନ । ଆଲେସ୍କିଙ୍କୁ ବିଚାରପତିମାନଙ୍କ ଆଗକୁ ଯିବାକୁ ପଡ଼ିବ । ଉପଗ୍ରହର ଟେଲିଭିଜନ୍‌ଯନ୍ତ୍ର ସମ୍ମୁଖରେ ବସି ସେ କେନ୍ଦ୍ର ରାଜଧାନୀର ବିଚାରକମଣ୍ଡଳୀଙ୍କୁ ଦେଖିବା ତଥା ସେମାନଙ୍କ ପ୍ରଶ୍ନର ଯଥାଯଥ ଉତ୍ତର ଦେବା ପାଇଁ ନିର୍ଦ୍ଧାରିତ ହୋଇଥାଏ । ବେତାର ରୁମ୍‌ର ପରିଚାଳକ ଗୋଲେଭ୍‌ ଆଲେସ୍କିଙ୍କୁ ଡାକିବାକୁ ଗଲେ । ସେ ବନ୍ଦୀ ହୋଇଥିବା କୋଠରି ଭିତରକୁ ପଶି ଯାହା ଦେଖିଲେ ସେଥିରେ ତାଙ୍କର ମୁଣ୍ଡ ଘୂରିଗଲା । ବନ୍ଦୀ ହୋଇ ରହିଥିବା କୋଠରି ଭିତରୁ ଆଲେସ୍କି କୁଆଡ଼େ ଅନ୍ତର୍ଦ୍ଧାନ ହୋଇଗଲେ ଭାବି ସେ କିଛି ଠିକ୍‌ କରିପାରିଲେ ନାହିଁ । ଆଲେସ୍କି କୋଠରିରୁ ବାହାରି ଉପଗ୍ରହର ଅନ୍ୟ କେଉଁଠାକୁ ଯାଇଛନ୍ତି କି କଣ ଭାବି ସେ ହଠାତ୍‌ ମେରିନାର କକ୍ଷ ଆଡ଼କୁ ଚାଲିଆସିଲେ । ସେତେବେଳକୁ ମେରିନା ଉଠି ନିଜ କୋଠରି ବାରଣ୍ଡାରେ ଏପଟ ସେପଟ ହେଉଥାଏ । ଆଲେସ୍କି ଗିରଫ ହେବା ଦିନଠାରୁ ତାର ମନ ମୋଟେ ଭଲ ନ ଥାଏ । ବିଚାରରେ ଆଲେସ୍କି ନିର୍ଦ୍ଦୋଷରେ ଖଲାସ ହେବେ କି ନାହିଁ ଭାବି ସେ ମନେ ମନେ ଭଗବାନଙ୍କୁ ଶତ ପ୍ରାର୍ଥନା ଜଣାଉଥାଏ । ହଠାତ୍‌ ଗୋଲେଭ୍‌ଙ୍କୁ ତାହା ଆଡ଼କୁ ଆସୁଥିବାର ଦେଖି ସେ ସନ୍ଦେହୀ ହୋଇ ପଡ଼ିଲା । ଗୋଲେଭ୍‌ଙ୍କଠାରୁ ଆଲେସ୍କିଙ୍କର ଅନୁପସ୍ଥିତି କଥା ଶୁଣୁ ଶୁଣୁ ତା’ ପାଟିରୁ ବାହାରି ପଡ଼ିଲା-‘‘ଆଁ, ଆଲେସ୍କି ନାହାନ୍ତି ?’’ ଏତେ ସକାଳୁ ଆଲେସ୍କି କୁଆଡ଼େ ଗଲେ ଭାବି ସେ ମଧ୍ୟ ଠିକ୍‌ କରିପାରିଲା ନାହିଁ । ଆଲେସ୍କିଙ୍କୁ ଖୋଜିବା ପାଇଁ ସେ ସଙ୍ଗେ ସଙ୍ଗେ ମୁହଁ ଧୋଇପକାଇ ପୋଷାକ ବଦଳାଇ ଗୋଲେଭ୍‌ସଙ୍ଗରେ ବାହାରି ପଡ଼ିଲା ।

ଉପଗ୍ରହ ସାରା ଖୋଜି ଖୋଜି ମେରିନା ଓ ଗୋଲେଭ୍‌ ପୁଣି ଫେରିଆସିଲେ ଆଲେସ୍କି ବନ୍ଦୀ ହୋଇଥିବା କୋଠରୀକୁ । ଆସି ଦେଖିଲେ କୋଠରିର ଟେବୁଲ ଉପରେ ଥୁଆହୋଇଛି ଖଣ୍ଡିଏ ଚିଠି । ଚିଠିଟି ଲେଖାଯାଇଛି ଅସ୍ଥାୟୀ ଡିରେକ୍ଟର ଭିନୋଗ୍ରେଡ଼ୋଭ୍‌ଙ୍କ ନିକଟକୁ । ମେରିନା ଚିଠିଟି ଖୋଲି ପଢ଼ିବାକୁ ଲାଗିଲା–

ପ୍ରିୟ ଡିରେକ୍ଟର ଭିନୋଗ୍ରେଡ଼ୋଭ୍‌,

ଉପଗ୍ରହର କେହି ମୋ ମତକୁ ସମର୍ଥନ କଲେ ନାହିଁ ବୋଲି କିମ୍ବା ମୋତେ ଡିରେକ୍‌ଟର ପଦରୁ ଦରଖାସ୍ତ କରାଯାଇ ବନ୍ଦୀ କରାଯାଇଛି ବୋଲି ମୁଁ ଦୁଃଖିତ ନୁହେଁ । ବହୁ ଚିନ୍ତା ପରେ ମୁଁ ଶେଷ ନିଷ୍ପତ୍ତି କରିନେଲି ଯେ, ମାର୍କିନ୍‌ଦେଶକୁ ଏଭଳି ସମୟରେ ସାହାଯ୍ୟ କଲେ ଆମ ଦେଶର ସମ୍ମାନ ପୃଥିବୀର ସକଳ ଜାତିଙ୍କ ସମ୍ମୁଖରେ ଉଚ୍ଚତର ହୋଇ ରହିବ । ମୁଁ ଆମ ଜାତିର ସମ୍ମାନ ସାରା ପୃଥିବୀରେ ଟେକି ରଖିବା ପାଇଁ ତୁମ କାହାରି ସାହାଯ୍ୟ ନନେଇ ଯାଉଛି ମାର୍କିନ୍‌ ଉପଗ୍ରହଠାକୁ । ଏକା ଯାଉଛି ବୋଲି ମୁଁ ଉପଗ୍ରହର ସବୁଠାରୁ ଛୋଟ ଜଣକିଆ ରକେଟ୍‌ଯାନଟି ସଙ୍ଗରେ ନେଇ ଯାଉଛି । ଯଦିଚ ମହାଶୂନ୍ୟରେ ଏକା ଯିବା ବିପଦସଂକୁଳ, ତଥାପି ମୁଁ ଯାଉଛି ସେହି ମହତ୍‌ଉଦ୍ଦେଶ୍ୟ ସାଧନ ପାଇଁ । ମୋର ଏକାନ୍ତ ଅନୁରୋଧ, ମୋ ପାଇଁ କେହି ଯେପରି ବ୍ୟସ୍ତ ନ ହୁଅନ୍ତି । ମୁଁ ମାର୍କିନ୍‌ ଉପଗ୍ରହଟିକୁ ସଜାଡ଼ି ପୁଣି ଆମ ଉପଗ୍ରହକୁ ଫେରିଆସିବି । ମୁଁ ଫେରି ନ ଆସିବା ଯାଏଁ, ଏହି ଖବରଟି ମାନମନ୍ଦିରକୁ ପଠାଇବ ନାହିଁ । ପ୍ରିୟ ବନ୍ଧୁ, ତୁମେ ତ ଜାଣିଛ ମେରିନା କେଡ଼େ ଦୁର୍ବଳହୃଦୟା । ମୋ ଅନୁପସ୍ଥିତିରେ ସେ ଅଧୀର ହୋଇ ଭାଙ୍ଗିଫଡ଼ିବ । ତା’ ଉପରେ ଟିକିଏ ଦୃଷ୍ଟି ରଖିଥିବ । ତୁମ ବିନାନୁମତିରେ ମୁଁ ଉପଗ୍ରହର ଛୋଟ ରକେଟ୍‌ଯାନଟି ନେଇ ଯାଉଛି । ଆଶା, ମୋତେ କ୍ଷମା କରିବ ।

। ଇତି ।

ତୁମର

ଆଲେସ୍କି

ଚିଠିଟି ପଢ଼ି ମେରିନାର ମୁଣ୍ଡ ଘୂରାଇଗଲା । ଆଖିକୁ କିଛି ସ୍ପଷ୍ଟ ଦିଶିଲା ନାହିଁ । ତାକୁ ବୋଧହେଲା ସତେ ଯେପରି ଉପଗ୍ରହଟି ତଳୁ ଉପର ହୋଇ ଘୂରିଯାଉଛି । ସେ ଠିଆ ହୋଇଥିଲା, ହଠାତ୍‌ଗଛ କାଟିଲଭଳି ତଳେ ପଡ଼ିଗଲା । ଗୋଲେଭ୍‌ ଧରାଧରି କରି ମେରିନାକୁ କୌଣସି ପ୍ରକାରେ ନିକଟସ୍ଥ ଖଟ ଉପରେ ଶୁଆଇଦେଲେ । ସଙ୍ଗେ ସଙ୍ଗେ ଉପଗ୍ରହ ସାରା ରାଷ୍ଟ୍ର ହୋଇଗଲା ଆଲେସ୍କିଙ୍କ ଅଦ୍ଭୁତ ଅନ୍ତର୍ଦ୍ଧାନ । ଆଲେସ୍କି ଗୋଟାଏ ରାତି ଭିତରେ ଏଭଳି ଏକ ବିପଦ୍‌ଜନକ ନିଷ୍ପତ୍ତି କରି ପକାଇ ନିଜ ଜୀବନକୁ ବିପଦସଂକୁଳ କରି ମାର୍କିନ୍‌ ଉପଗ୍ରହଠାରୁ ଚାଲିଯିବେ, ଏହା କେହି ବିଶ୍ୱାସ କରିପାରିଲେ ନାହିଁ । ଭିନୋଗ୍ରେଡ଼ୋଭ୍‌ ଚିଠିଟିକୁ ପଢ଼ି ସଙ୍ଗେ ସଙ୍ଗେ ଆଦେଶ ଦେଲେ, ତିନୋଟିଯାକ ପର୍ଯ୍ୟବେକ୍ଷଣାଗାରରୁ ଆଲେସ୍କିଙ୍କୁ ଲକ୍ଷ୍ୟ କରିବା ପାଇଁ । ସେ ଯେଉଁ ରକେଟ୍‌ଯାନଟି ନେଇ ଯାଇଛନ୍ତି, ନିହାତି ଛୋଟ ଥିବାରୁ ଏହା ସାହାଯ୍ୟରେ ଏତେ ଦୂରକୁ ଯାଇ ଫେରିଆସିବା ସମ୍ଭବପର ନୁହେଁ ବୋଲି ସେ ସମ୍ବନ୍ଧରେ ସମସ୍ତେ ସନ୍ଦିହାନ ହୋଇପଡ଼ିଥାନ୍ତି ।

ମେରିନାକୁ ପର୍ଯ୍ୟବେକ୍ଷଣାଗାର ଭିତରକୁ ପଶି ଆସିବା ଦେଖି ଲେନା ବଡ଼ ବ୍ୟସ୍ତ ହୋଇପଡ଼ିଲା । ସେ ମେରିନାକୁ ପାଛୋଟି ନେଇ ଗଲା ଦୂରବୀକ୍ଷଣଠାରେ ଦେଖାଇବା ପାଇଁ ଆଲେସ୍କି କିଭଳି ଭାବରେ ମାର୍କିନ୍‌ ଉପଗ୍ରହ ଆଡ଼େ ଧାଉଁଛନ୍ତି । ତାଙ୍କ ରକେଟ୍‌ଯାନଟି ଖୁବ୍‌ବେଗରେ ଆଗେଇବାର ଦେଖି ମେରିନାର ହୃଦୟ ଭୟରେ ଥରି ଉଠିଲା । ମନ ଭିତରେ ଶତ ଶତ ସନ୍ଦେହ ଘୂରି ବୁଲିଲା, ‘‘ସତେ କଅଣ ଆଲେସ୍କି ମାର୍କିନ୍‌ ଉପଗ୍ରହକୁ ସଜାଡ଼ି ଏଠାକୁ ଫେରିଆସିବେ ?’’

ପରମୁହୂର୍ତ୍ତରେ ପୁଣି ସେ ଭାବିଲା, ଯଦି କିଛି ବିପଦ ପଡ଼େ ତେବେ ତାଙ୍କ ଯାନର ଉପଗ୍ରହ ସହିତ କୌଣସି ବେତାର ସଂପର୍କ ନଥିବାରୁ ଏଠାରେ ଜଣାପଡ଼ିବ କେମିତି ? ତା’ହେଲେ ତାଙ୍କୁ ସେଭଳି ପରିସ୍ଥିତିରେ କିପରି ଉଦ୍ଧାର କରାଯାଇ ପାରିବ, ସେ ଭାବି ପାରିଲା ନାହିଁ । ଦେହ ତାର ଶୀତେଇ ଉଠିଲା, ମୁଣ୍ଡ ଘୂରିଗଲା, ଅଜାଣତରେ ଚକ୍ଷୂ ଛଳଛଳ ହୋଇ ଆସିଲା । କାଳେ ଲେନା ମେରିନାର ସେହି ଲୋତକ ଦେଖି ପକାଇବ, ଏହି ଭୟରେ ମେରିନା ଖୁବ୍‌ ସାବଧାନତା ସହକାରେ ଲୁହତକ ପୋଛି ପକାଇଲା । ମେରିନା ଲୁଚାଇ ଲୁଚାଇ ଲୁହ ପୋଛିବାର ଦେଖି ଲେନା ମେରିନାର ହାତକୁ ଟାଣି ଆଣି ଆଖି ଛଳଛଳ କରି କହିଲା, ‘‘ମୋ ଆଖିରୁ ସେତକ ଲୁଚାଇ ପାରିବ ନାହିଁ ଭଉଣୀ ! ତୁମେ ମୋତେ ଲୁଚାଇବାକୁ ଶତ ଚେଷ୍ଟା କଲେ ମଧ୍ୟ ମୁଁ କ’ଣ ଜାଣି ପାରିବି ନାହିଁ ମେରିନା ! ମୋର ତ ପୁଣି ତୁମ ଭଳି ନାରୀର ହୃଦୟ ଅଛି !’’

ଲେନାର ଏହି କଥା କେଇ ପଦରେ ମେରିନାର କୋହ ଶ୍ରାବଣର ବନ୍ୟାଜଳ କୂଳ ଲଙ୍ଘିଲା ଭଳି ବାହାରି ଆସିଲା । ସେ ନିଜକୁ ସମ୍ଭାଳି ନ ପାରି ଲେନାକୁ କୁଣ୍ଡାଇ ପକାଇ ଲୋତକ ବର୍ଷଣ କରିବାକୁ ଲାଗିଲା ।

Image

 

ଚଉଦ

 

ଲେନା ଓ ମେରିନା ଉଭୟେ କ୍ଲବ୍‌ ରୁମ୍‌ ବାରଣ୍ଡା ଦେଇ କେନ୍ଦ୍ର ପର୍ଯ୍ୟବେକ୍ଷଣାଗାରକୁ ଯାଉଥାନ୍ତି, ହଠାତ୍‌ ରେଡ଼ିଓ ଷ୍ଟେସନରୁ ଏକ ବେତାର ଖବରରେ ସେମାନେ ଅଟକିଗଲେ । ‘‘ଆମେରିକାର ଯେଉଁ ଉପଗ୍ରହ ଚାରିଦିନ ତଳେ ମହାଶୂନ୍ୟରେ ଉଡ଼ିଯିବା ସଙ୍ଗେ ସଙ୍ଗେ ଖରାପ ହୋଇଯାଇଥିଲା ଓ ଯାହାକୁ ଧ୍ୱଂସ କରି ତା ସ୍ଥାନରେ ଆଉ ଏକ ନୂତନ ଉପଗ୍ରହ ଉଡ଼ାଇବା ପାଇଁ ଆମେରିକା ସରକାର ସ୍ଥିର କରିଥିଲେ, ସେହି ଉପଗ୍ରହଟି ଇତିମଧ୍ୟରେ ପୁଣି କାର୍ଯ୍ୟକ୍ଷମ ହୋଇଯାଇଛି ।

 

ଏହି ଖବର ଶୁଣି ମେରିନା ଓ ଲେନା ଆନନ୍ଦରେ ନାଚି ଉଠିଲେ । ଲେନା ଖୁସି ହୋଇ କହିଲା, ‘‘ଆଲେସ୍କି ଯାହା କହୁଥିଲେ, ବାସ୍ତବିକ୍‌ ତାହା କାର୍ଯ୍ୟରେ ଦେଖାଇ ଦେଲେ । ଓଃ ! ଆଲେସ୍କି ସତେ କେଡ଼େ ଉଦାର ଓ ମହାନ୍‌ ! ଚାଲ ମେରିନା, ଆମେ ଡିରେକ୍ଟର ଭିନୋଗ୍ରେଡ଼ୋଭ୍‌ଙ୍କୁ ଏ ସମ୍ବନ୍ଧରେ ଖବର ଦେବା ।

 

ରାତି ପ୍ରାୟ ଦୁଇଟା ହେବ । ସାରା ଉପଗ୍ରହରେ ସମସ୍ତେ ଗାଢ଼ ନିଦ୍ରାରେ ସୁପ୍ତ । ଚାରିଆଡ଼ ଶୂନ୍‌ସାନ୍‌ । କିନ୍ତୁ ଲେନା ନ ଶୋଇ କେନ୍ଦ୍ର ପର୍ଯ୍ୟବେକ୍ଷଣାଗାରରେ ଆଲେସ୍କିଙ୍କ ଯାନର ଗତିବିଧି ଲକ୍ଷ୍ୟ କରିବାରେ ବ୍ୟସ୍ତ । ଆଲେସ୍କି ଆଉ ଫେରି ନ ଆସି ମାର୍କିନ୍‌ ଉପଗ୍ରହ ସହିତ ପୃଥିବୀକୁ ପରିକ୍ରମଣ କରିବାର ଦେଖି ସେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲା । ସେ ଭାବିବାକୁ ଲାଗିଲା-ମାର୍କିନ୍‌ ଉପଗ୍ରହ ତ ଠିକ୍‌ ହୋଇଗଲାଣି; ଆଲେସ୍କି ତେବେ ଫେରି ଆସୁ ନାହାନ୍ତି କାହିଁକି ? ଆଲେସ୍କିଙ୍କର ଏଭଳି ଘୂରିବା ଦେଖି ଲେନା କେତେ କ’ଣ ଭାବିଯିବାକୁ ଲାଗିଲା । ମେରିନାକୁ ଏ ରାତି ଅଧରେ ଏହି ଖବର ଦେଲେ ସେ ପୁଣି କେତେ କ’ଣ କଳ୍ପନା କରି ଧୈର୍ଯ୍ୟ ହରାଇ ବସିବ, ଏହା ଭାବି ସେ ସ୍ଥିର ଚିତ୍ତରେ ପୁଣି ଆଲେସ୍କିଙ୍କ ଗତିବିଧି ଲକ୍ଷ୍ୟ କରିବାରେ ଲାଗିପଡ଼ିଲା ।

 

ଏଣେ ମେରିନାକୁ ସେଦିନ ରାତିରେ ମୋଟେ ନିଦ ହେଲା ନାହିଁ । ସେ ବିଛଣାରୁ ଉଠି ବାରଣ୍ଡାରେ ଏପଟ ସେପଟ ହେବାକୁ ଲାଗିଲା । ଇତିମଧ୍ୟରେ ଆଲେସ୍କିଙ୍କର ନିର୍ଦ୍ଦୋଷରେ ଖଲାସ ଓ ଉପଗ୍ରହରେ ଡିରେକ୍ଟର ପଦରେ ପୁନଃ ନିଯୁକ୍ତି ମେରିନାକୁ ଆନନ୍ଦରେ ଅଧିର କରି ପକାଇଥାଏ-। ସେ ମନେ କରୁଥାଏ ସତେ ଯେପରି ମାର୍କିନ୍‌ ଉପଗ୍ରହରୁ ଆଲେସ୍କି ଫେରିଆସି ତାକୁ ଆହ୍ୱାନ କରୁଛନ୍ତି । ଆଲେସ୍କି କୃତକାର୍ଯ୍ୟ ହୋଇ ଫେରିଆସିଲେ ସାରା ଉପଗ୍ରହରେ ତାଙ୍କୁ କିଭଳି ଭାବରେ ଅଭିନନ୍ଦନ କରାଯିବ, ସେ କିପରି ତାଙ୍କୁ ସ୍ୱାଗତ କରିବ, ଭାବି ଭାବି ସେ ଉତ୍‌ଫୁଲ୍ଲ ହୋଇପଡ଼ୁଥାଏ-। ମେରିନା ଏହିଭଳି ସ୍ୱପ୍ନ-ରାଜ୍ୟରେ ଘୂରି ବୁଲୁଥିଲା ବେଳେ ହଠାତ୍‌ କାହାର ଚିତ୍କାରରେ ଚମକି ପଡ଼ି ଦେଖିଲା ବେତାର ରୁମ୍‌ର ପରିଚାଳକ ଗୋଲେଭ୍‌ ବେଢ଼ାର ରୁମ୍‌ରୁ ଚିତ୍କାର କରି ଉଠିଲେ-

 

‘‘ବଡ଼ ବିପଦ ମିସ୍‌ ମେରିନା, ବଡ଼ ବିପଦ । ଆଲେସ୍କି ବଡ଼ ବିପଦରେ ପଡ଼ିଛନ୍ତି । ମାର୍କିନ୍‌ ଉପଗ୍ରହକୁ ସଜାଡ଼ି ସାରିବା ପରେ ତାଙ୍କ ରକେଟ୍‌ ଯାନରେ ଏକ ଦୁର୍ଘଟଣା ଘଟିଛି; ଯା’ଫଳରେ ତାଙ୍କ ଯାନଟି ଅତି ଅସ୍ୱାଭାବିକ ଭାବରେ କଣା ହୋଇ ଯାଇଛି । ଫଳରେ ତାଙ୍କ ଯାନର ବାୟୁ ମହାଶୂନ୍ୟ ଭିତରକୁ ଚାଲିଯାଉଛି । ଆଲେସ୍କି ଏଠାକୁ ଖବର ଦେଇ ନ ପାରି ସେହିଠାରୁ ଖବର ପଠାଇଛନ୍ତି ଆମେରିକାକୁ । ସେଠାରୁ ଏହି ସମ୍ୱାଦ ମାନମନ୍ଦିରରେ ଆସି ପହଞ୍ଚିଛି । ଡାକ୍ତର ପାଲାଭିନ୍‌ ଡାକିଛନ୍ତି ଆସ୍ଥାୟୀ ଡିରେକ୍ଟରଙ୍କୁ ଆଲେସ୍କିଙ୍କୁ କିପରି ଉଦ୍ଧାର କରାଯିବ ସେ ସମ୍ୱନ୍ଧରେ ଆଲୋଚନା କରିବାପାଇଁ । ଆପଣ ଚାଲନ୍ତୁ ମିସ୍‌ ମେରିନା, ବେତାର ରୁମ୍‌କୁ । ମୁଁ ଡିରେକ୍‌ଟରଙ୍କୁ ଡାକିଆଣେ ।’’

 

ମେରିନା ଏହି ଖବର ପାଇ ବେତାର ରୁମ୍‌କୁ ଯିବା ପରିବର୍ତ୍ତେ, ସଙ୍ଗେ ସଙ୍ଗେ ତଳ ମହଲାକୁ ଯାଇ ଅନ୍ୟ ଜଣିକିଆ ରକେଟ୍‌ ଯାନଟି ଧରି ଓ ସଙ୍ଗରେ କିଛି ଅମ୍ଳଜାନ ନେଇ ତଳ ମହାଲାର ଦ୍ୱାର ଦେଇ ମହାଶୂନ୍ୟ ଭିତରକୁ ଡେଇଁପଡ଼ିଲା ଆଲେସ୍କିଙ୍କ ଉଦ୍ଦେଶ୍ୟରେ । ମୁହୂର୍ତ୍ତକ ପାଇଁ ସେ ଭାବିଲାନି ରକେଟ୍ ଯାନ କିପରି ଠିକ୍‌ଭାବରେ ଚଳାଯାଏ ବା ବାଟରେ ଯଦି କିଛି ବିପଦ-ଆପଦ ପଡ଼େ ତେବେ ସେଥିରୁ ସେ ଉଦ୍ଧାର ପାଇବ କିପରି ?

 

ବେତାର ରୁମ୍‌ରେ ମେରିନାକୁ ଅନୁପସ୍ଥିତ ଦେଖି ଉପଗ୍ରହ ସାରା ତାହାର ଅନ୍ୱେଷଣ କରାଗଲା । କିନ୍ତୁ କାହିଁ ମେରିନା ? ସେ ହଠାତ୍‌ କୁଆଡ଼େ ଗଲା ଭାବି ଭିନୋଗ୍ରେଡ଼ୋଭ୍‌ ଅସ୍ଥିର ହୋଇ ପଡ଼ିଲେ । ତେଣେ ଆଲେସ୍କିଙ୍କୁ ଉଦ୍ଧାର କରିବାପାଇଁ ବଡ଼ ରକେଟ୍‌ଯାନ ସହିତ ଚାରି ପାଞ୍ଚଜଣ ବୈଜ୍ଞାନିକଙ୍କୁ ପଠାଇ ସେ ମେରିନାକୁ ପୁଣି ସାରା ଉପଗ୍ରହରେ ଖୋଜିବାକୁ ଆଦେଶ ହେଲେ । ତାଙ୍କର ସନ୍ଦେହ ହେଲା ମେରିନା କ’ଣ ତା ହେଲେ ଆଲେସ୍କିଙ୍କୁ ଉଦ୍ଧାର କରିବାପାଇଁ ଏକାକୀ ଚାଲିଯାଇଛି ? ସଙ୍ଗେ ସଙ୍ଗେ ସେ ତିନୋଟିଯାକ ପର୍ଯ୍ୟବେକ୍ଷଣାଗାରକୁ ଆଦେଶ ହେଲେ ମହାଶୂନ୍ୟରେ ମେରିନାକୁ ଠାବ କରିବାପାଇଁ । ଲେନା ଏଇ ଖବର ପାଇ ଅସ୍ଥିର ହୋଇ ମହାଶୂନ୍ୟରେ ଦୂରବୀକ୍ଷଣକୁ ବୁଲାଇ ମେରିନାକୁ ଖୋଜିବାକୁ ଲାଗିଲା । କିଛି କ୍ଷଣ ପରେ ଲେନା ଦେଖିଲା ଗୋଟିଏ ଅତି ଛୋଟ ଜଣିକିଆ ରକେଟ୍‌ଯାନ ଧାଇଁଛି ମାର୍କିନ୍‌ ଉପଗ୍ରହ ଉଦ୍ଦେଶ୍ୟରେ । ସେଇ ଅତି ଛୋଟ ଜଣିକିଆ ରକେଟ୍‌ ଯାନ ଧାଇଁଛି ମାର୍କିନ୍‌ ଉପଗ୍ରହ ଉଦ୍ଦେଶ୍ୟରେ । ସେଇ ଛୋଟ ରକେଟ୍‌ ଯାନର ଯେ ମେରିନାର ବଡ଼ ରକେଟ୍‌ ଯାନ ଛୁଟିଚାଲିଛି । ପ୍ରଥମ ଛୋଟ ରକେଟ୍‌ ଯାନଟି ଯେ ମେରିନାର, ଏହା ସ୍ଥିର କରିବାକୁ ଲେନାକୁ ବେଶି ସମୟ ଲାଗିଲା ନାହିଁ । ଭିନୋଗ୍ରେଡ଼ୋଭ୍‌ଙ୍କୁ ଏହି ଖବର ଦେବାରେ ସେ ବେତାର ରୁମ୍‌କୁ ନିଜେ ଯାଇ ରକେଟ୍‌ ଯାନର ଚାଳକମାନଙ୍କୁ ଆଦେଶ ଦେଲେ ଖୁବ୍‌ଶୀଘ୍ର ଯାଇ ମେରିନାକୁ ବାଟରୁ ଉଠାଇ ନେବାପାଇଁ । ମେରିନା ଯେଭଳି ଭାବରେ ଯାଉଛି, ସେ ନିଶ୍ଚୟ ଯେ ଦୁର୍ଘଟଣାର ସମ୍ମଖୀନ ହେବ ଓ ମହାଶୂନ୍ୟରେ ଯେ ତାର ସତ୍ତା ଲଭିଯିବ, ଏଥିରେ ଆଉ କାହାର ସନ୍ଦେହ ରହିଲା ନାହିଁ ।

 

ମେରିନାର ରକେଟଯାନ ପଛରେ ବଡ଼ ରକେଟ୍‌ଯାନ ଧାଇଁଥାଏ । ଏହାର ଚାଳକ ଅନୁସନ୍ଧାନକାରୀ ଦଳ ଉତ୍କଣ୍ଠା ଓ ଉଦ୍‍ବେଗ ସହ ଅଗ୍ରଗତି କରୁ ହଠାତ୍‌ ଦେଖିଲେ ମେରିନାର ରକେଟ୍‌ ଯାନରେ ଏକ ଅଗ୍ନିଶିଖା ଝଲସି ଉଠିଲା । ମେରିନାର ରକେଟ୍‌ଯାନରେ ନିଆଁ ଆସିଲା କୁଆଡ଼ୁ ଭାବି ସେମାନେ ଅସ୍ଥିର ହୋଇପଡ଼ିଲେ । ସେମାନେ ଯାନର ବେଗ ଆହୁରି ବଢ଼ାଇ ଦେଲେ । ସେମାନଙ୍କ ଲକ୍ଷ୍ୟ ମେରିନା କିଛି ଗୁରୁତର ଆଘାତ ପାଇବା ପୂର୍ବରୂ ସେମାନେ ଯେପରି ତାକୁ ଉଦ୍ଧାର କରିପାରନ୍ତି ।

 

ମେରିନାର ଯାନ ବି ଖୁବ୍‌ ଜୋର୍‌ରେ ଚାଲିଥାଏ । ରକେଟ୍‌ଯାନରେ ନିଆଁ ବେଳକୁ ବେଳ ପ୍ରବଳତର ହେବାକୁ ଲାଗିଲା । ଅନୁସନ୍ଧାନକାରୀ ଦଳ ଯେତେ ଚେଷ୍ଟା କଲେ ମଧ୍ୟ ମେରିନାର ଯାନକୁ ଧରି ପାରିଲେ ନାହିଁ । କିନ୍ତୁ ସମୟପରେ ମେରିନାର ଯାନର ଗତି କ୍ରମଶଃ କମିଆସିଲା । ଏହା ଦେଖି ସେମାନେ ସେମାନଙ୍କ ଯାନକୁ ଆହୁରି ଜୋର୍‌ରେ ଚଳାଇ ମେରିନାର ଯାନକୁ ଧରିପକାଇଲେ । କିନ୍ତୁ ସେତେବେଳକୁ ଯାନଟି ପୋଡ଼ି ଯାଇ ଅର୍ଦ୍ଧ-ଦଗ୍‌ଧ ଅବସ୍ଥାକୁ ଆସି ସରିଲାଣି । ସେହି ଜଳନ୍ତା ରକେଟ୍‌ଯାନ ଭିତରେ ମାରିନାର ଗୋଟି ସାରା ଦେହ ପୋଡ଼ି ଯାଇ ଅର୍ଦ୍ଧ-ଦଗ୍‌ଧ ଅବସ୍ଥାରେ ପଡ଼ିରହିଥାଏ । ପ୍ରାଣବାୟୁଟିକକ କେତେବେଳୁଁ ବାହାରିଯାଇ ସେହି ଅନନ୍ତ ମହାଶୂନ୍ୟ ଭିତରେ ମିଳାଇଯାଇ ସାରିଲେଣି । ସେମାନେ ମେରିନାର ସେହି ଅର୍ଦ୍ଧଦଗ୍‌ଧ ଶରୀରଟିକୁ ଆଣି ବଡ଼ ରକେଟ୍‌ଯାନରେ ଥୋଇଲେ ଏବଂ ଆଲେସ୍କିଙ୍କୁ ଉଦ୍ଧାର କରିବା ପାଇଁ ଆହୁରି ଜୋର୍‌ରେ ଗତିକଲେ ମାର୍କିନ୍‌ ଉପଗ୍ରହ ଆଡ଼େ । ଦୂରରୁ ଦିଶୁଥାଏ, ସତେ ଯେପରି ମାର୍କିନ୍‌ ଉପଗ୍ରହ ସହିତ ଆଲେସ୍କି ଓ ତାଙ୍କର ରକେଟ୍‌ଯାନ ପୃଥିବୀକୁ ବେଶ୍‌ ପରିକ୍ରମଣ କରିବାରେ ଲାଗିଛି । ମନେ ହେଉଥାଏ, ଆଲେସ୍କି ଯେପରି ଆଉ ଉପଗ୍ରହକୁ ଫେରି ନ ଆସି ମାର୍କିନ୍‌ ଉପଗ୍ରହରେ ଥାଇ ପୃଥିବୀ ଚାରିପାଖରେ ଘୂରି ପର୍ଯ୍ୟବେକ୍ଷଣ କରିବାରେ ବ୍ୟସ୍ତ । ସେମାନେ ଆହୁରି ପାଖକୁ ସେଥିରେ ସେମାନଙ୍କ ଆଖି ଖୋସି ହୋଇଗଲା ଆଲେସ୍କିଙ୍କୁ ତାଙ୍କ ଯାନ ଭିତରେ ଅଚେତ ହୋଇପଡ଼ିଥିବାର ଦେଖି ସେମାନଙ୍କ ଧୈର୍ଯ୍ୟ ରହିଲା ନାହିଁ । ସେମାନେ ସଙ୍ଗେ ସଙ୍ଗେ ଆଲେସ୍କିଙ୍କ ଶରୀରକୁ ଆଣି ବଡ଼ ରକେଟ୍‌ଯାନ ଭିତରେ ଶୁଆଇ ପରୀକ୍ଷାକଲାରୁ ଦେଖାଗଲା ଯେ କେତେବେଳୁଁ ଆଲେସ୍କିଙ୍କର ପ୍ରାଣବାୟୁ ଉଡ଼ିଯାଇଛି । ମରିବା ପୂର୍ବରୁ ଆଲେସ୍କିଙ୍କୁ ଜୀବନ ସହିତ ଯେ ବହୁତ ସଂଗ୍ରାମ କରିବାକୁ ପଡ଼ିଥିଲା, ତାହା ସ୍ପଷ୍ଟ ଜଣାପଡ଼ୁଥିଲା ତାଙ୍କର ରକେଟ୍‌ଭିତରେ ଥିବା ଅବସ୍ଥାରୁ । ତାଙ୍କ ଦେହ, ହାତ, ପାଟି, ନାକରୁ ଝଲକା ଝଲକା ରକ୍ତ ବାହାରି ତାଙ୍କର ଦେହଯାକ ରକ୍ତାକ୍ତ ହୋଇଯାଇଥାଏ । ରକେଟ୍‌ଯାନ ଭିତରୁ ବାୟୁର ହଠାତ୍‌ ଅପ୍‌ସାରଣ ତାଙ୍କର ଏହି ଆକସ୍ମିକ ମୃତ୍ୟୁର କାରଣ ବୋଲି ଧରିନେବାକୁ ସେମାନଙ୍କୁ ବେଶି ସମୟ ଲାଗିଲା ନାହିଁ ।

 

ପ୍ରାନ୍ତୀୟ ରାଜଧାନୀରେ ସାତଦିନ ଧରି ଏକାଡ଼େମୀ ଅଫ୍‌ ଏଗ୍ରିକଲ୍‌ଚରର ବାର୍ଷିକ ଅଧିବେଶନ ସମାପ୍ତ କରି ମେରିନାଙ୍କ ବାପା ବୃଦ୍ଧ କୋଜେଲେସ୍କି ଓ ତାଙ୍କ ସ୍ତ୍ରୀ ଏକ ମଟରଯୋଗେ ଲେନିନ୍‌ ମାନମନ୍ଦିର ଅଭିମୁଖେ ଛୁଟିଥାନ୍ତି । ବାଟରେ ଯାଉଁ ଯାଉଁ ମେରିନାଙ୍କ ମାଆ ପଚାରିଲେ, ‘‘ଝିଅ କ’ଣ ମାନମନ୍ଦିରରେ କାମ କରୁଛି ? ତୁମେ ପରା ସେଦିନ କହୁଥିଲ, ତାକୁ ସେଥର ତୁମେ ଏହି ମାନମନ୍ଦିରରେ ଦେଖାକରିଥିଲେ ବୋଲି ?’’

 

‘‘ନା, ନା, ମୁଁ ତୁମକୁ କହିଥିଲି ମେରିନା ମହାଶୂନ୍ୟରେ ଏକ ଉପଗ୍ରହ ଭିତରେ ଗବେଷଣା କରୁଛି । ସେହି ଉପଗ୍ରହ ଭିତରେ ଗବେଷଣା କରୁଛି । ସେହି ଉପଗ୍ରହର ଡିରେକ୍ଟର ହେଉଛି ଆମ ଆଲେସ୍କି । ସେ ଦୁଇଜଣଙ୍କୁ ଛାଡ଼ି ସେହି ଉପଗ୍ରହରେ ଆହୁରି ଅଠାବନ ଜଣ ପୁଅ, ଝିଅ କାମ କରୁଛନ୍ତି । ବେଶ୍‌ ସୁଖ ଓ ସୁବିଧାରେ ସେମାନେ ସେଠାରେ ଅଛନ୍ତି । ଆମେ ସେହି ମାନମନ୍ଦିରକୁ ଗଲେ ଝିଅ ସହିତ ଦେଖାସାକ୍ଷାତ କରିପାରିବା ଟେଲିଭିଜନ୍‌ ଭଳି ଏକ ଯନ୍ତ୍ର ସାହାଯ୍ୟରେ । ଝିଅ ଆମର ପୃଥିବୀଠାରୁ ଅଠର ହଜାର ମାଇଲ ଦୂରରେ ରହି ପୃଥିବୀ ଚାରିପାଖରେ ଘୂରିଥିଲେ ମଧ୍ୟ ଆମକୁ ଜଣାପଡ଼ିବ ସତେ ଯେପରି ସେ ଆମ ଆଗରେ ଠିଆହୋଇ ଆମ ସହିତ କଥାବାର୍ତ୍ତା କରୁଛି । ତୁମକୁ ଦେଖିଲେ ମେରିନା ଯେ କେତେ ଖୁସି ହୋଇଯିବ ତାହା ମୁଁ ଧାରଣା କରିପାରୁନାହିଁ । ଏଇ ତ ଜାନୁଆରୀ ମାସ ହେଲା । ଆଉ ଚାରିମାସ ପରେ ସେ ଦୁହେଁ ଦୁଇମାସ ଲେଖାଏଁ ଛୁଟିନେଇ ପୃଥିବୀକୁ ଚାଲି ଆସିବେ । ଆମେ ସେ ଦୁହିଁଙ୍କର ବିଭାଘର କରିଦେଇ ପାରିଲେ ବେଶ୍‌ ନିଶ୍ଚିନ୍ତ । ଆଲେସ୍କିଙ୍କର ବାପା ମାଆ ମଧ୍ୟ ବୋହୂ ଦେଖିବାକୁ ଭାରି ବ୍ୟସ୍ତ । ତେଣୁ ଏପରି ଅବସ୍ଥାରେ ବିଭାଘର ନ କରି ଆଉ ଡେରି କରିବା କାହିଁକି ?’’

 

ମେରିନାର ମା, ଝିଅର ଭବିଷ୍ୟତ କଥା ଭାବି ଆନନ୍ଦିତ ହୋଇ କହିଲେ, ‘‘ଦୁହେଁ ଦୁହିଁଙ୍କୁ ଯେପରି ଭାବରେ ଭଲପାଆନ୍ତି, ନ ଦେଖିଲେ କେହି ତାହା ବିଶ୍ୱାସ କରିପାରିବ ନାହିଁ । ଯେଉଁ କେତେଦିନ ଆଲେସ୍କି ଘରେ ଥିଲା, ମେରିନା ନିଜକୁ ଭୁଲିଯାଇ ଆଲେସ୍କି ସହିତ କେତେ ଆନନ୍ଦରେ ଯେ ଦିନ କଟାଇ ଦେଇଥିଲା ତାହା ମୁଁ ଭୁଲିପାରୁନାହିଁ । ସେ ଆଲେସ୍କି ସହିତ କୃତ୍ରିମ ଉପଗ୍ରହରେ ଯିବାପାଇଁ ମୋତେ ନ କହି କିଭଳି ଘରୁ ପଳାଇ ଆସିଲା, ଦେଖିଲନି । ଭଗବାନ୍‌ ଏ ଦୁଇଜଣଙ୍କୁ ସୁଖରେ ରଖନ୍ତୁ, ତାଙ୍କଠାରେ ମୋର ଏତିକି ମାତ୍ର ମାଗୁଣି ।’’

 

ମଟର କାଲାଇକୁମ୍ଭ ଟପି ଆଲେକଜାଣ୍ଡର ଶୃଙ୍ଗ ଅଭିମୁଖେ ମୁହାଁଇଛି । ହଠାତ୍‌ ଆକାଶରେ ଦେଖାଦେଲା, ଏକ ଉଜ୍ଜ୍ୱଳ ନୀଳବର୍ଣ୍ଣର ଆଲୋକ । କୃତ୍ରିମ ଉପଗ୍ରହରୁ କୌଣସି ରକେଟ୍‌ ମାନମନ୍ଦିର ଅଭିମୁଖେ ଆସୁଥିବ ଭାବି ବୃଦ୍ଧ ଆଉ ସେ ଆଡ଼କୁ ଦୃଷ୍ଟି ନ ଦେଇ ପଥ ଦୁଇ ପାର୍ଶ୍ୱର ବିରାଟ ପର୍ବତଶ୍ରେଣୀ ଆଡ଼କୁ ଦୃଷ୍ଟି ଫେରାଇଲେ । ରାସ୍ତାର ଦୁଇ ପାର୍ଶ୍ୱରେ ବିରାଟ ଆକାଶଚୁମ୍ବୀ ପର୍ବତମାଳା ମନ ଭିତରେ କିପରି ଏକ ଅଜଣା ଭୟ ସଞ୍ଚାର କରୁଥାଏ ।

 

ମାନମନ୍ଦିରରେ ପହଞ୍ଚି ମଟରରୁ ଖୁବ୍‌ଆନନ୍ଦରେ ଓହ୍ଲାଇପଡ଼ି ମେରିନାର ବାପା ଓ ମାଆ ମାନମନ୍ଦିର ଭିତରକୁ ପଶିଗଲେ । ପାଲାଭିନ୍‌ଙ୍କ ଅଫିସକୁ ଗଲେ ସେ ତାଙ୍କ ଝିଅ ଓ ଆଲେସ୍କିଙ୍କ ସହିତ ସାକ୍ଷାତ୍‌ କରାଇଦେବେ, ଏହା ଭାବି ସେମାନେ ପାଲାଭିନ୍‌ଙ୍କ ଅଫିସ୍‌ଆଡ଼କୁ ସିଧା ସଳଖ ଚାଲିଲେ । ଅଫିସ ଭିତରକୁ ପଶିଗଲା ବେଳକୁ ପାଲାଭିନ୍‌ମ୍ଳାନ ମୁଖରେ ଅଫିସ ଭିତରୁ ବାହାରି ଆସି ବୃଦ୍ଧଙ୍କୁ କୁଣ୍ଡାଇ ପକାଇ କହିବାକୁ ଲାଗିଲେ–‘‘ସବୁ ଶେଷ ହୋଇଯାଇଛି ଆପଣମାନଙ୍କୁ ମୁଁ ଆଉ କ’ଣ ଦେଖାଇବି ?’’

 

ବୃଦ୍ଧ ବଡ଼ ବିସ୍ମିତ ହୋଇ ପାଲାଭିନ୍‌ଙ୍କୁ କହିଲେ, ‘‘ଆପଣ କ’ଣ କହୁଛନ୍ତି, ମୁଁ ତ ବୁଝିପାରୁନାହିଁ ?’’

 

‘‘ବୁଝିବେ କଅଣ ? ଆମର ସବୁ ଆଶା ଭରସା ସରିଯାଇଛି । ଦେଶ ସେମାନଙ୍କୁ ଚିରଦିନ ପାଇଁ ହରାଇଛି । ସେମାନଙ୍କ ମୃତ ଦେହକୁ ଘେନି କୃତ୍ରିମ ଉପଗ୍ରହ ଫେରିଆସିଛି ମହାଶୂନ୍ୟରୁ ।’’

 

‘‘ଆପଣ କାହା କଥା କହୁଛନ୍ତି ମୁଁ ବୁଝିପାରୁନାହିଁ ଡକ୍‌ଟର ପାଲାଭିନ୍‌ ? ମୋ ଝିଅ ମେରିନା ?’’ ବୃଦ୍ଧ ଅଧୈର୍ଯ୍ୟ ହୋଇ ଆଉ କିଛି ପଚାରି ପାରିଲେ ନାହିଁ ।

 

‘‘ମେରିନା ଏ ଇହସଂସାରରେ ଆଉ ନାହିଁ ଆଜ୍ଞା ! ସେ ଆମ୍ଭମାନଙ୍କୁ ଛାଡ଼ି ଚିରଦିନ ପାଇଁ ଚାଲିଯାଇଛି ଆରପାରିକୁ । ତା’ ସଙ୍ଗେ ସଙ୍ଗେ ଆଲେସ୍କି ବି ।’’ ଏହା କହୁଁ କହୁଁ ଡିରେକ୍ଟରଙ୍କ କଣ୍ଠରୋଧ ହୋଇ ଆସିଲା । ସେ ଆଉ କିଛି କହିପାରିଲେ ନାହିଁ ।

 

ଝିଅର ମୃତ୍ୟୁ ଖବର ଶୁଣି ମେରିନାର ମା ‘ଭୋ’ ‘ଭୋ’ ହୋଇ କାନ୍ଦି ଉଠିଲେ । ‘‘ମୋ ଝିଅ କାହିଁ, ମୋ ଝିଅ କୁଆଡ଼େ ଗଲା’’ କହି ସେ ଲୋଟି ପଡ଼ିଲେ ସେହି ଚଟାଣ ଉପରେ ।

Image

 

ଶେଷ

 

ଆଲେକ୍‌ଜାଣ୍ଡର ଶୃଙ୍ଗ ଉପରେ ନବନିର୍ମିତ ଆଲେସ୍କି ସ୍କୋୟାର୍‌ । ଦେଶର ଚାରିଆଡ଼ୁ ଅସଂଖ୍ୟ ବୈଜ୍ଞାନିକ ଓ ଦର୍ଶକ ଧାଡ଼ି ଲାଗିଥାନ୍ତି ଏହି ସ୍କୋୟାର୍‌କୁ, ବିଜ୍ଞାନ ତଥା ଜାତିର ଦୁଇଟି ଶ୍ରେଷ୍ଠ ସହୀଦ୍‌ଙ୍କ ଉଦ୍ଦେଶ୍ୟରେ ସମ୍ମାନର ଶେଷ ଅର୍ଘ୍ୟ ଟେକିଦେବା ପାଇଁ । ମାନମନ୍ଦିରର କର୍ମଚାରୀବୃନ୍ଦ ଏହି ସ୍କୋୟାର୍‌ରେ ଆସି ହାଜର । ସ୍କୋୟାର୍‌ରେ ଆଲେସ୍କି ଓ ମେରିନାଙ୍କର ମାର୍ବଲ ତିଆରି ଦୁଇଟି ସ୍ମୃତିମନ୍ଦିର । ରାଷ୍ଟ୍ରର ସହକାରୀ ଆକାଶଯାନ ମନ୍ତ୍ରୀ ଆଲେକ୍‌ଜାଣ୍ଡର୍‌ ମୋରୋଜୋବ୍‌ ଏହି ଶ୍ରାଦ୍ଧ ଉତ୍ସବରେ ପୁରୋଧା କାର୍ଯ୍ୟ କରୁଥାନ୍ତି । ରାଷ୍ଟ୍ରୀୟ ସଙ୍ଗୀତ ବୋଲାହେବା ପରେ ସହକାରୀ ମନ୍ତ୍ରୀ ଏକ କ୍ଷୁଦ୍ର ଭାଷଣ ଦେଇ ସ୍ମୃତିମନ୍ଦିର ତଥା ତନ୍ମଧ୍ୟସ୍ଥ ଆଲେସ୍କି ଓ ମେରିନାଙ୍କର ଦୁଇଟି ବିରାଟ ତୈଳଚିତ୍ର ଉନ୍ମୋଚନ କରି ଉପସ୍ଥିତ ଜନତାକୁ ଦୁଇ ମିନିଟ୍‌ ଠିଆ ହୋଇ ନୀରବ ପ୍ରାର୍ଥନା କରିବା ପାଇଁ ଇଙ୍ଗିତ ଦେଲେ । ଶ୍ରାଦ୍ଧ ଉତ୍ସବ ଶେଷ କରି ମୋରୋଜୋବ୍‌ ବାହାରି ଆସିବାକୁ ବସିଛନ୍ତି, ହଠାତ୍‌ ସହକାରୀ ମାର୍କିନ୍‌ ରାଷ୍ଟ୍ରଦୂତ ଉପମନ୍ତ୍ରୀଙ୍କ ନିକଟକୁ ଯାଇ ଏକ ବେତାରବାର୍ତ୍ତା ତାଙ୍କ ହାତକୁ ବଢ଼ାଇ ଦେଲେ । ବାର୍ତ୍ତାଟି ପଢ଼ି ମନ୍ତ୍ରୀଙ୍କ ଚକ୍ଷୂ ଛଳଛଳ ହୋଇ ଆସିଲା । ସେ ଉପସ୍ଥିତ ଜନତାକୁ ଜଣାଇଦେବା ପାଇଁ କହିଲେ–

 

‘‘ଭାଇମାନେ,

 

ଆଲେସ୍କି ଓ ମେରିନାଙ୍କ ମୃତ୍ୟୁରେ ଖାଲି ଯେ ଆମ ରାଷ୍ଟ୍ର ଦୁଃଖିତ ତାହା ନୁହେଁ । ସୁଦୂର ଆମେରିକା ଯୁକ୍ତରାଷ୍ଟ୍ରରେ ମଧ୍ୟ ସେମାନଙ୍କ ମୃତ୍ୟୁନେଇ ଗଭୀର ଶୋକଛାୟା ଖେଳିଯାଇଛି-। ମୃତ ଆତ୍ମାକୁ ସମ୍ମାନ ଦେଖାଇବା ପାଇଁ ସେ ଦେଶର ସବୁ ପର୍ଯ୍ୟବେକ୍ଷଣାଗାରରେ ଆଜି ଦିନଟିକୁ ଶୋକଦିବସ ଭାବରେ ପାଳନ କରାଯାଉଛି । କେପ୍‌କାନାଭାରାଲଠାରେ ସେମାନେ ଆଲେସ୍କି ଓ ମେରିନାଙ୍କର ଅମର ସ୍ମୃତିକୁ ଚିରସ୍ଥାୟୀ କରିବା ପାଇଁ ଏକ ସ୍ମୃତିମନ୍ଦିର ତୋଳାଇ ମାର୍କିନ୍‌ମାନଙ୍କ ହୃଦୟରେ ଏହି ଅମର ଆତ୍ମା ଦୁଇଟିର ଅଦଭୁତ ସ୍ୱାର୍ଥତ୍ୟାଗକୁ ଲିପିବଦ୍ଧ କରି ରଖିବା ପାଇଁ ପାଶ୍ଚାତ୍‌ପଦ ହୋଇ ନାହାନ୍ତି । ସେମାନେ ଠିକ୍‌ ଆମ ଭଳି ଏଇ ମୁହୂର୍ତ୍ତରେ ସେହି ସ୍ମୃତିମନ୍ଦିରଠାରେ ଏକତ୍ର ହୋଇ ଅମର ଆତ୍ମା ଦୁଇଟିର ସଦ୍‌ଗତି ନିମନ୍ତେ ପ୍ରାର୍ଥନା କରୁଛନ୍ତି । ସେହି ପ୍ରାର୍ଥନା ସଭାର ସଭାପତି ତାରବାର୍ତ୍ତାଟି ଆମଠାକୁ ପଠାଇଛନ୍ତି ।’’

 

ଏହା କହି ସେ ଚିଠିଟିକୁ ପଢ଼ିବାକୁ ଲାଗିଲେ ।

 

‘‘ଭାଇ ଓ ଭଉଣୀମାନେ,

 

ଆଲେସ୍କି ଓ ମେରିନାଙ୍କର ଅକାଳ ବିୟୋଗରେ ଆପଣମାନେ ଯେ କେତେ ମର୍ମ୍ମାହତ ହୋଇ ପଡ଼ିଥିବେ, ତାହା ଭାଷାରେ ବର୍ଣ୍ଣନା କରିବା ଆମ୍ଭମାନଙ୍କ ଶକ୍ତିର ବାହାରେ । ସେମାନଙ୍କ ଏହି ଆକସ୍ମିକ ତିରୋଧାନରେ ସାରା ପୃଥିବୀ ଯେ ବ୍ୟଥିତ ହୋଇପଡ଼ିଛି, ଏହା କହିବା ବାହୁଲ୍ୟ ମାତ୍ର । ମାର୍କିନ୍‌ ଉପଗ୍ରହକୁ ସଜାଡ଼ିବା ପାଇଁ ସେମାନଙ୍କର ଯେଉଁ ଅଦ୍ଭୁତ ଆତ୍ମତ୍ୟାଗ ତାହା ପୃଥିବୀର ଇତିହାସରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିଥିବ । ପୃଥିବୀପୃଷ୍ଠରେ ଜାତି ଭିତରେ ଶତ ମତଭେଦ ଥିଲେ ମଧ୍ୟ ଆଲେସ୍କି ଓ ମେରିନା ଯେଉଁ ଅପୂର୍ବ ଆଦର୍ଶ ଦେଖାଇ ଦେଇଗଲେ, ତାହା ପ୍ରତ୍ୟେକ ଆମେରିକାବାସୀ ଚିରଦିନ ପାଇଁ ମନେ ରଖିଥିବେ । ସେମାନେ ଆତ୍ମବଳି ଦେଇ ଦେଖାଇ ଦେଇଗଲେ ଯେ ଆମେ ରୁଷୀ, ମାର୍କିନ୍‌, ଇଂରେଜ ବା ଭାରତୀୟ ହେଲେ ମଧ୍ୟ ପ୍ରଥମତଃ ହେଉଛୁଁ ମଣିଷ । ଆମେ ନିଜ ନିଜ ମଧ୍ୟରେ ହିଂସା, ଦ୍ୱେଷ ପୋଷଣ କରି ମାନବ ସମାଜର ସତ୍ତା ଲୋପ କରିଦେବା ପାଇଁ ଚେଷ୍ଟିତ ହେବା ଉଚିତ ନୁହେଁ ।

 

ସେମାନେ ସ୍ୱାର୍ଥତ୍ୟାଗର ଯେଉଁ ଜ୍ୱଳନ୍ତ ନିଦର୍ଶନ ଦେଖାଇଦେଇ ଗଲେ, ସେହି ଅମର ଆଦର୍ଶ ବିଶ୍ୱବାସୀଙ୍କର ହୃଦୟକୁ ପ୍ରଭାବିତ କରୁ ଏହାହିଁ ଆମର କାମନା । ପୃଥିବୀର ମାନବମାତ୍ରେ ପ୍ରତ୍ୟେକେ ‘ଭାଇ ଭାଇ’ ଏହି ଚିତ୍କାରରେ ସାରା ବିଶ୍ୱ ମୁଖରିତ ହେଉ । ଆମ ମଧ୍ୟରେ ମତାନ୍ତର ରୂପକ ଯେଉଁ ବିରାଟ ପ୍ରାଚୀର ଠିଆହୋଇଛି ତାହା ଚିରଦିନ ପାଇଁ ସମାଧି ଲାଭ କରୁ, ଏହାହିଁ ଦୟାମୟଙ୍କଠାରେ ଆମର ପ୍ରାର୍ଥନା ।

 

ଆପଣମାନଙ୍କ ଭାଇ

ଏଫ୍‌. ସି. କ୍ରେନ୍‌

ସଭାପତି

ଆଲେସ୍କି ଓ ମେରିନାଙ୍କ ଶୋକସଭା

କେପ୍‌କାନାଭାରାଲ’’

 

ଚିଠିଟି ଶୁଣି ସମସ୍ତଙ୍କ ଚକ୍ଷୁ ଛଳ ଛଳ ହୋଇଆସିଲା । ସହକାରୀ ମନ୍ତ୍ରୀ ମୋରୋଜୋବ୍‌ ବାଷ୍ପ ଗଦ୍‌ଗଦ୍‌କଣ୍ଠରେ ମାର୍କିନ୍‌ ରାଷ୍ଟ୍ରଦୂତଙ୍କୁ ଭାଇ ବୋଲି ସମ୍ବୋଧନ କରି କୁଣ୍ଢାଇ ପକାଇଲେ । ଏହି ଦୃଶ୍ୟ ସହିତ ସମସ୍ତଙ୍କ ପାଟିରୁ ବାହାରି ଆସିଲା–

 

ବିଶ୍ୱ-ଜନତା ଏକ ହେଉ !

 

ବିଶ୍ୱ-ଏକତାର ଜୟ ହେଉ !!

 

ବିଶ୍ୱ-ଶାନ୍ତି ଅମର ହେଉ !!!

Image